Unknown

ଓଗାଳ ଖଣ୍ଡ

ଶ୍ରୀ ଅଚ୍ୟୁତାନନ୍ଦ ଦାସ

 

ପ୍ରଥମ ଭାଗ

ଓଁ ଗଣେଶାୟ ନମଃ

ଗୀତ – କୃଷ୍ଣ ବନ୍ଦନା ଗୀତ

ଗୀତ – ୧

ଜୟ ଜୟ ବୁନ୍ଦାବନ ବେହାରୀ।

 

ରାଧାରମଣ ଶୁଣ ମୋ ଗୁହାରୀ ।

।୧।

ଜୟ ଗୋକୁଳ କୁଳର ଚନ୍ଦମା।

 

ଘନଶ୍ୟାମ ହର ଦୁଃଖ ଗାରିମା ।

।୨।

ଜୟ ମୁକୁନ୍ଦ ମାଧବ ମୂରୁତି।

 

ଭଗତ ଜନ ନୟନ ସମ୍ପତ୍ତି ।

।୩।

ଜୟ ଅଚ୍ୟୁତ ଅନାଦି ଅନନ୍ତ ।

 

କୃଷ୍ଣ କେଶବ କାହ୍ନୁ ଗୋପୀନାଥ ।

।୪।

ଜୟ ଦୀନବନ୍ଧୁ ଦୟା ସାଗର।

 

ଶଙ୍ଖ ଚକ୍ର କମଳ ଗଦାଧର ।

।୫।

ଜୟ ଦେବାଧିଦେବ ଦାମୋଦର।

 

ନନ୍ଦ ନନ୍ଦନ ହେ ବ୍ରଜସୁନ୍ଦର ।

।୬।

ଜୟ ମଦନମୋହନ ଗୋବିନ୍ଦ ।

 

ଅନ୍ତର୍ଯ୍ୟାମୀ ପୁରୁଷ ଆଦିକନ୍ଦ ।

।୭।

ଜୟ କମଳଲୋଚନ ଶ୍ରୀହରି ।

 

ନୀଳମଣି ନାରାୟଣ ମୁରାରି ।

।୮।

ଜୟ ଜଗନ୍ନାଥ ଜଗମୋହନ।

 

ବସୁଦେବ ସୁତ ବଂଶୀବଦନ ।

।୯।

ଜୟ ଜଗଦୀଶ ଘେନ ମିନତି।

 

ଗୀତେ ଭଣଇ ପାମର ଅଚ୍ୟୁତି ।

।୧୦।

 

ଗୀତ – ୨

ଲଉଡ଼ି ବୁଲାଣ ଗୀତ

ରେ ରେ --- ରାହାକୁ ରାହା ଦେଇ

ବାହାକୁ ବାହା ଦେଇ

ସେହି ଗୋଡ଼ ସେଇଠି ଥିବ

ସେହି ହାତ ସେଇଠି ଥିବ

ଅଣ୍ଟା ହଲାଇ

ଛାତି ଫୁଲାଇ, ଆସିବୁ ମୋର ଭାଇ

ଜାକିଜୁକି ହୋଇ।

ରାଧାକୃଷ୍ଣ ନିତ୍ୟ କେଳି କଦମ୍ବ ମୂଳେ ଭେଟ

ରେ ରେ ରେ, ଲାଗିଲା ପେଞ୍ଚାଟ।

ଲାଗିଲା କୋଲପ, ବାଡ଼ି ବାଜିଲା ଶୂନ୍ୟ କପାଳ।

ରେ ରେ ରେ ---- ଦୋଷୀର ଛାଟ ଏ ପାଟ ଏ, ବିଛା ଏ

ଢାଲ ଏ, ସମ୍ଭାଳ ଭାଇ ଶିକା।

 

ଗୀତ – ୩

ବାରମାସୀ ଗୀତ

(ଆହେ) ଆଦ୍ୟ ମାର୍ଗଶିର ମାସର ମୂଳ।

 

ଶ୍ରୀକୃଷ୍ଣ ଲୋଡ଼ନ୍ତି ରାଧିକା କୋଳ। ମୋ ମାଇଂଲୋ ।

।୧।

ପୁଷେ ଚନ୍ଦ୍ରାବଳୀ ଜପଇ ବସି।

 

କରେ କର ମାଳା କଣ୍ଠେ ତୁଳସୀ। ମୋ କାହ୍ନୁରେ ।

।୨।

ମାଘରେ ମାଧୋଇ ଆସିବେ ବୋଲି।

 

ଶେଯ ସଜାଇଲି ପାଖୁଡ଼ା ମଲ୍ଲୀ। ମୋ କାହ୍ନୁରେ।

।୩।

ଫଗୁଣ ମାସରେ ଦୋଳଗୋବିନ୍ଦ।

 

ଫଗୁ ଖେଳୁଥାନ୍ତି ପରମାନନ୍ଦ। ମୋ ମାଇଂଲୋ।

।୪।

ଚଇତ୍ର ମାସରେ ଋତୁ ବସନ୍ତ।

 

ଆମ୍ବ ପଣସ ଯେ ଫଳେ ବହୁତ। ମୋ କାହ୍ନୁରେ।

।୫।

ବୈଶାଖ ମାସରେ ମହା ଗ୍ରୀଷମ।

 

କର୍ପୁର କସ୍ତୁରୀ ଅଙ୍ଗେ ଲେପନ। ମୋ ମାଇଂଲୋ।

।୬।

ଜ୍ୟୋଷ୍ଠମାସରେ ଯେ ପ୍ରଖୁର ଖରା।

 

ନଦୀ ପୋଖରୀ ଯେ ଶୁଖିଲା ପରା। ମୋ କାହ୍ନୁରେ।

।୭।

ଆଷାଢ ମାସରେ ଗୁଣ୍ଡିଚା ଯାତ।

 

ମଣ୍ଡି ମୁଂ ହୋଇଲି ସେ ତିନି ରଥ । ମୋ ମାଇଁ ଲୋ।

।୮।

 

 

ଆଗେ ବଳଭଦ୍ର ବସିଲେ ଯାଇଁ।

 

ମଧ୍ୟ ସୁଭଦ୍ରା ପଛେ ଯଦୁସାଇଁ । ମୋ କାହ୍ନୁରେ।

।୯।

ଶ୍ରାବଣ ମାସରେ ଜଳ ବହୁଳ।

 

ନଦୀ ପୋଖରୀଏ ପୁରି ଅଥଳ। ମୋ ମାଇଁ ଲୋ ।

।୧୦।

 

 

ଭ୍ରାଦ୍ରବ ମାସରେ ଫୁଟଇ କିଆ।

 

ପାଶେ ନାହାନ୍ତି ଭାବ ବିନୋଦିଆ। ମୋ କାହ୍ନୁରେ ।

।୧୧।

ଆଶ୍ୱିନ ମାସରେ କୁଆଂରୀ ଜହ୍ନ।

 

ପୁଚି ଖେଳିବାକୁ ହେଉଚି ମନ। ମୋ ମାଇଁ ଲୋ ।

।୧୨।

 

 

କାର୍ତ୍ତିକ ମାସରେ ଅଙ୍ଗ ସୁବେଶ।

 

ବାରମାସୀ ଗୀତ ହୋଇଲା ଶେଷ। ମୋ କାହ୍ନୁରେ ।

।୧୩।

 

ଗୀତ –୪

(ଆହେ)ସର୍ବ ଗୋପାଳ ଭାଇମାନେ ଶୁଣ।

 

ଏ ପଦରେ ମନ କର୍ଣ୍ଣ ଦେଇଣ।

।୧।

ରାଧା କୃଷ୍ଣଙ୍କର ପ୍ରେମ ରହସ୍ୟ।

 

(ଆହେ) ଠିକେ ଠିକେ ମୁଂ କରୁଛି ପ୍ରକାଶ।।

।୨।

(ଆହେ) କୃଷ୍ଣ ଭଣଜା ଯେ ରାଧିକା ମାଇଁ।

 

କିଏ ପାରିବ ତାଙ୍କ ଭାବ କହି।।

।୩।

(ଆହେ) କଂସାସୁର ନାମେ ଯେଉଂ ଦଇତ।

 

ଇନ୍ଦୁମତୀ ଗର୍ଭରୁ ହେଲା ଜାତ।।

।୪।

ଆହେ ଉଗ୍ରସେନ ମଧୁପୁର ନୃପତି।

 

ତାଙ୍କ ଭାରିଜା ନାମ ଇନ୍ଦୁମତୀ।।

।୫।

(ଆହେ) ବଳେ ହରିଲା ଦୃମିଲା ଅସୁର।

 

ତା’ ବିନ୍ଦୁରୁ ଜନ୍ମିଲା କଂସାସୁର।।

।୬।

ବ୍ରହ୍ମା ଜାଣି ତାହାକୁ ବର ଦେଲେ।

 

ତିନି ପୁର ତୁ ଜିଣିବୁ ବୋଇଲେ।।

।୭।

ଦିନୁଂ ଦିନ ସେ ବଳୀୟାର ହେଲା।

 

ଆଗେ ଦୃମିଲାସୁରକୁ ମାଇଲା।।

।୮।

 

 

ବଡ଼ ଦୁଷ୍ଟ ହୋଇଲା ସେ ଦାନବ।

 

ପାଦେ ଖଟାଇଲା ଦେବ ମାନବ

।୯।

ନ ରଖିଲା ସେ କାହାରି ଆୟତ୍ତ।

 

ନିରାପକ୍ଷ ହେଲା କଂସ ଦଇତ।।

।୧୦।

 

 

ଦେବ ବୃନ୍ଦମାନେ ଅତି ବିକଳେ।

 

ମେଳ ହେଲେ ଯାଇ ମେରୁ ମେଖଳେ।।

।୧୧।

ବସି ଗୁପତେ କରନ୍ତି ବିଚାର।

 

କଷ୍ଟ ଦେଲା ଦୁଷ୍ଟ କଂସ ଅସୁର।।

।୧୨।

 

 

ତାହା ଜାଣିଣ ଧରଣୀ ଚଳିଲା।

 

କାନ୍ଦି ଦେବତାଙ୍କ ପାଶେ ମିଳିଲା।।

।୧୩।

ବ୍ରହ୍ମା ଆଦି ସର୍ବ ଦେବେ ଅଛନ୍ତି।

 

କଂସ କେମନ୍ତେ ମରିବ ଭାଳନ୍ତି।।

।୧୪।

 

 

ଦୁଃଖ ଜଣାଏ ତହିଂ ବସୁନ୍ଧରା।

 

ନ ସହିବି ମୁଂ ଅସୁରଙ୍କ ଭାରା।।

।୧୫।

ଦେଖ ଅଭାଗ୍ୟ କର୍ମକୁ ମୋହର।

 

ନାସା କର୍ଣ୍ଣ ଫାଟି ବହେ ରୁଧିର।।

।୧୬।

 

 

 

 

ତୁମ୍ଭେ ସଚରାଚରକୁ ସମ୍ଭାଳ।

 

ମୋର ଦୋଷ ନ ଧର ଆଖଣ୍ଡଳ।।

।୧୭।

ଆଜଠାରୁ ମୁଂ ହେଉଛି ଅନ୍ତର।

 

ମହୀ ରସାତଳେ ପଡ଼ୁ ଏଥର।।

।୧୮।

 

 

ଶୁଣି ଦେବତାମାନେ ଯେ କହନ୍ତି

 

କିଛିଦିନ ତୁ ରହ ବସୁମତୀ।।

।୧୯।

ଆମ୍ଭେ ଦେବତାଏ ମେଳି ହୋଇଣ।

 

ଜଗନ୍ନାଥଙ୍କୁ କହିବୁ ଯାଇଣ।

।୨୦।

 

 

ସମସ୍ତଙ୍କ ଦୁଃଖ ସେହୁ ହରିବେ।

 

ଦୁଷ୍ଟ କଂସ ଅସୁରକୁ ମାରିବେ।।

।୨୧।

ଶୁଣି ବାହୁଡ଼ି ଗଲା ବସୁମତୀ।

 

ଗୀତେ କହିଲା ପାମର ଅଚ୍ୟୁତି।।

।୨୨।

 

ଗୀତ – ୫

ଏଥୁ ଅନନ୍ତରେ ଶୁଣ ଗୋପାଳ ଭାଇ।

 

କ୍ଷୀରସିନ୍ଧୁ ତୀରେ ଦେବେ ମିଳିଲେ ଯାଇଂ।।

।୧।

ଯେ ଯାହାର ମତେ ତହିଂ ଗୁହାରି କଲେ।

 

ଚତୁର ଆନନ ବ୍ରହ୍ମା ସ୍ତୁତି ରଚିଲେ।।

।୨।

ତାହା ଜାଣି ଚକ୍ରପାଣି ହେଲେ ପ୍ରସନ୍ନ।

 

ଦେବତାଙ୍କୁ ଚାହିଂ ପଚାରନ୍ତି ବଚନ।।

।୩।

ଦେବଗଣେ ଆଜି ଯାଉଅଛ କେଣିକି।

 

ପଥବଣା ହୋଇ ଆସିଲ କି ଏଣିକି।।

।୪।

ପ୍ରଜାପତି ବୋଲୁଛନ୍ତି ଶୁଣ ହେ ହରି।

 

ଦେବତାଏ ଆସିଛନ୍ତି ଗୁହାରି କରି।

।୫।

ମଞ୍ଚେ ଜାତ ହେଲା କଂସ ଦଇତମଣି।

 

ଦେବତାଙ୍କୁ ପାଦେ ଖଟାଇଲା ସେ ଆଣି।।

।୬।

ସବୁବେଳେ ଉଭା ହୋଇ ଅଛନ୍ତି ସୁର।

 

ଦିନେ ବସ ବୋଲି ନ ବୋଲଇ ଅସୁର।।

।୭।

ବହୁତ କଷ୍ଟ ସେ ଦେବତାଙ୍କୁ ଦେଲାଣି।

 

ତାହା କି ନ ଜାଣ ତୁମ୍ଭେ ହେ ଚକ୍ରପାଣି ।।

।୮।

 

 

ଦାନବର ଭାରା ବସୁନ୍ଧରୀ ନ ସହେ।

 

ତାର ନାସା କର୍ଣ୍ଣ ଫାଟି ରୁଧିର ବହେ।।

।୯।

ପ୍ରଜାପତି ମୁଖ ଚାହିଂ ଶ୍ରୀ ଜଗନ୍ନାଥେ।

 

ବୋଲନ୍ତି ହତ୍ୟା ପାତକୀ ଆମ୍ଭେ ଜଗତେ।।

।୧୦।

 

 

ଯାହା ମତେ କରିଥିଲା ପୂର୍ବେ ରାବଣ।

 

ତୁମ୍ଭେ କୁଶଧାରୀ କିବା ତାହା ନ ଜାଣ।।

।୧୧।

ଦେବତାମାନଙ୍କ ଦୁଃଖ ସହି ନ ପାରି।

 

ରାବଣ ମାଇଲୁଂ ଘୋର ସମର କରି।।

।୧୨।

 

 

ବ୍ରହ୍ମହତ୍ୟା ଦୋଷ ଆମ୍ଭଠାରେ ସେ ଦେଲ।

 

ମୁଖ ନ ଚାହିଂବୁ ସୁରପତି ବୋଇଲ।।

।୧୩।

ଆଉ ଦେବତାଏ କିଂପା ଅଛନ୍ତି ଆସି।

 

ବ୍ରହ୍ମହତ୍ୟା କଲୁଂ ଆମ୍ଭେ ସେଦିନୁ ଦୋଷୀ।।

।୧୪।

 

 

କହ ବାହୁଡ଼ିଣ ଯାନ୍ତୁ ଦେବତାଗଣ।

 

ମାରନ୍ତୁ କଂସ ଅସୁର ଯୁଦ୍ଧ କରିଣ।।

।୧୫।

ଶୁଣି ସେ ଚତୁରମାଥ କଲେକ ସ୍ତୁତି।

 

ବୋଇଲେ ସଙ୍କଟୁ ରଖ ହେ ଲକ୍ଷ୍ମୀପତି।।

।୧୬।

 

 

 

 

ଇନ୍ଦ୍ର ଆଦି ଦେବଗଣ ଯୋଡ଼ିଣ କର।

 

ଯେ ଯାହାମତେ ଗୁହାରି କଲେ ଅପାର।

।୧୭।

ସର୍ବ ଦେବଙ୍କର ଦେବ ନୀଳାଦ୍ରିନାଥ।

 

ତୁମ୍ଭେ ନ ରଖିଲେ ଆମ୍ଭେ ହେଲୁଂ ଅନାଥ।।

।୧୮।

 

 

ଶରଣ ସୋଦର ଅଟ ହେ ହୃଷୀକେଶ।

 

ତୁମ୍ଭେ ନ ରଖିଲେ ଦେବେ ଗଲୁଂଟି ନାଶ।।

।୧୯।

ପୂର୍ବ ଦୋଷ କ୍ଷମାକର ପଙ୍କଜମୁଖ।

 

ଛାର ପାମର ଅଚ୍ୟୁତି ଜଣାଏ ଦୁଃଖ।।

।୨୦।

 

ଗୀତ – ୬

ଦେବତାଙ୍କ ଦୁଃଖ କର୍ଣ୍ଣରେ ଶୁଣି।

 

ଦୟାସାଗର ପ୍ରଭୁ ଚକ୍ରପାଣି।।

 

ଦୂରେ ଫିଙ୍ଗିଦେଲେ ହୃଦରୁ ମାୟା।

 

ଦେବତାଙ୍କଠାରେ କଲେ ସୁଦୟା।।

 

କି ପ୍ରଭୁ ହେ।

।୧।

 

 

ବୋଇଲେ ସର୍ବ ସୁରବୃନ୍ଦେ ଶୁଣ।

 

ଆମ୍ଭ ଆଜ୍ଞା ତୁମ୍ଭେ କର ହୋ ପୁଣ।।

 

ଗୋପ ମଥୁରା ପୁରେ ଜାତ ହୁଅ।

 

ଅବିଶ୍ୱାସୀଙ୍କ ସନ୍ନିକଟେ ଥାଅ।।

 

କି ଦେବେ ହେ!

।୨।

 

 

ଦୁଷ୍ଟ ଦଇତ ବନ୍ଦୀ ଭୁବନରେ।

 

ଆମ୍ଭେ ଜନ୍ମିବୁ ଦେବକୀ ଉଦରେ।।

 

ଆଗେ ବଳଦେବ ହୋଇବେ ଜାତ।

 

କହିଲୁଂ ଏହା ତିନିବାର ସତ୍ୟ।।

 

କି ଦେବେ ହେ!

।୩।

 

 

ବନ୍ଦୀ ଭୁବନରେ ଜନମ ହେବୁଂ।

 

ଗୋପପୁରେ ନନ୍ଦଘରେ ଚଢିବୁଂ।।

 

ବୃନ୍ଦାବନେ ଧେନୁ ଚରାଉ ଥିବୁଂ।

 

ତାର ଅଷ୍ଟମଲ୍ଲ ଆଗେ ମାରିବୁଂ।।

 

କି ଦେବେ ହେ!

।୪।

 

 

ଯେତେବେଳେ ଅଷ୍ଟ ବରଷ ହେବ।

 

ଜାଣିବ ନିଶ୍ଚେ କଂସ ନାଶ ଯିବ।।

 

କହି ଦେବତାଙ୍କୁ ଦେଲେ ମେଲାଣି।

 

ଶୟନ କଲେ ସୁଖେ ବେନୁପାଣି।।

 

କି ଦେବେ ହେ!

।୫।

 

 

ବାହୁଡି କଂସର ଜଗତି ତଳେ।

 

ଉଭା ହୋଇଲେ ଦେବତା ସକଳେ।।

 

ରାତ୍ରେ କଂସ ଦେଖିଲାକ ସ୍ୱପନେ।

 

ମେରୁ ଗିରିତଳେ ଦେବତାମାନେ।।

 

କି ଜନେ ହେ!

।୬।

 

 

ବ୍ରହ୍ମା ଇନ୍ଦ୍ର ଆଦି ବସି ସମସ୍ତେ।

 

ତହିଂ ବିଚାର କଲେକ ଗୁପତେ।।

 

କ୍ଷୀରସିନ୍ଧୁ ତୀରେ ବିଷ୍ଣୁଙ୍କୁ କହି।

 

ଯେମନ୍ତେ ଅଇଲେ ମେଲାଣି ହୋଇ।।

 

କି ଜନେ ହେ!

।୭।

 

 

ଆଦ୍ୟ ପ୍ରାନ୍ତ ସବୁ ଦେଖି ସ୍ୱପନ।

 

କ୍ରୋଧ ହୋଇଲା କଂସ ମନେ ମନ।।

 

ପ୍ରଭାତେ ଡ଼ାକି ମନ୍ତ୍ରୀ ଅକ୍ରୁରକୁ।

 

ବୋଲେ ମାରିବି ସବୁ ଦେବତାଙ୍କୁ।।

 

କି ମନ୍ତ୍ରୀ ହେ!

।୮।

 

 

ମୋ ଶତ୍ରୁ ସଙ୍ଗେ କରନ୍ତି ବିଚାର।

 

ଜନ୍ମ ହେବେ ଗୋପ ମଥୁରା ପୁର।।

 

ଦେବକୀ ଅଷ୍ଟମ ଗର୍ଭରେ ପୁଣ।

 

ମୋହାର ବଇରି ହେବ ଜନମ।।

 

କି ମନ୍ତ୍ରୀ ହେ!

।୯।

 

 

ଅକ୍ରୁର ସୁମରି ଶ୍ରୀଜଗନ୍ନାଥ।

 

ବୋଲେ ସ୍ୱପନ କଥା ନୋହେଂ ସତ।।

 

ଦେବତାମାନେ ନୁହଂନ୍ତି ବଇରି।

 

ପାଦତଳେ ଖଟିଥାନ୍ତି ତୁମ୍ଭରି।।

 

ରାଜନ ହେ!

।୧୦।

 

 

କହି କୋପ ଶାନ୍ତ କଲା ଅକ୍ରୁର।

 

ରାଜତ୍ୱ କରେ ବୀର କଂସାସୁର।।

 

ମେରୁ ଉପାଡ଼ିବ ବୋଲି ରାଜନ।

 

ଚଳିଲା ସଙ୍ଗତେ ଘେନି ସଇନ୍ୟ।।

 

ମୋ ବନ୍ଧୁରେ !

।୧୧।

 

 

ଏଣେ ଉଗ୍ରଦେନ ପାଇଣ ଚିନ୍ତା।

 

ଦେବକୀ ଦୈବକୀ ବେନି ଦୁହିତା।।

 

ଦମଘୋଷ ବସୁଦେବଙ୍କୁ ବରି।

 

ବିଭା ଦେଲାକ ବେନି ସୁକୁମାରୀ।।

 

କି ଜନେ ହେ!

।୧୨।

 

 

ଆଗେ ଦମଘୋଷ ବିଭା ହୋଇଲା।

 

ଦୈବକୀ ଘେନି ନିଜ ରାଜ୍ୟେ ଗଲା।।

 

ଦେବକୀ ବିଭା ହେଲା ବସୁଦେବ।

 

ମଧୁ କଟକରେ କରେ ଉତ୍ସବ।।

 

ସୁଜନେ ହେ!

।୧୩।

 

 

କଂସ ଛାମୁରେ ଚାର ଜଣାଇଲା

 

ଶୁଣି ଅସୁରମଣି କୋପ କଲା।।

 

ମେରୁକୁ ମେଲାଣି ମାଗି ବହନ।

 

ବାହୁଡ଼ିଲା ସଙ୍ଗେ ଘେନିଣ ସୈନ୍ୟ।।

 

ସେ କଂସ ହୋ!

।୧୪।

 

 

ମଥୁରା ଭୁବନେ ମିଳିଲା ଯାଇଂ ।

 

ଉଗ୍ରସେନଙ୍କୁ ପାଶକୁ ଡ଼କାଇ।।

 

ଅନେକ ପ୍ରକାରେ ଧିକ୍କାର କଲା।

 

କରେ ଖଡ଼ଗ ଧରିଣ ଉଠିଲା।।

 

ସେ କଂସ ହୋ!

।୧୫।

 

 

ଦେବକୀ ବସୁଦେବ ଥିଲେ ରଥେ।

 

ଗୋଳ ଲଗାଇଲା ସେ ରାଜପଥେ।।

 

ଭଉଣୀ ଭିଣୋଇ ଦୁହିଂଙ୍କ ଶିର।

 

ହାଣିବ ଖଡ଼ଗ ଉଞ୍ଚାଏ ବୀର।।

 

କି ଶୁଣ ହେ!

।୧୬।

 

 

ଶୂନ୍ୟେ ଶବଦ ଶୁଭେ ରେ ଦଇତ।

 

ତୋତେ ମାରିବ ଦେବକୀର ସୁତ।।

 

ଅଷ୍ଟମ ଗର୍ଭ ଯେ ତୋର ବଇରି।

 

ମହୀ ଉଶ୍ୱାସିବ ତୋତେ ନିବାରି।।

 

କି କଂସ ହେ!

।୧୭।

 

 

କୋପ ହେଲା ଶୂନ୍ୟ ଶବଦ ଶୁଣି।

 

ବୋଇଲା ମୂଳରୁ ମାରିବି ପୁଣି।।

 

ଦେବକୀର କେଶ ଧରନ୍ତେ ବୀର।

 

ବସୁଦେବ କହେ ଯୋଡ଼ିଣ କର।।

 

କି ବୀର ହେ!

।୧୮।

 

 

ଏ ତ ନୁହଂଇ ତୋହର ବଇରି।

 

ସୁତ ଜନ୍ମିଲେ ସିନା ତୋତେ ମାରି।।

 

ଦେବକୀ ଯେତେ ଗର୍ଭ ପ୍ରସବିବ।

 

ଛାମୁରେ ଦେବି ମୁଂ ଆଣି ଭୋ ଦେବ।।

 

କି ଶୁଣ ହେ!

।୧୯।

 

 

ମନେ ବିଚାରି କେଶ ଛାଡ଼ିଦେଲା।

 

ବନ୍ଦୀ ଭୁବନେ ଦୁହିଂଙ୍କି ରଖିଲା।

 

ଅନେକ ଚାର ଜଗାଇଲା ତହିଂ।

 

ପୁତ୍ର ପ୍ରସବିଲେ କହିବ ଯାଇଂ।।

 

କି ଦୂତେ ହେ!

।୨୦।

 

 

ଦେବକୀ ଦେବୀ ହେଲେ ଗର୍ଭବାସ।

 

ବାରତା ପାଇ ଭାଳୁଥାଇ କଂସ।।

 

ଦଶମାସେ ପୁତ୍ର ହେଲା ଜନମ।

 

ବସୁଦେବ ନେଇ ଦେଲା ବହନ।।

 

ସୁଜନେ ହେ!

।୨୧।

 

 

ଶିଳାରେ କଚାଡ଼ି ମାରେ ଅସୁର।

 

ବୋଲେ ଶତ୍ରୁନାଶ ହୋଇଲା ମୋର।।

 

ଏହିମତେ ଷଡ଼ପୁତ୍ର ମାଇଲା।

 

ଗର୍ଭେକ ଶୂନ୍ୟରେ ଉଭେଇ ଗଲା।।

 

କି ଜନେ ହେ!

।୨୨।

 

 

ଅଷ୍ଟମ ଗର୍ଭେ ଜାତ ନରହରି।

 

ଆଗେ ବିଜୁଳି କନ୍ୟା ଅବତରି।।

 

ରୋହିଣୀଠାରୁ ବଳଦେବ ଜାତ।

 

ଶୂନ୍ୟେ ଅମ୍ବିକା କହିଗଲେ ତତ୍ତ୍ୱ।।

 

ସୁଜନେ ହେ!

।୨୩।

 

 

ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀରେ।

 

ଜାତ ହେଲେ କୃଷ୍ଣ ନିଶା ଭାଗରେ।।

 

ବସୁଦେବ ଶିରେ ଗୁପତେ ନେଇ।

 

ଗୋପେ ଛାଡ଼ିଲେ ନନ୍ଦଘରେ ଯାଇ।।

 

କି ଜନେ ହେ!

।୨୪।

 

 

କନ୍ୟା ପିଲାଟି ଆଣିଲା ଯାଦବ।

 

ଯଶୋଦା କୋଳେ ରହିଲେ ମାଧବ।।

 

କନ୍ୟା ପାଲଟାଇ ନେଲା ଗୁପତେ।

 

କହିଲା ପାମର ଅଚ୍ୟୁତି ଗୀତେ।।

 

କି ଜନେ ହେ!

।୨୫।

 

ଗୀତ – ୭

ଏଥୁଅନ୍ତେ ଶୁଣ ହେ ସାଧୁଜନ।

 

ବସୁଦେବ ରହେ ବନ୍ଦୀଭୁବନ।।

।୧।

କଂସ କଚାଡ଼ନ୍ତେ କନ୍ୟାକୁ ନେଇ।

 

ଶୂନ୍ୟେ ଚଳିଗଲେ ସେ ମହାମାଈ।।

।୨।

ସେହିଦିନୁଂ ବୀର କରେ ଭାଳେଣି

 

ଭୟେ ଗୋପେ ନ ପଶେ ନୃପମଣି।।

।୩।

ମନା କରିଛନ୍ତି ମୁନି ଗାର୍ଗବ।

 

ଗୋପ ଭୁବନେ ନ ଯିବୁ ଦାନବ।।

।୪।

ନନ୍ଦଘରେ ବଢିଲେ ରାମ ହରି।

 

ବାଳ କ୍ରୀଡ଼ା ନାନାରଙ୍ଗେ ଆଚରି।।

।୫।

ଗୋପୀ ଗୋପଳେ ଆନନ୍ଦ ହୁଅନ୍ତି।

 

ବୃଦ୍ଧକାଳେ ଯଶୋଦା ପୁତ୍ରବନ୍ତୀ।।

।୬।

ଘରେ ଘରେ ପଶିଣ ବେନୁପାଣି।

 

ଲୁଚି ଖାଉଥାନ୍ତି ସର ଲବଣୀ।।

।୭।

ଧୂଳି ଖେଳୁଥାନ୍ତି ଗୋପଦାଣ୍ଡରେ।

 

ସବୁ ଗୋପାଳ ବାଳକ ସଙ୍ଗରେ।।

।୮।

 

 

ବତ୍ସା ନେଇ ବୃନ୍ଦାବନେ ଚରାନ୍ତି।

 

ଶିଙ୍ଗା ବେନୁ ନାନାରଙ୍ଗେ ବାଆନ୍ତି।।

।୯।

ସାତଦିନେ ସେ ପୂତନା ମାଇଲେ।

 

ଅର୍ଘା ବକା ବତ୍ସା ପ୍ରାଣ ଦହିଲେ।।

।୧୦।

 

 

ଶିରେ କେକୀପୁଚ୍ଛ ଚୂଳ ଶୋହଇ।

 

ଗୋପ ଯୁବତୀଙ୍କ ମନ ମୋହଇ।।

।୧୧।

କର୍ଣ୍ଣେ କୁଣ୍ଡଳ ଗଳାରେ ପଦକ।

 

ଗୁଞ୍ଜ ଗୁଞ୍ଜମାଳରେ ବ୍ୟାଘ୍ରନଖ।।

।୧୨।

 

 

ପୀତ ଦୁକୁଳ ଅଙ୍ଗେ ଥାଇ ଜଡ଼ି।

 

କଟୀତଟେ ଶୋହେ ଘଣ୍ଟି ଘାଗୁଡ଼ି।।

।୧୩।

ନଟବର ବେଶ ହୋଇ ମୋହନ।

 

ଗୋଷ୍ଠେ କରୁଥାନ୍ତି ଧେନୁ ଦୋହନ।।

।୧୪।

 

 

ଗୋପ ବାଳକ ଘେନିଣ ସଙ୍ଗତେ।

 

ଅହର୍ନିଶି ବୁଲୁଥାନ୍ତି ବନସ୍ତେ।।

।୧୫।

ଦିନେ ମାଇଂ ସଙ୍ଗେ ଲଗାଇ ନାଟ।

 

କାଟି ନେଲେ ତାର ଅଞ୍ଚଳ ପାଟ।।

।୧୬।

 

 

 

 

ଦିନେ ମୂଷା ହୋଇ ଖୋଷା କାଟିଲେ।

 

ଦିନେ ରଜକୀ ହୋଇ ବାସ ନେଲେ।।

।୧୭।

ଦିନେ ହୋଇଣ ନାପିତୁଣୀ ବେଶ।

 

ରାଈ ପୟରେ ଦେଲେ ଲାକ୍ଷାରସ।।

।୧୮।

 

 

ଦିନେ କାଚରାଣୀ ହୋଇ ଅଇଲେ।

 

କାଚ ବିକି ରାଧା ମନ ମୋହିଲେ।।

।୧୯।

ବତ୍ସା ହରଣେ ବ୍ରହ୍ମା ବଂଶୀ ଦେଲେ।

 

ବସି କଦମ୍ବ ମୂଳେ ବଜାଇଲେ।।

।୨୦।

 

 

ଘରୁ ଅନ୍ନ ପୁଡ଼ାମାନ ନେଇଣ।

 

ବନଭୋଜି କରନ୍ତି ସେ ଯାଇଣ।।

।୨୧।

ଦିନେ ହରିଲେ ଗୋପୀଙ୍କ ପାଲଟା।

 

ତାଙ୍କୁ ବୋଇଲେ ହୋଇଲ କୁଳଟା।।

।୨୨।

 

 

ଦିନେ ଯମୂନାରେ ହେଲେ ଘାଟିଆ।

 

ଦିନେ ଭାଙ୍ଗିଲେ ଯେ ପାଣିମାଠିଆ।।

।୨୩।

ବଡ଼ ରଙ୍ଗିଆ ସେହୁ ବନମାଳୀ।

 

ଦିନେ କରାଇଥିଲେ ଭୂତକେଳି।।

।୨୪।

 

 

 

 

ଦିନେ ଇନ୍ଦ୍ରପୂଜା ବିଧି ଭାଙ୍ଗିଲେ।

 

ବାମ କରେ ଗିରି ତୋଳି ଧଇଲେ।।

।୨୫।

ବୃନ୍ଦାବନେ କୁଞ୍ଜପୁର ଭ୍ୟାଇଲେ।

 

ରାଧା ସଙ୍ଗତେ ତହିଂ କେଳି କଲେ।।

।୨୬।

 

 

ଅନ୍ତର୍ଯ୍ୟାମି ସେ ଅନନ୍ତ ମୂରତି।

 

ଧ୍ୟାନେ ରଖିଲା ପାମର ମଚ୍ୟୁତି।।

।୨୭।

 

ଓଗାଳ

ଚଢା ଉତ୍ତାର ଗୀତ

ଆରେ ରେ !

ଶୁଣ ଶୁଣ ଗୋପାଳ ହୋ ମନ କରି ସ୍ଥିର।

 

କହୁଛି ଓଗାଳ ପଦ ଚଢା ଯେ ଉତ୍ତାର।।

।୧।

ପଚାରୁଛି କିଛି ତୋତେ କହିଦେବୁ ଭାଇ।

 

ଲଉଡ଼ି ଉଞ୍ଚାଇ ଆସୁ ଓଗାଳିବା ପାଇଂ।।

।୨।

 

 

ସୁବାହୁ ଦ୍ୱାପରେ କୃଷ୍ଣ ବାଳକେଳି ରସ।

 

ପଚାରୁଛି ଠିକେ ଠିକେ କର ତୁ ପ୍ରକାଶ।।

।୩।

 

ଓଗାଳ – ୧

ପ୍ରତ୍ୟକ୍ଷରେ ଦେବକୀ ସୁତ ଯେ ନାରାୟଣ।

 

କାହିଂପାଇଂ ବନ୍ଦୀଘରେ ଜାତ ହେଲେ ପୁଣ।।

।୧।

ଦେବକୀ ବସୁଦେବର କେଉଂ ପାପ ଥିଲା।

 

କାହିଂକି ତାହାଙ୍କ ପାଦେ ସାଙ୍କୋଳି ଲାଗିଲା।।

।୨।

 

 

ଗଳାରେ ଜଞ୍ଜିର ସାତମୁଠା ଦେଲା କଂସ।

 

ଏ କଥାକୁ ମୋ ମନରେ ହୋଇଲା ସନ୍ଦେଶ।।

।୩।

ଉତ୍ତାର

ଆସ ହେ ଗୋପାଳ ଭାଇ ଲଗାଅ ଲଉଡ଼ି।

 

ତୁମ୍ଭର ଆମ୍ଭର ଢାଲ ବାଡ଼ି ବିଛାବାଡ଼ି।।

।୧।

ଖେଳିବା ଲଉଡ଼ି ଆଜି ଢାଲ ଆଡ଼ି ଦେଇ।

 

ଦାଉଂରେ ପଡ଼ିଛ ଆଉ ଛାଡ଼ିଦେବି ନାହିଂ।

।୨।

 

 

ଦ୍ୱାପର ଯୁଗ ଚରିତ ପଚାରିଝ ଯାହା।

 

ସଂଶୟ ଫେଡ଼ି ଉତ୍ତାର କହୁଅଛି ତାହା।।

।୩।

ପୂର୍ବରେ ଯେ ବସୁଦେବ କେତୁବ୍ରହ୍ମା ଥିଲେ।

 

ଯୁବତୀକି ସଙ୍ଗେ ଘେନି ତପସ୍ୟାକି ଗଲେ।।

।୪।

ମହୋଦଧି ତୀରେ ଯାଇ ହେଲେ ପରବେଶ।

 

ଅତି ଯତନରେ ତହିଂ ଶୁଖାଇଲେ କୁଶ।।

।୫।

ସୁରଭୀର ବତ୍ସା ତାକୁ ଭକ୍ଷିଲା ବହନ।

 

ମାଡ଼ ମାରି ଋଷି ତାଙ୍କୁ କଲେକ ବନ୍ଧନ।।

।୬।

ସିନ୍ଧୁ ପାରି ହୋଇଣ ସୁରଭୀ ଯାଇଥିଲା।

 

ଏମନ୍ତ ଜାଣିଣ ଆସି ସେଠାରେ ମିଳିଲା।।

।୭।

ବତ୍ସାର ବନ୍ଧନ ଦେଖି ହୋଇଲା ସେ କୋପ।

 

ପତି ପତ୍ନୀ ଦୁହିଂଙ୍କି ବିହିଲା ଅଭିଶାପ।।

।୮।

ମୋ ବତ୍ସାକୁ ବନ୍ଧନ କରିଛୁ ମାଡ଼ ମାରି।

 

ଉଭୟେ ଦ୍ୱାପରେ ତୁମ୍ଭେ ହେବ ସେହିପରି।।

।୯।

ବହିଥିବ ନାମ ଯେ ଦେବକୀ ବସୁଦେବ।

 

ଦୁହେଂ ଅସୁର ଭବନେ ବନ୍ଧନେ ପଡ଼ିବ।।

।୧୦।

ଗୋମାତାକୁ ବାରେ ସେହୁ ମାଗିଲେ ମୁକତି।

 

ତାହା ଶୁଣି ସୁରଭି ଯେ କ୍ରୋଧ କଲେ ଶାନ୍ତି।।

।୧୧।

ବୋଲେ ତୁମ୍ଭଠାରୁ ବିଷ୍ଣୁ ଜନମ ହୋଇବେ।

 

ବନ୍ଧନ ଭୟରୁ ସେ ତୁମ୍ଭଙ୍କୁ ଉଦ୍ଧାରିବେ।।

।୧୨।

ଦେବକୀ ବସୁଦେବର ଚରିତ ଯେ ଏହି।

 

ତୁମ୍ଭ ଆଗରେ ହୋ ଭାଇ କହିଲି ବୁଝାଇ।।

।୧୩।

 

ଓଗାଳ – ୨

ପୂର୍ବଜନ୍ମେ କଂସାସୁର କିଏ ଥିଲା ଭାଇ।

 

ଦାନବ ବନ୍ଦରୁ ଜନ୍ମ ହୋଇଲା କିଂପାଇ।।

।୧।

କେଉଂ ତପେ କାହାକୁ ସେ ବର ମାଗିଥିଲା।

 

ଦେବତାମାନଙ୍କୁ ପାଦତଳେ ଖଟାଇଲା।।

।୨।

ଉତ୍ତାର

କଂସାସୁର ପୂର୍ବର ଯେ ଚରିତ୍ର କହୁଛି।

 

ଯାହା ମୋତେ ଶ୍ରୀ ଗୁରୁଙ୍କ ଆଜ୍ଞା ହୋଇଅଛି।।

।୧।

ତ୍ରେତୟାରେ ରାମଚନ୍ଦ୍ର ରାବଣ ମାଇଲେ।

 

ଦେବତାମାନେ ଯେ ବ୍ରହ୍ମହତ୍ୟା ଦୋଷ ଦେଲେ।।

।୨।

 

 

ପ୍ରଭୁଙ୍କ କ୍ରୋଧରୁ ପୁରୁଷେକ ହେଲା ଜାତ।

 

ଆଜ୍ଞା ଦେଲେ ଦେବତାଙ୍କୁ ଭକ୍ଷ ହେ ତ୍ୱରିତ।।

।୩।

ସେ କୋପ – ପୁରୁଷ ଗୋଡ଼ାଇଲା ଦେବତାଙ୍କୁ ।

 

ଶରଣ ମାଗିଲେ ଯାଇଂ ଶ୍ରୀ ସଦାଶିବଙ୍କୁ।।

।୪।

 

 

ହର ବୋଇଲେ ଦେବଙ୍କୁ ନ ଭକ୍ଷ ହେ ପୁଣ।

 

ଦ୍ୱାପରେ କଂସ ବୋଲାଇଥିବୁ ତୁହି ଶୁଣ।

।୫।

ଅସୁର ବିନ୍ଦୁରୁ ତୁହି ଜନମ ହୋଇବୁ।

 

ଦେବତାମାନଙ୍କୁ ପାଦତଳେ ଖଟାଇବୁ।।

।୬।

 

 

ମୋକ୍ଷ ସେ ମାଗନ୍ତେ ବୋଇଲେକ ତ୍ରିଳୋଚନ।

 

ଶ୍ରୀ କୃଷ୍ଣଙ୍କୁ ନେତ୍ରେ ଦେଖି ହାରିବୁ ଜୀବନ।।

।୭।

କଂସାସୁର ଜନ୍ମର ବିଧାନମାନ ଏହି।

 

ଗୀତେ ଭଣିଲେ ଅଚ୍ୟୁତି କୃଷ୍ଣପାଦ ଧ୍ୟାୟୀ।।

।୮।

 

ଓଗାଳ –୩

କେଉଂ ନନ୍ଦ ଘରେ କୃଷ୍ଣ ବଢିଲୋକ ଯାଇ।

 

କେତେ ନନ୍ଦ ଗୋପପୁରେ ଅଛନ୍ତି ଯେ ରହି।।

।୧।

ସହଜ ମାର୍ଗରେ ଭାଇ କହିବ ବୁଝାଇ।

 

ଜାଣିବାର କଥା ଜାଣିଥିଲେ କହ ତୁହି।।

।୨।

ଉତ୍ତାର

ଗୋପରେ ଦ୍ୱାଦଶ ନନ୍ଦ ଅଟନ୍ତି ହେ ଭାଇ।

 

ମହାଖୋଡ଼ ନନ୍ଦଘରେ ବଢିଲେ କହ୍ନାଇ।।

।୧।

 

ଓଗାଳ –୪

ଆଉ କଥା ଗୋଟିୟେକ ଆସଇ ମନକୁ।

 

ବୁଝାଇ କହିବ ଭାଇ ଜାଣିବା ତାହାକୁ।।

।୧।

ଗୋପକୁ ମଥୁରା ଅଟେ କେତେକ ଯୋଜନ।

 

ତହିଂ ମଧ୍ୟେ କେତେ କୋଶ ଅଟେ ବୃନ୍ଦାବନ।।

।୨।

ଉତ୍ତାର

ଶୁଣ ଶୁଣ ଗୋପାଳ ଭାଇ ପଚାରିଲ ଯାହା।

 

ଠିକେ ଠିକେ ତୁମ୍ଭକୁ ଯେ କହୁଅଛି ତାହା।।

।୧।

ଗୋପକୁ ସେ ମଧୁପୁର ଚତୁର ଯୋଜନ।

 

ଚଉରାଶୀ କୋଶ ମଧ୍ୟେ ଅଟେ ବୃନ୍ଦାବନ।।

।୨।

 

ଓଗାଳ – ୫

ଯେତେବେଳେ କୃଷ୍ଣ ନନ୍ଦ ଭୁବନେ ମିଳିଲେ।

 

କେତେ ଜଣ ଗୋପବାଳୀ ସେ ଠାବରେ ଥିଲେ।।

।୧।

ଏନ୍ତୁଡ଼ି ଥାପିଲା କିଏ କିସ ତାର ନାମ।

 

କେବଣ ଯୁବତୀ କଲା ନାଭି ଯେ ଛ୍ଛେଦନ।।

।୨।

ଉତ୍ତାର

ଯେତେବେଳେ କୃଷ୍ଣ ଗୋପେ ମିଳିଲେକ ଯାଇଂ।

 

ସାତ ଜଣ ନାରୀ ସେ ଠାବରେ ଥିଲେ ରହି।।

।୧।

ଯୋଗମାୟା ମିଳି ନାଭି ଛ୍ଛେଦନ କରନ୍ତି।

 

ପଞ୍ଚକନ୍ୟା ପଞ୍ଚ ଅଗ୍ନି ନେଇଣ ଥାପନ୍ତି।।

।୨।

 

ଓଗାଳ –୬

ଆହୁରି କଥାଏ ଭାଇ କହିବ ବୁଝାଇ।

 

ହେତୁରେ ରଖିବା ପାଇଂ ତାହା ପଚାରଇ।।

।୧।

ଗୋପପୁର ଦୀର୍ଘ ପ୍ରତି କେତେକ ଯୋଜନ।

 

କେତେ ଗୋପୀ ଗୋପଳଙ୍କ ଥିଲା ଯେ ଭବନ।।

।୨।

ଉତ୍ତାର

ଶୁଣ ହୋ ସୁଜାଣ ଭାଇ ପଚାରିବା କଥା।

 

ପୂର୍ବରୁ ଜଗୁ ଜୀବନ କରିବା ବ୍ୟବସ୍ଥା।

।୧।

ଗୋପପୁର ଦୀର୍ଘ ପ୍ରତି ଦ୍ୱାଦଶ ଯୋଜନ।

 

ନବଲକ୍ଷ ପୁର ତହିଂ ଅଟେ ବିଦ୍ୟମାନ।।

।୨।

 

ଓଗାଳ –୭

କଥା ଗୋଟି ଏବେ ମୋର ମନକୁ ଆସୁଛି।

 

କହିବ ବୁଝାଇ ଭାଇ ମନେ ସାର ବାଛି।

।୧।

ପୂର୍ବ ଜନ୍ମେ ନନ୍ଦ ଯଶୋଦା ଯେ କିଏ ଥିଲେ।

 

ଶ୍ରୀକୃଷ୍ଣଙ୍କୁ ପୁତ୍ର କରି କିଂପାଇ ପାଇଲେ।।

।୨।

ଉତ୍ତାର

ସୁବାହୁ ନାମେ ଗୋପାଳ ତ୍ରେତୟା ଯୁଗରେ ।

 

କ୍ଷୀର ଭେଟି ବର ମାଗିଥିଲା ସୁଯୋଗରେ।।

।୧।

ତାଙ୍କୁ କହିଥିଲେ ପ୍ରଭୁ ଜାନକୀବଲ୍ଲଭ।

 

ସୁବାହୁ ଦ୍ୱାପରେ ତୁମ୍ଭ ଆମ୍ଭ ଭେଟ ହେବ।।

।୨।

 

 

ନନ୍ଦ ଯଶୋଦା ବୋଲାଇଥିବ ଗୋପେ ରହି।

 

ପୁତ୍ର ଲାଳସେ ଆମ୍ଭଙ୍କୁ ପାଳିବ ଯେ ତହିଂ।।

।୩।

ଏହ କାରଣରୁ କୃଷ୍ଣ ଗୋପାଳ କୂଳରେ।

 

ରହି ନାନା କ୍ରିଡ଼ା କଲେ ଦାନବ ଛଳରେ।।

।୪।

 

ଓଗାଳ – ୮

ତୁମ୍ଭେ ତ ସୁଜ୍ଞାନୀ ଭାଇ ଜଣାଗଲା ଏହି।

 

ଠିକେ ଠିକେ ମୂଳକଥା କହିବ ବୁଝାଇ।।

।୧।

କେତେକ ଗୋଗୋଷ୍ଠ କେଉଂ ବର୍ଣ୍ଣେ କେତେ ଗୋରୁ।

 

କେତେକ ବୃଷଭ ଫେଡ଼ି କହିବା ଆଦ୍ୟରୁ।।

।୨।

 

 

ବୃନ୍ଦାବନ କେତେ କୋଶେ ଧେନୁ ଚରିଯାନ୍ତି।

 

ପୁଣି କେତେ ଜଣ ସଖା କୃଷ୍ଣ ସଙ୍ଗେ ଥାନ୍ତି।।

।୩।

ଉତ୍ତାର

ନବଲକ୍ଷ ଗୋଗୋଷ୍ଠ ପନ୍ଦର ଲକ୍ଷ ଗାଈ।

 

ତିନି ଲକ୍ଷ ବୃଷଭ ସଙ୍ଗରେ ଥାନ୍ତି ରହି।।

।୧।

ତିନି ବର୍ଣ୍ଣ ତାହାଙ୍କର ଅଟଇ ଯେ ସାର।

 

ନବ ଯୋଜନ ବନରେ ଧେନୁଙ୍କ ଆହାର।।

।୨।

 

 

ବେନି ଲକ୍ଷ ଗୋପାଳ ଗୋଚାରଣେ ଥାନ୍ତି।

 

କୃଷ୍ଣଙ୍କର ବାର ଗୋଟି ସଖା ଯେ ଅଟନ୍ତି।।

।୩।

 

ଓଗାଳ – ୯

ଛତା ବାଡ଼ି କଠାଉ କୃଷ୍ଣଙ୍କୁ କିଏ ଦେଲା।

 

କିଏ ଧେନୁ ଦୋହନ ତାହାଙ୍କୁ ଶିଖାଇଲା।।

।୧।

କେଉଂ ମନ୍ତ୍ର ପଢି ଧେନୁ ଦୋହନ ସେ କଲେ।

 

ଛନ୍ଦ ଦୋହଣୀ ସେ କେଉଂ ଠାବରୁ ପାଇଲେ।।

।୨।

ଉତ୍ତାର

ଗୋବର୍ଦ୍ଧନ ମଲ୍ଲ ଜଣେ ଗୋପପୁରେ ଥିଲା।

 

ଶ୍ରୀକୃଷ୍ଣଙ୍କୁ ଦୋହନାଦି ସେହୁ ଶିଖାଇଲା।।

।୧।

ଷଡ଼କ୍ଷର ମନ୍ତ୍ର ପଢି କଲେ ସେ ଦୋହନ।

 

କଠାଉ ଲଉଡ଼ି ଛତା ଦେଲା ଗୋବର୍ଦ୍ଧନ ।।

।୨।

 

 

ମଲ୍ଲ ଅଟେ ଶ୍ରୀକୃଷ୍ଣ ମାଉସୀ ପୁଅ ଭାଇ।

 

ଛନ୍ଦ ଦୋହଣୀ ଆଦି ସେ ସବୁ ଅଛି ଦେଇ।।

।୩।

ଠିକରେ କହିଲି ପଚାରିବାର ଉତ୍ତାର।

 

ଗୀତରେ କହିଲା ଭାବି ଅଚ୍ୟୁତି ପାମର।।

।୪।

 

ଓଗାଳ–୧୦

ଜାଣିଥିଲେ କହିବଟି ହୋ ଗୋପାଳ ଭାଇ।

 

ଅତୀଅ ଗହନ କଥା ହେତୁ ଚିତ୍ତେ ଦେଇ।।

।୧।

ପୂର୍ବ ଜନ୍ମେ ରାଧା ଥିଲେ କାହାର କୁମାରୀ।

 

ବୃଷଭାନୁ ଗୋପାଳର ଝିଅ ସେ କିପରି।।

।୨।

 

 

ରାଧା କୃଷ୍ଣ ଦୁହେଂ ଭାଇ ଭଉଣୀ କେମନ୍ତ।

 

ମାଇଂ ଭଣଜା ଗୋପରେ ହେବାର ବୃତ୍ତାନ୍ତ।।

।୩।

ଚନ୍ଦ୍ରସେଣା ବୋଲି ସେ ପୂର୍ବରେ କିଏ ଥିଲା।

 

ରାଧିକାର କେମନ୍ତେ ସେ ପତି ବୋଲାଇଲା।।

।୪।

ଉତ୍ତାର

ଶୁଣ ଶୁଣ ଆହେ ଭାଇ ପଚାରିଲୁ ଯାହା।

 

ସଦଗୁରୁ ସେବି ମୁହିଂ ଜାଣିଅଛି ଏହା।।

।୧।

ରାଧିକା ନୀଳେନ୍ଦୀ କନ୍ୟା ପୂର୍ବଜନ୍ମେ ଥିଲେ।

 

ଅଯୋନିସମ୍ଭବା ହୋଇ ଜନମ ଲଭିଲେ।।

।୨।

 

 

ତହିଂର ବୃତ୍ତାନ୍ତ ଆମ୍ଭେ କହୁଅଛୁଂ ଶୁଣ।

 

ସଦଗୁରୁ ଯେଉଂରୂପେ କହିଥିଲେ ପୁଣ।।

।୩।

ରା ଅକ୍ଷରରୁ ଆଦ୍ୟେ ହୋଇଲେ ଉତ୍ପତ୍ତି।

 

କୃଷ୍ଣ ପଛେ ଅବତାର ପୁଂଲିଙ୍ଗ ଶକତି।।

।୪।

ବ୍ରହ୍ମା ଅଜ୍ଞାନ କୁଣ୍ଡରେ ରାଧାକୁ ବୁଡ଼ାଇ।

 

କାଳିନ୍ଦ୍ରୀ ହ୍ରଦରେ ପଦ୍ମପତ୍ରେ ଦେଲେ ଶ୍ୱାଇ।।

।୫।

ବୃଷଭାନୁ ଧେନୁଙ୍କୁ ଯେ ପାଣି ପ୍ୟାଉଥିଲା।

 

ରାଧିକାଙ୍କୁ ଦେଖି କୋଳକରି ପୁରେ ନେଲା।।

।୬।

ତେଣୁ ବୋଲାଇଲେ ରାଈ ତାହାର କୁମାରୀ।

 

ଏହି କଥା ସତ୍ୟ ଅଟେ ବୁଝ ହୋ ବିଚାରି।।

।୭।

ବିରାଟ ବାମ ଡ଼ାହାଣୁଂ ରାଧା କୃଷ୍ଣ ଜାତ।

 

ଏ ରୂପେ ହେବାର ଅଛି ପୁରାଣେ ଉକତ।।

।୮।

ସ୍ତିରୀ ପୁରୁଷ ଏକଇ ଅଙ୍ଗୁ ଜାତ ହେଲେ।

 

ତେଣୁକରି ଭାଇ ଭଉଣୀ ସେ ବୋଲାଇଲେ।।

।୯।

ବିଶ୍ୱାବସୁ ଗନ୍ଧର୍ବ ଯେ ଚନ୍ଦ୍ରସେଣା ହେଲେ।

 

କଠୋର ତପସ୍ୟା ପୂର୍ବଜନ୍ମେ କରିଥିଲେ।।

।୧୦।

ଯାଚି ବର ଦେଇଥିଲେ ପ୍ରଭୁ ନାରାୟଣ।

 

ରାଧିକାର ପତି ହୁଏ ଏ ଜନ୍ମ ଅନ୍ତେଣ।

।୧୧।

ଏଣୁ କରି ସେହୁ ରାଧା ପତି ବୋଲାଇଲା।

 

ଦୀନ ଅଚ୍ୟୁତି ଏ କଥା ଗୀତରେ କହିଲା।।

।୧୨।

 

ଓଗାଳ –୧୧

ଆରେ ରେ ଗୋପାଳ ଭାଇ ଶୁଣ ମୋର ଗିର।

 

କେ ଦେଲା ଲଉଡ଼ି ତୋତେ କେତେ ଗଣ୍ଠି ତାର।।

।୧।

ସଦଗୁରୁ ସେବା ଥିଲେ କହିବୁଂ ଆଖର।

 

ନ କହି ପାରିଲେ ହୁଅ ସଭାରୁ ବାହାର।।

।୨।

 

 

ନୋହିଲେ ତୋ ଲଉଡ଼ିକି ନେବିଟି ଛଡ଼ାଇ।

 

ସତ୍ୟ କରି କହୁଛି ଧର୍ମକୁ ସାକ୍ଷୀ ଦେଇ।।

।୩।

ଉତ୍ତାର

ପଚାରିଲ ଯେଉଂ କଥା ଗହନ ଅଟଇ।

 

ଗୁରୁସେବା ଅଛି ଯେଣୁ ଦେବି ତାହା କହି।।

।୧।

କୃଷ୍ଣର ଲଉଡ଼ି ପାଞ୍ଚଗଣ୍ଠି ଚାରି ପବ।

 

ଧେନୁ ଆକଟନ୍ତି ହରି ବହି ଅନୁରାଗ।।

।୨।

 

 

ଏହି କଥାଟିକ ପାଇଂ ଏତେ ଟାଣପଣ।

 

ତୁନି ହୋଇ ରହ ଏବେ ମଥାକୁ ପୋତିଣ।।

।୩।

 

ଓଗାଳ–୧୨

ଆହୁରି କଥାଏ ଭାଇ ପଚାରୁଛି ଭଲା।

 

ବୃନ୍ଦାବନ ବୋଲି ରାଜ୍ୟ କିଏ ବସାଇଲା।।

।୧।

ମଧୁବନ ତାର ନାମ କାହିଂପାଇଂ ହେଲା।

 

ସେ ଠାବରେ ପୂର୍ବେ କିଏ ତପ ସାଧିଥିଲା।।

।୨।

କେଉଂ ବନ ପାଶରେ ଯେ ଅଟେ କେଉଂ ବନ।

 

କେତେ କ୍ରୋଶ ଛଡ଼ାରେ ଅଛନ୍ତି ସେହୁ ପୁଣ।।

।୩।

କେଉଂ ବନେ କେଉଂ କୁଞ୍ଜ କେତେ ଆୟତନ।

 

ଆଦ୍ୟ କୁଞ୍ଜ କାହାକୁ ବୋଲନ୍ତି ତପୀଜନ।।

।୪।

କେତେଗୋଟି କୁଣ୍ଡ ସେହୁ ବୃନ୍ଦାବନେ ଥିଲା।

 

ଯମୁନାର କେଉଂ ପାଶେ କାଳିନ୍ଦୀ ବହିଲା।।

ଯମୁନା ନଦୀ ସେ ଅଟେ କେତେ ଯେ ଗଭୀର।

 

କେତେ ଯୋଜନରେ ତହିଂ ବହୁଥାଇ ନୀର।।

।୬।

ବୃନ୍ଦାବନେ କେତେ ଯେ କଦମ୍ବ ବୃକ୍ଷ ଥାଇ।

 

କେଉଂ କଦମ୍ବ ମୂଳରେ ବସନ୍ତି କହ୍ନାଇ।।

।୭।

ସୁବର୍ଣ୍ଣ ପୀଠ ତା ମୂଳେ କେତେକ ଯୋଜନ।

 

କେଉଂ ସ୍ଥାନ ଅଟେ ଶ୍ରୀକୃଷ୍ଣଙ୍କ ନିଜ ଧାମ।।

।୮।

ଉତ୍ତାର

ଶୁଣ ହୋ ସିହାଣ ଭାଇ ପଚାରିବା କଥା।

 

ଠିକେ ଠିକେ କହିଯିବି ଶୁଣ ସେ ବାରତା।।

।୧।

ଦଧୀଚି ଋଷି ଯେ ବୃନ୍ଦାବନ ବସାଇଲେ।

 

ଦ୍ୱାଦଶ ବନ ଯେ ତହିଂ ଥାପନା ସେ କଲେ।।

।୨।

ଅଷ୍ଟକୁଞ୍ଜ ଚାରିକୁଣ୍ଡ ସେ ବନେ ପ୍ରମାଣ।

 

କ୍ରୋଶକୁ କ୍ରୋଶ ଅନ୍ତର ଅଟଇ ସେ ପୁଣ।।

।୩।

ମଧୁ କଇଟଭ ତହିଂ ଯାଗ କରିଥିଲା।

 

ତେଣୁକରି ମଧୁବନ ସେହୁ ବୋଲାଇଲା।।

।୪।

ବୃନ୍ଦାବନେ ଅଷ୍ଟକୁଞ୍ଜ ଅଟଇ ଯେ ସାର।

 

ତହିଂ ମଧ୍ୟେ ଚାରିକୁଞ୍ଜ ଅଟଇ ବିସ୍ତାର।।

ଅଷ୍ଟକୁଞ୍ଜେ ଅଷ୍ଟସଖୀମାନଙ୍କର ସେବା

 

ଆଦ୍ୟ ନଇଋତ କୁଞ୍ଜ ଦିଶୁଥାଇ ଶୋଭା।।

।୬।

ଯମୁନା ଉତ୍ତର ଭାଗେ କାଳିନ୍ଦ୍ରୀ ରହିଛି।

 

ଚିଳିକା ପରାୟେ ଯମୁନାରୁ ବାହାରିଚି।।

।୭।

ଚଉରାଶୀ କାଠି ଜଳ ଥାଇ ଯମୁନାରେ।

 

ପ୍ରତି ଯେ ସମାନ ଦୀର୍ଘ ଅଗୋଚର ନରେ।।

।୮।

 

 

ସପ୍ତଦଶ କୋଟି ଯେ କଦମ୍ବ ବୃନ୍ଦାବନେ।

 

କାଳିନ୍ଦୀ କୂଳ କଦମ୍ବ ମୂଳ ସିଂହାସନେ।।

।୯।

ବିଜୟ କରନ୍ତି ହରି କରେ ବଂଶୀ ଧରି।

 

ସେ କଦମ୍ବ ତରୁ ମୋଟ ହାତ ଚଉସ୍ତରୀ।।

।୧୦।

 

 

ଚଉଦିଗ ସୁବର୍ଣ୍ଣର ପୀଢ ଅନୁପାମ।

 

ସେ ସ୍ଥାନ ଅଟଇ ଶ୍ରୀକୃଷ୍ଣଙ୍କ ନିଜ ଧାମ।।

।୧୧।

ନିଗମ ପଦ ଏ ହେତୁ ରଖିଥାଅ ଭଲେ।

 

ପାମର ଅଚ୍ୟୁତି ଭାବି ଗୀତରେ କହିଲେ।।

।୧୨।

 

ଓଗାଳ –୧୩

ବନଭୋଜି ସ୍ଥାନ କିଏ ନିତ୍ୟ ଲୀଳା କାହିଂ।

 

ବଂଶୀ ଚୋରି କେଉଂ କୁଞ୍ଜେ ହୋଇଥିଲା ଭାଇ।।

।୧।

କେବଣ କୁଞ୍ଜରେ ଯେ ରାଧିକା ମୋହ ଗଲେ।

 

ରାଧାକୃଷ୍ଣ ଆଦ୍ୟେ କେହୁ କୁଣ୍ଡ ପୂଜା କଲେ।।

।୨।

ବତ୍ସାହରଣରେ ବ୍ରହ୍ମା ବଂଶୀ ଦେଲେ ଆଣି।

 

କେଉଂଠାରେ କିଏ ତାକୁ ଥିଲା ଯେ ନିର୍ମାଣି।।

।୩।

କେତେ ଗଣ୍ଠି କେତେ ପବ ସେ ବଂଶୀ ଅଟଇ।

 

କେତେଗୋଟି ରନ୍ଧ୍ର ତହିଂ ମଧ୍ୟରେ ଅଛଇ।।

।୪।

କେଉଁ ରନ୍ଧ୍ର କେଉଂ ସ୍ୱର କେତେବେଳେ ବାଜେ।

 

ସ୍ତମ୍ଭନ ମୋହନ ଆଉ ଉଚ୍ଚାଟ ସହଜେ।।

କେବଣ ଠାବରୁ ବେଣୁ ବୃକ୍ଷ ଜାତ ହେଲା।

 

କେତେ ଗଣ୍ଟି କେତେ ପବ ଆଦ୍ୟ ପ୍ରାନ୍ତେ ଥିଲା।।

।୬।

ତହିଂରୁ ଯେତେକ ଗୋଟି ଧନୁ ହେଲା ଜାତ।

 

ତାର ନାମ ଜଗତରେ କଲେକେ ବିଖ୍ୟାତ।।

।୭।

ଗଉଡ଼ର ପୁଅ ଯେବେ ହୋଇଥିବୁ ଭାଇ।

 

ଏଥିର ଉତ୍ତାର ତେବେ ଦେବୁ ମତେ କହି।।

।୮।

ଉତ୍ତାର

ଏଥିର ଉତ୍ତାର ଶୁଣ କହୁଅଛି ମୁହିଂ।

 

ବନଭୋଜି ସ୍ଥାନ କାମ୍ୟ ବନ ଯେ ଅଟଇ।।

।୧।

ଅରୁଣ କୁଞ୍ଜରେ ହୋଇଥିଲା ବଂଶୀ ଚୋରି।

 

ପ୍ରମଦା କୁଞ୍ଜରେ ମୋହ ରାଧିକାସୁନ୍ଦରୀ।।

।୨।

ମାନସିକ ପୂଜା ଆଦ୍ୟେ ରାଧାକୁଣ୍ଡ ତୀରେ।

 

ବ୍ରହ୍ମା ବଂଶୀ ଦେଇଥିଲେ ବତ୍ସାହରଣରେ।।

।୩।

ଯାଗ କୁଣ୍ଡୁ ଏକ ବେଣୁ ବୃକ୍ଷ ହେଲା ଜାତ।

 

ଚଉଷଠି ପବ ତାର ଅଟଇ ବିଖ୍ୟାତ।।

।୪।

ଚତୁରାନନ ଚ୍ଛେଦନ କଲେ ତାକୁ ହାଥେ।

 

ଛଡ଼ ଧନୁ ତହିଂରୁ ଯେ ରଚିଲେ ବିହିତେ।।

ଅଜଗବ ପିନାକ ବୈଷ୍ଣବ ଧନୁ ଆଦି।

 

ଗାଣ୍ଡିବ ଆରଦ୍ରାବଳୀ ରଖିଲେ ସମ୍ପାଦି।।

।୬।

ଶେଷ ମଧ୍ୟ ବେନି ପବ ବଂଇଶୀ ହୋଇଲା।

 

ସପତ ରନ୍ଧ୍ରରେ ଚାରି ସ୍ୱର ଯେ ବାଜିଲା।।

।୭।

ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟ ଘେନିଣ।

 

ଓଲଟେ ଯମୁନା ଜଳ ବହେ ଉଛୁଳିଣ।।

।୮।

ଦ୍ୱାଦଶ ଅଙ୍ଗୁଳି ବଂଶୀ ବେନି ଗଣ୍ଠି ତହିଂ।

 

ବେନି ପବରେ ବିସ୍ତାର ହୋଇଅଛି ସେହି।।

।୯।

ତୋହ ପଚାରିବା କଥା କଲି ମୁଂ ଉତ୍ତାର।

 

ହେବା ନ ହେବାର ଏବେ ମନେ ହେଜକର।।

।୧୦।

 

ଓଗାଳ – ୧୪

ଏକତ୍ରେ ଆସିଣ ଅଛ ଆହେ ଗୋପସୁତ।

 

ପଚାରୁଛି ଯେଉଂ କଥା କହିବ ତୁରିତ।।

।୧।

ମୟୁର ପୁଚ୍ଛ ଚନ୍ଦ୍ରିକା ଚୁଳ କାହିଂପାଇଂ।

 

ଶିରେ ବାନ୍ଧିଲେ ଶ୍ରୀକୃଷ୍ଣ କହିବ ବୁଝାଇ।।

।୨।

ଉତ୍ତାର

ଶୁଣ ପଚାରିଲୁ ଯାହା କହୁଛି ବୁଝାଇ।

 

ଜାଣିଲି ତୋହର ହୃଦେ ଟିକେ ବୁଦ୍ଧି ନାହିଂ।।

।୧।

ଯେଉଂ ମୟୁରଚନ୍ଦିକା କୃଷ୍ଣ ଶିରେ ଅଛି।

 

ଶ୍ରୀରାଧାର ନାମ ଲେଖା ତହିଂରେ ହୋଇଛି।।

।୨।

 

 

ଶିରରେ ତାହାର ଶୋଭା କୃଷ୍ଣ ପ୍ରୀତି କହି।

 

ଠିକରେ ଗହନ କଥା କହିଲି ବୁଝାଇ।।

।୩।

 

ଓଗାଳ –୧୫

ଗୋପକୁ ଗରୁଡ଼ ଆସିଥିଲା କେଉଂ ଦିନ।

 

କେଉଂ ବାହନେ ଶ୍ରୀକୃଷ୍ଣ କରନ୍ତି ଗମନ।।

।୧।

ବଳଦେବଙ୍କର କିଏ ବାହନ ଅଟଇ।

 

ତାଜଧ୍ବଜ ରଥ ଛାଡ଼ି ଆଉ ଦେବ କହି।।

।୨।

ଉତ୍ତାର

ଗୋପକୁ ଗରୁଡ଼ ଆସିଥିଲା ଏକ ଦିନ।

 

କାଳିନ୍ଦୀ କୂଳରେ ଭେଟ କୃଷ୍ଣ ସନ୍ନିଧାନ।।

।୧।

କହ୍ନାଇକି କାଳୀ ଦଂଶିଥିଲା ବୋଲିକରି।

 

ଗରୁଡ଼କୁ ସୁମରଣା କଲେ ବଂଶୀଧାରୀ।।

।୨।

 

 

ଦ୍ୱାରିକା ଭୁବନେ ପ୍ରଭୁ ବିଜେ ଯେଉଂ ଦିନ।

 

ଗରୁଡ଼ ବାହନ ଖ୍ୟାତ ହେଲା ସେହିଦିନ।।

।୩।

ବଳଦେବଙ୍କର ମନ ପବନ ବାହନ।

 

କହିଲି ଗୋପାଳ ଭାଇ ସାବଧାନେ ଘେନ।।

।୪।

 

ଓଗାଳ – ୧୬

ଆହୁରି କଥାଏ ଏବେ ଆସୁଛି ମନକୁ ।

 

କହିବ ବୁଝାଇ ଭାଇ ରହସ୍ୟ କଥାକୁ।।

।୧।

ଜହ୍ନମାମୁ ବୋଲି ନନ୍ଦ କୃଷ୍ଣଙ୍କୁ ଦେଖାଏ।

 

ସମସ୍ତଙ୍କ ମାମୁ ଜହ୍ନ କେଉଂ ପରି ହୁଏ।।

।୨।

 

 

ଠିକ ପଦ ଏକ ମୁହିଂ ପଚାରିଲି ତୋରେ।

 

କହିଲେ ପଦକ ପରି ହୋଇବ ସଭାରେ।।

।୩।

ଉତ୍ତାର

ଜହ୍ନମାମୁ ସର୍ବ ଜନେ ଯହିଂକି ବୋଲନ୍ତି।

 

ଲକ୍ଷ୍ମୀଦେବୀ ଜଗତର ଜନନୀ ଅଟନ୍ତି।।

।୧।

ଚନ୍ଦ୍ର ତାଙ୍କର ଅଟନ୍ତି ସହୋଦର ଭ୍ରାତ।

 

ତେଣୁ ମାମୁ ବୋଲି ହେଲେ ଜଗତେ ବିଦିତ।।

।୨।

 

 

ପଚାରିବା ପଦକୁ ମୁଂ କହିଲିରେ ବାବୁ।

 

ରାଧା କୃଷ୍ଣ ପଦ୍ମପାଦେ ମନ ଦେଇଥିବୁ।।

।୩।

 

ଓଗାଳ –୧୭

ଆଉ ପଦ କିଛି ଦାସେ ପଚାରୁଛି ଶୁଣ।

 

ଗୋପାଳ ଘରର ପାଠ କହିବ ଆପଣ।।

।୧।

ପ୍ରଥମରେ କାହିଂପାଇଂ ଧୁଆଂ ବନ୍ଦାଇଲ।

 

କେଉଂ ଦେବତାଙ୍କୁ ତହିଂ କେମନ୍ତେ ପୂଜିଲ।।

।୨।

 

 

ଫଗୁଣରେ ଫଗୁଖେଳ ହେଲା କାହିଂପାଇଂ।

 

ଚଉଦୋଳେ ବିଜେକଲେ ରାଧା କୃଷ୍ଣ ଯାଇ।।

।୩।

କାହିଂପାଇଂ କୃଷ୍ଣ ଦୋଳଗୋବିନ୍ଦ ହୋଇଲେ।

 

ସଦଗୁରୁ ସେବା ଥିଲେ କହିଦେବ ଭଲେ।।

।୪।

ଉତ୍ତାର

ଶୁଣ ଲଉଡ଼ିଆ ଭାଇ କହୁଛି ଉତ୍ତାର।

 

ପୂର୍ବେ ଯେ ରାଧିକା ମାଗିଥିଲେ ଏହି ବର।।

।୧।

ଫଗୁଣ ମାସେ ତପସ୍ୟା ହୋଇଲାକ ପୁର୍ଣ୍ଣ ।

 

ପୁଷ୍ପମାନେ ବିକଶି ଦିଶନ୍ତି ରଙ୍ଗବର୍ଣ୍ଣ।।

।୨।

 

 

ଶୁଣ ହେ ନାରାୟଣ।

 

ଦ୍ୱାପରେ ଯାହା ହୋଇବ କହିଲେ ଆପଣ।।

।୩।

ଯେବେ ଆମ୍ଭେମାନେ ଗୋପପୁରେ ରହିଥିବା।

 

ବୋଲୁଅଛ ବୃନ୍ଦାବନେ କେଳି ଆଚରିବା।।

।୪।

 

 

ଏହି ଫଗୁଣରେ ଦୋଳଗୋବିନ୍ଦ ବୋଲାଇ।

 

ଫଗୁ ଖେଳୁଥିବା ଆମ୍ଭେ ଚଉଦୋଳେ ରହି।।

ଶ୍ରୀହରି ବୋଇଲେ ଭଲା କହିଲ ସଙ୍ଗାତ।

 

ଏହି କଥାକୁ ଆମ୍ଭର ହେଲା ସନମତ।।

।୬।

 

 

ପୂର୍ବରୁ ଏହି ଘଟଣା ଥିବାରୁ ଯେ ପୁଣ।

 

ଦୋଳଗୋବିନ୍ଦ ହୋଇଲେ ନର ନାରାୟଣ।।

।୭।

ପୂର୍ବେ ଯେ ଗୋମତୀ ଧୂଆଂ ବନ୍ଦାଇଣ ଥିଲେ।

 

ତେଣୁ ଯେ ଗୋପାଳେ ସେହି କଥା ଆଚରିଲେ।।

।୮।

 

 

ଗୋଧନ ବଢିବ ଜାଣି କଲେ ତା ଗୋମତୀ।

 

ଗୀତରେ ଭଣିଲେ ଏହା ପାମର ଅଚ୍ୟୁତି।।

।୯।

 

ଓଗାଳ – ୧୮

ଧୁଆଂବନ୍ଦା କଥା ଯାହା କହିଲୁ ରେ ଭାଇ।

 

ତାହା ମୋହର ମନକୁ ଆସିଲା ତ ନାହିଂ।।

।୧।

କେଉଂଦିନ କେତେବେଳେ ଧୁଆଂ ବନ୍ଦାଇଲେ।

 

ଗୋମତୀ ବୋଇଲ ଯାକୁ ପୂର୍ବେ କିଏ ଥିଲେ।।

।୨।

 

 

ଫଗୁଣ ଶୁକଳ ପକ୍ଷ ଚତୁର୍ଦ୍ଦଶୀ ଦିନ।

 

ଗାଈ ଗାଧୋଇଲେ କିଂପା କହ ସେ ବଚନ।।

।୩।

ଶିଂଘା ବେନୁ ବଇଂଶୀ ସେ କାହିଂକି ଧୋଇଲ।

 

ନାନା ଆଭରଣ ପିନ୍ଧି ସୁବେଶ ହୋଇଲ।

।୪।

 

 

ଶୀତଳ ମଣୋହି ପୂଜା ଦେଲ ଯେ କାହାକୁ।

 

ମନରେ ମନାସ କଲ କେଉଂ ଦେବତାଙ୍କୁ।।

ଗୋମାତାଙ୍କୁ ପୂଜାଦେଲ କେବଣ ପ୍ରକାରେ।

 

କେଉଂ ଦେବତା ଅଛନ୍ତି ଗୋମାତା ଦେହରେ।।

।୬।

 

 

ଯାହା ପଚାରିଲି ତୁମ୍ଭେ କହିଦେବ ଭାଇ।

 

ଅଚ୍ୟୁତି ଶ୍ରୀକୃଷ୍ଣ ପାଦେ ଜଣାଣ କରଇ।।

।୭।

ଉତ୍ତାର

ଆହେ ହେ ଗୋପାଳ ଭାଇ କହୁଛି ଉତ୍ତାର।

 

ଧୂଆଂବନ୍ଦା ଚରଚା ଯେ ଅଟେ ଗୋମାତାର।।

।୧।

ଆଶ୍ୱିନ ମାସ ଶୁକଳ ପୂର୍ଣ୍ଣମୀର ଦିନ।

 

ପ୍ରଦୋଷ କାଳରେ ଧୂଆଂବନ୍ଦାର ବିଧାନ।।

।୨।

 

 

ପୁଣି ମାଘ ପୈାର୍ଣ୍ଣିମୀରେ ସେହିପରି ହୁଏ।

 

ମାନବ ଦେହ ବହିଣ କହିବ ତା କିଏ।।

।୩।

ଶଉଚ ହୋଇ ଘଟରେ ଆଣି ଶୁଦ୍ଧଜଳ।

 

ଗୋଶାଳା ଥମ୍ଭ ମଣ୍ଡିବ ଦେଇ ଫୁଲ ଫଳ।।

।୪।

 

 

ଉଜାଗର ନିଶି ରହି ଜାଗର ଜାଳିବ।

 

ଗୋମାତାକୁ ମନରେ ଯେ ଲୟେ ରଖିଥିବ।।

ଫଗୁଣ ଶୁକଳ ପକ୍ଷ ଚତୁର୍ଦ୍ଦଶୀ ଦିନ।

 

ଗୋଶାଳା ଧୋଇବ ଜଳେ କରିଣ ଯତନ।।

।୬।

 

 

ଧେନୁଅଙ୍ଗେ କୁଙ୍କୁମାଦି ଅତିଯତ୍ନେ ବୋଳି।

 

ସ୍ନାନ କରାଇବ ନଦୀଜଳେ ଅଙ୍ଗ ଢାଳି।।

।୭।

ଗୋମାତାଙ୍କୁ ଗୋଶାଳାରେ ରଖାଇବ ନେଇ।

 

ଫୁଲ ଚନ୍ଦନ ମଣ୍ଡିବ ପଟ୍ଟବସ୍ତ୍ର ଦେଇ।।

।୮।

 

 

ରୋମ ଗୋଟିକେ ଅଛନ୍ତି ଦେବତା କୋଟିଏ।

 

ବ୍ରହ୍ମା ବିଷ୍ଣୁ ମହେଶ ଯେ ଷଡ଼ଚକ୍ରେ ଥାଏ।।

।୯।

ଷୋଳ ଡ଼ମ୍ବରୁକୁ ଘେରିଛନ୍ତି ଆଦିମାତା।

 

ଚାରିପାଖ ଖୁରା ମଧ୍ୟେ ନୁହନ୍ତି ଗଣିତା।।

।୧୦।

 

 

ଶିଂଘା ବେନୁ ଆଦିଙ୍କର ଯେତେକ ଚରିତ।

 

ଦ୍ୱାପର ଚରଚାରେ ମୁଂ କହିଅଛି ତତ୍ତ୍ୱ।।

।୧୧।

ସମସ୍ତଙ୍କୁ ଶୁଦ୍ଧଜଳେ କରାଇବ ସ୍ନାନ।

 

ଦେବ ଧୂପ ଦୀପ ଯଥା ନଇବେଦ୍ୟମାନ।।

।୧୨।

 

 

ଶ୍ରୀଗୁରୁଙ୍କ ଉପଦେଶ ପାଇବାରୁ ମୁହିଂ।

 

ଗୀତରେ ଅଚ୍ୟୁତାନନ୍ଦ କହିଲେ ବୁଝାଇ।।

।୧୩।

 

ଓଗାଳ – ୧୯

ଆରେ ରେ ଗୋପାଳ ଭାଇ ପଡ଼ିଗଲା ମନେ।

 

ଯାହା ପଚାରୁଚି ତାହା କହ ସାବଧାନେ।।

।୧।

ଏଡ଼େକ ସୁବେଶ ହୋଇ ଆସିଅଛୁ ତୁହି।

 

ଲଉଡ଼ି ଶିଂଘା ବେନୁ ଯେ କିଏ ଥିଲା ଦେଇ।।

।୨।

ଘଣ୍ଟ ଘାଗୁଡ଼ି ଜଙ୍ଘିଆ ସିନ୍ଦୁରର ଚିତା।

 

ପୁଣି ପାଗବାନ୍ଧି ହେଉ ତୁ ଅମରମତ୍ତା।।

।୩।

ଏ ସକଳ ଉପହାର କାହୁଂ ତୁ ପାଇଲୁ।

 

କିଏ ଦେଲା ତୋତେ ତୁହି ଏଡ଼େ ବେଶ ହେଲୁ।।

।୪।

ଶୀତଳ ମଣୋହି ବୋଲି ଯାହାକୁ ତୁ ବୋଲୁ।

 

କାହାକୁ ପୂଜିଣ ପୁଣି ତାହା କିସ କଲୁ।।

ଏ ସକଳ କଥା ଯେବେ କହିବୁ ରେ ଭାଇ।

 

ତେବେ ଦୋଳମଣ୍ଡପକୁ ଛାଡ଼ିଦେବି ମୁହିଂ।।

।୬।

ଉତ୍ତାର

(ଆରେ ରେ) ଏ ପଦକ କଥା କାହୁଂ ଆସିଥିଲୁ ଶିଖି।

 

ଆଗବଢି କହୁ କଥା ମରମ ନ ରଖି।।

।୧।

ଶୁଣରେ ସିହାଣ ଭାଇ ପଚାରିବା କଥା।

 

ବିଛାମନ୍ତ୍ର ନ ଜାଣି ତୁ ଚାଳୁ ସର୍ପମଥା।।

।୨।

ଲଉଡ଼ିଗୋଟି ଯେ ପିତାମହ ଥିଲେ ଦେଇ।

 

ଶିବ ଦେଲେ ଶିଂଘା ବେନୁ ଦେଲି ମୁଂ ବୁଝାଇ।।

।୩।

ନାନା ଜାତି ଅଳଙ୍କାର ହୋଇଛୁ ମଣ୍ଡଣି।

 

ନୂତନ ପଟ୍ଟବସନ କରିଛୁ କାଛେଣି।।

।୪।

ପାଗ ଜଙ୍ଗିଆ ସିନ୍ଦୁର ଘଣ୍ଟି ଯେ ଘାଗୁଡ଼ି।

 

ଉମା ଶିବ ନନ୍ଦୀ ଯେ ଭ୍ରୁକୁଟୀ ଦେଲେ ଲୋଡି।।

ଶୀତଳ ମଣୋହି ଭୋଗ ଗୋମାତାଙ୍କୁ ଦେଇ।

 

ବାଣ୍ଟି ପ୍ରସାଦ ଭକ୍ଷଣ କଲୁ ଆମ୍ଭେ ଭାଇ।।

।୬।

ଲଉଡ଼ି ଚଢା ଉତ୍ତାର ଠିକ୍ ପଦ ମାନ।

 

ବୁଝ ତୁମ୍ଭେ ସାରକଥା ଦେଇ ମନ କର୍ଣ୍ଣ।।

।୭।

ପଚାରିଥିବା ଓଗାଳ ଉତ୍ତାର ଶୁଣିଣ।

 

ଅତୀବ ହରଷ ଯୁତ ହୋଇ କହେ ପୁଣ।।

।୮।

ଆସ ହେ ଗୋପାଳ ଭାଇ ବେଗ ବେଗ ହୋଇ।

 

ଲଉଡ଼ି ଖେଳିବା ଦୋଳମଣ୍ଡପକୁ ଯାଇ।।

।୯।

ମନରୁ ସକଳ କଥା କର ପରିହାର।

 

ବର୍ଷାନ୍ତରେ ପୁଣି ଦେଖା ତୁମ୍ଭର ଆମ୍ଭର।।

।୧୦।

ରାଧାକୃଷ୍ଣ ପଦ୍ମପାଦେ କରି ପ୍ରଣିପାତ।

 

ଚଢା ଉତ୍ତାର ଓଗାଳ କହିଲେ ଅଚ୍ୟୁତ।।

।୧୧।

 

Unknown

ଦ୍ୱିତୀୟ ଭାଗ

ବନ୍ଦନା ଗୀତ

ବନ୍ଦଇ ଶ୍ରୀ ଗଣପତି ମୂଷିକ ବାହନ।

 

ଦୋଳଯାତ୍ରା ପର୍ବ ପୁଣି ଅପୂର୍ବ ଆଖ୍ୟାନ।।

।୧।

ବନ୍ଦଇ ଶ୍ରୀ ନାରାୟଣ ଗରୁଡ଼ ବାହନ।

 

ଶ୍ରୀକୃଷ୍ଣ ଚରିତ୍ରମାନ କରିବା ବଖାଣ।

।୨।

 

 

ବନ୍ଦଇ ଶ୍ରୀ ରାମକୃଷ୍ଣ ମତ୍ସ ଅବତାର।

 

ବନ୍ଦଇ ପରମାନନ୍ଦ ଅପୂର୍ବ ସୁନ୍ଦର।।

।୩।

ବନ୍ଦଇ ଶ୍ରୀ ରାଧାକୃଷ୍ଣ ଯମୁନା କୂଳିଆ

 

ବନ୍ଦଇ ଶ୍ରୀ ନଟକୂଟ କାଇଞ୍ଚ ମାଳିଆ।।

।୪।

 

 

ବନ୍ଦଇ ଶ୍ରୀ ଦୀନବନ୍ଧୁ ଭକ୍ତର ଅଧୀନ।

 

ବନ୍ଦଇ ଶ୍ରୀ ପ୍ରେମସିନ୍ଧୁ ଗୋପ ବୃନ୍ଦାବନ।।

।୫।

ବନ୍ଦଇ ଶ୍ରୀ ଘନଶ୍ୟାମ ମୟୁର ଚୁଳିଆ।

 

ବନ୍ଦଇ ଶ୍ରୀ ଗୋପୀନାଥ ବଡ଼ ଦଗାଦିଆ।।

।୬।

 

 

 

 

ବନ୍ଦଇ ଶ୍ରୀ ମାଧବ ହେ ହଟିଆ କୂଟିଆ।

 

ବନ୍ଦଇ ଶ୍ରୀ କୃଷ୍ଣଚନ୍ଦ୍ର ଭକ୍ତ ବିନୋଦିଆ।।

।୭।

ବନ୍ଦଇ ଶ୍ରୀ ରାଧା-ଧନ ଗୋପୀଙ୍କ ଜୀବନ।

 

ବନ୍ଦଇ ଶ୍ରୀ ଦାମୋଦର ମଦନ ମୋହନ।।

।୮।

 

 

ବନ୍ଦଇ ଶ୍ରୀ ବନମାଳୀ ନିକୁଞ୍ଜ ବିହାରୀ।

 

ତୁମ୍ଭ ପାଦପଦ୍ମ ଚିନ୍ତୁଂ ଗୋକୁଳ ବିହାରୀ।।

।୯।

ଅଚ୍ୟୁତାନନ୍ଦ କରଇ ନିରତେ ବନ୍ଦନ।

 

ଗୋପାଳ ଓଗାଳ ଏବେ କରିବା ଗାୟନ।।

।୧୦।

 

 

ସଭାସଦ ଭାଇମାନେ ଶୁଣ କାନ ଡ଼େରି।

 

ଶ୍ରୀକୃଷ୍ଣ ମହିମାମାନ ଗାଇବା ବିସ୍ତାରି।।

।୧୧।

 

କୁମ୍ଭବୁଡ଼ା ଗୀତ

(ଆହେ) ଫଗୁଣ ମାସରେ ଦୋଳ ଗୋବିନ୍ଦ।

 

ସବୁ ଗୋପାଳଙ୍କ ମନ ଆନନ୍ଦ ।

।୧।

ନୂଆ ଶିକାକୁ ଯେ ନୂଆ କଳସୀ।

 

ତହିଂ ଆମ୍ବଡ଼ାଳ ସୁନ୍ଦର ଦିଶି।

।୨।

ଡାକହାକ ହୋଇ ହେଲେ ବାହାର।

 

କାନ୍ଧରେ ବୋହିଲେ କଳସୀ ଭାର।

।୩।

ତୁରିତେ ମିଳିଲେ ଯମୁନା କୂଳେ।

 

ଭାର ଓହ୍ଲାଇଣ ପ୍ରତିଷ୍ଠା କଲେ।

।୪।

ବାମ କରୁଂ କୁମ୍ଭ ଗୋଟିଏ ନେଲେ।

 

ପୁର୍ବ ମୁଖ ହୋଇ ଜଳେ ବୁଡ଼ିଲେ।

।୫।

ହରି ହରି ବୋଲି ଚଳି ଅଇଲେ।

 

ଦ୍ୱାରେ ଗୋପାଳୁଣୀ ଜାଗିଣ ଥିଲେ।

।୬।

ହେଂସ ପକାଇଲେ ଖୁଆ ପକାଇ।

 

ଦୀପ ଲଗାଇଲେ ଦୁଧ ବନ୍ଦାଇ।

।୭।

ବନ୍ଦାପନା କରି ଗୃହକୁ ନେଲେ।

 

ଗମ୍ଭାରି କୋଣରେ ରଖିଣ ଦେଲେ।

।୮।

ସୁବାସ ଚନ୍ଦନ କୁମ୍ଭରେ ଦେଇ।

 

ପୂଜା କରି ସର୍ବେ ଗୋପକୁ ଯାଇ।

।୯।

କୁମ୍ଭବୁଡ଼ା ଗୀତ ହୋଇଲା ଶେଷ।

 

ଭାବରେ ଭଣିଲେ ଅଚ୍ୟୁତ ଦାସ।

।୧୦।

 

ଓଗାଳ – ୧

ଶୁଣ ଆହେ ଗୋପାଳ କୁଳର ଚୁଡ଼ାମଣି।

 

ଶ୍ରୀ ଅଚ୍ୟୁତଙ୍କର ଏହି ଆଜ୍ଞା ପରିମାଣି।

।୧।

ବାର ମାସ ମଧ୍ୟେ ଯେ ପୂର୍ଣ୍ଣମୀ ବାର ଗୋଟି।

 

କି ରୂପେ ଭିଆଣ କଲେ କିଶୋର ମୂରତି।

।୨।

ଓଗାଳ ବିହିତ ବିଧି ବିଧାନ ଯେ ଗୋଟି।

 

କିସ ଭିଆଣ କଲେ ସେ ନବଘନ କାନ୍ତି।

।୩।

ଚାରି ଯୁଗ ବିଧିମାନ ବିହିତ ଯେ ନାମ।

 

କି ରୂପେ ଭିଆଣ କଲେ ନବଘନ ଶ୍ୟାମ।

।୪।

ତୁମ୍ଭ ଆମ୍ଭ ଏକ ଅଂଗ ଭିନ୍ନାଭିନ୍ନ ନାହିଂ।

 

ବିହିତ ବିଧାନ ପୂଜା ପଚାରୁଛି ମୁହିଂ।

।୫।

ଆଜ ତୁମ୍ଭେ ଭାଇମାନେ ଦୋଳ ଯାତ୍ରା କଲ।

 

କି ରୂପେ ଏ ଯାତ୍ରା ଗୋଟି କାହିଂରୁ ପାଇଲ।

।୬।

ଗୋରୁ ଗୋପାଳର ପୂଜା କରୁଅଛ ଭାଇ।

 

ଦୋଳ ଯାତ୍ରା କରିବାକୁ ଆସିଅଛ ଧାଇଂ।

।୭।

ଗୋରୁ ଯେ ଗୋପାଳମାନେ କାହୁଂ ଜାତ ହେଲେ।

 

କୁମ୍ଭ ଯେ ବନ୍ଦାଣ ବିଧି କାହିଂରୁ ପାଇଲେ।

।୮।

 

 

କିଏ ତୁମ୍ଭ ମାତା ପିତା କାହିଂରୁ ଜନମ।

 

କେତେ ଜାତି ଗୋପାଳ ହୋଇଲ ଉତପନ।

।୯।

କାହିଂ ଥିଲ କାହିଂ ପୁଣି କରୁଛ ଗମନ।

 

ତୁମ୍ଭର ଯେ ଶାଖା ଗୋଟି କେଉଂ କୁଞ୍ଜେ ସ୍ଥାନ।

।୧୦।

 

 

ଭେଟାଭେଟି ହେଲା ଭାଇ ପଚାରୁଛୁ ଆମ୍ଭେ।

 

ଯତ୍ନ କରି କହିଦେଲେ ପ୍ରତେ ଯିବୁ ତେବେ।

।୧୧।

ଉତ୍ତାର

ତାହା ଶୁଣି କହୁଛନ୍ତି ସୁବାହୁ ଗୋପାଳ।

 

ଭଲା କଥା ପୁଚ୍ଛ ବାବୁ ସୁଦାମ ଗୋପାଳ।

।୧।

ସାବଧାନେ ହୋଇ ତୁମ୍ଭେ ଭାଇମାନେ ଶୁଣ।

 

ଗୋପାଳଙ୍କ ନୀତି ବିଧି କହିବି ପ୍ରମାଣ।

।୨।

 

 

ପ୍ରଥମରେ ପଚାରିଲ ପୂର୍ଣ୍ଣିମା ବିଧାନ।

 

ପଣ୍ଡୁ ନାମେ ପୂର୍ଣ୍ଣମୀ ଯେ ହୋଇଲା ଯେସନ।

।୩।

ଆଦ୍ୟବାଦ୍ୟ ବୋଲିକରି ପିତା ଅଟେ ତାର।

 

କିଶୋରୀଙ୍କ ପିତା ଗୋଟି ମହାଶୂନ୍ୟ ଘର।

।୪।

 

 

 

 

ନାଦ ବୋଲିକରି ଯେହୁ ଚନ୍ଦ୍ରଘରେ ସେହି।

 

କିଶୋରୀ ଅଙ୍ଗରେ ନାଦ କୃଷ୍ଣ ରୂପ ହୋଇ।

।୫।

ଏ ଦୁଇ ଯୁଗଳ ଅଙ୍ଗ ଏକଇ ମୂରତି।

 

ମଘା ନାମେ ନକ୍ଷତ୍ର ଯେ କୁମ୍ଭ ଘରେ ଥିତି।

।୬।

 

 

ଚାରିଚନ୍ଦ୍ର ବୋଲୁଂ ଯାହା କିଶୋରୀ ଅଙ୍ଗେ ଅଛି।

 

ରାହୁ ରେଖା ତେଜ ପ୍ରାୟ ବିରାଜି ଦିଶୁଛି।

।୭।

ରାଧା କୃଷ୍ଣ ଏକା ଅଙ୍ଗ ନାହିଂ ଭିନ୍ନାଭିନ୍ନ।

 

ପଞ୍ଚୁଶଖା ଜନ୍ମ ଏବେ ଏକ ମନେ ଶୁଣ।

।୮।

 

 

ଆଦ୍ୟ ନାମ ସୁଦାମ ଯେ ବଡ଼ ଶାଖା ସେହି।

 

ଭେଦନ ଯେଉଂ ନାଦ ସେ ସୁବଳ ଅଟଇ।

।୯।

ନାଦ ବୋଲି ଯେଉଂ କଳା ସୁବାହୁ ଜନମ।

 

ଶବଦ କଳାରୁ ଦାମ ଶଖା ଗୋଟି ଜାଣ।

।୧୦।

 

 

ଆମୋଦ ବୋଲିଣ ଯେଉଂ କଳା ଅଛି ଉଇଂ।

 

ଶ୍ରୀବତ୍ସ ବୋଲିଣ ତହୁଂ ଜନମି ଅଛଇ।

।୧୧।

ଏ ରୂପେ ପଞ୍ଚଶାଖା ଆଦ୍ୟରେ ଜନମ।

 

ପଚାରିଲ ଭାଇମାନେ ହେତୁ ଦେଇ ଶୁଣ।

।୧୨।

 

 

 

 

ଏବେ ଯାହା କହୁଅଛି ଶୁଣ ତୁମ୍ଭେ ଭାଇ।

 

ରାଧାକୃଷ୍ଣ ଏକ ଅଂଗ ନିତ୍ୟପୁରେ ହୋଇ।

।୧୩।

ଅଗମ୍ୟ ସାଗର ସେ ଯେ ଗମାଗମ୍ୟ ନାହିଂ।

 

ନୀଳାଧାର ମଣ୍ଡପରେ ବିରାଜନ୍ତି ରହି।

।୧୪।

 

 

ପଞ୍ଚୁଶଖା ଦେଖିକରି ହୋଇଲେ ଆନନ୍ଦ।

 

କିଶୋରୀ ମସ୍ତକେ ବିରାଜଇ ପୂର୍ଣ୍ଣ ଚାନ୍ଦ।

।୧୫।

ପଞ୍ଚୁକଳା ଅଂଗରୁ ଯେ ହେଲେ ପଞ୍ଚୁ ଗାଈ।

 

ସୁଦାମ ଗୋପାଳ ତାଙ୍କୁ ରଖିଛନ୍ତି ତହିଂ।

।୧୬।

 

 

ରାଧା ଅଙ୍ଗ ଚନ୍ଦ୍ର ଋତୁ ଶରଦ ବସନ୍ତ।

 

ତେଣୁକରି କିଶୋର କିଶୋରୀ ଭକତ।

।୧୭।

ପ୍ରେମସିନ୍ଧୁ ଉଛୁଳନ୍ତେ ମନେ ବିଚାରିଲେ।

 

ଆପଣା ଅଂଗରୁ ଗୋପାଳଙ୍କୁ ଜାତ କଲେ।

।୧୮।

 

 

ଆଦ୍ୟରେ ଯେ କୃଷ୍ଣ ଶୀର୍ଷ ସ୍ଥାନୁ ହେଲେ ଜାତ।

 

ଐରା ଗୋପାଳ ଅଙ୍ଗୁ ସେ ହୋଇଣ ସଞ୍ଜିତ।

।୧୯।

ଅତି ରସେ ଘୋଷ ଗୋଟି ହୋଇଲା ଜନମ।

 

ଚୁଡ଼ଙ୍ଗ ଗୋପାଳ ରାଧା କୃଷ୍ଣ ନେତ୍ରକୋଣ।

।୨୦।

 

 

 

 

ପାହୁଡ଼ ବୋଲିଣ ପାଦୁଂ ଜାତ ହୋଇଅଛି।

 

ନବଧା ଗୋପାଳ ନେତ୍ର କୋଣରୁ ଜନ୍ମିଛି।

।୨୧।

ମନୋହର ନିଶ୍ୱାସରୁ ହେଲା ଅବତାର।

 

ହୃଦୟରୁ ମହତି ଯେ ହୋଇଛି ବାହାର।

।୨୨।

 

 

ଯୁଗଳ ଅଙ୍ଗ ଯେ ଜାଣ ନିଯୋଗରୁ ଜନ୍ମ।

 

ଏସନେ ଗୋପାଳ ଜନ୍ମ ମନ ଦେଇ ଶୁଣ।

।୨୩।

ରାଧା କୃଷ୍ଣ ମାତା ପିତା ଜନ୍ମ ନିତ୍ୟପୁର।

 

ମଧ୍ୟ ସ୍ୱର୍ଗେ ଜନ୍ମ ଗୋପ ମଥୁରା ନଗର।

।୨୪।

 

 

ମଥୁରା ମଧୁଭୁବନୁ ଅଇଲୁ ହୋ ଭାଇ।

 

ଚାରିଚନ୍ଦ୍ର ଗୋପାଳ ୟେ ଜନ୍ମ ସିନା ହୋଇ।

।୨୫।

ଅଟକାକୁ ଉତ୍ତାର ଯେ କହିଦେଲୁଂ ଭାଇ।

 

ରତ୍ନମଣି ଓଗାଳ ଅଚ୍ୟୁତ ଦେଲେ କହି।

।୨୬।

 

ଓଗାଳ – ୨

ସୁବାହୁ ଗୋପାଳ ଶୁଣି ପଚାରିଲେ ତହିଂ।

 

କଥାୟେକ ପଚାରିବୁ ଫେଡ଼ି କହ ଭାଇ।

।୧।

ବେଶ କାନ୍ଥେ ସୁବାସିତ ହୋଇଅଛ ତୁମ୍ଭେ ।

 

ତହିଂର ଯେ ବିଧିମତ ପଚାରୁଛୁ ଆମ୍ଭେ।

।୨।

 

 

ରଙ୍ଗ ଚଉତନା ଟୋପି ରୁଞ୍ଜ ଗୁଞ୍ଜ ମାଳି।

 

କର୍ଣ୍ଣରେ କୁଣ୍ଡଳ ତଥି ଉପରେ ଝାଲେରି।

।୩।

ଘଣ୍ଟି ଯେ ଘାଗୁଡ଼ି ଚଉତନା ଶିଂଘା ନାଦ।

 

ଆଗ ଲାଞ୍ଜ ପଛ ଲାଞ୍ଜ ଧାଉଡ଼ି ଶବଦ।

।୪।

 

 

ଖିଲାରି ଦୁଲାରି କେନ୍ଦୁ ବାଡ଼ି ଯେ ନଉଡ଼ି।

 

ଦୁଧ ଯେ ବନ୍ଦାଣ ଧାପ ଧୂଆଂ ଯେ ଧାଉଡ଼ି।

।୫।

ଏହା ତୁମ୍ଭେ କାହିଂରୁ ପାଇଲ ଫେଡ଼ି କହ।

 

ତେବେ ସିନା ତୁମ୍ଭ ଆମ୍ଭ ଫିଟିବ ସନ୍ଦେହ।

।୬।

ଉତ୍ତାର

ଏହା ଶୁଣି କହୁଛନ୍ତି ସୁଦାମ ଗୋପାଳ।

 

ଭଲା ତୁମ୍ଭେ ଭାଇମାନେ ପୁଚ୍ଛିଲ ଓଗାଳ।

।୧।

ଯାହା ପଚାରିଲ ତୁମ୍ଭେ ସାବଧାନେ ଶୁଣ।

 

ପ୍ରତି ପ୍ରତି କରି ସବୁ କହିଦେବା ପୁଣ।

।୨।

ସିଷୁବେଦ ଘରୁ ସବୁ ଜନମ ହୋଇଛି।

 

ଏଣୁ ନିତ୍ୟ ମଣ୍ଡଳକୁ ଗୋପାଳେ ବିହିଛି।

।୩।

ରାଧାକୃଷ୍ଣ ଶ୍ରୀଅଙ୍ଗରୁ ସିଷୁ ବେଦ ପୁର।

 

ନିତ୍ୟ ମଣ୍ଡଳରେ ସିନା ଗୋପାଳ ମନ୍ଦିର।

।୪।

ଯେତେବେଳେ ଗୋପାଳଙ୍କୁ କଲେକ ଜନମ।

 

ଗୋଲୋକ ମଣ୍ଡଳୁଂ ସେହୁ ହେଲେ ଉତପନ୍ନ।

।୫।

ବେଶ କାନ୍ଥ ସୁବାସିତ ଆନନ୍ଦେ ଭିଆଇ।

 

ଗୋପାଳଙ୍କୁ ସୁବସନ କରୁଛନ୍ତି ତହିଂ।

।୬।

ରାଧାକୃଷ୍ଣ ଅଧର ଯେ ସିଷୁବେଦ ଭଣି।

 

ଗୋପାଳ ବେଶ ତହୁଂ ବହିଲେକ ପୁଣି।

।୭।

ସିଷୁବେଦ ଭଣି ଦିବ୍ୟ ନୟନ ପିତୁଳୀ।

 

ପିଛଡ଼ାରୁଂ ଜନମ ହୋଇଛି ପଞ୍ଚୁ ମାଳି।

।୮।

ପୁଲାଙ୍ଗ ମାଳରେ ଗୋରୁ ହୋଇଲେ ବନ୍ଦାଣ।

 

କନିୟର ମାଳ ଗୋଟି କୁମ୍ଭର ବନ୍ଦାଣ।

।୯।

ସୁବାସିତ ବୋଲିକରି ଅଟେ ଏକ ମାଳ।

 

ଗୋଗୋଷ୍ଠରେ ବନ୍ଦାଣ ଅଟଇ ସେହୁ ଫୁଲ।

।୧୦।

 

 

ରଙ୍ଗ ଜଡ଼ା ବୋଲିକରି ଅଛି ଯେଉଂ ମାଳି।

 

ସେ ଯହିଂରେ ଆଭରଣ କହିବା ବିସ୍ତାରି।

।୧୧।

ଦଧି ଭାଣ୍ଡ ଘୃତ ଭାଣ୍ଡ ଶିକା ଯେ ବାହୁଙ୍ଗି।

 

ଖୁଆ କରମଙ୍ଗା ବେଣ୍ଟ ଅମୃତର ଅଙ୍ଗି।

।୧୨।

 

 

ୟେଥିରେ ସେ ମାଳ ଗୋଟି ହୋଇଛି ମଣ୍ଡନ।

 

ଆର ମାଳ କଥା ଗୋଟି କହିଦେବା ଶୁଣ।

।୧୩।

କରଡ଼ା ବୋଲିକରି ଯେଉଂ ମାଳ ଅଛି।

 

ନବ ଗୋପାଳଙ୍କ ବେଶ ସେ ପୁଣ ହୋଇଛି।

।୧୪।

 

 

ବେଦ ଭଣେ ପଙ୍କଜରୁ ମୋଡ଼ିଆ ଜନମ।

 

ବେଦର ମସ୍ତକୁଂ ଟୋପି ଜନ୍ମିଅଛି ପୁଣ।

।୧୫।

ବେଦ ବାମ କନ୍ଧରୁ ଯେ ଚଉତନା ଯୋଡ଼ି।

 

ଡ଼ାହାଣ କନ୍ଧରୁ ଜନ୍ମିଅଛି କେନ୍ଦୁ ବାଡି।

।୧୬।

 

 

ବେଦ ଭ୍ରୁଲତାରୁ ଜନ୍ମଅଛି ରୁଞ୍ଜ ମାଳି।

 

ବେଦଡ଼ା ବନ୍ଧରୁ ଜାତ ପତର କାହାଳୀ।

।୧୭।

ବେଦ ବାସନାରେ ସିନା ଅଛି ଚଉତନା।

 

ବେଲ ବୃକ୍ଷରୁ ଯେ ଜାତ ଝାଲ ହେଲା ସିନା।

।୧୮।

 

 

 

 

ସିଷୁବେଦୁଂ ଜାତ ସିନା ଘଣ୍ଟି ଯେ ଘାଗୁଡ଼ି।

 

ତହୁଂ ଜାତ ହେଲା ଜାଣ ତଲାରି ଖୁଲାରି।

।୧୯।

ଯାହା ପଚାରିଲ ଭାଇ ସାବଧାନେ ଶୁଣ।

 

ଗୋପାଳଙ୍କ ଭେଦ ଏ ତ ଆଦ୍ୟରେ ଜନମ।

।୨୦।

 

 

ସୁବଳ ଗୋପାଳ ଶୁଣି ହୋଇଲେ ଆନନ୍ଦ।

 

ମୂଢ ଦୀନ ଅଚ୍ୟୁତି ଯେ କହିଗଲା ଭେଦ।

।୨୧।

 

ଓଗାଳ – ୩

ଦାମ ଗୋପାଳକୁ ଦେଖି ସୁଦାମ ଗୋପାଳ।

 

ହସାହସି ହୋଇଣ ଯେ ପୁଛନ୍ତି ଓଗାଳ।

।୧।

ସାବଧାନ ହୋଇ ତୁମ୍ଭେ ଭାଇମାନେ ଶୁଣ।

 

ଓଗାଳ ପୁଛିବୁ ଭାଇ ନ ଧରିବ ମନ।

।୨।

ଯେତେବେଳେ ଘରୁ ତୁମ୍ଭେ ହୋଇଲ ବାହାର।

 

ପାଗ ଗୋଟି କାହୁଂ ଆଣି ବାନ୍ଧିଲ ଶିରର।

।୩।

ଚୁଆ ଚନ୍ଦନକୁ କାହୁଂ ଆଣିଲ ହୋ ଭାଇ।

 

ନୟନେ କଜ୍ଜଳ ଯେ ସିନ୍ଦୁର ଚିତା ବହି।

।୪।

ଡ଼ାହାଣ କନ୍ଧରେ କାହୁଂ ବହିଲ ଉତୁରୀ।

 

କିସ ଜପି ବାଡ଼ିକି ହସ୍ତରେ ଅଛ ଧରି।

।୫।

ଡ଼ାହାଣ ବର୍ତ୍ତକ କରି କୁମ୍ଭ ଅଛ ଛୁଇଁ।

 

ଧରଣୀ କି କିସ ବନ୍ଦି ଅଇଲ ହୋ ଭାଇ।

।୬।

ଗୋପାଳ ପୁଅଙ୍କୁ ଦେଖି କିସ ଜପ କଲ।

 

ସମ୍ଭାଳି ସଭାରେ କିସ କହିଣ ବସିଲ।।

।୭।

ଗାଈକି ବନ୍ଦାଣ କଲ କିସ ବାଞ୍ଛା କରି।

 

ବୃଷଭକୁ ନେଉଟି ଫେରାଅ କି ବିଚାରି।

।୮।

ବଛା ଗୋଷ୍ଠ ଖୁଣ୍ଟ ଧୂଆଁ କି ବୋଲି ବନ୍ଦାଇ।

 

ନବତନ ବସ୍ତ୍ର ଖଣ୍ଡି କାହିଂରୁ ଯେ ପାଇ।

।୯।

ଏଥିରୁ ସନ୍ଦେହ ଜାତ କହ କିସ ଭାଇ।

 

ତୁମ୍ଭ ଆମ୍ଭ ଏକ ସଙ୍ଗ ଅଚ୍ୟୁତ କହଇ।

।୧୦।

ଉତ୍ତାର

ତାହା ଶୁଣି କହିଲେ ଯେ ଦାମ ସଖାମାନେ।

 

ଉତ୍ତର କହିବା ଭାଇ ଦୋଳ ଯାତ୍ରା ଦିନେ।

।୧।

ଏକ ଦିନେ ଆଦିନାରୀ ନିତ୍ୟପୁର ଗଲେ।

 

ସାବିତ୍ରୀ ନାରୀଙ୍କି ଦେଖି ଆନନ୍ଦ ହୋଇଲେ।

।୨।

ଆଦିନାରୀ ସାବିତ୍ରୀ ଯେ ହୋଇଲେକ ମେଳ।

 

ତାଙ୍କ ଭାବୁଂ ବୃକ୍ଷ ହେଲା କନେକ ବକୁଳ।

।୩।

ଆରକ୍ତ ବର୍ଣ୍ଣର ବୃକ୍ଷ ପତ୍ର ତିନି ହାଥ।

 

ଶ୍ୱେତ ଚମ୍ପା ପ୍ରାୟେ ଫୁଲ ଫଳ ପାଞ୍ଚ ହାତ।

।୪।

ତିନି ପକ୍ଷେ ସେ ଫୁଲ ଫୁଟଇ ବେଳ ଜାଣି।

 

ଅଲେଖ ପାଟଳି ବର୍ଣ୍ଣ ହେଲା କେବା ପୁଣି।

।୫।

ନାନା ବର୍ଣ୍ଣେ ରୂପ ହେଲା ଗୋଚର ନୋହିଲା।

 

ଷୋଳ ପୁର ମଣ୍ଡଳରେ ନିତ୍ୟ ପ୍ରକାଶିଲା।

।୬।

ପୁରନ୍ଦର ରତ୍ନମଣି ସୁଦାମକୁ ଘେନି।

 

ଆଦିନାରୀ ସନ୍ତୋଷେ ମଣ୍ଡଣି କଲେ ପୁଣି।

।୭।

ଫଳ ମଧ୍ୟେ ଗୁଆ ଥିଲା ଅଗରୁ ଚନ୍ଦନ।

 

ରକ୍ତ ବର୍ଣ୍ଣ ବୃକ୍ଷରୁ ସିନ୍ଦୁର ହେଲା ପୁଣ।

।୮।

 

 

ଫଳର ସନ୍ଧିରେ ଯେଣୁ ଥିଲାକ ସିଦ୍ଧାନ୍ତ।

 

ସାବିତ୍ରୀ ଶୂନ୍ୟରେ ଦେଲେ ଗଣ୍ଠି ଯେ ତୁରିତ।

।୯।

ସୁଦାମଙ୍କୁ ମଣ୍ଡଣ କଲେ ସେ ଯତ୍ନ କରି।

 

ନବ ଗୋପାଳଙ୍କୁ ସବୁ ଦେଲେକ ବିଚାରି।

।୧୦।

 

 

ନାନା ବେଶ ତାହାଙ୍କୁ ଯେ କରାଇଲେ ପୁଣ।

 

କପୋଳେ ସିନ୍ଦୂର ଚିତା ମସ୍ତକେ ଚନ୍ଦନ।୧

।୧୧।

ସାବିତ୍ରୀ ଯେ ସୁତ୍ର ଗଣ୍ଠି ଦେଲେକ ଉତୁରୀ।

 

ପାଗ ଚଉତନା ବେଶ ବସ୍ତ୍ର ଆଦି ଧରି।

।୧୨।

 

 

ସାବିତ୍ରୀଙ୍କୁ ଶୁଦ୍ଧ କୁମ୍ଭ ଫଳ ଫୁଲ କରି।

 

ଦେଇକରି ଅଇଲୁ ହୋ ମହାବ୍ରତ ଧରି।

।୧୩।

ସାବିତ୍ରୀ ମନ୍ତ୍ରରେ ତାଙ୍କୁ କଲୁ ନମସ୍କାର।

 

ସ୍ୱାହା ସିଦ୍ଧା ବୋଲି ବାଡ଼ି ଧଇଲୁ ହସ୍ତର।

।୧୪।

 

 

ବତ୍ସ ମନ୍ତ୍ରେ ଧରଣୀକି ନମସ୍କାର କରି।

 

ଗୋମାତା କପିଳା ବୋଲି ମନରେ ସୁମରି।

।୧୫।

ସିଷୁ ମନ୍ତ୍ରେ ମୂଳ ମନ୍ତ୍ରି ବୃଷଭ ବନ୍ଦାଣ।

 

ଶକ୍ତି ସିଦ୍ଧ ବୋଲି ଧୂଆଁ ବନ୍ଦାଇଲୁ ପୁଣ।

।୧୬।

 

 

ହଂକାର ବୋଲି ପାହୁଡ଼ ଗୋଷ୍ଠରେ ରଖାଇ।

 

ଦୋଳ ଯାତ୍ରା କରିବାକୁ ଅଇଲୁ ହୋ ଭାଇ।

।୧୭।

ଗାଈଙ୍କ ବନ୍ଦାଣ ମନ୍ତ୍ର ଆଦିଋଷି ସ୍ୱାହା।

 

ଗୋପାଳ ସଭାର ମନ୍ତ୍ର ନମୋ ବଲ୍ଲଭାୟା ।

।୧୮।

 

 

ତୁମ୍ଭ ଆମ୍ଭ ଏକା ସଙ୍ଗ କହିବୁ ବା କିସ।

 

ଗୋପାଳଙ୍କ କଥା ୟେ ତ ସୁରସ ବିଶେଷ।

।୧୯।

ବୁଝାଇ କରିଣ ଏହା କହିଲୁଂ ପଦ ଚାରି।

 

ବିରୋଧ ନକର ଭାଇ ଚାଲଯିବା ଫେରି।

।୨୦।

 

 

ବେଦରୁ ବାହାର ଏ ଯେ ସିଷୁବେଦୁଂ ଜାତ।

 

ଗୋପାଳଙ୍କ ହିତେ ଏହା କହିଲେ ଅଚ୍ୟୁତ।

।୨୧।

 

ଓଗାଳ –୪

ସୁବଳ ଗୋପାଳ ଭାଇ କେନ୍ଦୁ ବନେ ଥିଲେ।

 

ସୁଦାମ ଗୋପାଳେ ଦେଖି ଓଗାଳ ପୁଛିଲେ।

।୧।

କେଉଂ ଦିଗେ ଗୋପାଳ ହୋ କେଉଂ ବନେ ଥିଲ।

 

ଏକମନ ହୋଇଂ ଦୋଳ ମଣ୍ଡପେ ଚଳିଲ।

।୨।

ଦୋଳଯାତ୍ରା ପର୍ବ ଗୋଟି କେମନ୍ତେ ଭିଆଣ।

 

ରାଧାକୃଷ୍ଣ ମୂରତି ହୋ ଗୋପାଳ ବରଣ।

।୩।

କାହ୍ନୁଂ ଜନମିଲେ ସେ ଯେ କାହିଂ ଥାନ୍ତି ରହି।

 

ଗୋପ ଗୋପାଙ୍ଗନା ମଣ୍ଡଳ ଯେ ଜାତ କାହିଂ।

।୪।

ରାଧାକୃଷ୍ଣ ସିଂହାସନ କାହ୍ନୁଂ ହେଲା ଜାତ।

 

ଯୁଗଳ କିମ୍ପାଇ ଏକ ଅଙ୍ଗରେ ଭୂଷିତ।

।୫।

ମୟୁର ଚନ୍ଦ୍ରିକା ପ୍ରଭୁ କାହିଂରୁ ପାଇଲେ।

 

ମୋହନ ମୁରଲୀ ବଂଶୀ କି ରୂପେ ବହିଲେ।

।୬।

ନଟବର ବେଶ କାହ୍ନୁଂ ପାଇଲେ କହ୍ନାଇ।

 

ତ୍ରିଭଙ୍ଗୀ ଭଙ୍ଗିମା ରୂପ ସେହି ତାକୁ ବହି।

।୭।

କମଳ କେଶରୀ ଯେ ଝାଲରି ଚୂଳ ପର।

 

ଚାରି ପନ୍ତି ବିରାଜନ୍ତି ତଥିର ମଧ୍ୟର।

।୮।

 

 

ଝାଲରି କତିରେ କିମ୍ପା ଇନ୍ଦ୍ରମଣି ଧାର।

 

ବେନି କର୍ଣ୍ଣେ ଭରେ ଥୋପା କାହିଂରୁ ବାହାର।

।୯।

ଚାରି ଭୁଜେ ଚାରି ବଂଶୀ ଧରି କମ୍ଭୁପାଣି।

 

ମେଘ ଝାଲି ଉପରେ ବିରାଜେ ରତ୍ନମଣି।

।୧୦।

 

 

ନାଗବନ୍ଧ ଛନ୍ଦଣି ଯେ ଓଲଟ କମଳ।

 

କାହ୍ନୁଂ ଜନମିଲା କହ ସୁଦାମ ଗୋପାଳ।

।୧୧।

ଉତୁରୀ ଭୁଷଣ ଗଳେ ଶୋହେ ବନମାଳୀ।

 

ତିନି ବାଙ୍କ ଉପରେ ଯେ ମୟୂରର ଚୂଳି।

।୧୨।

 

 

କନକ ଆସନ କିମ୍ପା କରିଛନ୍ତି ସେହି।

 

ଦୋଳ ମଣ୍ଡପରେ ବିଜେ କରି ଯଦୁସାଇଂ।

।୧୩।

କର୍ଣ୍ଣରେ କୁଣ୍ଡଳ କାହୁଂ ନାଇଛନ୍ତି ସେହି।

 

କାହା ନୟନରେ ରଙ୍ଗ ଫୁଟି ବିରାଜଇ।

।୧୪।

 

 

ବଜ୍ର ମେଖଳିକି କାହୁଂ ପାଇଲେ ଶ୍ରୀହରି।

 

ଏହୁ ତ୍ରକୁଣ୍ଡଳ ପରେ ଅଛି ବେଦ ଚାରି।

।୧୫।

କେଉଂ ଅକ୍ଷରରେ ରୂପ ପ୍ରକାଶିଛି ସେହି।

 

ଅରୂପାନନ୍ଦ ଯେ କେଉଂ ଅକ୍ଷର ବୋଲାଇ।

।୧୬।

 

 

ଅନନ୍ତ ମହିମା କିମ୍ପା ବହିଛି କହ୍ନାଇ।

 

ନିଜ ନାମଗୋଟି କେଉଂ ଅକ୍ଷରେ ବୋଲାଇ।

।୧୭।

ଅଶେଷ ମହିମା କିମ୍ପା ଶେଷ ନାହିଂ ତାର।

 

କୋଟି ପ୍ରଳୟରେ ରୂପ ଏକଇ ପ୍ରକାର।

।୧୮।

 

 

କି ରୂପେ ଭିଆଣ କରି ବିରାଜନ୍ତି ତହିଂ।

 

କହିଦେଲେ ପଥ ଛାଡ଼ିଦେବି ଯଦୁଭାଇ।

।୧୯।

ଉତ୍ତାର

ତାହା ଶୁଣି କହୁଛନ୍ତି ସୁଦାମ ଗୋପାଳ।

 

ଭଲା କଥା ଭାଇମାନେ ପୁଛିଲ ଓଗାଳ।

।୧।

ଯାହା ପଚାରିଲ ଭାଇ ସାବଧାନେ ଶୁଣ।

 

ତୁମ୍ଭ ଆମ୍ଭ ଏକ ସିନା ଭିନ୍ନ ନାହିଂ ପୁଣ।

।୨।

 

 

ଅଗମ୍ୟ ସାଗର ରାଧାକୃଷ୍ଣ ରସ ଭେଦ।

 

ସକ୍ୟ ରଖି ପଦ ଚାରି କହିବୁଂ ବିଶଦ।

।୩।

ରାଧାକୃଷ୍ଣ ଜନ୍ମ ତୁମ୍ଭେ ଶୁଣ ଭାଇମାନେ।

 

ନିତ୍ୟର ଉପରେ ଅଛି ଲକ୍ଷେକ ଯୋଜନେ।

।୪।

 

 

 

 

କର୍ଣ୍ଣ ଶିର ପୁଷ୍ୟ ବର୍ଣ୍ଣ ଅଟଇ ତାହାର।

 

ଅଲେଖ ଅରୂପ ବ୍ରହ୍ମ ମହା ଅନ୍ଧକାର।

।୫।

ନୁହଇ ସେ ଶୂନ୍ୟ ଜଳ ଆକାଶ ପବନ।

 

ପ୍ରଫୁଲ୍ଲ ଯାମିନୀ ରୂପ ଧୂଆଂ ସେହୁ ବର୍ଣ୍ଣ।

।୬।

 

 

ଜଳଠାରୁ ପାତାଳ ଯେ ଦାବାନଳ ନୋହେ।

 

ସୂକ୍ଷ୍ମ ରେଣୁ ଉପରେ ସେ ପୂରିଣ ଉଦୟେ।

।୭।

ଆଦ୍ୟନାଦ ଶବଦେ ଯେ ଧୁନି ତିନି ହେଲା।

 

ତ୍ରିଶାଖା ହୋଇଣ ନିତ୍ୟପୁରେ ବିରାଜିଲା।

।୮।

 

 

ପ୍ରଥମ ଯେ ଶାଖା ଗୋଟି ରାଧା ଅଙ୍ଗ ସେହି।

 

ସେହି ନାଦ କର୍ଣ୍ଣରେ କୁଣ୍ଡଳ ଅଛି ହୋଇ।

।୯।

ଶବଦ ଯେ ନାଗବନ୍ଧ ହୋଇଛି ଉତୁରୀ।

 

ଗୋପୀ ପ୍ରେମସିନ୍ଧୁ ବନମାଳା ଗଳେ ଭରି।

।୧୦।

 

 

ରାଧାଙ୍କର ପୂର ଖଣ୍ଡ ମର୍କତର ବର୍ଣ୍ଣ।

 

ଶ୍ରୀ କୃଷ୍ଣ କର୍ଣ୍ଣରେ ସେ କୁଣ୍ଡଳ ଶୋଭାବନ।୧

।୧୧।

ନବୀନ ସ୍ୱରୂପ ଶୋଭା ଦିବ୍ୟ ଚାରିଭୁଜ

 

ଆମୋଦ ଦେଲା ଯେ ଚାରୁ ବଂଶୀର ନିନାଦ।

।୧୨।

 

 

 

 

ସ୍ତମ୍ଭନ ମୋହନ ବଂଶୀ ଉଚ୍ଚାଟର ନାମ।

 

ବିଭୋଳ ଚିତ୍ତ ମାନସ ସେହୁ ସସ୍ର କାମ।

।୧୩।

ତେଣୁ କରି ଅରୁଣ ସେ ଋତୁଗଣ ହେଲା।

 

ଉଲଟ କମଳ ସସ୍ର ତଳେ ବିରାଜିଲା।

।୧୪।

ତେଣୁକରି ମହାନାଦ ଶୂନ୍ୟେ ବିକାଶିଲା।

 

ଚନ୍ଦ୍ର ଯେ ମେଖଳି ପ୍ରଭୁ ସସ୍ର ଭଙ୍ଗ ହେଲା।

।୧୫।

ଅକାର ଅକ୍ଷରୁଂ ରୂପ ହୋଇଛି ତାହାର।

 

ଅରୂପ ବର୍ଣ୍ଣ ତାହାର ଦିଶେ ଅନ୍ଧକାର।

।୧୬।

ଏଣୁ କରି ଅଶେଷ ମହିମା ଶେଷ ନାହିଂ।

 

ଅଗମ୍ୟ ସ୍ଥାନରେ ସିନା ବିଶ୍ରାମ ଇଚ୍ଛଇ।

।୧୭।

ଓଂ ବୋଲି ବୀଜ ନାମ ଅଟଇ ତାହାର।

 

ତେଣୁକରି ସେ ଅଶେଷ ବ୍ରହ୍ମାଣ୍ଡ ଠାକରୁ।

।୧୮।

ପଚାରିଲ ଭାଇମାନେ ଅଗମ୍ୟ ବିଚାର।

 

ଫିଟାଇ କହିଲୁଂ କିଛି ହେତୁ ମନେ ଧର।

।୧୯।

ସୁବଳ ଗୋପାଳ ଶୁଣି ଆନନ୍ଦ ହୋଇଲେ।

 

ମେଳହୋଇ ଦୋଳ ମଣ୍ଡପକୁ ଚଳିଗଲେ।

।୨୦।

ଗୋପାଳ ଓଗାଳ ଏହୁ ରତ୍ନମଣି ବୀଜ।

 

ଅଚ୍ୟୁତ କହିଲା ଗୋପାଳଙ୍କୁ ବେଗେ ହେଜ।

।୨୧।

 

ଓଗାଳ – ୫

ଏଥୁ ଅନନ୍ତରେ ଶୁଣ ତୁମ୍ଭେ ଭାଇମାନେ।

 

ସୁଦାମ ଗୋପାଳମାନେ ଥିଲେ କୁଂଜ ବନେ।

।୧।

ଶ୍ରୀବତ୍ସ ଗୋପାଳ ଭାଇ ମିଳିଲେ ସେଠାରେ।

 

ସୁଦାମ ଗୋପାଳ ତାଙ୍କୁ ଓଗାଳ ପୁଛିଲେ।

।୨।

କେଉଂ ଦେଶୁଂ ଅଇଲ ହୋ କୁଞ୍ଜବନେ ଥିଲ।

 

ନିଯୋଗ ପଦାର୍ଥମାନ କାହିଂରୁ ପାଇଲ।

।୩।

କାହିଂ ପାଇଂ ନେଉଛ ହୋ ନାମ ତୁମ୍ଭ କିସ।

 

କି ରୂପେ ସେ ଛଡ଼ ରସ କରିଛ ପ୍ରକାଶ।

।୪।

ମନୋହର ବୋଲିକରି କେମନ୍ତେ ବିହିଲ।

 

ଖଣ୍ଡ ଶାକର ଯେ ତୁମ୍ଭେ କାହୁଂ ଜାତ କଲ।

।୫।

ଅଧାମ ବୋଲିଣ ତୁମ୍ଭେ କହୁଅଛ ଭାଇ।

 

ଖୁଆ ଯେ ଦଉଡ଼ି ଯାହା କାହିଂରୁ ଆଣଇ।

।୬।

ବେଲର ଲଉଡ଼ି ତୁମ୍ଭେ କାହୁଂ ଜାତ କଲ।

 

ଅମୃତ ଗୋଟିକା କାହୁଂ ପ୍ରକାଶ ହୋ କଲ।

।୭।

ଗୋରଚନା ଦୁଗ୍ଧ ହୋ କାହୁଂ ହେଲା ଜାତ।

 

ଖଣ୍ଡ ଯେ ଶାକର କଲ ଦୁଗ୍ଧ ଯେ ନବାତ।

।୮।

ଅଧାମ ବୋଲିଣ କିସ କାହୁଂ ଜନମିଛି।

 

ଖଆପିଣ୍ଡି କାହିଂରୁ ହୋ ପ୍ରକାଶ ହୋଇଛି।

।୯।

ଏହା ବିଚାରିଣ ତୁମ୍ଭେ କହିଦେବ ଭାଇ।

 

ଗୋପାଳ କୂଳର ସାର ବୀଜ କଥା ଏହି।

।୧୦।

ଉତ୍ତାର

ତାହା ଶୁଣି କହୁଛନ୍ତି ଶ୍ରୀବତ୍ସ ଗୋପାଳ।

 

ଭଲା ତୁମ୍ଭେ ଭାଇମାନେ ପୁଛିଲ ଓଗାଳ।

।୧।

ଯାହା ପଚାରିଲ ତୁମ୍ଭେ ସାବଧାନେ ଶୁଣ।

 

ଅଗମ୍ୟ ସାଗର କଥା ପଚାରିଲ ପୁଣ ।

।୨।

ଷଡ଼ରସ ମନୋହର ପଚାରିଲ ଭାଇ।

 

ସେ କଥା ତୁମ୍ଭର ଆଗେ ଫେଡ଼ି ଦେବା କହି।

।୩।

ଆଦ୍ୟରୁ କପିଳା ଆସି ମଞ୍ଚରେ ଜନ୍ମିଲା।

 

ସପ୍ତଦ୍ବୀପା ପୃଥିବୀ ତିନି କଳ କଲା।

।୪।

କାମଧେନୁ ବୋଇଲା ଧରଣୀ ରୂପ ବହି।

 

ଗିରି ଗୋବର୍ଦ୍ଧନ ଯାଇ ଲୁଚିଣ ବସଇ।

।୫।

ମଞ୍ଚର ଉଚ୍ଛନ୍ନ ଜାଣି ଦେବତା କମ୍ପିଲେ।

 

ମନୁ ରାଜା ଆଗେ ଯାଇ ସମସ୍ତ କହିଲେ।

।୬।

 

 

ମନୁ କୋପକରି ମନ୍ତ୍ରି ବଳ ଶର ସିଦ୍ଧି।

 

କାମଧେନୁ କପିଳାକୁ ଆଣିଲାକ ବାନ୍ଧି।

।୭।

କପିଳା ବୋଇଲା ରାଜା ନକର ତୁ ରୋଷ।

 

ନାନା ବର୍ଣ୍ଣେ ଅମୃତ ମୁଂ କରିବି ପ୍ରକାଶ।

।୮।

 

 

ସମୋଦ୍ର ପ୍ରାୟେକ ତହୁଂ ଉଛୁଳିଲା କ୍ଷୀର।

 

ପ୍ରଥମେ ସୂର୍ଯ୍ୟଙ୍କ ତେଜେ ହେଲା ମନୋହର।

।୯।

ଦ୍ୱିତୀୟ ପ୍ରହରେ ପୁଣି ଉପୁଜିଲା ଖଣ୍ଡ।

 

ଛଡ଼ ପରକାରେ ସେହୁ ଲାଗିଲା ପ୍ରଚଣ୍ଡ।

।୧୦।

 

 

ପ୍ରହରକ ବେଳକୁ ହୋଇଲା ଶାକର।

 

ଦେଢ ପ୍ରହରକୁ ସେ ବୋଲାଇଲା କ୍ଷୀର।

।୧୧।

ସାତ ଘଡ଼ି ବେଳକୁ ସେ ବୋଲାଇଲା ଘୃତ।

 

ଅଢାଇ ପ୍ରହରକୁ ସେ ପାଲିଟିଲା ମୂର୍ତ୍ତ।

।୧୨।

 

 

ତିନି ପ୍ରହରକୁ ତହୁଂ ଉପୁଜିଲା ସର।

 

ଚଉଦ ଘଡ଼ିକୁ ହେଲା ଲବଣୀ ଆକାର।

।୧୩।

ପ୍ରଥମ ପ୍ରହର ରାତ୍ରେ ହୋଇଲା ଅଧାମ।

 

ରାତ୍ର ଦୁଇ ଘଡ଼ିରେ ସେ ଦଧି ଭାଣ୍ଡ ଜାଣ।

।୧୪।

 

 

 

 

ରାତ୍ର ପ୍ରହରକୁ ହେଲା ଦୋରସା ଆମ୍ବିଳ।

 

ପଞ୍ଚୁ ରସ ଏ କଥା ଯେ ଏମନ୍ତ ପ୍ରକାର।

।୧୫।

ଦ୍ୱିତୀୟ ପ୍ରହରେ ସେ ଯେ ହୋଇଲାକ ଦହି।

 

ଦୁଇ ପ୍ରହରକୁ ଘୋଳ ଆକାର ହୋଅଇ।

।୧୬।

 

 

ତିନି ପ୍ରହରକୁ ସେ ଯେ ଛଇଳ ମୂରତି।

 

ରାତ୍ର ଅବସାନେ ହେଲା ଦୁଗଧ ଭାଣ୍ଡ ଗୋଟି।

।୧୭।

ଏକାକ୍ଷରୁଂ ଷୋଳବର୍ଣ୍ଣ ହୋଇଲାକ ଜାତ।

 

ଖାଲି ଦୁଧ ଭାଣ୍ଡେ ଥିଲେ ଖଣ୍ଡ ଯେ ଉଦିତ।

।୧୮।

 

 

ଉତ୍ତର ପଶ୍ଚିମ ଦୁଇ ଯାଉଂଳି ଫେରଇ।

 

କାନନ ବନରେ ଗୃହ ବାସ କରିଥାଇ।

।୧୯।

ତେଣୁକରି କୁଞ୍ଜବନେ ଆସିଅଛୁ ଭାଇ।

 

ଉତ୍ତାର କହିଲୁଂ ଦୋଷ ନ ଧରିବ କେହି।

।୨୦।

 

 

ତୁମ୍ଭ ଆମ୍ଭ ଏକ ସିନା ନ ଧରିବ ଚିତ୍ତ

 

ଗୋପାଳଙ୍କ ହିତେ ଏହା କହିଲେ ଅଚ୍ୟୁତ।

।୨୧।

 

ଓଗାଳ – ୬

ଶୁଣ ଆହେ ଗୋପାଳ କୁଳର ଚୁଡ଼ାମଣି।

 

କଥାୟେକ ପଚାରିବୁ ଆଗ୍ୟାଂ କର ଶୁଣି।

।୧।

ଦୋଳ ଯାତ୍ରା କରୁଅଛ ଭାଇମାନେ ତୁମ୍ଭେ।

 

କି ରୂପେ ସେ ପୂଜା ବିଧି ବିଚାରିଲ ଏବେ।

।୨।

ନବତନ କୁମ୍ଭ ଗୋଟି କାହିଂରୁ ପାଇଲ।

 

କି ରୂପେ ବନ୍ଦାଣ କରି ଜଳ ପୂରୋଇଲ।

।୩।

କି ରୂପେ ତାହାକୁ ନେଇ କଲକ ସ୍ଥାପନ।

 

ଚୁତ ଡ଼ାଳ ପୁଷ୍ୟ ଦେଲ କେବଣ ମନ୍ତ୍ରେଣ।

।୪।

ଦୁଧ ବନ୍ଦାଇଲ ଭାଇ କିସ ଜପ କରି।

 

କେଉଂ ମନ୍ତ୍ରେ ଶିକା ଯେ ବାଉଙ୍ଗୀ ଅଛ ଧରି।

।୫।

ଗାଈ କି ଦୋହାନ କର କେଉଂ ମନ୍ତ୍ର ଜପି।

 

ଗୁହାଳରୁ ବଛା ଆଣ କି ଅବା କଳପି।

।୬।

ଗୋକ୍ଷୀର ଆଉଟି ଭାଇ କିସ ମନ୍ତ୍ର କହ।

 

ଗୋରୁଙ୍କୁ ଗୋଗୋଷ୍ଠ ରଖି କିସ କହୁଥାଅ।

।୭।

ଧୂଆଂ ଦେଲାବେଳେ ଭାଇ କାହାକୁ ସୁମର।

 

ଦଧି ମନ୍ଥନ ବେଳକୁ କିସ ଜପ କର।

।୮।

ଲବଣୀକି କାଢ଼ି ଭାଇ କିସ ବା ସୁମର।

 

କେଉଂ ମନ୍ତ୍ର ପଢିଣ ପସରା ଶୁଦ୍ଧ କର।

।୯।

ଏ କଥା ବିଚାରି ଭାଇମାନେ ଆଜ୍ଞା କର।

 

ତୁମ୍ଭେ ଆମ୍ଭ ଏକ ଅଙ୍ଗ ନକର ଅନ୍ତର।

।୧୦।

ଉତ୍ତାର

ଏହା ଶୁଣି କହୁଛନ୍ତି ସୁଦାମ ଗୋପାଳ।

 

ଭଲା ତୁମ୍ଭେ ଭାଇମାନେ ପୁଛିଲ ଓଗାଳ।

।୧।

ସାବିତ୍ରି ନିଜ ତନୁରୁ ପୁତ୍ରେକ ଜନମ।

 

ପୁତ୍ର ଲୋଭେ କାଳମୁଖୀ ଚକ୍ର ଦେଲେ ଦାନ।

।୨।

ଦେବନାଶନର ମୂଳେ ପଡ଼ିଥିଲା ସେହି।

 

ପୁତ୍ର ଭାବେ ଗଣପତି ଆଣିଲେକ ଯାଇ।

।୩।

ସକଳ କଥା ବ୍ରହ୍ମାକୁ କହି ଗଣପତି।

 

ମହା ମୋତେ ମୃତ୍ତିକାୟେ ଗଢି କୁମ୍ଭ ଗୋଟି।

।୪।

ନାନା ବର୍ଣ୍ଣେ କୁମ୍ଭକୁ ଯେ ଗଢିଲେକ ଜାଣି।

 

ଠେକି ବେକା କୁମ୍ଭ ଆଦି ଦଧିଭାଣ୍ଡ ପୁଣି।

।୫।

ସଂସାର ପାତନା ଅର୍ଥେ ଅଗ୍ନିରେ ଯେ ଦେଲେ।

 

ଦହିଜ କରିଣ ଦୁଧ ତହିଂ ପୁରୋଇଲେ।

।୬।

 

 

ତେଣୁକରି କୁମ୍ଭ ଗୋଟି ଆଣିଅଛୁ ଭାଇ।

 

ନମୋ ଅମ୍ବିକା ବୋଲିଣ ଜଳରେ ବୁଡ଼ାଇ।

।୭।

ଚୁତ ଡ଼ାଳ ଫଳ ପୁଷ୍ପ ଦେଲୁଂ ଯେତେବେଳେ।

 

ତିନିବାର ତତ୍ତ୍ୱ ଯାହା କହିଲୁ ନିରୋଳେ।

।୮।

 

 

ନାରାୟଣ ମନ୍ତ୍ର ପଢି ପୁରୋଇଲୁ ଜଳ।

 

ଗୋପୀଜନ ବଲ୍ଲଭ ବୋଲି ରଖିଲୁ ଶ୍ରୀଫଳ।

।୯।

ଗୋରୁ ଗୋପାଳଙ୍କ ପୂଜା ପୁର୍ଣ୍ଣମୀ ବିଚାର।

 

ଦୋଳ ଯାତ୍ରା ଭିଆଇଲେ ନବୀନ କିଶୋର।

।୧୦।

 

 

ନବଘନ ସ୍ୱରୁପ ଯେ ତ୍ରିଭଙ୍ଗ ମୂରତି।

 

ଯୁଗଳ ରୂପରେ ଦୋଳ ମଣ୍ଡପେ ଅଛନ୍ତି।

।୧୧।

ଗୋପାଳ ମନ୍ତ୍ରରେ ତାଙ୍କୁ କରି ନମସ୍କାର।

 

ସିଂହାସନ ବୁଲୁଂ ଭାଇ ଧରିଣ ଓଂକାର ।

।୧୨।

 

 

ବତ୍ସ ମନ୍ତ୍ର ଧରିଣ ଯେ ଗୋ-ଦୋହନ କରୁ।

 

ତାରକ ମନ୍ତ୍ରରେ ଭାଇ ଠେକି ବେକା ଧରୁ।

।୧୩।

ଷଡ଼ାକ୍ଷର ମନ୍ତ୍ର ବୋଲି ଛତା ବାଡ଼ି ଧରି।

 

ଧରଣୀ ମନ୍ତ୍ରରେ ଗୋରୁ ବୁଲେ ତୃଣ ବାରି।

।୧୪।

 

 

 

 

ସୁଦାମଙ୍କୁ ସୁମରିଣ ଗୋରୁଙ୍କୁ ଚରାଉ।

 

ସିଷୁବେଦ ମନ୍ତ୍ର ପଢି ଗୋଷ୍ଠରେ ପୂରାଉ।

।୧୫।

ରାଧିକା ମନ୍ତ୍ରରେ ଦଧି ବିକି ଯାଉ ଭାଇ।

 

ପସରା ଫେରିବା ମନ୍ତ୍ର ନମୋ ମହାମାଈ।

।୧୬।

 

 

ଗୁହାଳରେ ଧୁଆଂ ଦେବା ଅନନ୍ତାୟ ହରି।

 

ଧଡ଼ା ଫିଟାଇବା ମନ୍ତ୍ର ଅରୂପାୟ ଉଚ୍ଚାରି।

।୧୭।

ଅଗ୍ନିକୁ ଜାଳିବା ମନ୍ତ୍ର ଯୁଗଳ ଅକ୍ଷର।

 

ଅଗ୍ନି ଲଗାଇବା ବେଳେ ଜୀବନ୍ୟାସ କର।

।୧୮।

 

 

ଘୃତ ହାଣ୍ଡିକୁ ଯେ ମନ୍ତ୍ର ନବାକ୍ଷର ଜାଣ।

 

ଶିକା ବାଉଂଗୀର ମନ୍ତ୍ର ସପତ ପ୍ରମାଣ।

।୧୯।

ମହାଗୁରୁ ବେତାଳ ଯେ ବାଡ଼ି ଖେଡ଼ିବାର।

 

ନମୋ ମହାମନ୍ତ୍ର ସେହୁ ତାହାଙ୍କ ଉପର।

।୨୦।

 

 

ଘଣ୍ଟି ଘାଗୁଡ଼ିର ମନ୍ତ୍ର ଅଷ୍ଟ ଚଣ୍ଡିକାଈ।

 

ନିରଞ୍ଜନ ମନ୍ତ୍ରେ ପାଗ ବାନ୍ଧିଛୁ ରେ ଭାଇ।

।୨୧।

ଗୈାରୀ ଭାରର ଯେ ମନ୍ତ୍ର ହରି ଅନନ୍ତାୟ।

 

ଚୁଆ ଚନ୍ଦନର ମନ୍ତ୍ର ଗୋପୀ ବଲ୍ଲଭାୟ।

।୨୨।

 

 

 

 

ଗୋପାଳକୁ ସଙ୍ଗେ ଡ଼ାକି ରତ୍ନ ଚୂଡାମଣି।

 

ହରି ଅନନ୍ତାୟ ବୋଲି ସଭାରେ ବସୁ ପୁଣି।

।୨୩।

ଶୁଣ ହୋ ଗୋପାଳ ଭାଇ ଜାତି ଚୂଡ଼ାମଣି।

 

ଭାଷାରେ କହିଲି ଦୋଷ ନ ଧରିବ ପୁଣି।

।୨୪।

 

 

ଗୋପାଳ କୁଳର ବୀଜ ଓଗାଳରେ ସାର।

 

କହିଲେ ଅଚ୍ୟୁତାନନ୍ଦ ଗୋପାଳ ହିତର।

।୨୫।

 

ଓଗାଳ –୭

ମଧୁବନ ଭିତରେ ଯେ ସୁଦାମ ଗୋପାଳ।

 

ଦୋଳ ଯାତ୍ରା କରିବାକୁ କଲେ ଅନୁକୂଳ।

।୧।

ସୁବାହୁ ଗୋପାଳ ଭେଟ ହୋଇଲେକ ତହିଂ।

 

ଓଗାଳ ଦେଇଣ ଯେ ପୁଚ୍ଛନ୍ତି ପୁଣ ରହି।

।୨।

ସୁବଳ ଗୋପାଳ ତୁମ୍ଭେ ଅଟ ଗ୍ୟାଂନୀ ଜନ।

 

କିମ୍ପାଇ ଗୋମାତାଙ୍କର ହେଲା ଅଷ୍ଟବର୍ଣ୍ଣ।

।୩।

କେଉଂ ଗୁଣୁଂ ଶୃଙ୍ଗ ତାର ବକ୍ର ହୋଇଅଛି।

 

ତୃଣକୁ ଖାଇଣ କିମ୍ପା ପଞ୍ଝା କରୁଅଛି।

।୪।

ମଳ ମୂତ୍ର କରନ୍ତି ସେ ଶୁଦ୍ଧ କର୍ମ ନାହିଂ।

 

ୟେକା ଗାବ ଗୋଟିକରେ ତାଣ୍ଡପେଣ୍ଡ ହୋଇ।

।୫।

ଆଗ ପଛ ହୋଇ କିମ୍ପା କରନ୍ତି ଆସନ।

 

ଖେଦି ଯାନ୍ତି କୁଞ୍ଜେ କୁଞ୍ଜେ କରନ୍ତି ଗମନ।

।୬।

ବତ୍ସା କ୍ଷୀର ନପିଇଲେ ଗୋଦୋହନ ନୋହି।

 

କିମ୍ପାଇ ଉଚ୍ଚିଷ୍ଟ କ୍ଷୀର ଦେବତା ଭୁଞ୍ଜଇ।

।୭।

ୟେ କଥା ବିଚାରି ଭାଇମାନେ କହିଦେବ।

 

ତେବେ ସିନା ଦୋଳ ମଣ୍ଡପକୁ ଚଳିଯିବ।

।୮।

ଉତ୍ତାର

ଏ ବଚନ ଶୁଣିଣ ଯେ ସୁବାହୁ ଗୋପାଳ।

 

ଭଲା ବେଳେ ଭାଇମାନେ ପୁଛିଲ ଉଗାଳ।

।୧।

ଗୋମାତାଙ୍କ ମହିମା ଅଟଇ ଅଗୋଚର।

 

ଭେଦି କହିବାକୁ ସକ୍ଷ ହେବ କି ଆମ୍ଭର।

।୨।

ଦକ ଦକ କରି ସିନା କହିଯିବୁ ଭାଇ।

 

ସେ କଥାରେ ଦୋଷ ତୁମ୍ଭେ ନ ଧରିବ କେହି।

।୩।

କେତେବେଳେ ତାହା ପୁଣି ଥିଲା ସୁଖ ସ୍ଥାନ।

 

ନିତ୍ୟ ଭୁବନକୁ ଛାଡ଼ି ଲକ୍ଷେକ ଯୋଜନ।

।୪।

ପାଦ ପାଣି ନାହିଂ ତାର ଶୂନ୍ୟ ମର୍ତ୍ତ୍ୟପୁର।

 

ପ୍ରଥମେ ସ୍ଫଟିକ ବର୍ଣ୍ଣ ହେଲା ଅବତାର।

।୫।

ତେଣୁକରି ଶ୍ୱେତ ବର୍ଣ୍ଣ ଅଟଇଟି ସେହି।

 

ଆଦି କପିଳାରୁ ସେହି ପ୍ରକାଶି ଅଛଇ।

।୬।

ଯେତେବେଳେ ଶ୍ୱେତ ବର୍ଣ୍ଣ ପ୍ରକାଶ ହୋଇଲା।

 

ତାପରେ ଧୂମ ବର୍ଣ୍ଣ ଯେ ବିକାଶ ପାଇଲା।

।୭।

ପୁଣି କରି କୃଷ୍ଣ ବର୍ଣ୍ଣ ପ୍ରକାଶିଲା ସେହି।

 

ଶ୍ୱେତ କୃଷ୍ଣ ଅଙ୍ଗ ଦୁଇ ପ୍ରକାଶି ଅଛଇ।

।୮।

 

 

ଏହୁ ଅଂଗ ଦୁଇ ଯହୁଂ ହୋଇଲା ଉଦିତ।

 

ସୁଗନ୍ଧ ତା ଅଙ୍ଗ ତହୁଂ ହୋଇଲା ବ୍ୟକତ।

।୯।

ତିନି ବର୍ଣ୍ଣ ଉଦୟରୁ ପଣ୍ଡୁ ବର୍ଣ୍ଣ ଜାତ।

 

ଚାରି ବର୍ଣ୍ଣ ଭିନ୍ନାଭିନ୍ନ ହୋଇଲା ଉଦିତ।

।୧୦।

 

 

ୟେହୁ ଚାରି ବର୍ଣ୍ଣ ହେଲା ମୂର୍ତ୍ତିବନ୍ତମାନ।

 

ବକୁଳ ବର୍ଣ୍ଣ ତହୁଂ ହେଲା ଉତୁପନ୍ନ।

।୧୧।

ପଞ୍ଚଧାତୁ ଯେତେବେଳେ ଉଦୟେ ହୋଇଲା।

 

ପଞ୍ଚୁବର୍ଣ୍ଣ ରୂପ ଗୋଟି ତହୁଂ ପ୍ରକାଶିଲା।

।୧୨।

 

 

ଚତୁର ପ୍ରକାଶନ୍ତେ ଶ୍ୟାମଳା ବରନ।

 

ସପତ ଧାତୁରୁ କାମଧେନୁଟି ପ୍ରମାଣ।

।୧୩।

ୟେ ରୂପେ ଯେ ଅଷ୍ଟବର୍ଣ୍ଣ ଗୋମାତା ହୋଇଲେ।

 

ଅଯୋନି ସମ୍ଭୁତା ଯେଣୁ ବଛା ଉପୁଜିଲେ।

।୧୪।

 

 

ଗାୟତ୍ରୀ ଅଟଇ ଗାଈ ସାବିତ୍ରୀ ତା ବଛା।

 

ୟେ ଦୁଇ ସୂତ୍ରର ମଧ୍ୟୁଂ ଦୁଗଧର ସଂଚା।

।୧୫।

ୟେଣୁକରି ଗାୟତ୍ରୀ ସାବିତ୍ରୀ ସୂତ୍ର ଛନ୍ଦା।

 

ତ୍ରିକାଳରେ ବଛା ରୂପେ ପିଉଛନ୍ତି ଭେଦା।

।୧୬।

 

 

 

 

ଗାୟତ୍ରୀ ହୋଇଲେ ଗାଈ ସାବିତ୍ରୀ ଗୋବଛା।

 

ନିରଞ୍ଜନ ମନ୍ତ୍ର ତାର ଗୋଧନ ଗୋବଛା।

।୧୭।

ପାଦ ରୂପେ ବୋଲାବନ୍ତି ଅରୂପ ତା ଦୀକ୍ଷା।

 

ସିଷୁବେଦ ମଣିରେ ସେହୁ ମଣି ରକ୍ଷା।

।୧୮।

 

 

କୀଟୁଂ ବ୍ରହ୍ମ ଯାକେ ଯାକୁ କରୁଛନ୍ତି ଧ୍ୟାନ।

 

ତାହାଙ୍କ ଅଧର ଯେ ଅମୃତ ସମାନ।

।୧୯।

କୋଟିୟେକ ଶିବ ବ୍ରହ୍ମା ଏକ ରୂମେ ଅଛି।

 

ତାହାଙ୍କ ଅଧର ଯେ କେ ପାରିବ ଲେଖି।

।୨୦।

 

 

କୋଟି କୋଟି ବେଦ ଯାକୁ ବର୍ଣ୍ଣ ନପାରଇ।

 

ନିରଞ୍ଜନ ରୂପକୁ ସେ ତୁସ୍ତି କରୁଥାଇଂ।

।୨୧।

ୟେମନ୍ତ ମହିମା ତାର ନାହିଂ ପରାପର।

 

ତେଣୁକରି ହୃଦକୁ ତା ଅଛଇ ବିକାର।

।୨୨।

 

 

ଧେନୁ ତୃଣ ନିରଞ୍ଜନ ଏତେ ବୋଲି ଜାଣ।

 

ପର ହିତକାରୀ ହିତ ବହିଅଛି ପୁଣ।

।୨୩।

ୟେଣୁକରି ନିରଞ୍ଜନ ଅପାର ରୂପ ପାର।

 

ତେଣୁକରି ଅଧାର ସେ କରଇ ବିକାର।

।୨୪।

 

 

 

 

ଶୃଙ୍ଗ କଥା ଭାଇମାନେ ସାବଧାନେ ଶୁଣ।

 

ୟେ ରୂପେ ବକ୍ର ହୋଇଛି କହିଦେବା ପୁଣ।

।୨୫।

ଯେତେବଳେ ଶବଦରୁ ଗୋମାତା ଜନମ।

 

ଚତୁର ପ୍ରକାରେ ସେ ହୋଇଲା ବର୍ଣ୍ଣ ଚିହ୍ନ।

।୨୬।

ଆଦ୍ୟରେ ଯେ ବାଡ଼ି ଗୋଟା ବାଡ଼ି ଶୃଙ୍ଗ ସେହି।

 

ଭେଦ ଗୋଟା ଅକାର ସୁର ଅଛି ରହି।

।୨୭।

ଧୁନି ନାଦ ଗୋଟାରୁ ଯେ ମଣ୍ଡଳୀ ହୋଇଛି।

 

ଅରୁଣ ବରନ ସିନା ଶୃଙ୍ଗ ଉପୁଜିଛି।

।୨୮।

ୟେ ଚାରି ଶୃଙ୍ଗର ନାନା ବର୍ଣ୍ଣରେ ବିଚାର।

 

ଗୋମାତାଙ୍କ ବର୍ଣ୍ଣ ଗୋଟି ଏମନ୍ତ ପ୍ରକାର।

।୨୯।

ସାକ୍ଷୀ ରୂପେ ଉତ୍ତାର କହିଦେଲୁଂ ଭାଇ।

 

ହେଲା ନୋହିଲାକୁ ଦୋଷ ନ ଧରିବ କେହି।

।୩୦।

 

 

ଗୋମାତାଙ୍କ ବୀଜଏଟି ଓଗାଳର ସାର।

 

କହିଲେ ଅଚ୍ୟୁତାନନ୍ଦ ଗୋପାଳ ହିତର।

।୩୧।

 

ଓଗାଳ – ୮

ଏଥୁ ଅନନ୍ତରେ ଶୁଣ ବିଚାର ଓଗାଳ।

 

ଚାରି ବିଶ ଭାଇ ହେଲେ ସବୁ ଏକ ମେଳ।

।୧।

ଜାଣି ନ ଜାଣି କି ଆମ୍ଭେ ଠିକେ କହିଲଇଂ।

 

ଆଦିଲୀଳା ଗୋଡ଼ା ସନ୍ଧି ନମିଳଇ କାହିଂ।

।୨।

ଚାରିବିଶ ଭାଇ ଆମ୍ଭର ବନସ୍ତରେ ଘର।

 

ଗୋଧନ ଚରାଉ ବନ ଜନ୍ତୁଙ୍କ ସଙ୍ଗର।

।୩।

ପଞ୍ଚୁଶଖା ଅଟନ୍ତି ଆମ୍ଭର ପଞ୍ଚୁପ୍ରାଣ।

 

ଗୁରୁମୋର ମୋକ୍ଷଦାତା ଜୀବର କାରଣ।

।୪।

ଆମ୍ଭ ଆଦି ଭେଦ ସେ ଯେ ଚିନ୍ତ ଯେତେ କଥା।

 

ଗୋରରୁ ଯେ ଗୋପାଳ ଯେତେ ନିତ୍ୟର ବ୍ୟବସ୍ଥା।

।୫।

ଏକଥା ଉଚିତ ବାଣୀ ଜାଣନ୍ତି ସେ ଭେଦ।

 

ତାଙ୍କ ମୁଖୁଂ ଶୁଣିଲେଇ ପାଇବା ସମ୍ବାଦ।

।୬।

ୟେମନ୍ତ ହୋଇଣ ସବୁ ଏକମେଳ ହେଲେ।

 

କରପତ୍ର ଯୋଡ଼ି ପଞ୍ଚୁ ଶାଖାକୁ କହିଲେ।

।୭।

ନିତ୍ୟର ଉଗାଳ ଯାହା ଆଗ୍ୟାଂ କରିଗଲ।

 

ଥୋକାଏ ଯେ ଗଣ୍ଠିକଥା ଗୁପତେ ରଖିଲ।

।୮।

 

 

ନିତ୍ୟ ପରେ ଗୋପୀ ଯେ ଗୋପାଳ ଗୋରୁ ବଛା।

 

କାହିଂରେ ଅଛନ୍ତି ତାଙ୍କୁ କେ କରଇ ରକ୍ଷା।

।୯।

କିବା ତୃଣ ଜଳ କେହୁ କରନ୍ତି ଦୋହନ।

 

କାହାକୁ ବୋଲନ୍ତି ପ୍ରଭୁ ନିତ୍ୟ ବୃନ୍ଦାବନ।

।୧୦।

 

 

ନିତ୍ୟରୁ ମଞ୍ଚକୁ ଆସି କରିଅଛି ଘର।

 

ଦ୍ୱାଦଶ ଯେ ବୃନ୍ଦାବନ ଦ୍ୱାଦଶ କୁଞ୍ଜର।

।୧୧।

କଥାର ଭେଦ ତ କିଛି ନପାଇଲୁ ଆମ୍ଭେ।

 

ତୁମ୍ଭ ଗୁରୁ ଆଗ୍ୟାଂ କଲେ ପାଇବୁଟି ତେବେ।

।୧୨।

ଉତ୍ତାର

ତାହା ଶୁଣି ପଞ୍ଚୁଶାଖା ହସିଣ କହିଲେ।

 

ୟେ କଥାକୁ ଗଣ୍ଠିକରି କହିବୁ ବୋଇଲେ।

।୧।

ପ୍ରଥମେ ଯେ ରାଧାକୃଷ୍ଣ ରଙ୍ଗ ନୀଳବର୍ଣ୍ଣ।

 

ଶତେ ଚନ୍ଦ୍ର ରାଧାକୃଷ୍ଣ ହୃଦେ ଜ୍ୟୋତି ବର୍ଣ୍ଣ।

।୨।

 

 

ଯୁଗଳ ମୂରତି ଏକ ସ୍ୱରୂପ ଦିଶନ୍ତି।

 

ମାନଧାତା ମଣ୍ଡପ ବେଦୀ ଯେ କରିଛନ୍ତି।

।୩।

ଚାରିବେଦ ସିଂହାସନ ଗାୟତ୍ରୀ ପାବଚ୍ଛ।

 

ଉର୍ମ ଧୁର୍ମ ଜ୍ୟୋତି ଜ୍ବାଳା ଜଳୁଛି ପ୍ରତ୍ୟକ୍ଷ।

।୪।

 

 

ବୃନ୍ଦା ଚିତ୍ରରେଖା ଯେ କାଳିନ୍ଦୀ ମନୋହାରୀ।

 

ରାଧାକୃଷ୍ଣ ସିଂହାସନେ ଛନ୍ତି ବିଜେ କରି।

।୫।

ରୁକ୍ମଣୀ ଯେ ସତ୍ୟଭାମା ଚିତ୍ରା ଆଦି କରି।

 

ଜାମ୍ବବତୀ ଶକ୍ରାଜିତ ଅଷ୍ଟ ମନୁହାରୀ।

।୬।

 

 

ରାଧାକୃଷ୍ଣ ସିଂହାସନ ପାଶେ ଛନ୍ତି ଧରି।

 

ସହସ୍ର ଚନ୍ଦ୍ରମା ପ୍ରାୟେ ବିଜେ କରିଛନ୍ତି।

।୭।

ଅଧରେ ଅଧର ଦେଇ ଆସ୍ୱାଦ କରନ୍ତି।

 

ସେଇ ଆସ୍ୱାଦରୁ ଗୋପୀ ଗୋପାଳ ଜନମ।

।୮।

 

 

ନିତ୍ୟ ପୁରେ ଗୋପିକା କରନ୍ତି ବେହାରଣ।

 

 

।୯।

ନାଦ ଧୁନି ଶବଦ ଆମୋଦ ଧୁନି ପାଞ୍ଚ।

 

ୟେହିଠାରୁ ଗୋମାତା ଜନମ ହେଲେ ମଞ୍ଚ।

।୧୦।

 

 

ରାଧା ଅଙ୍ଗୁ ସଖୀଗଣ କୃଷ୍ଣ ଅଙ୍ଗୁ ଗୋପ।

 

ପଞ୍ଚୁଶାଖା ଅଙ୍ଗରୁ ଗୋପାଳ ମୂର୍ତ୍ତି ଥାପ।

।୧୧।

ପଞ୍ଚୁ ଗାଈ ଅଙ୍ଗରୁ ଯେ ଗୋପାଳ ଅବତାର।

 

ଗୋଲୋକ ମଣ୍ଡଳେ ସବୁ କରନ୍ତି ବେହାର।

।୧୨।

 

 

କାମଧେନୁ ରାଧା ଅଙ୍ଗୁ କୃଷ୍ଣ ଅଙ୍ଗୁ ବଛା।

 

ସିଷୁବେଦୁଂ ସାମରଥା କେ କରଇ ଲେଖା।

।୧୩।

ଶ୍ରୀକୃଷ୍ଣ ଦୁହଂନ୍ତି ଗାଈ ରାଧା କରେ ଦହି।

 

ଅଷ୍ଟ ସଖୀ ମନୋହର ନିଯୋଗ ଅଟଇ।

।୧୪।

 

 

ନାହିଂ ରୂପରେଖ ଅରୂପ ବର୍ଣ୍ଣ ମୂରତି।

 

ବରାଙ୍ଗନା ରୂପେ ସବୁ ବେହାର କରନ୍ତି।

।୧୫।

ଜଳ ତାଙ୍କର ସାମ୍ବୁଜ ଖାଦ୍ୟ ତାଙ୍କ ତୃଣ।

 

ଗୋମାତାଙ୍କର ଖୁଆଳ ସୁଦାମ ସୁବଳ।

।୧୬।

 

 

ଗାୟତ୍ରୀ ସାବିତ୍ରୀ ତାଙ୍କ ଖୁଣ୍ଟ ପଘା ଛନ୍ଦ।

 

ଅନନ୍ତ ଫଣୀ ଉପରେ ଗୋମାତାଙ୍କ ଭେଦ।

।୧୭।

ସୁନାରେ ଜନମ ତାଙ୍କ ସୁନା ସାର ଆସନ।

 

ଜ୍ୟୋତି ଲିଙ୍ଗ ତହିଂ ସଦା ସ୍ୱରୂପ ବରନ।

।୧୮।

 

 

ଶୁଣ ଚାରିବିଶ ଭାଇ ଗୁପତ ବିଚାର।

 

ଅଗୋଚର ମହିମା ସେ ନୁହଇଂ ଗୋଚର।

।୧୯।

ସୋଲ୍ୟପୁର ମଧ୍ୟରେ ଯେ ମଞ୍ଚପୁର ଭୋଗ।

 

ମୃତ୍ତିକାର ପିଣ୍ଡ ହେଲେ ହେବ ଯୋନିଲିଙ୍ଗ।

।୨୦।

 

 

 

 

 

 

ରସ ବିଶ ଭୋଗାଭୋଗ ମଧ୍ୟ ସ୍ୱର୍ଗପୁର।

 

ଦ୍ୱାଦଶ ଯେ ବୃନ୍ଦାବନ ୟେ ମଞ୍ଚ ମଣ୍ଡଳ।

।୨୧।

ଦ୍ୱାଦଶ ଗୋପାଳ ସଙ୍ଗେ ଦ୍ୱାଦଶ ଯେ କୁଞ୍ଜ।

 

ଦ୍ୱାଦଶ ବନରେ ଯେ ଦ୍ୱାଦଶ ଗିରିରାଜ।

।୨୨।

 

 

ଗୁପତ ଗୋଲୋକ ମଧ୍ୟ ସ୍ୱର୍ଗପୂର ଭୂଇଂ।

 

ଏ ଭୂଇଂକି ମାରିଥିଲେ ମଞ୍ଚପୁର ଭୂଇଂ।

।୨୩।

ତୁମ୍ଭେ ସେହି ତୁମ୍ଭେ ଅଛ ଏହି ମଞ୍ଚପୁର।

 

ନିତ୍ୟ ବୃନ୍ଦାବନେ ଆସି କରୁଛ ବେହାର।

।୨୪।

 

 

ଯାହା ପଚାରିଲ ସବୁ ମଞ୍ଚର ବେଭାର।

 

ଗୋପ ବୃନ୍ଦାବନ ରାଧା କୃଷ୍ଣର ବେହାର।

।୨୫।

ଓଗାଳର ବିଧି ପୁଣି କହିଲୁ ବିଚାର।

 

କହନ୍ତି ଅଚ୍ୟୁତାନନ୍ଦ ଗୋପାଳ ହିତର।

।୨୬।

 

ଓଗାଳ – ୯

ଶୁଣ ହୋ ଗୋପାଳ କୂଳ ଓଗାଳ ମହିମା।

 

ଦୋଳ ଗୋବିନ୍ଦର ଯେତେ ବିଧିମତ ସିନା।

।୧।

ଚାରିବିଶ ଗୋପାଳ ଯେ ହେଲେ ଏକମେଳ।

 

ଦୋଳଯାତ୍ରା କରିବାକୁ କଲେ ଅନୁକୂଳ।

।୨।

ମଥୁରା ଗୋପାଳ ଆସି ଗୋପରେ ମିଳିଲେ।

 

ଗୋପର ଗୋପାଳେ ଦେଖି ଓଗାଳ ପୁଛିଲେ।

।୩।

ଶୁଣ ତୁମ୍ଭେ ଭାଇମାନେ ପଚାରୁ ଓଗାଳ।

 

କି ରୂପେ ଗୋପରେ ତୁମ୍ଭେ କରିବ ଯେ ଦୋଳ।

।୪।

କି ରୂପେଣ କୁମ୍ଭ ଗୋଟି କରିବ ବନ୍ଦାଣ।

 

ନବତନ ଶିକାରେ ଯେ ବାହୁଙ୍ଗୀ ବିଧାନ।

।୫।

କେତେ ଫୁଲ ଆଣିକରି କୁମ୍ଭକୁ ମଣ୍ଡିବ।

 

କେଉଂ ନକ୍ଷେତ୍ରକୁ ଧରି ଯାତ୍ରା ଆରମ୍ଭିବ।

।୬।

କୁମ୍ଭ ଗୋଟି କେତେବେଳେ ବୁଡ଼ାଇବ ଭାଇ।

 

କେଉଂ ଗୋପୀ ନେଇ ଦୁଧ ବନ୍ଦାଇବ ଯାଇଂ।

।୭।

କେତେବଳେ ବାଡ଼ି ଯେ କରିବ ଅନୁକୂଳ।

 

କେତେବେଳେ ସିଂଘା ନାଦ ହୋୟେ ଗୋଗୋଷ୍ଠର।

।୮।

କେତେବେଳେ ଗାଈକି ହୋ କରିବ ବନ୍ଦାଣ।

 

କେତେବେଳେ ଗାଈମାନେ କରିବେ ସ୍ନାହାନ।

।୯।

ବୃଷଭକୁ କି ରୂପେ ମଣ୍ଡଣି କର ଭାଇ।

 

ଶୁଭ ବାଂଛାକରି ଗୁଆ ବନ୍ଦାଇଣ ଥାଇ।

।୧୦।

କେତେବେଳେ ସୂର୍ଯ୍ୟଙ୍କୁ ହୋ ଅର୍ଘ୍ୟ ବନ୍ଦାଇବ।

 

ଗୋଗୋଷ୍ଠରେ ଗୋମାତାଙ୍କ ପିତୁଳି ଲେଖିବ।

।୧୧।

କେତେ ଚିନା ହେଲେ ଭାଇ ହେବ ଝୋଟିପାଣି।

 

କେତେ ଗୋଟି ବୀଜ ହେଲେ କରିବ ମଣ୍ଡଣି।

।୧୨।

 

 

କେତେ ଗୋଟି କୁମ୍ଭରେ ଯେ ପକାଇବ ଫଳ।

 

କେତେ ଗୋଟି ବୃକ୍ଷ ଡ଼ାଳେ କର ଅନୁକୂଳ।

।୧୩।

ୟେତେକ ବିଚାରି ଭାଇ କହିଦେବ ବାଛି।

 

ଦୋଳ ପୂଜା କରିବାକୁ ଉଛୁର ହେଉଛି।

।୧୪।

ଉତ୍ତାର

ପୂର୍ଣ୍ଣାନନ୍ଦ ଶୁଣିଣ ଯେ ହୋଇଲା ଆନନ୍ଦ।

 

ଯାହା ପଚାରିଲ ଭାଇ କହିବା ସେ ଭେଦ।

।୧।

ତୁମ୍ଭ ଆମ୍ଭ ଏକ ସିନା ଭେଦାଭେଦ ନାହିଂ।

 

ଦୋଳଯାତ୍ରା ପୂଜାବିଧି କହିବା ବୁଝାଇ।

।୨।

 

 

ମୂଳା ନାମେ ନକ୍ଷତ୍ର ଯେ ମୂଳ ଭେଦ ସେହି।

 

ଚନ୍ଦ୍ର କର୍ମ ଘେନି ସିନା ଉପୁଜି ଅଛଇ।

।୩।

ତୁମ୍ଭେ ଯାହା ପଚାରିଲ ଭାଇମାନେ ଶୁଣ।

 

ପ୍ରଥମେ ବେଦପତି କଲେ କୁମ୍ଭର ଭିଆଣ।

।୪।

 

 

ପାଞ୍ଚ କଳାରେ ସେ ଯେ କୁମ୍ଭ ଭିଆଇଲେ।

 

ପାଞ୍ଚ ଗୋଟି ମୁଖ ତାର ଉପରେ ରଖିଲେ।

।୫।

ଚାରି ଦିଗେ ଚାରି କଳା ମଧ୍ୟରେ କିଶୋରୀ।

 

ଅଷ୍ଟ ଚଣ୍ଡୀକାଈ ତହିଂ ମଧ୍ୟେ ସ୍ଥାପିକରି।

।୬।

 

 

ପ୍ରଥମେ ଯେ ମହାମାୟୀ ନାମେଣ ସିନ୍ଦୁରେ।

 

ଚୁଆ ଚନ୍ଦନ ଲେପନ କାଳିକା ନାମରେ।

।୭।

ଏମନ୍ତ କରିଣ ଭାଇ କୁମ୍ଭ ଘେନିଯିବ।

 

ଅଷ୍ଟଚଣ୍ଡୀ ନାମ ଧରି ଜଳ ପୂରୋଇବ।

।୮।

 

 

ଜଳ ଘେନି ଆସିଣ ଯେ ଦେବ ଶିଂଘା ନାଦ।

 

ଝୋଟି ଲେଖିବାର ବେଳେ ଗୋପାଳ ଗୋବିନ୍ଦ।

।୯।

ପଞ୍ଚୁ ମୁଖେ ପଞ୍ଚୁ ଫଳ ଶୁଣ ତୁମ୍ଭେ ଭାଇ।

 

ଚୁତ ଫଳ ଡ଼ାଳ ଗୁଆ ହରିଡ଼ା ମିଶାଇ।

।୧୦।

 

 

ଅଏଂଳା ଯେ ପଦ୍ମ ଫଳ ତହିଂରେ ଜୁଟାଇ।

 

ଘୃତ ମଧୁ ଦଧି ଦେବ ତହିଂରେ ମିଶାଇ।

।୧୧।

ପଞ୍ଚୁ ମୁଖେ ପଞ୍ଚୁ ଫଳ ଏହିଟି ପ୍ରମାଣ।

 

ଚତୁର୍ଦ୍ଦଶୀ ବାସି ଦିନ ଏସନେ ଭିଆଣ।

।୧୨।

 

 

ରାଧିକା ଦୂତିକା ଯେ ଲଳିତା ବୃନ୍ଦାବତୀ।

 

ଚିତ୍ରରେଖା ମନୋହରୀ କାଳିନ୍ଦ୍ରୀ ସୁମତି।

।୧୩।

ଯଶୋବନ୍ତୀ ତ୍ରିପୁରା ଯେ ଅଷ୍ଟସଖୀ ଏହି।

 

ଏହି ଅଷ୍ଟସଖୀ କୁମ୍ଭ ବନ୍ଦାଇଲେ ଭାଇ।

।୧୪।

 

 

ବାଡ଼ି ଶିକା ବାଉଂଗୀ ଯେ ଖୁଆକୁ ଧୋଇବ।

 

କୁମ୍ଭ ସ୍ଥାପିଲା ସଳଖେ ନିଯୋଗ ରଖିବ।

।୧୫।

ଯେତେବେଳେ ଭାଇ ନବଘଡ଼ି ହେବ ବେଳ।

 

ମୀନ ଲଗ୍ନେ ରୋହିଣୀ ଯେ ହୋଇବ ପ୍ରବଳ।

।୧୬।

 

 

ତାରକ ନାମେଣ ଚନ୍ଦ୍ର ଭୋଗ ପାଞ୍ଚ ଦଣ୍ଡ।

 

ତେତେବଳେ ଶମୀ କୁମ୍ଭ ଦେଇ ବନ୍ଦାଇବ।

।୧୭।

ଦୁଗଧ ଖଣ୍ଡ ମନୋହର ଶାକର ମିଶାଇ।

 

ଗୋଶାଳାର ଶୁଭ ଖୁମ୍ବେ ଢାଳିଦେବ ନେଇ।

।୧୮।

 

 

 

 

ଶିଙ୍ଘା ନାଦ ଗୋଷ୍ଠରେ କରିବ ମହାଘୋର।

 

ତେତେବଳେ ବାଡ଼ି ଯାଇ ଘେନିମ ହସ୍ତର।

।୧୯।

ପାହୁଡ଼କୁ ରଖାଇଣ ଗୋଷ୍ଠରେ ବୁଲିବ।

 

ପଞ୍ଚୁବର୍ଣ୍ଣ ଫଳ ନେଇ କୁମ୍ଭ ପରେ ଦେବ।

।୨୦।

 

 

ଦଧି କୁମ୍ଭ ବାଉଂଗୀ ଶିକାରେ ଭାର କରି।

 

ସବୁ ଗୋପାଳଙ୍କ ଘରେ ବନ୍ଦାଣର ଫେରି।

।୨୧।

ବନ୍ଦାଣ ଗାୟତ୍ରୀ ନେଇ ଗୋଷ୍ଠରେ ରଖିବ।

 

ଷଡ଼ରସ ମିଶାଇ ଘଟିତାଳ ଗାଇବ।

।୨୨।

 

 

ଗଙ୍ଗାଜଳ ଘେନିଣ ଯେ ସ୍ନାହାନ କରାଇ।

 

କୁଙ୍କୁମ ରଙ୍ଗ ବସନ ଦେବ ପହୁଡ଼ାଇ।

।୨୩।

ଚନ୍ଦନ ସିନ୍ଦୁର ଚିତା ବୃଷଭ କପୋଳେ।

 

ଗୋମାତାଙ୍କୁ ସ୍ନାହାନ କରାଇ ଶୁଦ୍ଧ ଜଳେ।

।୨୪।

 

 

ଅଗ୍ରଧାତୁ ମିଶାଇଣ ଝୋଟି ପାଣି କରି।

 

ଗୋଶାଳାରେ ପିତୁଳା ଲେଖିବ ଯତ୍ନକରି।

।୨୫।

ପୂର୍ଣ୍ଣ କୁମ୍ଭ ପଞ୍ଚ ଡ଼ାଳ ଭାଇମାନେ ଶୁଣ।

 

ପୁଲାଙ୍ଗ ବକୁଳ ଜାମୁ ଚୂତ ପରମାଣ।

।୨୬।

 

 

 

 

କନିଅର ମିଶାଇଲେ ପଞ୍ଚୁ ଡ଼ାଳ ଏହି।

 

ପଞ୍ଚୁ ଡାଳ କଥା ୟେକେ କହୁଅଛି ଭାଇ।

।୨୭।

ଏମନ୍ତେ ଦିବସ ଯାଇ ରଜନୀ ହୋଇବ।

 

ପୂର୍ଣ୍ଣକୁମ୍ଭଠାରେ ଅଷ୍ଟ ଦୀପ ଜଳାଇବ।

।୨୮।

 

 

ଏହି ରୂପେ ଭାଇମାନେ କରିବ ବିହିତ।

 

ଦୋଳଯାତ୍ରା ଦିନରେ ଏ ଅଟଇ ବିଦିତ।

।୨୯।

 

ଓଲଟ ଓଗାଳ – ୧୦

ନନ୍ଦୀଶ୍ୱର ଗୋପାଳ ଯେ ଉଠିଲା ତୁହାଇ।

 

କୃଷ୍ଣ ଜନକ ମହାଖୁଡ଼କୁ ପଚାରଇ।

।୧।

ଆମ୍ଭେ ତ ଉତ୍ତର ଦେଲୁ ଶୁଣିଲ ହେ ଭାଇ।

 

ଆମ୍ଭର ଉତ୍ତର ଏବେ କହିବ ବୁଝାଇ।

।୨।

କେଉଂ ବୀଜ ଗୋପାଳରୁ ହୋଇଲ ଜନମ।

 

କେତେ ବିଶ ତୁମ୍ଭର ଅଟଇ ପରମାଣ।

।୩।

ନବ ପିତ ମଧ୍ୟରୁ ଅଟଇ କେଉଂ ପିତ।

 

ଚାରି ଯୁଗେ କେତେ ବର୍ଣ୍ଣ ହୋଇଲା ବ୍ୟକତ।

।୪।

ଏଣୁକରି କୃଷ୍ଣ ଅଙ୍ଗୁ ଆମ୍ଭର ଜନମ।

 

ତ୍ରିବୀଜ ଅଜପା ସିନା ତେର ବିଶ ଜାଣ।

।୫।

ଲଳିତା ଅଙ୍ଗରୁ ଆମ୍ଭ ଗୋପାଳୁଣୀ ଜାତ

 

ବସନ ଫେରରୁ ଆମ୍ଭ ଡ଼ାହାଣ ସଂଭୂତ।

।୬।

କୃଷ୍ଣ ଅଙ୍ଗ ଯେଣୁ ବାମ ଅଙ୍ଗରେ ବସଣି।

 

ମାତୃ ଗର୍ଭ ଗ୍ୟାଂନ ଅଙ୍ଗ ପିନ୍ଧୁ କଉପୁନି।

।୭।

ସୂତ୍ର ସନ୍ଧି ଆମ୍ଭର ଯେ ଅଷ୍ଟ ଦେଶ ଥିଲା।

 

ନବ ଶାଖା ଛାଡ଼ି ତହୁଂ ବୃକ୍ଷ ରୂପ ହେଲା।

।୮।

ତେଣୁକରି ଉତୁରୀ ଅଧେକ ଆମ୍ଭେ ତାର।

 

ରାଧାକୃଷ୍ଣ ଅଙ୍ଗୁ ଜାତ ସମାଦି ଆମ୍ଭର।

।୯।

ତେଣୁକରି ସିଷୁବେଦ ଆମ୍ଭ କର୍ମମାନ।

 

ହୁଅଇ ଯେ ଅଙ୍ଗ ଶୁଦ୍ଧ ଏକୋଇଶ ଦିନ।

।୧୦।

 

 

ଅଯୋନି ସମ୍ଭୁତ ଜାତ ଯେଣୁ କୃଷ୍ଣାଞ୍ଜନ।

 

ତେଣୁକରି ଗୋକ୍ଷୀର ହୋ କରୁଛୁ ମନ୍ଥନ।

।୧୧।

ଅବିକାର ଅଟଇ ହୋ ଆମ୍ଭ ନିଜ ସ୍ଥାନ।

 

ତେଣୁକରି ଆମ୍ଭ ଅନ୍ନ ଅମୃତ ସମାନ।

।୧୨।

 

 

ଅଚ୍ୟୁତ ଅନନ୍ତ ଯେହୁ ଦୁଇଜଣ ଏକ।

 

ତେଣୁକରି ବୁଲାଇ କରଇ ସବୁ ପାକ।

।୧୩।

ଛପନାଦି ଜୀବ ପୃଥି ଆପ ତେଜ ବାଇ।

 

ସେ ଯଦି ବୁଲଇ ସବୁ ପୃଥି ଶୁଦ୍ଧ ହୋଇ।

।୧୪।

 

 

ଯାହା ସେ ଧାତା ବିଧାତା କରିଛି ଭିଆଣ।

 

ଗଲା ନ ଗଲାକୁ ଦୋଷ ଭାଇ ହୋ ନ ଘେନ।

।୧୫।

ଅନନ୍ତ ଗୋପାଳ ଭେଦ କେ କରିବ ଅନ୍ତ।

 

ଗୋପାଳଙ୍କ ହିତରେ ଯେ କହିଲା ଅଚ୍ୟୁତ।

।୧୬।

 

ଉତ୍ତାର

ତାହା ଶୁଣି କହୁଛନ୍ତି ସୁଦାମ ଗୋପାଳ।

 

ଅଗୋଚର କଥା ଭାଇ ଅଟଇ ଓଗାଳ।

।୧।

ଠିକ୍ କରି ଭାଇ କଥା କହିଦେବୁ ବାଛି।

 

ପୂର୍ଣ୍ଣ କରି କହିବାକୁ ସକ୍ୟ କାର ଅଛି।

।୨।

 

 

ବେଶ କଥା ଭାଇ ହୋ ସୁବେଶ ଅଟଇ।

 

ଇନ୍ଦ୍ର ଗୋବିନ୍ଦଙ୍କ ଠାରୁ ମିଳିଅଛି ସେହି।

।୩।

ଏକ କଳା ପର୍ବତରେ ଇନ୍ଦ୍ରାୟଣୀ ଥିଲା।

 

କପିଳାକୁ ଆଣିବାକୁ ଗୋଲୋକ ଚଳିଲା।

।୪।

 

 

ଆମ୍ଭ ପିତା କୃଷ୍ଣାଞ୍ଜନ ରଖିଥିଲେ ଗାଈ।

 

ନିତିପ୍ରତି ବ୍ରହ୍ମାଙ୍କୁ ଯେ ଅନ୍ନ ସେହୁ ଦେଇ।

।୫।

ବାର ହାତ ନଖ ତାର ତେର ହାତ ବାଳ।

 

ତେର ଗଣ୍ଡା ଯୁଗ ତହିଂ ହେଲା ରଖୁଆଳ।

।୬।

 

 

ନିତିପ୍ରତି ଗୋଷ୍ଠେ ଅନ୍ନ ରଖିଣ ଆସଇ।

 

ଏକ ଦିନେ ଆଗୁସାର ହୋଇଲାକ ତହିଂ।

।୭।

ଅକାଳ ପବନ ମେଘ ଘୋଟିଲା ଗଗନ।

 

ଯାଇ ନ ପାରିଲା ତହିଂ ବ୍ରହ୍ମାର ନନ୍ଦନ।

।୮।

 

 

ଗୋପାଳଙ୍କୁ ଦେଖିଣ ସେ ହୋଇଲେ ଚକିତ।

 

ମନ ଦଣ୍ଡ ଖଟୁଲିରେ ଲୁଚିଲା ତୁରିତ।

।୯।

ଭୋଜନ ସାରି ଗୋପାଳ ଖଟୁଲିକି ଗଲା।

 

ଆକ୍ରୋଶି ହୋଇଣ ତାର ନିକଟେ ବସିଲା।

।୧୦।

 

 

ସେହି ସମୟରେ ଆସି ବଳା ମିଳିଗଲେ।

 

ସେ ଦୁହିଂଙ୍କି ଦେଖିଣ ଯେ ଆନନ୍ଦ ହୋଇଲେ।

।୧୧।

ସ୍ୱାହା ସିଦ୍ଧ ବୋଲି ତହିଂ ଖଞ୍ଜାଇଲେ ଗଣ୍ଠି।

 

ପାଟୋଳି ଗଢି ନିଜେ ଫେଇଲେ କାନ୍ଥେଟି।

।୧୨।

 

 

ଗୋପାଳ ପୁଅଙ୍କୁ ଦେଖି ସୁବେଶ କରାଇ।

 

ଶ୍ରୀଅଙ୍ଗ କାଞ୍ଚଲା ଫେରି ଚଉତନା ଦେଇ।

।୧୩।

ଆଦିନାରୀ ବସନରୁ ଖଞ୍ଜାଇଲେ ଘଣ୍ଟି।

 

ପାଛୋଟି ପଣନ୍ତ ଫେଇ ଦେଲେକ କାନ୍ଥେଟି।

।୧୪।

 

 

ମହାମାୟୀ କପୋଳରୁ ଟୋପି ଆଣିଦେଲେ।

 

ଶିଖୀ ପୁଚ୍ଛ ବେଣୀ ଫେଇ ଡ଼ୋର ଖଞ୍ଜାଇଲେ।

।୧୫।

ଆଗ ପଛ ଲାଞ୍ଜ ଦୀର୍ଘ ପତନୀର ଫେର।

 

ଦଗଧ କାଞ୍ଚନ ମାଳା ଲମ୍ବାଇଂ ହୃଦର।

।୧୬।

 

 

ସୀମ ସ୍ଥାନ ଗଭା କଲେ କନିଅର ଚୂଳ।

 

ନାଗବନ୍ଧୀ ଖଂଜିଦେଲେ ପୟରେ ନେପୁର।

।୧୭।

ସୁବର୍ଣ୍ଣର ଜାଲିଆ ଯେ ଖଞ୍ଜିଲେ ଉତୁରୀ।

 

ମହାମାୟୀ ବିଳାସରୁ ପାଗ ଦେଲେ ନେଇ।

।୧୮।

 

 

ଇନ୍ଦ୍ରଜାଲି ପାଟ ଥିଲା ଦେବ ଲକ୍ଷ କୋଣେ।

 

ଆନନ୍ଦେ ତାକୁ ନେଇ କଲେ ଉପରାଣେ।

।୧୯।

କର ଅଙ୍ଗୁଷ୍ଠିରୁ କାଢ଼ିଲେକ ଯେ କୁଣ୍ଡଳ।

 

କୁମୁଦ ବକୁଳ ଆଣି କଲେ ପଞ୍ଚୁ ମାଳ।

।୨୦।

 

 

ସୁବର୍ଣ୍ଣ ଥୋପକୁ କଲେ ବାହୁଟି କଚଟି।

 

ପାଦଚନ୍ଦ୍ର ଆସି କଲେ ଦେଲେ ପଦ୍ମ ଗୋଟି।

।୨୧।

ସର୍ବାଙ୍ଗରେ ଆଦିଶକ୍ତି ବର୍ଣ୍ଣ ତୋଳିଦେଲେ।

 

ଅତି ଯତ୍ନେ ରୂପ ଗୋଟି ବନ୍ଦାପନା କଲେ।

।୨୨।

 

 

ଦେବୀଙ୍କର ଇନ୍ଦ୍ରଜାଲ ବାହୁଙ୍ଗା କରିଣ।

 

ବେଣୁ ଫୁସିକା ଯୋଡ଼ ବାହିଲେକ ପୁଣ।

।୨୩।

ଦେବୀଙ୍କର ପଦ୍ମକଢି ଦଧିଭାଣ୍ଡ କଲେ।

 

ତ୍ରିଖଣ୍ଡିକି ଆଣିକରି ଖୁଆ ବନ୍ଦାଇଲେ।

।୨୪।

 

 

 

 

ମଙ୍ଗଳ ଆଳତି ଫୁଲ ଗଳାରେ ଲମ୍ବାଇ।

 

ନାନା ବର୍ଣ୍ଣେ କୁସୁମ ଖଞ୍ଜିଲେ ଶିରେ ନେଇ।

।୨୫।

ଅଙ୍ଗ ତାର ପୁଟ ବେଣୁ ବୃକ୍ଷର ବଇଂଶୀ।

 

ଗୋପାଳ ହସ୍ତରେ ନେଇ ଦେଲେ ଶୁଭ୍ରକେଶୀ।

।୨୬।

 

 

ଭୂମି କଥା ପଚାରିଲ ଶୁଣ ଭାଇମାନେ।

 

ଷୋଳପୁର ଗୋପାଳେ ମିଳିଲେ ୟେକ ଦିନେ।

।୨୭।

ଦେବ ନାଶନର ମୂଳେ ମିଳିଲେକ ଯାଇ।

 

ସମନୀଳା ଦୋଳ ଯେ ଗୋବିନ୍ଦ ମେଳହୋଇ।

।୨୮।

 

 

ଶତେ ଭାର ଗଦା ଭାର ବାଡ଼ିର ଶବଦ।

 

ଷୋଳ ଖଣ୍ଡି ବାଜଣା ଯେ ମୁରଲୀର ନାଦ।

।୨୯।

ଅଧରେ ଅଧର ମିଶି ମୁକୁନ୍ଦ ଜନମ।

 

ରସାମ୍ବୁଜ ପ୍ରାୟେ ସବୁ ହେଲା ଉତପନ।

।୩୦।

 

 

ଧରଣୀ ଆନନ୍ଦ ହୋଇ ବାଟ ଛାଡିଦେଲା।

 

କ୍ଷୀରାର୍ଣ୍ଣବ ଅନନ୍ତ ମଣ୍ଡଳେ ରଖାଇଲା।

।୩୧।

କୋଟି କୋଟି ଯୁଗ ଗଲା ଗୁପତେ ଅଛଇ।

 

ତେଣୁକରି ରାସାନ୍ତଳେ ବସୁନ୍ଧରୀ ଯାଇ।

।୩୨।

 

 

 

 

ବାଟ ନ ପାଇଣ ଯେ ଗୋପାଳ ଗଣ ମନୁ।

 

ଆତଙ୍ଗେ ଡ଼ାକିଲେ ପ୍ରଭୁ ରଖ କଳାକାହ୍ନୁ।

।୩୩।

ସୁମରିବା ମାତ୍ରକେ ହେଲା ଧରଣୀ ଆନନ୍ଦ।

 

ଚଉଦ ଭୁବନେ ତାର ବିକଶିଲା ତେଜ।

।୩୪।

 

 

ବାଡ଼ି ଯେ ବାହୁଙ୍ଗା ଶିକା କୁମ୍ଭ ଗୋଟି ଦେଲା।

 

ଅମଳ କମଳ ପୁଷ୍ୟ ଫୁଟି ବିକଶିଲା।

।୩୫।

ସବୁ ଗୋପାଳଙ୍କଠାରେ ଲମ୍ବିଲାକ ଯାଇ।

 

ଆନନ୍ଦେ ଗୋପାଳେ ଅର୍ଘ୍ୟ ବନ୍ଦାଇଲେ ଦେଇ।

।୩୬।

 

 

ତେଣୁକରି କ୍ଷୀରାର୍ଣ୍ଣବ ଗୋଟି ତା ରହିଛି।

 

ଧରଣୀ ଫାଟିବା କଥା କହିଦେଲୁ ବାଛି।।

।୩୭।

ବୃଷଭାନୁ ନନ୍ଦନ ଯେ କୁମୁଦ ଗୋପାଳ।

 

ଉତ୍ତର ଶୁଣି ସେ ଯେ ହେଲେ ୟେକମେଳ।

।୩୮।

 

 

ଶୁଣ ହେ ସର୍ବ ଗୋପାଳ ନ ଘେନିମ ଦୋଷ।

 

ଗୋପାଳ ହିତେ କହିଲେ ଶ୍ରୀ ଅଚ୍ୟୁତ ଦାସ।

।୩୯।

 

ଓଗାଳ – ୧୧

ମେଳ ହୋଇ କୁମୁଦ ଯେ ପୁଚ୍ଛଇ ଓଗାଳ।

 

ଶୁଣ ଭାଇ ତୁମ୍ଭେ ହୋ ପୁରନ୍ଦର ଗୋପାଳ।

।୧।

କାହିଂ ଥିଲ କାହୁଂ ଯେ ଅଇଲ ତୁମ୍ଭେ ଭାଇ।

 

ଦୋଳଯାତ୍ରା ବିଧିଟି ଯେ ପଚାରୁଛି ମୁହିଂ।

।୨।

ସୁବେଶ ହୋଇଣ ଦୋଳଯାତ୍ରାକୁ ବାହାର।

 

କି ରୂପେ ସେ ପୂଜା ଗୋଟି ହୋଅଇ ତୁମ୍ଭର।

।୩।

କିସ ବିଚାରିଣ ତୁମ୍ଭେ ଅନୁକୂଳ କର।

 

କି ରୂପେ ଯେ ଅଙ୍ଗ ଶୁଦ୍ଧ ହୋଅଇ ତୁମ୍ଭର।

।୪।

କାହାକୁ ସୁମରି ବାଡ଼ି ଧରିଥାଉ ଭାଇ।

 

ବାମ ଡ଼ାହାଣରେ ବାଡ଼ି କି ନାମ ବୋଲାଇ।

।୫।

ଗୋପାଳ ଭାଇଙ୍କର ଯେ କେତେ ନାମ ରୂପ।

 

ବୃଷଭକୁ ମଣ୍ଡଣିରେ କିସ ନାମ ଜପ।

।୬।

ଶିକା ଛନ୍ଦ ଭାର ଘେନି କିସ ଜପ କର।

 

କେତେ ଗୋଟି ମାଳ ହୋଏ ଗୋପାଳର ହାର।

।୭।

କେତେ ଭାଙ୍ଗ ମସ୍ତକରେ ରଖ ଭାଇ ଚୂଳ।

 

ମୋଡ଼ିଆ ନାଇଛ କର୍ଣ୍ଣେ କି ନାମ ତାହାର।

।୮।

 

 

କିସ ବିଚାରିଣ ଅଙ୍ଗେ ଘେନିଛ ବସନ।

 

ଘଣ୍ଟି ଘାଗୁଡ଼ି ନାଇଛ କି ଅବା ଜପିଣ।

।୯।

ଟୋପି ଗୋଟି ନାଇଛ ଥୋପମାନ ଦେଇ।

 

କାହାକୁ ସୁମରି ଶିରେ ଘେନିଅଛ ଭାଇ।

।୧୦।

 

 

କାହାକୁ ପଚାରି ପଥେ କର ହୋ ଗମନ।

 

କିସ ସୁମରିଣ ଘେନ ଚୁଆ ଯେ ଚନ୍ଦନ।

।୧୧।

କେତେ ଫୁଲ ହେଲେ ଗୋପାଳଙ୍କ ଗଳେ ମାଳ।

 

କିସ ସୁମରଣା କରି ଘେନିଛ ନେପୁର।

।୧୨।

 

 

କାହାକୁ ସୁମରି ଭାଇ ଘେନିଛ ଚଉଡ଼ୋର।

 

ଧୀର ଧୀର ଚାଲି କି ସେ ଦିଶଇ ସୁନ୍ଦର।

।୧୩।

ୟେଥିର ଉତ୍ତର ଯେବେ କହିଦେବ ତୁମ୍ଭେ।

 

ଦୋଳ ମଣ୍ଡପକୁ ଏବେ ଛାଡ଼ିଦେବୁ ଆମ୍ଭେ।

।୧୪।

 

 

ଉତ୍ତର କହିଲେ ସିନା ସବୁ ହେବ ସତ।

 

ଗୋପାଳଙ୍କ ହିତେ ୟେହା କହିଲେ ଅଚ୍ୟୁତ।

।୧୫।

 

 

ଉତ୍ତାର

ପୁରନ୍ଦର କହୁଛନ୍ତି କୁମୁଦକୁ ଚାହିଂ।

 

ଭଲା ବେଳେ ଓଗାଳ ପୁଛିଲୁ ରେ ଭାଇ।

।୧।

କୁମ୍ଭ ମାସ ସତାଇଶ ଦିନେ ହେଲା ଦୋଳ।

 

ମୂଳା ନାମେ ନକ୍ଷତ୍ର ଯେ ବାର ଅର୍କ ବେଳ।

।୨।

 

 

ଏଗାର ଦଣ୍ଡେ ଭାଇ ହୋ କିଶୋର ସୁମରି।

 

ଯାତ୍ରାର ବିଧାନ ମତ ଅନୁକୂଳ କରି ।

।୩।

ୟେକ ବର୍ଣ୍ଣୀ ଗାଈର ଯେ ଗୋବର ଆଣିଲୁ।

 

ନବତନ ଭାଣ୍ଡରେ ଯେ ଚୁଞ୍ଚପାଣି କଲୁ।

।୪।

 

 

ପ୍ରଥମେ ଗୋଶାଳା ଲିପି କରାଇଲୁ ଶୁଦ୍ଧ।

 

ଗୋଗୋଷ୍ଠେ ଚନ୍ଦନ ଛେରା ପକାଇ ଆନନ୍ଦ।

।୫।

ଗୃହକୁ ଲିପିଣ ଶୁଦ୍ଧ ଆସନ ବସନ।

 

ୟେମନ୍ତେ କରନ୍ତେ ହେଲା ନବଘଡ଼ି ଦିନ।

।୬।

 

 

ଅଗରୁ ବକୁଳ କନିଅର ଯେତେ ଗୁଣ୍ଡି ।

 

କର୍ପୂର କାମେନୀ ଚୂଳ ତହିଂ ସଙ୍ଗେ ମଣ୍ଡି।

।୭।

ଏହି ଅଷ୍ଟ ଚୂଳ ସବୁ ୟେକତ୍ର କରିଣ।

 

ଗୋଶାଳା ଗୃହକୁ ଲେପି କଲୁ ଚିତ୍ର ପୁଣ।

।୮।

 

 

ପ୍ରଥମେ କୁମ୍ଭକୁ ଚୁଆ ଚନ୍ଦନ ସିନ୍ଦୁର।

 

ତାପରେ ଯେ ନେଇଣ ଥାପିଲୁ ପଞ୍ଚୁଫଳ।

।୯।

ଗୋପାଳ ମନ୍ତ୍ରକୁ ଜପି କରନ୍ୟାସ କଲୁ।

 

ପାଞ୍ଚଗୋଟି ଡ଼ାଳ ନେଇ ଉପରେ ଥାପିଲୁ।

।୧୦।

 

 

ଶିକା ଭାର ଛନ୍ଦ ଜାଣ ବାଡ଼ି ଯେ ବାହୁଙ୍ଗା।

 

ଖୁଆ ଦଣ୍ଡ ଗୁଆ ଫୁଲ ବେଣ୍ଟ କଢା ସଙ୍ଗା।

।୧୧।

ୟେମାନଙ୍କ ବିଧି କଥା ଭାଇମାନେ ଶୁଣ।

 

ତାରକ ମନ୍ତ୍ରରେ ସିନା ଡ଼ୋରର ପ୍ରମାଣ।

।୧୨।

 

 

ନମୋ ନାରାୟଣ ମନ୍ତ୍ର ବାଡ଼ି ବାହୁଙ୍ଗାର।

 

ଶକ୍ତି ସିଦ୍ଧ ମନ୍ତ୍ର ଗୋଟି ଖୁଆ ଯୋଡ଼ିବାର।

।୧୩।

ଓମତିର ମନ୍ତ୍ରେ ଭାଇ ଖୁଆର ମନ୍ଥନ।

 

ମୋଡ଼ିଆ ଯେ ଘେନୁ ଆମେ ତ୍ରିବିଜ ଜପିଣ।

।୧୪।

 

 

ତ୍ରିପୁରା ଜପିଣ ଟୋପି ଦେଉ ହୋ ଶିରରେ।

 

ଅନନ୍ତ ସୁମରି ମାଳି ଦେଉ ହୋ ଗଳାରେ।

।୧୫।

ରାଧା ଅଙ୍ଗ ବୃନ୍ଦାବନ କୃଷ୍ଣ ଯେ ମଥୁରା।

 

ଅନନ୍ତର ମାଳା ଗୋଟି ଅଟଇ ତ୍ରିଶରା।

।୧୬।

 

 

ଆଉ ମାଳାମାନ ସବୁ ଅଟଇ ଅଶୁଦ୍ଧ।

 

ଶ୍ରୀଗୁରୁ ମନ୍ତ୍ର ପଢିଣ ଗଳେ ନେଇ ପିନ୍ଧ।

।୧୭।

କେନ୍ଦୁ ଯେ ବଉଳ ବେଣୁ ୟେହି ତିନି ବାଡ଼ି।

 

ବୀର ଚୂଡ଼ାମଣି ମନ୍ତ୍ରେ ଘଣ୍ଟି ଯେ ଘାଗୁଡ଼ି।

।୧୮।

 

 

ପୁନାଙ୍ଗ ଯେ କନିଅର ବକୂଳ କେତକୀ।

 

ମାଧବୀ ମାଳତୀ ଚମ୍ପା ମଲ୍ଲୀ ଅଷ୍ଟ ଜାତି।

।୧୯।

ଆଦ୍ୟ ପୂର୍ଣ୍ଣ ମଙ୍ଗଳା ହୋ ପଥ ଅନୁକୂଳ।

 

ଶକ୍ତି ମନ୍ତ୍ରେ ଘେନୁ ଚୁଆ ଚନ୍ଦନ ଗୋକୁଳ।

।୨୦।

 

 

ବୃଷଭକୁ ଜପିବାକୁ ଅଜପା ଅକ୍ଷର।

 

ନବୀନ କିଶୋରୀ ଜପି ଘେନୁ ହୋ ନେପୁର।

।୨୧।

ବାହାରେ ବାହୁଟି ସଙ୍ଗେ ଅଛଇ ଯେ ଡ଼ୋର।

 

ବିନନ୍ତା ମନ୍ତ୍ରର ସିନା ଅଟଇ ତାହାର।

।୨୨।

 

 

ଅଗୋଚର କଥା ତୁମ୍ଭେ ପଚାରୁଛ ଭାଇ।

 

ଏ ଉତ୍ତର କହିବାକୁ ସକ୍ୟ ଆମ୍ଭ କାହିଂ।

।୨୩।

ଚୂଳର ମହିମା ଏବେ ଭାଇମାନେ ଶୁଣ।

 

ଗୋପାଳ ବୋଲିଣ ତିନି ଅକ୍ଷରେ ପ୍ରମାଣ।

।୨୪।

 

 

 

 

ବତିଶ ଅଙ୍ଗୁଳି ଦୀର୍ଘ ପ୍ରତି ମାପ କର।

 

ଆପଣା ହସ୍ତରେ ମାପ ଅଟେ ବରାବର।

।୨୫।

ସଖୀ ଅଂଗ ତିନି ଜାଣ ସଖା ଅଙ୍ଗ ଦୁଇ।

 

ଦେଢ ଆଙ୍ଗୁଳିରେ ଧାତା ବିନ୍ଧାଣି ଅଛଇ।

।୨୬।

 

 

ଦିଗପାଳଙ୍କର ଅଛି ୟେକଇ ଆଙ୍ଗୁଳ।

 

ଅର୍ଦ୍ଧ ଯେ ଆଙ୍ଗୁଳ ଅଛି ନିରଞ୍ଜନଙ୍କର।

।୨୭।

ପଞ୍ଚ ଆଙ୍ଗୁଳିଟି ଜାଣ ଅଟେ ଆଦିଶକ୍ତି ।

 

ତିନି ଆଙ୍ଗୁଳିରେ ଧାତା ବିଧାତା ଅଛନ୍ତି।

।୨୮।

 

 

ଅଷ୍ଟାଦଶ ଅଙ୍ଗୁଳି ଯେ ଏ ଚୂଳ ପ୍ରମାଣ।

 

ୟେ ଚୂଳ ନଥିଲେ କାହୁଂ ଗୋପାଳ ବରଣ।

।୨୯।

ହେଲା ନ ହେଲାକୁ ଭାଇ ନ ଧରିବ ଚିତ୍ତ।

 

ଗୋପାଳଙ୍କ ହିତେ ଯେ କହିଲା ଅଚ୍ୟୁତ।

।୩୦।

 

ଓଗାଳ – ୧୨

ବିଜେ ନଗ୍ର ଗୋପାଳ ଯେ ୟେକମେଳ ହେଲେ।

 

ବିଚାରି ଗୋପାଳ ପୁରେ ଯାଇଣ ମିଳିଲେ।

।୧।

ବୀରସେନ ଗୋପାଳକୁ ଉଗାଳିଲେ ଯାଇ।

 

କଥାୟେକ ପଚାରୁଛୁ କହିଦେବ ଭାଇ।

।୨।

ଦୋଳଯାତ୍ରା ମଣ୍ଡପଟି କି ରୂପ ଅଟଇ।

 

ରାଧାକୃଷ୍ଣ ବିରାଜନ୍ତି ତଥିପରେ ଯାଇ।

।୩।

କି ରୂପେ ସେ ସିଂଘାସନ ହୋଇଛି ନିର୍ମାଣ।

 

ତହିଂରେ ବିଜୟ କରିଛନ୍ତି ରାଧାକୃଷ୍ଣ।

।୪।

କେତେ ବିଶ ହେଲେ ତହିଂ ବିରାଜନ୍ତି ଯାଇ।

 

କି ରୂପେ ଗୋପାଳ ଭୋଗ ମଣୋହି କରାଇ।

।୫।

କି ରୂପେ ମଣ୍ଡଣି ଭେଶେ ବିରାଜନ୍ତି ଯାଇ।

 

କେତେ ବର୍ଣ୍ଣ ହେଲେ ତାଙ୍କୁ ଆସନ ହୁଅଇ।

।୬।

କେତେ ଦ୍ରବ୍ୟ ହୋଇଲେ ସେ ହୁଅନ୍ତି ସୁବେଶ।

 

କିଏ ଭୋଗ ଦେଲେ ରାଧାକୃଷ୍ଣ ଯେ ସନ୍ତୋଷ।

।୭।

ଏଥିର ଉତ୍ତର ଭାଇ ଯେବେ କହିଦେବ।

 

ତେବେ ସିନା ଦୋଳ ମଣ୍ଡପକୁ ଚଳିଯିବ।

।୮।

 

 

ରାଧାକୃଷ୍ଣ ଦେଖିବାକୁ ଆସିଅଛ ଧାଇଂ।

 

ଅଚ୍ୟୁତାନନ୍ଦ ଉତ୍ତର ଦେବ ସିନା କହି।

।୯।

ଉତ୍ତାର

ବୀରସେନ କହୁଛନ୍ତି ଶୁଣ ତୁମ୍ଭେ ଭାଇ।

 

ଭଲା ଗଣ୍ଠି ଓଗାଳ ଯେ ପୁଛିଲ ୟେଠାଇଂ।

।୧।

ନବୀନ କିଶୋରୀ ରୂପ ଅଟେ ଅଗୋଚର।

 

ହର ବ୍ରହ୍ମା ମୁନିଙ୍କି ସେ ନୋହଇ ଗୋଚର।

।୨।

 

 

ନଜାଣିଲା ପ୍ରାୟେ କିଛି ନକହିବ ଭାଇ।

 

ଗଲା ନଗଲାକୁ ଦୋଷ ନ ଧରିବ କେହି।

।୩।

ରାଧିକାଙ୍କ ନଖ କୋଣୁ କୋଟି ଚନ୍ଦ୍ର ତେଜ।

 

ସିଂହାସନେ ବିରାଜିଲେ ଶୋଭାରେ ଦହିଜ।

।୪।

 

 

ସହସ୍ର କମଳ ବର୍ଣ୍ଣ ଶ୍ରୀମୁଖ ଦିଶଇ।

 

ଜ୍ୟୋତି ଅଂଗ ହୋଇ ତହିଂ କୃଷ୍ଣ ବିରାଜଇ।

।୫।

ନ ଚଳଇ ପାଦପାଣି ନୟନ ପିତୁଳି।

 

କୋଟି ସୂର୍ଯ୍ୟ ତେଜ ପ୍ରାୟେ ଶ୍ରୀରାଧାଟି ଝଳି।

।୬।

 

 

ତ୍ରିଭଂଗ ମୋହନ ବଂଶୀ ଧରି କମ୍ବୁପାଣି।

 

ଲତା ବିନ୍ଦୁ ପ୍ରାୟେ ରାଧା ଅଙ୍ଗେ ଛନ୍ତି ପୁଣି।

।୭।

ତାଳୁରେ ତ୍ରିମୁକ୍ତି ଚୂଳ ମୟୁର ଚନ୍ଦ୍ରିକା ।

 

ଚାରି ବର୍ଣ୍ଣ ସଙ୍ଗେ ଗୁଞ୍ଜା ଗୁଞ୍ଜ ପୁଚ୍ଛ ଶିକା।

।୮।

 

 

ଅପୂର୍ବ ମୋହନ ବଂଶୀ ଧରିଣ ଅଧରେ।

 

ଧୀରେ ଧୀରେ ଚୁମ୍ବୁଥାନ୍ତି ମଧୁରେ ମଧୁରେ।

।୯।

ଶୁଣ ଭାଇମାନେ ରତ୍ନ ସିଂହାସନ କଥା।

 

ଯେଉଂ ରୂପେ ଭିଆଣ ତା କହିବା ବେବସ୍ଥା।

।୧୦।

 

 

ଯେତେବେଳେ ଧରିତ୍ରୀ ଆକାଶ କେହି ନାହିଂ।

 

ଶୂନ୍ୟ ପରେ ଶୂନ୍ୟ ଠୁଳ ହୋଇଅଛି ରହି।

।୧୧।

ଅନେକ ଦିନରେ ତାର ରୂପ ପ୍ରକାଶିଲା।

 

ନବୀନ ଗଉର ଶ୍ୟାମ ସୁନ୍ଦର ଦିଶିଲା।

।୧୨।

 

 

ଯୁଗଳ ଅଙ୍ଗରେ ରୂପ ହୋଇଲା ଓମତି।

 

ତେଣୁକରି ନବୀନ କିଶୋର ବୋଲାବନ୍ତି।

।୧୩।

ତ୍ରିଭଙ୍ଗ ମୋହନ ବଂଶୀ ଧରି ବେନି କରେ।

 

ଗୋପାଳ ମୂରତି ଅଙ୍ଗୁ ଶୋଭା ସଦା ଝରେ।

।୧୪।

 

 

 

 

ଚାରି ବେଦ ସିଂହାସନ ଚାରି ଖୁରା ଜାଣ।

 

ଗାୟତରୀ ଛନ୍ଦ ସବୁ ହୋଇଛି ଆସନ।

।୧୫।

ସିଷୁବେଦ ଉପରେ ମଣ୍ଡଣି ହୋଇଅଛି।

 

ଅନନ୍ତ ସହସ୍ର ଫଣୀ ପରେ ବିରାଜନ୍ତି।

।୧୬।

 

 

ନବୀନ ଗୋପାଳ ଅଙ୍ଗ ଧରି କମ୍ବୁ ପାଣି।

 

ଶ୍ରୀ ବିମ୍ବା ଅଧରେ ହସି କହୁଥାନ୍ତି ବାଣୀ।

।୧୭।

ୟେସନେକେ ନିଜ ଅଙ୍ଗୁ ଗୋପାଙ୍ଗନା ଜାତ।

 

ଗୋପାଳ ଭୋଗରେ ସିନା ହୁଅନ୍ତି ଉଷତ।

।୧୮।

 

 

ସାକ୍ଷୀ ରୂପେ ସବୁ ଭୋଗ ବାସ ଯାରେ ଥାଇ।

 

ଗୋପାଳ ଭୋଗ ପାଇଲେ ସନ୍ତୋଷ ହୁଅଇ।

।୧୯।

ତେଣୁକରି ଗୋପାଳ ଶ୍ରୀକୃଷ୍ଣ ନିଜ ଅଙ୍ଗ ।

 

ମୁହୂର୍ତ୍ତେକ ଛଡ଼ା ନାହିଂ ଗୋପାଙ୍ଗନା ସଙ୍ଗ।

।୨୦।

 

 

କନେକ ବକୁଳ ଚମ୍ପା କୁନ୍ଦ ମଲ୍ଲୀ ମାଳ।

 

ଯାଈ ଜୂଇ ସେବତୀ ଯେ ସହସ୍ରେ କମଳ।

।୨୧।

ୟେହି ରୂପେ ଗୋପୀଗଣ ପୁଷ୍ପ ବର୍ଣ୍ଣ ହୋଇ।

 

କିଶୋର କିଶୋରୀଙ୍କର ଅଙ୍ଗେ ବିରାଜଇ।

।୨୨।

 

 

 

 

ଆଦିରୂପା ଗୋପୀକୃଷ୍ଣ ୟେକ ରୂପ ଜାଣ।

 

ୟେହି ରୂପେ ଭୋଗ ଦେଲେ ସନ୍ତୋଷ ବିଧାନ।

।୨୩।

ତୁମ୍ଭେ ଆମ୍ଭେ ଏକ ସିନା ଗୋପାଳ ଭିଆଣ।

 

ରାଧାକୃଷ୍ଣ ଭାବନାରେ ତୋଷ କର ମନ।

।୨୪।

 

 

ଓଗାଳ ଗାଇଣ ମନେ କୃଷ୍ଣ ପ୍ରେମ ଆଣ।

 

ଗୀତରେ ଅଚ୍ୟୁତ କହେ ଶୁଣ ସାଧୁଜନ।

।୨୫।

 

Unknown

ତୃତୀୟ ଭାଗ

ଲଉଡ଼ି ଗୀତ

ଆସ ଆସରେ ଭାଇ      ଲଉଡ଼ି ଖେଳିବା ପାଇଁ

ଆନନ୍ଦେ ରାଧାକୃଷ୍ଣଙ୍କ ନାମକୁ ଗାଇ।

ହାତେ ଲଉଡ଼ି ଧରି      କୃଷ୍ଣ ନାମକୁ ସ୍ମରି

ଏ ଭବସାଗରୁ ଆମେ ଯିବାକ ତରି।

 

ଜନମି ଗୋପପୁରେ       ରହି ନନ୍ଦ ମନ୍ଦିରେ

ନାମ ପାଇଲେ ଏକବିଂଶ ଦିନରେ।

ସନକ ଋଷି ଥିଲେ      କୃଷ୍ଣ ନାମକୁ ଦେଲେ

ଗୈାତମ ଋଷି କାହ୍ନୁ ବୋଲି ଡ଼ାକିଲେ।

 

ଜନକ ଟେକି ହାଥ      ଡାକନ୍ତି ଗୋପୀନାଥ

ଅଗସ୍ତି ବୋଲେ ଦଇତାରି ଅଚ୍ୟୁତ।

ଜନାର୍ଦ୍ଦନ ମୁରାରି      ଦୁଇ ନାମକୁ ସ୍ମରି

ଅଙ୍ଗିରା ଋଷି ଦେଲେ କଲ୍ୟାଣ କରି।

 

ବିଶ୍ୱାମିତ୍ର ବିଚାରି      ଗୋବିନ୍ଦ ଚକ୍ରଧାରି

ନାମକରଣ କଲେ ଶରଧା କରି।

ଜଗନ୍ନାଥ ମାଧବ      ନରହରି କେଶବ

ନାରଦ ଋଷି ଦେଲେ ଏ ନାମ ସର୍ବ।

 

ନାମକରଣ ପରେ      ଗଲେ ଯେ ଯେଝା ପୁରେ

ଅପସରୀଗଣ ମିଳି ନନ୍ଦ ମନ୍ଦିରେ।

ଗୋପେ ଗୋପ ଗୁଆଳି      ଦିଅନ୍ତି ହୁଳହୁଳି

ଆନନ୍ଦେ ନନ୍ଦପୁର ପଡ଼େ ଉଛୁଳି।

 

ସ୍ୱର୍ଗେ ଦୁନ୍ଦୁଭିମାନ      ଶୁଭିଲା ଘନଘନ

ବାଜିଲା ତା ସଙ୍ଗେ ପଞ୍ଚସ୍ୱରର ସ୍ୱନ।

ମାରକଣ୍ଡ ଆସନ୍ତି      ବୋଲନ୍ତି ଶୀରିପତି

ଦୈତ୍ୟ ନାଶିବ ଆମ୍ଭ ଏହି ମିନତି।

 

ଶେଷେ ବ୍ରହ୍ମା ଆସିଲେ      ମୋହନ ବଂଶୀ ଦେଲେ

ଅଚ୍ୟୁତ ରାଧାକୃଷ୍ଣଙ୍କ ଗୀତ ଗାଇଲେ।

 

ବାଲ୍ୟଲୀଳା

ଶୁଣ ସୁଜନେ ଦେଇ ଦିବ୍ୟ ଚିତ୍ତ

 

ରାମକୃଷ୍ଣଙ୍କର ବାଳ ଚରିତ॥

।୧।

ଦିନେ ଯଶୋଦା ରୋହିଣୀ ବସିଣ।

 

ରାମକୃଷ୍ଣଙ୍କୁ ନଚାନ୍ତି ଧରିଣ ॥

।୨।

ସର୍ବ ଗୋପ ଗୋଈ ଘରି ବସିଲେ।

 

ନାଚ ନାଚ ବୋଲି କରି କହିଲେ॥

।୩।

ଉଭା କରି ତାଳି ମାରି ନାଚଇ।

 

ନାନା ରଙ୍ଗେ ତାଳି ମାନ ବଜାଇ॥

।୪।

ବାଇଧନ ବାଇଧନ ନାଟୁଆ।

 

ଶଠ ଲମ୍ପଟ ଯେ ପୀତପୁଟିଆ॥

।୫।

କୃଷ୍ଣ ନାଚନ୍ତି ଗୋପୀଙ୍କ ତାଳିରେ।

 

ଅଙ୍ଗ ସୁଭଙ୍ଗ ଚାହାଣୀ ଚାଲିରେ॥

।୬।

କର ଚରଣେ ତାଳମାନ ଦେଇ।

 

ଲାଞ୍ଚ ସର ଲବଣୀ ଦ୍ୟନ୍ତି ନେଇ॥

।୭।

ଭୁଞ୍ଜି ପଣତେ ବଦନ ପୋଛନ୍ତି।

 

ଗୋପୀମାନଙ୍କ ପଛରେ ଲୁଚନ୍ତି॥

।୮।

 

 

ଯଶୋଦା ବୋଲନ୍ତି କାହ୍ନୁ ମୋ କାହିଂ।

 

ହସିଦେଇ ବାଙ୍କେ ଦିଅନ୍ତି ଚାହିଂ॥

।୯।

କୃଷ୍ଣ ଟଳମଳ ହୋଇ ନାଚନ୍ତି।

 

ଧଡ଼ପଡ଼ ହୋଇ କୋଳେ ପଶନ୍ତି॥

।୧୦।

 

 

ବେନି କୁଞ୍ଜା ଶିକାପରେ ଥୋଇଣ।

 

ଦୁଧ ଭାର ନିଅ କହ୍ନାଇ ପୁଣ॥

।୧୧।

ଗୋପୀ ବୋଲନ୍ତେ ଭାରକୁ ଉଠାନ୍ତି।

 

ଧୀରେ ଧୀରେ ଚାଲି ତଳେ ପଡ଼ନ୍ତି॥

।୧୨।

 

 

ଓଷ୍ଠ ଛିଡ଼ିଣ ରୁଧର ଗଳଇ।

 

ମଲି ମଲି ବୋଲି ରାହା ଧରଇ॥

।୧୩।

କୋଳେ ଧରି ଆଉଂସି ଚାଟୁ କରି।

 

ଗୀତ ଗାଇ ଶୁଣାଇ ଗେଲ କରି॥

।୧୪।

 

 

ମାତା ଶୁଆଇ ଯାଆନ୍ତେ ବାହାରେ।

 

ଉଠି ପ୍ରବେଶ ହୁଅନ୍ତି ଦୁଆରେ॥

।୧୫।

ଧାଇଂ ଧରି ଯଶୋବନ୍ତୀ ବୋଲନ୍ତି।

 

କେଶ ଅସମ୍ଭାଳ ହୋଇ ଲୋଟନ୍ତି॥

।୧୬।

 

 

ଛାଡ଼ିଦେଲେ ସେହୁ ଦାଣ୍ଡେ ବୁଲନ୍ତି।

 

ସାଙ୍ଗମାନଙ୍କ ସଙ୍ଗତେ ଖେଳନ୍ତି॥

।୧୭।

କରି ଧୂଳିଘର ଭାତ ତିଉଣ।

 

ଯେତେ ସମ୍ଭାର ଧୂଳିରେ ଭିଆଣ॥

।୧୮।

 

 

କେତେବେଳେ ଗୋଳକରି ଲୁଚନ୍ତି।

 

ପାଦେ ଭାଣ୍ଡଭାଙ୍ଗି ପୁରେ ପଶନ୍ତି॥

।୧୯।

ଦିନୁଂଦିନୁ ବଢେ ବାଳ ରଚିତ।

 

ଯାଇ ଆସି ପାରିଲେ ନନ୍ଦସୁତ॥

।୨୦।

 

 

ଗୋପୀମାନଙ୍କ ଘରେ ଘରେ ପଶି।

 

ଦହି ଦୁଧ ଖାଆନ୍ତି ହୋଇ ଖୁସି॥

।୨୧।

ଅତି ବିକଳ ହୋଇ ଗୋପନାରୀ।

 

ଯଶୋଦାର ଆଗେ କଲେ ଗୁହାରି॥

।୨୨।

 

 

ଏକ ଗୋପୀଏ ବୋଲଇ ଭୋ ଦେବୀ।

 

ତୋର କୁମରେ ହେଲୁ ପରାଭବି॥

।୨୩।

ଆଜ ଗୋ ପୁଅ ଘରେ ମୋ ପଶି।

 

ସର ଲବଣୀ ଖାଏ ହୋଇ ଖୁସି॥

।୨୪।

 

 

 

 

ଦଧି ଦୁଧ ସବୁ ଦେଲା ଇଡ଼ାଇ।

 

ମୋର ସମ୍ପଦ ଧଇଲା ବୁଡ଼ାଇ॥

।୨୫।

ଶାଶୁ ଅନେକ ମୋତେ ଗାଳି ଦେଲେ।

 

ଘରେ ଥାଇ ତୁ ନ ଜାଣିଲୁ ଭଲେ॥

।୨୬।

 

 

ଆନ ଗୋପୀ ଯଶୋଦା ପାଦେ ପଡ଼ି।

 

ଶୋକେ କହଇ ବେନି କରଯୋଡ଼ି॥

।୨୭।

ମୋର ପୁରେ ଯାଇଥିଲା କହ୍ନାଇ।

 

ଅଚେତରେ ଶୋଇଥିଲି ଅନାଇ॥

।୨୮।

 

 

ଶିକା ପରେ ହାଣ୍ଡି ଅଛି ଚାହିଂଲା।

 

ହେଲେ ଚଢି ସର ସବୁ ଖାଇଲା॥

।୨୯।

ଶିକା ଛାଡ଼ି ନଉତି ଗଲା ଭାଙ୍ଗି।

 

ଚେତାପାଇ ଚାହିଂଲି ଉଦବେଗି॥

।୩୦।

 

 

ଧଡ଼ପଡ଼େ ଉଠନ୍ତେ ମୁଂ ଅନାଇଂ।

 

ଧାଇଂ ଧରନ୍ତେ ଅଇଲା ପଳାଇ॥

।୩୧।

ଶାଶୁ ଆଗେ ମୋର ଆସି କହିଲା।

 

ବୋହୂ ସର ହାଣ୍ଡି ତୋର ଖାଇଲା॥

।୩୨।

 

 

 

 

ଦେଖି ବୋଇଲା କି କଲୁ ଗୁଆଳୀ।

 

ମୋତେ ମାରି ଗୋଡ଼ାଇ ଦେଲା ଗାଳି॥

।୩୩।

ସତ ପରି ମଣିଲା ମୋର ଶାଶୁ।

 

ନାନା ଭର୍ତ୍ସିଲା ମନ୍ଦିରେ ନ ପଶୁ॥

।୩୪।

 

 

ଆଉ ଗୋପୀ ଏକ ବୋଲେ ଶୁଣିମା।

 

ତୁମ୍ଭ କୁମରର ଯେତେ ମହିମା॥

।୩୫।

ଲୁଚି ଗମ୍ଭୀରା ଭିତରେ ପଶିଲା।

 

ଅଙ୍ଗ ଲୁଚାଇ ମଞ୍ଚାରେ ବସିଲା॥

।୩୬।

 

 

ଯେତେ ଥିଲା ଗୋରସ ଯେ ଖାଇଲା।

 

କୁଳ ଦେବତା ବୋଲି ଡ଼ରାଇଲା॥

।୩୭।

ମୁଂ ତ ଅଟଇ ତୋ ବଡ଼ ବଡ଼ୁଆ।

 

ଭୋଗ କର ସର ଲବଣୀ ଖୁଆ॥

।୩୮।

 

 

ନାନା ଦ୍ରବ୍ୟରେ ମୋ ଗର୍ଭ ପୂରାଅ।

 

ମୋର ଉଦର ସନ୍ତୋଷ କରାଅ॥

।୩୯।

ନହେଲେ ଗୋ ନାଶିଯିବ ସମସ୍ତେ।

 

ଶୁଣି ଭୟେ ପାଦେ ହେଲୁ ନମସ୍ତେ॥

।୪୦।

 

 

 

 

ନାନା ଦ୍ରବ୍ୟ ଯେ ଆଣିଲୁ ଯୋ ଯାଇ।

 

ସବୁ ଦେଲୁ ଗମ୍ଭୀରାକୁ ବଢାଇ॥

।୪୧।

କର ବଢାଇ ସମସ୍ତ ଖାଇଲା।

 

କରେ ବେନି ଆଖି ବୁଜ କହିଲା॥

।୪୨।

 

 

ଆଜ୍ଞା ପାଇଣ ନୟନ ବୁଜିଲୁ ।

 

ନେତ୍ର ଅଳପ ଫିଟାଇ ଦେଖିଲୁ॥

।୪୩।

ଏତେ ବୁଦ୍ଧି ତାକୁ କାହୁଂ ଆସିଲା।

 

ଏକ ଗୋପୀ ଆଗେ ଆସି ଭାଷିଲା॥

।୪୪।

 

 

କାଲି ଯାଇଥିଲା ମୋର ମନ୍ଦିରେ।

 

ପୁଅ ପଡ଼ିଥିଲା ତୋର ବନ୍ଦୀରେ॥

।୪୫।

ଶାଶୁ ବୁଢ଼ୀ ମୋର ଯାଇଂ ଧଇଲା।

 

ରଜ୍ଜୁ ଆଣି ବାନ୍ଧ ମୋତେ ବୋଇଲା॥

।୪୬।

 

 

ଶୁଣି ମୋର ମୁଖ ଚାହିଂ କହିଲା।

 

ଦେଖି ହୃଦେ ମୋର ଦୟା ବସିଲା॥

।୪୭।

ପେଲି ପକାଇ ଡ଼େଇଂଣ ଅଇଲା।

 

ଶାଶୁ ଗାଳି ଦେଇ ଚଳି ଅଇଲା॥

।୪୮।

 

 

 

 

ନିତି ନିତି ଏ ରୂପେ ଡାକ ଦେଲା।

 

ଆଜି ଯୋଗେଣ ବନ୍ଦୀ ପଡ଼ିଥିଲା॥

।୪୯।

ରଜ୍ଜୁ ମାଗନ୍ତେ ନ ଦେଲୁ ବଢାଇ।

 

ଠେଲି ପକାଇ ଗଲା ସେ ପଳାଇ॥

।୫୦।

 

 

ତୋର ହେତୁ ମୋର ନାଶ ହେଉଛି।

 

ଏଡ଼େ ସାହସ କାହୁଂ ନନ୍ଦବଛି॥

।୫୧।

ଆଗ ହୋଇ ଆନ ସଖୀ ବୋଇଲା।

 

କେତେ ହୁନ୍ଦର ଜାଣେ ସେ ଛଇଳା॥

।୫୨।

 

 

ଦଧି ମନ୍ଥୁଥିଲି ଆସି ଜୁଟିଲା।

 

ମୋତେ ଲବଣୀ ମେଞ୍ଚାଏ ମାଗିଲା॥

।୫୩।

ମୁହିଂ ବୋଇଲି ଦଣ୍ଡେ ଥାଅ ରହି।

 

ଖୁଆ କାଢ଼ିଲେ ଲବଣୀ ଦେବଇଂ॥

।୫୪।

 

 

ଏତିକିରେ ସେ ବିରାଗ ପାଇଲା।

 

ଦଧିଭାଣ୍ଡେ ଶିଳପତା ମାଇଲା॥

।୫୫।

ନାରଖାର ହୋଇଗଲା ଗୋରସ।

 

ସବୁ ଦୁଷ୍ଟଙ୍କୁ ତୋ ପୁଅ ସରସ॥

।୫୬।

 

 

 

 

ମୁଂ ତ ଗୋଡାନ୍ତେ ଗଲାକ ପଳାଇ।

 

ନାନା ମାଡ଼ଗାଳି ଦେଲା ଚଢାଇ॥

।୫୭।

କାନ୍ଦିଣ କହେ ଆରେକ ଗୁଆଳୀ।

 

କାଲି ମଥୁରା ବିକି ଯାଇଥିଲି॥

।୫୮।

 

 

ବଡ଼ ରଙ୍ଗିଆ ସେହି ବନମାଳୀ।

 

କଥା କହୁଥାଏ ଭଳିକି ଭଳି॥

।୫୯।

ମାୟା କରିଣ କେତେ ନାଟ କଲା।

 

ସର ଲବଣୀ ସବୁ ସେ ଖାଇଲା॥

।୬୦।

 

 

ଖସିଗଲା ମୋ ଆସିବା ବେଳକୁ।

 

ଲୁଚି ପଳାଇ ବାଳକ ମେଳକୁ॥

।୬୧।

ମାୟେ ଶୁଣିଲେ ଗୋପୀଙ୍କ ଗୁହାରି।

 

ପୁତ୍ର ଲୀଳା ଯେ କରନ୍ତି ଏପରି॥

।୬୨।

 

 

ସତ ଜାଣିଲି ଏ ସବୁରି ବଚନ।

 

କେତେ କାହାର ନାଶ କଲା ଧନ॥

।୬୩।

ଶୁଣି ଗୋପୀ ଅତି ଲାଜ ପାଇଲେ।

 

ବଳରାମ ଯଶୋଦାଙ୍କୁ କହିଲେ॥

।୬୪।

 

 

 

 

ମାୟେ ତୋର ପୁଅ ମାଟି ଖାଇଲା।

 

ଧରି ଛଡ଼ାବନ୍ତେ ମୋତେ ମାଇଲା॥

।୬୫।

ଶୁଣି ଛାଟ ଧରି ମାତା ଧାଇଂଲେ।

 

କୃଷ୍ଣ ଖେଳିବା ଠାବରେ ମିଳିଲେ॥

।୬୬।

 

 

ଲୁଚି ଧରିଲେ ଯଶୋବନ୍ତୀ ଯାଇଁ।

 

ମାଟି ପକାଇଲେ ଛାଟ ଉଞ୍ଚାଇ॥

।୬୭।

ନିତି ଗୋପୀଙ୍କ ଘରେ କରୁ ଡ଼କା।

 

ଛାଟ ନ ଖାଉ ବେଗେ ମାଟି ପକା॥

।୬୮।

 

 

ଭୟେ ଆତଙ୍କେ ବୋଲନ୍ତି ଗୋବିନ୍ଦ।

 

ଖଚ କହୁଅଛି ୟେ ଗୋପୀବୃନ୍ଦ॥

।୬୯।

ତୋହ କରରୁ ବେଗେ ଚାଟ ପକା।

 

ମାତା ବୋଲନ୍ତି ତୋର ତୁଣ୍ଡ ଦେଖା॥

।୭୦।

 

 

ଶୁଣି ବଦନ ବିସ୍ତାରେ କହ୍ନାଇ।

 

ମାଏ ନିରେଖି କରିଣ ଅନାଇ॥

।୭୧।

ଗର୍ଭେ ଅଶେଷ ବ୍ରହ୍ମାଣ୍ଡ ଦେଖିଲେ।

 

ମୂର୍ଚ୍ଛା ଯାଇ ପୁଣି ଚେତି ବସିଲେ॥

।୭୨।

 

 

 

 

ଯେତେ ରେଣୁ ଦିଶେ ସେତେ ବ୍ରହ୍ମାଣ୍ଡ।

 

ନଦୀ ପର୍ବତ ଭୂମି ଦ୍ୱୀପ ଖଣ୍ଡ॥

।୭୩।

ବନ ଉପବନ ନଗ୍ର ପାଟଣା।

 

ଜନପରଜା ସଂସାର ଘଟନା॥

।୭୪।

 

 

ଭୟେ କାତରେ ଚିତ୍ତ ଯେ କମ୍ପଇ।

 

ସତ ସପନ କି ବୋଲି ଭାବଇ॥

।୭୫।

ଖେଦ ଜଳଧିରେ ଚିତ୍ତ ବୁଡ଼ାଇ।

 

କାଖ କରିଣ ପଣତ ଘୋଡ଼ାଇ॥

।୭୬।

 

 

ପୁତ୍ର ଘେନିଣ ମନ୍ଦିରେ ପଶିଲେ।

 

ପୂର୍ଣ୍ଣମାସୀ ପାଦତଳେ ବସିଲେ॥

।୭୭।

ବାଲ୍ୟଲୀଳା ଗୀତ ହେଲା ସମ୍ପୁର୍ଣ୍ଣ ।

 

ଗୀତେ ଭଣିଲେ ଅଚ୍ୟୁତ ଅଜ୍ଞାନ॥

।୭୮।

 

ଓଗାଳ – ୧

ପଦ୍ମାଭିସାର

ଜୟ ଜୟ ଗଣନାଥ ଗଉରୀ ନନ୍ଦନ।

 

ପୃଥୁଳ ଉଦର ନାଥ ଇନ୍ଦୁର ବାହନ॥

।୧।

ଜୟ ଜୟ ଯୋଗେଶ୍ୱର ଦେବ ପଞ୍ଚାନନ।

 

ତୁହି ପ୍ରଭୁ ଶମନର ଦରପ ଧ୍ୱଂସନ॥

।୨।

 

 

ବନ୍ଦଇ ସେ କୃପାଜଳ ମହାଋଷି ପୁତ୍ରୀ।

 

ସତ୍ୟଯୁଗେ ନର୍ମଦା ତୋ ନାମ ସରସ୍ୱତୀ॥

।୩।

କଳି କାଳ ଧ୍ବଂସନୀ ଗୋ ଝଙ୍କଡ଼ବାସିନୀ।

 

ଜନ୍ମେ ଜନ୍ମେ ମୁଂ ତୋହର ଦାସ ଗୋ ଜନନୀ॥

।୪।

 

 

ଶୁଣ ହେ ଗୋପାଳ ଭାଇ ସ୍ଥିରକରି ମନ।

 

ପଚାରୁଛି କିଛି ରାଧାକୃଷ୍ଣଙ୍କ ବିଧାନ॥

।୫।

ଏକ ଦିନେ କାଖେ କୁମ୍ଭ ଧରି ବିନୋଦିନୀ।

 

ଯମୁନା କୂଳେ ଭେଟିଲେ ସେ ମୁରଲୀପାଣି॥

।୬।

 

 

ରାଧାଙ୍କୁ ଦେଖି ସାନନ୍ଦେ ବୋଲନ୍ତି କହ୍ନାଇ।

 

ଆଜ ତୋର ପୁରେ ରାତ୍ରେ ଯିବି ପ୍ରାଣସହୀ॥

।୭।

ଏହା ଶୁଣି ବିନୋଦିନୀ ଆନନ୍ଦ ମନରେ।

 

ଜଳକୁମ୍ଭ ଧରିଣ ସେ ମିଳିଲେ ଗୃହରେ॥

।୮।

ଶୀଘ୍ର ଶୀଘ୍ର ଗୃହକାର୍ଯ୍ୟ ସାରି ବିନୋଦିନୀ।

 

ଚନ୍ଦ୍ରସେଣା ଗୋ-ଗୋଷ୍ଠକୁ ଗଲା ତତକ୍ଷଣି॥

।୯।

ଶ୍ରୀକୃଷ୍ଣଙ୍କ କଥା ରାଈ ମନରେ ଭାଳିଲେ।

 

ଲଳିତା ବିଶାଖା ଆଦି ସଭିଙ୍କୁ ରାଇଲେ॥

।୧୦।

ବୋଇଲେ ଯମୁନା କୂଳେ କହ୍ନାଇ ଦେଖିଲି।

 

ସଙ୍କେତ କରିଅଛନ୍ତି ଆସିବେ ସେ ବୋଲି॥

।୧୧।

ପଦ୍ମ ପୁଷ୍ପେ କୁଞ୍ଜ ଆଜ କରିବା ରଚନା।

 

ଦେଖିଲେ ଆନନ୍ଦ ହୋଇବେ ସେ ନନ୍ଦକାହ୍ନା॥

।୧୨।

ଏତେ ବୋଲି ରାଈ ଗୃହୁଂ ବାହାର ହୋଇଲେ।

 

ପଦ୍ମବନ ନିକଟରେ ଯାଇଣ ମିଳିଲେ॥

।୧୩।

ଆନନ୍ଦ ମନେ ତୋଳନ୍ତି ରହି ପଦ୍ମ ପରେ।

 

ସେ ସମୟେ ସୂର୍ଯ୍ୟଦେବ ଗଲେ ଅସ୍ତାଚଳେ॥

।୧୪।

ସୂର୍ଯ୍ୟଙ୍କୁ ନଦେଖି ପଦ୍ମ ମୁଦ୍ରିତ ହୋଇଲା।

 

ପଦ୍ମ ପୁଷ୍ପ ମଧ୍ୟେ ବିନୋଦିନୀ ଯେ ରହିଲା॥

।୧୫।

ରାତ୍ର ଆସିଣ ହୋଇଲା ଘଡ଼ିୟେକ ପୁଣ।

 

ତେଣେ ରାଧା ମନ୍ଦିରରେ ମିଳିଲେ ମୋହନ॥

।୧୬।

ରାଧାଙ୍କୁ ନଦେଖି ବଡ଼ ଦୁଃଖିତ ମନରେ।

 

ବିଶାଖା ଆଦିଙ୍କୁ ତହୁଂ ପୁଚ୍ଛନ୍ତି କ୍ରୋଧରେ॥

।୧୭।

ସେ ବୋଇଲେ ରାଈ ଗଲେ ପଦ୍ମ ପୁଷ୍ପ ତୋଳି।

 

ଏତେବେଳ ହେଲା କିମ୍ପା ନଇଲେ ସେ ଚଳି॥

।୧୮।

କେଉଂଠାକୁ ଗଲେ ଅବା ନ ପାରିଲୁ ଜାଣି।

 

ଧ୍ୟାନରେ ଜାଣିଲେ ତହୁଂ ସେ ମୁରଲୀପାଣି॥

।୧୯।

ପଦ୍ମକେଶର ମଧ୍ୟରେ ଅଛି ବିନୋଦିନୀ ।

 

କେଉଂପରି ଆସିବେ ସେ ପଦ୍ମ ପୁଷ୍ପ ଘେନି॥

।୨୦।

ଆହେ ଭାଇ ସର୍ବେ ଶୁଣିଲ ତ ଦେଇ ମନ।

 

କିପରି ରାଧା କୃଷ୍ଣଙ୍କ ହୋଇବ ମିଳନ॥

।୨୧।

ଏ କଥା ସଂକ୍ଷେପି ମୋତେ କହିଦିଅ ଭାଇ।

 

କହନ୍ତି ଅଚ୍ୟୁତ ଜନେ ଆନନ୍ଦିତ ହୋଇ॥

।୨୨।

ଉତ୍ତାର

ଜୟ ଜୟ କୃଷ୍ଣଚନ୍ଦ୍ର ଜୟ ଚକ୍ରଧାରୀ।

 

ଜୟ ଜୟ ରାମଚନ୍ଦ୍ର ଜୟ ରାବଣାରି॥

।୧।

ଜୟ ଜୟ ମୀନରୂପୀ କଚ୍ଛପାବତାର।

 

ନୃସିଂହ ବରାହ ଯମଦଗ୍ନିଙ୍କ କୁମର॥

।୨।

 

 

ଏମାନଙ୍କ ପାଦପଦ୍ମେ କରିଣ ବନ୍ଦନ।

 

ପ୍ରାର୍ଥନା କରୁଛି ଦାସ ଦିଅ ସଦଜ୍ଞାନ॥

।୩।

ଶୁଣ ହୋ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ଭଲା ସନ୍ଧି ଓଗାଳ ତ ପୁଚ୍ଛିଲ ଏଠାଇଂ॥

।୪।

 

 

ରାଧାଙ୍କୁ ନ ପାଇ କୃଷ୍ଣ ମହାଦୁଃଖ ଭରେ।

 

କି କରିବି ବୋଲି ସେହୁ ଭାଳିଲେ ମନରେ॥

।୫।

ସୁଦର୍ଶନ ଚକ୍ରକୁ ସେ ଭାବିଲେ ମନରେ।

 

ତତକ୍ଷଣି ସୁଦର୍ଶନ ମିଳିଲା ଛାମୁରେ ॥

।୬।

 

 

ବୋଇଲେ ତୁ ପଦ୍ମବନେ ଶୀଘ୍ର ହୋଇଯିବୁ।

 

ସହସ୍ର କିରଣ ସୂର୍ଯ୍ୟ ତେଜ ବିକାଶିବୁ॥

।୭।

ଏହା ଶୁଣି ସୁଦର୍ଶନ ଶୀଘ୍ର ହୋଇଗଲା।

 

କୋଟିଏ ସୂର୍ଯ୍ୟର ତେଜ ହୋଇ ପ୍ରକାଶିଲା॥

।୮।

 

 

ପ୍ରଭାତ ହେଲା ବୋଲିଣ ପଦ୍ମ ଯେ ଫୁଟିଲେ।

 

ତହିଂ ମଧ୍ୟୁ ବିନୋଦିନୀ ବାହାର ହୋଇଲେ॥

।୯।

ଶ୍ରୀକୃଷ୍ଣଙ୍କ ପାଶେ ରାଈ ମିଳିଲେ ତକ୍ଷଣ।

 

ରାଧାଙ୍କୁ ଦେଖିଣ କୃଷ୍ଣ ଆନନ୍ଦିତ ମନ॥

।୧୦।

 

 

ରାଧାକୃଷ୍ଣ ମିଳି ମହାକେଳି କଲେ ଧ୍ୟାନ।

 

ପ୍ରଭାତକୁ ନିଜ ଗୃହେ କରିଲେ ଗମନ॥

।୧୧।

ଆହେ ଭାଇମାନେ ଶୁଣିଲ ତ ମନ ଦେଇ।

 

ଗୋପାଳଙ୍କ ହିତେ ଏହା ଅଚ୍ୟୁତ କହଇ॥

।୧୨।

 

ଓଗାଳ – ୨

ଗୋପାଳ କୁମରମାନେ ହୋଇ ଏକ ମେଳ।

 

ଦୋଳଯାତ୍ରା କରିବାକୁ କଲେ ଅନୁକୂଳ॥

।୧।

ଦାମ ଗୋପାଳଙ୍କୁ ଚାହିଂ ସୁଦାମ ଗୋପାଳ।

 

ହସ ହସ ହୋଇଣ ଯେ ପୁଛ୍ଛନ୍ତି ଓଗାଳ॥

।୨।

ରହ ରହ ଗାୟକ ହୋ ପଚାରୁଛି ମୁହିଂ।

 

ଓଗାଳ ଉତ୍ତର ମୋତେ କହିବା ବୁଝାଇ॥

।୩।

କେ ତୁମ୍ଭର ପିତାମାତା କେ ତୁମ୍ଭର ଇଷ୍ଟ।

 

କେ ତୁମ୍ଭର ଜ୍ଞାନଦାତା କେ ତୁମ୍ଭର ଗୋଷ୍ଠ॥

।୪।

କିଏ ଦେଲା ତିଳକ ଯେ କିଏ ଦେଲା ଭେକ।

 

କେ ଦେଲା ଘାଗଡ଼ା ମାଳି ଗଳା ଚାରିପାଖ॥

।୫।

କେହୁ ଦେଲା ବଂଶୀ ସେହୁ ଅଟେ କେତେ ପବ।

 

କେଉଂ ରନ୍ଧ୍ରେ କି କି ସ୍ୱନ କହ ଏହା ଭାବ॥

।୬।

ଶିଙ୍ଗା ବଜାଉଛ କେଉଂ ମନ୍ତ୍ରନ୍ୟାସ କରି।

 

କେଉଂଠାରୁ ଶିଙ୍ଗା ଗୋଟି କରେ ଅଛ ଧରି॥

।୭।

ଅଣ୍ଟାରେ କାଛେଟା ପୁଣି ବାନ୍ଧିଛ ଘାଗୁଡ଼ି।

 

କେଉଂଠାରୁ ପାଇଲ ହେ ଏତେ ଲମ୍ବା ବାଡ଼ି॥

।୮।

 

 

ଜାମୁଡ଼ାଳ ଗୋଟି ଭାଇ କାହୁଂ ଯେ ପାଇଲ।

 

ଶିରରେ ଖୋସିଣ ମୁଣ୍ଡ ହଲାଇ ନାଚିଲ॥

।୯।

କେତେ ଗୁଣେ ଖେଳ କେତେ ଗୁଣେ ନୃତ୍ୟ ରଙ୍ଗ।

 

କେଉଂ ମନ୍ତ୍ର ସ୍ମରି କଲ ଏ ଗୋଷ୍ଠ ପ୍ରସଙ୍ଗ॥

।୧୦।

 

 

ଘରୁ ବାହାରିଲା ବେଳେ କି ମନ୍ତ୍ର ଚିନ୍ତିଲ।

 

କେଉଂ ମନ୍ତ୍ର ଉଚ୍ଚାରି ଯେ ନୃତ୍ୟରଙ୍ଗ କଲ॥

।୧୧।

ଗୋପାଳ ଅଂଶରେ ଯେବେ ହୋଇଛ ଜନମ।

 

ତେବେ କହିଦେବ ଭାଇ ଓଗାଳ ମରମ॥

।୧୨।

 

 

ଗୁରୁସେବା କରିଥିଲେ ନିଶ୍ଚୟ କହିବ।

 

ଅଣଗୁରୁଆ ଥିଲେଟି ପଳାଇଣ ଯିବ॥

।୧୩।

ପଳାଇଣ ଗଲେ ଭାଇ ଛାଡ଼ି ମୁଂ ନ ଦେବି।

 

ବଂଶୀ ଶିଙ୍ଗା ଘାଗୁଡ଼ି ହୋ ଛଡ଼ାଇ ରଖିବି॥

।୧୪।

 

 

ଶିକା ଯେ ବାଉଙ୍ଗୀ ଭାଇ କଏ ଦେଲା ତୋତେ।

 

ଯେଉଂ ଭାଣ୍ଡେ କ୍ଷୀର ତୁମ୍ଭେ ରଖିଛ ନିରତେ॥

।୧୫।

ସେ ଭାଣ୍ଡଟି କିଏ ଦେଲା ଗଢିଥିଲା କିଏ।

 

ପୋଡା କିମ୍ବା କଞ୍ଚା କହିଦେବ ଏ ସଭାୟେ॥

।୧୬।

 

 

 

 

ସବୁ ଧୁଆ ତୁମ୍ଭ ଘରେ ଅଧୁଆଟି କିସ।

 

ଏ ସଭା ମଧ୍ୟରେ କହ ତହିଂର ସନ୍ଦେଶ॥

।୧୭।

ଏହା ଯେବେ ନ କହିଣ ଗୃହେ ଚାଳିଯିବ।

 

ଶ୍ରୀକୃଷ୍ଣଙ୍କ ଦ୍ରୋହୀ ତୁମ୍ଭେ ଯୁଗେ ଯୁଗେ ହେବ॥

।୧୮।

 

 

କହଇ ଅଚ୍ୟୁତାନନ୍ଦ ଯୋଡ଼ି ବେନି କର।

 

ଅପରାଧ କ୍ଷମା କର ଜଗତ ଠାକରୁ॥

।୧୯।

ଉତ୍ତାର

ଶୁଣ ହୋ ଗୋପାଳ ଭାଇ ସ୍ଥିରକରି ଚିତ୍ତ।

 

ପଚାରୁଅଛ ଗୋପାଳ ଜନମ ଚରିତ॥

।୧।

ସୁଦେବ ବୋଲିଣ ଏକ ବ୍ରାହ୍ମଣ ଯେ ଥାଇ।

 

ତାହାର ଭାରିଯା ନାମ ସାରଦା ଯେ ହୋଇ॥

।୨।

 

 

ଯେଉଂଦିନ ଆପ ତେଜ ବାୟୁ ଯେ ନଥିଲେ।

 

ସେଠାରୁ ଅଣ୍ଡିର ମାଈ ଦୁଇ ଜନମିଲେ॥

।୩।

ଯହୁଂ ପୂରିଲା କପିଳା କ୍ଷୀରେ ବସୁନ୍ଧରୀ।

 

ବ୍ରହ୍ମାର ନନ୍ଦନ ଯେ ଗୋପାଳ ଜାତ କରି॥

।୪।

 

 

କପିଳାକୁ ପାଳ ବୋଲି ନିରାକାର ଦେଲେ।

 

ଦଧି ଘୃତ ଅଧାମ ଯେ କର ହୋ ବୋଇଲେ॥

।୫।

ସେ ସାରଦା ଦେବୀଠାରୁଂ ତିନି ପୁତ୍ର ଜାତ।

 

ବସୁଦେବ ବୋଲିଣ ତାହାର ଜ୍ୟେଷ୍ଠ ସୁତ॥

।୬।

 

 

ଅର୍କଦେବ ବୋଲିଣ ମଧ୍ୟମ ସୁତ କହି।

 

କନିଷ୍ଠ ପୁତ୍ରର ନାମ ଚିତ୍ରଦେବ ହୋଇ॥

।୭।

ବସୁଦେବ ନନ୍ଦନ ଯେ ଗୋପପୁରେ ଥିତି।

 

କେଳିନନ୍ଦ କଳନନ୍ଦ ତାହାଙ୍କର ନାତି॥

।୮।

 

 

ଏବେ ସାବଧାନେ ଶୁଣ କହିବି ମୁଂ ତୋତେ।

 

ମଥୁରାପୁରେ ରହିଲେ ଅର୍କଦେବ ସୁତେ॥

।୯।

ମହୀଘୋଷ ବିଦ୍ୟୁଘୋଷ ସୁଘୋଷ ତ୍ରିମୁର୍ତ୍ତି।

 

ଏହି ସିନା ଅଟନ୍ତି ଯେ ଅର୍କଦେବ ନାତି॥

।୧୦।

 

 

ଚିତ୍ରଦେବଙ୍କ ନନ୍ଦନ ତିନିଗୋଟି ଜାଣ।

 

ମହାବିଦ୍ୟୁ ବୋଲିଣ ଯେ ଜ୍ୟେଷ୍ଠପୁତ୍ର ନାମ।

।୧୧।

ଚନ୍ଦ୍ରଦେବ ବୋଲିଣ କନିଷ୍ଠ ପୁତ୍ର କହି।

 

ଗୋପାଳ ଜନମ କଥା ଏମନ୍ତ ଅଟଇ॥

।୧୨।

 

 

 

 

ଉର୍ଦ୍ଧ୍ୱଦେବ ବୋଲିଣ ଯେ ନାମ ତାର ସ୍ଥିତି।

 

ଏହୁ ତିନି ଅଟନ୍ତି ଯେ ଚିତ୍ରଦେବ ନାତି॥

।୧୩।

ଆମ୍ଭ ଇଷ୍ଟ ଦେବତା ଅଟନ୍ତି ନିରାକାର।

 

ଶିରରେ କାଟିଲେ ହୋ ତିଳକ ତିନି ଗାର॥

।୧୪।

 

 

କୃଷ୍ଣ ଯେତେବେଳେ ଗୋପେ ଜନମ ହୋଇଲେ।

 

ବ୍ରହ୍ମା ଅନୁଗ୍ରହ କରି ବଂଶୀ ଦାନ କଲେ॥

।୧୫।

ସତ୍ୟଯୁଗେ ଶ୍ୱେତ ରାଜା ଯଜ୍ଞ କରୁଥିଲେ।

 

ତହିଂରୁ ଯେ ବେଣୁ ବୃକ୍ଷ ଗୋଟି ଯାତ କଲେ॥

।୧୬।

 

 

ସାତ ପବ ହେତୁ ତାକୁ କଲେ ଖଣ୍ଡ ଖଣ୍ଡ।

 

ଖଣ୍ଡିଏ ବଂଶୀ ହୋଇଲା ଧନୁ ଛଡ଼ଖଣ୍ଡ॥

।୧୭।

ପିନାକୀ ସାରଙ୍ଗ ହୋଇ କୋଦଣ୍ଡ ଗାଣ୍ଡୀବ।

 

ବଇଷ୍ଣବୀ ଅଜଗବ ଛଗୋଟି ଜାଣିବ॥

।୧୮।

 

 

ଶେଷ ପବ ଖଣ୍ଡି ବଂଶୀ କଲେ ବେଦବର।

 

ସପ୍ତ ରନ୍ଧ୍ର କଲେ ବସାଇଣ ସପ୍ତ ସୁର॥

।୧୯।

ପ୍ରଥମ ରନ୍ଧ୍ରେ ବାଜିଲେ ରାଧା ନାମ ଉଠେ।

 

ଦ୍ୱିତୀୟ ରନ୍ଧ୍ରେ ବାଜିଲେ ନୀପ ଫୁଲ ଫୁଟେ॥

।୨୦।

 

 

 

 

ତୃତୀୟ ରନ୍ଧ୍ରେ ବାଜିଲେ ପାଷାଣ ମିଳାଏ।

 

ଚତୁର୍ଥ ରନ୍ଧ୍ରେ ବାଜିଲେ ଧେନୁ ତୃଣ ଖାଏ।

।୨୧।

ପଞ୍ଚମ ରନ୍ଧ୍ରେ ବାଜିଲେ ଯମୁନା ସ୍ଥକିତ।

 

ଛଡ଼ ରନ୍ଧ୍ରେ ଶୁଷ୍କ ତରୁ ହୋଏ ପଲ୍ଲବିତ॥

।୨୨।

 

 

ସପ୍ତମ ରନ୍ଧ୍ରରେ ପରିବ୍ରତା ମତି ହରେ।

 

ବଂଶୀନାଦ ଶୁଣି ବିମୋହିତ ତିନି ପୁରେ॥

।୨୩।

ଏ ବଂଶୀ ଘେନିଣ ଗୋଗୋଷ୍ଠକୁ ଯାଉ ନିତି।

 

ଶିଙ୍ଗା ଦେଲେ ମହାଦେବ ଛଡ଼କ୍ଷରେ ମନ୍ତ୍ରି॥

।୨୪।

 

 

ସତ୍ୟଯୁଗେ ଶଙ୍ଖାସୁର ବେଦ ଚୋରାଇଲା।

 

ତାହା ଜାଣି ବିଶ୍ୱକର୍ତ୍ତାଙ୍କର କୋପ ହେଲା।

।୨୫।

ଶଙ୍ଖାସୁର ବଧି ହରି ବେଦ ଉଦ୍ଧାରିଲେ।

 

ସେହି ଶଙ୍ଖ ଗୋଟି ଆମ୍ଭ କରେ ସମର୍ପିଲେ॥

।୨୬।

 

 

କାଛେଟା ଦେଲେ ପାର୍ବତୀ ଗଣେଶ ଘାଗୁଡ଼ି।

 

ମହାଦେବ ଦେଲେ ଯେ ଆମ୍ଭକୁ ଲମ୍ବବାଡ଼ି॥

।୨୭।

ଶିକା ବାଉଙ୍ଗା ସାବିତ୍ରୀ ଦେଲେ ତୋଷହୋଇ।

 

ମଙ୍ଗଳ ନିମନ୍ତେ ଜାମୁଡ଼ାଳ ଥାଉ ବହି॥

।୨୮।

 

 

 

 

ବାରଗୁଣେ ଖେଳୁଂ ଆମ୍ଭେ ଷୋଳଗୁଣେ ନୃତ୍ୟ।

 

ଗୋଷ୍ଠିରେ ବସିଲେ ଚିନ୍ତୁ ଶ୍ରୀଗୋପାଳ ମନ୍ତ୍ର॥

।୨୯।

ଯେତେବେଳେ ଅନୁକୂଳ ଆମ୍ଭେମାନେ କରୁ।

 

ଦଧିବାମନ ନାମକୁ ହୃଦରେ ସୁମରୁ॥

।୩୦।

 

 

ଚଇତନ ମନ୍ତ୍ରେ ଆମ୍ଭେ କରୁ ନୃତ୍ୟରଙ୍ଗ।

 

କୃଷ୍ଣ ମନ୍ତ୍ର ଚିନ୍ତିଣ ହୋଇଛୁ ଏକ ସଙ୍ଗ॥

।୩୧।

ଯେଉଂ ଭାଣ୍ଡେ ଗୋ-ଦୋହନ କରୁ ଆମ୍ଭେମାନେ।

 

ସେ ଭାଣ୍ଡ ଚରିତ ଭାଇ ଶୁଣ ଏକ ମନେ॥

।୩୨।

 

 

ଯେତେବଳେ କ୍ଷୀର ପୂର୍ଣ୍ଣହେଲା ଏ ଧରଣୀ।

 

ତେତେବେଳେ ଭାବିଲେ କପିଳ ମହାମୁନି॥

।୩୩।

କ୍ଷୀର ଆୟ ଅର୍ଥେ ହରି କୁରାଳେ କହିଲେ।

 

କ୍ଷୀରଭାଣ୍ଡ ଗଢିଦିଅ ବୋଲି ଆଜ୍ଞା ଦେଲେ॥

।୩୪।

 

 

ଚକ୍ରଯନ୍ତ୍ରେ ବସାଇ ଗଢିଲା ଭାଣ୍ଡ ସେହି।

 

ଶୁଖାଇଲେ ସମୀର ପୋଡ଼ିଲେ ସ୍ୱାହାସାଇଂ।

।୩୫।

ପୋଡ଼ା ଘଡ଼ି ବ୍ରହ୍ମା ପୁତ୍ରକରେ ଆଣିଦେଲେ।

 

ସେହି ଘଡ଼ି ଘେନି ଆମ୍ଭେ ଦୁହିଂଲୁ ସକଳେ॥

।୩୬।

 

 

 

 

ପଚାରିଥିଲ ଯେ ଧୁଆ ଅଧୁଆ ଚରିତ।

 

ସବୁ ଧୁଆ ଅଧୁଆଟି ଯେବଣ ପଦାର୍ଥ॥

।୩୭।

ଗୁହାଳ ଗୁହାଳ ତାଟି ଗୋବର ଟୋକାଇ।

 

ଏ ତିନି ପଦାର୍ଥ କେବେ ଧୁଆ ହୁଏ ନାହିଂ॥

।୩୮।

 

 

ଏ ତିନି ପଦାର୍ଥ ଯେବେ ହୁଅନ୍ତା ଧଉତ।

 

ଗୋପାଳମାନଙ୍କ ପଦ ହୁଅନ୍ତା ନିପାତ॥

।୩୯।

ଯେତେ ଯେତେ ଭାବେ କରିଥିଲ ପ୍ରଶ୍ନମାନ।

 

ଆସୁ ବା ନ ଆସୁ ତାହା କରିଲ ପୂରଣ॥

।୪୦।

 

 

କହଇ ଅଚ୍ୟୁତାନନ୍ଦ ଯୋଡ଼ି ବେନିକର।

 

ଅପରାଧ କ୍ଷମାକର ଜଗତ ଠାକୁର॥

।୪୧।

 

ଓଗାଳ – ୩

ଶୁଣ ହେ ଗୋପାଳ ଭାଇମାନେ ଏକମନେ।

 

ପଚାରୁଛି କଥାୟେ କହିବା ସାବଧାନେ॥

।୧।

ଶ୍ରୀରାଧା ଶ୍ରୀକୃଷ୍ଣ ନାମ କରୁଛ ଗାୟନ।

 

ରାଧା ମାଇଂ କୃଷ୍ଣ ଯେ ଭଣଜା ସର୍ବେ ଜାଣ।

।୨।

କେଉଂ ପ୍ରକାରେ ତାଙ୍କର ପୀରତି ହୋଇଲା।

 

ପୂର୍ବେ ତାଙ୍କୁ କେଉଂ ଦେବ ବର ଦେଇଥିଲା॥

।୩।

ଚନ୍ଦ୍ରସେଣା ରାଧିକାଙ୍କୁ ବିଭା ହୋଇଥିଲା।

 

କେଉଂ ଯୋଗେ ତାହା ସଙ୍ଗେ ସୁରତି ନୋହିଲା॥

।୪।

କି କାରଣେ ଚନ୍ଦ୍ରସେଣା ନପୁଂସକ ହେଲା।

 

ପୂର୍ବେ କେଉଂ ଯୋଗେ କିଏ ଶାପ ଦେଇଥିଲା॥

।୫।

ପୂର୍ବେ ରାଧିକାଙ୍କ ନାମ କିସ ହୋଇଥିଲା।

 

ଶାପ ବେଳେ ଚନ୍ଦ୍ରସେଣା ନାମ କିସ ଥିଲା॥

।୬।

ଏହାର ବୁତ୍ତାନ୍ତ ଯେବେ ନ କହିବ ଭାଇ।

 

ଗୋପାଳ କୁଳରେ ବୃଥା ଅଛ ଜନ୍ମ ହୋଇ॥

।୭।

କହଇ ଅଚ୍ୟୁତାନନ୍ଦ ଯୋଡ଼ି ବେନିକର।

 

ଏ ସଙ୍କଟୁ ପାରିକର ଦେବ ଚକ୍ରଧର॥

।୮।

ଉତ୍ତାର

ଶୁଣ ହୋ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ପଚାରବା କଥାଗୋଟି କହୁଛି ବୁଝାଇ॥

।୧।

ସତ୍ୟଯୁଗେ ମନୁ ଋଷି ମହାତପୀ ଥିଲେ।

 

ଦିବ୍ୟରୂପା ନୀଳସେନୀ କନ୍ୟା ଜନ୍ମ ହେଲେ॥

।୨।

ବିଷ୍ଣୁଙ୍କୁ ବରିବେ ବୋଲି ମନେ ବିଚାରିଲେ।

 

ବିଷ୍ଣୁଙ୍କ ନିମନ୍ତେ କନ୍ୟା ତପରେ ବସିଲେ॥

।୩।

ଏହରୂପେ ବାଳକାଳ ବିତିଣ ଯେ ଗଲା।

 

ଷୋଡ଼ଶ ବୟେସ ଆସି ଉପସ୍ଥିତ ହେଲା॥

।୪।

ତାହାଙ୍କୁ ଦେଖିଣ ମନୁ ଋଷି ଲୋଭ କଲା।

 

କି ପ୍ରକାରେ ଏହାଙ୍କୁ ମୁ ଲଭିବି ପାଞ୍ଚିଲା॥

।୫।

ଏକ ଦିନେ ମନୁ ଋଷି ମଦନ ଆକୁଳେ।

 

କନ୍ୟାର ସମୀପେ ଯାଇ ପ୍ରବେଶ ହୋଇଲେ॥

।୬।

ବୋଇଲେ ସୁନ୍ଦରୀ କିମ୍ପା ଏକା ଅଛୁ ବସି।

 

ତୋ ନବଯୈାବନ ମୋତେ ଦିଅ ଶୁଭ୍ରକେଶୀ॥

।୭।

ଋଷିର ଏମନ୍ତ ବାକ୍ୟ କନ୍ୟା ଯେ ଶୁଣିଲେ।

 

ଏସନ ବଚନ ତୁମ୍ଭେ ନ ବୋଲ ବୋଇଲେ॥

।୮।

 

 

ବିଷ୍ଣୁଙ୍କୁ ପାଇବା ପାଇଁ କରୁଅଛି ତପ।

 

କି କାରଣେ ଏ ବଚନ ବୋଲ ମୋର ବାପ॥

।୯।

ଏମନ୍ତ ବଚନ କନ୍ୟା ଯହୁଂ ସେ ବୋଇଲା।

 

ବଳାତ୍କାରେ ରମିବାକୁ ଋଷି ବିଚାରିଲା॥

।୧୦।

 

 

ଋଷିଙ୍କର ମନ ଜାଣି ଦେବ ନାରାୟଣ।

 

ଗଙ୍ଗାତୀରେ ପ୍ରବେଶ ହୋଇଲେ ତତକ୍ଷଣ॥

।୧୧।

ନାରାୟଣେ ଦେଖି ଋଷି ଲଜ୍ଜିତ ହୋଇଲେ।

 

ମଥା ତଳକରି ଉଭା ହୋଇଣ ରହିଲେ॥

।୧୨।

 

 

ନାରାୟଣ ବୋଇଲେ ହୋ ଶୁଣ ମନୁ ଋଷି।

 

ଯେଉଂ କାରଣୁଂ ଉଭା ହୋଇଅଛ ଆସି॥

।୧୩।

ନୀଳସେନୀ କନ୍ୟାଠାରେ ଲୋଭ ଯେ ବଳିଲା।

 

ତାହାର ବୃତ୍ତାନ୍ତ ଆମ୍ଭେ କହୁଅଛୁ ଭଲା॥

।୧୪।

 

 

ଦ୍ୱାପର ଯୁଗରେ ତୁମ୍ଭେ ଗୋପେ ଜନ୍ମ ହେବ।

 

ନପୁଂସକ ଭାବେ ଚନ୍ଦ୍ରସେଣା ବୋଲାଇବ॥

।୧୫।

ନୀଳସେନୀ ବୃଷଭାନୁ ଘରେ ଜନ୍ମ ହେବେ।

 

ଗୋପପୁରେ ନାମ ତାଙ୍କ ରାଧା ବୋଲାଇବେ॥

।୧୬।

 

 

 

 

ତୁମ୍ଭେ ରାଧା ହାତ ଧରି ବିବାହ କରିବ।

 

ଅନ୍ନ ବ୍ୟଞ୍ଜନ ପରଶା ତୁମ୍ଭେ ହିଂ ଭୁଞ୍ଜିବ॥

।୧୭।

ତାହାଙ୍କ ସଙ୍ଗେ ତୁମ୍ଭର ଶୃଙ୍ଗାର ନୋହିବ।

 

କି ମାତ୍ର ତାଙ୍କରି ରୂପ ନେତ୍ରେ ଦେଖୁଥିବ॥

।୧୮।

 

 

ସେକାଳେ ମଥୁରା ପୁରେ ଆମ୍ଭେ ଜନ୍ମ ହେବୁଂ।

 

କଂସ ଯୋଗୁଂ ନନ୍ଦଘରେ ଯାଇଂଣ ରହିବୁ॥

।୧୯।

ରାଧା ସଙ୍ଗେ କୁଞ୍ଜବନେ କରିବୁ ପୀରତି।

 

ଏହା କହି ଅନ୍ତର୍ଦ୍ଧାନ ହୋଇଲେ ଶ୍ରୀପତି॥

।୨୦।

 

 

ନୀଳସେନୀ ତହୁଂ ଗଙ୍ଗାଜଳେ ଝାସ ଦେଲା।

 

ସେହି କନ୍ୟା ବୃଷଭାନୁ ଦୁହିତା ହୋଇଲା॥

।୨୧।

ରାଧିକା ନାମ ସଂସାରେ ହୋଇଲା ପ୍ରକଟ।

 

ଯାହା ପଚାରିଲ ତାହା କହିଦେଲି ପାଠ॥

।୨୨।

 

 

ହେଲା ନ ହେଲାକୁ ଦୋଷ ନ ଧରିବ କିଛି।

 

ଗୋପାଳଙ୍କ ହିତରେ ଯେ ଭଣିଲେ ଅଚ୍ୟୁତି॥

।୨୩।

 

ଓଗାଳ – ୪

ଶୁଣ ଶୁଣ ଭାଇମାନେ କହୁଅଛି ମୁହିଂ।

 

ପଚାରିବା କଥା ଗୋଟି କହିବ ବୁଝାଇ॥

।୧।

ବିଷମ କଥାଟି ଏହା ପଚାରୁଛି ତୋତେ।

 

ଜାଣିଥିଲେ ବୁଝାଇଣ କହିଦେବ ମୋତେ॥

।୨।

ଜଗତର କରତା ଅଟନ୍ତି ନାରାୟଣ।

 

କାହିଂପାଇଂ ବନ୍ଦୀଘରେ ଜାତ ହେଲେ ପୁଣ॥

।୩।

ଦେବକୀ ବସୁଦେବ କେଉଂ ପାପ ଥିଲା।

 

କିମ୍ପାଇଂ ତାହାଙ୍କ ପାଦେ ଶାଙ୍ଖୋଳୀ ଲାଗିଲା॥

।୪।

ଶରୀରେ ଜଞ୍ଜିର ସପ୍ତମୁଠା କଂସ ଦେଲା।

 

ଏ କଥାକୁ ମୋର ମନେ ସଂଶୟ ହୋଇଲା॥

।୫।

ପୂର୍ବ ଜନ୍ମେ କଂସାସୁର କିଏ ଥିଲା ଭାଇ।

 

ରାକ୍ଷସ ଔରସୁଂ ଜନ୍ମ ହୋଇଲା କିମ୍ପାଇଂ॥

।୬।

କେଉଂ ଦେବତା ତାହାକୁ ବର ଦେଇଥିଲା।

 

ସର୍ବ ଅମରଙ୍କୁ ନେଇ ପାଦେ ଖଟାଇଲା॥

।୭।

କେଉଂ ନନ୍ଦଘରେ କୃଷ୍ଣ ବଢିଲେକ ଯାଇଂ।

 

ଗୋପପୁରେ କେତେ ନନ୍ଦ ଥିଲେକ ହେ ଭାଇ॥

।୮।

ଗୋପକୁ ମଥୁରାପୁର ଅଟେ କେତେ ଯୁଣ।

 

ତହିଂ ମଧ୍ୟେ କେତେ ଯୁଣ ଅଟେ ବୃନ୍ଦାବନ॥

।୯।

ଏଥିର ଚରିତ ମୋତେ କହିଦେବ ଭାଇ।

 

ଗୋପାଳଙ୍କ ହିତେ ଏହା ଅଚ୍ୟୁତି କହଇ॥

।୧୦।

ଉତ୍ତାର

ଶୁଣ ଶୁଣ ଭାଇମାନେ ମନକର୍ଣ୍ଣ ଦେଇ।

 

ପଚାରିବା କଥା ଗୋଟି କହୁଛି ବୁଝାଇ॥

।୧।

ସଦଗୁରୁ ସେବିଥିଲେ ହେଜିବ ଏ କଥା।

 

ଅନ୍ଧାର ଘରରେ ଭାଇ ଜଳିବ ବଇଠା॥

।୨।

ଦ୍ୱାପର ଯୁଗ ଚରିତ ପଚାରୁଛ ଯାହା।

 

ସଂଶୟ ଫିଟାଇ ଭାଇ କହୁଛି ମୁଂ ତାହା॥

।୩।

ପୂର୍ବେ ଜନ୍ମେ ବସୁଦେବ କେତୁବ୍ରହ୍ମା ଥିଲେ।

 

ପତ୍ନିକି ସଙ୍ଗେ ଘେନିଣ ତପସ୍ୟାକୁ ଗଲେ॥

।୪।

ମହୋଦଧି ତୀରେ ଯାଇ ପ୍ରବେଶ ହୋଇଲେ।

 

କୁଶ ଶୁଖାଇଣ ସେହୁ ତପରେ ବସିଲେ।

।୫।

ସେ କୁଶ ଭକ୍ଷିଲା ଆସି ସୁରଭୀର ବଳା।

 

ତପସ୍ୟାରୁ ଉଠି ବ୍ରହ୍ମା ତାହାକୁ ବାନ୍ଧିଲା॥

।୬।

 

 

ବତ୍ସାର ବନ୍ଧନ ଜାଣି ସୁରଭୀ କୋପିଲା।

 

ପତିପତ୍ନୀ ଦୁହିଂଙ୍କୁ ସେ ଅଭିଶାପ ଦେଲା॥

।୭।

ବୋଇଲା ମୋ ବତ୍ସାକୁ ବାନ୍ଧିଛୁ ମାଡ଼ ମାରି।

 

ଦ୍ୱାପର ଯୁଗରେ ତୁମ୍ଭେ ହୋଅ ସେହିପରି॥

।୮।

 

 

ନାମ ବହିଥିବ ଯେ ଦେବକୀ ବସୁଦେବ।

 

ଅସୁର ଭବନେ ତୁମ୍ଭେ ବନ୍ଧନେ ପଡ଼ିବ॥

।୯।

ଶୁଣି ଏହା କେତୁବ୍ରହ୍ମା ମାଗିଲେ ମୁକତି।

 

ତହୁଂ ସୁରଭୀ କହଇ ଶାନ୍ତ କରି ମତି॥

।୧୦।

 

 

ବୋଇଲେ ତୁମ୍ଭଠାରୁ ଯେ ବିଷ୍ଣୁଜନ୍ମ ହେବେ।

 

ବନ୍ଧନ ଦୁଃଖରୁ ସେ ତୁମ୍ଭଙ୍କୁ ଉଦ୍ଧାରିବେ॥

।୧୧।

ଏହି ବର ଘେନି କଂସ ବନ୍ଦୀଘରେ ଜାଣ।

 

ମାତା ପିତା ଉଦ୍ଧାରଣେ ଜନ୍ମ ନାରାୟଣ॥

।୧୨।

 

 

ତ୍ରେତୟାରେ ରାମଚନ୍ଦ୍ର ରାବଣ ମାଇଲେ।

 

ବ୍ରହ୍ମହତ୍ୟା ଦୋଷ ତାଙ୍କୁ ଦେବତାଏ ଦେଲେ॥

।୧୩।

ରାମଙ୍କ କ୍ରୋଧରୁ ପୁରୁଷେକ ହେଲା ଜାତ।

 

ଆଜ୍ଞା ଦେଲେ ଦେବତାଙ୍କୁ ଭକ୍ଷ ହୋ ତୁରିତ॥

।୧୪।

 

 

 

 

ସେ ପୁରୁଷ ଗୋଡ଼ାଇଲା ଦେବତାମାନଙ୍କୁ।

 

ଶରଣ ମାଗିଲେ ଦେବେ ଶ୍ରୀ ସଦାଶିବଙ୍କୁ॥

।୧୫।

କ୍ରୋଧ ପୁରୁଷଙ୍କୁ ଦେଖି ବୋଲନ୍ତି ମହେଶ।

 

ଦେବଙ୍କୁ ନ ଭକ୍ଷ ତୁହି ହୋ କ୍ରୋଧ ପୁରୁଷ॥

।୧୬।

ଦ୍ୱାପର ଯୁଗରେ କଂସ ହୁଅ ତୁହି ଯାଇଂ।

 

ଦେବତାମାନଙ୍କୁ ପଦେ ଖଟାଇବୁ ନେଇ॥

।୧୭।

ଅସୁର ବୀର୍ଯ୍ୟରୁ ତୁହି ହୋଇବୁ ଜନମ।

 

ମୋକ୍ଷ ମାଗନ୍ତେ ବୋଇଲେ ଦେବ ତ୍ରିଲୋଚନ॥

।୧୮।

ଶ୍ରୀକୃଷ୍ଣଙ୍କୁ ନେତ୍ରେ ଦେଖି ଜୀବନ ହାରିବୁ।

 

ଅନ୍ତକାଳେ ଯାଇ ବଇକୁଣ୍ଠରେ ବସିବୁ॥

।୧୯।

କଂସାସୁର ପୂର୍ବଜନ୍ମ କଥା କହିଲଇଂ।

 

ଗୋପର ବାରତା ଏବେ କହୁଛି ବୁଝାଇ॥

।୨୦।

ଗୋପରେ ଦ୍ୱାଦଶ ନନ୍ଦ ବାସ କରିଥାଇଂ।

 

ମହାଖୁଡ଼ ନନ୍ଦଘରେ ବଢିଲେ କହ୍ନାଇ॥

।୨୧।

ଗୋପକୁ ମଥୁରାପୁର ଚାରି ଯେ ଯୋଜନ।

 

ଚଉରାଶି କୋଶସ୍ଥଳ ଅଟେ ବୃନ୍ଦାବନ॥

।୨୨।

ଯାହା ପଚାରିଲ ତାହା କରିଦେଲି ଭାଇ।

 

ଭ୍ରମ ଥିଲେ ନ ଘେନିମ ଅଚ୍ୟୁତ କହଇ॥

।୨୩।

 

ଓଗାଳ –୫

ଶୁଣ ହେ ସୁଜନ ହଟ ବିବେକ।

 

ପଚାରୁଅଛି ମୁଂ କଥା ପଦେକ॥

।୧।

ବୃଛମାନଙ୍କର କେଣିକି ମୁହଂ।

 

ଗୁରୁ ସେବିଥିଲେ ସେକଥା କହ॥

।୨।

 

 

ଆହୁରି କଥାଏ ପଚାରୁଅଛି।

 

ଆଦ୍ୟନାମ ଗୋଟି କହିବା ବାଛି॥

।୩।

ମାଆ ପୁଅ ହେଲେ ଘୁଞ୍ଚି ରହିବ।

 

ବାପ ପୁଅ ହେଲେ ଏହା କହିବ॥

।୪।

 

 

ଏ କଥା କହିବ ସୁଜ୍ଞାନୀ ହେଲେ।

 

ଅଚ୍ୟୁତାନନ୍ଦ ଏ ରସେ ଭଣିଲେ॥

।୫।

ଉତ୍ତାର

ଶୁଣ ଶୁଣ ଆହେ ସୁଜନ ଜନ।

 

ପଚାରିଲ ଯେଉଂ ବୃକ୍ଷ ବିଧାନ॥

।୧।

ପାତାଳେ ତା ପାଦ ଆକାଶେ ଶିର।

 

ରତ୍ନ ସିଂହାସନେ ଦୃଷ୍ଟି ତାଙ୍କର॥

।୨।

 

 

ରତ୍ନ ସିଂହସନ ଦକ୍ଷିଣ ଦିଗେ।

 

ସୁଜ୍ଞାନ ସୁଚିତ୍ତେ ବିଚାର ଏବେ॥

।୩।

ନାମ ଗୋଟି କିସ ପୁଚ୍ଛିଲ ଭାଇ।

 

ବିଦ୍ୟାଧାରୀ ବୋଲି ନାମ ଅଟଇ॥

।୪।

 

 

ନିୟମ ଦେଇ ଯେ ପୁଚ୍ଛିଲ ଭାଇ।

 

ଜାଣି ନ ଜାଣି କହିଦେଲି ମୁହିଂ॥

।୫।

ଗୁରୁ ସେବିଥିଲେ ଅଧିକ କହି।

 

ନୋହିଲେ ବାସେ ତୁନିହୋଇ ରହି॥

।୬।

 

 

ଶ୍ରୀଗୁରୁ ଚରଣେ ନିରତେ ଆଶ।

 

ଭାବରେ ଭଣିଲେ ଅଚ୍ୟୁତ ଦାସ॥

।୭।

 

ଓଗାଳ – ୬

ଯେଉଁ କାଳେ କୃଷ୍ଣଚନ୍ଦ୍ର କଂସ ବନ୍ଦୀ ଘରେ।

 

ଜନମ ହୋଇଲେ ପ୍ରଭୁ ଘୋର ଅନ୍ଧକାରେ॥

।୧।

ସେବେଳେ ଆଲୋକ ତାଙ୍କୁ କେହୁ ଦେଖାଇଲା।

 

ହସ୍ତ ପାରି କବାଟ ଶାଙ୍କୋଳି କେ ଫେଇଲା॥

।୨।

 

 

ବସୁଦେବ କୃଷ୍ଣଙ୍କୁ ଘେନିଣ ସେହି କାଳେ।

 

ବାହାରନ୍ତେ ଉଗ୍ରସେନ ଭେଟିଲା ପଥରେ॥

।୩।

ସେତେବେଳେ କେତେ ଘଡ଼ି ରାତ୍ର ହୋଇଥିଲା।

 

କି ସଙ୍କେତ ପାଇ ତାଙ୍କୁ ପଥ ଛାଡ଼ିଦେଲା॥

।୪।

 

 

ତହୁଂ ଯାଇ କୃଷ୍ଣ ନନ୍ଦ ଭୁବନେ ମିଳିଲେ।

 

କେତେ ଜଣ ଗୋପବାଳୀ ସେ ଠାବରେ ଥିଲେ॥

।୫।

ଏନ୍ତୁଡ଼ି ଥାପିଲା କିଏ କିସ ତାର ନାମ।

 

କେଉଂଣ ଯୁବତୀ କଲା ନାଭିକୁ ଛେଦନ॥

।୬।

 

 

ଏହାର ଉତ୍ତର ଭାଇ କହିବ ଫେଡ଼ିଣ।

 

ଅଚ୍ୟୁତାନନ୍ଦ କହନ୍ତି ଗୋପାଳ ହିତେଣ॥

।୭।

ଉତ୍ତାର

ଯେତେବେଳେ କୃଷ୍ଣଚନ୍ଦ୍ର କଂସ ବନ୍ଦୀ ଘରେ।

 

ଜନମ ହୋଇଲେ ପ୍ରଭୁ ଘୋର ଅନ୍ଧକାରେ ॥

।୧।

ତେତେବେଳେ କୃଷ୍ଣ ଅଙ୍ଗୁ ତେଜ ପ୍ରକାଶିଲା।

 

ଅନ୍ଧକାରକୁ ବିନାଶି ଆଲୋକ ଦିଶିଲା॥

।୨।

 

 

ହସ୍ତ ପାଦେ କବାଟେ ଶିକୁଳି ଲାଗୁଥିଲା।

 

କୃଷ୍ଣ ମହିମାରୁ ସବୁ ମୁକୁଳିଣ ଗଲା॥

।୩।

ରାତ୍ର ନବ ଘଡ଼ିରେ ଯେ ଉଗ୍ରସେନ ଭେଟ।

 

ଶଙ୍ଖ ଚକ୍ର ରୂପ ଦେଖି ଛାଡ଼ିଦେଲା ବାଟ

।୪।

 

 

ତଦଅନ୍ତେ କୃଷ୍ଣ ଗୋପେ ମିଳିଲେକ ଯାଇଂ।

 

ସାତଜଣ ନାରୀ ସେ ଠାବରେ ଥିଲେ ରହି ॥

।୫।

ଯୋଗମାୟା ତହିଂ ନାଭି ଛେଦନ କରିଲେ।

 

ପଞ୍ଚକନ୍ୟା ପଞ୍ଚ ଅଗ୍ନି ନେଇଣ ଥାପିଲେ

।୬।

 

 

ଯାହା ଜଣା ଥିଲା ଅଳପକେ ଦେଲି କହି।

 

ଅଚ୍ୟୁତାନନ୍ଦ କହନ୍ତି ଶ୍ରୀକୃଷ୍ଣଙ୍କୁ ଧ୍ୟାୟୀ॥

।୭।

 

ଓଗାଳ –୭

ବାମ ଗୋପାଳଙ୍କୁ ଚାହିଂ ସୁଦାମ ଗୋପାଳ।

 

ହସ ହସ ହୋଇଣ ଯେ ପୁଛ୍ଛନ୍ତି ଓଗାଳ॥

।୧।

ନନ୍ଦ ଯଶୋଦାଙ୍କ କଥା କିଛି ପୁଚ୍ଛିବଇଂ।

 

ସଂଶୟ ଫେଡ଼ିଣ ମୋତେ କହିବ ବୁଝାଇ॥

।୨।

 

 

ପୂର୍ବଜନ୍ମେ ନନ୍ଦ ଯଶୋଦା ଯେ କିଏ ଥିଲେ।

 

ଶ୍ରୀକୃଷ୍ଣଙ୍କୁ ପୁତ୍ର କରି କିମ୍ପାଇ ପାଳିଲେ॥

।୩।

ଏହି କଥା ବୁଝାଇଣ କହିଦେବ ଭାଇ।

 

ଗୋପାଳଙ୍କ ହିତରେ ଶ୍ରୀ ଅଚ୍ୟୁତ କହଇ॥

।୪।

ଉତ୍ତାର

ଏହା ଶୁଣି କହୁଛନ୍ତି ଦାମ ଯେ ଗୋପାଳ।

 

ଭଲାବେଳେ ଭାଇ ତୁମ୍ଭେ ପୁଚ୍ଛିଲ ଓଗାଳ॥

।୧।

ଏ ବଡ଼ ବିଷମ କଥା କହିବାକୁ ମୋର।

 

ଶକ୍ତି କାହୁଂ ହେବ ମୋର ମାତ୍ର ଶ୍ରୀଗୁରୁ କୃପାର॥

।୨।

 

 

ଯାହା ଜଣାଅଛି ତାହା କହିଦେବି ଭାଇ।

 

ହେଲା ନ ହେଲାକୁ ଦୋଷ ନ ଧରିବ କେହି॥

।୩।

ତ୍ରେତୟା ଯୁଗରେ ଥିଲା ସୁବାହୁ ଗୋପାଳ।

 

କ୍ଷୀର ଭେଟଦେଇ ରାମଙ୍କୁ ମାଗିଲାକ ବର॥

।୪।

 

 

ତା ଭକ୍ତିରେ ତୋଷହୋଇ ବୋଇଲେ ଶ୍ର୍ରୀରାମ।

 

ତୁମ୍ଭ ଆମ୍ଭ ଭେଟ ହେବ ଦ୍ୱାପର ଯୁଗେଣ॥

।୫।

ନନ୍ଦ ଯଶୋଦା ରୂପରେ ତୁମ୍ଭେ ଗୋପପୁରେ।

 

ବିହରଣ କରୁଥିବ ଦୁଃଖିତ ମନରେ॥

।୬।

 

 

ପୁତ୍ର ଦୁହିତା ତୁମ୍ଭର ନଥିବ ସେକାଳେ।

 

ଆମ୍ଭେ ଯାଇଣ ବଢିବୁ ଯେ ତୁମ୍ଭରି କୋଳେ।

 

ରହି ନାନା କ୍ରିଡ଼ା କଲେ ଅସୁରଙ୍କ ଛଳେ॥

।୭।

ଯାହା ପଚାରିଲ ଭାଇ କହିଦେଲି ତାହା।

 

ଅଚ୍ୟୁତାନନ୍ଦଙ୍କୁ ସାହା ଜଗୁଜନ ନାହା॥

।୮।

 

ଓଗାଳ – ୮

ଶୁଣ ହେ ସୁଜ୍ଞାନୀ ଜନେ ପଚାରୁଛି ମୁହିଂ।

 

କେଉଂ ଗୋସାଇଂଙ୍କ ଦୀକ୍ଷା କରିଅଛ ଭାଇ॥

।୧।

କେଉଂ ମନ୍ତ୍ର ଜପି ତୁମ୍ଭେ କେଉଂ ଶାସ୍ତ ପଢି।

 

କେଉଂ ତୀର୍ଥେ ସ୍ନାନ କରି କାହାକୁ ସୁମରି॥

।୨।

 

 

ବେଶ ଯେ ଭୂଷଣ କାହିଂ ପଖାଳିଲ ଭାଇ।

 

ଏଥିର ବୃତ୍ତାନ୍ତ ସବୁ କହିଦେବ ଫେଇ॥

।୩।

ଗୋ –ବତ୍ସା ରଖିଲ ତୁମ୍ଭେ କାହା ଆଜ୍ଞା ପାଇ।

 

ଦାସ ନାମ କାହୁଂ ହେଲା କହିବା ବୁଝାଇ॥

।୪।

 

 

ସଦଗୁରୁ ସେବି ଯେବେ ପାଇଥିବ ଜ୍ଞାନ।

 

ଅଚ୍ୟୁତ କହନ୍ତି ତେବେ କହ ବ୍ରହ୍ମଜ୍ଞାନ॥

।୫।

ଉତ୍ତାର

ଯାହା ପଚାରିଲ ଶୁଣ ସାବଧାନ ହୋଇ।

 

ଅମନ ମନ୍ଦିରେ ମନୁ ରାଜା ଥିଲେ ରହି॥

।୧।

ତାଙ୍କଠାରୁ ଶିକ୍ଷା ଆମ୍ଭେ ପାଇଅଛୁ କହି।

 

ସାବଧାନ ହୋଇ ବସ ଦେଉଅଛି କହି॥

।୨।

 

 

ତ୍ରିବେଣୀ ତିହୁଡ଼ି ପରେ ଆକାଶ ଗଙ୍ଗ ଥାଇ।

 

ସେହି ଜଳେ ସ୍ନାନ କଲୁ ନାନା ରଙ୍ଗା ହୋଇ॥

।୩।

ଗଙ୍ଗା ତିନିଧାର ହୋଇ ଯାଉଅଛି ବହି।

 

ସେହି ଜଳେ ଦେଶ ଦେହ ଶୁଦ୍ଧ ଯେ ହୋଅଇ॥

।୪।

 

 

ତ୍ରିବେଣୀ ତିହୁଡ଼ି ପରେ ଅଛି ବନଭୂଇଂ।

 

ଅନନ୍ତଙ୍କ ଆଜ୍ଞା ପାଇ ବତ୍ସା ଯେ ଚରାଇ॥

।୫।

ଶୂନ୍ୟ ମନ୍ଦିରରେ ଯେଉଂ ଚାରି ପୁଷ୍ପ ଥିଲା।

 

ଅନୁମତି ପାଇଣ ସେ ସୁଧା ବରଷିଲା॥

।୬।

 

 

ସେ ସୁଧା ପଡ଼ିଲା ପ୍ରେମରୂପାଙ୍କ ପାରୁଶ।

 

ତେଣୁକରି ଭାଇ ଆମ୍ଭେ ବୋଲାଇଲୁଂ ଦାସ।

।୭।

ଅଭେଦରେ ଥିଲ ଏବେ ପାଇଲ ଯେ ଭେଦ।

 

ଅଚ୍ୟୁତ କହନ୍ତି ଏବେ ସେବ ପଦ୍ମପାଦ॥

।୮।

 

ଓଗାଳ – ୯

ସାଥି ହୋଇ ଆସିଅଛ ଆହେ ଗୋପସୁତ।

 

ପଚାରୁଛି ଯେଉଂ କଥା କହିବ ତ୍ୱରିତ॥

।୧।

ମୟୁର ପୁଚ୍ଛ ଚନ୍ଦ୍ରିକା ଚୂଳ କାହିଂପାଇଂ।

 

ଶିରେଣ ବାନ୍ଧିଲେ କୃଷ୍ଣ କହିବ ବୁଝାଇ॥

।୨।

 

 

ଆଉ କେତେ ପଦ ଦାସ ପଚାରୁଛି ଶୁଣ।

 

ଗୋପ ନଗରର କଥା କହିବ ପ୍ରମାଣ॥

।୩।

ପ୍ରଥମରେ କାହିଂପାଇଂ ଧୂଆଂ ବନ୍ଦାଇଲ।

 

କେଉଂ ଦେବତାଙ୍କୁ ନେଇ ଗୁପତେ ଥାପିଲ॥

।୪।

 

 

ଫଗୁଣରେ ଫଗୁଦୋଳ ହେଲା କାହିଂପାଇ।

 

ଚଉଦୋଳେ ବିଜେକଲେ ରାଧାକୃଷ୍ଣ ଯାଇଂ॥

।୫।

କାହିଂପାଇଂ କୃଷ୍ଣ ଦୋଳଗୋବିନ୍ଦ ହୋଇଲେ।

 

ଅଚ୍ୟୁତ କହନ୍ତି କହ ଗୁରୁ ସେବିଥିଲେ॥

।୬।

ଉତ୍ତାର

ଶୁଣ ପଚାରିଲ ଯାହା କହୁଛି ବୁଝାଇ।

 

ଜାଣିଲି ତୋହାର ଠାରେ ଟିକେ ଜ୍ଞାନ ନାହିଂ॥

।୧।

ଯେଉଂ ମୟୁର ଚନ୍ଦିକା କୃଷ୍ଣ ଶିରେ ଅଛି।

 

ଶ୍ରୀରାଧାଙ୍କ ନାମ ତହିଂ ମଧ୍ୟେ ଲେଖା ଅଛି॥

।୨।

ଶୁଣ ଲଉଡ଼ିଆ ଭାଇ କହୁଛି ଉତ୍ତର ।

 

ପୂର୍ବେ ଜନ୍ମେ ରାଧିକା ଯେ ମାଗିଥିଲେ ବର॥

।୩।

ଫଗୁଣ ମାସେ ତପସ୍ୟା ହୋଇଲାକ ପୂର୍ଣ୍ଣ।

 

ପୁଷ୍ପମାନେ ବିକଶି ଦିଶନ୍ତି ରଙ୍ଗ ବର୍ଣ୍ଣ॥

।୪।

ଚନ୍ଦମୁଖୀ ବୋଇଲେ ଶୁଣ ହେ ନାରାୟଣ।

 

ଦ୍ୱାପରେ ଯାହା ହୋଇବ କହିଲେ ଆପଣ॥

।୫।

ଯେତେବେଳେ ଆମ୍ଭେ ଗୋପପୁରେ ରହିଥିବା।

 

କହୁଅଛ ବୃନ୍ଦାବନେ କେଳି ଆଚରିବା॥

।୬।

ଏଣୁ ଫଗୁଣରେ ଦୋଳଗୋବିନ୍ଦ ବୋଲାଇ।

 

ଫଗୁ ଖେଳୁଥିବା ଆମ୍ଭେ ଚଉଦୋଳେ ରହି॥

।୭।

ଶ୍ରୀହରି କହିଲେ ଭଲା କହିଲ ସଙ୍ଗାତ।

 

ଏହି କଥାରେ ଆମ୍ଭର ହେଲା ସନମତ॥

।୮।

ପୂର୍ବର ଏହି ଘଟଣା ଥିବାରୁ ଯେ ପୁଣ।

 

ଦୋଳଗୋବିନ୍ଦ ହୋଇଲେ ନରନାରାୟଣ॥

।୯।

ପୂର୍ବରେ ଗୋମତୀ ଧୂଆଂ ବନ୍ଦାଇଣ ଥିଲେ।

 

ତେଣୁ ଯେ ଗୋପାଳେ ସେହି କଥା ଆଚରିଲେ॥

।୧୦।

 

 

ଗୋଧନ ବଢିବା ଲାଗି କଲେକ ଗୋମତୀ।

 

ଗେପାଳଙ୍କ ହିତେ ଏହା ଅଚ୍ୟୁତ କହନ୍ତି॥

।୧୧।

 

ଓଗାଳ–୧୦

ବଂଶୀ ଚୋରୀ

ଶୁଣ ସର୍ବେ ଦାସ ଭାଇ ଡ଼େରି ଶ୍ରୁତିପଥ।

 

ଯାହା ଯେ କହିଲ ଭାଇ କହ୍ନାଇ ଚରିତ॥

।୧।

ଆଉ ଏକ ଦିନ କଥା ପଡ଼ିଅଛି ମନ।

 

ଭାଇମାନେ କହିଦେବ ତହିଂର ବିଧାନ॥

।୨।

 

 

ଏକଦିନେ ଶ୍ରୀକୃଷ୍ଣ ମୁରଲୀ ଧରି କରେ।

 

ପ୍ରବେଶ ହୋଇଲେ ଯାଇ ଯମୁନାର କୂଳେ॥

।୩।

ଯମୂନା କୂଳ କାଳିନ୍ଦୀ ପୁର ବୁଲି ବୁଲି।

 

କଦମ୍ବ ମୂଳକୁ ତହୁଂ ବେଗେ ଗଲେ ଚାଲି॥

।୪।

 

 

ଶାନ୍ତ ହୋଇ ବସିଛନ୍ତି ସେ ମୁରଲୀଧର।

 

ଧୀରେ ଧୀରେ ବହୁଅଛି ମଳୟ ସମୀର॥

।୫।

ନାନା ପୁଷ୍ପ ସୁବାସରେ ପୂରିଅଛି ବନ।

 

ନିଦ୍ରା ଆସି ଘାରିଲା ଯେ ତାହାଙ୍କ ନୟନ॥

।୬।

 

 

ସୀମସ୍ଥାନେ ବଂଶୀ ରଖି ଶୋଇଲେ ଶ୍ରୀହରି।

 

ଏ ସମୟେ ରାଧିକା ଯେ ଘେନି ସହଚରୀ॥

।୭।

କାଖେ କୁମ୍ଭ ଧରି ଯମୁନାକୁ ଯାଉଥିଲେ।

 

କଦମ୍ବ ମୂଳରେ ରାଈ କୃଷ୍ଣଙ୍କୁ ଦେଖିଲେ॥

।୮।

ନିଦ୍ରାରେ ଅଚେତ ହୋଇଛନ୍ତି ଯଦୁପତି।

 

ମୁରଲୀକି ଦେଖି ସର୍ବେ ବିଚାର କରନ୍ତି॥

।୯।

ଏ ବାଉଂଶ ଖଣ୍ଡି ଯୋଗୁଂ ଆମ୍ଭମାନଙ୍କର।

 

ମହତ ନେଉଅଛି ଏ ନନ୍ଦର କୁମର॥

।୧୦।

କେଉଂପରି ବଂଶୀ ଖଣ୍ଡି ଆଣ ଚୋରିକରି।

 

ଆଜଠାରୁ କୃଷ୍ଣର ଗାରିମା ଯିବ ସରି॥

।୧୧।

ଏମନ୍ତେ ବିଚାରି ମନେ ଧୀରେ ଧୀରେ ଯାଇଂ।

 

ସୀମସ୍ଥାନୁଂ ବଂଶୀ ଖଣ୍ଡ ଆଣିଲେ ଚୋରାଇ॥

।୧୨।

ରାଧା କରେ ଧରି ରାଗେ ଅତି ବେଗେ ଯାଇ।

 

ଯମୁନା ପ୍ରଖର ସ୍ରୋତେ ଦେଲେ ତା ଭସାଇ॥

।୧୩।

ଫିଙ୍ଗିବା ସମୟେ ହସ୍ତ ମୁଦ୍ରିକା ଯାଇଣ।

 

ଜଳରେ ପଡ଼ନ୍ତେ ମୀନ କରିଲା ଭକ୍ଷଣ॥

।୧୪।

ହସ୍ତେ ମୁଦି ନ ଦେଖିଣ ହୋଇଲେ ଆକୁଳ।

 

ଶାଶୁ ନଣନ୍ଦ ଦେଖିବେ କରିବେ ଜଞ୍ଜାଳ॥

।୧୫।

ମୁଦ୍ରିକା ଚିନ୍ତାରେ ରାଧା ହୋଇଲେ କାତର।

 

ଜ୍ଞାନ ହରାଇଣ ପଡ଼ିଲେକ ମହୀ ପର॥

।୧୬।

 

 

ଏହା ଦେଖି ସଖୀଗଣ ତାଟକା ହୋଇଲେ।

 

କି ବୁଦ୍ଧି କରିବା ବୋଲି ଚିତ୍ତେ ବିଚାରିଲେ॥

।୧୭।

ମୁରଲୀ ଯେ ଯମୁନାରେ ଭାସି ଯାଉଥିଲା।

 

ଏହ ସମୟରେ ଐରାବତ ଯେ ଅଇଲା॥

।୧୮।

 

 

ଜଳ ସହିତ ମୁରଲୀ କରିଲା ଭକ୍ଷଣ।

 

ତୃଷା ଶାନ୍ତକରି ଗଲା ସେ ସ୍ୱର୍ଗ ଭୁବନ॥

।୧୯।

ନିଦ୍ରା ତେଜି ଶ୍ରୀକୃଷ୍ଣ ଯେ ବଂଶୀ ନ ଦେଖିଲେ।

 

ଏଣେତେଣେ ବହୁକ୍ଷଣ ଅନ୍ବେଷଣ କଲେ॥

।୨୦।

 

 

ମଧୁମଙ୍ଗଳାଦି ସଖା ବୃନ୍ଦାବନେ ଥିଲେ।

 

କାନ୍ଦିଣ ଶ୍ରୀକୃଷ୍ଣ ଯାଇଂ ତାଙ୍କୁ ପଚାରିଲେ॥

।୨୧।

ସେମାନେ ବୋଇଲେ ଆମ୍ଭେ ଦେଖିନାହୁଂ କେହି।

 

ଶୁଣି ଜ୍ଞାନ ହାରି କୃଷ୍ଣ ପଡ଼ିଲେକ ମହୀ॥

।୨୨।

 

 

ସଖାଏ ଭାବିଲେ ଏବେ କି ବୁଦ୍ଧି କରିବା।

 

କେଉଂଆାଡ଼େ ଯାଇ ଏବେ ମୁରଲୀ ଲୋଡ଼ିବା॥

।୨୩।

ଆହେ ଭାଇମାନେ ରାଧାକୃଷ୍ଣ ମୋହ ହେଲେ।

 

କେଉଂପରି ଦୁଇଜଣ ଚେତନା ପାଇଲେ॥

।୨୪।

 

 

ମୁଦ୍ରିକା ମୁରଲୀ ବେଗେ ଆଣି ଦିଅ ଭାଇ।

 

ମୁଖ ଶୁଖାଇ ସମସ୍ତେ ବସିଛ କିମ୍ପାଇଂ॥

।୨୫।

ଶିରେ ଶାଢୀ ବାନ୍ଧି ଠିଆ ହୋଇଛ ସଭାରେ।

 

ନ ଆଣିଲେ ନିଶ୍ଚେ ଦ୍ରୋହୀ ହୋଇବ ପ୍ରଭୁରେ॥

।୨୬।

 

 

ଗୁରୁସେବା କରିଥିଲେ ଏଠାରେ କହିବ।

 

ଅଚ୍ୟୁତ ବୋଲେ ନୋହିଲେ ତୁନି ହୋଇଥିବ॥

।୨୭।

ଉତ୍ତାର

ଆହେ ଭାଇମାନେ ଯାହା ଆଜ୍ଞା କଲ ମୋତେ।

 

ଧୀର ହୋଇ ସ୍ଥିରଭାବେ ଶୁଣ ଦିବ୍ୟଚିତ୍ତେ॥

।୧।

ରାଧାକୃଷ୍ଣ ଦଶା ହେଲା ସଂସାରେ ଚହଳ।

 

ଯୋଗବଳେ ନାରଦ ତା ଜାଣିଲେ ସକଳ॥

।୨।

 

 

ରାଧାକୃଷ୍ଣ ପାଶେ ମିଳି ଆଶ୍ୱାସନା କରି।

 

ତହୁଂ ବେଗେ ଚଳିଗଲେ ବରୁଣଙ୍କ ପୁରୀ॥

।୩।

ଦେଖି ବରୁଣ ରାଜନ ବହୁ ମାନ୍ୟ କଲା।

 

କି କାରଣେ ମୋ ପୁରକୁ ଅଇଲ ବୋଇଲା॥

।୪।

 

 

 

 

ନାରଦ ବୋଇଲେ ବଛା ମୁଦି ରାଧାଙ୍କର ।

 

ହାଥୁଂ ଖସି ପଡ଼ିଅଛି ଯମୁନା ନଦୀର॥

।୫।

ବେଗେ ସେ ଅଣାଇ ଦିଅ ହେ ସରିତପତି।

 

ଶୁଣିଣ ମନେ ବରୁଣ ମତ୍ସ୍ୟଙ୍କର ପତି॥

।୬।

 

 

ଆଜ୍ଞା ଦେଲେ ରାଧାଙ୍କର ମୁଦି ଯମୁନାରେ।

 

ପଡିଅଛି ଖୋଜି ଆଣି ଦିଅ ଧାତିକାରେ॥

।୭।

ଆଜ୍ଞା ପାଇଣ ରାଘବ ମତ୍ସ୍ୟଙ୍କୁ ଡ଼କାଇ।

 

ବୋଇଲା ଯମୁନା ହୃଦେ କିଏ ଥିଲା ରହି॥

।୮।

 

 

ରାଧାଙ୍କର ମୁଦି ତହୁଂ ବେଗେ ଖୋଜି ଆଣ।

 

ନ ହେଲେ ସକଳେ ଯିବ ଶମନ ସଦନ॥

।୯।

ତହିଂ ମଧ୍ୟେ ଏକ ମୀନ କହଇ ଭୟରେ।

 

ଆହାର ବୋଲିଣ କ୍ଷେପିଅଛି ମୁଂ ଗର୍ଭରେ॥

।୧୦।

 

 

ତକ୍ଷଣେ ଉଦ୍ଗାର କରି ମୁଦ୍ରିକାକୁ ଦେଲା।

 

ଘେନି ରାଘବ ବରୁଣେ ସମର୍ପଣ କଲା॥

।୧୧।

ବରୁଣ ଆଣି ସତ୍ୱରେ ନାରଦଙ୍କୁ ଦେଲେ।

 

ମୁଦ୍ରିକା ଘେନି ନାରଦ ଇନ୍ଦ୍ରପୁରେ ଗଲେ॥

।୧୨।

 

 

 

 

ସୁଧର୍ମା ସଭାରେ ବସିଛନ୍ତି ଶଚୀନାଥ।

 

ଦେଖି ମାନ୍ୟକରି ବସାଇଲେ ଯେ ତ୍ୱରିତ॥

।୧୩।

ପଚାରିଲେ ଦେବଋଷି କେଣେ ଆଗମନ।

 

ତାହା ଶୁଣି ନାରଦ ଯେ ବୋଲନ୍ତି ବଚନ॥

।୧୪।

 

 

ଶୁଣ ଶଚୀପତି ଗୋପପୁର ସମାଚାର।

 

ଲୀଳାମୟ କୃଷ୍ଣଙ୍କୁ ସଙ୍କଟୁ କର ପାର॥

।୧୫।

ଯମୁନା ହ୍ରଦକୁ ଐରାବତ ଯାଇଥିଲା।

 

ଜଳ ସହ ଶ୍ରୀକୃଷ୍ଣଙ୍କ ମୁରଲୀ ଭକ୍ଷିଲା॥

।୧୬।

 

 

ତଦନ୍ତ କରିଣ ବେଗେ ଅଣାଇଣ ଦିଅ।

 

ଶ୍ରୀକୃଷ୍ଣଙ୍କ ପ୍ରାଣ ରଖି ମହାଯଶ ପାଅ॥

।୧୭।

ଶୁଣି ଶଚୀନାଥ ବେଗେ ଐରାବତ ରାଇ।

 

ବୋଇଲେ ଯମୁନା ହ୍ରଦେ ଯାଇଥିଲୁ ତୁହି॥

।୧୮।

 

 

ଜଳ ସହ ଶ୍ରୀକୃଷ୍ଣଙ୍କ ମୁରଲୀ ଭକ୍ଷିଲୁ।

 

ବେଗେ ଉଦ୍ଗାର କରିଣ ଦିଅ ହୋ ବୋଇଲୁଂ॥

।୧୯।

ଏହା ଶୁଣି ଐରାବତ ତହୁଂ ଉଦ୍ଗାରିଲା।

 

ଜଳ ସହିତରେ ଖସି ମୁରଲି ପଡ଼ିଲା॥

।୨୦।

 

 

 

 

ଦେଖି ଦେବରାଜ ବଡ଼ ଆନନ୍ଦ ହୋଇଲେ।

 

ଅମୃତେ ଧଉତ କରି ନାରଦଙ୍କୁ ଦେଲେ॥

।୨୧।

ମୁରଲୀ ଘେନି ନାରଦ ଗଲେ ବୃନ୍ଦାବନ।

 

ଯେଉଂ ଠାରେ ପଡ଼ିଛନ୍ତି ଜଗତ ଜୀବନ॥

।୨୨।

 

 

ଦେଖି ସମସ୍ତେ ନାରଦେ ବହୁ ପ୍ରଶଂସିଲେ।

 

ପବନ ବହିବା ଦିଗେ ମୁରଲୀ ରଖିଲେ॥

।୨୩।

ତହିଂରେ ପଶି ସମୀର ହେଲା ମୃଦୁ ସ୍ୱନ।

 

ଶ୍ରୀକୃଷ୍ଣଙ୍କ କର୍ଣ୍ଣେ ପଶି ପାଇଲେ ଚେତନ॥

।୨୪।

 

 

ତତକ୍ଷଣେ ଉଠି କୃଷ୍ଣ ମୁରଲୀ ଦେଖିଲେ।

 

ପୂର୍ଣ୍ଣ ଅନୁରାଗେ ତୋଳି ଅଧରେ ଚୁମ୍ବିଲେ॥

।୨୫।

ପ୍ରାଣେଶ୍ୱରୀ ରାଧା ନାମେ ବାଇଲେ ସୁସ୍ୱରେ।

 

ବାଆନ୍ତେ ବାଜିଲା ଯାଇ ରାଧାଙ୍କ କର୍ଣ୍ଣରେ॥

।୨୬।

 

 

ଚେତା ପଶନ୍ତେ ଉଠିଲେ ବୃଷଭାନୁ ସୁତା।

 

ବଛା ମୁଦି ପାଇଂ ହୃଦେ ଅଛି ଗୁରୁ ଚିନ୍ତା॥

।୨୭।

ସଚେତ ଦେଖି ନାରଦ ମୁଦି ତାଙ୍କୁ ଦେଲେ।

 

ମୁଦ୍ରିକା ପାଇ ରାଧିକା ଆନନ୍ଦ ହୋଇଲେ॥

।୨୮।

 

 

 

 

ସକଳେ ମିଳି ନାରଦେ ବହୁ ପ୍ରଶଂସିଲେ।

 

ଯେ ଯାହାର ମନ୍ଦିରକୁ ତହୁଂ ଚଳିଗଲେ॥

।୨୯।

କହିଲି ମୁରଲୀ ଚୋରି ମୁଦ୍ରିକା ହରଣ।

 

ଦୋଷ ଥିଲେ କ୍ଷମାକର ଅଟେ ମୁଂ ଅଜ୍ଞାନ॥

।୩୦।

 

 

ଶ୍ରୀଗୁରୁଙ୍କ ପ୍ରସାଦରୁ କହିଲି ହୋ ଭାଇ।

 

କହନ୍ତି ଅଚ୍ୟୁତାନନ୍ଦ ଗୁରୁ କଲେ ପାଇ॥

।୩୧।

 

ଓଗାଳ – ୧୧

ଶୁଣ ହେ ଗୋପାଳ ଭାଇ କହିଦେବୁଂ ମୋତେ।

 

ନିଗମରୁ କଥା ଏକ ପଚାରୁଛି ତୋତେ॥

।୧।

ବୃଷଭାନୁ ଜେମାକୁ ହୋ କିଏ ଦେଲା ମହି।

 

କେବଣ ପ୍ରକାରେ ସେହୁ କଲେ ଘୋଳଦହି॥

।୨।

ଆରେ ରେ ଗୋପାଳ ଭାଇ ଶୁଣ ମୋର ଗିର।

 

କେ ଦେଲା ଲଉଡି ତୋତେ କେତେ ଗଣ୍ଠି ତାର॥

।୩।

ସିଦ୍ଧଗୁରୁ ସେବିଥିଲେ କହିବୁ ଏଠାର।

 

ନ କହିପାରିଲେ ତୁହୋ ସଭାରୁ ବାହାର॥

।୪।

ନୋହିଲେ ଲଉଡ଼ିକି ତୋ ନେବିଟି ଛଡ଼ାଇ।

 

ସତ୍ୟକରି କହୁଛି ଧର୍ମକୁ ସାକ୍ଷୀ ଦେଇ॥

।୫।

କେଉଂ ନନ୍ଦ ପାଶରେ ଯେ ଅଟେ କେଉଂ ବନ।

 

କେତେ କୋଶ ଅନ୍ତରେ ଅଛନ୍ତି ସେହି ପୁଣ॥

।୬।

କେଉଂ ବନେ କେଉଂ କୁଞ୍ଜେ କେଡ଼େ ଆୟତନ

 

ଆଦ୍ୟ କୁଞ୍ଜ କାହାକୁ ବୋଲନ୍ତି ତପୀଜନ॥

।୭।

କେତେଗୋଟି କୁଞ୍ଜ ସେହି ବୃନ୍ଦାବନେ ଥିଲା।

 

ଯମୁନାର କେଉଂ ପାଶେ କାଳିନ୍ଦୀ ବହିଲା॥

।୮।

ଯମୁନା ନଦୀଟି ଅଟେ କେତେକ ଗଭୀର।

 

କେତେ ଯୋଜନରେ ତହିଂ ବହୁଥାଇ ନୀର॥

।୯।

ବୃନ୍ଦାବନେ କେତେ ଯେ କଦମ୍ବ ବୃକ୍ଷ ଥାଇ।

 

କେଉଂ କଦମ୍ବ ମୂଳରେ ବସନ୍ତି କହ୍ନାଇ॥

।୧୦।

ସୁବର୍ଣ୍ଣ ପୀଢର ମୂଳେ କେତେକ ଯୋଜନ।

 

କେଉଂ ସ୍ଥାନ ଶ୍ରୀକୃଷ୍ଣଙ୍କ ଅଟେ ନିଜ ଧାମ॥

।୧୧।

ଉତ୍ତର କହିବ ଭାଇ ବୁଝାଇଣ ମୋତେ।

 

କହନ୍ତି ଅଚ୍ୟୁତାନନ୍ଦ ଗୋପାଳଙ୍କ ହିତେ॥

।୧୨।

ଉତ୍ତାର

ନିରାକାର ଶ୍ୱେତବିନ୍ଦୁ ଅଟଇ ୟେ ମହୀ।

 

ଗୋମତୀ ରାଧାଙ୍କୁ ଦେଲେ ଏଥୁ ଆନ ନାହିଂ॥

।୧।

ଚନ୍ଦ୍ର ସୂର୍ଯ୍ୟ ତ୍ରାସେ ରାଧା ବସାଇଲେ ଦହି।

 

ଆଗେ ଦହି ପଛେ ଦୁଧ କହିଲି ବୁଝାଇ॥

।୨।

ଏଥିରୁ ଯେବେ ଅଧିକ ଜାଣିଥିଲେ କହ।

 

ନୋହିଲେ ଗୋପାଳ ଭାଇ ତୁନି ହୋଇଯାଅ॥

।୩।

କୃଷ୍ଣର ଲଉଡ଼ି ପାଞ୍ଚ ଗଣ୍ଠି ଚାରି ପବ।

 

ଧେନୁ ଆକଟନ୍ତି ହରି ବହି ଅନୁରାଗ॥

।୪।

 

 

ଏହି କଥାଟିକୁ ଭାଇ ଏଡ଼େ ଟାଣ ପଣ।

 

ତୁନି ହୋଇ ରହ ଏବେ ମଥାକୁ ପୋତିଣ॥

।୫।

ଦଧିଚି ଋଷି ଯେ ବୃନ୍ଦାବନ ଭିଆଇଲେ।

 

ଦ୍ୱାଦଶ ବନ ଯେ ତହିଂ ଥାପନା ସେ କଲେ॥

।୬।

 

 

ଅଷ୍ଟକୁଞ୍ଜ ଚାରିକୁଣ୍ଡ ସେ ବନେ ପ୍ରମାଣ।

 

କୋଶକୁ କୋଶ ଅନ୍ତର ଅଟଇ ସେ ପୁଣ॥

।୭।

ମଧୁ କଇଟଭ ତହିଂ ଯାଗ କରିଥିଲା।

 

ତେଣୁକରି ମଧୁବନ ନାମ ବୋଲାଇଲା॥

।୮।

 

 

ବୃନ୍ଦାବନେ ଅଷ୍ଟକୁଞ୍ଜ ଅଟଇ ଯେ ସାର।

 

ତହିଂ ମଧ୍ୟେ ଚାରିକୁଞ୍ଜ ଅଟଇ ବିସ୍ତାର॥

।୯।

ଅଷ୍ଟକୁଞ୍ଜେ ଅଷ୍ଟସଖୀମାନଙ୍କର ସେବା।

 

ଆଦ୍ୟେ ନଇବେଦ୍ୟ କୁଞ୍ଜ ଦିଶୁଥାଇ ଶୋଭା॥

।୧୦।

 

 

ଏହାର ଉତ୍ତର ଭାଗେ କାଳିନ୍ଦୀ ବହୁଛି।

 

ଚିଲିକା ପରାୟେ ଯମୁନାରୁ ବାହାରିଛି॥

।୧୧।

ଚଉରାଶି କାଠି ଜଳ ଥାଇ ଯମୁନାରେ।

 

ପ୍ରତି ଯେ ସମାନ ଦୀର୍ଘ ଅଗୋଚର ନରେ॥

।୧୨।

 

 

 

 

ସପ୍ତଦଶ କୋଟି ଯେ କଦମ୍ବ ବୃନ୍ଦାବନେ।

 

କାଳିନ୍ଦୀ କୂଳ କଦମ୍ବ ମୂଳ ସିଂହାସନେ॥

।୧୩।

ବାଦନ କରନ୍ତି ହରି କରେ ବଂଶୀ ଧରି।

 

ସେ କଦମ୍ବ ତରୁ ମୋଟ ହାଥ ଚଉସ୍ତରୀ॥

।୧୪।

 

 

ଚଉଦିଗେ ସୁବର୍ଣ୍ଣର ପୀଢ ଅନୁପାମ।

 

ସେହି ସ୍ଥାନ ଅଟେ ଶ୍ରୀକୃଷ୍ଣଙ୍କ ନିଜ ଧାମ॥

।୧୫।

ନିଗମ ପାଦ ଏ ହେତୁ ରଖିଥାଅ ଭଲେ।

 

ପାମର ଅଚ୍ୟୁତାନନ୍ଦ ଗୀତରେ ଭଣିଲେ॥

।୧୬।

 

Unknown

ଚତୁର୍ଥ ଭାଗ

॥ ଓଂ କୃଷ୍ଣାୟ ନମଃ॥

ରାମତାଳି ଗୀତ

କ୍ରୀଡ଼ାରସେ ଦିନେ କୃଷ୍ଣ କଦମ୍ବ ମୂଳେ।

 

ଭଲା, ଲୟେ କରିଛନ୍ତି ବ୍ରହ୍ମା ଶଙ୍କର ଡ଼ୋଳେ॥

।୧।

କରେ ଧରିଛନ୍ତି କୃଷ୍ଣ ଅପୂର୍ବ ବେଣୁ।

 

ଭଲା, କଳାମେଘେ ଶଶୀ ଯେହ୍ନେ ଉଦୟ ଭାନୁ॥

।୨।

 

 

କଲେ ଗମନ ଶ୍ରୀରାଧା ଦୂତୀ ସଙ୍ଗତେ।

 

ଭଲା, ଖେଦୁଛନ୍ତି ମନ କେହ୍ନେ ଯିବି ବନସ୍ତେ॥

।୩।

ଏକାଳେ ଅନଙ୍ଗ ରାୟ ଘାରିଲା ଚିତ୍ତେ।

 

ଭଲା, କ୍ଷଣେ ରହି ଦେଖେ ମୁଖ ଯିବି ପରତେ॥

।୪।

 

 

ଚଞ୍ଚଳ ପ୍ରତିମା ରାଈ ଚଞ୍ଚଳା ବର।

 

ଭଲା, ଭେଟାଅ ଗୋବିନ୍ଦେ ଦୂତୀ ମଦନ ଶର॥

।୫।

ସୁନ୍ଦର ଏ ପୁଷ୍ପ ପୁଂଜ ନିକୁଂଜ ବନ।

 

ଭଲା, ପୁଷ୍ପ ତୋଳିବାକୁ ତାଙ୍କ ବଳିଲା ମନ॥

।୬।

 

 

ନାନା ପୁଷ୍ପ ତୋଳି ଦୂତୀ କରରେ ଦେଲେ।

 

ଭଲା, ହାତ ଧରାଧରି ହୋଇ ନିକୁଂଜେ ଗଲେ॥

।୭।

ଜରଜର ବିନ୍ଧୁଅଛି ମଦନ ଶର।

 

ଭଲା, ଝଟ ଝଟ ହୋଇ ରାଧା ପାତିଲେ କୋଳ॥

।୮।

 

 

ଝୀନ ବସନରେ ପୋଛି ପ୍ରଭୁଙ୍କ ମୁହଂ।

 

ଭଲା, ମୁଖେ ଚୁମ୍ବଦାନ ଦେଇ ଆଉଂସେ ଦେହ॥

।୯।

 

 

ରାଧାଙ୍କୁ ପାଇଣ କୃଷ୍ଣ ଆନନ୍ଦ ମନ।

 

ଭଲା, କ୍ରୀଡ଼ାରସେ ତୋଷିଲେ ରାଧିକା ଜୀବନ॥

 

କ୍ରୀଡ଼ାରଙ୍ଗ ଦେଖି ତୋଷ ବ୍ରହ୍ମା ଶଙ୍କର।

 

ଭଲା, ଅଚ୍ୟୁତ ଶରଣ ପଶେ ସେ ପଦ୍ମପାଦର॥

 

ମୋ କାହ୍ନୁରେ

।୧୦।

 

 

ବାଜେ ଶଙ୍ଖଧ୍ବନି ଫିଟେ କପାଟ

 

ଗୋପୀ ସଜ ହେଲେ ମଥୁରା ଘାଟ।

 

କାହଂପାଇଂ କାହ୍ନୁ ଓଗାଳୁ ବାଟ

 

କଂସ ରାଇଜରେ କେ ଦେବ ଭେଟ।

 

ମୋ କାହ୍ନୁରେ!

।୧୧।

 

 

ଖଳ ଶାଶୁ ମୋର ଖଳ ନଣନ୍ଦ

 

କ୍ଷଣେ ନ ଦେଖିଲେ କରିବେ ଦ୍ବନ୍ଦ।

 

ଗରବ କଥା ତୁ ନ କହ ମୋତେ

 

ଗଳାରୁ ମାଳେ କାଢ଼ି ଦେବି ତୋତେ।

 

ମୋ କାହ୍ନୁରେ!

।୧୨।

 

 

ଘୋର ନଉତିକ ଦେବି କି ଦାନ

 

ଘେନ ମୋ ବିନତି ଗୋପ ଜୀବନ।

 

ନାସାରୁ ମାଢେ କାଢ଼ିଦେବି ସୁନା

 

ଲୁଛି ହୋଇଯିବୁ ଗୋପ ଜୀବନା।

 

ମୋ କାହ୍ନୁରେ!

।୧୩।

 

 

ଚଉପାଶେ ବେଢି ଅଛନ୍ତି ସଖୀ

 

ଚତୁର ପଣ ଛାଡ଼ ପଦ୍ମ ଆଖି।

 

ଚାଟୁ ଚାଟୁଳ କହିଲେ ନମଣୁ

 

ଚାଟୁ ବାଣୀ ଚାଟ ଅଟେ ଲୋ ଯେଣୁ ।

 

ମୋ କାହ୍ନୁରେ!

।୧୪।

 

 

 

 

 

 

 

 

ଛଇଳ ବୁଦ୍ଧି ତୁ ଶିଖିଲୁ କାହୁଂ

 

ଛୁଆ ତରୁଣୀ ଭୁଆସୁଣୀ ବୋହୂ।

 

ଯମୁନା ନଦୀରେ ତରାଇ ହୋଇ

 

ଯେତେ ଜଞ୍ଜାଳ କରିଲୁ ମାଧୋଇ।

 

ମୋ କାହ୍ନୁରେ!

।୧୫।

 

 

ଝାମ୍ପିଲା ଝାମ୍ପ କେଉଂ ଦିଗେ ରହି

 

ଝଗଡ଼ା କଲେ ତୁ ପାରିବୁ ନାହିଂ।

 

ନହୁଲି ଯୈାବନ କେ ଦେବ ଦାନ

 

ଘେନ ମୋ ବିନତି ନନ୍ଦନନ୍ଦନ।

 

ମୋ କାହ୍ନୁରେ!

।୧୬।

 

 

ଟହ ଟହ ହସି ବୋଲନ୍ତି ବାଣୀ

 

ଟାକିଥାନ୍ତି ଯେହ୍ନେ ଛୁଆ ହରିଣୀ।

 

ଠକ ଭଣ୍ଡ କଥା କହୁଛୁ କେତେ

 

ଠକି ବୃନ୍ଦାବନ ନେବୁ କି ସତେ ।

 

ମୋ କାହ୍ନୁରେ!

।୧୭।

 

 

ଡ଼ିଙ୍ଗର ମଦନ ବିନ୍ଧଇ ବାଣ

 

ଡ଼ହଳ ବିକଳ ମୋର ବଦନ।

 

ଢଳି ଚାହିଂବାରେ ବାଙ୍କନୟନୀ

 

ଢାଳି ସୁଧାରସ ଦିଅ ମିତଣୀ।

 

ମୋ ମାଇଂ ଲୋ!

।୧୮।

 

 

ଆଣି ବିଧାତା ଯେ କଲାକ ଭେଟ

 

ଅଇଲା ନାଗୁଣି ଚମ୍ପା ଚହଟ।

 

ତନୁପାତେଳୀ ଲୋ ତୁ ହେମଗୋରୀ

 

ତୁ ସ୍ତିରୀ ରତନ ନବନାଗରୀ।

 

ମୋ ମାଇଂ ଲୋ!

।୧୯।

 

 

ଥିର ହୋଅ ତୋର ଦାସୀର ଦାସ

 

ଥିର କରିଦିଅ ସୁରତି ରସ।

 

ଦଧିବିକା ଲେଉଟାଣିର ବେଳେ

 

ଦେଖା ଦରଶନ କଦମ୍ବ ମୂଳେ।

 

ମୋ ମାଇଂ ଲୋ!

।୨୦।

 

 

ଧାଇଂ ସୁଧାରସ ଦେବୁରେ ବାମା

 

ଧନ୍ୟ ତୋ ବଦନ ଚନ୍ଦ୍ରବଦନା।

 

ନୀପ ତରୁ ମୂଳେ ସର୍ବଦା ବାସ

 

ନିଶି ଦଣ୍ଡେ ଥାଇ ପ୍ରଭାତୁଂ ଆସ।

 

ମୋ ମାଇଂ ଲୋ!

।୨୧।

 

 

ପୁଷ୍ପକୁ ଯେସନେ ଭ୍ରମର ରସେ

 

ପୀରତି ଚାତକ ଯୁବା ବୟସେ।

 

ଫୁଟିଛି ବସନ ଦିଶେ ଯୈାବନ

 

ଫାଟି ଯାଉଅଛି ମୋର ଜୀବନ।

 

ମୋ ମାଇଂ ଲୋ!

।୨୨।

 

 

ବିରହ ଜ୍ୱାଳାରେ ହୋଇଲି ବାଇ

 

କୋଇଲି ବଚନେ କହିଲୁ ନାହିଂ।

 

ଭୁଲିଲା ମୋ ମନ ଯୈାବନ ଦେଖି

 

ଭାସିଲା ମୋ ଭେଳା ସାଗରେ ଲାଖି।

 

ମୋ ମାଇଂ ଲୋ!

।୨୩।

 

 

ମଦନ ବାଣର ମୋହନ ଶର

 

ମନ ମୋ ରହିଲା କୁଞ୍ଜବନର।

 

ଯୁବତୀ ରତନ ଯାମିନୀ ଲତା

 

ଜଳବିନ୍ଦୁ ପ୍ରାୟ କପାଳେ ଚିତା।

 

ମୋ ମାଇଂ ଲୋ!

।୨୪।

 

 

ରମଣୀମଣି ଦୂତୀ ଦରଶନୀ

 

ରାଢପଣ କେତେ କରୁ ମିତଣୀ।

 

ଲାବଣ୍ୟନିଧି ମୋ ନବ ତରୁଣୀ

 

ଲଗା ମୋ ହୃଦରେ ହୃଦ ମିତଣୀ।

 

ମୋ ମାଇଂ ଲୋ।

।୨୫।

 

 

ବିରସ ନ ହୁଅ ଚନ୍ଦ୍ରମା ମୁଖୀ

 

ବିରହ ଜ୍ବାଳା ଶାନ୍ତ କର ସଖୀ।

 

ସରଳ ବଚନ କହରେ ଧନ

 

ସଙ୍ଗେ ଘେନି ଚାଲ ସେ କୁଞ୍ଜବନ।

 

ମୋ ମାଇଂ ଲୋ!

।୨୬।

 

 

ସରସେ ରାଧିକା ଚଳିଣ ଗଲେ

 

ସୁରତି ଶୃଙ୍ଗାର ଆରମ୍ଭ କଲେ।

 

ସହସ୍ର ମୁହୂର୍ତ୍ତ ସୁରତି କ୍ଷଣ

 

ସୁଖ ଭାରି ମନେ ଗଲେ ଫେରିଣ।

 

ମୋ ମାଇଂ ଲୋ!

।୨୭।

 

 

ହରି ରାଧା ଭକ୍ତି ହୋଇଲା ଶେଷ

 

ହରଷେ ଭଣିଲେ ଅଚ୍ୟୁତ ଦାସ।

 

କ୍ଷଣେ ଚିତ୍ତ ରଖ ସେ ପ୍ରଭୁ ପାଦେ

 

କ୍ଷମାସାଗରଙ୍କୁ ଅଚ୍ୟୁତ ବନ୍ଦେ।

 

ମୋ କାହ୍ନୁରେ!

।୨୮।

 

ଓଗାଳ – ୧

ଶୁଣ ହୋ ଗୋପନ ହଟ ବିବେକ।

 

ପଚାରୁଅଛି ମୁଂ କଥା ପଦେକ॥

।୧।

କାହାକୁ ସୁମରି ଘରୁ ବାହାର।

 

କାହାକୁ ସୁମରି କାନ୍ଧରେ ଭାର॥

।୨।

 

 

କାହାକୁ ସୁମରି ଚାଲୁଛ ପଥ।

 

କାହାକୁ ସୁମରି ବୁଡ଼ାଅ କୁମ୍ଭ॥

।୩।

କାହାକୁ ସୁମରି ଦେଉଛ ପୂଜା।

 

ତୁମ ଗୋପପୂରେ କିଏ ସେ ରାଜା॥

।୪।

 

 

ମାଆ ପୁଅ ହେଲେ ଘୁଞ୍ଚି ରହିବ।

 

ବାପ ପୁଅ ହେଲେ ଏହା କହିବ॥

।୫।

ଏ କଥା କହିବ ସୁଜ୍ଞାନୀ ହେଲେ।

 

ଅଚ୍ୟୁତାନନ୍ଦ ଏ ରସେ କହିଲେ॥

।୬।

ଉତ୍ତାର

ଶୁଣ ଶୁଣ ଆହେ ସୁଜାଣ ଜନ।

 

ପଚାରିଲ ଯେଉଂ କଥା ବିଧାନ॥

।୧।

ଶ୍ରୀଗୁରୁ ସୁମରି ଘରୁ ବାହାର।

 

ଶ୍ରୀକୃଷ୍ଣ ସୁମରି କାନ୍ଧରେ ଭାର॥

।୨।

 

 

ବସୁମାତା ସୁମରି ଚାଲୁ ଯେ ଦମ୍ଭେ।

 

ଗଙ୍ଗା ସୁମରି ଯେ ବୁଡ଼ାଉ କୁମ୍ଭେ॥

।୩।

ହରିଙ୍କି ସୁମରି ଦେଉଛୁ ପୁଜା।

 

ଗୋପପୁରେ ଯେ ନନ୍ଦ ଗୋପ ରାଜା॥

।୪।

 

 

ଶ୍ରୀଗୁରୁ ଚରଣେ ନିରତେ ଆଶ।

 

ଗୀତରେ ଭଣିଲେ ଅଚ୍ୟୁତ ଦାସ॥

।୫।

 

ଓଗାଳ –୨

ବୃଦ୍ଧ ଗୋପାଳମାନଙ୍କୁ ମୋର ନମସ୍କାର।

 

ବାଳୁତ ମତି ମୁଂ କିଛି ଜ୍ଞାନ ନାହିଂ ମୋର॥

।୧।

ପୂର୍ବରେ ଯେଉଂ ଚରିତ କଲକ କହ୍ନାଇ।

 

ତାହାକୁ ନେଇଣ ଆମ୍ଭେ ଗାଇ ବୁଲୁଥାଇ॥

।୨।

ଆମ୍ଭ ଗୋପାଳମାନଙ୍କ ଅଟେ ବଡ଼ ପର୍ବ।

 

ଗାଇବା ନାଚିବା ଥାଇ ବୁଲୁଥାଉ ସର୍ବ॥

।୩।

ମନରେ ପଡ଼ିଲା ମୋର ଏହି କଥା ଗୋଟି।

 

ଫଗୁଣ ମାସରେ ଦୋଳ ପୂର୍ଣ୍ଣମୀ ଏହୁଟି॥

।୪।

ଆମ୍ଭ ଗୋପାଳ କୁଳର ଏ କିଂପା ଉତ୍ସବ।

 

କେ କରିଛି କାହା ଲାଗି ବୁଝାଇ କହିବ॥

।୫।

ଅବିର ପିଚକାରୀ ଯେ ପୁଣ ରଙ୍ଗ ପାଣି।

 

ଏହା କିସ କି କାରଣେ ଏଥେଂ କିଏ ଆଣି॥

।୬।

ଏ ରଙ୍ଗ ମାଟି ପାଣିକୁ କେହୁ ଭିଆଇଲା।

 

ଆମ୍ଭମାନଙ୍କୁ ଏହାକୁ କେହୁ ଦେଇଥିଲା॥

।୭।

ଏ ଚରିତ ଶୁଣି ତୁମ୍ଭ ମୁଖୁଂ ଆମ୍ଭେମାନେ।

 

ଅବଶ୍ୟ ଜ୍ଞାନ ଉଦୟ ହେବ ସିନା ମନେ॥

।୮।

 

 

ଏ ଚରିତ କହି ଚିତ୍ତ କର ହୋ ସନ୍ତୋଷ।

 

କହଇ ଅଚ୍ୟୁତାନନ୍ଦ ଏହୁ ଦୋଳ ରସ॥

।୯।

ଉତ୍ତାର

ଆହେ ଭାଇମାନେ ଯାହା କହୁଅଛି ଶୁଣ।

 

ସୁଜ୍ଞାନୀ ଜାଣି ପୁଛିଲ ଲଭିବାକୁ ଜ୍ଞାନ॥

।୧।

ଯେବେ ପଚାରିଲ ମୋତେ ଏ ଦୋଳ ରଚିତ।

 

ଠିକେ ଠିକେ ଯାହା ଜାଣେ କରିବି ଉକତ॥

।୨।

 

 

ତ୍ରେତା ଯୁଗେ ରାମ ରାବଣକୁ ଶର ମାରି।

 

ବ୍ରହ୍ମ ଅସ୍ତ୍ର ବାଜି ଦୈତ୍ୟ ପଡ଼ିଲାକ ଘାରି॥

।୩।

ତାଙ୍କଠାରୁ ରାମ ରାଜନୀତିକୁ ଶିଖିଲେ।

 

ସନ୍ତୋଷ ହୋଇ ତାହାଙ୍କୁ ବର ସେ ଯାଚିଲେ॥

।୪।

 

 

ରାବଣ ବୋଇଲା ପ୍ରଭୁ ଯେବେ ଦେବ ବର।

 

ଯୁଦ୍ଧଭୁମି କର୍ଦ୍ଦମ ଯେ ରାକ୍ଷସ ରୁଧିର॥

।୫।

ସପ୍ତତାଳ ଗଭୀର ଯେ ହୋଇଣ ସାଗର।

 

ବହୁଛି ଏହାର ତୁମ୍ଭେ ପ୍ରତିକାର କର॥

।୬।

 

 

 

 

ଶ୍ରୀରାମ ବୋଇଲେ ମହୀ ବାରଶୂନ୍ୟ କରି।

 

ଆବର କରିଲୁ ଶୂନ୍ୟ ତୋହ ଲଙ୍କାପୁରୀ॥

।୭।

ଏ ରଙ୍ଗ ମାଟି ରୁଧିର ରହିଥାଉ ଛବି।

 

ଦ୍ୱାପର ଯୁଗରେ କୃଷ୍ଣ ଅବତାର ହେବି॥

।୮।

 

 

ଅବିର ସେ ରଙ୍ଗମାଟି ରୁଧିର ପିଚକାରୀ।

 

କୃଷ୍ଣ ରୂପେ ପ୍ରଭୁ ଅଙ୍ଗେ ତାହା ଥାନ୍ତି ଧରି॥

।୯।

ରାଧା କର୍ଣ୍ଣ ତାଡ଼କୀକୁ ଶଙ୍ଖଚିଲ ନେଇ।

 

ବୃନ୍ଦାବନେ ପକାନ୍ତେ ତା ସୁଦାମ ଯେ ପାଇ॥

।୧୦।

 

 

ସୁଦାମ ଅଟେ ଶ୍ରୀକୃଷ୍ଣଙ୍କର ପ୍ରିୟ ସଖା।

 

ତାଡ଼କୀ ପାଇଣ ଦେଲା ଶ୍ରୀକୃଷ୍ଣଙ୍କୁ ଏକା॥

।୧୧।

ସେ ତାଡ଼କୀ ଦେଖି କୃଷ୍ଣ ହୋଇଗଲେ ମୂର୍ଚ୍ଛା।

 

ଯାହା ଅଳଙ୍କାର ତାକୁ ଦେଖିବାକୁ ଇଚ୍ଛା॥

।୧୨।

 

 

କେଉଂ ନାରୀ ଅଳଙ୍କାର ଏଡ଼େ ଶୋଭାବନ।

 

ଅଳଙ୍କାର ଦେଖି ମୋହ ହେଲା ଆମ୍ଭ ମନ॥

।୧୩।

ସର୍ବ ସଖା ଗୋପସୁତ ସଙ୍ଗେ ଠୁଳ କରି।

 

ଦୋଳଯାତ୍ରା ଏକ ଭିଆଇଲେ ନରହରି॥

।୧୪।

 

 

 

 

ବିମାନ ଆଗରେ କର୍ଣ୍ଣ ତାଡ଼କୀ ଝୁଲାଇ।

 

ମିଛେ ଦିଅଂ ନେଇ ଦ୍ୱାରେ ଦ୍ୱାରେ ଭୋଗ ଖାଇ॥

।୧୫।

ମନେ ଏହି ଅଭିଳାଷ ଥିଲା ଯେ ତାଙ୍କର।

 

ଦେଖିବା ତା ରୂପ ନେବ ଯେହୁ ଅଳଙ୍କାର॥

।୧୬।

 

 

ସେ ରକ୍ତ କର୍ଦ୍ଦମ ମାଟି ଶୁଷ୍କ ଚୁର୍ଣ୍ଣ କରି।

 

ରୁଧିର ପାଣିକୁ ଫଗୁ ଖେଳିଲେ ଶ୍ରୀହରି॥

।୧୭।

ଅବିର ଦୋଳଯାତ୍ରାର କାରଣ ଯେ ଏହି।

 

ରାବଣ ଆଗରେ ରାମଚନ୍ଦ୍ର ଏହା କହି॥

।୧୮।

 

 

ଏ ବିନ୍ଦୁ ପୁରାଣ ରସ ହୋଇଅଛି ସାର।

 

କହଇ ଅଚ୍ୟୁତ ଯାହା ବିଖ୍ୟାତ ସଂସାର॥

।୧୯।

 

ଓଗାଳ – ୩

ସର୍ପାଭିସାର

ଜୟ ଜୟ ଗଣପତି ପାର୍ବତୀ କୁମର।

 

ଯୋଗେଶ୍ୱର ପୁରୁଷ ତୋ ବାହନ ଇନ୍ଦୁର॥

।୧।

ନମୋ ଲମ୍ବୋଦର ପ୍ରଭୁ ସଦାଶିବ ଶିଷ୍ୟ।

 

ବେନି ଭୁଜେ ଶୋଭାପାଏ ପାଶ ଯେ ଅଙ୍ଗୁଶ॥

।୨।

 

 

ଶୁଣ ହୋ ଗୋପାଳ ଭାଇ ନିବେଦନ ମୋର।

 

ଆଉ ଏକ ଗୋଟି କଥା ପଡ଼ିଲା ମନର॥

।୩।

ଶୁଣ ସଭାଜନେ ସର୍ବେ ସ୍ଥିରକରି ଚିତ୍ତ।

 

ବଡ଼ ରହସ୍ୟ ଏ ରାଧାକୃଷ୍ଣଙ୍କ ଚରିତ॥

।୪।

 

 

ଏକଦିନେ ରାଧାକୃଷ୍ଣ ନିଭୃତ କୁଂଜରେ।

 

ପ୍ରେମେ କ୍ରୀଡ଼ା କରୁଥିଲେ କୁସୁମ ଶେଯରେ॥

।୫।

କେଳି ସାରି ଆନନ୍ଦରେ ଦୁହେଂ ନିଦ୍ରା ଗଲେ।

 

ପ୍ରଭାତ ହେଲା ବୋଲିଣ ଜାଣି ନ ପାରିଲେ॥

।୬।

 

 

ଅଷ୍ଟସଖୀ ଦେଖିଲେ ଯେ ଦୁହେଂ ନିଦ୍ରାଛ୍ଛନ୍ନ।

 

ପୂର୍ବେ ଦିଗେ ଉଦୟ ଯେ ହେଲେଣି ତପନ॥

।୭।

ପୁଣି ସଖୀମାନେ ମନ ମଧ୍ୟରେ ବିଚାରି।

 

ଚାଲ ସର୍ବେ ଏବେ ଦେବା ଜାଗରିତ କରି॥

।୮।

ତଥାପି ଦୁହିଂଙ୍କି ନିଦ୍ରା ନୋହିଲା ଭଗନ।

 

ଦିବସରେ ରତି କଲେ ଆୟୁ ହୁଏ କ୍ଷୀଣ॥

।୯।

ସଖୀଙ୍କ ମଧ୍ୟରେ ବୃନ୍ଦାବତୀ ଜ୍ୟୋଷ୍ଠା ଥିଲେ।

 

ଏ ରୀତି ଦେଖିଣ ମହା କ୍ରୋଧ ସେ ପାଇଲେ॥

।୧୦।

ମନ୍ତ୍ର ଯନ୍ତ୍ର ମାନଙ୍କେ ସେ ଅଟନ୍ତି ପ୍ରବୀଣ।

 

ବାମ ପାଦ ଧୁଳିକି ସେ ଧଇଲେ ହାଥେଣ॥

।୧୧।

ଅଙ୍ଗ ପାଲଟ ମନ୍ତ୍ର ପଢିଲେ ଥର ସାତ।

 

ନ ଜାଣନ୍ତି ଏ କଥାକୁ ସଖୀଏ କିଂଚିତ॥

।୧୨।

ଫୁଲଶଯ୍ୟା ଉପରକୁ କ୍ରୋଧେ ଫିଙ୍ଗିଦେଲେ।

 

ସେ ସମୟେ ଦୁହେଂ ନିଦ୍ରା ତେଜିଣ ଉଠିଲେ॥

।୧୩।

ଏହି ବେଳେ ମନ୍ତ୍ର ଧୁଳି ହୋଇଲା ପତନ।

 

ସେ ଧୁଳି ପ୍ରଭାବେ ହେଲା ଅପୁର୍ବ ଘଟନ॥

।୧୪।

ରାଧାକୃଷ୍ଣ ଦୁହେଂ ହେଲେ ସର୍ପ ଯେ ସର୍ପିଣୀ।

 

ଫଣା ଟେକି ଗର୍ଜନ ସେ କରନ୍ତି ଭ୍ରମଣି॥

।୧୫।

ଅଷ୍ଟସଖୀମାନଙ୍କୁ ସେ ଦଂଶିଲେ ତକ୍ଷଣି।

 

ମହା ବିଷ ଜ୍ବାଳାରେ ଯେ ପଡ଼ିଲେ ସଜନୀ॥

।୧୬।

 

 

ଏହାକୁ ଦଂଶିଣ ଦୁହେଂ ପ୍ରେମେ ବୁଲୁଥିଲେ।

 

ଦୈବେ ମୟୁର ମୟୁରୀ ସେଠାରେ ମିଳିଲେ॥

।୧୭।

ସର୍ପକୁ ଦେଖି ମୟୁରେ ଆନନ୍ଦ ହୋଇଲେ।

 

ସର୍ପ ସର୍ପିଣୀଙ୍କି ତହୁଂ ଗିଳିଣ ସେ ଦେଲେ॥

।୧୮।

 

 

ମହା ଆନନ୍ଦ ମନରେ ତାହାଙ୍କୁ ଗିଳିଲେ।

 

ରାଧାକୃଷ୍ଣ ଦୁହେଂ ତାଙ୍କ ଗର୍ଭରେ ରହିଲେ॥

।୧୯।

ଏହି ସମୟରେ ଏକ ଶବର ଅଇଲା।

 

ମୟୁରଙ୍କୁ ଦେଖି କ୍ରୋଧେ ସେହୁ ଗୋଡ଼ାଇଲା॥

।୨୦।

 

 

ଶବରକୁ ଦେଖି ମୟୁର ତହୁଂ ପଲାଇଲେ।

 

ପର୍ବତ ଗୁଂଫା ଭିତରେ ଯାଇଣ ପଶିଲେ॥

।୨୧।

ଧନୁଶର ଧରି ଜଗି ବସିଲା ଶବର।

 

ବାହାର ହେଲେ ତାହାଙ୍କୁ କରିବ ସଂହାର॥

।୨୨।

 

 

ଆହେ ଭାଇାମାନେ ଶୁଣିଲ ତ ସବୁକଥା।

 

କପରି ଏଥୁଂ ଉଦ୍ଧାର ହେବ ସର୍ବେ ଯଥା॥

।୨୩।

ଗୋପାଳ ହୋଇଣ ଯେବେ ଏହା ନ କହିବ।

 

ଅଚ୍ୟୁତ ବୋଲଇ ଗୁରୁପାଦେ ଦ୍ରୋହୀ ହେବ॥

।୨୪।

ଉତ୍ତାର

ବନ୍ଦିଲୁଂ ଶାରଳା ମାଗୋ ଝଙ୍ଗଡ଼ ବାସିନୀ।

 

କଳିକାଳ ଧ୍ବଂସିନୀ ଗୋ ଜଗତ ଜନନୀ॥

।୧।

ଶୁଣ ହୋ ଗୋପାଳ ଭାଇ ମନ କର୍ଣ୍ଣ ଦେଇ।

 

ଭଲା ସନ୍ଧି ଓଗାଳ ତ ପୁଚ୍ଛିଲ ଏଠାଇଂ॥

।୨।

ରାଧାକୃଷ୍ଣ ବିନା ହେଲା ଜଗତେ ଚହଳ।

 

ଯୋଗବଳେ ନାରଦ ତା ଜାଣିଲେ ସକଳ॥

।୩।

ଜାଣିପାରି ସେ ସୁଧର୍ମା ସଭାରେ ମିଳିଲେ।

 

ଶଚୀପତି ଆଗେ ସବୁ ବୁଝାଇ କହିଲେ॥

।୪।

ବୃନ୍ଦାବନ ସମାଚାର ଶୁଣ ଶଚୀନାଥ।

 

ଏପର୍ଯ୍ୟନ୍ତ କଂସାସୁର ହୋଇାନାହିଂ ହତ॥

।୫।

ମହାସଙ୍କଟରେ ପଡ଼ିଛନ୍ତି ପୀତବାସ।

 

ସର୍ପ ରୂପ ହୋଇ ବେନି ହେଉଛନ୍ତି ଧ୍ବସଂ॥

।୬।

ଗୁରୁଙ୍କ ମୁଖକୁ ଚାହିଂ ଇନ୍ଦ୍ର ଯେ ପୁଚ୍ଛଇ।

 

କିପରି ଏ ସଙ୍କଟରୁ ବଞ୍ଚିବେ ମାଧୋଇ॥

।୭।

ବୃହସ୍ପତି ବୋଇଲେ ସହାୟ ମହାମାୟୀ।

 

ତାଙ୍କ ବିନା ଏ ସଙ୍କଟୁ ଉଦ୍ଧାର ବା କାହିଂ॥

।୮।

 

 

ଦୁର୍ଗାଦେବୀଙ୍କୁ ମିନତୀ ଇନ୍ଦ୍ର ତହୁଂ କଲେ।

 

ରାଧା ମାଧବଙ୍କୁ ମାତ ଉଦ୍ଧର ବୋଇଲେ॥

।୯।

ବ୍ୟାଘ୍ର ବାହାନେ ଦେବୀ ଯେ ମଞ୍ଚେ ଉପଗତ।

 

କୈଳାସରୁ ବୃଷଭ ଆରୋହି ବିଶ୍ୱନାଥ॥

।୧୦।

 

 

ଭ୍ରମୁ ଭ୍ରମୁ ମିଳିଲେ ସେ ପର୍ବତ କତିରେ।

 

ଯୋଗକୁ କାର୍ତ୍ତିକ ଆଗୁଂ ସେଠାବରେ ଥିଲେ॥

।୧୧।

ମାତ- ପିତାଙ୍କୁ ଦେଖି ସେ ବୋଲନ୍ତି ବଚନ।

 

ମୟୁରକୁ ଖୋଜି ଖୋଜି ହେଲି ମୁ ଅଗ୍ୟାଂନ॥

।୧୨।

 

 

କେଉଂଠାରେ ଅଛି ମାତ କହ ଦୟା ବହି।

 

ନ କହିଲେ ଆଜ ତୋତେ ଛାଡ଼ିଦେବି ନାହିଂ॥

।୧୩।

ଏହା ଶୁଣି ଦୁର୍ଗା ମାତା ହସ ହସ ହେଲେ।

 

କାର୍ତ୍ତିକଙ୍କୁ ନେଇ ଗୁଂଫା ଦେଖାଇଣ ଦେଲେ॥

।୧୪।

 

 

ବ୍ୟାଘ୍ରକୁ ଦେଖି ଶବର ଭୟେ ପଳାଇଲେ।

 

ଏହ ଦେଖି ମୟୁର ଯେ ଆନନ୍ଦ ହୋଇଲେ॥

।୧୫।

କାର୍ତ୍ତିକ ବୋଲନ୍ତି ଆହେ ବାହନ ବେଗେ ଆସ।

 

କାର୍ତ୍ତିକଙ୍କ କଥା ଶୁଣି ପଶିଲା ସାହସ॥

।୧୬।

 

 

 

 

ଗୁଂଫା ମଧ୍ୟରୁ ମୟୁର ବେଗେ ବାହାରିଲେ।

 

ମୟୁରଙ୍କୁ ଦେଖି ଦୁର୍ଗା ଆନନ୍ଦ ହୋଇଲେ॥

।୧୭।

ହସ ହସ ହୋଇ ଦେବୀ ଶିବଙ୍କୁ କହନ୍ତି।

 

ୟାଙ୍କ ଗର୍ଭ ମଧ୍ୟେ ରାଧାକୃଷ୍ଣ ଯେ ଅଛନ୍ତି॥

।୧୮।

 

 

ଚମତ୍କାର ହୋଇ ଶିବ ପୁଚ୍ଛନ୍ତି କିପରି।

 

ଭଗବତୀ ବୋଲନ୍ତି ଯେ ସର୍ପ ରୂପ ଧରି॥

।୧୯।

ପଦ୍ମତୋଳା ମନ୍ତ୍ର ତହୁଂ ଗାଇଲେ ଶୂଳପାଣି।

 

କର୍ଣ୍ଣ ବାଟେ ବାହାରିଲେ ସର୍ପ ଯେ ସର୍ପିଣୀ॥

।୨୦।

 

 

ତହୁଂ ସଦାଶିବ ତାଙ୍କ ହସ୍ତରେ ତୋଳିଲେ।

 

କାନ୍ଧରେ ରଖିଣ ମହା ଆନନ୍ଦେ ନାଚିଲେ॥

।୨୧।

ଏ ସମୟେ ବୃନ୍ଦାବତୀ ମିଳିଲେ ସେଠାରେ।

 

ଶିବଙ୍କୁ କହନ୍ତି ସେହୁ ଆକୁଳ ଚିତ୍ତରେ॥

।୨୨।

 

 

ଅଷ୍ଟ ସଖୀଙ୍କି ଦଂଶିଣ ଏହି ସର୍ପ ଦୁଇ।

 

ହତଜ୍ଞାନ ହୋଇ ସର୍ବେ ପଡ଼ିଛନ୍ତି ଶୋଇ॥

।୨୩।

ଏହା ଶୁଣି ସେ ସର୍ପଙ୍କୁ ଶିବ ଛାଡ଼ିଦେଲେ।

 

ଦଂଶିବା ବିଷକୁ ସର୍ପ ଶୋଷଣ ଯେ କଲେ॥

।୨୪।

 

 

 

 

ସର୍ପ ବିଷ ଯାନ୍ତେ ସର୍ବ ଚେତନା ଲଭିଲେ।

 

ନିଦ୍ରାରୁ ଉଠିଲା ପ୍ରାୟେ ସଖୀଏ ଉଠିଲେ॥

।୨୫।

ବୃନ୍ଦାବତୀ ଜାଣିଲେ ସେ ଏହି ସର୍ପ ସେହି।

 

ଏହି ରୂପ ଧରିଛନ୍ତି ରାଧାକୃଷ୍ଣ ହୋଇ॥

।୨୬।

 

 

ପାଲଟା ମନ୍ତରେ ଧୂଳି ଦେଲେ ଯେ ପକାଇ॥

 

ନିଜ ରୂପ ପାଇଲେ ଶ୍ରୀ ରାଧା କହ୍ନାଇ॥

।୨୭।

ଶିବ ପାର୍ବତୀଙ୍କୁ ଦେଖି ଆନନ୍ଦ ହୋଇଲେ।

 

କୋଳାଗ୍ରତ ହୋଇ ସର୍ବେ ଯେଝା ସ୍ଥାନେ ଗଲେ॥

।୨୮।

 

 

ଅତି ଏ ଗହନ କଥା ଶାସ୍ତ୍ରେ ଲେଖା ନାହିଂ।

 

ଯାହା କହିଦେଲେ ସେହି ପ୍ରକାଶିଲି ମୁହିଂ॥

।୨୯।

ଶୁଣ ହୋ ଗୋପାଳ ଭାଇ ହେତୁରେ ଘେନିବ।

 

କହିଲା ଅଚ୍ୟୁତ ଦାସ ରାଧା କୃଷ୍ଣେ ଭାବ॥

।୩୦।

 

ଓଗାଳ– ୪

ଶୁଣ ହେ ଗୋପାଳ ଭାଇ ଡ଼େରି କର୍ଣ୍ଣଦ୍ୱାର।

 

ଯାହା ପଚାରୁଛି ମୁହିଂ ଦେବଟି ଉତ୍ତର॥

।୧।

ଚାରିବର୍ଣ୍ଣ କଥା ତୋତେ ପଚାରୁଛି ଭାଇ।

 

ମନର ସଂଶୟ ମୋର ଦେବଟି ଫିଟାଇ॥

।୨।

 

 

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର ଏହ ଚାରି।

 

କେଉଂ ବର୍ଣ୍ଣେ ଜନ୍ମି ଭାଇ କେଉଂ କର୍ମ କର।

 

କି ଅବା ଚାରି ବର୍ଣ୍ଣରୁ ହୋଇଛ ବାହାର॥

।୩।

କେଉଂ ବର୍ଣ୍ଣେ ଜନମ ହୋଇଚ ଆହେ ଭାଇ।

 

କେଉଂ କାର୍ଯ୍ୟ କରିବାର ବିହିତ ଅଟଇ॥

।୪।

 

 

ଏକ ବର୍ଣ୍ଣେ ଏକ ଔରସରୁ ଜନ୍ମିଥିଲେ।

 

ତହିଂର ବୃତ୍ତାନ୍ତ ସିନା କହିବଟି ଭଲେ॥

।୫।

ବର୍ଣ୍ଣସଙ୍କର ଯେ ଥିଲେ ଜାଣିବ ବା କାହୁଂ।

 

ସଭାରେ ବସି ବୃଥାରେ ହୁଅ ହାଉଂ ହାଉଂ॥

।୬।

 

 

ମନପ୍ରାଣ ଲଗାଇଣ ଶ୍ରୀଗୁରୁ ପୟରେ।

 

ସେବା କରିଥିଲେ ଭାଇ କହିବ ବେଭାରେ॥

।୭।

ନିଜ କର୍ମ ନ ଜାଣିଣ ଆନକୁ ପଚାର।

 

ସୁଜ୍ଞାନୀ ଜନଙ୍କର କି ଅଟେ ଏ ବେଭାର॥

।୮।

ଅଚ୍ୟୁତ ବୋଇଲେ ଯେବେ ନ ଜାଣିଛ ତୁମ୍ଭେ।

 

ଗୁରୁ କରି ଶିକ୍ଷା କଲେ କହିଦେବୁ ଆମ୍ଭେ॥

।୯।

ଉତ୍ତାର

ଶୁଣ ହୋ ଗୋପାଳ ଭାଇ ପଚାରିଲ ଯାହା।

 

ଶ୍ରୀଗୁରୁଙ୍କ ସୁଦୟାରୁ କହିଦେବୁ ତାହା॥

।୧।

ସୁବୁଦ୍ଧି ବୋଇଲେ ଦାସେ ଶୁଣ ସାବଧାନେ ।

 

ସଦଗୁରୁ ସେବିଥିଲେ ଶୁଣ ଜ୍ଞାନୀମାନେ॥

।୨।

ଚାରି ବର୍ଣ୍ଣ କଥା ଯାହା ପଚାରିଲ ଭାଇ।

 

ଯାହା ଜାଣେ ଠିକେ ଠିକେ କହୁଛି ବୁଝାଇ॥

।୩।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର ଚାରି ବର୍ଣ୍ଣ ।

 

ଗୋପାଳମାନେ ଅଟନ୍ତି ବୈଶ୍ୟ ଆହେ ଶୁଣ॥

।୪।

ବୈଶ୍ୟ ବର୍ଣ୍ଣଙ୍କର କର୍ମ ଶୁଣ ଆରେ ଭାଇ।

 

ସଦଗୁରୁ ସେବା ଫଳ ଦେବଇଂ ବୁଝାଇ॥

।୫।

ଗାଈ ରଖିବା ଆମ୍ଭର ପ୍ରଧାନ ଯେ କର୍ମ।

 

ସେହି ଗୋରୁ ଦ୍ୱାରା କୃଷି କରୁ ଯେ ଉତ୍ପନ୍ନ॥

।୬।

 

 

ଗୋରୁଙ୍କର କ୍ଷୀରଠାରୁ ନାନାଦି ପ୍ରକାର।

 

ଅମୃତ ସାମଗ୍ରୀ କରୁ ବିଶୁଦ୍ଧ ବେପାର॥

।୭।

ଆନ ବୈଶ୍ୟମାନେ କୃଷି ବାଣିଜ୍ୟ କରନ୍ତି।

 

ଗୋରକ୍ଷା କର୍ମଙ୍କୁ କେହି କରି ନ ପାରନ୍ତି॥

।୮।

 

 

ଏଣୁକରି ଗୋପାଳ ଅଟନ୍ତି ଶୁଦ୍ଧ ବୈଶ୍ୟ।

 

ନାନାଦି ଶାସ୍ତ୍ରରେ ଏହା ଲେଖା ଇତିହାସ॥

।୯।

ଆହେ ଭାଇମାନେ ମୋର ଶୁଣ ନିବେଦନ।

 

ରୋଷ ନ ବହିବ ମନେ ନୋହିବ ବିମନ॥

।୧୦।

 

 

ଏବେ କିଛି ଦିନ ପାଇଂ ଶ୍ରୀଗୁରୁ ପୟରେ।

 

ମନପ୍ରାଣ ଦେଇ ସେବ ଦିବା ରଜନୀରେ॥

।୧୧।

ଅବଶ୍ୟ ତାଙ୍କ କୃପାରୁ ଜ୍ଞାନ ଉପୁଜିବ।

 

ଅଚ୍ୟୁତ ବୋଇଲେ ତେବେ ଏଠାକୁ ଆସିବ॥

।୧୨।

 

ଓଗାଳ – ୫

ଶୁଣ ହେ ଗୋପାଳ ଭାଇ ଆମ୍ଭର ବଚନ।

 

ଆଉ ଗୋଟି ଏକ କଥା ପଡ଼ିଲା ଯେ ମନ॥

।୧।

ବହୁତ ଦିନରୁ ମୋର ସଂଶୟେ ରହିଛି।

 

ଭାଇମାନେ ସେ ସଂଶୟ ଦିଅ ଆଜି ପୋଛି॥

।୨।

ତୁମ୍ଭ ହାଥେ ମୟୁର ଝାଲରି ଦେଖିକରି।

 

ମନ ବଳୁଅଛି ଆଜି ବୁଝିବି ପଚାରି॥

।୩।

ମୟୁର ଜନମ କାହୁଂ କିପରି ହୋଇଲା॥

 

ଏପରି ସୈାନ୍ଦର୍ଯ୍ୟ ରୂପ କେହୁ ନିର୍ମାଣିଲା॥

।୪।

ମୟୁର ମୟୁରୀଙ୍କର ଶୃଙ୍ଗାର କିମ୍ପାଇଂ।

 

ନ ହୁଅଇ କେଉଂ ପାପୁଂ କହିଦେବ ଭାଇ॥

।୫।

କେଉଂ ମାହାତ୍ମା ତାହାଙ୍କୁ ଶାପ ଦେଇଥିଲେ।

 

ଶୃଙ୍ଗାର ନ ହୋଇ ବଛା କିପରି ଜନ୍ମିଲେ॥

।୬।

ଏତେ ଲୋଚନ କିମ୍ପାଇଂ ମୟୁର ପୁଚ୍ଛରେ॥

 

ସଦଗୁରୁ ସେବିଥିଲେ କହିବ ସଭାରେ॥

।୭।

ଶୁଣ ଶୁଣ ଆହେ ଦାସେ ଦେଇ ମନ କର୍ଣ୍ଣ।

 

ଚନ୍ଦ୍ରିକା ମଧ୍ୟରେ କିମ୍ପା ଅଛି ଚାରି ବର୍ଣ୍ଣ॥

।୮।

 

 

ସେ ଚନ୍ଦ୍ରିକାକୁ ଶ୍ରୀକୃଷ୍ଣ ମସ୍ତକେ କିମ୍ପାଇଂ।

 

ଖୋସିଛନ୍ତି ଆହ୍ଲାଦରେ କହିଦେବ ଭାଇ॥

।୯।

ହୀରା ନୀଳା ମୋତି ଅଷ୍ଟରତ୍ନ ତ୍ୟାଗ କରି।

 

ପୁଚ୍ଛ ଛାର କିମ୍ପା ପ୍ରଭୁ ଶିରେ ଛନ୍ତି ଧରି॥

।୧୦।

 

 

ଏଥିର ସଂଶୟ ଭାଇମାନେ କହିଦେବ।

 

ଅଣଗୁରୁଆ ଥିଲେ ତା’ କାହୁଂ ଯେ ପାଇବ॥

।୧୧।

କହି ନ ପାରିଲେ ଭାଇ ଆଜ ଦିନଠାରୁ।

 

ମୟୁର ପୁଚ୍ଛକୁ ଯେବେ ଶ୍ରୀହସ୍ତେରେ ଧରୁ॥

।୧୨।

 

 

ମାତା ପିତା ଇଷ୍ଟଗୁରୁ ଦ୍ୱାହି ଯେ ତୁମ୍ଭଙ୍କୁ ।

 

ଅଚ୍ୟୁତ ବୋଇଲେ ଆଉ ନ ଆସ ସଭାକୁ॥

।୧୩।

ଉତ୍ତାର

ଯାହା ପଚାରିଲ ଭାଇମାନେ ହୋଇ ମେଳି।

 

ଅଳ୍ପ ଯାହା ଜାଣେ କହୁଅଛି ଭାଳି ଭାଳି॥

।୧।

ବିଜ୍ଞଲୋକ ନୁହେଂ ମୁହିଂ ଅଟଇ ମୂରୁଖ।

 

ନୁହଂଇ ଯେ ବୃଦ୍ଧ ମୁହିଂ ବାଳୁତଇ ଦେଖ॥

।୨।

 

 

 

 

ତୁମ୍ଭମାନଙ୍କ କଲ୍ୟାଣ ଶ୍ରୀଗୁରୁ କୃପାରେ।

 

ଠିକେ ଠିକେ କିଛି ଭାଇ କହୁଛି ସଭାରେ॥

।୩।

ମୟୁର ଜନମ ଭାଇ ଶୁଣ ଦେଇ ମନ।

 

ସତ୍ୟ ଯୁଗରେ ଜନମ ମୁର ଯେ ଦାରୁଣ॥

।୪।

 

 

ଦେବଗଣମାନଙ୍କୁ ସେ ବହୁ କଷ୍ଟ ଦେଲା।

 

ବାରମ୍ବାର ସ୍ୱର୍ଗ ଜୁର କରି ଘେନିଗଲା॥

।୫।

ତାର ଭୟେ ଦେବତାୟେ ରହି ନ ପାରିଲେ।

 

ସ୍ୱର୍ଗପୁର ଛାଡ଼ିକରି ପଳାଇଣ ଗଲେ॥

।୬।

 

 

ମେରୁ ପାହାଡ଼ରେ ଲୁଚି ଯଜ୍ଞ କରୁଥିଲେ।

 

ତାହା ଜାଣି ଶୁକ୍ର ଗୁରୁ ମୁରକୁ କହିଲେ॥

।୭।

ଗୁରୁଠାରୁ ମୁରାସୁର ଶୁଣି କୋପ ହୋଇ।

 

ମେରୁକୁ ଉପାଡ଼ିବାକୁ ବେଗେ ଗଲା ଧାଇଂ॥

।୮।

 

 

ତାହା ଜାଣି ଦେବଗଣେ ଭୟକରି ମନେ।

 

ପଶୁପକ୍ଷୀ ରୂପ ତହୁଂ ଧଇଲେ ଗୋପନେ॥

।୯।

ମରୁତ ହୋଇଲେ ମୃଗ କାକ ହେଲା ଯମ।

 

ଯକ୍ଷ ହୋଇଲେ କୁରର ହଂସ ଯେ ବରୁଣ॥

।୧୦।

 

 

 

 

ସମସ୍ତଙ୍କ ଦୁଇ ନେତ୍ର ନେଲେ ପଶୁପକ୍ଷୀ।

 

ସହସ୍ର ଲୋଚନ ତହୁଂ ଉପାୟ ନ ଦେଖି॥

।୧୧।

ମୟୁର ରୂପକୁ ବେଗେ ଧରି ଶଚୀନାଥ।

 

ପୁଚ୍ଛରେ ରଖିଲେ ନେଇ ସହସ୍ରେକ ନେତ୍ର॥

।୧୨।

 

 

ଏହିପରି ନାନା ରୂପ ସକଳେ ଧରିଣ।

 

ମୁରାସୁର ନ ଜାଣୁ ହୋଇଲେ ଅନ୍ତର୍ଦ୍ଧାନ॥

।୧୩।

ଯେହୁ ଯେଉଂ ରୂପ ହେଲେ ଦେଇ ତାଙ୍କୁ ବର।

 

ମୁର ଗଲାରୁ ଧଇଲେ ନିଜ କଲେବର॥

।୧୪।

 

 

ଅନେକ ପ୍ରକାର ଅଛି ମୟୁର ଜନମ।

 

ସମସ୍ତଙ୍କଠାରୁ ଏହୁ ଅଟଇ ଉତ୍ତମ॥

।୧୫।

ମୟୁର ଜନମ କଥା କହିଲିରେ ଭାଇ।

 

ଶୃଙ୍ଗାର କିମ୍ପା ନୋହଇ କହିବି ବୁଝାଇ॥

।୧୬।

 

 

ତ୍ରେତୟା ଯୁଗରେ ରାମ ସୀତା ହରାଇଣ।

 

ଖୋଜି ଖୋଜି ବୁଲୁଥିଲେ ଗହନ କାନନ॥

।୧୭।

ଦିବସରେ ମୟୁର ମୟୁରୀ ସଙ୍ଗେ ଘେନି।

 

ରମଣ କରନ୍ତି ଯେ ଦେଖିଲେ ରଘୁମଣି॥

।୧୮।

 

 

 

 

କୋପେ ଶାପ ଦେଲେ ରାମରେ ପାଷାଣ୍ଡ ପକ୍ଷୀ।

 

ଦିବସେ ରମଣ କର ଧର୍ମକୁ ଉପେକ୍ଷି॥

।୧୯।

ଆଜଠାରୁ ତୁମ୍ଭ ବଂଶେ ରମଣ ନୋହିବ।

 

ରମଣ କଲେ ତକ୍ଷଣି ମୂର୍ଦ୍ଧନା ଫାଟିବ॥

।୨୦।

 

 

ଶାପ ଶୁଣି ବେନି ପକ୍ଷୀ ମନେ ଭୟ ପାଇ।

 

ରଘୁନାଥ ଚରଣରେ ହୋଇଲେ ବିନୟୀ॥

।୨୧।

ଆଜଠାରୁ ଆମ୍ଭର ଯେ ବଂଶ ଲୋପ ହେବ।

 

ରମଣ ନୋହିବ କାହୁଂ ଶାବକ ଜନ୍ମିବ॥

।୨୨।

 

 

ଅପରାଧ କ୍ଷମି ପ୍ରଭୁ କରୁଣା ଗୋସାଇଂ।

 

ଶାପକୁ ପ୍ରତିକାର ହେ ଦିଅନ୍ତୁ ବତାଇ॥

।୨୩।

ପକ୍ଷୀ ବାଣୀ ଶୁଣି ରାମ କୋପକରି ଶାନ୍ତି।

 

ରମଣ ନୋହିବ ଜନ୍ମ ହୋଇବ ସନ୍ତତି॥

।୨୪।

 

 

ଆକାଶରେ ମେଘ ଦେଖି କାମେ ହୋଇ ଭୋଳ।

 

ନାଚୁ ନାଚୁ ରେତ ଖସି ପଡ଼ିବ ଭୂତଳ॥

।୨୫।

ସେ ରେତକୁ ମୟୁରୀ ଯେ ଭକ୍ଷଣ କରିବ।

 

ଆମ୍ଭ ଆଜ୍ଞାରେ ନିଶ୍ଚୟ ଗର୍ଭବତୀ ହେବ॥

।୨୬।

 

 

 

 

ରମଣ ନହୁଏ ବଛା ଜନମ ହୁଅଇ।

 

ଚନ୍ଦ୍ରିକାରେ ଚାରିବର୍ଣ୍ଣ ଶୁଣ ମନ ଦେଇ॥

।୨୭।

ଚାରିଯୁଗ ଚାରିବେଦ ଚାରି ବର୍ଣ୍ଣ ଜାଣ।

 

ଆବର ଅଛଇ ଦଶ ଅବତାର ବର୍ଣ୍ଣ॥

।୨୮।

 

 

ତା’ ମଧ୍ୟରେ ରାଧିକାର ନାମ ଲେଖାଅଛି।

 

ପ୍ରେମ ଯୋଗୁଂ ମସ୍ତକେ ଖୋସନ୍ତି ନନ୍ଦବତ୍ସି॥

।୨୯।

ମୟୁର ଝାଲି ଚରିତ ପଚାରିଲ ଯାହା।

 

ଗୁରୁସେବା କଲେ ସିନା ଜାଣିବଟି ତାହା॥

।୩୦।

 

 

ଶ୍ରୀଗୁରୁଙ୍କ ଶ୍ରୀଚରଣେ ସେବା ଫଳେ ଭାଇ।

 

ଅଚ୍ୟୁତ ବୋଇଲେ ସର୍ବ ଦେଲିଟି ବୁଝାଇ॥

।୩୧।

 

ଓଗାଳ –୬

ପଚାରୁଛି ଭାଇ ଶୁଣ, ବିଚାରି କହିବ ପୁଣ

 

ନ ଥାଇ ମାତା କେ ପୁଅ, ମୋ ଆଗେ ସେ କଥା କୁହ।

 

ସେ ବର୍ଣ୍ଣସଙ୍କର,

 

ବୁଝି ଠିକେ କହ କିଏ ଅଧା ଗୋପାଳ॥

।୧।

ଏହି କଥା ମନେ ଭାଳ, ବାର ଗେରସ୍ତରେ ପୁଅ,

 

ସେ ଜଣକ କିଏ କହ, ନ କହିଲେ ମୋତେ ରୁହ।

 

ଅଣବାବୁଆରେ,

 

ଆଜ ସହଜେ କି ଛାଡ଼ିଦେବି ତୋରେ॥

।୨।

କେତେ ଥର ଭାଗବତ, ହୋଇଲା ଜନମ ସତ,

 

କହ ନାରାୟଣ ଜନ୍ମ, ହେବ ତାହାର ପ୍ରମାଣ।

 

ଶ୍ରୀ ମହାଭାରତ,

 

କିପରି ଜନମ ହେଲା ବୁଝାଅ ତତ୍ତ୍ୱ॥

।୩।

ଅଷ୍ଟାଦଶ ଯେ ପୁରାଣ, ତାହାର ଜନ୍ମ ବିଧାନ

 

ପୁରାତନ ଇତିହାସ, ସାତଖଣ୍ଡ ହରିବଂଶ।

 

କାହୁଂ ଜାତ କହ,

 

ଅଚ୍ୟୁତ ବୋଲଇ ଫେଡ଼ ହୋ ସନ୍ଦେହ॥

।୪।

ଉତ୍ତାର

ବିଜ୍ଞାନୀ କର ଶ୍ରବଣ, ଏଛିଣ୍ଡା ଗଣ୍ଡା ପୁରାଣ

 

ଯାହା ପଚାରିଲ ଭାଇ, ତୋତେ କହିବା ବୁଝାଇ।

 

ମାତା ନ ଥାଇଣ,

 

କୁମ୍ଭରିଆ ପୋକର ଭୃଙ୍ଗ ନନ୍ଦନ॥

।୧।

ଭଣ୍ଡା ନ କାଢ଼ି କଦଳୀ, ପୁତ୍ର ଭଳି ତାର ରହି

 

ମାତା ରଜୋବତୀ ନୋହି, ଅଣବାବୁଆଟି ସେହି।

 

ଅଛନ୍ତି ସଂସାରେ,

 

ମନେ ହେତୁ କର ଆହେ ସୁଜ୍ଞ ନ ସରେ॥

।୨।

ରାମକୃଷ୍ଣ ଦୁଇ ଭାଇ, ଅଧା ଗୋପାଳଟି ସେହି

 

ବସୁଦେବର କୁମର, ପୁତ୍ର ସ୍ନେହରେ ନନ୍ଦର।

 

ବଣଭୋଜି କାଳେ,

 

ପୋଡ଼ା ଅନ୍ନ ଭୁଞ୍ଜିଲେ ଗୋପାଳ ମେଳେ॥

।୩।

ଛତିଶ ପାଟକେ ନୋହି, ବର୍ଣ୍ଣ ସଙ୍କର ଅଟଇ

 

ବଶିଷ୍ଟ ଯାହା କୁମର, ଅଟେ ସେ ସଂସାରେ ସାର।

 

ଭାରଦା ଯେ ଥିଲା,

 

ବର୍ଣ୍ଣ ସଙ୍କର ସେ ବେଶ୍ୟା ପୁତ୍ର ହୋଇଲା॥

।୪।

 

 

ଏଥୁଅନ୍ତେ ଜନେ ଶୁଣ, କ୍ଷୀରାର୍ଣ୍ଣବେ ଭଗବାନ

 

ଅନନ୍ତ ଶୟନେ ଥାଇ, ମନେ ବିଚାରିଲେ ସେହି।

 

ଭାଗବତ ଜନ୍ମ

 

ମୁଖୁଂ ଏକାକ୍ଷର ଜାତ ନାମ ବ୍ରହ୍ମ॥

।୫।

 

 

ଯାହାକୁ ଦେଇ ଅନନ୍ତ, ତ୍ରିକ୍ଷରେ କରିଗଲେ ତ

 

ବ୍ରହ୍ମା କହେ ଚାରିବେଦ, ନାରାୟଣ ଚତୁର୍ଭୁଜ।

 

ନାରଦ ଯେ ଦାସ,

 

ତହୁଂ ଶତେ ଶ୍ଳୋକ କଲେ ବେଦବ୍ୟାସ॥

।୬।

 

 

ନାରଦ ଋଷିଙ୍କ ବାଣୀ, ଶୁଣି ଉଚ୍ଚାଟ ରୁଦ୍ରାଣୀ

 

ତାହା ଜାଣିଣ ମହେଶ, ମୁଖରେ କଲେ ପ୍ରକାଶ।

 

ଶୁଣିଣ ସେ ଦମ୍ଭ,

 

ବୃକ୍ଷ କୋଟରେ ଚେତି କାଞ୍ଜିଆ ଡ଼ିମ୍ବ॥

।୭।

 

 

ଡ଼ିମ୍ବରୁ ଶୁକ ଜନ୍ମିଲେ, ସତ୍ୟବଦୀ ଗର୍ଭେ ଥିଲେ

 

ସେ ଗର୍ଭେ ଜନ୍ମିଲା ବେଳେ, ନୈମିଷା ଅରଣ୍ୟେ ମିଳେ।

 

ପରୀକ୍ଷିତ ଆଗେ,

 

ଶୁକ ମୁନି କହିଥିଲେ ଅନୁରାଗେ॥

।୮।

 

 

 

 

ଏହିପରି ଦଶଥର, ଭାଗବତ ଅବତାର

 

ସାମ ବେଦରୁ ସମ୍ଭୁତ, ରାମାୟଣ ହେଲା ଜାତ।

 

ଶ୍ରୀ ମହାନାଟକ,

 

ତେଣୁ ରାମାୟଣ ଜାତ ଆଧ୍ୟାତ୍ମିକ॥

।୯।

 

 

ସେଥିରୁ ହେଲା ଭିଆଣ, ବାଲମିକ ରାମାୟଣ

 

ବିସ୍ତାରି ମହାଭାରତ, ଝିମିଟି ଖେଳରୁ ଜାତ

 

ୟେହୁ ଇତିହାସ,

 

ବଇସମ୍ପାୟନ ମୁଖରୁ ସେ ପ୍ରକାଶ॥

।୧୦।

 

 

ଅଷ୍ଟ ଯେ ମାତୃକା ଅଂଶ, ସାତଖଣ୍ଡ ହରିବଂଶ

 

କଲେ ଭିଆଣ ସ୍ତ୍ରୀଲିଙ୍ଗ, ଫୁଲିଙ୍ଗ ନିଷିଦ୍ଧ ଲିଙ୍ଗ॥

 

ସକଳ ବିଧାନ,

 

ଜଗତ ମଙ୍ଗଳ ପାଇଂ କଲେ ଭିଆଣ॥

।୧୧।

 

 

ଆବର ଯେ ନାନା ଗ୍ରନ୍ଥ, କଲେ ନୂତନ କବିତ୍ୱ

 

ସଂଖ୍ୟା କରି ତାହା ନୋହେ, ସମୁଦ୍ର ଭେଦିବ କିଏ।

 

କହେ ଅଚ୍ୟୁତ ଦାସ,

 

ସୁଜ୍ଞଜନେ ମୋର ଯେ ନ ଘେନ ଦୋଷ॥

।୧୨।

 

ଓଗାଳ – ୭

ଶୁଣ ହୋ ଗେପାଳ ଭାଇ ସ୍ଥିରକରି ମନ।

 

ପଚାରୁଛି କଛି ପୁରାତନ କଥାମାନ॥

।୧।

ପ୍ରଶ୍ନର ଉତ୍ତର ଯେବେ ନ ପାରିବ କହି।

 

ସାତଜନ୍ମ ଯାଏ କାଠବେଙ୍ଗ ଥିବ ହୋଇ॥

।୨।

କାର୍ତ୍ତିକେଶ୍ୱରଙ୍କ କଥା କହିବ ବୁଝାଇ।

 

ମାତା ପିତା ନାହିଂ ପୁତ୍ର କିପରି ଜନ୍ମଇ॥

।୩।

ମୟୁର ବାହନ ତାଙ୍କୁ କିଏ ସେ ହୋ ଦେଲା।

 

କାମଦେବ କେଉଂଠାରୁ ଜାତ ଯେ ହୋଇଲା॥

।୪।

କଂସ ଦେବକୀ ଯେ ବସୁଦେବ କାହିଂ ଜନ୍ମ।

 

ମୂଷା କିମ୍ପା ଗଣେଷଙ୍କ ହୋଇଲା ବାହନ॥

।୫।

ଜଉଶାଳ ଘରକୁ କେ ବାଟ ଫିଟାଇଲା।

 

ହସ୍ତିନା ଦୁଆର ବକ୍ର କିପରି ହୋଇଲା॥

।୬।

ମହାଭାରତ ରହିଲା କେଉଂଠାରେ ଯାଇ।

 

ରାଧାକୃଷ୍ଣଙ୍କର ବିଭା କହିବା ବୁଝାଇ॥

।୭।

ଲାଜକୁଳୀ ଗଛ କିମ୍ପା ଲଜ୍ଜାବତୀ ହେଲା।

 

ଢାଉରଙ୍ଗ ଗଛ ଜାତ କେଉଂଠାରୁ ହେଲା॥

।୮।

ପଳାଶ ଗଛ ଅପୂଜା କିମ୍ପାଇ ରହିଲା।

 

କେଉଂ ମହାତ୍ମା ତାହାକୁ ଶାପ୍ୟ ଦେଇଥିଲା॥

।୯।

ତୁଳସୀ ବିଷ୍ଣୁ ମସ୍ତକେ ଚଢେ କାହିଂପାଇଂ।

 

ଏଥିର ଚରିତ ମୋତେ କହିବା ବୁଝାଇ॥

।୧୦।

ବର ଓସ୍ତଗଛ କିମ୍ପା ବିଭାଘର ହୋଏ।

 

ଛେଳି କିମ୍ପା ଦୁର୍ଗାଙ୍କ ବଳିରେ ଲାଗିଥାଏ॥

।୧୧।

ପିତୃଶ୍ରାଦ୍ଧେ ଗଣ୍ଡାମାଂସ କିମ୍ପା ହୋଏ ଲୋଡ଼ା।

 

ମହାଭାରତରେ ମାଲ କେତେ ହେଲେ ପୋଡ଼ା॥

।୧୨।

ଶାଳଗ୍ରାମ କେଉଂଠାରୁ ଜାତ ସେ ହୋଇଲା।

 

ବଗ କିମ୍ପା ଧଳା କଳା କୋଇଲି ହୋଇଲା॥

।୧୩।

ସକଳ ମରମ କଥା ମୋତେ କହିଦିଅ।

 

ଗୋପାଳ ବୋଲିଣ ନାମ ସଂସାରେ ରଟାଅ॥

।୧୪।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ପ୍ରଶ୍ନର ଉତ୍ତର।

 

ଠିକେ ଠିକେ ଯାହା ଜାଣେ କରୁଛି ପ୍ରଚାର॥

।୧।

ହର ହୈମବତୀ ପାଶେ କାନ୍ଦୁଅଛି ରତି।

 

ଶୋକ ଶାନ୍ତି କରି ବର ଦେଲେ ପଶୁପତି॥

।୨।

 

 

ବର ପାଇଣ ସେ ସତୀ ତପ ଯାଇ କଲା।

 

ତେଣେ ହର ପାର୍ବତୀଙ୍କ ରାସକ୍ରୀଡ଼ା ହେଲା॥

।୩।

ଖସି ପଡ଼ନ୍ତେଣ ଶିବଙ୍କର ମହାରେତ।

 

ପବନକୁ ଡ଼ାକି ଆଜ୍ଞା ଦେଲେକ ତୁରିତ॥

।୪।

 

 

ତେଣେ ଇନ୍ଦ୍ର ସୂର୍ଯ୍ୟ ଆଉ ବରୁଣ ପବନ।

 

କୁବେର ତନୟା ଷଡ଼ କୃତ୍ତିକା ସ୍ନାହାନ॥

।୫।

ସାରି ଉଲଗ୍ନରେ କୂଳେ ଅଗ୍ନି ସେବୁଥିଲେ।

 

ସେ ରେତ ଆଣି ପବନ ପହଞ୍ଚାଇ ଦେଲେ॥

।୬।

 

 

ଶିବଙ୍କର ରେତ ସେ ତ ତାଙ୍କ ଗର୍ଭେ ମିଳି।

 

ବିଭୋ ନୋହୁଂ ଗର୍ଭବତୀ ହୋଇଲେକ ବାଳୀ॥

।୭।

ଲଜ୍ୟା ପାଇ ଷଡ଼ପୁତ୍ର ତହିଂ ଉଦଗାରିଲେ।

 

ପଦ୍ମ ପତରରେ ଭରି ଜଳେ ମେଲିଦେଲେ॥

।୮।

 

 

ସେ ଯାଇ ଲୁହା ଚୁମ୍ବକ ପର୍ବତେ ଲାଗିଲା।

 

ଗୋମାତାଙ୍କ ଶାପ୍ୟେ ନିରଞ୍ଜନ ପ୍ରାଣ ଦେଲା॥

।୯।

ପତର ଫାଟି କୁମର ଛଡ଼ ମୁଣ୍ଡ ହେଲା।

 

କୁମାର ପୂର୍ଣ୍ଣମୀ ଦିନ ଜନମ ଲିଭିଲା॥

।୧୦।

 

 

 

 

ଷଡ଼ମୁଣ୍ଡ ଷଡ଼ାନନ କାର୍ତ୍ତିକେୟ ବୀର।

 

ସରୋବରୁଂ ଜନ୍ମି ସରଜନ୍ମା ନାମ ତାର॥

।୧୧।

ଗଙ୍ଗାରେ ଦେହ ପଖାଳି ଉମା ତୋଳିନେଲେ।

 

କଇଲାସ ପୁରେ ରଖି ଯତନେ ପାଳିଲେ॥

।୧୨।

 

 

ମନରୁ ବିଜୟା ସର୍ଜି ମୟୁର ବାହନ।

 

ବସି ତପ କଲା ଢାଉ ରଙ୍ଗ ମୂଳେ ପୁଣ॥

।୧୩।

କିଛିଦିନ ଅନ୍ତେ ଯେ ସମ୍ବର ହରିନେଲା।

 

ତେଣେ ରୁକ୍ମଣୀଙ୍କ ଗର୍ଭେ କାମ ଜନ୍ମ ହେଲା॥

।୧୪।

 

 

କାଳେ ସମ୍ବରାସୁରକୁ ସେହୁ କଲେ ହତ।

 

ତେଣୁକରି ସମ୍ବଚାରି ନାମ ବୋଲାଇ ତ॥

।୧୫।

ଗଙ୍ଗାକୂଳେ ଗଣେଶ ଯେ ତପ କରୁଥିଲେ।

 

ଯମ ଗଣେଶଙ୍କ ପ୍ରାଣ ହରିବାକୁ ଗଲେ॥

।୧୬।

 

 

ଜାଣିପାରି ଗଣେଶ ଯେ ଯୁଦ୍ଧ ଆରମ୍ଭିଲେ।

 

ଯୁଦ୍ଧେ ହାରି ଯମ ମୂଷା ବାହନ ହୋଇଲେ॥

।୧୭।

ଅଚିନ୍ତା କର ଦୂତିକା ପୁତ୍ର ହୋଇଥିଲା।

 

ଜଉଶାଳା ଘରୁ ସେହି ବାଟ ଫିଟାଇଲା॥

।୧୮।

 

 

 

 

ଲକ୍ଷଣାବତୀକୁ ଶାମ୍ବ ବିଭା ହେଲାବେଳେ।

 

ବଳରାମ ହସ୍ତିନା ଦୁଆର ବକ୍ର କଲେ॥

।୧୯।

ଭୂତକେଳି କାଳେ ରାଧାକୃଷ୍ଣ ବିଭାହେଲେ।

 

ସଂସାରକୁ ରାଧାରାଣୀ ଗୁପତ ରଖିଲେ॥

।୨୦।

 

 

ଲବଣ କୁମାରୀ ଶିଖରକୁ ବରିଥିଲା।

 

ଲବଣ ଚଉଂରୀ ବେଳେ ପତି ତାର ମଲା॥

।୨୧।

ସେହୁ ପ୍ରୀତି କଲା ଦେଢଶୁର ସଙ୍ଗେ ଯାଇ।

 

ସ୍ୱର୍ଗପୁରେ ଦେବତାଏ ନ ଦେଲେ ରଖାଇ॥

।୨୨।

 

 

ତହୁଂ ସ୍ୱର୍ଗପୁରୁ ଲଜ୍ୟା ପାଇଣ ଅଇଲା।

 

ଲାଜକୁଳୀ ଲତା ହୋଇ ମର୍ତ୍ତ୍ୟରେ ରହିଲା॥

।୨୩।

ବଡ଼ବା ଅନଳୁଂ ଜନ୍ମ ଢାଉରଙ୍ଗ ବୃକ୍ଷ।

 

ବାଞ୍ଛାସିଦ୍ଧି ସେବା କଲେ ହୋଅଇ ପ୍ରତ୍ୟକ୍ଷ॥

।୨୪।

 

 

ପଳାଶ ଗଛ ଯେ ବ୍ରହ୍ମା ବତ୍ସା ହରିନେଲା।

 

ବିଷ୍ଣୁ ଶାପ୍ୟ ଦେଲେ ବ୍ରହ୍ମା ଅପୂଜା ରହିଲା॥

।୨୫।

ନିରାକାର ବିଷ୍ଣୁ ବୃନ୍ଦାବତୀକୁ ହରିଲା।

 

ତୁଳୁସା ହୋଇ ବିଷ୍ଣୁର ମସ୍ତକେ ଚଢିଲା॥

।୨୬।

 

 

 

 

ଇନ୍ଦ୍ର ବିବାଦେ ଶ୍ରୀହରି ମନ୍ଦର ଧରିଲେ।

 

ଗୋବତ୍ସାଙ୍କ ପାଇଂ ମୁଥେ ମାରି ମୁଥା କଲେ॥

।୨୭।

ବର ଓସ୍ତ ଏହି ଦୁଇ ବିଷ୍ଣୁ ଶିବ ରୂପ।

 

ବର ଜଟା କ୍ଷୀର ସରସ୍ୱତୀଙ୍କ ସ୍ୱରୁପ॥

।୨୮।

 

 

ବିଭୁତି ଭୁଷଣ ଭସ୍ମ ଜଟା ଖଡ଼ି କହି।

 

ବର ଅଶ୍ୱତଥଙ୍କ ବିଭା ଏହି ହେତୁ ହୋଇ॥

।୨୯।

ଚଣ୍ଡୀ ଯୁଦ୍ଧେ ରକ୍ତବୀର୍ଯ୍ୟ ଅଙ୍ଗୁ ଛେଳି ଜାତ।

 

ଦୁର୍ଗା ଭୋଗ ଛାଗଳ ଯେ ମୈଷାସୁର କୃତ॥

।୩୦।

 

 

ଦଶ ବିଶ୍ୱଦେବା ଅର୍ଯ୍ୟମାଟି ଗଣ୍ଡା ମାଂସ।

 

ଭାରତେ ପୋଡ଼ିଲେ ତେର ପୋଡ଼ା ହେଲେ ଭୀଷ୍ମ॥

।୩୧।

ଯୁଧିଷ୍ଠିର କୋପେ ଶଲ୍ୟ ତହିଂ ଜଳିଗଲା।

 

ଗଣ୍ଡା ମାଂସେ ପିତୃଲୋକ ସନ୍ତୋଷ ହୋଇଲା॥

।୩୨।

 

 

ଗଣ୍ଡୁକୀ ନଦୀରେ ଯେତେ ଶିଳାମାନ ଥିଲେ।

 

ବଜ୍ରକୀଟ ହୋଇ ବିଷ୍ଣୁ ଶରୀର କାଟିଲେ॥

।୩୩।

ବୃନ୍ଦାବତୀ ଶାପ୍ୟେ ଶାଳଗ୍ରାମ ହେଲେ ହରି।

 

ବଗ ଧଳା ହେଲା ଚନ୍ଦ୍ରକୁଣ୍ଡେ ସ୍ନାନ କରି॥

।୩୪।

 

 

 

 

ସତ୍ୟ ଯୁଗେଣ ବଡ଼ବା ଅନଳର ତାପେ।

 

କୋଇଲି ଯେ କଳା ସାରୀ କଳା ହେଲେ ପାପେ॥

।୩୫।

ପ୍ରଶ୍ନର ଉତ୍ତର ଭାଇ ହେଲା କି ନ ହେଲା।

 

ଆହେ ସାଧୁଜନମାନେ ବିଚାରିବ ଭଲା॥

।୩୬।

 

 

ସଂସାର ଜନର ହିତେ କହଇ ଅଚ୍ୟୁତ ।

 

ସଦଗୁରୁ ସେବି ଏହା ହୁଅ ହେ ପ୍ରାପତ॥

।୩୭।

 

ଓଗାଳ – ୮

ଶୁଣହେ ଗୋପାଳ ଭାଇ ଥୟକରି ମନ।

 

କହି କି ପାରିବି କିଛି ଜ୍ଞାନ ସନ୍ଧିମାନ॥

।୧।

ପଚାରନ୍ତି ଗଉରୀ ଶଙ୍କର ମୁଖ ଚାହିଂ।

 

ଠେକି ଭିତରେ ଲଉଡ଼ି ଲୁଚିଅଛି କାହିଂ॥

।୨।

ଅମୁହାଂ ଦେଉଳେ କାହିଂ ପଶିଅଛି ଦିଅଂ।

 

ଏହି କଥା ବିଚାରିଣ ତତପର କହ॥

।୩।

ଜୋକ ଜୀବ ହାଡ଼ ଘେନି ବାଦ୍ୟ ବଡ଼ ଟାଣ।

 

ଗୀତର ଶବଦ ଦାସେ କେଉଂଠାରୁ ଆଣ॥

।୪।

ଗାୟକକୁ ପଚାରୁଛି ବ୍ରହ୍ମଜ୍ଞାନ ସନ୍ଧି।

 

ଚାଲୁଣୀ ଜଳାରେ କାହିଂ ଚନ୍ଦ୍ର ସୂର୍ଯ୍ୟ ବନ୍ଦୀ॥

।୫।

ଛେଳି କାହିଂ ଶାର୍ଦ୍ଦୁଳକୁ ବାନ୍ଧିଗଲା ରାଗେ।

 

ନୃପତି ଗୁହାରି କରେ ପରଜାଙ୍କ ଆଗେ॥

।୬।

ମୂଷା ମଞ୍ଜାରୀକୁ କେଉଂଠାରେ ବନ୍ଦୀ କଲା।

 

ସଲିଳକୁ କେଉଂଠାରେ ତୃଷା ଯେ ଲାଗିଲା॥

।୭।

ପଥରକୁ କେଉଂଠାରେ କରିଅଛି ଜ୍ୱର।

 

ଏ କଥା ବିଚାରି ମତେ କହ ତତପର॥

।୮।

ପାଣିରୁ ପାତଳ କେଉଂ କଂସାଳର ଦେହ।

 

ଖରାରେ କେ ନ ଶୁଖଇ ଏହା ମୋତେ କୁହ॥

।୯।

ବାଞ୍ଛା ବୋଲିକରି ଜାଣ କାହାକୁ କେ କହି।

 

ପୁଅ ଝିଅ ତାହାଠାରୁ ଜନମ ହୋଅଇ॥

।୧୦।

ଫେଡ଼ିକରି କହ ମୋତେ ଏହା ଭାଇ ମୋର।

 

ଶୁଣିକରି ମୋ ସନ୍ଦେହ ହୋଇଯିବ ଦୂର॥

।୧୧।

ହର ଗଉରୀଙ୍କ କଥା ଅଚ୍ୟୁତ କହଇ।

 

କହିବ ସୁଗ୍ୟାଂନୀ ଭାଇ ହେତୁ ଚିତ୍ତ ଦେଇ॥

।୧୨।

ଉତ୍ତାର

ଗଉରୀ ବଚନେ ଯେ କହନ୍ତି ତ୍ରିଲୋଚନ।

 

ଅବଧାନ ହୋଇ ପ୍ରିୟେ ଏକମନେ ଶୁଣ॥

।୧।

ଠେକି ଭିତରେ ଲଉଡ଼ି ଯେମନ୍ତେ ରହିଲା।

 

ଏହି କଥା ଗୋଟି ତୋରେ ସନ୍ଦେହ ହୋଇଲା॥

।୨।

ଠେକି ବୋଲିକରି ପ୍ରାଣ ଏ ଦେହକୁ କହି।

 

ଲଉଡ଼ି ବୋଲିଣ ଏଥୁ ବ୍ରହ୍ମ ଅଛି ରହି॥

।୩।

ଅମୁହାଂ ଦେଉଳ ବୋଲି ଯାହାକୁଟି କହି।

 

ଅଣସରୋବର ଦିଅଂ ରହିଅଛି ତହିଂ॥

।୪।

 

 

ଅନୁମାନେ ହେତୁ ଦ୍ୱାରେ କର ତୁ ଦର୍ଶନ।

 

ଠିକେ ଠିକେ କହିଦେଲି ହେତୁକରି ଶୁଣ॥

।୫।

ଜୋକ ବୋଲିକରି ପୁଣ ଏ ଜୀବକୁ କହି।

 

ଶତ ଶତ ପ୍ରକୃତି ସେ ବିହରଇ ରହି॥

।୬।

 

 

ଅମନରୁ ମନ ସିନା ହୋଇଲା ଜନମ।

 

ଆଦେଶରେ ଲୀଳା କରୁଛନ୍ତି ତ୍ରିଲୋଚନ॥

।୭।

ଚାଲୁଣୀ ବୋଲିଣ ପୁଣ ଏ ଦେହକୁ କହି।

 

ଚାଲୁଣୀ ଭିତରେ ଜଳ ରଖିଅଛି ସେହି॥

।୮।

 

 

କଣା ଚାଳୁଣୀରେ ଦେଖ ପୂରିଅଛି ଜଳ।

 

ଆନନ୍ଦେ ବସିଣ ତେଣ୍ଡା ତେଣ୍ଡୁଛି ତେଣ୍ଡାଳ॥

।୯।

ଛେଳି ବୋଲିକରି ପୁଣି ଶବଦକୁ କହି।

 

ନିଶବଦ ବୋଲିକରି ବ୍ୟାଘ୍ର ଯେ ଅଟଇ॥

।୧୦।

 

 

ଓଂକାରକୁ ଜାଣିକରି ରହିଅଛି ପୁଣ।

 

ଦେହଠାରୁ ସକଳ ଯେ କରିଛି ଭିଆଣ॥

।୧୧।

ନୃପତି ବୋଲିଣ ପ୍ରାଣ ମନଟିକୁ କହି।

 

ପଚିଶ ପ୍ରକୃତି ଯେ ପରଜା ଛନ୍ତି ହୋଇ॥

।୧୨।

 

 

 

 

ମୂଷା ମଞ୍ଜାରୀକି ସଶବଦେ ବନ୍ଦୀ କଲା।

 

ଶବଦରେ ଏହି ଜୀବ ବନ୍ଧନ ହୋଇଲା॥

।୧୩।

ପଥର ବୋଲିଣ ମନ ଏ ଦେହକୁ କହି।

 

ଜର କରିଅଛି ଯେ ତ୍ରିକୁଟ ସ୍ଥାନେ ଯାଇ॥

।୧୪।

ଏକ ପାଦ ଛନ୍ଦି ହୋଇ ଦୁଇ ପାଦ ଛନ୍ଦି।

 

ଜଳରୁ ପବନ କରିଅଛି ତହିଂ ବନ୍ଦୀ॥

।୧୫।

ପାଣିରୁ ପାତଳ ବୋଲି ଜିହ୍ୱା ଯେ ଅଟଇ।

 

ଜୀବ ବୋଲି ତାକୁ ଜାଣ ସୁବର୍ଣ୍ଣର ଦେହୀ॥

।୧୬।

ସମୁଦ୍ରର ଦେହ ଯେ ଖରାରେ ନ ଶୁଖଇ।

 

ତ୍ରିକୁଟ ସନ୍ଧିରେ ଛନ୍ଦେ ବହୁଅଛି ରହି॥

।୧୭।

ଶକତିକି ଘେନି ତହିଂ ରହିଛନ୍ତି ଶିବ।

 

ତେଣୁ ନିକଟରେ ରହିଅଛି ଏହି ଜୀବ॥

।୧୮।

ଠିକେ ଠିକେ ପଦରେ ତ କରିଲି ଗାୟନ।

 

ଆହେ ସୁଜ୍ଞଜନେ ମୋର ଦୋଷ ନ ଘେନିମ॥

।୧୯।

ବାଞ୍ଛା ବୋଲିକରି ମନ ପରମକୁ କହି।

 

ପରମର ଜଗତ ଯେ ସଂସାର ଅଟଇ॥

।୨୦।

ଶୂନ୍ୟରୁ ପରମ ଗୋଟି ହୋଇଲା ଜନମ।

 

ଠିକେ କହିଲା ଅଚ୍ୟୁତ ଶୁଣ ଦେଇ ମନ॥

।୨୧।

 

ଓଗାଳ – ୯

ଶୁଣ ଶୁଣ ଭାଇମାନେ ଗୋପର ଗୋପାଳ।

 

କାହିଂରୁ ପାଇଲ ଭାଇ ଶ୍ୱେତ ଗୁଞ୍ଜମାଳ॥

।୧।

କାହୁଂ ଜାତ ହେଲା ଭାଇ କିଏ ଦେଲା ତୋତେ।

 

କାହିଂରେ ଗୁନ୍ଥିଣ ମାଳ ପକାଉଛୁ କେତେ॥

।୨।

 

 

ସଦଗୁରୁ ଦ୍ୱାହି ଆରେ ଦେଉଅଛି ତୋତେ।

 

ଶ୍ୱେତ ଗୁଞ୍ଜ ଆଦି ଜନ୍ମ କହିଦିଅ ମୋତେ॥

।୩।

ଶ୍ୱେତ ଗୁଞ୍ଜ ଜନ୍ମ କଥା ନ କହିଲେ ଏଥେ।

 

ତୋର ମାଳା ଗୋଟି ଭାଇ ନେବି ମୁଂ ନିଶ୍ଚିନ୍ତେ॥

।୪।

ଉତ୍ତାର

ଶୁଣ ଆରେ ଭାଇ ଯାହା ପଚାରିଲ ମୋତେ।

 

ଶ୍ୱେତ ଗୁଞ୍ଜଆଦି ଜନ୍ମ କହିଦେବା ତୋତେ॥

।୧।

କେହି ନ ଜାଣନ୍ତି ତାହା ଅତି ଗୁଢ ରସ।

 

ସଦଗୁରୁ ସେବିଥିଲେ ହୋଅଇ ସନ୍ତୋଷ॥

।୨।

 

 

ଯେଉଂ କାଳେ କୃଷ୍ଣଚନ୍ଦ୍ର ଗୋପେ ଜାତ ହେଲେ।

 

ରାଧିକାଙ୍କ ସଙ୍ଗେ ପ୍ରଭୁ ବହୁ କ୍ରୀଡ଼ା କଲେ

।୩।

ଦିନେ କୁଞ୍ଜେ କ୍ରୀଡ଼ାମାନ କରି ବନମାଳୀ।

 

ଗଳାରେ ଲମ୍ବାଇଥିଲେ ରଙ୍ଗ ଗୁଞ୍ଜମାଳୀ।

।୪।

 

 

ଛିଡ଼ିଲାକ ରଙ୍ଗ ଗୁଞ୍ଜ ପଡ଼ିଲାକ ତଳେ।

 

ତହିଂରୁ ଗୋଟିୟେ ରହିଲା କନ୍ଧର ଅଞ୍ଚଳେ॥

।୫।

ଦେଖିଣ ଶ୍ରୀମତୀ ମନେ ଆନନ୍ଦ ହୋଇଲେ।

 

ନିଜ ପୁର ଫୁଲତୋଟା ବନେ ଲଗାଇଲେ॥

।୬।

 

 

କର୍ପୂର ଚନ୍ଦନ ଦେଇ ଯତନେ ପାଳିଲେ।

 

ମଙ୍ଗଳ ଆଳତି କରି ହୁଳହୁଳି ଦେଲେ॥

।୭।

ଅତି ଯତନେକ ତହୁଂ ହୋଇଲାକ ଗଛ।

 

ଡ଼ାଳ ମେଲି ଫଳ ଯେ ଫଳିଲା ପ୍ରତ୍ୟକ୍ଷ॥

।୮।

 

 

ଦେଖିଣ ରାଧିକା ଯେ ଆନନ୍ଦ ହୋଇଲେ।

 

କୃଷ୍ଣ ପ୍ରୀତି ଅର୍ଥେ କଳା ପାଟରେ ଗୁନ୍ଥିଲେ॥

।୯।

କୃଷ୍ଣ ସୁମରି ଆପଣା ଗଳାରେ ଲମ୍ବାଇ।

 

ଶ୍ୱେତ ଗୁଞ୍ଜ ଆଦି ଜନ୍ମ କହିଗଲି ଭାଇ॥

।୧୦।

 

 

ମୋର ମାଳ ଘେନି ମୁହିଂ ଯାଉଛି ପଳାଇ।

 

ଗୀତରେ ଭଣେ ଅଚ୍ୟୁତ କହିଲା ବୁଝାଇ॥

।୧୧।

 

ଓଗାଳ – ୧୦

କାହିଂ ଥିଲ କାହୁଂ ଅଇଲ ତୁମ୍ଭେ କାହା ଚାଟ।

 

ନୟନେ ପଡ଼ିଛ ଆଜି ନ ଛାଡ଼ିବି ବାଟ॥

।୧।

ଘଣ୍ଟି ଘାଗୁଡ଼ିକି ନେବି ହସ୍ତର ଲଉଡ଼ି।

 

ଶିଙ୍ଘା ବଂଶୀ ନେବି କେଭେଂ ନ ଦେବିରେ ଛାଡ଼ି॥

।୨।

 

 

ତୁମ୍ଭେ କି ନ ଜାଣ ଏହା ଆମ୍ଭର କୁହାଟ।

 

ଆଗରେ ଅଛନ୍ତି ଜଗି ନନ୍ଦ ରାଜା ଚାଟ॥

।୩।

ତୁମ୍ଭ ସଜ ପାଗ ଏବେ ଆମ୍ଭଙ୍କୁ ହୋ ଦିଅ।

 

ଜ୍ଞାନ ନଥିଲେଟି ତୁମ୍ଭେ ଲଉଟିଣ ଯାଅ॥

।୪।

ଉତ୍ତାର

କାହିଂଥିଲୁ କାହୁଂ ଅଇଲୁ ପଚାରିଲ ମୋତେ।

 

ଓଗାଳକୁ ସଭାରେ ଯେ କହିଦେବା ତୋତେ॥

।୧।

ଆଦ୍ୟରେ ଶ୍ରୀକୃଷ୍ଣ ଅଙ୍ଗୁ ମୋତେ ଜାତ କଲେ।

 

ଗୋପାଳ ବୋଲିଣ ମୋହର ସେ ନାମ ଦେଲେ॥

।୨।

 

 

ଘଣ୍ଟି ଘାଗୁଡ଼ିକୁ ଯେ ଈଶ୍ୱର ଭିଆଇଲେ।

 

ଗାଈ ଛନ୍ଦ ଲଉଡ଼ିକି ପାର୍ବତୀ ସମର୍ପିଲେ॥

।୩।

ଶିଙ୍ଗା ବାଦ୍ୟ ବୋଲି ତୁମ୍ଭେ ପଚାରିଲ ଯାହା।

 

ଅଷ୍ଟସଖୀ ଦେଲେ ଯେ ବେଣୁ ଶିଙ୍ଗା ବାହା॥

।୪।

 

 

ବଇଂଶୀର ଆହାଲାଦ ତୁମ୍ଭେ ଯାହା ଜାଣ।

 

ବ୍ରହ୍ମା ସେ ବଇଂଶୀ ଦେଲେ ଶ୍ରୀକୃଷ୍ଣଙ୍କ ପ୍ରାଣ॥

।୫।

ମଦନ ଦୈତ୍ୟକୁ ସେହି ଈଶ୍ୱର ମାଇଲେ।

 

ତ୍ରିଧେନୁ ବେଣୁ ବଂଶୀକୁ ତେଣୁ ଭିଆଇଲେ॥

।୬।

 

 

ନୟନେ ପଡ଼ିଚୁ ବୋଲି କହିଲୁଂ ବୁଝାଇ।

 

ନୟନରେ ମୀନ ଯେ ଖେଳୁଅଛି ରହି॥

।୭।

ଓଗାଳକୁ ଉତ୍ତାର ଯେ କହିଗଲି ଭାଇ।

 

ମୋର ସଜ ପାଗ ଘେନି ଯାଉଛି ଚଳାଇ॥

।୮।

 

 

ଅଚ୍ୟୁତାନନ୍ଦ ଏ କଥା ଦେଖିଲେକ ତହିଂ।

 

ଜଗତ ହିତରେ ଦେଲେ ଠିକରେ ବୁଝାଇ॥

।୯।

 

ଓଗାଳ –୧୧

ଶୁଣ ହେ ଗୋପାଳ ଭାଇ ପଚାରୁଛି ମୁହିଂ।

 

ଗୋଟି ଗୋଟି କରି ମୋତେ ଦେବ ଯେ ବୁଝାଇ॥

।୧।

ବହୁତ ଦିନରୁ ମନେ ରହିଅଛି ମୋର।

 

ଗୋପାଳର କେତେ ବେଶ କହିବ ସଭାର॥

।୨।

 

 

କେଉଂକେଉଂ ବେଶ ହେଲେ ହୁଅନ୍ତି ବାହାର।

 

କେତେ ଗୋଟି ବେଶେ ପୂର୍ଣ୍ଣ ହୁଅଇ ଶରୀର॥

।୩।

ଏତେକ ବିଚାରି ଭାଇ କହିଦିଅ ବାଛି।

 

ଅଚ୍ୟୁତ ବୋଲନ୍ତି ବେଳ ଉଛୁର ହେଉଛି॥

।୪।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା।

 

ଗୋଟି ଗୋଟି କରି ବେଶ କହିଦେବା ତାହା॥

।୧।

ପ୍ରଥମ ବେଶରେ ଆମ୍ଭ ପୟରେ କଠାଉ।

 

ଦ୍ୱିତୀୟ ବେଶରେ ଆମ୍ଭେ ଶିଙ୍ଗା ଯେ ବଜାଉ॥

।୨।

 

 

ତୃତୀୟ ବେଶରେ ଆମ୍ଭ କଟିରେ କାଚେଟି।

 

ଆଗ ପଛ ଲମ୍ବିଥାଏ ଧଣ୍ଡାମାଳ ଗୋଟି॥

।୩।

ଚତୁର୍ଥ ବେଶରେ ଆମ୍ଭ ନୟନେ କଜ୍ଜଳ।

 

ପଞ୍ଚମ ବେଶରେ ଆମ୍ଭ ଗଳେ ଫୁଳମାଳ॥

।୪।

 

 

ଷଷ୍ଠ ବେଶରେ ଯେ ଆୟ କପାଳେ ସିନ୍ଦୁର।

 

ସପ୍ତମ ବେଶରେ ବଂଶୀ ଧରିଥାଉ କର॥

।୫।

ଅଷ୍ଟମ ବେଶରେ ଆମ୍ଭ କାନ୍ଧରେ ପଇତା।

 

ନବମ ବେଶରେ ଆମ୍ଭେ ଧରିଥାଉ ଛତା॥

।୬।

 

 

ଦଶମ ବେଶରେ ଆମ୍ଭ ମଥାରେ ଗୋଚିନା।

 

ଏକାଦଶ ବେଶ ଗୋଟି ଅଟଇ ଫୁଲଣା॥

।୭।

ଦ୍ୱାଦଶ ବେଶେ ଲଉଡ଼ି ଧରୁ ଆମ୍ଭେ କର।

 

ଅଚ୍ୟୁତାନନ୍ଦ ବୋଇଲେ ହୋଇଲୁ ବାହାର॥

।୮।

 

ଓଗାଳ – ୧୨

ଶୁଣ ହେ ଗୋପାଳ ଭାଇ ପଚାରୁଛି ମୁହିଂ।

 

ଘଣ୍ଟି ଘାଗୁଡ଼ି ପିନ୍ଧିଣ ଆସିଅଛ ଧାଇଂ॥

।୧।

ରୁଣୁଝୁଣୁ ଶବ୍ଦ କରି ଅଣ୍ଟା ନଚାଉଛ।

 

ପୁନାହିଂ ପୁନାହିଂ କହି ଆନନ୍ଦ ହେଉଛ॥

।୨।

 

 

ଏବେ ମୋତେ କହିଦିଅ ଘଣ୍ଟିର ବିଚାର।

 

ଘଣ୍ଟି ବାନ୍ଧିବ ଯେ କେତେ କଟିର ମଧ୍ୟର॥

।୩।

ପିତ୍ତଳ ଯେ କେଉଂଠାରୁ ଜନମ ହୋଇଲା।

 

ଘଣ୍ଟି ଘାଗୁଡ଼ି ତାହାକୁ କିଏ ସୃଷ୍ଟି କଲା॥

।୪।

 

 

ପ୍ରଥମରେ ସେ ଘଣ୍ଟି ଯେ କାହା ପାଶେ ଥିଲା।

 

ଦ୍ୱିତୀୟରେ ସେ ଘଣ୍ଟିକୁ କିଏ ସେ ପିନ୍ଧିଲା॥

।୫।

ତୃତିୀୟରେ ସେ ଘଣ୍ଟି ଯେ କାହା ପାଶେ ରହି।

 

ଗୋଟି ଗୋଟି କରି ମୋତେ ଦେବ ହୋ ବୁଝାଇ॥

।୬।

 

 

ଆମ୍ଭେମାନେ କେଉଂପରି ପାଇଲୁରେ ଭାଇ।

 

ଅଚ୍ୟୁତ ବୋଲନ୍ତି ମୋତେ ଦେବ ଯେ ବୁଝାଇ॥

।୭।

 

ଉତ୍ତାର

ଶୁଣ ହୋ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ଭଲା ଗଣ୍ଠି କଥା ତୁହି ପୁଛା କଲୁ ଭାଇ॥

।୧।

ଇଷ୍ଟ ଗୁରୁଙ୍କ ସେବାରୁ କିଛି ମୁଂ ଜାଣିଛି।

 

ହେଲା ନ ହେଲାକୁ ଦୋଷ ନ ଧରିବ କିଛି॥

।୨।

ଏକ ଦିନେ ପାର୍ବତୀଙ୍କୁ ଘେନି ଗଙ୍ଗାଧର।

 

କପିଳାସେ ରହି ଦୁହେଂ କରନ୍ତି ଶୃଙ୍ଗାର॥

।୩।

ବାସୁଆ ବୃଷଭ ରହିଥିଲା ସିଂହଦ୍ୱାର।

 

ବ୍ୟାଘ୍ର ଛାଲ ପଡ଼ିଥିଲା ତାହାଙ୍କ ଛାମୁର॥

।୪।

ବତାସ ଯୋଗରେ ବ୍ୟାଘ୍ର ଛାଲ ଉଡ଼ିଗଲା।

 

ବାସୁଆ ବୃଷଭ ପରେ ଯାଇଣ ପଡ଼ିଲା॥

।୫।

ବ୍ୟାଘ୍ର ବୋଲି ହୁରୁଡ଼ିଲା ବାସୁଆ ବୃଷଭ।

 

ଭୟେ ପଲାଇଲା ଯହିଂ ଛନ୍ତି ସଦାଶିବ॥

।୬।

ବୃଷଭକୁ ଅନାଇ ଦିଅନ୍ତେ ମହେଶ୍ୱର।

 

ପାର୍ବତୀ ଛାଡନ୍ତେ ରେତ ହୋଇଲା ବାହାର॥

।୭।

ବ୍ୟାଘ୍ର ଛାଲ ପରେ ରେତ ପଡ଼ିଲାକ ଯାଇ।

 

ପୀତବର୍ଣ୍ଣ ରେତ ରଙ୍ଗ ଦେଖିଣ ପାର୍ବତୀ।

 

ପିତ୍ତଳ ନାମ ତାହାର ଦେଲେ ମହାସତୀ॥

।୮।

 

 

ବିଶ୍ୱକର୍ମା ରାଇ ଗଢି ଘଣ୍ଟି ଯେ ଘାଗୁଡ଼ି।

 

ବାସୁଆ ବୃଷଭ ଗଳେ ଦେଲେ ତାହା ଭିଡ଼ି॥

।୯।

ଅନେକ ଦିନ ରହିଲା ବୃଷଭ ଗଳାର।

 

ରଘୁରାଜେ ଦେଲେ ଯେ ପାର୍ବତୀ ତତପର॥

।୧୦।

 

 

ଅପାର ଦିନ ରହିଲା ରଘୁରାଜ ପାଶ।

 

ପର୍ଶୁରାମେ ଦତ୍ତ କଲେ ହୋଇଣ ହରଷ॥

।୧୧।

ରହିଲା ବରଷ କେତେ ପର୍ଶୁରାମ ଠାରେ।

 

ଦ୍ରୋଣକୁ ସେ ଯାଚିଦେଇ ଗଲେ ତପସ୍ୟାରେ॥

।୧୨।

 

 

ଦ୍ରୋଣ ତହୁଂ ପାଇଲେ ଯେ ନନ୍ଦର କହ୍ନାଇ।

 

ସେ ଘଣ୍ଟି ବାନ୍ଧିଣ ବନେ ନାଚିଲେ ନିଠାଇ॥

।୧୩।

ଆମ୍ଭମାନଙ୍କ ଅଣ୍ଟାରେ ବାନ୍ଧି ନଟବର।

 

ମୁରଲୀ ବାଆନ୍ତି ସେହୁ ନନ୍ଦର କୁମର॥

।୧୪।

 

 

ସେହି ଆମ୍ଭ ସଦଗୁରୁ ଆମ୍ଭେ ତାଙ୍କ ଚାଟ।

 

ତାଙ୍କ ଯୋଗୁଂ ଆମ୍ଭେ ଯେ ବଜାଉ ଦାଣ୍ଡ ହାଟ॥

।୧୫।

ଯାହାକିଛି ଜାଣେ ମୁହିଂ କହିଲି ବୁଝାଇ।

 

ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି॥

।୧୬।

 

ଓଗାଳ – ୧୩

ଶୁଣ ଶୁଣ ହେ ଗୋପାଳ କୂଳ ଚୂଡ଼ାମଣି।

 

କଥାୟେକ ପଚାରୁଛି ଆଜ୍ଞାକର ପୁଣି॥

।୧।

ପ୍ରଥମରେ କୁମ୍ଭ ଗୋଟି କାହୁଂ ଯେ ଅଇଲା।

 

ଭିଆଣ କରିଣ ଜଳ କିଏ ପୂରାଇଲା॥

।୨।

କି ରୂପେ ତାହାକୁ ନେଇ କଲେକ ସ୍ଥାପନ।

 

ଜଳ ଢାଳି ପୁଣ ନେଇ କେବଣ ମନ୍ତ୍ରେଣ।।

।୩।

ଦୁଧ ବନ୍ଦାଇଲ ଭାଇ କେଉଂ ଜପ କରି।

 

କେଉଂ ମନ୍ତ୍ରରେ ବଇଂଶୀ ଶିଂଘା ଅଛ ଧରି॥

।୪।

ଗାଈକି ଦୋହନ କରି କେଉଂ ମନ୍ତ୍ର ଜପ।

 

ଗୁହାଳରୁ ବଛା ଛାଡ଼ି କିସ ପୁଣି ଜପ॥

।୫।

ଦୁଧ ବନ୍ଦାଇଣ ଯାଅ କେଉଂ ଜପ କରି।

 

କେଉଂ ମନ୍ତ୍ରରେ ଭାଇ ତୁ ଛତା ବାଡ଼ି ଧରି॥

।୬।

ଗାଈକି ଯେ ଜଳ ଦିଅ କି ମନ୍ତ୍ର ଜପିଣ।

 

ଗାଈକୁ ଗୋଷ୍ଠେ ପୂରାଅ କିସ ଜପି ପୁଣ॥

।୭।

ଧଡ଼ା ଦେଲାବେଳେ ଭାଇ କି ନାମ ସୁମର।

 

କି ମନ୍ତ୍ର ଜପିଣ ଭାଇ ପସରା ସଜ କର॥

।୮।

 

 

ଏତେକ ବିଚାରି ଭାଇ ବେଗେ ଆଜ୍ଞା କର।

 

କହନ୍ତି ଅଚ୍ୟୁତ ବେଗେ କୁହ ୟା ଉତ୍ତର॥

।୯।

ଉତ୍ତାର

ତାହା ଶୁଣି କହୁଛନ୍ତି ଗୋପର ଗୋପାଳ।

 

ହେତୁ ଧରି ଶୁଣୁଥାଅ ଏହା ଠିକ ବେଳ॥

।୧।

ମେଦ ମେଦା ମେଦିନୀରୁ ସୃଜିଲା ତ ମାଟି।

 

ମହୀ ଛୁଇଂଣ ଗଢିଲା ଶୁଭ କୁମ୍ଭ ଗୋଟି ॥

।୨।

 

 

ଯଥାକାଳେ କୁମ୍ଭ ଗୋଟି ଶଉଚ ହୋଇଲା।

 

ଏଥିର ବିଧାନ ଯାହା କହୁଅଛି ଭଲା॥

।୩।

କୁମ୍ଭ ପରେ ଫଳ ଫୁଲ ଦେଲେ ଯେତେବେଳେ।

 

ତିନି ବେଳେ ତିନି ଦେବ ଜପିଲୁଂ ନିରୋଳେ॥

।୪।

 

 

ସଦାଶିବ ମନ୍ତ୍ର ଜପି ପୂରାଇଲୁ ଜଳ।

 

ବିଷ୍ଣୁ ମନ୍ତ୍ର ପଢି ଭାଇ ରଖିଲୁ ଶ୍ରୀଫଳ॥

।୫।

ଏବେ ଗୋପାଳଙ୍କ ଜନ୍ମ ଶୁଣ ହୋ ବିଚାରି।

 

ଦୋଳଯାତ୍ରା ଭେଇଛନ୍ତି ନବୀନ କିଶୋରୀ॥

।୬।

 

 

 

 

ନବଘନ ମୂରତି ସେ ଚାରୁ ଶୋଭା କାନ୍ତି।

 

ଯୁଗଳ ସ୍ୱରୂପେ ଦୋଳ ମଣ୍ଡପେ ଅଛନ୍ତି॥

।୭।

ଗୋପାଳ ମନ୍ତ୍ରରେ ତାଙ୍କୁ କରି ନମସ୍କାର।

 

ମଣ୍ଡପ ବୁଲୁଂ ଯେ ଭାଇ ପଢିଣ ଓଂ କାର॥

।୮।

 

 

ବତ୍ସା ମନ୍ତ୍ର ପଢିଣ ଯେ ଗୋଦୋହନ କରୁ।

 

ତାରକ ମନ୍ତ୍ରକୁ ଜପି ଠେକି ବେକା ଧରୁ॥

।୯।

ସୁଦାମଙ୍କୁ ସୁମରିଣ ଗୋରୁ ଯେ ଫେରାଉ।

 

ସିଷୁବେଦ ମନ୍ତ୍ର ପଢି ଗୋଠରେ ପୂରାଉ॥

।୧୦।

 

 

ଗୋପୀ ମନ୍ତ୍ରେ ନିତି ପ୍ରତି ଦଧି ବିକି ଯାଉ।

 

ପହରା ଫେରିବା ମନ୍ତ୍ର ମହାମାୟୀ କହୁ॥

।୧୧।

ଗୁହାଳରେ ଧଡା ଦେଉ ଅନନ୍ତ ସୁମରି।

 

ଧଡ଼ା ଫିଟାଇବା ମନ୍ତ୍ର ଅଟେ ପଞ୍ଚାକ୍ଷରୀ॥

।୧୨।

 

 

କ୍ଷୀର ହାଣ୍ଡିର ମନ୍ତ୍ର ଯେ ପଞ୍ଚାକ୍ଷର ଜାଣ।

 

ଶିକା ବାହୁଙ୍ଗୀର ମନ୍ତ୍ର ସପତ ପ୍ରମାଣ॥

।୧୩।

ଗୁରୁ ମନ୍ତ୍ର ସୁମରି ଯେ ପଥ ଚଳି ଯାଇ।

 

ଘଣ୍ଟି ଘାଗୁଡ଼ିର ମନ୍ତ୍ର ଅଟେ ଚଣ୍ଡିକାଈ॥

।୧୪।

 

 

 

 

ନିରଞ୍ଜନ ମନ୍ତ୍ରେ ଗାଈ ବାନ୍ଧୁ ଆରେ ଭାଇ।

 

ଗୋରସ ଯେ ସାର ମନ୍ତ୍ର ସ୍ମରୁ ଅନ୍ନ ପାଇଂ॥

।୧୫।

ଚୂଆ ଚନ୍ଦନର ମନ୍ତ୍ର ଗୋପୀବଲ୍ଲଭାୟ।

 

ଏହିପରି ମନ୍ତ୍ର ଭାଇ ଜାଣିଥା ନିଶ୍ଚୟ॥

।୧୬।

 

 

କୃଷ୍ଣ ଗୋପାଳଙ୍କୁ ଭଜ ମନ କରି ଥୟ।

 

ଓଗାଳ କରୁଛ କିଂପା ଚିତ୍ତେ ରଖି ଭୟ॥

।୧୭।

ଓଗାଳ ଅଟଇ ଭାଇ ଗୋପାଳଙ୍କ ଧନ।

 

ଗାଇବା ନାଚିବା ପୁଣି ଲଉଡ଼ି ଭଂଜନ॥

।୧୮।

 

 

ଗୋପାଳଙ୍କ ମୂଳ ଗାନ ଓଗାଳ ହିଂ ସାର।

 

ଅଚ୍ୟୁତାନନ୍ଦ କହନ୍ତି ଗୋପାଳ ହିତର॥

।୧୯।

 

Unknown

ଓଗାଳ – ୧୪

ଶୁଣ ଶୁଣ ଭାଇମାନେ କହୁଅଛି ମୁହିଂ।

 

କଥାୟେକ ପଚାରୁଛି ଦେବ ମୋତେ କହି॥

।୧।

ଯେବଣ ବଂଶୀ ଗୋଟିକୁ ହସ୍ତରେ ବହିଲ।

 

କିଏ ସେ ଦେଲା ତୁମ୍ଭଙ୍କୁ କାହୁଂ ଯେ ପାଇଲ॥

।୨।

ସତ୍ୟଯୁଗେ ମୁରଲୀ ଯେ କାହିଂ ଥିଲା ଭାଇ।

 

ତ୍ରେତୟା ଯୁଗରେ ସେହୁ କେତେ ରନ୍ଧ୍ର ହୋଇ॥

।୩।

ସେ ଯୁଗରେ ବଂଶୀ ଗୋଟି କାହା ପାଖେ ଥିଲା।

 

ଦ୍ୱାପର ଯୁଗରେ କେତେ ରନ୍ଧ୍ର ଯେ ହୋଇଲା॥

।୪।

କଳିଯୁଗେ କେତେ ରନ୍ଧ୍ର ମୁରଲୀ ହୋଇଲା।

 

ଏହା ମୋତେ ଭାଇମାନେ କହିଦେବ ଭଲା॥

।୫।

କେଉଂ ରନ୍ଧ୍ରେ ବଜାଇଲେ କିସ ଯେ ହୁଅଇ।

 

ଯୁଗ ଅନୁସାରେ ମୋତେ ଦେବ ଯେ ବୁଝାଇ॥

।୬।

ବଂଶୀର କଥାଟି ଭାଇ ଯେବେ କହିଦେବ।

 

ତେବେ ସିନା ଗୋପାଳରେ ଗଣତି ହୋଇବ॥

।୭।

ଏମନ୍ତ ବୋଲି ସୁବଳ ଦେଲେକ ଓଗାଳ।

 

କହନ୍ତି ଅଚ୍ୟୁତାନନ୍ଦ ଗୋପାଳଙ୍କ ସାର॥

।୮।

ଉତ୍ତାର

ଶୁଣ ଶୁଣ ଭାଇମାନେ ମନକର୍ଣ୍ଣ ଦେଇ।

 

ଭଲା ସନ୍ଧି ଓଗାଳ ତ ପୁଛିଲୁ ରେ ଭାଇ॥

।୧।

ବ୍ରହ୍ମା ରୁଦ୍ର ଇନ୍ଦ୍ର ଆଦି ଅନ୍ତ ନ ପାଇଲେ।

 

ମୁଂ ଛାର କି ସେହି କଥା କହିପାରେ ଭଲେ॥

।୨।

ଠିକ ଠିକ କରି ପଦେ ଅଧେ କହିବଇଂ।

 

ହେଲା ନ ହେଲାକୁ ଦୋଷ ନ ଧରିବ କେହି॥

।୩।

ସତ୍ୟଯୁଗେ ଶ୍ୱେତ ନାମେ ଥିଲେ ନୃପବର।

 

ଯାଗ ଆରମ୍ଭିଲେ ସେହୁ ପବିତ୍ର ମନର॥

।୪।

ଆଗ ହୋଇ ରାଜା ଯେ ବ୍ରହ୍ମାଙ୍କୁ କହିଲେ।

 

ବ୍ରହ୍ମ ଯାଗକୁ ଅନେକ ଋଷି ଯେ ଅଇଲେ॥

।୫।

ତହୁଂ ପୁଣ କେତେକ ଯେ ଦିନ ବିହିଗଲା।

 

ଯାଗ କୁଣ୍ଡେ ବେତ ବେନୁ ବୃକ୍ଷ ଉପୁଜିଲା॥

।୬।

ପୂର୍ବଭାଗେ ବେନୁ ବୃକ୍ଷ ପଶ୍ଚିମରେ ବେତ।

 

ଦିନୁଂଦିନ ବଢଇ ହୋଇଣ ପୁଲକିତ॥

।୭।

ଏକଦିନେ ବେଦବର ସେ ବୃକ୍ଷ ଦେଖିଣ।

 

ବିଶ୍ୱକର୍ମାକୁ ଡ଼କାଇ ଆଜ୍ଞା ଦେଲେ ପୁଣ॥

।୮।

 

 

ଗଉରବ କରି ସେହୁ ବେତକୁ କାଟିଲେ।

 

ପ୍ରଥମ ବେତ ଗୋଟିକ ଗଉରୀଙ୍କୁ ଦେଲେ॥

।୯।

ଦ୍ୱିତୀୟ ତୃତୀୟ ଜୟ ବିଜୟ ଯେ ନେଲେ।

 

ବିଷ୍ଣୁର ଦୁଆରେ ଜଗୁଆଳ ସେ ହୋଇଲେ॥

।୧୦।

 

 

ଚତୁର୍ଥ ଖଣ୍ଡକୁ ବିଶ୍ୱକର୍ମାଙ୍କୁ ଯେ ଦେଲେ।

 

ସଂସାରରେ ଖ୍ୟାତ ଏହା କରସି ବୋଇଲେ॥

।୧୧।

ମାଣ ଗଉଣି ଆଦି ପେଡ଼ି ଯେ ଟୋକାଇ।

 

ଏହା ନେଇ ସଂସାରେ ଯେ ବିଖ୍ୟାତ କରଇ॥

।୧୨।

 

 

ତହୁଂ ପୁଣି ବେନୁ ବୃକ୍ଷ ଚାରିଭାଗ କଲେ।

 

ତିନି ଭାଗକୁ ଯେ ନେଇ ଧନୁ ବନାଇଲେ॥

।୧୩।

ଶେଷ ଭାଗକୁ ମୋହନ ମୁରଲୀ ଗଢାଇ।

 

ବୀରଚନ ରାଜାକୁ ଯେ ସମର୍ପିଲେ ନେଇ।

।୧୪।

 

 

ଯେତେବେଳେ ବୀରଚନେ ଦେଲେ ଧାତା ଜାଣ।

 

ତେତେବେଳେ ବଂଶୀ ଦଶ ରନ୍ଧ୍ର ପରିମାଣ॥

।୧୫।

ଯେତେବେଳେ ରାମ ନାମ ବହି ଆଦିମୂଳ।

 

ଅଷ୍ଟମ ରନ୍ଧ୍ରର ବଂଶୀ ଗୋଟି କଲେ ଠୁଳ॥

।୧୬।

 

 

 

 

ତ୍ରେତା ଯୁଗ ଅନ୍ତରେ ଦ୍ୱାପର ପରବେଶ।

 

ରଙ୍ଗା ଅବତାର ଯେ ହୋଇଲେ ହୃଷିକେଶ॥

।୧୭।

ଏହି ଅବତାରେ ବଂଶୀ ସପ୍ତ ରନ୍ଧ୍ରେ ଜାତ।

 

କଳିଯୁଗେ ଚାରି ରନ୍ଧ୍ରେ ହୋଇଛି ବିଖ୍ୟାତ॥

।୧୮।

 

 

ଦଶମ ରନ୍ଧ୍ରର କଥା ଶୁଣ ଆରେ ଭାଇ।

 

ସାବଧାନ ହୋଇ ବସ ଦେଉଅଛି କହି॥

।୧୯।

ପ୍ରଥମ ରନ୍ଧ୍ରେ ବାଇଲେ ବନ ପ୍ରମୋଦିତ।

 

ଦ୍ୱିତୀୟରେ ବଜାଇଲେ ଗୋପୀ ଯେ ସ୍ଥକିତ॥

।୨୦।

 

 

ତୃତୀୟେ ସକଳ ଗୁଣ ହୁଏ ପୁଲକିତ।

 

ଛାଡ଼େ ବତ୍ସା ଧେନୁ ବଜାଇଲେ ଯେ ଚତୁର୍ଥ॥

।୨୧।

ପଞ୍ଚମ ରନ୍ଧ୍ରେ ବାଇଲେ ବସୁଧା ଯେ ରହି।

 

ଅଚ୍ୟୁତାନନ୍ଦ ଦେଖିଣ ଚଳି ନ ପାରଇ॥

।୨୨।

 

 

ଷଷ୍ଠରେ ବାଇଲେ ବହେ ଯମୁନା ଉଜାଣି।

 

ସପ୍ତମ ରନ୍ଧ୍ରରେ ଯେ ପାଷାଣ ହୋଏ ପାଣି॥

।୨୩।

ଅଷ୍ଟମ ରନ୍ଧ୍ରେ ବାଇଲେ ଯୋଗୀ ଧ୍ୟାନ ଭାଜେ।

 

ନବମ ରନ୍ଧ୍ରରେ କୁଳବତୀ ଗର୍ବ ଗଞ୍ଜେ॥

।୨୪।

 

 

 

 

ଦଶମ ରନ୍ଧ୍ରରେ ଯେବେ ବଜାଇ ମୁରଲୀ।

 

ଶୁଣିକରି ଚତୁର୍ମାଥ ବେଦ ଯିବେ ଭୁଲି॥

।୨୫।

ଦଶ ରନ୍ଧ୍ର କଥା ତୋତେ କହିଲିରେ ଭାଇ।

 

ହେଲା ନ ହେଲା ଦୋଷକୁ ନ ଧରିବ କେହି॥

।୨୬।

 

 

ଏବେ ଶୁଣ ଭାଇମାନେ ମନକର୍ଣ୍ଣ ଦେଇ।

 

କିପରି ବଂଶୀ କେ ଦେଲା କହୁଛି ବୁଝାଇ॥

।୨୭।

ଯେ କାଳେ ପାଣ୍ଡବ ଯେ ବିରାଟ ପୁରେ ଥିଲେ।

 

ସହଦେବଙ୍କୁ ଶ୍ରୀକୃଷ୍ଣ ବଂଶୀ ଦେଇଥିଲେ॥

।୨୮।

 

 

ଯେଦିନ ଅଭିମନ୍ୟୁ ଉତ୍ତରା ବିଭା ହେଲେ।

 

ଅନେକ ଯୈାତୁକ ମତ୍ସ୍ୟରାଜା ଦେଇଥିଲେ॥

।୨୯।

ତିନିଶତ ଧେନୁ ସଙ୍ଗେ ବୃଷଭ ଯେ ଶତ।

 

ରଖୁଆଳ ଶତେକ ଯେ ଯତନ ସହିତ॥

।୩୦।

 

 

ଧେନୁ ଘେନି ଗୋପାଳେ ବାରୁଣାବନ୍ତ ଗଲେ।

 

କିଛିଦିନେ ଯାଇ ତହିଂ ପ୍ରବେଶ ହୋଇଲେ॥

।୩୧।

ପୃଥନା ଅଂଶୀ ସେ ଯେ ଅତ୍ୟନ୍ତ ଦୁରୁଦଣ୍ଡ।

 

କ୍ଷଣକେ ଭ୍ରମି ପାରଇ ପୃଥ୍ୱୀ ନବଖଣ୍ଡ ॥

।୩୨।

 

 

 

 

ବଂଶୀ ଧ୍ବନୀ ଶୁଣିଣ ଯେ ସ୍ଥକିତ ହୁଅନ୍ତି।

 

ତେଣୁ ନରସିଂହେ ସହଦେବ ଦେଇଛନ୍ତି॥

।୩୩।

ସେହି ନରସିଂହଙ୍କର ଗୋପ ବଂଶ ଆମ୍ଭେ।

 

ଠିକ ଠିକ କରି ଭାଇ କହିଦେଲୁଂ ଏବେ॥

।୩୪।

 

 

ବଂଶୀର ଏ ସମାଚାର କହିଦେଲୁ ତୋରେ।

 

କହନ୍ତି ଅଚ୍ୟୁତାନନ୍ଦ ଗୋପାଳ ହିତରେ॥

।୩୫।

 

ପଞ୍ଚମ ଭାଗ

ଦୁଧ ବନ୍ଦାଣ ଗୀତ

ଜୟ ଜୟ ଜଗନ୍ନାଥ ଜୟ ମଙ୍ଗଳ।

 

ହରେ ରାମ ବନ୍ଦଇ ଶ୍ରୀପଦ ଯୁଗଳ॥

।୧।

ଜଗନ୍ନାଥ ନାମ ଦଶ ଦିଗକୁ ସାର।

 

ଗୋପରେ ହୋଇଲା ବେଳ ଦୁଇ ପ୍ରହର।

 

ଗୋଗୋଷ୍ଠରୁ ଦୁଧମାନ କଲେ ବାହାର॥

।୨।

 

 

ଗୋମୟ ବନ୍ଦାଇ କ୍ଷୀର ଅରଘ୍ୟ ଦେଲେ।

 

ନନ୍ଦ ସିଂହଦ୍ୱାରେ ଯାଇ ପ୍ରବେଶ ହେଲେ॥

।୩।

ନନ୍ଦରାଜା ଡ଼ାକୁଛନ୍ତି ଯଶୋଦା ଆସ।

 

ବନ୍ଦାଣର ବେଳ ହେଲା ଆସି ପ୍ରବେଶ॥

।୪।

 

 

ବନ୍ଦାଣର ବିଧିମାନ ଆଗ ଥୋଇଲେ।

 

ଧର୍ମକୁ ସୁମରି ହୁଳହୁଳି ସେ ଦେଲେ॥

।୫।

ପ୍ରଥମ ଆଞ୍ଜୁଳି କ୍ଷୀର ଧର୍ମକୁ ଦେଲେ।

 

ଦ୍ୱିତୀୟ ଆଞ୍ଜୁଳୀ କ୍ଷୀର ବାସୁକି ନେଲେ॥

।୬।

 

 

ତୃତୀୟ ଆଞ୍ଜୁଳି କ୍ଷୀର ତୋଳି ଧଇଲେ।

 

କୁଲାରେ ତାହାକୁ ନେଇ ପକାଇଦେଲେ॥

।୭।

ବିଧି ବିଧାନମାନ ସେ ସମାପ୍ତ କରି।

 

କୃଷ୍ଣଙ୍କୁ ସୁମରି ମନେ ଆନନ୍ଦ ଭରି॥

।୮।

 

 

ଏସନ ବିଧିରେ ଯେହୁ କରେ ବିଧାନ।

 

ଗମ୍ଭୀରି ଶାଳାରେ ତାର ପୂରିବ ଧନ॥

।୯।

ବନ୍ଦାଣର ଗୀତ ଏବେ ହୋଇଲା ଶେଷ।

 

ଭାବରେ ଭଣିଲେ ଦୀନ ଅଚ୍ୟୁତ ଦାସ॥

।୧୦।

 

ଦଧି ବିକିଯିବା ଗୀତ

କମଳ ବଦନୀ ଦହି ମଥାରେ ଘେନି।

 

କରନ୍ତି ଗମନ ପଥେ ଚନ୍ଦ୍ରବଦନୀ॥

।୧।

କଉତୁକେ ଜଗନ୍ନାଥ ଓଗାଳେ ବାଟ।

 

କାହିଂ ଯାଉଅଛୁଂ ମାଇଂ ନଦେଇ ଘାଟ॥

।୨।

ଘାଟ ନେ ଦେଇ ମାଇଂ ଦାନ ନ ଦେଇ।

 

କହି କଂସ ରାଜା ପାଶେ ଦେବି ଧରାଇ॥

।୩।

ଧରାଇ ନେବି ଲୋ ମାଇଂ ବନ୍ଧନେ ନେବି।

 

ଗତର ଲଗୁତି ଦାନ ଶୁଝାଇଦେବି॥

।୪।

ଖଗପତି ମୁଖୁଂ ରାଧା ଏସନ ଶୁଣି।

 

ଖଣ୍ଡେ ଦୁରେ ଉଭା ହେଲେ ମୃଗଲୋଚନୀ॥

।୫।

ଖସାଇ ଅଞ୍ଚଳୁଂ ବାସ ମୁଖରେ ଦେଲେ।

 

ଖରବାଣୀ ନ ବୋଲ କୃଷ୍ଣଙ୍କୁ ବୋଇଲେ॥

।୬।

ଗୋବିନ୍ଦ ବୋଇଲେ ମାଇଂ ୟେ ଗୋପପୁର।

 

ଗୋବିନ୍ଦ ଅଛନ୍ତି ଷୋଳ ସହସ୍ର ସାର॥

।୭।

ଗୋରସ ମନ୍ଥିଣ ଦୁଧ ବିକନ୍ତି ନିତ୍ୟେ।

 

ଗରବ କରିଣ ଦାନ ନ ଦେଉ ମୋତେ॥

।୮।

 

 

ଘଡ଼ିଏ ହୋଇଲା କୃଷ୍ଣ କଲୁ ଜଞ୍ଜାଳ।

 

ଘୋଳ ଦହି ବିକିଯିବା ଉଛୁର ବେଳ॥

।୯।

ନାରାୟଣ କହୁଛନ୍ତି ରାଧା ଆଗର।

 

ନାନା ପେଣ୍ଠ ଘାଟ ପେଣ୍ଠ କର୍ମ ଆମ୍ଭର॥

।୧୦।

 

 

ନୋହିବ ବୋଲି ତୁ ମାଇଂ କରିଛୁ ପଣ।

 

ନିୟମ କରି କହୁଛି ମାଆଙ୍କ ରାଣ॥

।୧୧।

ଚନ୍ଦ୍ରମା ବଦନୀ ରାଈ ଶୁଖାଇ ମୁଖ।

 

ଚରଣ ନ ଚଳେ ରାଧା ମନରେ ଦୁଃଖ॥

।୧୨।

 

 

ଚଉଦିଗ ଚାହିଂ ରାଧା ଆକୁଳେ କାନ୍ଦେ।

 

ଚିତ୍ତେ ମୁଂ ଜାଣିଛି ଆଜି ପଡ଼ିବି ଫାନ୍ଦେ॥

।୧୩।

ଛିନ୍ନାଳିଆ ଗୋପୀନାଥ ମଉନ ମତ୍ତା।

 

ଛିଣ୍ଡାଇ ନ କହି ଗଣ୍ଠି କରୁଛି କଥା॥

।୧୪।

 

 

ଛନ୍ଦ ନ କର ଗୋ ମାଇଂ ଧରୁଛି ପାଦ।

 

ଛାଡ଼ିଦିଅ ମନୁ ମାଇଂ ସକଳ ଫାନ୍ଦ॥

।୧୫।

ଯା ଯା ରେ ବାହୁଡ଼ି କୃଷ୍ଣ ଚରଣ ଛାଡ଼।

 

ଜାଣିଲେ ନଣନ୍ଦ ଶାଶୁ ମାରିବେ ମାଡ଼॥

।୧୬।

 

 

 

 

ଜଞ୍ଜାଳ ନ କର ବାବୁ ନନ୍ଦ କହ୍ନାଇ।

 

ଘେନି ଆସିବୁ କଉଡି ଘରକୁ ଯାଇ॥

।୧୭।

ଝାଡ଼ ଘୋର ବନେ ରହି ଜଗିଲି ବାଟ।

 

ଝିମିଟି ଚତୁରୀ ରାଈ ନ ଦେଲୁ ଘାଟ॥

।୧୮।

 

 

ଝଗଡ଼ା ନ କର ମାଇଂ କହୁଛି ମୁହିଂ।

 

ଝଟ ଝଟ ଦିଶେ କଥା ରଖରେ ସହୀ॥

।୧୯।

ନ କର ବିଳମ୍ବ ଆରେ ନନ୍ଦ କୁମର।

 

ନ ଆସିବି ତୋହ ଲାଗି ମଥୁରାପୁର॥

।୨୦।

 

 

ନନ୍ଦପୁଅ ହୋଇ ବତ୍ସା ଜଗୁଣ ଥିଲୁ।

 

ନ ଜାଣେ ମୁଂ କେବେ ତୁହି ଘାଟ ଜଗିଲୁ॥

।୨୧।

ନ ଜାଣଇ କେବେ କଂସର ହେଲୁ ଚାର।

 

ନନ୍ଦ ଗାଈ କିଏ ସେ ଜଗିବ ବନର॥

।୨୨।

 

 

ଟାଣ କଥା ମୋତେ ମାଇଂ କହୁଛୁ ତୁହି।

 

ଟାଣି କଂସ ରାଜା ପାଶେ ଦେବି ଧରାଇ॥

।୨୩।

ଟାକି ମୋ କଥାକୁ ତୁହି ଦେଉ ଉତ୍ତର।

 

ଟାକି ବସିଥାଏ ପରା ମୁହିଂ ନିକର॥

।୨୪।

 

 

 

 

ଠକ ଭଣ୍ଡ କଥା କେତେ କହୁଛୁ କାହ୍ନୁ।

 

ଠକପଣ ଯେତେ ତୋର ନ ଯାଏ ମନୁ॥

।୨୫।

ଠାବ କର ମନ ମଧ୍ୟେ ନନ୍ଦ କହ୍ନାଇ।

 

ଠିକେ ମୁଂ କହୁଛି ବାବୁ ଯିବଇଂ ତହିଂ॥

।୨୬।

 

 

ଠକ ମୋହନକୁ ରାଧା କହି ଚଳିଣ।

 

ଠିକ୍ ରେ କହେ ଅଚ୍ୟୁତ ପ୍ରଭୁ ସେବିଣ॥

।୨୭।

ଡାକିଲେ ନ ଶୁଣ ବାବୁ ନନ୍ଦ କୁମର।

 

ଡ଼ୋଳେ ଚାହିଂ ଦୀନବନ୍ଧୁ ବେଳ ଉଛୁର॥

।୨୮।

 

 

ଡର ମାଡ଼ୁଅଛି ମୋତେ ସାରଙ୍ଗପାଣି।

 

ଡକ୍କା ବଜା କରିବେଶି ଶାଶୁ ଡାହାଣୀ॥

।୨୯।

ଡକୁଣୀ ନଣନ୍ଦ ଧିଟ ଦେବଟି ଗାଳି।

 

ଡଆଣା ଶ୍ୱଶୁର ବୁଢ଼ା ମରିବ ଜଳି॥

।୩୦।

 

 

ଢଳି କହୁଛନ୍ତି ରାଧା କୃଷ୍ଣଙ୍କୁ ଚାହିଂ।

 

ଢାଙ୍କିଛି ଅଞ୍ଚଳ ଶୁଦ୍ଧ ସୁବର୍ଣ୍ଣେ କାହିଂ॥

।୩୧।

ଢମ ପଣେ କହୁ କେତେ ଢମାଳି ଭାଷା।

 

ଢଗମାଳିଆରେ ତୋର କେହୁ ଭରସା॥

।୩୨।

 

 

 

 

ନାହିଂ ମନେ ମୋର କିଛି ନବଛଇଳୀ।

 

ନନ୍ଦରାଜା ପୁଅ ନାମ ମୋ ବନମାଳୀ॥

।୩୩।

ନାନାରଙ୍ଗେ ନାଚ କରେ ଗୋପ ନଗର।

 

ନ ଜାଣୁ କି ମାମୁଂ ମୋର କଂସ ଅସୁର॥

।୩୪।

 

 

ତରତର ନୁହଂ ରାଈ କହୁଛି ଏତେ।

 

ତପ ସନ୍ଧ୍ୟା ସାରି ବ୍ରହ୍ମା ଜପୁଛି ତୋତେ॥

।୩୫।

ତୁ ବୋଲୁ ଯଶୋଦାଙ୍କ ମୁଂ ବାଳୁତ ସିନା।

 

ତିନି ତ୍ରଇଲୋକ ଉଡ଼େ ମୋହର ବାନା॥

।୩୬।

 

 

ଥକା ହୋଇଲେକ ପୁଣି ରାଧା ସୁନ୍ଦରୀ।

 

ଥୋଇ ଦଧି ପସରା ବୋଇଲେ ଶ୍ରୀହରି॥

।୩୭।

ଥଟ୍ଟାକରି ମୋତେ ଆଉ ନ କୁହ କାହ୍ନୁ।

 

ଥରୁଛି ହୃଦୟ କଥା ନ ଯାଏ ମନୁ॥

।୩୮।

 

 

ଦୟାକରି ଚନ୍ଦ୍ରମୁଖୀ ମୋ ବୋଲ କର।

 

ଦମ୍ଭପଣ ରଖୁ ନାହିଂ ମଦନ ଶର॥

।୩୯।

ଦରମୁଖୀ ଚନ୍ଦ୍ରହ୍ରାସୀ ନ ଚଳେ ପାଦ।

 

ଦଗାଦିଆ କାହ୍ନୁ ନ ଦିଅ ହେ ବିପଦ॥

।୪୦।

 

 

 

 

ଧରୁଛି ଚରଣ ମାଇଂ ନ କୁହ ଏହା।

 

ଧପା କଥା ଶୁଣି ହୃଦ ହେଉଛି ଦାହା॥

।୪୧।

ଧମକ ଯେ ତୁମ ଆଉ ଶୁଣିବି ନାହିଂ।

 

ଧରିକରି ଆଜି କୁଞ୍ଜେ ନେବି ଗୋ ସହୀ॥

।୪୨।

 

 

ନ କର ଜଞ୍ଜାଳ ବାବୁ ନନ୍ଦ କହ୍ନାଇ।

 

ନେବୁ କି ତୁ କୁଞ୍ଜବନ କରିଣ ଟାହି॥

।୪୩।

ନେଇ ଆସିବୁ କଉଡ଼ି ଘରକୁ ଯାଇ।

 

ନୂଆ ପରି କଥା କେତେ କହୁ କହ୍ନାଇ॥

।୪୪।

 

 

ପର ପରି କଥା କେତେ କହୁ ଲୋ ରାଈ।

 

ପୀରତି ଯୁବା ବୟସେ ଅଟେ ଗୋ ସହୀ॥

।୪୫।

ପ୍ରୀତି କଥା ଛାଡ଼ି ଏଣେତେଣେ ବୁଲାଇ।

 

ପ୍ରତିବାଦ କରି କଥା କଥାକେ ଛଇ॥

।୪୬।

 

 

ଫଟା କପାଳ ରେ ମୋତେ କି ଦଣ୍ଡ ଦେଲୁ।

 

ଫାନ୍ଦରେ ପକାଇ ମୋ ମହତ ସାରିଲୁ॥

।୪୭।

ଫଟା ବଇଂଶୀକୁ ଧରି ନନ୍ଦ କହ୍ନାଇ।

 

ଫଟାଇ ଦେଉଛି ହୃଦ ତାକୁ ବଜାଇ॥

।୪୮।

 

 

 

 

ବୋଲନ୍ତି ନନ୍ଦ କୁମର ଶୁଣରେ ସହୀ।

 

ବାଳୁତ ପରାଏ କିମ୍ପା କହୁଛୁ ତୁହି॥

।୪୯।

ବିଳମ୍ବ ନ କରି ଆସ ହେ ପ୍ରାଣେଶ୍ୱରୀ।

 

ବିରହ ଅନଳୁଂ ମୋତେ କର ତୁ ପାରି॥

।୫୦।

 

 

ଭଣ୍ଡ କଥା କେତେ କହୁ ନନ୍ଦନନ୍ଦନ।

 

ଭଣ୍ଡାଇବୁ ବୋଲି ମୋତେ କରିଛୁ ମନ॥

।୫୧।

ଭଗାରିହସା ତୁ ମୋତେ ନ କର ବାବୁ।

 

ଭଣଜା ବୋଲି ତୁ କଥା ଛାଡ଼ିଲୁ ସବୁ॥

।୫୨।

 

 

ମାୟାଧର କହୁଛନ୍ତି ରାଧାଙ୍କୁ ଚାହିଂ।

 

ମାୟାକରି ଏତେ କିମ୍ପା କହୁ ଲୋ ମାଇଂ॥

।୫୩।

ମାୟା ଛାଡ଼ି ପ୍ରାଣେଶ୍ୱରୀ ଦିଅ ସୁରତି।

 

ମଦନ ବାଣରେ ଛାତି ହୁଏ କରତି॥

।୫୪।

 

 

ଜଗତ କରତା କଥା ଶୁଣି ରାଧିକା।

 

ଜଣାନ୍ତି କର ଯୋଡ଼ିଣ ହୋଇଣ ଥକକା॥

।୫୫।

ଯା ଯା ରେ ମୋ ବାପଧନ ଯାଅ ଘରକୁ ।

 

ଜଗତରେ ନ ଦିଅ ହେ ଆଉ ଲଜ୍ଜାକୁ॥

।୫୬।

 

 

 

 

ରାଧିକା ନିଷ୍ଠୁର କଥା ଶୁଣି ଶ୍ରୀହରି।

 

ରାଢ ପଣ କିଂପା କରୁ ମୋ ପ୍ରାଣେଶ୍ୱରୀ॥

।୫୭।

ରହିଥିବି ଯେବେ ଗୋପପୁରରେ ସହୀ।

 

ରାଧିକା ତୋ ସଙ୍ଗ କେବେ ଛାଡ଼ିବି ନାହିଂ॥

।୫୮।

 

 

ଲାଜେ ରାଧିକା ବୋଲନ୍ତି ଶୁଣ କହ୍ନାଇ।

 

ରଖି ନ ଦେବୁ ଯେ ଗୋପପୁରରେ ତହିଂ॥

।୫୯।

ଲୋକହସା ଶାଶୁ ନଣନ୍ଦ ଯେ ଗଞ୍ଜନ୍ତି।

 

ରାଧିକା ବିଟପୀ ବୋଲି ଥଟ୍ଟା କରନ୍ତି॥

।୬୦।

 

 

ବୋଲନ୍ତି ଶ୍ରୀକୃଷ୍ଣଚନ୍ଦ୍ର ଶୁଣ ଗୋ ରାଈ।

 

ବିରହ ଜ୍ବାଳାରେ ମୋତେ କଲୁଣି ବାଇ॥

।୬୧।

ବହନ କରିଣ ଏବେ ଦିଅ ସୁରତି।

 

ବଚନ ନ ଭାଷ ବୃଷଭାନୁ ସମ୍ପତ୍ତି॥

।୬୨।

 

 

ଶୁଣି ରାଧିକା ସୁନ୍ଦରୀ ହେଲେ ମଉନ।

 

ସାରିବୁ ମହତ ମୋର ନନ୍ଦ ନନ୍ଦନ॥

।୬୩।

ସବୁ ଛାଡ଼ି ଆଶ୍ରା ତୋତେ କରିଛି ମୁହିଂ।

 

ସାରିଲେ ସାର ମହତ ନନ୍ଦ କହ୍ନାଇ॥

।୬୪।

 

 

 

 

ହରଷ ହୋଇଲେ ଶୁଣି ଗୋପ ବନ୍ଦନ।

 

ହରଷରେ କୁଞ୍ଜବନ କଲେ ଗମନ॥

।୬୫।

ହରଷେ ସୁରତି ସାରି ସେ ବନମାଳୀ।

 

ହାତ ଧରି ରାଈକି କହନ୍ତି ଶ୍ରୀହରି॥

।୬୬।

 

 

କ୍ଷିତି ମଣ୍ଡଳରେ ଥିବା ଯେତେ ଦିନ ରହି।

 

କ୍ଷୀର ନୀର ପରି ମିଶି ରହିବାରେ ସହୀ॥

।୬୭।

ଖଗପତି ମୁଖୁଂ ଶୁଣି ରାଧିକା ସନ୍ତୋଷ।

 

ଠିକେ ଭଣିଲେ ଯେ ଶ୍ରୀ ଅଚ୍ୟୁତ ଦାସ॥

।୬୮।

 

ଓଗାଳ –୧

ଶୁଣ ହେ ଗୋପଳ ଭାଇ ମନକର୍ଣ୍ଣ ଦେଇ।

 

ଅପୂର୍ବ ଚରିତ ଏ ଯେ କାହିଂ ଶୁଣା ନାହିଂ॥

।୧।

ପଚାରନ୍ତି ଗୋପୀମାନେ କହ ବଂଶୀଧାରୀ।

 

କେମନ୍ତେ କଳିରେ ଭେଟ ପାଇବୁ ତୋହରି॥

।୨।

କଳିଯୁଗ କେଉଂପରି ହେବରେ କହ୍ନାଇଂ।

 

ସେ ଯୁଗରେ କେମନ୍ତେ ପାଇବୁ ଆମ୍ଭେ ଯାଇଂ॥

।୩।

ତୁମ୍ଭେ କିରୂପେଣ ପୁଣ ଜନମ ହୋଇବ।

 

କେଉଂ ଲୀଳାପରି ତୁମ୍ଭେ ମର୍ତ୍ତ୍ୟରେ ରହିବ॥

।୪।

ତାହା ଶୁଣି ଶ୍ରୀକୃଷ୍ଣ ଯେ ହସ ହସ ହୋଇ।

 

ସେ ବଡ଼ ବିଚିତ୍ର ଲୀଳା କି କହିବି ସହୀ॥

।୫।

ଗୁପତୁଂ ଗୁପତ ଅଟେ କଳିଯୁଗ ଖେଳ।

 

ମୁନିମାନେ ସେଯୁଗରେ ହୋଇଯିବେ ଭୋଳ॥

।୬।

ଗୋଟି ଗୋଟି ଯେଉଂପରି ପଚାରିଲ ମୋତେ।

 

ତାହା ଯେ କହିବା ଏବେ ଶୁଣ କର୍ଣ୍ଣ ପଥେ॥

।୭।

କେଉଂ କେଉଂ କଥାମାନ କହିଲେ ଶ୍ରୀହରି।

 

ଗୋପୀଙ୍କୁ ବୁଝାଇଣ ଯେ ପ୍ରଭୁ ନରହରି॥

।୮।

ସରଗୁରୁ ସେବା ଥିଲେ ତୁମ୍ଭେ ଜାଣିପାରି।

 

ଗୋପୀଙ୍କ ଆଗେ ଯେ କଥା କହିଲେ ବିସ୍ତାରି॥

।୯।

କଳିଯୁଗ ଲୀଳା ଯାହା ପଚାରିଲି ତୋତେ।

 

ଅଚ୍ୟୁତ କହିଅଛନ୍ତି ଜଗତର ହିତେ॥

।୧୦।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା।

 

ମାୟାଧର ମାୟା କଥା କେ କହିବ ତାହା॥

।୧।

ଦ୍ୱାପର ଯୁଗରେ ଗୋପେ ଗୋପୀ ସଙ୍ଗେ ଥାଇ।

 

କେତେ ଲୀଳା କଲେ ପୁଣି ନନ୍ଦର କହ୍ନାଇ॥

।୨।

କଂସ ମାରିବା ପାଇଂକି ଗଲେ ମଧୁପୁର।

 

କଂସମାରି ଦ୍ୱାରକାରେ ହେଲେ ନୃପବର॥

।୩।

ଯଜ୍ଞ କରି ଗୋପୀଙ୍କୁ ଭେଟିଲେ ନଟବର।

 

ଆଉ ଗୋପେ ଭେଟ ନ ପାଇବ ନାରୀବର॥

।୪।

ଗୋପୀଏ ବୋଲନ୍ତି ଯେବେ ନ ଯିବ ଗୋପକୁ।

 

କଳିଯୁଗେ କିପରି ଯେ ଭେଟିବୁ ତୁମ୍ଭଙ୍କୁ ॥

।୫।

ବୋଲନ୍ତି କହ୍ନାଇ ଏବେ ଶୁଣ ଦେଇ ମନ।

 

ଯେଉଂ ରୂପେ କଳିଯୁଗେ କରିବି ଭ୍ରମଣ॥

।୬।

 

 

କଳି ଶେଷ ବେଳେ ଆମ୍ଭେ ହୋଇବୁ ଜନମ।

 

ଗୋପୀମାନେ ସେ ଯୁଗରେ ଜନମିବେ ପୁଣ॥

।୭।

ଆମ୍ଭେ ନୀଳାଚଳେ ଦାରୁ ରୂପ ଯେ ହୋଇବୁ।

 

ମଉନ ହୋଇଣ ବସି ଖେଳ ଲଗାଇବୁ॥

।୮।

 

 

ଶ୍ରୀ କ୍ଷେତ୍ର ବୋଲାଇବ ସେ ନୀଳଗିରି ସ୍ଥାନ।

 

ସର୍ବେ ବସି ଏକ ସ୍ଥାନେ କରିବେ ଭୋଜନ॥

।୯।

ବହୁ ଆନନ୍ଦ ହୋଇ ସେହି କ୍ଷେତ୍ରବରେ।

 

ଆନନ୍ଦରେ ଦର୍ଶନ କରିବେ ନାରୀ ନରେ॥

।୧୦।

 

 

ବେଦ ପଢି ବ୍ରାହ୍ମଣେ ଯେ ଅହଙ୍କାରୀ ହେବେ॥

 

ଜାତିଭେଦ କରିଣ ସେ ସୃଷ୍ଟି ବିନାଶିବେ।

।୧୧।

ଅଶାନ୍ତ ହୋଇଣ ସର୍ବେ ଖଳଚଳ ହେବେ।

 

ଅଜ୍ଞାନ ହୋଇଣ କେ କାହାକୁ ନ ମାନିବେ॥

।୧୨।

 

 

ଭାଇରେ ଭାଇରେ ପୁଣି ଅଶାନ୍ତି ଘଟିବ।

 

ପିତାମାତା କଥାକୁ ଯେ ପୁତ୍ର ନ ମାନିବ॥

।୧୩।

ଅଜ୍ଞାନ କଥାରେ ସର୍ବେ ଆନନ୍ଦ ହୋଇବେ।

 

ଜ୍ଞାନ କଥା ଶୁଣି ପରିହାସ ଯେ କରିବେ॥

।୧୪।

 

 

 

 

ନାସ୍ତିକ ହୋଇଣ ସର୍ବେ ହେବେ ଭିନ୍ନାଭିନ୍ନ।

 

କାହାରି ସଙ୍ଗେ କାହାରି ନ ମିଳିବ ମନ॥

।୧୫।

ନାରୀ ପୁରୁଷଙ୍କ ପୁଣି କପଟ ବେଭାର।

 

ଏକାଘରେ ରହି ପୁଣ କରନ୍ତି ବେହାର॥

।୧୬।

 

 

କପଟୀ ନାରୀ ସଙ୍ଗରେ ରହିବେ ଏକାନ୍ତ।

 

ପ୍ରାଣ ଥାଉଂ ଥାଉଂ କଷ୍ଟ ପାଇବେ ଅତ୍ୟନ୍ତ।

।୧୭।

ଅଘରୁଆ ଲୋକ ପୁଣି ସଭାରେ ବସିବେ।

 

ନାନା ବିକୃତ କଥାକୁ ବାହାର କରିବେ॥

।୧୮।

 

 

ସତ କଥାମାନ ସବୁ ହୋଇଯିବ ଦୂର।

 

ଅସତ କଥାରେ ସବୁ ହୋଇବେ ନିର୍ଭର ॥

।୧୯।

ଅସତ୍ୟ ଲୋକର ଭାଇ ହୋଏ ବହୁବଳ।

 

ସତ୍ୟ ଲୋକକୁ ଦେଖିଲେ ଦିଶେ ଯେହ୍ନେ କାଳ॥

।୨୦।

 

 

ବାରମାସେ ତେର ବ୍ରତ ନ କରିବେ ନାରୀ।

 

ବ୍ରାହ୍ମଣେ ପୂଜା କରିବେ ମିଛେ ଘଣ୍ଟି ଧରି॥

।୨୧।

ବେଶ୍ୟାଘରେ ରହି ଦ୍ବିଜେ ଦିନ କଟାଇବେ।

 

ଭାତ ବିକିକରି ତାଙ୍କ କୁଟୁମ୍ବ ପୋଷିବେ॥

।୨୨।

 

 

 

 

ବ୍ରାହ୍ମଣଙ୍କଠାରୁ ଭକ୍ତି ହୋଇଯିବ ଦୁର।

 

ଭକ୍ତି ଛାଡ଼ିବାରୁ ପୁଣି ବୁଲାଇବେ ହଳ॥

।୨୩।

ଚୋରମାନେ ଦିବ୍ୟ ରୂପ ହୋଇଣ ବୁଲିବେ।

 

ତାଙ୍କୁ ଦେଖି ଲୋକେ ସବୁ ସନମାନ ଦେବେ॥

।୨୪।

 

 

ସତ୍ୟ ଲୋକଙ୍କୁ ଦେଖିଲେ କରିବେ ଧିକାକାର।

 

ଯାଅ ଯାଅ ଆମ୍ଭ ପାଶୁଂ ହୋଅ ବେଗେ ଦୂର॥

।୨୫।

ଧନ ଲୋଭେ ରାତ୍ରଦିନ ଖଟୁଥିବେ ନର।

 

ନଥିବ ତାଙ୍କର କିଛି ଧର୍ମର ବିଚାର॥

।୨୬।

 

 

ଧନ ପାଶେ ଥିଲେ ଲୋକେ ବୋଲାଇବେ ବଡ଼।

 

ଲୋକଙ୍କ ଆଗରେ ପୁଣି ଦେଖାଇବେ ତୋଡ଼॥

।୨୭।

ସେ ତୋଡ଼ ଦେଖିଣ ସର୍ବେ ହେବେ ଥରଥର।

 

ଅନେକ ଲୋକ ତାହାଙ୍କୁ କରିବେ ଜୁହାର॥

।୨୮।

 

 

ଅବାଟକୁ ବାଟ ସବୁ କରିବେ ରେ ଭାଇ।

 

ଆଜିର କଥା କାଲିକି ଦେବେ ବଦଲାଇ॥

।୨୯।

ଏସନେ ଏ କଳିଯୁଗ ଅତି ଭୟଙ୍କର ।

 

ଜ୍ଞାନକୁ ସେ ବାନ୍ଧିଦେବ ହୋଇଣ ପ୍ରବଳ॥

।୩୦।

 

 

 

 

ଅଜ୍ଞାନ ହୋଇଣ ସର୍ବେ ଅନ୍ଧ ପରି ହେବେ।

 

ଧକକା ମାଡ଼ ଖାଉଥାଇ ବାଟ ନ ପାଇବେ॥

।୩୧।

ପିତାମାତା ଭାଇ ବନ୍ଧୁ କୁଟୁମ୍ବ ଜନର।

 

ପ୍ରାଣ ଗଲାବେଳେ କେହି ନୋହିବେ କାହାର॥

।୩୨।

 

 

ଜ୍ଞାନ ଥାଉଂ ଥାଉଂ ଭାଇ ଯେବେ ସୁମରିବୁ।

 

ଜ୍ଞାନଚକ୍ଷୁ ପାଇ ତୁହି ପ୍ରଭୁଙ୍କୁ ଭେଟିବୁ॥

।୩୩।

ସଂସାରେ ଥାଇଣ ତୁହି ଅଲଗା ରହିବୁ॥

 

ତେବେ ପ୍ରଭୁଙ୍କର ତୁହି ଶ୍ରୀମୁଖ ଦେଖିବୁ ।।

।୩୪।

 

 

କଳିଯୁଗେ ପ୍ରଭୁ ହେବେ ଦାରୁବ୍ରହ୍ମ ରୂପ।

 

ଗୋପୀ ଗୋପାଳେ ହୋଇବେ ସେବକ ସ୍ୱରୁପ ॥

।୩୫।

ଶୂନ୍ୟବ୍ରହ୍ମ ଲୀଳା ହେବ ଅପାରୁଂ ଅପାର।

 

କଳି କଳ୍ମଷ ନାଶନେ ପ୍ରଭୁ ମାୟାଧର॥

।୩୬।

 

 

ଗୋପୀଙ୍କୁ ଯାହା କହିଲେ କୃଷ୍ଣ ଯେ ବୁଝାଇ।

 

ଜଗତ ଜନ ହିତରେ ଅଚ୍ୟୁତ କହଇ॥

।୩୭।

ଭଲା ଓଗାଳ ପୁଛିଲ ତୁମ୍ଭେ ଆହେ ଭାଇ।

 

ଯାହା ଜାଣିଥିଲି କିଛି କହିଲି ବୁଝାଇ॥

।୩୮।

 

ଓଗାଳ –୨

ଶୁଣ ହୋ ଗୋପ ଗୋପାଳେ ପଚାରୁଛି ମୁହିଂ।

 

ଯେତେ ବୁଝାଇଲେ ମୋର ମନ ବୁଝୁନାହିଂ॥

।୧।

ହେ ଗୋପ ଗୋପାଳ ତୁମ୍ଭେ ଦ୍ୱାପର ଯୁଗରେ ।

 

କେତେ ଲୀଳା କରିଥିଲ ପ୍ରଭୁଙ୍କ ସଙ୍ଗରେ ॥

।୨।

 

 

ସ୍ୱର୍ଣ୍ଣ ପାତ୍ରମାନଙ୍କରେ କରିଲ ଭୋଜନ।

 

କଳିଯୁଗେ ମାଟିପାତ୍ରେ କିଂପା ଖାଅ ଅନ୍ନ॥

।୩।

କିଂପାଇ ଏମନ୍ତେ ହେଲା କହ ହେତୁ କରି।

 

ଜାଣି ନଥିଲେ ପଚାର ମତେ ଗୁରୁ କରି॥

।୪।

ଉତ୍ତାର

ଶୁଣ ହୋ ଗୋପାଳ ଭାଇ ପଚାରିଲ ଯାହା।

 

ଠିକେ ଠିକେ ସବୁ କଥା କହିଦେବୁଂ ତାହା॥

।୧।

କୁରୁକ୍ଷେତ୍ର ନିକଟେ କୃଷ୍ଣ କଲେ ଯଜ୍ଞସ୍ଥାନ।

 

ପ୍ରଭାସ ଯଜ୍ଞରେ ପ୍ରଭୁ କରିଲେ ମିଳନ॥

।୨।

 

 

କରୁକ୍ଷେତ୍ର କାର୍ଯ୍ୟ ଶେଷକରି ଆହେ ଭାଇ।

 

ଶ୍ରୀକ୍ଷେତ୍ରେ ଆନନ୍ଦେ ଲୀଳା କରିଲେକ ଯାଇ॥

।୩।

କଳି ଶେଷେ ଅନ୍ୟାୟ ଯେ ବହୁତ ହୋଇବ।

 

ସେ ଯୁଗର କଥା ଆଉ ସହି ନ ହୋଇବ॥

।୪।

ଅଲୈାକିକ ଲୀଳାମାନ ସେଠାରେ ହୋଇବ।

 

ଦାମ୍ଭିକ କପଟୀ କୁଟନୀତି ଭାଙ୍ଗିଯିବ॥

।୫।

ଯାହା କହିଥିଲେ ପ୍ରଭୁ ଜଗତ ଜୀବନ।

 

ମର୍ତ୍ତ୍ୟକୁ ଆସିଣ ଖେଳ କରିଲେ ସେ ଜାଣ॥

।୬।

ଅଜ୍ଞାନୀକି ଦିଶିଲେ ସେ କାଳଚକ୍ର ପରି।

 

ଭକ୍ତଙ୍କୁ ଦିଶିଲେ ଯେହ୍ନେ ବଙ୍କା ବଂଶୀଧାରୀ॥

।୭।

ନାନାରଙ୍ଗେ ଖେଳ ସେହୁ ଆରମ୍ଭ ଯେ କଲେ।

 

ଲୋକମାନେ ଭ୍ରମ ହୋଇ ଜାଣି ନ ପାରିଲେ॥

।୮।

ଗୋପାଳମାନଙ୍କୁ ଆମ୍ଭେ କରୁଛୁ ଦଇନି।

 

କଳିକାଳେ ଦେଖ ଆସି ପ୍ରଭୁ ଚକ୍ରପାଣି॥

।୯।

ମାଟି କୁଡ଼ୁଆରେ ହୋଏ ଶ୍ରୀକ୍ଷେତ୍ରେ ଭୋଜନ।

 

ନିତ୍ୟ ଲୀଳା ଏହା ପାପ କରଇ ଧ୍ୱଂସନ॥

।୧୦।

ତେଣୁକରି ମାଟି ପାତ୍ର ଅଟେ ଶୁଦ୍ଧତନ।

 

ମାଟି ଘଟ ମାଟି ପାତ୍ର ଭଙ୍ଗୁର ଭଂଜନ॥

।୧୧।

କୂଟ କପଟକୁ ଯେବେ ନ ଛାଡ଼ିବୁ ଭାଇ।

 

ଅନ୍ଧ ପ୍ରାୟ ହେବ କାହୁଂ ପାଇବ ମାଧୋଇ॥

।୧୨।

 

 

ଗୋପିକା ଭକତି ନେଇ କରୁଛନ୍ତି ଖେଳ।

 

ଏବେ ତୁ ଏଣିକି ଆଉ ନ ହୋଅ ବାତୁଳ॥

।୧୩।

ଯାହା ପଚାରିଲ ତୁମ୍ଭେ ହେ ଗୋପାଳ ଭାଇ।

 

ହେତୁକରି କଥା ଏବେ କହିଲୁ ବୁଝାଇ॥

।୧୪।

 

 

ଦାମ୍ଭିକ କପଟୀ ହେଲେ ନ ପାଇବ ରସ।

 

ଭକତି ଭାବରେ ସିନା ହେଜିବ ରହସ୍ୟ॥

।୧୫।

ଜାଣିଥିବା କଥା କିଛି କହିଲି ବୁଝାଇ।

 

କହଇ ଅଚ୍ୟୁତ ଦାସ ନ କର ବଡ଼ାଇ॥

।୧୬।

 

ଓଗାଳ – ୩

ଶୁଣ ହେ ଗୋପାଳ ଭାଇ ଦେଇକରି ଚିତ୍ତ।

 

ଯାହା ପଚାରୁଛି କୃଷ୍ଣ ବାଲ୍ୟର ଚରିତ॥

।୧।

ଯଶୋଦା ଗୋପୀଏ ବସି କରନ୍ତି ବିଚାର।

 

ଅନ୍ୟ କଥା ମାନ ସବୁ ପଡ଼ଇ ତାଙ୍କର ॥

।୨।

ଏ ସମୟେ ତହିଂ ଆସି ନନ୍ଦର ନନ୍ଦନ।

 

ଶିଳାଏ ଦଧିହାଣ୍ଡିକୁ ଫୋପାଡ଼ିଲେ ପୁଣ॥

।୩।

ଯଶୋଦା ବୋଲନ୍ତି ଆଲୋ କି କଲା କି କଲା।

 

ଦହି ହାଣ୍ଡିକି ମୋହର ଭାଙ୍ଗି ପକାଇଲା॥

।୪।

ଏଡ଼େ ଦୁରୁଦଣ୍ଡ କାହ୍ନା କାହିଂପାଇଂ ହେଲା।

 

ଏହା କହନ୍ତେଣ କୃଷ୍ଣ ଭୂମିରେ ଗଡ଼ିଲା॥

।୫।

ଦହି କିସ ଉଠାଇବେ ପୁଅ ଗଡ଼ା ଦେଖି।

 

ସାଉଂଟି ପୁଅକୁ ପୁଣ ନ ପାରନ୍ତି ଟେକି॥

।୬।

ଦହିହାଣ୍ଡି ଭାଙ୍ଗି ପୁଣି ଏମନ୍ତ ବଡ଼ାଇ।

 

କେଉଂ ଛୁଆ କରିବ ଲୋ ଶୁଣିଅଛ କାହିଂ॥

।୭।

ଗଡ଼ୁଥାଉ ଏହିକ୍ଷଣି କୋକବାୟା ଆସି।

 

ଘେନି ନେବ ତୁମ୍ଭେ ସବୁ ଦେଖୁଥିବ ବସି॥

।୮।

 

 

ଏହା ଶୁଣନ୍ତେଣ କାହ୍ନୁ ଧଡ଼ପଡ଼ ହୋଇ।

 

ଉଠିଆସି ମାତା କୋଳେ ବସିଲେକ ଯାଇଂ॥

।୯।

ଯଶୋଦା କାହ୍ନୁ ଉପରେ ଘୋଡ଼ାଇ ପଣତ।

 

ବୋଲନ୍ତି ରେ କୋକବାୟା ପଳା ତୁ ତୁରିତ॥

।୧୦।

 

 

ଆଉ ମୋ କାହ୍ନୁ ଏଣିକି ଦୁଷ୍ଟ ହେବ ନାହିଂ।

 

ଆଉ ଦୁଷ୍ଟପଣ କଲେ ଡ଼ାକି ଦେବି ମୁହିଂ ॥

।୧୧।

ଗୋପୀଏ ଯଶୋଦା ଚାହିଂ ହସାହସି ହେଲେ।

 

କୋଳେ ଥାଇ କୃଷ୍ଣ ମୁଣ୍ଡ ଉଠାଇ ଚାହିଂଲେ ॥

।୧୨।

 

 

କୋକବାୟା ଗଲା ବୋଲି କୃଷ୍ଣ ପଚାରିଲେ।

 

ହଂ ବାପ ଗଲା ବୋଲିଣ ତଳେ ବସାଇଲେ ॥

।୧୩।

ଆଉ ଏକ ଦିନେ ସାୟଂକାଳେ ନନ୍ଦରାଣୀ।

 

ଡ଼ାକିଲେ ପାଖକୁ ଆସ ବାବୁ ନୀଳମଣି ॥

।୧୪।

 

 

ନ ଆସିଲେ କୋକବାୟା ଘେନିଯିବ ଧନ।

 

ମାୟାଧର ମାୟା କେହୁ ଜାଣିମ ପ୍ରଛ୍ଛିନ୍ନ॥

।୧୫।

କୋକବାୟା ମୂର୍ତ୍ତି ଏକ ହୋଇଲା ତକ୍ଷଣ।

 

କି ଅଦ୍ଭୁତ ମୂର୍ତ୍ତି ଦେଖିବାକୁ କଂପମାନ॥

।୧୬।

 

 

 

 

ଶ୍ରୀକୃଷ୍ଣଙ୍କୁ ଘେନିଗଲା ଶୁଭିଲାଗ ଗୋଳ।

 

ଗଲା-ଗଲା- ନେଲା-ନେଲା ପଡ଼ିଲା ଚହଳ॥

।୧୭।

ଏ ସମୟେ ଚାର ଯାଇଂ ବାର୍ତ୍ତା ଜଣାଇଲା।

 

ତାହା ଶୁଣି ନନ୍ଦରାଜା ସଭା ଭଙ୍ଗ କଲା॥

।୧୮।

 

 

ଶବଦ ଶୁଣି ଗୋପାଳେ ହୋଇଲେକ ରୁଣ୍ଡ।

 

କୃଷ୍ଣଙ୍କୁ ଯେ ଘେନିଗଲା କେମନ୍ତେ ପାଷାଣ୍ଡ॥

।୧୯।

ଲଉଡ଼ି ଦଉଡ଼ି ଧରି ହୋଇଲେ ବାହାର।

 

କେ ବୋଲଇ ମାର ମାର କେ ବୋଲଇ ଧର॥

।୨୦।

 

 

ସମସ୍ତେ ବାହାର ହେଲେ ହାଥେ ବାଡ଼ି ନେଇ।

 

ଯେଣେ ତେଣେ ଖୋଜିଲେ ଯେ କାହିଂ କିଛି ନାହିଂ॥

।୨୧।

ବନସ୍ତ ଭିତରେ ଯାଇ ପ୍ରବେଶ ହୋଇଲେ।

 

ଗୋବର୍ଦ୍ଧନ ଗିରିପରେ ବସିଛି ଦେଖିଲେ॥

।୨୨।

 

 

ସମସ୍ତେ ମେଳ ହୋଇଣ ଉଠିଲେ ହୁଙ୍କାରି।

 

ଗିରି ଉପରକୁ ଯିବା ବୋଲିଣ ବିଚାରି॥

।୨୩।

କେ ବୋଲଇ ତୁମ୍ଭେ ଚାଲ କେ ବୋଲଇ ଆସ।

 

ଏପରି କହି କାହାର ନୋହିଲା ସାହସ॥

।୨୪।

 

 

 

 

ନନ୍ଦବୁଢ଼ା ଦେଖିକରି ହୋଇଲା ବିକଳ।

 

ପୁତ୍ରକୁ ଚାହିଂଣ ଗିରି ଉଠନ୍ତେ ବିକଳ॥

।୨୫।

ବିଶ୍ୱମୁର୍ତ୍ତି ଧରି ବାୟା କାୟା ବିସ୍ତାରିଲା।

 

ଘଡ଼ଘଡ଼ି ଶବ୍ଦ ପ୍ରାୟେ ରଡ଼ିୟେ କରିଲା॥

।୨୬।

ଏହା ଦେଖି ଗୋପାଳେ ଯେ ମହାଭୟ ପାଇ।

 

ନନ୍ଦବୁଢ଼ାର ପାଖକୁ ଅଇଲେ ପଲାଇ॥

।୨୭।

କେମନ୍ତ ପ୍ରକାରେ କୃଷ୍ଣ ଆସିବ ହୋ ଭାଇ।

 

ସେ ଉପାୟ ଗୋଟି ମୋତେ କହିବ ବୁଝାଇ॥

।୨୮।

ଜଗୁନାଥ ପାଦେ ମୋର କୋଟି ନମସ୍କାର।

 

ମୋ ଅପ୍ରାଧ କ୍ଷମା କର ବ୍ରାହ୍ମାଣ୍ଡ ଠାକୁର॥

।୨୯।

କହନ୍ତି ଅଚ୍ୟୁତାନନ୍ଦ ଶୁଣ ଆହେ ଭାଇ।

 

କେମନ୍ତେ ଆସିବ କୁହ ନନ୍ଦର କହ୍ନାଇ॥

।୩୦।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା।

 

ନୁହଂଇ କ୍ଷମ ଯେ କେହି କହିବାକୁ ତାହା॥

।୧।

କଳା କହ୍ନାଇ ଦୟାରୁ ଯାହା ମୁଂ ଜାଣଇ।

 

ଅଳପେ କହିବି ତାହା ଶୁଣ ମନ ଦେଇ॥

।୨।

 

 

ମାୟାଧର ମାୟା କାହୁଂ କିଏ ସେ ଜାଣିବ।

 

ସେ ଦୟା ନ କଲେ ଆମ୍ଭେ ଦୀନହୀନ ଜୀବ॥

।୩।

ଯେତେବେଳେ କ୍ଷୁଧା ଜ୍ବାଳା କରଇରେ ଭାଇ।

 

ଥାଳି ଉପରୁ କି ଅନ୍ନ ମନକୁ ଉଠଇ॥

।୪।

 

 

ହାତ ନ ଲାଗିଲେ ଭାତ ନ ଯାଏ ପାଟିକି।

 

ଯେତିକି ଭାବିବୁ ତାଙ୍କୁ ପାଇବୁ ସେତିକି॥

।୫।

ନନ୍ଦରାଜାକୁ ଚାହିଂଣ ସୁନନ୍ଦ କହଇ।

 

ଆମ୍ଭ ବଳପଣ କିଛି ରହିଲା ତ ନାହିଂ॥

।୬।

 

 

ଚାଲ କୋକ ପାଶେ ଯାଇଂ ସ୍ତୁତି ଆରମ୍ଭିବା।

 

ଆଶ୍ୱାସି କହିଲେ ଦୟା କରିବ ସେ ଅବା॥

।୭।

କାରୁଣ୍ୟ ଛାଡ଼ିଣ ନନ୍ଦ ଆନନ୍ଦ ହୋଇଲା।

 

ସମସ୍ତଙ୍କ ମନକୁ ଯେ ଏ କଥା ପାଇଲା॥

।୮।

 

 

ସବୁ ଗୋପାଳ ଉଠିଲେ ହାତ ଯୋଡ଼ିକରି।

 

ପ୍ରବେଶ ହୋଇଲେ ଯାଇଂ ଗୋବର୍ଦ୍ଧନ ଗିରି॥

।୯।

କୋକକୁ ଚାହିଂଣ ସର୍ବେ ସ୍ତୁତି ଆରମ୍ଭିଲେ।

 

ଜୟ ତୁ କୋକ ଦେବତା ବୋଲିଣ ବୋଇଲେ॥

।୧୦।

 

 

 

 

ତୁମ୍ଭଙ୍କୁ ନ ଜାଣି ଆମ୍ଭେ ଗୋପାଳ ସକଳ।

 

କେତେ କଥା କହିଅଛୁ ଦୋଷ କ୍ଷମା କର॥

।୧୧।

କୃଷ୍ଣଙ୍କୁ ଆମ୍ଭର ତୁମ୍ଭେ ଦିଅ ହେ ଫେରାଇ।

 

ଏହି ଆମ୍ଭର ମାଗୁଣି କହୁଛୁ ଗୋସାଇଂ॥

।୧୨।

 

 

କୋକ ବୋଇଲେ ଆମ୍ଭର କିଛି ଦୋଷ ନାହିଂ।

 

ଯଶୋଦା ବୋଇଲେ କୋକା ନେଇଯାଅ ତୁହିଂ॥

।୧୩।

ତେଣୁକରି କୃଷ୍ଣଙ୍କୁ ମୁଂ ଆଣିଅଛି ଭାଇ।

 

ଭୋଗ ଦ୍ରବ୍ୟ ଦେଲେ ମୋତେ ଦେବି ଯେ ଫେରାଇ॥

।୧୪।

 

 

ଶୁଣିକରି ଗୋପାଳେ ଯେ ଆନନ୍ଦ ହୋଇଲେ।

 

ଭୋଗ ଦ୍ରବ୍ୟମାନ ସବୁ ଯୋଗାଡ଼ କରିଲେ॥

।୧୫।

ଖିରୀ ପୁରି ଶାକର ଯେ ଲବଣୀ ଗୋଟିକା।

 

ଦୁଗଧ ଦଧି ସର ଆଉ ଅଧାମ ଆଟିକା॥

।୧୬।

 

 

ବହୁ ଆଡ଼ମ୍ବରେ ପୂଜା ହୋଇଲାକ ଜାଣ।

 

ବାଜଣା ଶବଦେ ପୁର କମ୍ପିଲା ଯେ ପୁଣ॥

।୧୭।

କୋକଦେବ ପୂଜା ଦ୍ରବ୍ୟ ଆନନ୍ଦେ ଭକ୍ଷିଲେ।

 

କୃଷ୍ଣଙ୍କୁ ଛାଡ଼ିଣ ସେହୁ ଆଡ଼ ହୋଇଗଲେ॥

।୧୮।

 

 

 

 

ଗୋପାଳମାନେ ଯେ ସର୍ବେ ପ୍ରସାଦ ପାଇଣ।

 

ଗିରି ଉପରକୁ ଭୟେ ଉଠିଲେକ ପୁଣ॥

।୧୯।

କେ ବୋଲଇ ଆରେ ଭାଇ ଲୁଚିଥିବ କାହିଂ।

 

କେ ବୋଲଇ ଆରପଟେ ଦେଖି ଆସ ଯାଇଂ॥

।୨୦।

ସମସ୍ତେ ଦେଖିଲେ ତହିଂ ଆଉ କେହି ନାହିଂ।

 

ଦମ୍ଭପଣେ ଉଠିଲେ ସେ କୃଷ୍ଣ ପାଶେ ଯାଇ॥

।୨୧।

ସୁନନ୍ଦ କୃଷ୍ଣଙ୍କୁ କୋଳ କରିଣ ଆଣିଲେ।

 

ନନ୍ଦ କୋଳରେ ଦିଅନ୍ତେ ଆନନ୍ଦ ସେ ହେଲେ॥

।୨୨।

ଗୋପୀ ଗୋପାଳ କୃଷ୍ଣଙ୍କୁ ବସିଲେ ଯେ ଘେରି।

 

ଝଡ଼ା ଫୁଙ୍କା କରୁଛନ୍ତି ସର୍ବେ ହୋଇ ମେଳି॥

।୨୩।

ଅରିଷ୍ଟମାନ ଯେ ସବୁ ଦୂର ହୋଇଯାଅ।

 

ଦେବ ଦେବୀ ମାତା ତୁମ୍ଭେ ରକ୍ଷା କରିଥାଅ॥

।୨୪।

କୃଷ୍ଣଙ୍କୁ ପାଇଣ ସର୍ବେ ଆନନ୍ଦ ହୋଇଲେ।

 

ଯଶୋଦା କୃଷ୍ଣଙ୍କୁ ନେଇ କ୍ଷୀରପାନ ଦେଲେ॥

।୨୫।

ଯାହା ପଚାରିଲୁ ଭାଇ କହିଲି ଉତ୍ତର।

 

ସମସ୍ତ ଗୋପାଳଙ୍କୁ ମୁଂ ଯୋଡ଼ୁଅଛି କର॥

।୨୬।

ସେ ମାୟାଧର ପାଦରେ କୋଟି ନମସ୍କାର।

 

କହଇ ଅଚ୍ୟୁତ ଦାସ ସେହି ପ୍ରଭୁ ମୋର॥

।୨୭।

 

ଓଗାଳ – ୪

ଶୁଣ ହୋ ଗୋପାଳ ଭାଇ ମନ କରି ସ୍ଥିର।

 

ଆହୁରି କଥାଏ ଏବେ ପଡ଼ିଲା ମନର॥

।୧।

ଏ ବଡ଼ ଅପୂର୍ବ କଥା ଶୁଣି ଥିଲି କାହିଂ।

 

ଶୁଣିଲାବେଳକୁ ମୋ ମନ ବ୍ୟାକୁଳ ହୋଅଇ॥

।୨।

ଶୁଣ ଏବେ ପଚାରୁଛି ସେ ରହସ୍ୟ କଥା।

 

ଯାହା ଶୁଣି ଭାଇ ମନେ ନ ରହିବ ବ୍ୟଥା॥

।୩।

ଏକ ଦିନେ କୃଷ୍ଣଚନ୍ଦ୍ର ସଖା ସଙ୍ଗେ ନେଇ।

 

ଲୁଚି ଲୁଚି ଗୋପୀଘରେ ପଶିଲେକ ଯାଇ॥

।୪।

ସଖାମାନେ ଅଟେଇରୁ ବତ୍ସା ଦେଲେ ଛାଡ଼ି।

 

ଆନନ୍ଦେ ପଳାନ୍ତି ବତ୍ସା କରି ହମ୍ବା ରଡ଼ି॥

।୫।

ଗୋପୀମାନେ ଗୋଡାବନ୍ତି ବତ୍ସାଙ୍କ ପଛରେ।

 

ଏଣେ ଶ୍ରୀକୃଷ୍ଣ ଲବଣୀ ଖାଆନ୍ତି ଖୁସିରେ॥

।୬।

ସଖାମାନଙ୍କୁ ଲବଣୀ ଖୁଆନ୍ତି ନିଠାଇ।

 

ମାଙ୍କଡ଼ ପଲଙ୍କୁ ଦେଖି ଦିଅନ୍ତି ପକାଇ॥

।୭।

ମାଙ୍କଡ଼ମାନେ ଖାଇଲେ ଆନନ୍ଦିତ ହୋଇ।

 

ଖେଳ କରୁଥାନ୍ତି ସେହୁ ଲାଙ୍ଗୁଡ଼ ହଲାଇ॥

।୮।

 

 

ଏହା ଦେଖି କୃଷ୍ଣ ସଖାଙ୍କୁ ଯେ ଘେନିଗଲେ।

 

ନିଜ ନିଜ ଗୃହେ ଯାଇ ପ୍ରବେଶ ହୋଇଲେ॥

।୯।

ଗୋପୀଙ୍କ ବାଳୁତ ପିଲା ଏ ସମୟେ ଆସି।

 

ମାତାଙ୍କୁ ଡାକନ୍ତି ଦ୍ୱାରେ ହୋଇ ଅତି ଖୁସି॥

।୧୦।

 

 

ଗୃହକୁ ଦେଖିଲେ ଶୂନ୍ୟ ଘରେ କେହି ନାହିଂ।

 

ମାଙ୍କଡ଼ମାନେ ଧାମନ୍ତି ପୁଣି ଖେଂ ଖେଂ ହୋଇ॥

।୧୧।

ଏହା ଦେଖି ପିଲାମାନେ ଭୟେ ପଳାଇଲେ।

 

ମାତାମାନଙ୍କୁ ଯାଇଣ ବାଟରେ ଭେଟିଲେ॥

।୧୨।

 

 

କୁମର ବୋଲନ୍ତି ମାତ ଶୁଣିବା ବଚନ।

 

ମାଙ୍କଡ଼ ଗୁଡ଼ାଏ ଦ୍ୱାରେ ବସିଛନ୍ତି ପୁଣ॥

।୧୩।

ପୁତ୍ରଠାରୁ ଶୁଣି ମାତା ଆଲୋ ଆଲୋ ହୋଇ।

 

ବେଗରେ ଆସନ୍ତେ ସର୍ବେ ଗଲେକ ପଳାଇ॥

।୧୪।

 

 

ଘରେ ଦେଖୁଛନ୍ତି ସବୁ ଛିନ୍ନ ଭିନ୍ନ ହୋଇ।

 

ଲବଣୀ ସର ପଡ଼ିଛି ଚିହ୍ନ ଅଛି ରହି॥

।୧୫।

ଏହା ଦେଖି ଗୋପୀମାନେ ବିକଳ ହୋଇଲେ।

 

ସମସ୍ତେ ବସିଣ ତହିଂ ବିଚାର କରିଲେ॥

।୧୬।

 

 

 

 

ଚାଲ ଗୋ ନନ୍ଦରାଣୀଙ୍କି ଜଣାଇବା ଯାଇଂ।

 

କହ୍ନାଇ ସକାଶେ ଗୋପେ ରହିହେବ ନାହିଂ॥

।୧୭।

ଏତେ କହି ଗୋପ ଗୋଈ ବାହାର ହୋଇଲେ।

 

ନନ୍ଦରାଣୀ ପାଶେ ଯାଇ ପ୍ରବେଶ ହୋଇଲେ॥

।୧୮।

 

 

କି କହିବୁ ରାଣୀ ତୁମ୍ଭ ପୁଅଙ୍କର ଗୁଣ।

 

ଯାହା କରି ଆସିଅଛି କି କହିବୁ ପୁଣ॥

।୧୯।

ଲବଣୀ ସର ଗୋଟିକା ଯେତେକ ଖାଇଲା।

 

ଭୂମିରେ ପଡ଼ନ୍ତେ ପାଦ ଘସି ଦେଇଥିଲା॥

।୨୦।

 

 

ଯଶୋଦା ବୋଇଲେ ଘରେ ନ ଥିଲ କି କେହି।

 

ଗୋପୀଏ ବୋଲନ୍ତି କି କରିବୁ ମହାଦେଈ॥

।୨୧।

ଅଟେଇରୁ କେତେବେଳେ ବତ୍ସା ଦେଲା କାଢ଼ି।

 

ବଛା ପଳାଅନ୍ତେ ଦେଇକରି ହମ୍ବା ରଡ଼ି॥

।୨୨।

 

 

ତାଙ୍କ ପଛେ ଆମ୍ଭେମାନେ ବେଗେ ଗଲୁ ଧାଇଂ।

 

ଏଣେ ସର ଲବଣୀକୁ ଖାଇଲା କହ୍ନାଇ॥

।୨୩।

ଆଉ ତାର କେତେ ଗୁଣ ଶୁଣ ନନ୍ଦରାଣୀ।

 

ମାଙ୍କଡ଼ ପଲକୁ କେହ୍ନେ ସଙ୍ଗେ ନେଇ ପୁଣି॥

।୨୪।

 

 

 

 

ସେମାନଙ୍କ ପାଖେ ନେଇ ଦେଲାକ ଅଜାଡ଼ି।

 

ସେମାନେ ଖାଇଣ ପୁଣି ଦିଅନ୍ତି ଫୋପାଡ଼ି॥

।୨୫।

ଏହା ଶୁଣି ନନ୍ଦରାଣୀ ପ୍ରବୋଧୀ କହିଲେ।

 

ଆଜହୁଂ ଆକଟ ତାକୁ କରିବି ବୋଇଲେ॥

।୨୬।

ମାତା ପଛେ ଥାଇ କୃଷ୍ଣ ବାଙ୍କରେ ଚାହିଂଲେ।

 

ତାହା ଦେଖି ଗୋପୀମାନେ ବିକଳ ହୋଇଲେ॥

।୨୭।

ଗୋପୀମାନେ ଯଶୋଦାଙ୍କୁ କହିଲେ ବୋଧିଣ।

 

ମାଡ଼ ନ ମାରିଣ ତାଙ୍କୁ ବୁଝାଇବ ପୁଣ॥

।୨୮।

ଏହା କରି ଗୋପୀମାନେ ଗୃହେ ଚଳିଗଲେ।

 

ଯଶୋଦା କୃଷ୍ଣଙ୍କୁ କିସ ବୁଝାଇଲେ ଭଲେ॥

।୨୯।

ମାଙ୍କଡ଼କୁ କିମ୍ପା କୃଷ୍ଣ ନେଲେକ ସଙ୍ଗରେ ।

 

ଏ କଥା ଗୋଟିକି ଭାଇ କହିବ ସଭାରେ॥

।୩୦।

ପ୍ରଭୁଙ୍କ ଦୟାରୁ ଏହା ପଚାରିଲୁ ଭାଇ।

 

କହଇ ଅଚ୍ୟୁତାନନ୍ଦ ଦେବ ଯେ ଫିଟାଇ॥

।୩୧।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ଯାହା ପଚାରିଲୁ ଏ ତ ସହଜ ନୋହଇଂ॥

।୧।

ସଭାଜନମାନେ ଶୁଣି ନ ହୁଅ ଚଞ୍ଚଳ।

 

ଭଲା ପ୍ରଶ୍ନ କଥା ଗୋଟି କହିଚ ଗୋପାଳ॥

।୨।

ଏ ଯୁଗର କଥା ସେ ତ ନୋହଇଂରେ ଭାଇ।

 

ତ୍ରେତା ଯୁଗ କଥା ଏହା ଶୁଣ ମନ ଦେଇ॥

।୩।

ଯେତେବେଳେ ରାମଚନ୍ଦ୍ର ବସବାସ ଗଲେ।

 

ଲକ୍ଷ୍ମଣ ସୀତୟା ତାଙ୍କ ସଙ୍ଗତରେ ଥିଲେ॥

।୪।

ପଞ୍ଚବଟୀ ବନସ୍ତରେ କୁଡ଼ିଆଏ କରି।

 

ସୂର୍ପଣେଖା ଅଇଲା ଯେ ହୋଇ ଦିବ୍ୟ ନାରୀ॥

।୫।

ସୀତାଙ୍କୁ ଗିଳିବ ବୋଲି କଲା ସେ ବିଚାର।

 

ରାମ ବୋଲନ୍ତି ଲକ୍ଷ୍ମଣ ଆସ ମୋ ପାଶର॥

।୬।

କାହ୍ନୁଂ ଏକ ସ୍ତିରୀ ଆସି କରୁଛି ଜଞ୍ଜାଳ ।

 

କର୍ଣ୍ଣ ନାସିକା ଏହାର ଛେଦନ ଯେ କର॥

।୭।

ରାମ ଆଜ୍ଞାରେ ଲକ୍ଷ୍ମଣ ଅଗ୍ରସର ହେଲେ।

 

ନାସା କର୍ଣ୍ଣ ତାହାର ଯେ ଛେଦି ପକାଇଲେ॥

।୮।

ଜଣାଇଲା ଯାଇ ସେହୁ ରାବଣ ଛାମୁରେ।

 

ଶୁଣିକରି ରାବଣ ଯେ ଅଇଲା ରାଗରେ ॥

।୯।

ମାୟାମୃଗ ପଠାଇଣ ସୀତା ଚୋରି କଲା।

 

ଅଶୋକ ବନରେ ନେଇ ସୀତାଙ୍କୁ ରଖିଲା॥

।୧୦।

 

 

ମୃଗ ମାରି ଆସି ରାମ ସୀତା ନ ପାଇଣ।

 

ଜଟାୟୁଠାରୁ ବୃତ୍ତାନ୍ତ ଶୁଣିଲେ ସେ ପୁଣ॥

।୧୧।

ଜଟାୟୁଠାରୁ ବାରତା ପାଇ ରଘୁନାଥ।

 

ଋଷ୍ୟମୁକେ ହେଲେ ଯାଇ ସୁଗ୍ରୀ ସଙ୍ଗେ ମିତ॥

।୧୨।

 

 

କପିବଳଙ୍କୁ ଘେନିଣ ରାବଣ ବଧିଲେ।

 

ଅଯୋଧ୍ୟାକୁ ଆସି ରାମ ଅଭିଷେକ ହେଲେ॥

।୧୩।

ଯାହାକୁ ଯେମନ୍ତ ବର ଦେଲେ ରଘୁବୀର।

 

କପିମାନଙ୍କର କଥା ପଡ଼ିଲା ମନର॥

।୧୪।

 

 

ସୁଗ୍ରୀବଙ୍କୁ ଡ଼ାକି କହିଲେକ ରଘୁପତି।

 

ତୁମ୍ଭ କପିବଳ ସହ ଯେତେ ସେନାପତି॥

।୧୫।

ସମସ୍ତଙ୍କୁ ଡ଼କାଇଣ ଠୁଳ ଆଣି କର।

 

ହନୁଙ୍କୁ ଆଜ୍ଞା ଦେଲେ କିଷ୍କିନ୍ଧ୍ୟା ନୃପବର॥

।୧୬।

 

 

ହନୁମନ୍ତ ଆଜ୍ଞା ପାଇ ବେଗେ ଚଳିଗଲେ।

 

ସେନାପତିମାନଙ୍କୁ ଯେ ଜଣାଇଣ ଦେଲେ॥

।୧୭।

କୋଟି କୋଟି ସେନାପତି ଅଇଲେ ବେଗରେ ।

 

ପ୍ରବେଶ ହୋଇଲେ ଆସି ସୁଗ୍ରୀବ ପାଶରେ॥

।୧୮।

 

 

 

 

ଏହା ଦେଖି ସୁଗ୍ରୀବ ଯେ ତହୁଂ ଚଳିଗଲେ।

 

ରାମଚନ୍ଦ୍ରଙ୍କ ଛାମୁରେ ସବୁ ଜଣାଇଲେ॥

।୧୯।

ସବୁ ଜାତି ସେନାପତି ଆସିଛନ୍ତି ମିତ।

 

ଆଜ୍ଞା ହେଉ ଏବେ ଆହେ ଅଯୋଧ୍ୟାର ନାଥ॥

।୨୦।

ଶୁଣିକରି ରାମଚନ୍ଦ୍ର ଆନନ୍ଦ ହୋଇଲେ।

 

ସେନାପତିମାନଙ୍କୁ ଯେ ଡ଼ାକିଣ କହିଲେ॥

।୨୧।

ତୁମ୍ଭେମାନେ ସେନାପତି ହୋଇକରି ଥିଲ।

 

ଆମ୍ଭର ହିତରେ ତୁମ୍ଭେ ବହୁ ଯୁଦ୍ଧ କଲ॥

।୨୨।

ଏମନ୍ତେ ଯୁଦ୍ଧରେ ଥାଇ କେତେ କଷ୍ଟ ସହି।

 

ଅସୁର ବଳକୁ ସବୁ ନିପାତିଲ ମହୀ॥

।୨୩।

ଦ୍ୱାପର ଯୁଗରେ ମୁହିଂ କୃଷ୍ଣ ଅବତାର।

 

ତୁମ୍ଭ ସଙ୍ଗେ ଲୀଳାରଙ୍ଗ ହୋଇବ ମୋହର॥

।୨୪।

ସ୍ମରଣ ମାତ୍ରକେ ତୁମ୍ଭେ ମିଳିବ ମୋ ସଙ୍ଗେ।

 

ମଧୁର ଲୀଳା କରିବା କଉତୁକ ରଙ୍ଗେ॥

।୨୫।

ତ୍ରେତୟା ଯୁଗର ଏହ ମାଙ୍କଡ଼ର ବଳ।

 

ଦ୍ୱାପରେ ଉଭା ହୋଇଲେ କଉତୁକେ ଖେଳ॥

।୨୬।

ଶୁଣ ହେ ଗୋପାଳ ଭାଇ ଏହି କଥା ରସ।

 

ଜଗତ ହିତରେ କହେ ଶ୍ରୀ ଅଚ୍ୟୁତ ଦାସ॥

।୨୭।

 

Unknown

ଓଗାଳ – ୫

ଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ଆଉରି କଥାଏ ମନେ ପଡ଼ିଲାକ ଭାଇ॥

।୧।

କାଳିନ୍ଦୀ ହ୍ରଦରୁ କାଳୀୟକୁ ନିସ୍ତାରିଲେ।

 

ଜଳରୁ ବିଷାକ୍ତ ମାନ ହରଣ କରିଲେ॥

।୨।

ସଂଶୟ ଏଥକୁ ଜାତ ହୋଅଇ ମନର।

 

କାଳୀନାଗ କିମ୍ପା ରହିଥିଲା ସେ ହ୍ରଦର॥

।୩।

କ୍ଷଣକ ମାତ୍ରକେ ସେହୁ ଦିଅନ୍ତା ଯେ ଜାଳୀ।

 

କାହା ଭୟ ପାଇ ଲୁଚି ରହିଥିଲା କାଳୀ।।

।୪।

ଏହା କହି ଭାଇ ଶାନ୍ତ କର ମୋର ଚିତ୍ତ।

 

ତୁମ୍ଭଠାରୁ ଶୁଣି ମୁଂ ହୋଇବି କୃତ୍ୟ କୃତ୍ୟ॥

।୫।

କାଳୀନାଗ ଭାଇ ସିନା କୃଥ୍ବୀକି ଧରିଛି।

 

ଏ ପୁଣି ମର୍ତ୍ତ୍ୟରେ ଲୁଚି ସର୍ବଦା ରହିଛି॥

।୬।

ଠିକ୍ କରି କୁହ ମନ ହୋଅଇ ଅଥୟ।

 

ତୁମ୍ଭଠାରୁ ଶୁଣି ମୋର ଯାଉ ଏ ସଂଶୟ॥

।୭।

କହନ୍ତି ଅଚ୍ୟୁତ ଶୁଣ ଆହେ ମୋର ଭାଇ।

 

ସଭାଜନ ଆଗେ ସବୁ ଦିଅ ହେ ବୁଝାଇ॥

।୮।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ଅପୂରୁପ ରସ।

 

ଯାହା ଶୁଣି ସଭାଜନେ ହେବେଟି ସନ୍ତୋଷ॥

।୧।

ଯାହା ପଚାରିଲୁ ତୁହି କାଳୀର ଚରିତ।

 

ମନ ଦେଇ ଶୁଣ ଏବେ ଗୋପାଳର ସୁତ॥

।୨।

ସୈାଭରୀ ନାମରେ ଏକ ଋଷି ସେ ଯେ ଥିଲେ।

 

କାଳିନ୍ଦୀ ହ୍ରଦ ନିକଟେ ତପ କରୁଥିଲେ॥

।୩।

ମତ୍ସ୍ୟମାନେ ଜଳୁଂ ଆସିଣ କରନ୍ତି ଖେଳ।

 

ମୁନିଙ୍କୁ ତାହାଙ୍କର ଯେ ନ ଥାଏଟି ଡ଼ର॥

।୪।

ସୈାଭରୀ ଋଷି ଯେ ତାହାଙ୍କ ଖେଳ ଦେଖିଣ।

 

ଆନନ୍ଦରେ ଆଶ୍ୱାସ କରନ୍ତି ମୁନି ଜାଣ॥

।୫।

ମୁନି ସଙ୍ଗେ ବହୁ ପ୍ରୀତି ମତ୍ସ୍ୟମାନଙ୍କର।

 

ତେଣୁକରି ଆନନ୍ଦରେ କରୁଥାନ୍ତି ଖେଳ॥

।୬।

ଏକଦିନେ ଗରୁଡ଼ ଯେ ଭ୍ରମି ଆସିଥିଲା।

 

ନଦୀକୂଳେ ବସି ବହୁ ଆନନ୍ଦ ହୋଇଲା॥

।୭।

ସେ ସମୟେ ରୋହି ମାଛ ଆସି ଖେଳୁଥିଲା।

 

ଗରୁଡ଼ ତାହାକୁ ନେଇ ଆହାର କରିଲା॥

।୮।

 

 

ସୈାଭରୀ ଋଷି ଦେଖିଣ ରୋଷକୁ ବହିଣ।

 

ବୋଇଲେ କି କଲୁ ଆରେ ହେ ପକ୍ଷୀ ରାଜନ॥

।୯।

ସେମାନେ ମୋହର ପୁଣ ପ୍ରୀତିର ବାନ୍ଧବ।

 

ତାହାକୁ ଭକ୍ଷଣ କଲୁ ଆରେ ପକ୍ଷୀଜୀବ॥

।୧୦।

 

 

ଦିଅନ୍ତି ମୁଂ ଶାପ୍ୟ ହୋଇଯାଆନ୍ତୁ ତୁ ଭସ୍ମ।

 

ଡ଼ରମାଡ଼େ ପୀତବାସଙ୍କର ତୁ ଯେ ଦାସ॥

।୧୧।

ପ୍ରତି ସତକାର ଏବେ ଘେନ ଆରେ ବାବୁ।

 

ଏ କାଳୀ ହ୍ରଦକୁ ଆଉ କେବେ ନ ଆସିବୁ॥

।୧୨।

 

 

ବଳାତ୍କାର ହୋଇ ଯେବେ ଆସିବୁରେ ଉଡ଼ି।

 

ପାଦ ଦିଅନ୍ତେଣ ପ୍ରାଣ ଯିବ ତୋର ଛାଡ଼ି॥

।୧୩।

ତୁମ୍ଭ ଦୁହିଂଙ୍କର ଏଠି ରହିଲାଟି ପଣ।

 

ପଦ୍ମ ତୋଳି ଆସିବେଟି ଜଗତ ଜୀବନ॥

।୧୪।

 

 

ପଦ୍ମ ତୋଳନ୍ତେ ଦଂଶିବ ସେ କାଳୀୟ ନାଗ।

 

ସେହିବେଳେ ଡାକ ତୋତେ ଦେବେ ମହାଭାଗ॥

।୧୫।

ତାଙ୍କ ଡ଼ାକେ ଆସିଣ ତୁ ହୋଇବୁରେ ମୁକ୍ତି।

 

କାଳୀନାଗର ଯେ ଛାଡ଼ିଯିବ ଭୟଭ୍ରାନ୍ତି॥

।୧୬।

 

 

 

 

ଏଥୁ ଅନନ୍ତରେ ଶୁଣ ପୂର୍ବର ଚରିତ।

 

ରମ୍ୟକ ଦ୍ବୀପରେ ଥିଲେ ସର୍ପ ଯେ ସମସ୍ତ॥

।୧୭।

ମାସକରେ ଥରେ ବଳିଭୋଜ ଯେ ଦିଅନ୍ତି।

 

ନାନା ରୂପେ ଗରୁଡ଼କୁ ପୂଜା ସେ କରନ୍ତି॥

।୧୮।

 

 

ମାସକରେ ଯାର ପାଳି ପଡ଼ଇ ରେ ଭାଇ।

 

ବଳିଭୋଜା ଦେଇ ଆନନ୍ଦରେ ଥାନ୍ତି ରହି॥

।୧୯।

ସର୍ପ ସମସ୍ତଙ୍କର ପାଳି ଯହୁଂ ସେ ସରିଲା।

 

କାଳୀନାଗ କଥା ତହୁଂ ମନରେ ପଡ଼ିଲା॥

।୨୦।

 

 

କାଳୀକି କହିଲେ ଯାଇ ସକଳ ଯେ ସର୍ପ।

 

ତୁମ୍ଭରି ପାଳି ପଡ଼ିବ ଆହେ ନୃପ॥

।୨୧।

ଶୁଣି ନାଗରାଜା ସବୁ ଠୁଳ ଯେ କରିଲେ।

 

ବନସ୍ତ ବୃକ୍ଷମୂଳରେ ନେଇଣ ଥୋଇଲେ॥

।୨୨।

 

 

ମନେ ବିଚାରିଲେ ପୁଣି ସେହି କାଳୀନାଗ।

 

ପକ୍ଷୀଜନ୍ତୁ ହୋଇ ଏହା କରୁଅଛି ଭୋଗ॥

।୨୩।

ଆମ୍ଭେ ଏତେ ବଳିଷ୍ଠ ହୋଇଲେ କିସ ହେବ।

 

ଆମ୍ଭ ବଳିଭୋଜା ପୁଣି ଗରୁଡ଼ ଖାଇବ॥

।୨୪।

 

 

 

 

ଏତେ କହି ନିଜେ ସବୁ କରିଦେଲା ଗ୍ରାସ।

 

ଆନନ୍ଦ ହୋଇ ରହିଲେ ସର୍ପଙ୍କର ଈଶ॥

।୨୫।

ପ୍ରଭାତୁଂ ଗରୁଡ଼ ଆସି ଖୋଜଇ ଆହାର।

 

ବଳିଭୋଜା ନ ପାଇଣ ହେଲା କୋପ ଭର॥

।୨୬।

 

 

ବନସ୍ତରେ ପଶି ଚଉଦିଗ ସେ ଚାହିଂଲା।

 

କାଳୀନାଗକୁ ଦେଖିଣ ଧରି ସେ ଆଣିଲା॥

।୨୭।

ଦୁହିଂଙ୍କର ବହୁ ଯୁଦ୍ଧ ହୋଇଲାକ ତହିଂ।

 

କେ କାହାକୁ ନ ଛାଡ଼ନ୍ତି ବଳିଷ୍ଠ ବୋଲାଇ॥

।୨୮।

 

 

କାଳୀ ଉଠି ଚାପୋଡ଼େକ ମାଇଲା ଯେ ରୋଷେ।

 

କାଳୀର ଚାପୋଡ଼ା ଖାଇ ଗରୁଡ଼ ଯେ ହସେ॥

।୨୯।

ବିନତା ସୁତ ଉଠିଣ ମାଡ଼ିଣ ବସିଲା।

 

ବେନି କରେ ଦେହ ତାର ଚିରିଣ ସେ ଦେଲା॥

।୩୦।

 

 

ରକତ ଯେ ଝର ଝର ପଡ଼ିଲାକ ବହି।

 

ଏହା ଦେଖି ନାଗରାଜା ଭୟକୁ ଯେ ପାଇ॥

।୩୧।

ଏଣେତେଣେ ଚାହିଂ ବହୁ କାତର ହୋଇଲା।

 

ଗରୁଡ଼ଙ୍କ ପୂର୍ବ କଥା ମନେ ବିଚାରିଲା॥

।୩୨।

 

 

 

 

ଏହା ଭାବି ପଳାଇଲା ଜନ୍ତୁଙ୍କ ରାଜନ।

 

କାଳିନ୍ଦୀ ହ୍ରଦରେ ଯାଇ ରଖିଲା ପରାଣ॥

।୩୩।

ଶାପ ଯୋଗୁଂ ବାହୁଡ଼ିଲା ସେ ପକ୍ଷୀରାଜନ।

 

ସେହିଦିନଠାରୁ କାଳୀ ଥିଲା ଏହି ସ୍ଥାନ॥

।୩୪।

 

 

ଯାହା ପଚାରିଲୁ ତାହା ଶୁଣିଲୁରେ ଭାଇ।

 

ଦୋଷାଦୋଷ ଥିଲେ କ୍ଷମା କରିବୁଟି ତୁହି॥

।୩୫।

କହନ୍ତି ଅଚ୍ୟୁତାନନ୍ଦ ଏ ଗହନ କଥା।

 

ଗୁରୁସେବା କରିଥିଲେ ପିନ୍ଧିବୁ ତୁ ଯଥା॥

।୩୬।

 

ଓଗାଳ – ୬

ଶୁଣ ଶୁଣ ଆହେ ଗୋପାଳ ଅତି ଅପୂର୍ବ ରସ।

 

ରାଧାକୃଷ୍ଣଙ୍କର ଚରିତ ଶୁଣି ହେବ ସନ୍ତୋଷ॥

।୧।

ବସୁଦେବ କୃଷ୍ଣ ରୂପକୁ ଦେଖି ଅତି ଆନନ୍ଦ।

 

ଅମାବାସ୍ୟାରେ କି ଉଇଂଲା ଦିବ୍ୟ ପୂର୍ଣ୍ଣମୀ ଚାନ୍ଦ॥

।୨।

ଦେବକୀ ବୋଲନ୍ତି ଶୁଣନ୍ତୁ ଆହେ ପ୍ରାଣ ଈଶ୍ୱର।

 

ଜଗତ କରତା ଅଟନ୍ତି ପରା ମୋର କୁମର॥

।୩।

ସାନ୍ଦୀପନି ପାଶେ ପଢିଲେ ପରା ମୋ ବେନି ସୁତ।

 

ଦକ୍ଷିଣା ନିମନ୍ତେ ଅଣାଇ ଦେଲେ ତା ଷଡ଼ ପୁତ୍ର॥

।୪।

ଅଲୋକିତ କଥା ଜାଣଇଂ ମୋର ଦୁଃଖୀର ଧନ।

 

ମନକଥା ମୋର ଶୁଣନ୍ତୁ ଆହେ ଜୀବଜୀବନ॥

।୫।

ମୋର ଷଡ଼ପୁତ୍ର ପାଇଂକି ନିତି କରଇ ଚିନ୍ତା।

 

ସାୟନ୍ତନୁ ଷଡ଼ପୁତ୍ରଙ୍କୁ ଦେଲେ ବିଶ୍ୱକରତା॥

।୬।

ମୋର ଷଡ଼ପୁତ୍ର ମଲେଣି ହେଲା ବହୁତ କାଳ।

 

ସତେକି ମୋ ପୁତ୍ରମାନଙ୍କୁ ଆଣିଦେବ ମୋ ବାଳ॥

।୭।

ଶୁଣିକରି ବସୁଦେବ ଯେ ମନେ ବିଚାର କଲେ।

 

ସତେ ପୁତ୍ରମୁଖ ଦେଖିବା ଚିନ୍ତି ଆନନ୍ଦ ହେଲେ॥

।୮।

 

 

ଯାହା ପଚାରୁଛି ଭାଇ ହେ ସବୁ ମନେ ରଖିବ।

 

ବସୁଦେବ ଷଡ଼ପୁତ୍ରକୁ ତାଙ୍କୁ ଅଣାଇ ଦେବ॥

।୯।

ଏହିଠାରେ ପଦ ରହିଲା ଆହେ ଗୋପାଳ ଭାଇ।

 

ସବୁକଥା ମୋତେ ବୁଝାଇ ଏବେ କହିବୁ ତୁହି॥

।୧୦।

 

 

ନିଷ୍କାମ ଭକ୍ତି ଯେ କରଇ ତାଙ୍କ ଧନ୍ୟ ଜୀବନ।

 

ଅଚ୍ୟୁତ ଦାସ ଯେ କରଇ ଶୂନ୍ୟବ୍ରହ୍ମଙ୍କୁ ଧ୍ୟାନ॥

।୧୧।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ଅପୂର୍ବ ରହସ୍ୟ।

 

ଯାହା ଶୁଣି ସଭାଜନେ ହୋଇବେ ସନ୍ତୋଷ॥

।୧।

ଯାହା ପୁଛା କଲ ଏବେ ମନଦେଇ ଶୁଣ।

 

ଦ୍ୱାପର ଯୁଗର କଥା ଅଟଇ ପ୍ରମାଣ॥

।୨।

 

 

ଦେବକୀଠାରୁ ବୃତ୍ତାନ୍ତ ଶୁଣି ବସୁଦେବ।

 

ପ୍ରବେଶ ହୋଇଲେ ଯହିଂ ଅଛନ୍ତି ମାଧବ॥

।୩।

ପୁତ୍ରମୁଖ ଚାହିଂ କହେ ବସୁଦେବ ଗିର।

 

ମାତା କହିବା କଥାକୁ ଶୁଣରେ କୁମର॥

।୪।

 

 

 

 

ଷଡ଼ପୁତ୍ର ଆଣିବାକୁ କହିଛନ୍ତି ତୋତେ।

 

ବହୁତ ବୁଝାଇ ଏବେ ପଠାଇଲେ ମୋତେ॥

।୫।

ପୁତ୍ରଙ୍କୁ ନପାଇକରି ହୋଅନ୍ତି ବିକଳ।

 

କେମନ୍ତେ ପୁତ୍ରମାନଙ୍କୁ ଆଣ ଆରେ ବାଳ॥

।୬।

 

 

ପିତାଠାରୁ ଶୁଣି କୃଷ୍ଣ ଆନନ୍ଦେ ଚଳିଲେ।

 

ପାତାଳପୁରେ ଯାଇଣ ପ୍ରବେଶ ହୋଇଲେ॥

।୭।

ଶବ୍ଦ ଶୁଣି ବାହାରିଲେ ବଳୀ ନୃପବର।

 

ବନ୍ଦାପନା କଲେ ତହୁଂ କୃଷ୍ଣଙ୍କ ପୟର॥

।୮।

 

 

ପାତାଳରେ ଆନନ୍ଦ ହୋଇଲା କୋଳାହଳ।

 

ଶ୍ରୀକୃଷ୍ଣ ବିଜୟ ଦେଖି ସମସ୍ତେ ବିଭୋଳ॥

।୯।

ଉଆସ ରାତିରେ କିବା ପୂର୍ଣ୍ଣମୀର ଚାନ୍ଦ।

 

ସେହିପରି ଦେଖୁଛନ୍ତି ପାତାଳେ ଗୋବିନ୍ଦ॥

।୧୦।

 

 

ବଳିରାଜା ଆଣି ଷଡ଼ପୁତ୍ର ଉଭା କଲେ।

 

ଦେଖିଣ ଶ୍ରୀକୃଷ୍ଣଚନ୍ଦ୍ର ସନ୍ତୋଷ ହୋଇଲେ॥

।୧୧।

ଅଗ୍ରଜ ମାନଙ୍କୁ ଧରି ଦ୍ୱାରିକା ବାହୁଡ଼ି।

 

ମାତାଙ୍କ ଅଗ୍ରତେ ଆଣି ତାଙ୍କୁ ଦେଲେ ଛାଡ଼ି॥

।୧୨।

 

 

 

 

ଜଗତ ଜନର ବନ୍ଧୁ ପ୍ରଭୁ କୃପାସିନ୍ଧୁ ।

 

ନିମିଷ ମାତ୍ରକେ କରେ ପୂର୍ଣ୍ଣିମାର ଇନ୍ଦୁ॥

।୧୩।

ତାଙ୍କରି କୃପାରୁ ଏହା କହିଲି ରେ ଭାଇ।

 

ବାଟ ଛାଡ଼ିଦିଅ ମୁହିଂ ଯିବିରେ ପଳାଇ॥

।୧୪।

 

ଓଗାଳ – ୭

ଶୁଣ ଶୁଣ ହେ ଗୋପାଳ ଭାଇ ପଚାରୁଛି ଯାହା।

 

ମନରେ ଆସୁଛି କଥାଏ କହିଦେବ ଯେ ତାହା॥

।୧।

ଦୋଳ ପୁନେଇଂ ଯେ ଗୋପାଳ କୁଳେ ବଡ଼ ପରବ।

 

ସଭାଜନ ପୂରିଅଛନ୍ତି ଆସିଛନ୍ତି ସରବ॥

।୨।

 

 

ଜାଣିଥିଲେ ସିନା କହିବ ଲଉଡ଼ି ହେବ ସାକ୍ଷୀ।

 

ନ କହିପାରିଲେ ଭାଇ ହୋ ଯିବ ମୁଣ୍ଡ ନ ଟେକି॥

।୩।

ମୁକ୍ତା ଲତା କିସ ଅଟଇ କାହିଂ କେହ୍ନେ ଫଳଇ।

 

କିଂପାଇଂ ରାଧିକା ସୁନ୍ଦରୀ ସଖୀ ଗଲେ ଚୋରାଇ॥

।୪।

 

 

ଶ୍ରୀକୃଷ୍ଣ ଯେ ମୁକୁତା ଫଳ ରାଧିକାଙ୍କୁ ମାଗିଲେ।

 

ଧିଟ କପଟିଆ କହିଣ ରାଧା ଭର୍ତ୍ସନା କଲେ॥

।୫।

ସଖା ସହ ମିଳି କହ୍ନାଇ ନାନା ଗଂଜଣା ଦେଲେ।

 

ରାଧା ଅପମାନ ବୋଲିଣ କିଂପା ଭାବନା କଲେ॥

।୬।

 

 

ମୁକ୍ତା ଚୋରି ହେବା ବୃତ୍ତାନ୍ତ ଶୁଦ୍ଧ ଗୋପାଳ ଜାଣେ।

 

ଜାଣିଥିଲେ କହିଦେବଟି ଗୀତେ ଅଚ୍ୟୁତ ଭଣେ॥

।୭।

ଉତ୍ତାର

ଶୁଣ ଶୁଣ ମନଦେଇ କହୁଅଛଇ ହେ ଭାଇ।

 

ରାଧାକୃଷ୍ଣଙ୍କର ଚରିତ ଏ ଅମୃତ ଅଟଇ॥

।୧।

ମୁକ୍ତା ଲତା ଚୋରି ଯେପରି ହେଲା ଶ୍ରବଣେ ଶୁଣ।

 

ଯାହା ଜାଣେ ତାହା କହୁଛି ଦୋଷ ନ ଧର ପୁଣ॥

।୨।

 

 

ଗୋଗୋଷ୍ଠରୁ ନନ୍ଦ ନନ୍ଦନ ସଖାଙ୍କର ସହିତେ।

 

ଗୋବତ୍ସାମାନଙ୍କୁ ମୁକ୍ତାରେ ମଣ୍ଡି ଆଣନ୍ତି ସାଥେ॥

।୩।

ଯାବଟରେ ରାଧା ସଖୀଙ୍କି ବହୁ ଲଜ୍ଜିତ କରି।

 

ଗୃହକୁ ଫେରିଲେ ଶ୍ରୀହରି ସଖାଙ୍କୁ ସଙ୍ଗେ ଧରି॥

।୪।

 

 

ଏହି ଅପମାନେ ରାଧିକା ବସିଲେ ମଥାପୋତି।

 

ନୟନରୁ ନୀର ଗଡ଼ାଇ କାନ୍ଦୁ୍ଅଛନ୍ତି ସତୀ॥

।୫।

କି ବୁଦ୍ଧି କରିବି ସଜନୀ ବୁଦ୍ଧି ନ ଦିଶେ ମୋତେ।

 

କେତେ ଅପମାନ ଦିଏ ସେ ସଖାଙ୍କର ସଙ୍ଗତେ॥

।୬।

 

 

ସେ ଧିଟ କପଟ କାଳିଆ ଦାଉ ସାଧୁ ଅଛଇ।

 

ହାଟରେ ବାଟରେ ଲଜ୍ଜାରେ ମୁଣ୍ଡ ନ ଟେକେ ମୁହିଂ॥

।୭।

ଏହା ଶୁଣି ଅଷ୍ଟ ସଖୀଏ ବୁଝାଇଣ କହନ୍ତି।

 

ଏହି କଥା ଛାର ପାଇଂକି କାନ୍ଦୁ ଆଗୋ ସୁଦନ୍ତୀ॥

।୮।

 

 

ଲଳିତା ଥାଇଣ ବୋଇଲେ ଶୁଣ ଶୁଣ ସଜନୀ।

 

କାଲି ପ୍ରାତୁଂ ଯାଇ ମୁକୁତା ବନ ଦହିବା ପୁଣି॥

।୯।

ବିଶାଖା ସଜନୀ ବୋଲନ୍ତି ଯମୁନା ଯିବା ଛଳେ।

 

ଯେତେ ଅପମାନ ଦେଇଛି ସାଧିବା ଗୋ ସକଳେ॥

।୧୦।

 

 

ଆରେକ ସଖୀଏ ବୋଲଇ ଦମ୍ଭ ଦେବା ଗୋ ସାରି।

 

ଧିଟ ନନ୍ଦପୁଅ ସକାଶେ ଧନୀ ନ ହୁଅ ଭାଳି॥

।୧୧।

ସୁଚିତ୍ରା ସଜନୀ କହନ୍ତି ମୁକ୍ତା ଡ଼ାଳ ପତର।

 

ଛିଣ୍ଡାଇ ଓପାଡ଼ି ପକାଇ ଦେବା ଯମୁନା ନୀର॥

।୧୨।

 

 

ଏହିପରି ଅଷ୍ଟସଖୀଏ ଯେଝା ପୁରେ ଚଳନ୍ତି॥

 

ଏଣେ ସାୟଂକାଳ ପ୍ରବେଶ ହେଲା ଆସି ସଧୀରେ।

 

ଶ୍ରୀକୃଷ୍ଣ ସଖାଙ୍କୁ ଡ଼ାକିଣ ବସି ଭାଳନ୍ତି ଧୀରେ॥

।୧୩।

ଶୁଣ ହେ ସୁବଳ ସୁଦାମ ଅନୁଦାମ ଶ୍ରୀଦାମ।

 

ମଧୁମଙ୍ଗଳକୁ କହନ୍ତି ହସି ଜଗମୋହନ॥

।୧୪।

 

 

ଆଜ ଯେଉଂ ଅପମାନ ହେ ତୁମ୍ଭେ ଦେଲ ଯେ ସଖା।

 

ନିଶ୍ଚେ ଆମ୍ଭ ମୁକୁତା ଲତା ଓପାଡ଼ିବେ ରାଧିକା॥

।୧୫।

ଏଣୁକରି ମୁହିଂ କହୁଛି ତୁମ୍ଭେମାନେ ସକଳେ।

 

ନିଶ୍ଚୟ ଜଗିଣ ରହିବ ମୁକ୍ତା ବୃଛକୁ ଭଲେ॥

।୧୬।

 

 

ସୁବଳ ସୁଦାମ ତୁମ୍ଭେଟି ଜଗି ସେଠାରେ ଥିବ।

 

ମୁକ୍ତା ଲତାକୁ ଯେପରି କେହି ନ ଛଣ୍ଡାଇବ॥

।୧୭।

ଯେବେ ଚୋର ଧରା ପଡ଼ିବ ତାକୁ ଛାଡ଼ି ନ ଦେବ।

 

ମୁହିଂ ଯିବା ଯାଏ ତାହାକୁ ଧରି ବାନ୍ଧି ରଖିବ॥

।୧୮।

 

 

ଏହା କହି ସଖୀମାନଙ୍କୁ ନନ୍ଦକୁମାର ତହିଂ।

 

ଶୟନ ମନ୍ଦିରେ ଚଳିଲେ ଆନନ୍ଦ ମନ ହୋଇ॥

।୧୯।

ସଖାମାନେ ସର୍ବେ ଚଳିଲେ ନିଜ ନିଜ ମନ୍ଦିରେ।

 

ରାତ୍ର ପାହିଲେ ପ୍ରାତେ ଯିବେ ବନକୁ ଆନନ୍ଦରେ॥

।୨୦।

 

 

ପ୍ରଭାତ ହୁଅନ୍ତେ ଲଳିତା ବୃନ୍ଦା ବିଶାଖା ପୁଣି।

 

ଚିତ୍ରରେଖା ଇନ୍ଦୁରେଖା ଯେ ଶ୍ରୀମତୀକୁ ସେ ଘେନି॥

।୨୧।

ବାହାର ହୋଇଲେ ଯମୁନା ସ୍ନାନ କରିବା ଛଳେ।

 

କାଖେ କୁମ୍ଭ ଘେନି ପ୍ରବେଶ ହେଲେ ଯମୁନା ଜଳେ॥

।୨୨।

 

 

ଯମୁନା ଘାଟରେ କଳସୀ ମାନ ଥୋଇଣ ଗୋଈ।

 

ମୁକ୍ତା ତୋଳିବାକୁ ଚାଳନ୍ତି ଅତି ସରାଗ ହୋଇ॥

।୨୩।

ମୁକ୍ତା ଲତା ଥିବା ବନରେ ସର୍ବେ ପ୍ରବେଶ ହେଲେ।

 

ଚାରି ଦିଗକୁ ଚାହିଂ ସେ କାହାରିକୁ ନ ଦେଖିଲେ॥

।୨୪।

 

 

କେହୁ ଯେ ଲତା ଉପାଡ଼ିଲା କେହୁ ମୁକ୍ତା ତୋଳଇ।

 

କେହୁ ବା କାହାକୁ କହିଲା ଦେଖ ଦେଖ ଗୋ ସହୀ॥

।୨୫।

କେତେ ନାଟ ଜାଣେ ନାଟୁଆ ସେ ତ ନବନାଗର।

 

କଥା ପଦକରେ କରଇ କାହ୍ନୁ କେଡ଼େ ହୁନ୍ଦର॥

।୨୬।

 

 

ଏହିପରି କୁହାକୁହି ସେ ହୋଇ ବ୍ରଜନାଗରୀ।

 

ମୁକ୍ତା ଛିଣ୍ଡାଇଣ ଆଣନ୍ତି ହୃଦେ ନ ଡ଼ରି ଗୋରୀ॥

।୨୭।

ଏହି ସମୟରେ ସଖାଏ ଚାରିଦିଗୁଂ ଅଇଲେ।

 

ଚୋର ଚୋର ବୋଲି କୁହାଟ ଉଚ୍ଚସ୍ୱରେ ପାଡ଼ିଲେ॥

।୨୮।

 

 

ଲଳିତା ବିଶାଖା ଦୁହିଂଙ୍କୁ ମଧୁମଙ୍ଗଳ ଧରି।

 

ଚିତ୍ରରେଖା ଇନ୍ଦୁରେଖାକୁ ସୁଦାମ ବନ୍ଦୀ କରି॥

।୨୯।

ସର୍ବ ସଖୀଙ୍କୁ ଯେ ସଖାଏ ମିଳି ବନ୍ଧନ କଲେ।

 

ରାଧାଙ୍କ ହସ୍ତଙ୍କୁ ସୁବଳ ଧରି କ୍ରୋଧେ ଭାଷିଲେ॥

।୩୦।

 

 

ଗୋଟିଏ ମୁକୁତା ନ ଦେଇ କଟୁବଚନ କହି।

 

ଫେରାଇଣ ଦେଲୁ ମୋତେ ଗୋ କେତେ ଝିଙ୍ଗାସ ଦେଇ॥

।୩୧।

ମଧୁମଙ୍ଗଳ ଯେ ଥାଇଣ ବୋଲେ ସୁବଳ ଶୁଣ।

 

ଚାଲ ସଖାଙ୍କୁ ଯେ ଡ଼ାକିବା ଶାସ୍ତି ଦେବେ ସେ ପୁଣ॥

।୩୨।

 

 

 

 

ଲଳିତା ବିଶାଖା ବୋଲନ୍ତି ଛାଡ଼ିଦିଅ ଆମ୍ଭଙ୍କୁ।

 

ବିଳମ୍ବ ହୋଇଲେ କୁଟିଳା ଗଞ୍ଜିବେଟି ରାଧାଙ୍କୁ॥

।୩୩।

ଏହା ଶୁଣି ମଧୁମଙ୍ଗଳ ବୋଲେ ଶୁଣ ଗୋ ଗୋଈ।

 

ଏହିପରି ନିତି କର ଗୋ ପରଘର ବୁଡ଼େଈ॥

।୩୪।

 

 

ଏତ ଦିନେ ଧରାପଡ଼ିଛ ଛାଡ଼ି ନ ଦେବୁ କେଭେଂ।

 

ଆସୁଛନ୍ତି ଆମ ସଖା ଗୋ ଦଣ୍ଡେ ରହିଥା ତୁମ୍ଭେ॥

।୩୫।

ଏହା କହି ତାଳି ମାରିଣ ନାଚେ ମଧୁମଙ୍ଗଳ।

 

ଧାଇଂ ଆସ ପ୍ରାଣସଖା ହେ ଧରାପଡ଼ିଛି ଚୋର॥

।୩୬।

 

 

ଏହି ସମୟରେ ଶ୍ରୀକୃଷ୍ଣ ଆସନ୍ତି ଢଳି ଢଳି।

 

କାମିନୀଙ୍କ ଦର୍ପ ଗଞ୍ଜନ ମୁଖେ ବାଇ ମୁରଳୀ॥

।୩୭।

ସଖୀ ସହ ରାଧା ବନ୍ଧନ ହୋଇ ବସିଛନ୍ତି।

 

ଦେଖିଣ ଶ୍ରୀକୃଷ୍ଣ ଲଳିତା ସଖୀଙ୍କୁ ଯେ ପୁଚ୍ଛନ୍ତି॥

।୩୮।

 

 

ତୁମ୍ଭେମାନେ କାହିଂପାଇଂକି ଏଠାରେ ଅଛ ବସି।

 

କିଏ ସେ ବନ୍ଧନ କରିଛି କାହ୍ନୁ କହନ୍ତି ହସି॥

।୩୯।

ଲଳିତା ବିଶାଖା କହନ୍ତି ତୁମେ ନଟନାଗର।

 

ଲଗାଇଣ ନାଟ ଦେଖୁଛ ଜାଣ କେତେ ହୁନ୍ଦର॥

।୪୦।

 

 

 

 

ଶ୍ରୀରାଧା ମୁଖକୁ ପୋତିଣ ବସି ନାୟନୁଂ ନୀର।

 

ଝର ଝର ହୋଇ ବହିଣ ପଡ଼େ ଧରଣୀ ତଳ॥

।୪୧।

ସଖୀମାନଙ୍କର ବନ୍ଧନ ଫିଟାଇଣ କହ୍ନାଇ।

 

ବୋଲନ୍ତି ନୟନେ ସମସ୍ତେ ମୁକ୍ତା ଦେଖିଲ ସହୀ॥

।୪୨।

 

 

ଗୋଟିଏ ମୁକୁତା ପାଇଂକି କେତେ ଝିଙ୍ଗାସ କରି।

 

ଆମ୍ଭଠାରୁ ସସ୍ର ମୁକୁତା ଏବେ ନିଅଗୋ ଗୋରୀ॥

।୪୩।

ସଖାମାନେ ଥାଇ ବୋଲନ୍ତି ଏମାନେ ଆମ ମୁକ୍ତା।

 

ଚୋରି କରି ନେଉଥିଲେ ହେ ବନ୍ଧନ କଲୁ ସଖା॥

।୪୪।

 

 

ସଖାମାନଙ୍କୁ ଯେ ଶୁଣାଇ କହନ୍ତି ବନମାଳୀ।

 

ଆମ୍ଭ ମୁକ୍ତା ଲତା ଦେଖିବା ପାଇଂ ଆସିଲେ ବାଳୀ॥

।୪୫।

ସଖୀମାନେ ମିଳି ଭାଷନ୍ତି ଶୁଣ ରାଧାମୋହନ।

 

ବିଳମ୍ବ ନ କରି ମେଲାଣି ଦିଅ ଯିବୁ ବହନ॥

।୪୬।

 

 

ରାଧାଙ୍କୁ ଚାହିଂଣ ବୋଲନ୍ତି ପ୍ରଭୁ ଯଦୁନନ୍ଦନ।

 

ମୁକ୍ତା ନ ଦେଇଣ ଆହୁରି ରୋଷ କରୁଛ ପୁଣ॥

।୪୭।

ଶ୍ରୀ ରାଧା ମୂଖକୁ ପୋତିଣ ରୋଷେ ବୋଲନ୍ତି ବାଣୀ।

 

ତୁମ୍ଭ ଲାଗି ଅପବାଦ ଯେ କେତେ ଶୁଣନ୍ତି ପୁଣି॥

।୪୮।

 

 

 

 

ତୁମ୍ଭ ଯୋଗୁଂ ଏତେ ଲଜ୍ୟା ତ ପାଇଲି ଚକ୍ରପାଣି।

 

ଆଉ ଏ ଜୀବନ ରଖିବି ନାହିଂ ହେ ଚିନ୍ତାମଣି॥

।୪୯।

ଏହା କହି ଧନୀ କ୍ରନ୍ଦନ କଲେ ବଦନ ପୋତି।

 

ଶ୍ରୀକୃଷ୍ଣ ଯାଇଣ ଆନନ୍ଦେ କୋଳ କଲେ ଝଟତି॥

।୫୦।

ସବୁକଥା ଛାଡ଼ ମନରୁ ଆଗୋ ଚନ୍ଦ୍ରବଦନୀ।

 

ତୁମ୍ଭର ଏ ଶୋକ ଦେଖିଣ ଫାଟିଯାଏ ଧରଣୀ॥

।୫୧।

ଯାଅ ବେଗହୋଇ ଏବେ ଗୋ ଛାଡ଼ ମନରୁ ରୋଷ।

 

ତୁମ୍ଭଙ୍କୁ ଲଭିବା ପାଇଂକି କଲି ଏହି ଭବିଷ୍ୟ॥

।୫୨।

ଆଜ ରଜନୀରେ ଧବଳୀ କୁଞ୍ଜକୁ ଆସି ଧନୀ।

 

ଏ ଜୀବନ ରଖ ସଜନୀ ମୋର ନେତ୍ରର ମଣି॥

।୫୩।

ମେଲାଣି ଦେଇଣ ଶ୍ରୀକୃଷ୍ଣ ଗୋଗୋଷ୍ଠକୁ ଚଳିଲେ॥

 

ସଖାଏ ମିଳିଣ ଆନନ୍ଦେ ତାଳିମାରି ନାଚିଲେ।।

।୫୪।

ସଖୀଙ୍କ ସଙ୍ଗତେ ଶ୍ରୀରାଧା ଏଣେ କଲେ ଗମନ।

 

ଯାହା ପଚାରିଲ ମୁକୁତା ଚୋରିର ଏ ବିଧାନ॥

।୫୫।

କହିଲି ବୁଝାଇ ଶୁଣିଲ ସର୍ବ ଗୋପାଳ ସୁତ।

 

ହେଲା ନ ହେଲାର ଦୋଷକୁ କ୍ଷମା କର ତୁରିତ॥

।୫୬।

ମୁକ୍ତଲତା ମୁକ୍ତା ଚୋରି ମୁଂ କହିଲିଟି ବୁଝାଇ।

 

ଭାବି ଚିନ୍ତି କହେ ଅଚ୍ୟୁତ ପ୍ରଭୁ ପାଦକୁ ଧ୍ୟାୟୀ॥

।୫୭।

 

ଓଗାଳ–୮

ନବଗୁଞ୍ଜର ବେଶ

ଶୁଣ ହେ ଗୋପାଳ ଭାଇ ପଚାରୁଛି ମୁହିଂ।

 

ଯାହା ପଚାରୁଛି ମୋତେ ଦେବ ତା ବୁଝାଇ॥

।୧।

ମୁକ୍ତା ବନସ୍ତରୁ ଶ୍ରୀରାଧା ବିରସ ହୋଇ।

 

ସଖୀଙ୍କ ସଙ୍ଗରେ ଗୃହେ ପ୍ରବେଶିଲେ ଯାଇ॥

।୨।

 

 

ଅତି ମାନରେ ଯେ ରାଈ କାନ୍ଦି କାନ୍ଦି କହି।

 

କି କରିବି କହ ମୋତେ ଆଗୋ ପ୍ରାଣସହୀ॥

।୩।

ବେଳୁଂ ବେଳ ଲଜ୍ୟା ସଖୀ ଦିଏ କାହ୍ନା ମୋତେ।

 

କହିଛି ଧବଳୀ କୁଞ୍ଜେ ଭେଟିବୁ ଗୁପତେ॥

।୪।

 

 

ନ ଯିବି ସଜନୀ ଆଉ ସେ ନିକୁଞ୍ଜ ପଥେ।

 

କି ଭାବ ରଖିବି ସଖୀ ତାହାଙ୍କ ସଙ୍ଗତେ॥

।୫।

କରିବ ହୀନିମାନ ଯେ ଦାଉ ସାଧି ପୁଣି।

 

କହିବ ବନ୍ଧୁଙ୍କୁ ମୋର ଏତିକି ଦଇନି॥

।୬।

 

 

ଏହା ଶୁଣି ସଖୀମାନେ ବୋଲନ୍ତି ଉତ୍ତର।

 

ଏହି କଥା ପାଇଂ ସଖୀ ନୁହଂ ଗୋ ଅସ୍ଥିର ॥

।୭।

ଆମ୍ଭେମାନେ ମିଳିକରି କରିବା କୈାଶଳ।

 

ଅପମାନ ଦେବା ତାଙ୍କୁ ହୋଇବଟି ଭଲ॥

।୮।

ମନର ମାନକୁ ତେଜି ବେଶ ହୁଅ ଆଜି।

 

ପ୍ରବେଶିବା ଯାଇଂ କୁଞ୍ଜେ ସବୁ ଦୁଃଖ ତେଜି॥

।୯।

ଏହା ଶୁଣି ଶ୍ରୀରାଧା ଯେ ହର୍ଷ ଚିତ୍ତ ହୋଇ।

 

ମନର ଆକୁଳ ତେଜି ସଙ୍ଗେ ସର୍ବ ଗୋଈ॥

।୧୦।

ବେଶଘରେ ଯାଇ ପ୍ରବେଶିଲେ ସେ ତୁରିତ।

 

ସଖୀମାନେ ମିଶିଣ ଯେ ସଜାଇ ସମସ୍ତ॥

।୧୧।

ଧୀରେ ଧୀରେ ପ୍ରବେଶିଲେ ଯାଇ କୁଞ୍ଜଦ୍ୱାରେ।

 

ଲଳିତା ବୋଲନ୍ତି ଶୁଣ ସଖୀଏ ସଧୀରେ॥

।୧୨।

କୈାଶଳ ଗୋଟିଏ ମୁଂ କରିଛି ମନେ ସ୍ଥିର।

 

ହସ୍ତୀ ହୋଇକରି ସଖୀ ରହିବ ଏଠାର॥

।୧୩।

କୁଞ୍ଜ ଉହାଡ଼ରେ ରହି ସାଧିବା ଯେ ଦାଉ।

 

ଯେପରି କହ୍ନାଇ ଚିହ୍ନି ନ ପାରିବ ଆଉ॥

।୧୪।

ଅଷ୍ଟସଖୀ ମିଳିଣ ଶ୍ରୀରାଧା କର ଧରି।

 

ନବଗୁଞ୍ଜର ବେଶକୁ ସଜାଇଲେ ଗୋରୀ॥

।୧୫।

ଏବେ ପଚାରୁଛି ଭାଇ କହିଦେବୁ ମୋତେ।

 

କହି ନ ପାରିଲେ ଛାଡ଼ିଦେବି ନାହିଂ ତୋତେ॥

।୧୬।

 

 

ଅଷ୍ଟସଖୀ ରାଧା ମିଳି ହସ୍ତୀଏ ସାଜିଲେ।

 

କିଏ କେଉଂ ଅଙ୍ଗ ହେଲେ କହିବୁ ତା ଭଲେ॥

।୧୭।

କହିଦେଲେ ଭାଇ ତୋତେ ଛାଡ଼ିଦେବି ମୁହିଂ।

 

ନ କହିପାରିଲେ କେଭେଂ ଛଡ଼ିଦେବି ନାହିଂ॥

।୧୮।

 

 

କେଉଂପରି ରାଧା କୃଷ୍ଣ ହୋଇଲେକ ଭେଟ।

 

କହିଣ ମନରୁ ମୋର ଫିଟାଅ ସଙ୍କଟ॥

।୧୯।

ହସ୍ତୀ ହୋଇ କୁଞ୍ଜେ ସେ ରହିଲେକ ଯାଇ।

 

ରାଧାକୃଷ୍ଣ ମିଳନ ତୁ କରିବୁ ରେ ଭାଇ॥

।୨୦।

 

 

ମିଳନ ଦେଖି ମୁଂ ଯିବି ନିଶ୍ଚିନ୍ତ ଯେ ହୋଇ।

 

ପ୍ରଭୁଙ୍କ ଦର୍ଶନ ପାଇଂ ରହିଅଛି ଚାହିଂ॥

।୨୧।

ଉତ୍ତାର

ଶୁଣ ଶୁଣ ତୁମ୍ଭେ ହେ ଗୋପାଳ ଭାଇ ଦେଇଣ ଶ୍ରୁତିପଥକୁ।

 

ଯାହା ପଚାରିଲ ଅପୂର୍ବ ଏ ଅଟେ ନବଗୁଞ୍ଜର କଥାକୁ॥

।୧।

ଅଷ୍ଟସଖୀଙ୍କର ସହ ମିଳିମିଶି ଗୋପୀ ରାଧିକା ସୁନ୍ଦରୀ।

 

ଗୋପ ନଗ୍ର ଚନ୍ଦ୍ର ଶ୍ରୀକୃଷ୍ଣଚନ୍ଦ୍ରଙ୍କ ମୁକ୍ତା ଫଳ କଲେ ଚୋରି॥

।୨।

 

 

 

 

ମୁକ୍ତାକୁ ରୋପିଣ ଫଳ ଫଳାଇଣ ଗୋବତ୍ସା ମଣ୍ଡନ କରି।

 

ଗୋପଦାଣ୍ଡରେ ଯିବାବେଳେ ଶ୍ରୀହରି ରାଧାକୁ ଧିକାକାର କରି॥

।୩।

ସେହି ଅପମାନେ ସଖୀଙ୍କ ସଙ୍ଗରେ ରାଈ ମୁକ୍ତା ତୋଳି ଗଲେ।

 

ସୁବଳ ବାନ୍ଧିଲା ସୁଦାମ ବାନ୍ଧିଲା କୃଷ୍ଣ ପୁଣି ମୁକ୍ତି କଲେ॥

।୪।

 

 

ରାଧା ଗର୍ବ ଗଞ୍ଜି ରାଧା ପ୍ରେମେ ମଜ୍ଜି ପୁଣି ହୋଇଲେ ପ୍ରସନ୍ନ।

 

ଲଳିତା ସଖୀଙ୍କୁ କହିଲେ ମୋହନ ଧବଳୀ କୁଞ୍ଜେ ମିଳନ॥

।୫।

ଏତେ କହି ରାଧା କର ଧରି ହରି ବିଦାୟ ନେଇଣ ଗଲେ।

 

ତହୁଂ ରାଧା ଅଷ୍ଟସଖୀ କୁଞ୍ଜେ ମିଳି ମନରେ ବିଚାର କଲେ॥

।୬।

 

 

ଦେଖ କେଡ଼େ ମାୟା କଲା ସେ କାଳିଆ କହି ତ ନୁହଂଇ ମିତ।

 

ତାର ପ୍ରତିଫଳ ଦେବା ଗୋ ସକଳ ହୋଇକରି ଐରାବତ॥

।୭।

ଏହା ଶୁଣି ସର୍ବ ସଖୀଗଣ ମିଳି ହେଉ ହେଉ ଯେ କହିଲେ।

 

କିଏ କିସ ହେବ ବୋଲିକରି ମନେ ମନେ ସେ ବିଚାର କଲେ॥

।୮।

 

 

ଆଗ ବେନିପଦ ଜ୍ୟୋଷ୍ଠା ଯେ ଧନିଷ୍ଠା ହସ୍ତୀର ଆନନ ହେଲେ।

 

ପଛ ବେନିପାଦେ ରଙ୍ଗଦେବୀ ଜାଣ ଶ୍ରୀଦେବୀ ଯତ୍ନେ ରହିଲେ॥

।୯।

ତୁଙ୍ଗବିଦ୍ୟା ପେଟ ଇନ୍ଦୁରେଖା ପିଠି ହେଲେ ଯେ ଆନନ୍ଦ ହୋଇ।

 

ବିଶାଖା ସଜନୀ ଲାଞ୍ଜଟି ହୋଇଲେ ଲଳିତା ଶୁଣ୍ଢେ ଶୋଭଇ॥

।୧୦।

 

 

 

 

ତହିଂପରେ ଯାଇଂ ରାଧିକା ସୁନ୍ଦରୀ କାନ୍ଧ ଯେ ହେଲେ ତକ୍ଷଣ।

 

ସର୍ବ ସଖୀ ମିଳି ହୋଇଲେ ଆବର ନୀଳ ବସ୍ତ୍ର ଉପୁରାଣ॥

।୧୧।

ଏହିପରି କରି ସେ ସର୍ବ ସୁନ୍ଦରୀ ହୋଇ କୁଞ୍ଜରେ ରହିଲେ।

 

ଶ୍ରୀକୃଷ୍ଣ ଆସିଣ ତହିଂ ପ୍ରବେଶିଣ କାହାକୁ ନ ଦେଖି ଭଲେ॥

।୧୨।

 

 

କୁଞ୍ଜେ ମିଳି ହରି ନ ଦେଖିଣ ଘାରି ବିଚାର କରନ୍ତି ମନ।

 

କେଣେ ଯିବି ମୁହିଂ କି କରିବି ଥାଇ ନ ଥିଲେ ଜୀବନଧନ॥

।୧୩।

ପୁଣି ଚାହିଂ କାହ୍ନୁ ଦେଖିଲେ କୁଞ୍ଜରେ ଏକ ମହାଦସ୍ତୀ ଅଛି।

 

ଗରଜନ କରୁଅଛି ଦେଖିକରି ଭାବନ୍ତି ମନେ ଶ୍ରୀବତ୍ସି॥

।୧୪।

 

 

ମୋର ପ୍ରାଣସଖୀମାନଙ୍କୁ ଏ ଗଜ ମାରିଣ ଉଭା ଅଛଇ।

 

ମୋତେ ଦେଖିକରି କରୁଛି ଗର୍ଜନ ଆସୁଛି ମାରିବା ପାଇଂ॥

।୧୫।

ଏ ସମୟେ ଆକାଶରୁ ଶବ୍ଦ ହେଲା ନ ହୁଅ ପ୍ରଭୁ କାତର।

 

ଏ ମତ୍ତହସ୍ତୀର ପୃଷ୍ଠେ ବିଜେ କର ଆହେ ତ୍ରିଭଙ୍ଗ ସୁନ୍ଦର॥

।୧୬।

 

 

ପାଇବ ତୁମ୍ଭର ଆହେ ନଟବର ପ୍ରାଣର ବଲ୍ଲଭୀ ରାଈ।

 

ଏହା ଶୁଣି କୃଷ୍ଣ ଆନନ୍ଦ ମନରେ ହସ୍ତୀ ପୃଷ୍ଠରେ ଉଠଇ॥

।୧୭।

ତହୁଂ ମାୟାବତୀ ପରେ ଉଠିକରି କୁଞ୍ଜେ କୁଞ୍ଜେ ବୁଲାଇଲେ।

 

ଶ୍ରୀକୃଷ୍ଣ ଚଢନ୍ତେ ମାୟା ଛାଡ଼ି ସର୍ବେ ନିଜ ନିଜ ରୂପ ହେଲେ॥

।୧୮।

 

 

 

 

ନିକୁଞ୍ଜେ ବିହରି ବହୁ ଆହ୍ଳାଦରେ ଗୋପୀଙ୍କ ସଙ୍ଗେ ରମିଲେ।

 

କୁକୁଟ ଡାକନ୍ତେ ରାତ୍ରି ହିଂ ପାଆନ୍ତେ ସଖୀଏ ଉଦବେଗ ହେଲେ॥

।୧୯।

ଏହିପରି କହୁଥିଲେ ଆହେ ଭାଇ ନ ସରେ କେଭେଂ ଏ ରସ।

 

ଯାହା ପଚାରିଲ ଜାଣିଥିବା କଥା କହିଲି ହୋଇ ହରଷ॥

।୨୦।

 

 

ବହୁଦିନୁଂ ସେବି ଶ୍ରୀଗୁରୁ ପୟର ଥିଲେ ମୋତେ ସେ ବୁଝାଇ।

 

ଅଚ୍ୟୁତାନନ୍ଦ ସେ ପ୍ରସଙ୍ଗ କହିଲା ହେତୁ ମନକୁ ଚେତାଇ॥

।୨୧।

 

ଓଗାଳ – ୯

ଦ୍ୱାଦଶ କିଳିଣୀ

ଶୁଣ ଶୁଣ ଭାଇମାନେ ଦେଇ ଶ୍ରୁତିପଥ।

 

ଅତ୍ୟନ୍ତ ରହସ୍ୟ ରାଧା କୃଷ୍ଣଙ୍କ ଚରିତ॥

।୧।

ଦୁର୍ଜୟ ମାନ କରିଣ ଥିଲେ ରାଧାରାଣୀ।

 

ତା’ପରେ ଖଣ୍ଡିତ କରାଇଲେ ଚକ୍ରପାଣି॥

।୨।

 

 

ସେ କଥା ଗୋଟିକୁ ସହି ନ ପାରିଣ ରାଈ।

 

ନୟନ ଯୁଗଳୁଂ ଅଶ୍ରୁ ଯାଉଅଛି ବହି॥

।୩।

ସହି ନ ପାରି ସେ କଥା ରାଧିକା ସୁନ୍ଦରୀ।

 

ପାଦ ପକାଇଣ ତହୁଂ ଅଇଲେକ ଚଳି॥

।୪।

 

 

ପଛରେ ଗୋଡ଼ାଇଛନ୍ତି ପ୍ରଭୁ ନଟବର।

 

ରାଧିକା ଯେ ତରତରେ ମିଳିଲେ ଗୃହର॥

।୫।

ତ୍ରିକୁଟେ ତ୍ରିଗୁଣ ଛନ୍ଦି ରାଈ ବିନୋଦିନୀ।

 

ସିଷୁମୁନା ନିରୋଧିଲେ ଦୁଃଖେ ରାଧାରାଣୀ॥

।୬।

 

 

ସିଷୁବେଦକୁ ଅଭ୍ୟାସ କରିଣ ସୁନ୍ଦରୀ।

 

ପ୍ରଥମ ଚକ୍ରେ କିଳିଣୀ ଦେଲେ ଦୃଢକରି॥

।୭।

ଦ୍ୱିତୀୟ ଚକ୍ରକୁ ବନ୍ଦୀ କରିଲେ ସେ ପୁଣି।

 

ତହିଂ ଲଗାଇଲେ ଯନ୍ତ୍ର ଯତ୍ନରେ କିଳିଣୀ॥

।୮।

 

 

ତୃତୀୟ ଦ୍ୱାର ଚକ୍ରକୁ କିଳିଣୀ ପକାଇ।

 

ଚତୁର୍ଥ ଦ୍ୱାର ଚକ୍ରକୁ ରୁନ୍ଧିଲେକ ରାଈ॥

।୯।

ପଞ୍ଚମ ଚକ୍ରେ କିଳିଣୀ ପକାଇ ବନ୍ଦିଲେ।

 

ଷଷ୍ଠ କିଳିଣୀକି ରାଧା ଦୃଢରେ ଛନ୍ଦିଲେ॥

।୧୦।

 

 

ଏହିପରି ଦ୍ୱାଦଶ କିଳିଣୀ ପକାଇଲେ।

 

ପଲଙ୍କ ଉପରେ ରାଧା ଶୟନ କରିଲେ॥

।୧୧।

ନେତ୍ରୁ ନୀର ବହି ବହି ଜଳପୂର୍ଣ୍ଣ ହେଲା।

 

ସେ ନେତ୍ର ଜଳରେ ପୁଣି ପଦ୍ମେକ ଫୁଟିଲା॥

।୧୨।

 

 

ପଦ୍ମ ଫୁଟି ପଲଙ୍କ ସହିତେ ଘୋଡ଼ାଇଲା।

 

ମୁଦିଦ ହୁଅନ୍ତେ ରାଧା ତା ମଧ୍ୟେ ରହିଲା॥

।୧୩।

କେମନ୍ତେ ରାଧାକୃଷ୍ଣଙ୍କ ହୋଇବ ମିଳନ।

 

ଦୀନ ଅଚ୍ୟୁତ କହଇ ଥିଲେ ଦିବ୍ୟ ଜ୍ଞାନ॥

।୧୪।

 

 

ଓଗାଳର ଭାବ ତୁମ୍ଭେ କହିବ ବୁଝାଇ।

 

ଜାଣି ନ ଥିଲେ ଯାଅ ଯା ସଭାରୁ ପଳାଇ॥

।୧୫।

ଉତ୍ତାର

ଶୁଣ ହୋ ଗୋପାଳ ଭାଇ ପଚାରିଲ ଯାହା।

 

ମନକର୍ଣ୍ଣ ଦେଇ ଶୁଣ କହୁଅଛି ତାହା॥

।୧।

କିଳିଣୀ ପକାଇ ରାଧା ଯହୁଂ ସେ ରହିଲେ।

 

ଫାଟକ ଫିଟାଇ କୃଷ୍ଣ ଆରତ ହୋଇଲେ॥

।୨।

 

 

ଭାବିଲେ ମୁଂ କି କରିବି ଦ୍ୱାର ନ ଫିଟଇ।

 

ରାଧାରାଣୀ ପାଇଂ ପ୍ରାଣ ହାରିବଇଂ ମୁହିଂ॥

।୩।

ଭାବୁ ଭାବୁ ମନେ ଆସେ ପୈାର୍ଣ୍ଣମାସୀ କଥା।

 

ସେ ଜାଣିଲେ ନିଶ୍ଚେ ୟାର କରିବେ ବ୍ୟବସ୍ଥା॥

।୪।

 

 

ଏତେ ଭାବି କୃଷ୍ଣ ପୈାର୍ଣ୍ଣମାସୀ ପାଶେ ଗଲେ।

 

ସକଳ ବୃତ୍ତାନ୍ତ ତାଙ୍କ ନିକଟେ କହିଲେ॥

।୫।

ସେ ତାହାଙ୍କୁ ଦ୍ୱାଦଶ ଅକ୍ଷର ମନ୍ତ୍ର ଦେଲେ।

 

ଏହି ମନ୍ତ୍ରେ ଫିଟାଇବ ବୋଲିଣ କହିଲେ॥

।୬।

 

 

ତାହା ଶୁଣି କୃଷ୍ଣ ମନ୍ତ୍ର ଅଭ୍ୟାସ କରିଣ।

 

ପ୍ରଥମ ଦ୍ୱାରେ ପ୍ରବେଶ ହୋଇଲେ ଯାଇଣ॥

।୭।

ପ୍ରଥମ ଅକ୍ଷର ମନ୍ତ୍ର ପଢି ନଟବର।

 

କିଳିଣୀ ଫିଟାନ୍ତେ ଫିଟି ଗଲାକ ଦୁଆର॥

।୮।

 

 

ଦ୍ୱାଦଶ ଅକ୍ଷର ମନ୍ତ୍ର ପଢିଣ କହ୍ନାଇ।

 

ଦ୍ୱାଦଶ କିଳିଣୀ ପଥ ଫିଟାଇଲେ ତହିଂ॥

।୯।

କିଳିଣୀ ଫିଟାଇ ଶେଷ ଦ୍ୱାରେ ପ୍ରବେଶିଲେ।

 

ଦେଖିଲେ ରାଈ ନାହାନ୍ତି ଆଶ୍ଚର୍ଯ୍ୟ ହୋଇଲେ॥

।୧୦।

ପଦ୍ମଫୁଲ ମୁଦିତ ଯେ ହୋଇଣ ରହିଛି।

 

ମନେ ବିଚାରିଲେ ରାଧା ଏହା ମଧ୍ୟେ ଅଛି॥

।୧୧।

ଏହା ଦେଖି ଚିନ୍ତାମଗ୍ନ ହେଲେ ନନ୍ଦସୁତ।

 

ନାରାୟଣଙ୍କର ମୂର୍ତ୍ତି ଧଇଲେ ତୁରିତ॥

।୧୨।

ମହାକ୍ରୋଧ ହେଲେ ଯହୁଂ ନନ୍ଦର ନନ୍ଦନ।

 

ଦ୍ୱିତୀୟ ସୂର୍ଯ୍ୟର ତେଜ ହେଲେ ଭଗବାନ॥

।୧୩।

ସେ ତେଜ ଲାଗିଣ ପଦ୍ମଫୁଲ ଯେ ଫୁଟିଲା।

 

ରାଧାଙ୍କ ଉପରେ କୃଷ୍ଣ ନୟନ ପଡିଲା॥

।୧୪।

ଆସ ଆସ ପ୍ରାଣସଖୀ ନ କର ଗୋ ମାନ।

 

ସାମାନ୍ୟ କଥାରେ ମୋତେ ଦେଲ ୟେ କଷଣ॥

।୧୫।

ହୃଦୟର ଦୁଃଖ ସବୁ ପ୍ରକାଶ କରିଲେ।

 

ଦୁଃଖ ଛାଡ଼ି ଦୁହେଂ ପ୍ରେମ ପ୍ରୀତିରେ ମାତିଲେ॥

।୧୬।

ରାଧାକୃଷ୍ଣଙ୍କର ଲୀଳା ଅପାରୁଂ ଅପାର।

 

ପଦ୍ମପାଦ ଧ୍ୟାୟୀ କହେ ଅଚ୍ୟୁତ ପାମର॥

।୧୭।

 

ଓଗାଳ – ୧୦

ରାଧାଙ୍କ ରାଜବେଶ

ଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ଆହୁରି କଥାଏ ମନେ ପଡ଼ିଲାକ ଏହି॥

।୧।

ବହୁଦିନୁଂ ଏକଥା ମୋ ମନେ ଥିଲା ଜାଣ।

 

ତୁମ୍ଭଙ୍କୁ ଦେଖିଣ ମୋର ପଡ଼ିଗଲା ମନ॥

।୨।

 

 

ରାଧାରାଣୀ କେଉଂ ବେଳେ ହୋଇଥିଲେ ରାଜା।

 

କିଏ ଯେ ତାଙ୍କର ପୁଣ ହେଲେ ଜନ ପ୍ରଜା॥

।୩।

କୃଷ୍ଣ ପୁଣି ତାଙ୍କ ପାଶେ ସେବକ ଖଟିଲେ।

 

ରାଈ ରାଜାଙ୍କର ଜୟ ହେଉ ସେ ବୋଇଲେ॥

।୪।

 

 

କଟୁଆଳ ପଣେ ତାଙ୍କୁ ଶାଢି କିଏ ଦେଲା।

 

ଏ କଥା ଗୋଟି ଗୋ ମନେ ସନ୍ଦେହ ରହିଲା॥

।୫।

ଢାଳ ତରବାରୀ ଧରି ନନ୍ଦର ନନ୍ଦନ।

 

କଟୁଆଳ ପଣେ ଦ୍ୱାର ଜଗିଥାନ୍ତି ପୁଣ॥

।୬।

 

 

ଏ କଥା ଗୋଟିକୁ ଭାଇ ବୁଝାଇ କହିବ।

 

ଅଚ୍ୟୁତ ବୋଲନ୍ତି ଲୋକେ ଗଣନା ହୋଇବ॥

।୭।

ଉତ୍ତାର

ଶୁଣ ହୋ ଗୋପାଳ ଭାଇ ପଚାରିଲ ଯାହା।

 

ମନକର୍ଣ୍ଣ ଦେଇ ଶୁଣ କହୁଅଛି ତାହା॥

।୧।

ରାଈ ରାଜା କଥା ଯାହା ପଚାରିଲ ଭାଇ।

 

ତାହା ଏବେ କହୁଅଛି ଶୁଣ ସ୍ଥିର ହୋଇ॥

।୨।

 

 

ଏକ ଦିନେ ରାଧା କୃଷ୍ଣ ମଣ୍ଡପେ ବସିଣ।

 

ନିକୁଞ୍ଜ ମଣ୍ଡପେ ଖେଳ ଆରମ୍ଭିଲେ ଜାଣ॥

।୩।

ସଖୀ ସଖା ମିଳି ତହିଂ ବେଢିଣ ବସିଲେ।

 

ରାଧାକୃଷ୍ଣ ଦୁହେଂ ପଶା ଖେଳ ଆରମ୍ଭିଲେ॥

।୪।

 

 

ପଣ କଲେ ଯେ ଜିତିବ ରାଜା ସେ ହୋଇବ।

 

ଅଙ୍ଗ ବେଶଭୂଷା ଦେଇ ପାଦରେ ଖଟିବ॥

।୫।

ଏକଥା ସତ୍ୟ କରିଣ ଖେଳରେ ବସିଲେ।

 

ଦାନ ପକାପକି କରି ସାର ଚଳାଇଲେ॥

।୬।

 

 

ଏହପରି ବହୁ ବେଳ କଲେ ଖେଳାଲୀଳା।

 

ଶେଷରେ ହାରିଲେ କାହ୍ନୁ ଜିତିଲେ ଛଇଳା॥

।୭।

ଯହୁଂ ରାଧାରାଣୀ ଖେଳେ ଜିତାପଟ ହେଲେ।

 

ସଖୀମାନେ ମିଳି ତହିଂ ରାଜବେଶ କଲେ॥

।୮।

 

 

ଫୁଲର ଚାନ୍ଦୁଆ ପୁଣି ଫୁଲ ସିଂହାସନ।

 

ଫୁଲର ବିଞ୍ଛଣା ଫୁଲେ ସର୍ବାଙ୍ଗ ଭୂଷଣ॥

।୯।

ଫୁଲେ ରାଜସିଂହାସନ ସଖୀଏ କରିଣ।

 

ରାଧାଙ୍କୁ ରାଜବେଶରେ ବସାଇଲେ ପୁଣ॥

।୧୦।

 

 

ସମସ୍ତେ ଆଜ୍ଞା ପାଳନ୍ତି ରାଧା ଦେବୀଙ୍କର।

 

ପାତ୍ର ମନ୍ତ୍ରୀ ପରି ସଖୀ ଖଟନ୍ତି ପାଶର॥

।୧୧।

ଶ୍ରୀକୃଷ୍ଣଙ୍କୁ ଡ଼ାକି ଆଜ୍ଞା ଦେଲେ ଯେ ସୁନ୍ଦରୀ।

 

କଟୁଆଳ ହୋଇ ରୁହ ଦ୍ୱାରେ ଯେ ଆମ୍ଭରି॥

।୧୨।

 

 

ଶୁଣି କୃଷ୍ଣ ଢାଲ ତରବାରୀ ଧରି କରେ।

 

ଜୟ ରାଧାରାଣୀ ବୋଲି ଡାକନ୍ତି ଦୁଆରେ॥

।୧୩।

ଚଉପାଶେ ରହି ପୁଣ ଠଣା ଦେଉଥାନ୍ତି।

 

ଜୟ ରାଈ ରାଜା ବୋଲି ମୁଖରେ ବୋଲନ୍ତି॥

।୧୪।

 

 

ଏହା ଦେଖିକରି ରାଧା ବିରସ ହୋଇଣ।

 

ସଖୀମାନଙ୍କୁ ଡ଼ାକିଣ ବୋଲନ୍ତି ବଚନ॥

।୧୫।

ଆଗୋ ସଖୀ ବେଗେ ଯାଇ କାହ୍ନୁଙ୍କୁ ମୋ ଆଣ।

 

ବହୁତ କଷ୍ଟ ପାଇଲେ ମୋ ଜୀବ ଜୀବନ॥

।୧୬।

 

 

କଟୁଆଳ ବେଶ ସଖୀ ଉତ୍ତାରିଣ ନେଇ।

 

ନିଜ ବେଶ ଏବେ ଦିଅ ତାଙ୍କୁ ହେ ପିନ୍ଧାଇ॥

।୧୭।

ଆଜ୍ଞା ପାଇ ସଖୀମାନେ ସେହିପରି କଲେ।

 

ହାସ ପରିହାସରେ ସେ ଆନନ୍ଦେ ମାତିଲେ॥

।୧୮।

 

 

ଯାହା ପଚାରିଲ ରାଈ ରାଜାର ଚରିତ।

 

ଏସନେ ହୋଇଲା କହେ ପାମର ଅଚ୍ୟୁତ॥

।୧୯।

 

ଓଗାଳ – ୧୧

ରାଧା କଳଙ୍କିନୀ

ଦାମ ଗୋପାଳଙ୍କୁ ଦେଖି ସୁଦାମ କହଇ।

 

ଯାହା ପଚାରୁଛି ମୁହିଂ କହିଦେବୁ ଭାଇ॥

।୧।

ଦେବସଭା ପରି ସଭା ଶୋଭା ପାଉଅଛି।

 

ରାଧା କୃଷ୍ଣଙ୍କର ଏବେ ଓଗାଳ ହେଉଛି॥

।୨।

 

 

ଯେତେ ନାଟ ଲୀଳା ହୁଏ ରାଧା କୃଷ୍ଣଙ୍କର।

 

କାହିଂ ଶୁଣି ନାହିଂ କୁଟିଳାର ସମାଚାର॥

।୩।

କୁଟିଳା ପୂର୍ବେ କିଏ ସେ ଥିଲା ଆରେ ଭାଇ।

 

କାହିଂକି ଶ୍ରୀମତୀ ସଙ୍ଗେ ବିବାଦ କରଇ॥

।୪।

 

 

ରାଧାଙ୍କୁ ଦେଖିଲେ ତାର ହାଡ଼ ଯେ ଜଳଇ।

 

ଗଲେ କାହିଂ ରାଧାରାଣୀ ଅପବାଦ ଦେଇ॥

।୫।

ଏ କଥା ଶୁଣିବା ପାଇଂ ବହୁ ଶ୍ରମ କରି।

 

ଆସିଅଛି ବୁଝାଇଣ କହ ହେତୁ କରି॥

।୬।

 

 

କାହା ଶାପେ ବ୍ରଜେ ରାଧା କଳଙ୍କିନୀ ହେଲେ।

 

ମନର ସନ୍ଦେହ ମୋର ତୁଟାଅ ହେ ହେଳେ॥

।୭।

ପ୍ରତି ପ୍ରତି କରି କଥା ଦେବ ଫିଟାଇଣ।

 

ଅଚ୍ୟୁତାନନ୍ଦ ପ୍ରସଙ୍ଗ କହୁଅଛି ଶୁଣ॥

।୮।

ଉତ୍ତାର

ସୁଦାମ ବଚନ ଶୁଣି କହୁଛନ୍ତି ଦାମ।

 

ଯାହା ପଚାରିଲ ଭାଇ ଶୁଣ ଦେଇ ମନ॥

।୧।

ବହୁ ପୁରାତନ କଥା ପଚାରିଲ ଭାଇ।

 

ଗୁରୁଙ୍କର ପାଠ ଏ ଯେ କହିବା ନୁହଂଇ॥

।୨।

 

 

ଯେଣୁ ଏ ସଭା ମଧ୍ୟରେ ପଚାରିଲ ମୋତେ।

 

ଗୋଟ ଗୋଟି କରି ମୁହିଂ ବୁଝାଇବି ତୋତେ॥

।୩।

ଏକଦିନେ ଶ୍ରୀକୃଷ୍ଣ ଯେ ନିତ୍ୟ ବୈକୁଣ୍ଠରେ।

 

ରାସ କରୁଥିଲେ ସର୍ବ ଗୋପୀଙ୍କ ସଙ୍ଗରେ॥

।୪।

 

 

ରାଧାଙ୍କୁ ତେଜିଣ ଏକ ଗୋପିକା ସଙ୍ଗତେ।

 

ପ୍ରେମ ରସେ ପୁହାଇଲେ ରାତ୍ର କଉତୁକେ॥

।୫।

ଏ କଥା ରାଧାଙ୍କୁ କହେ ଗୋପର ଯୁବତୀ।

 

ବିରଜାଙ୍କ ସଙ୍ଗେ ମାତି ଅଛନ୍ତି ଶ୍ରୀପତି॥

।୬।

 

 

 

 

ବିରଜା ଯେ ଶ୍ରୀରାଧାଙ୍କ ସଖୀ ମଧ୍ୟେ ସାର।

 

ଶୁଣିଲାକ୍ଷଣି ରାଧିକା ହେଲେ କୋପଭର॥

।୭।

ଶ୍ରୀମତୀ ବୋଲନ୍ତି ମୋତେ ଦେଖାଅ ତୁରିତେ।

 

ଦେଖିଲେ ବିଶ୍ୱାସ ମୁହିଂ ଯିବଇଂ ଯେ ପ୍ରତେ॥

।୮।

 

 

ଏହା କହି ଗୋପୀମାନଙ୍କୁ ସେ ସଙ୍ଗେ ନେଇ।

 

ଶ୍ରୀକୃଷ୍ଣଙ୍କ ପୁରେ ରାଧା ପ୍ରବେଶିଲେ ଯାଇ॥

।୯।

ଦେଖିଲେ ଦ୍ୱାରରକ୍ଷକ ସୁଦାମ ଗୋପାଳ।

 

ମହାକ୍ରୋଧେ ଶ୍ରୀରାଧା ବୋଲନ୍ତି ଦ୍ୱାରପାଳ॥

।୧୦।

 

 

ଦ୍ୱାରଛାଡ଼ ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି।

 

ଏହା ଶୁଣି ସୁଦାମ ଯେ ହେଲା ବଡ଼ ଭାବି॥

।୧୧।

ଉତ୍ତର ନ ଦେଇ ଦ୍ୱାର ସେହି ନ ଛାଡ଼ିଲେ।

 

ଧସାଇ ରାଧା ଗୋପିକା ଭିତରେ ପଶିଲେ॥

।୧୨।

 

 

ଏଣେ ଶ୍ରୀକୃଷ୍ଣ ବିରଜା ପ୍ରେମେ ପାଇ ଶ୍ରମ।

 

ଅଜ୍ଞାନବସ୍ଥାରେ କରିଅଛନ୍ତି ଶୟନ॥

।୧୩।

କୋଳାହଳ ଶୁଣି କୃଷ୍ଣ ହେଲେ ଅନ୍ତର୍ଦ୍ଧାନ।

 

ବିରଜା ଗୋପୀ ନ ଯାଇ ରହିଲା ସେ ସ୍ଥାନ॥

।୧୪।

 

 

 

 

ରାଧାଙ୍କ ଭୟରେ ତାର ପ୍ରାଣ ଯେ ନ ଥାଇ।

 

କେବଳ ମୃତ ଅବସ୍ଥା ହୋଇ ପଡ଼ିଥାଇ॥

।୧୫।

ଶ୍ରୀରାଧା ପ୍ରବେଶି ଯାଇ ଖୋଜିଲେ କୃଷ୍ଣଙ୍କୁ।

 

ନ ପାଇଣ ମହାକ୍ରୋଧେ ଭେଟି ବିରଜାଙ୍କୁ॥

।୧୬।

 

 

ଝିଙ୍କାସ କରିଣ ବହୁ କଟୁବାକ୍ୟ କହି।

 

ଅଭିଶାପ ଦେଲେ ରାଈ ମହାକ୍ରୋଧ ହୋଇ॥

।୧୭।

ମୋର ପ୍ରିୟ ସହଚରୀ ହୋଇକରି ତୁହି।

 

କପଟରେ ମୋ ପ୍ରଭୁଙ୍କ ସଙ୍ଗେ ହେଲୁ ବାଇ॥

।୧୮।

 

 

ଆଜିଠାରୁ ଅଭିଶାପ ଘେନ ଗୋ ମୋହର।

 

ନଦୀ ହୋଇ ବହିଯାଅ କହୁଛି ନିକର॥

।୧୯।

ରାଧାଙ୍କର ଶାପ କେଭେଂ ଅନ୍ୟଥା ନୁହଇ।

 

ବିରଜା ନାମେ ନଦୀ ଯେ ହୋଇଲାକ ସେହି॥

।୨୦।

 

 

ଅଭିଶାପ ଦେଇ ରାଧା ମହାକ୍ରୋଧ ହୋଇ।

 

ଶୟନ କରିଲେ ଦେବୀ କୁଂଜବନେ ଯାଇ॥

।୨୧।

ଶ୍ରୀରାଧା ଯିବା ଜାଣିଣ ଜଗତ ଠାକୁର।

 

ବିରଜା ଥିବା ସ୍ଥାନରେ ପ୍ରବେଶି ସତ୍ୱର॥

।୨୨।

 

 

 

 

ନ ଦେଖି ନୟନେ ହରି ମହାଚିନ୍ତା କଲେ।

 

କାରୁଣ୍ୟ କରିଣ ବହୁ ସନ୍ତାପି ହୋଇଲେ॥

।୨୩।

ତାହା ଜାଣି ବିରଜା ଯେ ନଦୀରୁ ବାହାରି।

 

ପ୍ରବେଶ ହୋଇଲେ ଯହିଂ ଥିଲେ ନରହରି॥

।୨୪।

 

 

ବିରଜାଙ୍କୁ ଦେଖି କୃଷ୍ଣ ଦୁଃଖିତ ହୋଇଲେ।

 

କୋଳାଗ୍ରତ କରି ମୁଖେ ଚୁମ୍ବଦାନ ଦେଲେ॥

।୨୫।

ଶୋକଭରେ ବିରଜା ଯେ ସମସ୍ତ କହିଲେ।

 

ଶ୍ରୀକୃଷ୍ଣ ସାନ୍ତ୍ବନା ଦେଇ ବହୁ ପ୍ରଶଂସିଲେ॥

।୨୬।

 

 

ବୋଇଲେ ସୁନ୍ଦରୀ ଆଉ ଶୋକ ତୁ ନକର।

 

ଯେପରି ତୋତେ ଶାପ ସେ ଦେଇଛି ନିକର॥

।୨୭।

ଗୋପରେ ଜନମ ହେବି ମାନବ ଜାତିରେ।

 

ସେ ସମୟେ ରାଧା ଜନ୍ମ ହେବେ ବୈଶ୍ୟ ଘରେ॥

।୨୮।

 

 

ତୁମ୍ଭେ ଜନ୍ମ ହେବ ଗୋପେ ଗୋପାଳ ଗୃହରେ।

 

ସାଧିବ ରାଧିକା ଦାଉ କହୁଛି ସଖୀରେ॥

।୨୯।

କୁଟିଳା ନାମରେ ଖ୍ୟାତ ହେବ ଜଗତରେ।

 

ରାଧା ନାମେ ତୁମେ ଅପବାଦ ଦେବ ବଳେ॥

।୩୦।

 

 

 

 

ତୁମ୍ଭ ଆମ୍ଭ ପ୍ରେମ ଯେ ସେକାଳେ ନ ରହିବ।

 

ନିଶ୍ଚୟ ଏ ବାକ୍ୟ ଗୋଟି ଅଟଇଟି ଧ୍ରୁବ॥

।୩୧।

ଏହା କହି ଶ୍ରୀକୃଷ୍ଣ ଯେ ଅନ୍ତର୍ଦ୍ଧାନ ହେଲେ।

 

ସୁଦାମ ନିକଟେ ଯାଇକରି ପ୍ରବେଶିଲେ॥

।୩୨।

 

 

ସୁଦାମ ଦେଖି ହରିଙ୍କୁ ନମସ୍କାର ହୋଇ।

 

ସକଳ ବୃତ୍ତାନ୍ତ ଶ୍ରୀକୃଷ୍ଣଙ୍କୁ ଯେ କହଇ॥

।୩୩।

ଶ୍ରୀକୃଷ୍ଣ ବୋଲନ୍ତି ଚାଲ ରାଧା ପୁର ଯିବା।

 

ମାନିନୀ ହୋଇଣ ସଖୀ ଅଛିଟି ଦେଖିବା॥

।୩୪।

 

 

ସୁଦାମକୁ ଘେନି ସଙ୍ଗେ ଗୋପ ଚୂଡ଼ାମଣି।

 

ଶ୍ରୀରାଧାଙ୍କ କୁଂଜେ ପ୍ରବେଶିଲେ ଚକ୍ରପାଣି॥

।୩୫।

ଅଭିମାନ କରି ରାଧା ଧୂଳିରେ ଶୟନ।

 

ସର୍ବ ସଖା ମିଳିକରି କରନ୍ତି ବୋଧନ॥

।୩୬।

 

 

ଶ୍ରୀକୃଷ୍ଣ ଆସିବା ଜାଣି ରାଗେ ରାସେଶ୍ୱରୀ।

 

ଧିକ୍‌କାରି କହିଲେ ବହୁ ତିରସ୍କାର କରି॥

।୩୭।

ଯାଅ ହେ ଲମ୍ଫଟ ଦଗାଦାର ମୋ ପାଶରୁ।

 

ନ ଚାହିଂବି ମୁଖ କେଭେଂ ପଳାଅ ଏଠାରୁ॥

।୩୮।

 

 

 

 

ତୁମ ସ୍ନେହ ବିରଜା ଯେ ଚାହିଂ ବସିଥିବ।

 

ନ ଗଲେ ଅଭିମାନିନୀ ହୋଇ ନ ଚାହିଂବ॥

।୩୯।

ଏହିପରି ନାନା କଟୁ କଥା କହି ରାଈ।

 

ଧୂଳିରେ ଶୟନ କଲେ ମାନିନୀ ଯେ ହୋଇ॥

।୪୦।

 

 

ଶ୍ରୀ ହରି ବହୁତ ବିନୟରେ କହିଲେଇଂ।

 

ତେବେ ଅଭିମାନ ନ ତେଜିଲେ ଚାନ୍ଦମୁହୀଂ॥

।୪୧।

ସଖୀମାନେ ପରିହାସ କୃଷ୍ଣଙ୍କୁ କହିଲେ।

 

ଲଜ୍ଜା ନାହିଂ ଲମ୍ପଟିଆ ଆସିଅଛ ଭଲେ॥

।୪୨।

 

 

ଶ୍ରୀରାଧା ବୋଲନ୍ତି ପୁଣି ମୋ ପାଶରୁ ଯାଅ।

 

ନ ଚାହିଂବି ମୁଖ ତବ କହୁଛି ନିଶ୍ଚୟ॥

।୪୩।

ବେଳକୁ ବେଳ ଅଧିକ କ୍ରୋଧ ହେଲେ ରାଈ।

 

ପୁଣି ଧୂଳିରେ ଶୟନ କଲେକ ସେ ଯାଇଂ॥

।୪୪।

 

 

ଏହା ଦେଖି ସୁଦାମ ଯେ କହନ୍ତି ବଚନ।

 

ସାମାନ୍ୟ ମାନବ ପରି ଅଟେ ତୁମ୍ଭ ମନ॥

।୪୫।

ଯାହାଙ୍କ ଦର୍ଶନ ପାଇଂ ବ୍ରହ୍ମା ଇନ୍ଦ୍ର ଶିବ।

 

ଯୋଗୀଜନେ ତପସ୍ୟାରେ ନ ପାଆନ୍ତି ଭାବ॥

।୪୬।

 

 

 

 

ବୈକୁଣ୍ଠରେ ଲକ୍ଷ୍ମୀଦେବୀ ପଦସେବା କରି।

 

ସରସ୍ୱତୀ ବାଣୀ କଣ୍ଠେ ତୋଷିଣ ନ ପାରି॥

।୪୭।

ଅନନ୍ତ କୋଟି ବ୍ରହ୍ମାଣ୍ଡ ସର୍ଜନା ଯାହାର।

 

ରାଧା ମାନ ଭଂଜନ ବା କିଂଚିତ ମାତର॥

।୪୮।

 

 

ମାନ ଭଂଜନ କଲେକ ପ୍ରଭୁ ନଟବର।

 

ରାଧାକୃଷ୍ଣ ମିଳନ ଯେ ହୋଇଲା ସେଠାର॥

।୪୯।

ପଚାରିଲ ବୋଲି ଭାଇ କିଂଚିତେ କହିଲି।

 

ଅଚ୍ୟୁତ ବୋଲେ ଜଗତ କଲ୍ୟାଣେ ଗାଇଲି॥

।୫୦।

 

Unknown

ଷଷ୍ଠ ଭାଗ

ଇନ୍ଦ୍ର ପୁଜା ଗୀତ

ଜୟ ଜୟ କୃପାସିନ୍ଧୁ କମଳା ବର।

 

କଉତୁକେ ବିଜେ ପ୍ରଭୁ ନୀଳ କନ୍ଦର॥

।୧।

କାହ୍ନୁ ସଙ୍କର୍ଷଣ ବୋଲି ନାମ ପାଇଲେ।

 

ଲୀଳା କରିବାକୁ ନନ୍ଦ ଘରେ ବଢିଲେ॥

।୨।

 

 

ଅନାଥର ନାଥ ପ୍ରଭୁ ବୈକୁଣ୍ଠେ ବାସ।

 

ନନ୍ଦ ଘରେ ବଢିଲେ ଅଷ୍ଟମ ବରଷ॥

।୩।

ଗୋପପୁରେ ନନ୍ଦ ଇନ୍ଦ୍ରେ କରନ୍ତି ପୂଜା।

 

ପୂଜା କରିବାକୁ ବିଜେ ଦେବାଧିରାଜା॥

।୪।

 

 

ଇନ୍ଦ୍ର ପୂଜା ଭଗ୍ନ କଲେ ଶ୍ରୀକୃଷ୍ଣଚନ୍ଦ୍ର।

 

ପୂଜା ଭଗ୍ନ ହେବା ସ୍ୱର୍ଗେ ଜାଣିଲେ ଇନ୍ଦ୍ର॥

।୫।

କୋପେ ଇନ୍ଦ୍ର ରାଜା ଚାରିମେଘକୁ ପେଶି।

 

ବିଜୁଳି ଚମକି ଶିଳା ବରଷେ ଆସି॥

।୬।

 

 

 

 

ବଜ୍ରଘାତେ ଗୋପପୁର କଲେ ସେ ଜୁର।

 

ଆତଙ୍ଗେ ଡାକନ୍ତି ରଖ କମଳାବର॥

।୭।

ଦୋଳରେ ବସିଲେ ଯାଇ ନନ୍ଦ କୁମାର।

 

ଗୋପୀ ଗୋପାଳେ ଆବୋରି ଧରିଲେ କୋଳ॥

।୮।

 

 

ଆତଙ୍ଗେ ଡାକନ୍ତି ତ୍ରାହି କମଳାବର।

 

ଢାଳି ପଟୁଆରେ ପ୍ରଭୁ କରନ୍ତି ଭାର॥

।୯।

କୁମ୍ଭ ଯେ ବୁଡ଼ାନ୍ତି ନେଇ ଯମୁନା ଜଳେ।

 

ଯମୁନାର ନୀର ଘେନି ଗୋପକୁ ଗଲେ॥

।୧୦।

 

 

ଗୋପେ ଗୋପାଳୁଣୀମାନେ ଚାହିଂଣ ଥିଲେ।

 

ଦ୍ୱାରେ ପୁର୍ଣ୍ଣ କୁମ୍ଭମାନ ନେଇ ଥାପିଲେ॥

।୧୧।

ଘରେ ଘରେ ହୁଳହୁଳି ଶବଦ ପୁରି।

 

କୁମ୍ଭ ଯେ ବନ୍ଦାନ୍ତି ଗୋପ ଯୁବତୀ ମିଳି॥

।୧୨।

 

 

ଦାମ ଯେ ସୁଦାମ ବାହୁ ସୁବାହୁ ମେଳେ।

 

ଗୋପସୁତ ସଙ୍ଗେ କାହ୍ନୁ ଲଉଡ଼ି ଖେଳେ॥

।୧୩।

ପିନାକୀ ଧନୁର ଶେଷ ଥିଲା ବାଉଂଶ।

 

ତାହା ଆଣି ଦେଲେ ବ୍ରହ୍ମା ଶ୍ରୀକୃଷ୍ଣ ପାଶ॥

।୧୪।

 

 

 

 

ଦିବ୍ୟ ବଂଶୀ କରି ହରି ଧରିଣ କରେ।

 

ଆନନ୍ଦେ ବାଆନ୍ତି ଗୋପସୁତ ମେଳରେ॥

।୧୫।

କୁବେର ଆଣିଣ ଦେଲେ ଦିବ୍ୟ ପତନୀ।

 

ମଣ୍ଡନ ହୋଇଲେ କୃଷ୍ଣ ଅଙ୍ଗରେ ଆଣି॥

।୧୬।

 

 

ପାଟ ପତନୀକୁ ଦିବ୍ୟ ଠେକା ବାନ୍ଧିଲେ।

 

ଚୂଳ କରି କୃଷ୍ଣଚନ୍ଦ୍ର ଶିରେ ମଣ୍ଡିଲେ॥

।୧୭।

ଗୋପାଳ ପୁଅଙ୍କୁ ବାନ୍ଧିଦେଲେ ଖଲରୀ।

 

ମୟୁର ପୁଚ୍ଛକୁ ଚୂଳେ ବାନ୍ଧିଲେ ହରି॥

।୧୮।

 

 

କର୍ଣ୍ଣତଟେ ବ୍ୟାଘ୍ର ନଖ ପାଦୁକା ଦେଇ।

 

ଘରେ ଘରେ ବିଜେ ପ୍ରଭୁ ବ୍ରହ୍ମାଣ୍ଡ ସାଇଂ॥

।୧୯।

ପୂଜାବିଧି ବତାଇଲେ ଦେବ ଶ୍ରୀଧର।

 

ସଙ୍ଗତେ ଘେନିଣ ସର୍ବ ଗୋପ କୁମର॥

।୨୦।

 

 

ସର ଲବଣୀ ଭୁଞ୍ଜିଣ ହୋଇଲେ ତୋଷ।

 

ଗୀତରେ ଭଣିଲେ ଦୀନ ଅଚ୍ୟୁତ ଦାସ॥

।୨୧।

 

ରାଧାକୃଷ୍ଣ ମିଳନ ଗୀତ

ଶୁଣ ହେ ଛଇଳ ନାଗରବର

 

ମୂରଲୀଫୁଙ୍କା ତ୍ରିଭଙ୍ଗ ସୁନ୍ଦର

 

ଆଜ ଦିନେ ଯାହା କଲ ନାଗର

 

ମନରୁ ନ ଯାଏ ଶ୍ୟାମ ସୁନ୍ଦର

 

ହେ ଛଇଳବର!

।୧।

 

 

ରଜକିନୀ ବେଶେ ଆସି ମୋ ପୁର।

 

ଲାଟ ବାସ ନେବାକୁ ଆସି ଧାଇଂ

 

ଲାଟବାସ ନେବାକୁ ଆସି ଧାଇଂ

 

ପିନ୍ଧି ଅଳଙ୍କାର ସୁବେଶ ହୋଇ

 

ପରିଧାନରେ ସୁ-ପୀତ ଅମ୍ବର

 

ଲୋଟଣୀ ଜୁଡ଼ା ଗଭା ମନୋହର।

 

ହେ ମୁରଲୀଧର!

।୨।

 

 

ନବ ଯୁବତୀ ରୂପରେ ବାହାର।

 

ପ୍ରବେଶ ହୋଇଲ ମୋର ସମୀପେ

 

ମନ୍ଦେ ହସି ଭାଷିଲେ ଯେ ଅଳପେ

 

ବୋଇଲ ଗୋ ବୃଷଭାନୁ ନନ୍ଦିନୀ

 

ବାଳ ସୁଷମା ଶ୍ରୀକୃଷ୍ଣ ମୋହିନୀ।

 

ହେ ରାଜନନ୍ଦିନୀ!

।୩।

 

 

ଲାଟ ବାସ ଦିଅ ମନମୋହିନୀ।

 

ଆସିଛି ମୁହିଂ ନୂଆ ରଜକିନୀ

 

ଉଜ୍ଜଳ କରିବି ମାନସ ଜାଣି

 

ନୀଳ ବାସ ଝଟକିବ ଯେ ପୁଣି

 

ଗୋପରେ ଛନ୍ତି ଯେତେ ରଜକିନୀ।

 

କି ଗୋ ଜେମାମଣି!

।୪।

 

 

ନଅ ଗୋ କାମ ପରଖିଣ ପୁଣି।

 

ନୀଳ ଶାଢୀ ଆଣି ଦେଲି ତୁରିତେ

 

ବାରି ନ ପାରିଲି ମୁଂ ଅନ୍ତର୍ଗତେ

 

ଝୀନ କାଞ୍ଚୁଲୀକି ଦେଲି ତ ମୁହିଂ

 

ନାରୀ ଜାଣି ଲଜ୍ୟା ଯେ ହୋଇ ତହିଂ ।

 

ହେ ପ୍ରାଣ ମାଧୋଇ!

।୫।

 

 

ତେରଛ ନୟନେ ଚାହିଂଲି ରହି।

 

ନିରେଖୁଥିଲି ତୋ ହାସ୍ୟବଦନ

 

ବାସ ଗୋଟାଇ ନେଲ ତତକ୍ଷଣ

 

ଯତନରେ ତହିଂ ବୁଜୁଳି ବାନ୍ଧି

 

ଚଳିଲା ବେଳକୁ ପିଠିରେ ଲଦି।

 

କି ହେ ଦୟାନିଧି!

।୬।

 

 

ସଖୀ ଶିଖାଇ ଦେଲେ କି ଏ ବୁଦ୍ଧି।

 

ଚିହ୍ନ ଚିହ୍ନ ଗୋ ଆସିଣ ରାଧିକା

 

ଏହି ସେହି ଶଠ ମନ୍ଦର ଟେକା

 

ହସ ହସ ମୁଖେ ଯାନ୍ତି ପଳାଇ

 

ଧାଇଂ ଧରିଲେ ବେଗେ କରି ହୋଇ।

 

ହେ କଳା କହ୍ନାଇ!

।୭।

 

 

ଚିହ୍ନାପଡ଼ି ସେଠୁ ଗଲ ପଳାଇ।

 

ଶୁଣରେ କିଶୋରୀ ମୋ ସ୍ନେହାଧୀନା

 

ରଜକିନୀ ଯହିଂ ପାଇଂକି ସିନା

 

ତୋର ପିନ୍ଧବାସ ଲଭିବା ପାଇଂ

 

ତୋର ଦାସୀର ଦାସୀ ତହିଂ ହୋଇ।

 

ଗୋ ନବୀନା ରାଈ!

।୮।

 

 

ଯାଉଥିଲି ଦେଖା କରିବା ପାଇଂ।

 

ତୁ ମୋର ପରାଣ ଅଟୁରେ ସହୀ

 

ଚିହ୍ନା ପଡ଼ିଲେଟି ସେଠାରେ ମୁହିଂ

 

କେବା ନ ଜାଣେ ତୁ ମୋ ହୃଦେଶ୍ୱରୀ

 

ଦଣ୍ଡେ ମୁଂ ନ ଦେଖି ହୁଏ ଯେ ଘାରି।

 

ମୋ ହୃଦ ପଞ୍ଜୁରୀ!

।୯।

 

 

ତୁ ତ ମଇନା ମୋ ରାଈ କିଶୋରୀ।

 

ଏଇପରି ଲୀଳା କରେ ମୁଂ ସିନା

 

ସବୁ କଥା ଜାଣୁରେ ବୀଣାଜିଣା

 

ତୋ ପ୍ରେମରେ ପଡ଼ି ମରୁଛି ସିନା

 

ଏହିପରି ରାଧା କୃଷ୍ଣଙ୍କ ବିନା।

 

ମୋ ପ୍ରୀତି ରାହାସ!

 

ଭାବରେ ଭଣିଲେ ଅଚ୍ୟୁତି ଦାସ।

।୧୦।

 

କଂସ ବଧ

(ଆହେ) ଗୋକୁଳରେ ଯେତେ ଲୀଳା କଲେ କହ୍ନାଇ।

 

ମାନବ ଦେହ ବହି କେ ପାରିବ କହି॥

।୧।

କଂସର ଯେ ଅଷ୍ଟମଲ୍ଲ ବିନାଶ କଲେ।

 

ପିତା ନନ୍ଦକୁ ବରୁଣ ପୁରୁ ଆଣିଲେ॥

।୨।

 

 

କେତେ କେତେ ଆପଦରୁ ଗୋପୀ ଗୋପାଳେ।

 

ରଖିଲେ ଶ୍ରୀକୃଷ୍ଣଚନ୍ଦ୍ର ଥାଇ ଗୋକୁଳେ॥

।୩।

କାଳୀକି ଦଳିଲେ କାଳିନ୍ଦୀରେ ଶ୍ରୀହରି।

 

ବିଷ ଜଳକୁ ଅମୃତ କଲେ ବିଚାରି॥

।୪।

 

 

ଭାବୁଥାଇ ଅନୁକ୍ଷଣେ ସେ କଂସାସୁର।

 

ଇକ୍ଷଣେ ନାଚନ୍ତି ରାମକୃଷ୍ଣ ତାହାର॥

।୫।

ଅଷ୍ଟସଖା ଅଷ୍ଟସଖୀ ଘେନି କହ୍ନାଇ।

 

ଗୋପେ ଲୀଳା କଲେ ଆଠ ବରଷ ରହି॥

।୬।

 

 

ରଥ ଘେନି ଅକ୍ରୁର ଗୋପକୁ ଅଇଲା।

 

ଧନୁଯାତ୍ରା ଛଳେ ବେନି ଭାଇଙ୍କି ନେଲା॥

।୭।

ମଧୁପୁରେ ରଜକ ଯେ ମାଇଲେ ଯାଇ।

 

ଗନ୍ତାଇତ ବାସ କୁଞ୍ଜ ପିନ୍ଧାଏ ତହିଂ॥

।୮।

 

 

ମାଳାକାର ସୁଦାମାକୁ ମୋକ୍ଷ ସେ କଲେ।

 

କୁବୁଜାର ତିନିକୁଜ ସଳଖି ଦେଲେ॥

।୯।

କୁବଳୟା ହସ୍ତୀ ମାହୁନ୍ତକୁ ମାରିଣ।

 

ତହୁଂ ମୁଷ୍ଟିକେ ମାରିଲେ ଆଉ ଚାଣୁର॥

।୧୦।

 

 

କଂସାସୁର ବୀର ନେତ୍ରେ ଦେଖିଣ ମଲା।

 

ମଞ୍ଚା ଉପରୁ ସେ ବୀର ଟଳି ପଡ଼ିଲା॥

।୧୧।

ମନ୍ଦ ଜରାସନ୍ଧ ଧାଡ଼ିଦେଲା ଅପାର।

 

ତାହା ଯୋଗୁଂ ତେଜିଗଲେ ମଥୁରାପୁର॥

।୧୨।

 

 

ଦ୍ୱାରିକା ଭୁବନେ ବାସ କରି ରହିଲେ।

 

ସାତବଂଶ ଯାଦବ ଯେ ସଙ୍ଗତେ ଥିଲେ॥

।୧୩।

ଅଷ୍ଟ ପାଟବଂଶୀ ତହିଂ ବିଭା ହୋଇଲେ।

 

ରଇବତ ପର୍ବତରେ ଯାଗ ବିହିଲେ॥

।୧୪।

 

 

ପ୍ରଦ୍ୟୁମ୍ନ ଆଦି କୁମର ସେଠାର ଜାତ।

 

ପାଣ୍ଡବଙ୍କ ସଙ୍ଗେ ପ୍ରିୟ ହେଲେ ବହୁତ॥

।୧୫।

ଦୁର୍ଯ୍ୟୋଧନ ସଙ୍ଗେ ଗୋଳ ଦେଲେ ଲଗାଇ।

 

ପଡ଼ା ମାଗିଲେ ହସ୍ତିନାପୁରକୁ ଯାଇ॥

।୧୬।

 

 

ଦିନକୁ ଦିନ ସେ ବଢାଇଲେ ବିରୋଧ।

 

କୁରୁ ପାଣ୍ଡବରେ ହେଲା ଭାରତ ଯୁଦ୍ଧ॥

।୧୭।

ତେର ଜଣ ରହିକରି ସମସ୍ତେ ମଲେ।

 

ଯାଦବଙ୍କୁ ସଂହାରିବେ ବିଚାର କଲେ॥

।୧୮।

 

 

କାଦମ୍ବରୀ ପାନେ ଭୋଳ ହେଳେ ସକଳେ।

 

କୋକୁଆ ଭୟ ଯେ ଦେଖାଇଲେ ସେକାଳେ।

।୧୯।

ସାତବଂଶ ଯାଦବ ଯେ ହେଲେ ବିନାଶ।

 

ଜଳେ ବୁଡି ଦ୍ୱାରିକା ଯେ ରହିଲା ଶେଷ॥

।୨୦।

 

 

କୁଶସ୍ଥଳୀରେ ଶୟନ କଲେକ ଯାଇ।

 

ଜାରା ଶବର ଯେ ଶର ବିନ୍ଧିଲା ତହିଂ॥

।୨୧।

ଅର୍ଜୁନଠାରୁ ସେ କଳା ନେଇ ଚଳିଲେ।

 

ନୀଳମାଧବ ସ୍ୱରୂପେ ପୂଜା ପାଇଲେ॥

।୨୨।

 

 

ପଣ୍ଡୁ ରାଜାଙ୍କର ଚାରି କୁମର ମଲେ।

 

ଏକା ହୋଇ ଯୁଧିଷ୍ଠିର ସ୍ୱର୍ଗକୁ ଗଲେ॥

।୨୩।

ଦ୍ୱାପର ଚରିତ ଶେଷ ହୋଇଲା ଏଥି।

 

ଗୀତରେ ଭଣିଲେ ଯା ପାମର ଅଚ୍ୟୁତି॥

।୨୪।

 

ଓଗାଳ – ୧

ଶୁଣ ହେ ଗୋପାଳ ଭାଇ ମନ କର୍ଣ୍ଣ ଦେଇ।

 

କଥା ଏକ ପଚାରୁଛି ଦେବ ମୋତେ କହି॥

।୧।

ଶ୍ରୀକୃଷ୍ଣ ଅଙ୍ଗୁ ତୁମକୁ ଜନମ ଯେ କଲେ।

 

କେତେ ଚକ୍ର କରି ତୁମ୍ଭ ତନୁ ନିର୍ମାଣିଲେ॥

।୨।

 

 

କେଉଂ ଚକ୍ର କେତେ ଦଳ ଅଟଇ ରେ ଭାଇ।

 

ଗୋଟି ଗୋଟଇ କରି ମୋତେ କହିବ ବୁଝାଇ॥

।୩।

ଆବର ଗୋଟିଏ କଥା କହୁଅଛି ଜାଣ।

 

କେଉଂ ଦଳେ କେଉଂ ଦେବ କରିଛନ୍ତି ସ୍ଥାନ॥

।୪।

 

 

କେଉଂ ଦେବୀମାନେ ତାଙ୍କ ସଙ୍ଗତେ ଅଛନ୍ତି।

 

ବୁଝାଇଣ କହିବ ହେ ଗୋପର ସନ୍ତତି॥

।୫।

ପ୍ରଥମରେ କେଉଂ ବିଦ୍ୟା ପଢିଲ ହେ ଭାଇ।

 

ପଞ୍ଚାଶ ଅକ୍ଷର ମଧ୍ୟେ ଅଛି କିବା ନାହିଂ॥

।୬।

 

 

ଗୁରୁସେବା ଥିଲେ ସିନା କହିବ ବୁଝାଇ।

 

ଅଚ୍ୟୁତ ବୋଇଲେ ମୋର ଦୋଷ ଦେବ ନାହିଂ॥

।୭।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ମାତା ଗର୍ଭ କଥା ତୋତେ କହୁଛି ବୁଝାଇ॥

।୧।

ପଦ୍ମଚକ୍ର କଥା ଯାହା ପଚାରିଲ ମୋତେ।

 

ସଂକ୍ଷେପେ କହୁଛି ମୁହିଂ ଶୁଣ ଦିବ୍ୟଚିତ୍ତେ॥

।୨।

 

 

ମୂଳ କମଳରେ ଚାରି ଦଳ ଅଟେ ପୁଣି।

 

ବକ୍ରତୁଣ୍ଡ ଗଣପତି ସଙ୍ଗତରେ ଘେନି॥

।୩।

ଷଡ଼ ଯେ ପାଖୁଡ଼ା ଲତା କମଳର ତଳେ।

 

କାମେଶ୍ୱର ରହିଛନ୍ତି ରତି ଘେନି କୋଳେ॥

।୪।

 

 

ନାଭି କମଳ ଯେ ଦଶ ପାଖୁଡ଼ାରେ ହୋଇ।

 

ବ୍ରହ୍ମା ସାବିତ୍ରୀଙ୍କର ସେ ଆସ୍ଥାନ ଅଟଇ॥

।୫।

ହୃଦପଦ୍ମ ମଧ୍ୟରେ ଦ୍ୱାଦଶ ଦଳ ମୂଳେ।

 

ନାରାୟଣ ରହିଛନ୍ତି ଲକ୍ଷ୍ମୀ ଘେନି କୋଳେ॥

।୬।

 

 

କଣ୍ଠ କମଳ ଯେ ଷୋଳ ଦଳଟି ପ୍ରମାଣ।

 

ପଶୁପତି ରହିଛନ୍ତି ପାର୍ବତୀ ଘେନିଣ॥

।୭।

ଲଳାଟ ପଟରେ ବେନି ଦଳ ବିରାଜଇ।

 

ଆଦ୍ୟାଶକ୍ତି ଘେନି ନିରଞ୍ଜନ ଛନ୍ତି ରହି॥

।୮।

 

 

ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣକୁ ଆରେ ଭାଇ।

 

ଛାଡ଼ି ଆଗେ ସିଦ୍ଧିରସ୍ତୁ ପଢିଲଟି ମୁହିଂ॥

।୯।

ସଂକ୍ଷେପରେ କହିଲି ମୁଂ ସକଳ ତୁମ୍ଭଙ୍କୁ।

 

ଅଚ୍ୟୁତ ଦାସ ବୋଲନ୍ତି ଗୋପାଳମାନଙ୍କୁ॥

।୧୦।

 

ଓଗାଳ –୨

ଶୁଣ ଶୁଣ ଆହେ ଭାଇ କହୁଅଛି ମୁହିଂ।

 

ଏଡ଼େ ତମତମ କିମ୍ପା ହେଉଅଛୁ ତୁହି॥

।୧।

କୋପ ନ ନିବାରି ଭାଇ ସଭାରେ ବସୁଛ।

 

ଅଳପ କଥାରେ ଦାନ୍ତ ଦେଖାଇ ହସୁଛ॥

।୨।

 

 

କେଉଂ ପ୍ରକୃତି ବଶରୁ ଏଡ଼େ କୋପ ହୁଅ।

 

ଏଥିର ସଂଶୟ ସବୁ ଫିଟାଇଣ ଦିଅ॥

।୩।

କେଉଂ ପ୍ରବୃତ୍ତିର ଅଙ୍ଗ କିପରି ହୋଅଇ।

 

କାହୁଂ ତାଙ୍କ ଜନ୍ମ କାହିଂ ବାସ ଯେ ଅଟଇ॥

।୪।

 

 

ଭିନ୍ନ ଭିନ୍ନ କରି ସବୁ ବୁଝାଇ କହିବ।

 

ଅଚ୍ୟୁତ ବୋଲନ୍ତି ତେବେ ସଭାରେ ବସିବ॥

।୫।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା।

 

ମୁହିଂ ଛାର ଅଜ୍ଞାନ ଯେ କି କହିବି ତାହା॥

।୧।

ଗୁପତ ଅଟଇ ଏହୁ ଗୁରୁଙ୍କ ଭଣ୍ଡାର।

 

ଆସୁ କି ନ ଆସୁ କିଛି କହୁଛି ଛାମୁର॥

।୨।

 

 

ପୃଥ୍ୱୀ ଆପ ବାୟୁ ତେଜ ଆକାଶ ଦେହରେ।

 

ପଞ୍ଚଭୂତ ପ୍ରକୃତି ଅଛନ୍ତି ଯେ ପ୍ରକାରେ॥

।୩।

ସେହି ଭାବେ ତୋତେ ଭାଇ ବୁଝାଇ କହିବୁ

 

ଯେ ଯାହାର ଯେଉଂ ନାମ କହିଦେବା ସବୁ॥

।୪।

 

 

ପୃଥ୍ୱୀ ପାଞ୍ଚ ପ୍ରକୃତି କହିବା ଏବେ ଶୁଣ ।

 

ନାଳ ଝାଳ ମୂତ୍ର ବୀର୍ଯ୍ୟ ରକତ ପ୍ରମାଣ॥

।୫।

ଏମନ୍ତେ ପ୍ରକାର ଭାଇ ଏ ପାଞ୍ଚ ପ୍ରକୃତି।

 

ତେଜ କଥା ଶୁଣି ଏବେ ମନ କର ଶାନ୍ତି॥

।୬।

 

 

କ୍ଷୁଧା ତୃଷ୍ଣା ନିଦ୍ରା ଘେନି ତିନିଗୋଟି ଏହି।

 

ସପତ ସମୁଦ୍ର ଏହା ତହୁଂ ଜାତ ହୋଇ॥

।୭।

ଆଉ ଯେ ପ୍ରକୃତି ଏବେ ଶୁଣ ଦେଇ ମନ।

 

ବାୟୁର ଭିତରେ ପୁଣି ଅଛି ପାଞ୍ଚଜଣ॥

।୮।

 

 

ଧାପନ ଚଞ୍ଚଳ ବଳ ସହଜକୁ କରି।

 

ସ୍ଥିର ବୋଲି ପାଞ୍ଚ ଏହୁ ବୁଝ ହେ ବିଚାରି॥

।୯।

ବାୟୁର ସ୍ୱଭାବ ସିନା ଏସବୁରେ ବାବୁ।

 

ଆକାଶ ପ୍ରକୃତି ପୁଣ କହିଦେବା ସବୁ॥

।୧୦।

 

 

ଲୋଭ ମୋହ କାମ କ୍ରୋଧ ତାମସ ସହିତେ।

 

ଆକାଶର ପଞ୍ଚ ଏହୁ କହିଦେଲୁଂ ତୋତେ॥

।୧୧।

ଏହି ପ୍ରକୃତି ଦୋଷରୁ ରୋଗ ହୁଏ ଜାତ।

 

ଗୋପାଳଙ୍କ ହିତେ କହେ ଦାସ ଯେ ଅଚ୍ୟୁତ॥

।୧୨।

 

ଓଗାଳ – ୩

ଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ଆହୁରି କଥାଏ ଦାସେ ପଚାରୁଛି ମୁହିଂ॥

।୧।

ଲଲାଟରେ ତିଳେକ ଯେ ଘେନିଅଛ ଭାଇ।

 

କେବଣ ଚିତା ଯେ ସେହୁ କି ନାମ ବୋଲାଇ॥

।୨।

 

 

ଦୁଇ ପାଖେ ଦୁଇ ରେଖା ଶୋଭାବନ ହୋଏ।

 

ମଧ୍ୟରେ ଦିଶଇ ଟୋପି ତିଳେକ ଗୋଟାଏ॥

।୩।

ଦୁଇ ପାଖ ଗାର ଭାଇ କିସ ଅଟେ ପୁଣ।

 

ମଧ୍ୟରେ ଯେ ଟୋପି କେହୁ କୁହ ବୁଝାଇଣ॥

।୪।

 

 

ସିଦ୍ଧଗୁରୁ ସେବିଥିଲେ କହିବୁରେ ଭାଇ।

 

ଅଣଗୁରୁ ହୋଇଥିଲେ ଜାଣିବ ବା କାହିଂ॥

।୫।

ଚିତାର ମରମ ଭାଇ ଯେବେ କହିଦେବ।

 

ତେବେ ସିନା ତିଳକ ଯେ ଲଳାଟେ ବହିବ॥

।୬।

 

 

ଅଚ୍ୟୁତ ବୋଲନ୍ତି ନ କହିଲେ ଯେ ଏଠାରେ ।

 

ଗୁରୁ ଦ୍ୱାହି ତୁମ୍ଭଙ୍କୁ ତା ବହିବଟି ଶିରେ॥

।୭।

ଉତ୍ତାର

ଶୁଣ ଶୁଣ ଭାଇମାନେ ପଚାରିଲ ଯାହା।

 

ତହିଂର ବୃତ୍ତାନ୍ତ ଏବେ କହୁଅଛି ତାହା॥

।୧।

ଦିବ୍ୟ ଚିତ୍ତେ ଶୁଣ ଭାଇ ଦେଇ ମନକର୍ଣ୍ଣ।

 

ବ୍ରହ୍ମା ବିଷ୍ଣୁ ଶିବ ତିନି ଅଟନ୍ତି ସେ ପୁଣ॥

।୨।

 

 

ଡ଼ାହାଣେ ବସନ୍ତି ବ୍ରହ୍ମା ବାମେ ପଞ୍ଚାନନ।

 

ମଧ୍ୟରେ ଅଛନ୍ତି ବିଷ୍ଣୁ ରତ୍ନ ସିଂହାସନ॥

।୩।

ନିର୍ମଳ ଭାବେଣ ଯେ ପବିତ୍ର ଦିବ୍ୟ ସ୍ଥାନ।

 

ଏକାନ୍ତର ଗୋଟି ସେହୁ ରତ୍ନ ସିଂହାସନ॥

।୪।

 

 

ଭକତ ଲଳାଟ ପଟେ ଆସନଟି ସେହି।

 

ଶ୍ରୀହରି ମନ୍ଦିର ତୋର କଷଟି ବୋଲାଇ॥

।୫।

ଶ୍ରୀହରି ଅଟନ୍ତି ଆମ୍ଭ ଇଷ୍ଟଦେବ ଯେଣୁ।

 

ଶ୍ରୀହରି ମନ୍ଦିର ଚିତା ବହୁ ଆମ୍ଭେ ତେଣୁ॥

।୬।

 

 

ତିଳକ ମହିମା ଭାଇ କହିଲି ଯେ ଏତେ।

 

ଅଚ୍ୟୁତ ଦାସ କହନ୍ତି ଗୋପାଳଙ୍କ ହିତେ॥

।୭।

 

ଓଗାଳ – ୪

ଶୁଣ ହୋ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ଭଲା ସନ୍ଧି କଥା ମନେ ପଡ଼ିଲା ତୁହାଇ॥

।୧।

ରାଧାକୃଷ୍ଣ କଥା ଭାଇ ଅପୂର୍ବ ରହସ୍ୟ।

 

ଶୁଣିଲେ ଗୋପାଳ ଭାଇ ହୋଇବେ ସନ୍ତୋଷ॥

।୨।

କେଉଂଦିନ ଚନ୍ଦ୍ରସେଣା କୃଷ୍ଣ ବେଶ ହେଲା।

 

ଏକଥା ଶୁଣିଣ ଭାଇ ସନ୍ଦେହ ଲାଗିଲା॥

।୩।

କୃଷ୍ଣ ରୂପ ଦେଖି କୋପ କରେ ଚନ୍ଦ୍ରସେଣା।

 

ସେ କିମ୍ପା କୃଷ୍ଣ ରୂପକୁ କରିଲା ଧାରଣା॥

।୪।

ଏକଥା ବିଚାରି ଭାଇ କହିବଟି ବାଛି।

 

ବହୁଦିନୁଂ ଏ କଥାରେ ସନ୍ଦେହ ମୋ ଅଛି॥

।୫।

ଆହୁରି କଥାଏ ଦାସେ ପଡ଼ିଲା ମୋ ମନ।

 

କହିବା କଥା ବୁଝାଇ ଦେବ ହୋ ବହନ॥

।୬।

ଗୋବର୍ଦ୍ଧନ କେଉଂଠାରେ ଚନ୍ଦ୍ରାବଳୀ ହେଲେ।

 

ଏ କଥାଟି ମୋତେ ଭାଇ କହିଦେବୁ ଭଲେ॥

।୭।

ପୁରୁଷ ହୋଇଣ କିମ୍ପା ସ୍ତ୍ରୀ ରୂପ ହୋଅଇ।

 

ମୋତେ କହିବଟି ଭଲା ଏ କଥା ବୁଝାଇ॥

।୮।

 

 

ଗୋଟି ଗୋଟି କରି ମୋତେ ଦେବ ସବୁ କହି।

 

ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି॥

।୯।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା।

 

ପଦ ପଦ କରି ଏବେ କହିଦେବା ତାହା॥

।୧।

ବାଳୁତ କୁମର ମୁହିଂ ନ ଜାଣଇ କିଛି।

 

ଯାହା ଅଳ୍ପ ଜାଣେ ତାହା କହୁଅଛି ବାଛି॥

।୨।

 

 

ଦିନେ ରାଧା ସହସ୍ର କୁମ୍ଭରେ ଜଳ ଆଣି।

 

ଦିଅନ୍ତେ କୃଷ୍ଣଙ୍କୁ ଭଲ ହେଲେ ବେଣୁପାଣି॥

।୩।

ସେହିଦିନୁ ସତୀ ବୋଲି ଜାଣିଲେ ସମସ୍ତେ।

 

ଆନନ୍ଦ ମନେ ରହିଲେ ସର୍ବ ଗୋପ ଲୋକେ॥

।୪।

 

 

ମଧୁମଙ୍ଗଳ ଯେ ଭାବି ଦିନେ ଏକାନ୍ତରେ।

 

ରାଧା ଅସତୀ ଘୋଷଣା ହେବ କି ପ୍ରକାରେ॥

।୫।

ଏକଦିନେ ପତ୍ର ଖଣ୍ଡେ ଲେଖିଲେ ଶ୍ରୀକରେ।

 

ରାଧା ଦେଇଛନ୍ତି ବୋଲି ଲେଖଇ ପତ୍ରରେ॥

।୬।

 

 

 

 

ଆହେ ପ୍ରାଣେଶ୍ୱର ମୋର ହୃଦୟର ହାର।

 

ବହୁଦିନ ଦେଖା ନ ଦେଲ ହେ ପ୍ରାଣେଶ୍ୱର॥

।୭।

ଜାଣିଥାଅ ଏବେ ଦେବାଳୟ ସ୍ଥାନ।

 

ଭଙ୍ଗା ପଡ଼ିଅଛି ଏବେ ନାମ ଦଧିଗ୍ରାମ

।୮।

 

 

ନିର୍ଜନ ସ୍ଥାନ ଅଟଇ ଜାଣିଥିବ ସେହି।

 

ଆସିଲେ ସେସ୍ଥାନେ ଭେଟ ହେବ ହେ ମାଧୋଇ ॥

।୯।

ଏମନ୍ତ ଲେଖିଣ ବାର୍ତ୍ତା ପତ୍ରକୁ ମୁଦିଲେ।

 

ଆପଣା ହସ୍ତରେ ଧରି ନିଜେ ବାହାରିଲେ॥

।୧୦।

 

 

ଚିତ୍ରାକୁ ଦେଖିଣ କହେ ସେ ମଧୁମଙ୍ଗଳ।

 

ବେଗହୋଇ ଯାଅ ତୁହି ସେ ଗୋପ ନଗର॥

।୧୧।

ରାଧାଙ୍କୁ କହିବାଯାଏ ରଖିଥିବେ ସେହି।

 

ଚନ୍ଦ୍ରସେଣା ପତ୍ର ପଢି ରଖିଦେବ ଯହିଂ॥

।୧୨।

 

 

ସେ ପତ୍ରକୁ ବେଗେ ନେଇ ଚିରି ପକାଇବ।

 

ଏ କଥା ଜାଣିଥା ସଖୀ ନିଶ୍ଚୟ କରିବ॥

।୧୩।

ଏବେ ଏହି ପତ୍ର ଆଗେ ନିଅ ସହଚରୀ।

 

ଏ ପତ୍ର ପାଇଣ ବେଗେ ଯାଅ ଗୋ ଚତୁରୀ॥

।୧୪।

 

 

 

 

ଏହା ଶୁଣି ଚିତ୍ରରେଖା ସେହିପରି କଲା।

 

ରାଧାଙ୍କୁ କହିଣ ପୁଣି ଫେରିଣ ଅଇଲା ॥

।୧୫।

ଚିତ୍ରରେଖା ବାଟେ ଚନ୍ଦ୍ରସେଣାକୁ ଭେଟିଲା।

 

ଅନେକ ତା ସଙ୍ଗେ ପୁଣି ଦୁଃଖସୁଖ ହେଲା॥

।୧୬।

 

 

ଦୁଃଖସୁଖ ହୋଇ ପୁଣି ପତ୍ର ଛାଡ଼ିକରି।

 

ଚାଲି ଆସିଲା ତା ପାଶୁଂ ନ ଜାଣିଲା ପରି॥

।୧୭।

ପତ୍ରକୁ ଦେଖିଣ ଚନ୍ଦ୍ରସେଣା ଚାହେଂ ପୁଣି।

 

ଏ କିସ ଛାଡ଼ିଲା ପୁଣ ଗୋପର ତରୁଣୀ॥

।୧୮।

 

 

ଦେଖିଲା ଲେଖା ହୋଇଛି ରହସ୍ୟ ବିଷୟ।

 

କୃଷ୍ଣଙ୍କୁ ଡ଼ାକିଛି ରାଧା ଦେଖି ତା ବିସ୍ମୟ॥

।୧୯।

ଏ କଥା ପରୀକ୍ଷା କରି ରାଧାଙ୍କୁ ଡ଼ାକିବି।

 

କିପରି ତା ସତୀପଣ ଆଜି ଛଡ଼ାଇବି॥

।୨୦।

 

 

ପତ୍ର ପଢିକରି ପୁଣି ଚାଳରେ ଖୋସିଲା॥

 

କୃଷ୍ଣ ହୋଇ ଯିବି ନିଶ୍ଚେ ମନରେ ଭାଳିଲା॥

।୨୧।

ଚିତ୍ରାଠାରୁ ଶୁଣିଥିଲା ରାଧିକା ସୁନ୍ଦରୀ।

 

ପତ୍ର ନେଇକରି ବେଗେ ପକାଇଲା ଚିରି॥

।୨୨।

 

 

 

 

ଆହୁରି କଥାଏ ଦାସେ ଶୁଣ ମନ ଦେଇ।

 

ମଧୁମଙ୍ଗଳ ଯେ ଆନ ପତ୍ର ଲେଖେ ତହିଂ॥

।୨୩।

ଆରେ ପ୍ରାଣସଖୀ ଚନ୍ଦାବଳୀ ତୁହି ମୋର।

 

ତୋର ବିଚ୍ଛେଦରେ ମୁହିଂ ହୋଇଲି ଅସ୍ଥିର॥

।୨୪।

 

 

ନଦୀ ବାଟ ଘାଟ ସବୁ ଆଡ଼ ଜଗି ଥାଇ।

 

ତୋ ଦେଖା ନ ପାଇ ପୁଣି ବାତୁଳ ହୁଅଇ॥

।୨୫।

ଏ ପତ୍ର ପାଇଣ ତୁମ୍ଭେ ନିଶ୍ଚୟ ଆସିବ।

 

ଭଙ୍ଗା ଦେଉଳର ପାଶେ ଆସିଣ ମିଳିବ॥

।୨୬।

 

 

ଦଧିଗ୍ରାମ ବୋଲି ସଖୀ ଜାଣିଥାଅ ତୁହି।

 

ସନ୍ଧ୍ୟା ଗଲେ ନିଶ୍ଚୟ ଆସିବୁ ପ୍ରାଣସହୀ॥

।୨୭।

ଏହା ଲେଖି ପତ୍ରକୁ ସେ ନିଜେ ମୁଦିଦେଲା।

 

ନିଜ ହାଥେ ଧରି ତାହା ବାହାର ହୋଇଲା॥

।୨୮।

 

 

ନିର୍ଜନ ସ୍ଥାନେ ବସିଛି ଗୋବର୍ଦ୍ଧନ ମଲ୍ଲ।

 

ତାର ପାଶେ ପ୍ରବେଶିଲା ସେ ମଧୁମଙ୍ଗଳ॥

।୨୯।

ଆସିଲା ବାଟରେ ସେହି ଶୈବ୍ୟାକୁ ଦେଖିଣ।

 

ବୋଇଲା ଚନ୍ଦ୍ରମାମୁହାଂ କଥା ମୋର ଶୁଣ॥

।୩୦।

 

 

 

 

ଚନ୍ଦ୍ରାବଳୀ ପାଖକୁ ଗୋ ବେଗହୋଇ ଯିବୁ।

 

ରହସ୍ୟ କଥା ହୋଇଛି ବୋଲିଣ କହିବୁ॥

।୩୧।

ଗୋବର୍ଦ୍ଧନ ମଲ୍ଲ ଚିଠି ପଢିକରି ନେଇ।

 

ଚାଳରେ ଖୋସିବ ଚାହିଂଥିବୁ ଚନ୍ଦ୍ରମୁହାଂ॥

।୩୨।

 

 

ସେ ପତ୍ରକୁ ବେଗେ ନେଇ ଚିରି ପକାଇବ।

 

ଏ କଥା ଜାଣିଥା ସଖୀ କେହି ନ ଜାଣିବ॥

।୩୩।

ମଧୁମଙ୍ଗଳ ଯାଆନ୍ତେ ଗୋବର୍ଦ୍ଧନ ମଲ୍ଲ।

 

ଦେଖିଲା ଖଣ୍ଡିଏ ପତ୍ର ପଡ଼ିଛି ଭୂମିର॥

।୩୪।

 

 

ପତ୍ରକୁ ଉଠାଇ ପୁଣି ଖୋଲି ଯେ ଦେଖିଲା।

 

ଶ୍ରୀକୃଷ୍ଣ ଆତୁର ହୋଇ ଲେଖିଛି ଜାଣିଲା॥

।୩୫।

ସବୁଦିନେ ଧିଟପଣ କରୁଅଛି ଚୋର।

 

ଆଜି ଚନ୍ଦ୍ରାବଳୀ ରୂପେ ହେବି ମୁଂ ନିକର॥

।୩୬।

 

 

ଦେବାଳୟ ସ୍ଥାନେ ମୁହିଂ ପହଞ୍ଚିବି ଯାଇ।

 

କୃଷ୍ଣର ଗାରିମା ଆଜି ଦେବି ମୁଂ ଛଡ଼ାଇ॥

।୩୭।

ପତ୍ର ପଢିସାରି ପୁଣି ଚାଳରେ ଖୋସିଲା।

 

ଚନ୍ଦ୍ରାବଳୀ ଚିଠି ନେଇ ଚିରି ପକାଇଲା॥

।୩୮।

 

 

 

 

ଏଣେ ମଧୁମଙ୍ଗଳ ଯେ ସଖାଙ୍କୁ ଡ଼ାକିଣ।

 

ବୋଲନ୍ତି ଅପୂର୍ବ କଥା ଶୁଣ ସଖାଗଣ॥

।୩୯।

ନଣ୍ଡା ଦେଉଳକୁ ନିତି ପ୍ରତି କିଏ ଆସି।

 

ଆନନ୍ଦେ ରହନ୍ତି ଏଥି ହୋଇଣ ବିଳାସୀ॥

।୪୦।

 

 

ଆଜି ଆମ୍ଭେମାନେ କରେ ଦିହୁଡ଼ି ଜାଳିଣ।

 

ଚିହ୍ନିବା ସେ କେଉଂ ଲୋକ କରେ ଦୁଷ୍ଟପଣ॥

।୪୧।

ଏହା କହି ସମସ୍ତେ ଯେ ଲୁଚିଣ ବସିଲେ।

 

ଏଣ ନଗରରେ ମଧୁମଙ୍ଗଳ ଭାବିଲେ॥

।୪୨।

 

 

ବହୁଦିନ ରାଧା ସଙ୍ଗେ କୃଷ୍ଣ ଭେଟ ନାହିଂ।

 

ଆଜି ଏକାକୀ ରହିବ ରାଧା ଚନ୍ଦ୍ରମୁହୀ॥

।୪୩।

ଚନ୍ଦ୍ରସେଣା ପତ୍ର ପାଇ କୃଷ୍ଣରୂପ ହୋଇ।

 

ଦେବାଳୟେ ଆସିବ ସେ ଜାଣିଅଛି ମୁହିଂ॥

।୪୪।

 

 

ଏତେ କହି କୃଷ୍ଣ ପାଶେ ବେଗେ ଚଲିଗଲେ।

 

ମଉନେ ଅଛନ୍ତି କୃଷ୍ଣ ଯାଇଣ ଭେଟିଲେ॥

।୪୫।

ସଖାଙ୍କୁ ଦେଖିଣ କୃଷ୍ଣ ବୋଲନ୍ତି ବଚନ।

 

କେଣେ ଆସିଅଛ ମନ ହେଉଛି ଉଚ୍ଛନ୍ନ॥

।୪୬।

 

 

 

 

ମଧୁମଙ୍ଗଳ କହନ୍ତି ଶୁଣ ନଟବର।

 

ଆଜ ଏକ ଭିଆଇଛି ଅଦ୍ଭୁତ ବ୍ୟାପାର॥

।୪୭।

ଏକା ହୋଇ ରହିଅଛି ରାଧା ଚନ୍ଦ୍ରମୁଖୀ॥

 

ଚନ୍ଦ୍ରସେଣା ତାହାଙ୍କୁ ଯେ ଆସିଛି ଉପେକ୍ଷି॥

।୪୮।

 

 

ରାଧା ସଙ୍ଗେ ତୁମ୍ଭେ ଯାଇ ମେଳ ହୋଇକରି।

 

ଚନ୍ଦ୍ରାବଳୀ ପୁରେ ଯିବ ଆହେ ବଂଶୀଧାରୀ॥

।୪୯।

ଆମ୍ଭେ ସଖାଗଣ ଥିବୁ ଦେବାଳୟ ସ୍ଥାନେ।

 

ପ୍ରବେଶ ହୋଇବ ଯାଇ ତହିଂ ସନ୍ନିଧାନେ॥

।୫୦।

 

 

ଏତେ କହି ବେଗ ହୋଇ ସେ ମଧୁମଙ୍ଗଳ।

 

ପ୍ରବେଶ ହୋଇଲେ ଯାଇ ଦଧିଗ୍ରାମ ପୁର॥

।୫୧।

ସଖା ସଙ୍ଗେ ସେ ସ୍ଥାନରେ ନିଶ୍ଚିନ୍ତେ ବସିଲେ।

 

ସର୍ବ ବିଷୟ ଭାବିଣ ଆନନ୍ଦିତ ହେଲେ॥

।୫୨।

 

 

ଏଣେ ଚନ୍ଦ୍ରସେଣା ସ୍ୱୟଂ କୃଷ୍ଣ ରୂପ ହେଲା।

 

ମୟୂର ଚନ୍ଦ୍ରିକା ପୁଣି ଶିରରେ ଖୋସିଲା॥

।୫୩।

କରେ ବାହୁଟି କଙ୍କଣ ପାଟ ପୀତାମ୍ବର।

 

ଭଙ୍ଗା ବଂଶୀ ଖଣ୍ଡେ ଧରି ଚାଲେ ଧୀର ଧୀର॥

।୫୪।

 

 

 

 

ବିଚାରଇ ମନେ ମନେ ଅତି କ୍ରୋଧ ହୋଇ।

 

ଆଜି ରାଧା ସତୀପଣ ଦେବି ମୁଂ ଛଡ଼ାଇ॥

।୫୫।

ଏଣେ ଗୋବର୍ଦ୍ଧନ ଚନ୍ଦ୍ରାବଳୀ ବେଶ ଧରି।

 

ବାହାର ହୋଇଲା ପୁଣି ବେଗ ହୋଇକରି॥

।୫୬।

 

 

ଆଜ ଦେବାଳୟ ସ୍ଥାନେ ପ୍ରବେଶ ହୋଇବି।

 

କୃଷ୍ଣର ଗାରିମା ନିଶ୍ଚେ ଛଡ଼ାଇଣ ଦେବି॥

।୫୭।

ଏତେ କହି ପ୍ରବେଶିଲା ଦେବଙ୍କ ମନ୍ଦିରେ।

 

ଓଢ଼ଣୀ ଟାଣି ଆସିଣ ବସିଲା କୋଣରେ॥

।୫୮।

 

 

ଚନ୍ଦ୍ରସେଣା ପୁଣି ଅନ୍ତରରେ ରାଗ ହୋଇ।

 

ବଂଶୀକି ଧରି ମିଳିଲେ ଦେବାଳୟେ ଯାଇ॥

।୫୯।

ଭିତରେ ପଶନ୍ତି ଯାଇ ସାଜି ନଟବର।

 

ରାଧା ଆସିଲେଣି ବୋଲି ଭାବଇ ମନର॥

।୬୦।

 

 

ଭାବୁ ଭାବୁ ଭେଟିଲେ ଯେ କଣ କନ୍ଦି ପୁର।

 

ମାୟା ରାଧା ଉଠିଲେ ଯେ ହୋଇ ତତପର॥

।୬୧।

ଦୁହେଂ ଯାଇ କୁଣ୍ଢାକୁଣ୍ଢି ମିଳାମିଳି ହେଲେ।

 

ଶବ୍ଦ ଶୁଣି ଗୋପାଳେ ଯେ ହୁଳା ଜାଳିଦେଲେ॥

।୬୨।

 

 

 

 

ହୁଳାଜାଳି ଦେଖନ୍ତି ସେ ମାୟା କୃଷ୍ଣ ରାଧା।

 

ରାଧାପୁରେ କୃଷ୍ଣ ତେଣେ ପାଇ ପ୍ରେମ ସୁଧା॥

।୬୩।

ସଖା କଥା ମନେପଡ଼ିବାରୁ ବେଗ ହୋଇ।

 

ବେଗେ ବେଗେ ପ୍ରବେଶିଲେ ଦେବାଳୟେ ଯାଇ॥

।୬୪।

କୃଷ୍ଣ ଆସିବା ଦେଖିଣ ସଖୀଗଣ ମାନ।

 

ଆନନ୍ଦେ ନାଚନ୍ତି ତାଳି ଦେଇଣ ବହନ॥

।୬୫।

ଆସ ଦେଖିବ ହେ ଭାଇ ତୁମ୍ଭ ମାମୁ ଗୁଣ।

 

ରାଧା କୃଷ୍ଣ ବେଶ ହୋଇଛନ୍ତି କାହିଂ ପୁଣ॥

।୬୬।

କୃଷ୍ଣ ଦେଖିଲେ ସେଠାରେ ଭାଇ ଗୋବର୍ଦ୍ଧନ।

 

ପଚାରିଲେ କାହିଂପାଇଂ ଏ କିସ ଭିଆଣ॥

।୬୭।

ଲଜ୍ଜାରେ ତାହାକୁ କିଛି ଉତ୍ତର ନ ଦେଇ।

 

ଛାଡ଼ିଦିଅ ଆହେ କୃଷ୍ଣ ନ ପଚାର ତୁହି॥

।୬୮।

ସଖାଏ ତାଳି ଦେଇଣ ହସନ୍ତି ନିକର।

 

ଆଉ କେବେ ନ ଆସିବୁଂ ଏ ଦେବ ମନ୍ଦିର॥

।୬୯।

ଲଜ୍ଜାପାଇ ତଳମୁଖ ହୋଇଣ ବସିଲେ।

 

ଜାଣିପାରି କୃଷ୍ଣଚନ୍ଦ୍ର ତାଙ୍କୁ ଛାଡ଼ିଦେଲେ॥

।୭୦।

ପଚାରିବା କଥା ଭାଇ କହିଲି ବୁଝାଇ।

 

ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି॥

।୭୧।

 

Unknown

ଓଗାଳ – ୫

ଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ।

 

ଆଉ କେତେ ପଦ କଥା ପଚାରୁଛି ମୁହିଂ॥

।୧।

କେଉଂ ଗୁରୁଠାରୁ ଭାଇ ଶିକ୍ଷା କଲ ତୁମ୍ଭେ।

 

ତହିଂର ବୃତ୍ତାନ୍ତ ଏବେ ପଚାରୁଛୁ ଆମ୍ଭେ॥

।୨।

କେଉଂ ଗୁରୁ ଶିକ୍ଷାରୁ ଯେ କି ଫଳ ହୋଅଇ।

 

ଏହା ମୋତେ ବୁଜାଇଣ କହିଦେବ ଭାଇ॥

।୩।

କେଉଂ ଗୁରୁ ଶିକ୍ଷାରୁ ଯେ ବୈକୁଣ୍ଠେ ବସଇ।

 

କେଉଂ ଗୁରୁ ଶିକ୍ଷାରୁ ଯେ ନରକେ ପଡ଼ଇ॥

।୪।

କେଉଂ ଗୁରୁ ପ୍ରସାଦେ ଯେ ଲଭଇ ପୁରୁଷ।

 

କେଉଂ ଗୁରୁ ଯୋଗେ ଲଜ୍ଜା ପାଇ ହୋଏ ନାଶ॥

।୫।

ଗୁରୁ ଶିକ୍ଷା କରିଥିଲେ କହିବ ହେ ଭାଇ।

 

ଅଣଗୁରୁଆ ଥିଲେ ଏହା ଜାଣିବ ଯେ କାହିଂ॥

।୬।

ଉତ୍ତର ନ କହି ଭାଇ ଯେବେ ଘରେ ଯାଉ।

 

ରମଣୀ ଉଚ୍ଛିଷ୍ଟ ତୋର ପିତୃଶ୍ରାଦ୍ଧେ ଦେଉ॥

।୭।

ଉତ୍ତର ନ କହି ଯେବେ ସଭାରେ ତୁ ବସୁ।

 

ଶୁକର ଯୋନିରେ ଜନ୍ମହୋଇ ହେବୁ ପଶୁ॥

।୮।

ଉତ୍ତର ନ କହି ଯେବେ ମୁହିଂ ନ ଫିଟାଉ।

 

ମରିଲେ ବିଲୁଆ ହୋଇ କରିବୁ ହୁକେ ହୁ॥

।୯।

ଆହେ ଭାଇମାନେ ରୋଷ ନ ବହିବ ଚିତ୍ତେ।

 

ଅଚ୍ୟୁତ ବୋଲନ୍ତି ଏହା ଗୋପାଲଙ୍କ ହିତେ॥

।୧୦।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ହେତୁକରି ତୁହି।

 

ସଦଗୁରୁ ଉପଦେଶ ନ କହିବୁ କାହିଂ॥

।୧।

ଉତ୍ତମ ମଧ୍ୟମ ପୁଣି ଅଛଇ ଅଧମ।

 

ତିନି ପ୍ରକାରେ ଯେ ସବୁ ହୋଇଛି ନିୟମ॥

।୨।

ଉତ୍ତମ ଗୁରୁ ନିକଟେ ଶିକ୍ଷା ଥିଲେ ଭାଇ।

 

ଉତ୍ତମ ଫଳ ଲଭିବ ଶାସ୍ତ୍ର ଅଛି କହି॥

।୩।

ମଧ୍ୟମଠାରୁ ମଧ୍ୟମ ଫଳ ହୋଏ ଜାଣ।

 

ଅଧମ ଗୁରୁ ଯେ ସିନା ମରଣ ସମାନ॥

।୪।

ଆହେ ଭାଇମାନେ ରୋଷ ନ ବହିବ ଚିତ୍ତେ।

 

ଯାହା ପୁର୍ବୁଂ ଶୁଣିଥିଲି କହିଲି ତୁରିତେ॥

।୫।

ଯେଉଂ ଗୁରୁ ଶ୍ରୀଚରଣ ସ୍ପର୍ଶ କଲେ ଜନ।

 

ସର୍ବ ପାପ ନାଶି ବୈକୁଣ୍ଠକୁ ଯିବ ପ୍ରାଣ॥

।୬।

 

 

ଇହଜନ୍ମେ ଯଶ ଲଭୁଂ ଅନ୍ତେ ଯେ ମୁକତି।

 

ଏମନ୍ତେ ଗୁରୁ ଚିହ୍ନିଣ ସେବ ଦିନରାତି॥

।୭।

ଆହେ ଭାଇ କଳିଯୁଗେ ଅଧମ କେତେକ।

 

ଗୁରୁ ବୋଲାଇଣ ଦେଖାବନ୍ତି ନିଜ ଟେକ॥

।୮।

 

 

ରଜକ ଚାଣ୍ଡାଳ ଆଦି ଯେତେ ଛୋଟ ଜାତି।

 

ସେମାନେ ଏହାଙ୍କ ଦ୍ୱାରେ ପାଣି ନ ଛୁଅଂନ୍ତି॥

।୯।

ଏପରି ନିକୃଷ୍ଟ ଲୋକେ ଗୁରୁ କରି ଭାଇ।

 

ଇହ ଜନ୍ମେ ଲଜ୍ଜା ଅନ୍ତେ ନର୍କରେ ପଡ଼ଇ॥

।୧୦।

 

 

ଗୋପାଳମାନେ ଅଟନ୍ତି ବ୍ରାହ୍ମଣ ସମାନ।

 

ନୀଚଠାରୁ ଶିକ୍ଷାନେବା ଧିକ ତାକ ଜନ୍ମ॥

।୧୧।

ସିଂହ ହୋଇ ଶ୍ୱାନ ଆଣି ମସ୍ତକେ ବହିବା।

 

ଧିକ ତାଙ୍କ ଶିକ୍ଷା ଧିକ ନ ମରି ରହିବା॥

।୧୨।

 

 

ଆହେ ଭାଇମାନେ ସର୍ବେ ବୁଝି ଶିକ୍ଷା କର।

 

ଅଚ୍ୟୁତ ବୋଲନ୍ତି ଦୋଷ ନାହିଂଟି ମୋହର॥

।୧୩।

 

ଓଗାଳ – ୬

ରାଧାଙ୍କ କୃଷ୍ଣ ରୂପ

ଆହେ ଭାଇମାନେ ସର୍ବେ ହୋଇଅଛ ମେଳ।

 

ମନରୁ ସଂଶୟ ଫେଡ଼ି କହିବ ସକଳ॥

।୧।

ଗୋପପୁରେ କାହିଂ କୃଷ୍ଣ ହୋଇଥିଲେ ରାଜା।

 

କେଉଂମାନେ ତାଙ୍କର ଯେ ହୋଇଲେ ପରଜା॥

।୨।

 

 

ଅମୃତ ସାମଗ୍ରୀ ବନେ କାହୁଂ ସେ ପାଇଲେ।

 

କେବଣ ନାରୀ ତାହାଙ୍କୁ ପରଷିଣ ଦେଲେ॥

।୩।

କେଉଂଠାରେ ନନ୍ଦସୁତ ହୋଇଲେ ବୃଷଭ।

 

କେଉଂ ସଖା ଥିଲେ ସଙ୍ଗେ ବୁଝାଇ କହିବ॥

।୪।

 

 

କାହିଂକି ବୃଷଭ ହୋଇଗଲେ କେଉଂଠାରେ।

 

କେଉଁ ଅଭିଳାଷ ତାଙ୍କ ଥିଲାଟି ମନରେ॥

।୫।

କେଉଂଠାରେ କୃଷ୍ଣଚନ୍ଦ୍ର ହୋଇଥିଲେ ନାରୀ।

 

ଚିହ୍ନି ନ ପାରିଲେ ତାଙ୍କୁ କେତେ ବ୍ରଜବାଳୀ॥

।୬।

 

 

କେଉଂଠାରେ ବନମାଳୀ ନର୍ତ୍ତକୀ ହୋଇଣ।

 

ନାଚୁଥିଲେ କହିଦେବ ଗୋପାଳ ନନ୍ଦନ

।୭।

କେଉଂଠାରେ ରାସେଶ୍ୱରୀ କୃଷ୍ଣ ରୂପ ଧରି।

 

ମୂରଳୀ ବଜାଉଥିଲେ କହିବ ବିଚାରି॥

।୮।

ଆହେ ସର୍ବ ଦେଶ ଭାଇ କହିଦେବ ମୋତେ।

 

ଅଚ୍ୟୁତ କହନ୍ତି ଏହା ଗୋପାଳଙ୍କ ହିତେ॥

।୯।

ଉତ୍ତାର

ଶୁଣ ଭାଇମାନେ ଯାହା ପଚାରିଲ ଏଥେ।

 

ସଂଶୟ ଫେଇ ଉତ୍ତର କହୁଅଛି ତୋତେ॥

।୧।

ବତ୍ସା ଘେନି ଗୋଷ୍ଠେ ଯାଇଥିଲେ ବନମାଳୀ।

 

ବଳରାମ ସଙ୍ଗେ ସର୍ବ ଗୋପସୁତ ମିଳି॥

।୨।

 

 

କ୍ରୀଡ଼ା ରଙ୍ଗେ କୃଷ୍ଣଚନ୍ଦ୍ରେ ରାଜା ତହିଂ କରି।

 

ଗୋପସୁତେ ପ୍ରଜା ହୋଇ କରନ୍ତି ଗୁହାରି॥

।୩।

ଖେଳୁ ଖେଳୁ କ୍ଷୁଧା ଯହୁଂ ହୋଇଲା ପ୍ରବଳ।

 

କି କରିବୁ ବୋଲି ସର୍ବେ କରନ୍ତି ବିଚାର॥

।୪।

 

 

ତାହା ଜାଣି ଅନ୍ନପୂର୍ଣ୍ଣା ପ୍ରବେଶ ହୋଇଲେ।

 

ଅମୃତ ସାମଗ୍ରୀମାନ ପରିଷଣ ଦେଲେ॥

।୫।

ଆଉଦିନେ କୃଷ୍ଣ ମଧୁମଙ୍ଗଳ ସଙ୍ଗରେ।

 

ଚନ୍ଦ୍ରାବଳୀ ପୁରେ ଯାଉ ଯାଉ ବିଚାରିଲେ॥

।୬।

 

 

ଗୋପେ ଈଶ୍ୱରଙ୍କ ଷଷ୍ଠୀ ଯାତ୍ରାରେ ନିର୍ମିତ।

 

କଳା ବୃଷଭରେ ପ୍ରବେଶିଲେ ଦୁଇ ମିତ॥

।୭।

ଚନ୍ଦ୍ରବଳୀ ଅଭିସାର ପଥ ଜଗିଥିବେ॥

 

ଡ଼ରାଇ କୃଷ୍ଣପ୍ରୀତିରୁ ନିବୃତ୍ତ କରିବେ॥

।୮।

ଦେଖ କେତେ ନିଷ୍ଠା ତୁମ୍ଭ ଠାରେ ଜଣାଯିବ।

 

ଏହା କାରଣରୁ କୃଷ୍ଣ ହୋଇଲେ ବୃଷଭ॥

।୯।

ଆଉ ଏକ ଦିନେ କୃଷ୍ଣ ରାଧା ଭାବ ମାନ।

 

ଚିତ୍ତେ ବିଚାରି ମଦନେ ହୋଇଲେ ଉଚ୍ଛନ୍ନ॥

।୧୦।

ବିଚାରିଲେ ଆଜ ମୁହିଂ ନାରୀ ବେଶେ ଯିବି।

 

ରାଧା ସହିତରେ ସର୍ବ ଗୋପୀଙ୍କି ଭଣ୍ଡିବି॥

।୧୧।

ଏତେ ଭାଳି ନାରୀ ବେଶ ହୋଇ ତରତରେ।

 

ବେଗେ ଯାଇ ମିଳିଲେ ଯେ ଗୋପୀଙ୍କ ସଙ୍ଗରେ॥

।୧୨।

ସଙ୍ଗୀତ ଆରମ୍ଭ କଲେ ସର୍ବ ଗୋପବାଳୀ।

 

ନାରୀ ବେଶେ ତହିଂ ଯେ ନାଚନ୍ତି ବନମାଳୀ॥

।୧୩।

ସେହିଠାରେ ରାଧିକା ଯେ କୃଷ୍ଣ ରୂପ ହୋଇ।

 

ମୁରଳୀ ଧରି ବାଇଲେ କୃଷ୍ଣ ଗୁଣ ଗାଇ॥

।୧୪।

କୃଷ୍ଣ ତହିଂ ରାଧା ହୋଇ ବାମେ ଉଭା ହେଲେ।

 

ଅଚ୍ୟୁତ ବୋଲେ ଜାଣିବ ଗୁରୁ ସେବିଥିଲେ॥

।୧୫।

 

ଓଗାଳ – ୭

ଶୁଣ ହେ ଗୋପାଳ ସର୍ବେ ମନ କର୍ଣ୍ଣ ଦେଇ।

 

ଗେପାଳଙ୍କ ହିତେ ଏହା ଉଦ୍ଧାର କରଇ॥

।୧।

ଭଲା ସନ୍ଧି କଥା ମନେ ପଡ଼ିଲା ରେ ଭାଇ।

 

ଗୋପାଳ ଓଗାଳେ ଜାଣ ସମସ୍ତ କହଇ॥

।୨।

ଶୁଣିଲା ଦିନୁଂ ମୋର ଯେ ମନେ ରହିଥିଲା।

 

ତୁମ୍ଭଙ୍କୁ ଦେଖିଣ ମୋର ମନରେ ପଡ଼ିଲା॥

।୩।

ଶୁଣିଲା ଦିନୁଂ ସେକଥା ଲାଗେ ଆଚମ୍ବିତ।

 

ଏବେ ମୋତେ କହିଦେବ ତାହାର ରଚିତ॥

।୪।

କୃଷ୍ଣଙ୍କୁ ଦେଖିଲେ ପରା ଜଟିଳା କୁଟିଳା।

 

ବିଶ୍ୱ ନେତ୍ରେ ଚାହିଂ ଲଉଟାନ୍ତି ଆଖି ଡ଼ୋଳା॥

।୫।

ରାଧା କୁଞ୍ଜେ ଗଲେ ସେ ଯେ ଦେଉଥାନ୍ତି ଗାଳି।

 

କଳା କାହ୍ନୁ ସଙ୍ଗେ କଥା ନ କହିବୁ ବାଳୀ॥

।୬।

ସେ କେମନ୍ତେ କୃଷ୍ଣଙ୍କର ବିକଳ ନ ସହି।

 

ଲଳିତାଙ୍କୁ ଆଜ୍ଞା ଦେଲେ ଯାଅ ବାରେ ତୁହି॥

।୭।

ବିଶାଖାକୁ ସଙ୍ଗେ ନେଇ ବେଗହୋଇ ଯିବ।

 

କୃଷ୍ଣଙ୍କୁ ନେଇଣ ରାଧା ସଙ୍ଗେ ମିଳାଇବ॥

।୮।

 

 

ଏ କଥା ଗୋଟି ଜଟିଳା କହିଲେ କେମନ୍ତେ।

 

ଅଚ୍ୟୁତାନନ୍ଦ ବୋଲନ୍ତି ବୁଝାଅ ଯେ ମୋତେ॥

।୯।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ଦେଇ ମନ କର୍ଣ୍ଣ।

 

ଯାହା ପଚାରିଲ ତାର ଦେଉଛି ବର୍ଣ୍ଣନ॥

।୧।

ଏକ ଦିନେ ମାନ କରି ବୁଷଭାନୁ ସୁତା।

 

କୃଷ୍ଣଙ୍କ ମୁଖ ନ ଚାହିଂ ନ କହିଲେ କଥା॥

।୨।

 

 

ଶ୍ରୀକୃଷ୍ଣ ଯାଇଣ ବହୁ ବିନତି କରିଲେ।

 

ତଥାପି ରାଧିକା ମନେ ପ୍ରସନ୍ନ ନୋହିଲେ॥

।୩।

ତାହା ଦେଖି କୃଷ୍ଣଚନ୍ଦ୍ର ବିମୁଖ ହୋଇଣ।

 

କି ଉପାୟ କରିବି ମୁଂ ମନରେ ଭାବିଣ॥

।୪।

 

 

ଏତେ ଭାବି କୁନ୍ଦଲତା ସଖୀକି ଡ଼କାଇ।

 

କିସ ମୁଂ କରିବି ଏବେ କହ ପ୍ରାଣସହୀ॥

।୫।

କୁନ୍ଦଲତା ବୋଲେ ଶ୍ୟାମ କିଛି ଦୁଃଖ ନାହିଂ

 

ତୁମ୍ଭଙ୍କୁ ଅପୁର୍ବ ବେଶେ ଭେଟାଇବି ମୁହିଂ॥

।୬।

 

 

 

 

ତହୁଂ କୁନ୍ଦଲତା ଆଣି ବସ୍ତ୍ର ଅଳଙ୍କାର॥

 

ଅପୁର୍ବ ନାରୀର ବେଶ କୁଷ୍ଣଙ୍କୁ କରିଲେ।

 

ପିକ ଶବ୍ଦ ପରି କଣ୍ଠ ଧ୍ବନି ପ୍ରକାଶିଲେ॥

।୭।

ବାଜଇ ନୁପୁର ମୃଦୁ ଯୁଗଳ ଚରଣ।

 

କଳାବତୀ ନାମ ହରି କରିଲେ ଧାରଣ॥

।୮।

 

 

ଅଲକ୍ଷ୍ୟରେ ଚାଲିଗଲେ ଜଟିଳା ନିବାସ।

 

କୁନ୍ଦଲତାକୁ ଦେଖିଣ ରାଧିକା ହରଷ॥

।୯।

ହରଷ ହୋଇଣ ପୁଚ୍ଛେ ହରିଣୀ ନୟନୀ।

 

କହ କନ୍ଦଲତା ତୋର ପ୍ରୟୋଜନ ବାଣୀ॥

।୧୦।

 

 

ଅକସ୍ମାତେ କି କାରଣେ ଆଗମନ ତୋର।

 

ତୋର ସଙ୍ଗେ ଆସିଲେ ଏ କି ନାମ ଏହାର॥

।୧୧।

କୁନ୍ଦଳତା କହିଲେ ଯେ ରାଧିକାର ପ୍ରତି।

 

ମଥୁରା ଦେଶର ନାରୀ ନାମ କଳାବତୀ॥

।୧୨।

 

 

ତୁମ୍ଭ ଗୁଣ କୀର୍ତ୍ତି ଶୁଣି ଆନନ୍ଦ ମନରେ।

 

ଆସିଛି କିଛି ଗାୟନ କରିବ ଏଠାରେ॥

।୧୩।

ଏହାର ଗାୟନ କଥା କି କହିବି ମୁହିଂ।

 

ନନ୍ଦରାଜା ଘରେ ଦିନେ ଗାୟନ କରଇ॥

।୧୪।

 

 

 

 

ଶୁଣି ତହିଂ ମୁଗଧ ହୋଇ ଆସିଛି ଏଠାକୁ।

 

ରାଧା ଶୁଣି ପଚାରଇ ସେ କୁନ୍ଦଲତାକୁ॥

।୧୫।

ଏ ଗାୟନ ବିଦ୍ୟା କାହାଠାରୁ ଶିଖିଛନ୍ତି।

 

କୁନ୍ଦ କହେ ବୃହସ୍ପତି ଶିକ୍ଷା ଦେଇଛନ୍ତି॥

।୧୬।

 

 

ରାଧିକା କହଇ ସ୍ୱର୍ଗେ ରହେ ବୃହସ୍ପତି।

 

ତାର ସଙ୍ଗେ ଏହାର ସାକ୍ଷାତ କେଉଂ ମତି॥

।୧୭।

କୁନ୍ଦଲତା କହେ ଶୁଣ ଏ ମଧୁ ଭୁବନେ।

 

ରଙ୍ଗରସେ ଯଜ୍ଞ କଲେ ସକଳ ବ୍ରାହ୍ମଣେ॥

।୧୮।

 

 

ସେ ସମୟେ ସ୍ୱର୍ଗପୁରୁଂ ଆସି ବୃହସ୍ପତି।

 

ମଧୁପରେ ଏକ ମାସ କଲେ ଯେ ବସତି॥

।୧୯।

ଅକସ୍ମାତେ ବୃହସ୍ପତି ବ୍ରାହ୍ମଣ ସଭାରେ।

 

ବସିଣ ଗାଇଲେ ବହୁ ସୁମଧୁର ସ୍ୱରେ॥

।୨୦।

 

 

ଶୁଣୁଥିଲା ସେହି ସ୍ଥାନେ ରହି କଳାବତୀ।

 

ଆଉ ଦିନେ ଏକା ଗାନ କଲା ବୁଦ୍ଧିମତୀ॥

।୨୧।

ବୃହସ୍ପତି ତହୁଂ ବଡ଼ ଆଶ୍ଚର୍ଯ୍ୟ ହୋଇଣ।

 

କଳାବତୀଙ୍କୁ ପୁଛ୍ଛନ୍ତି ଆନନ୍ଦ ମନେଣ॥

।୨୨।

 

 

 

 

ଏତେ ଦିନେ ଏତେ ଶିକ୍ଷା କଲ କେଉଂପରି।

 

ବିସ୍ମୟ ଲାଗଇ ମୋତେ କହ ତୁ ଚତୁରୀ॥

।୨୩।

ଏ ସମୟେ ତହୁଂ ଏକ ବ୍ରାହ୍ମଣ ଯେ ଆସି।

 

ବୃହସ୍ପତିଙ୍କୁ କହନ୍ତି ମୃଦୁ ମୃଦୁ ଭାଷି॥

।୨୪।

 

 

ଏହାକୁ କିଛି ଅଳ୍ପକେ ଶିକ୍ଷା ଦିଅ ପ୍ରଭୁ।

 

ବିଖ୍ୟାତ ହୋଇବ ନାମ ତୁମ୍ଭର ହେ ବିଭୁ॥

।୨୫।

ଆନନ୍ଦରେ ଶିକ୍ଷା ଦେଲେ ରହି କିଛି ଦିନ।

 

ଅଳ୍ପ ଶିଖି କଳାବତୀ ହୋଇଲା ନିପୁଣ॥

।୨୬।

 

 

କଳାବତୀ ପ୍ରତି ତହୁଂ କହେ ସୁଧାମୁଖୀ।

 

ଏକ ଗୀତ ଗାଇ ମୋତେ କର ତୁମ୍ଭେ ସୁଖୀ॥

।୨୭।

କଳାବତୀ ଗାଏ ଗୀତ କୋକିଳର ସ୍ୱରେ।

 

ଶୁଣିକରି ସର୍ବେ ହେଲେ ଆନନ୍ଦ ଅନ୍ତରେ॥

।୨୮।

 

 

ସର୍ବ ସଖୀ ଶୁଣିକରି ହେଲେ ବିସ୍ମୟିତ।

 

ସଭା ଗୋଟିଯାକ ଭାଇ ହୋଇଲା ସ୍ଥକିତ॥

।୨୯।

ରାଧା ଚିତ୍ତ ମାନବତୀ ବଜ୍ରରୁ କଠିନ।

 

କଳାବତୀ ଗାନେ ହୃଦ ହଜିଗଲା ପୁଣ॥

।୩୦।

 

 

 

 

ବହୁତ ପ୍ରଶଂସା କଲେ ରାଧିକା ସୁନ୍ଦରୀ।

 

ତୋ ସମାନ ନାହିଂ ମର୍ତ୍ତେ ଏପରି ଯେ ନାରୀ॥

।୩୧।

ଅମୂଲ୍ୟ ପଦକ କଣ୍ଠୁ କାଢ଼ି ରାଧାରାଣୀ।

 

କଳାବତୀ ଗଳେ ପିନ୍ଧାଇଣ ଦ୍ୟନ୍ତି ପୁଣି॥

।୩୨।

 

 

ଏହି ସମୟରେ ଲଳିତା ଯେ ଆସି।

 

ରାଧା କର୍ଣ୍ଣେ କହେ ସେହୁ ହୋଇଣ ଯେ ଖୁସି॥

।୩୩।

ଶୁଣ ଗୋ ମୋହର ବାଣୀ ଏ ବ୍ରହ୍ମଚାରିଣୀ।

 

ବିଚାରି ଏହାକୁ ଦିଅ ଆଉ କିଛି ପୁଣି॥

।୩୪।

 

 

ଏହା ଶୁଣି ଶ୍ରୀରାଧିକା ହର୍ଷ ମନ ହୋଇ।

 

ରୂପ ମଞ୍ଜରୀକୁ ଚାହିଂ ବଚନ ଭାଷଇ॥

।୩୫।

ମୋହର ଯେ ବେଶଘରୁ ଆଣ ଦ୍ରବ୍ୟମାନ।

 

ପିନ୍ଧାଇଣ ଦିଅ ସଖୀ କରିଣ ଯତନ॥

।୩୬।

 

 

ତାର ଉଚ୍ଚ କୁଚଯୁଗେ ଜଡ଼ାଇ ସରାଗେ।

 

ତେବେ ମନ ଖୁସି ହେବ କହୁଛି ତୋ ଆଗେ॥

।୩୭।

କୁନ୍ଦଲତା କହେ ଲଜ୍ଜାଶୀଳା ଏ ଯୁବତୀ।

 

ଯେଝା ବସ୍ତ୍ର ଆଭରଣ ସମର୍ପ ତା କତି॥

।୩୮।

 

 

 

 

ତା ନିଜ ଭୁବନେ ନେଇ ସେ ନିଜେ ପିନ୍ଧିବ।

 

ନାନା ଦେଶେ ବୁଲି ତୁମ୍ଭ ନାମ ପ୍ରକାଶିବ॥

।୩୯।

ରାଧିକା କହନ୍ତି ସଖୀ ଏ ନୁହେଂ କଥନ।

 

ନାରୀ ସଭା ମଧ୍ୟେ ଲଜ୍ଜା କରେ କି କାରଣ॥

।୪୦।

 

 

ଶୁଣି କଳାବତୀ କହେ ଶୁଣ ମୋ ଭାରତୀ।

 

ମାଳ ଆଭରଣେ ନାହିଂ ମୋହର ଯେ ଶାନ୍ତି॥

।୪୧।

ଯେବେ ହେଲ ପରଶନ ଦିଅ ଆଲିଙ୍ଗନ।

 

ସତ୍ୟ କଥା କହୁଛି ମୁଂ ନୁହେଂ ଲୋଭୀ ଜନ॥

।୪୨।

 

 

ମୋର ବାଣୀ ନ ରଖି ନ ପିନ୍ଧି ଯେବେ ତୁମ୍ଭେ।

 

ମୋର ସଖୀମାନେ ପିନ୍ଧାଇବେ ଆଜି ଦମ୍ଭେ॥

।୪୩।

ଏହିପରି କହୁ କହୁ ଠାରିଦେଲେ ତହିଂ।

 

ତକ୍ଷଣେ ମିଳିଲେ ଆସି ସର୍ବ ଗୋପ ଗୋଈ॥

।୪୪।

 

 

ତହୁଂ ନିଜ ଈଶ୍ୱରୀର ଇଙ୍ଗିତ ବୁଝିଣ।

 

କାନ୍ଧ ଦୁଇ ଧଇଲେକ ଯାଇ ଦୁଇଜଣ॥

।୪୫।

ପୃଷ୍ଠେ ଯାଇ ଏକ ଖୋଲେ କାଞ୍ଚୁଲୀ ବନ୍ଧନ।

 

କଦମ୍ବ ଫୁଲ ଦୁଇଟି ବକ୍ଷରେ ଶୋଭନ॥

।୪୬।

 

 

 

 

ବନ୍ଧନ ଖୋଲନ୍ତେ ଦୁଇ ଖସିଣ ପଡ଼ିଲେ।

 

ଦେଖି ସର୍ବ ସଖୀମାନେ ବିସ୍ମୟ ହୋଇଲେ॥

।୪୭।

ହାତେ ତାଳି ଦେଇ ସଖୀମାନଙ୍କୁ ଦେଖାଇ।

 

କଅଣ ପଡ଼ିଲା ବୋଲି ପୁଚ୍ଛନ୍ତି ଯେ ଗୋଈ॥

।୪୮।

 

 

କପଟ ଓଢଣା କଳାବତୀର ଦେଖିଣ।

 

ବୃଷଭାନୁ ସୁତା ବସେ ବିମୁଖ ହୋଇଣ॥

।୪୯।

ସଖୀଗଣେ ଦୂରେ ଥାଇ ଦେଇ ବସ୍ତ୍ର ମୁଖେ।

 

ଅଟ୍ଟହାସରେ ହସିଲେ ଅପୂର୍ବ ଯେ ଦେଖେ॥

।୫୦।

 

 

ଏହିପରି ହାସ ପରିହାସ ବହୁ କରି।

 

କଦମ୍ବ କୁସୁମକୁ ସେ କହନ୍ତି ଧିକ୍କାରି॥

।୫୧।

ନିଷ୍କପଟା ହୋଇ କପଟୀର ବକ୍ଷ ସ୍ଥଳେ।

 

କଦମ୍ବର ପୁଷ୍ପ ବଡ଼ ଧନ୍ୟ କ୍ଷିତି ତଳେ॥

।୫୨।

 

 

ଏତେ କହି କୁନ୍ଦଲତା ପ୍ରତି ରାଧା କହି।

 

କୁନ୍ଦଲତା ଆଜି ତୁମ୍ଭେ ହୋଇଲ ବିଜୟୀ॥

।୫୩।

ଆଉ କିସ କହିବି ଗୋ ତୁମ୍ଭଙ୍କୁ ଏ ସ୍ଥାନେ।

 

ଯଥେଷ୍ଟ କହିପାର ଗୋ ଆପଣା ବଚନେ॥

।୫୪।

 

 

 

 

ଅନେକ ଯତନେ ତୁମ୍ଭେ ଆଣିଲ ଏହାଙ୍କୁ।

 

ସଖୀଙ୍କ ହାଟର ମଧ୍ୟେ ବିଦ୍ୟା ବିକିବାକୁ॥

।୫୫।

ସେ ବିଦ୍ୟା ବିକା ନ ଗଲା ମୂଳ ହାନି ହେଲା।

 

ତୁମ୍ଭର ଯା ବୁଦ୍ଧି ବିଦ୍ୟା ତାହା ଜଣାଗଲା॥

।୫୬।

 

 

କୃଷ୍ଣଚନ୍ଦ୍ର କହନ୍ତି ଲଳିତା ସଖୀ ଶୁଣ।

 

ଏହି ବାଟେ ବିଦ୍ୟା ମୁହିଂ ବିକିବି ଏକ୍ଷଣ॥

।୫୭।

ଯଦି ନ କରିବି ତେବେ କଲି ଏହି ପଣ।

 

ମୋହର କାଞ୍ଚୁଲୀ ଦେବୀ ତୁମ୍ଭ ନିକଟେଣ॥

।୫୮।

 

 

ଏହି ପଣକରି ସେହି ନାରୀ ବେଶ ହୋଇ।

 

ଜଟିଳା ନିକଟକୁ ଗମନ କଲେ ସେହି॥

।୫୯।

ଭୂମିରେ ପଡ଼ିଣ ଉଚ୍ଚେ କରନ୍ତି ରୋଦନ।

 

ସେ କ୍ରନ୍ଦନ ଶୁଣିଣ ଜଟିଳା ଦୁଃଖ ମନ॥

।୬୦।

 

 

କିଏ ତୁମ୍ଭେ କେଉଂଠାରୁ କର ଆଗମନ।

 

କି ଦୁଃଖ ନିମନ୍ତେ ଏଥି କରୁଛ ରୋଦନ॥

।୬୧।

ସକଳ ବୃତ୍ତାନ୍ତ ଝିଅ କହ ମୋର ସ୍ଥାନ।

 

ଏତେ କହି ଆଖି ଲୁହ ପୋଛନ୍ତି ବହନ॥

।୬୨।

 

 

 

 

ବୃଷଭାନୁ ଝିଆରୀ ମୁଂ ବାସ ମଥୁରାରେ।

 

କୀର୍ତ୍ତିଦା ମାଉସୀ ମୋର ଥାଏ ଗୋ ପଛରେ॥

।୬୩।

ଅତି ପ୍ରିୟ ଅଟେ ଏହି ରାଧିକା ସୁନ୍ଦରୀ।

 

ସ୍ୱାମୀ ଆଳୟରେ ଥିଲି ବହୁଦିନ ଧରି॥

।୬୪।

 

 

ଅତି ଶ୍ରଦ୍ଧା ମନେ ବହି ଆସିଥିଲି ଧାଇଂ।

 

ମୋତେ ଦେଖି ନ ଚାହିଂଲା ସେ ଚନ୍ଦ୍ରମାମୁହୀଂ॥

।୬୫।

କୁଶଳ ବାରତା ସେହୁ ନ ପୁଚ୍ଛିଲା ଜାଣ।

 

କେଉଂ ଅପରାଧେ ମୋତେ ନ କରେ ଗଣନ॥

।୬୬।

 

 

ରାଧାଙ୍କୁ ପଚାର ମତ ଶପଥ ଦେଇଣ।

 

କ୍ରୋଧ କିମ୍ପା ବହେ ମନେ ମୋତେ ଯେ ଦେଖିଣ॥

।୬୭।

ଏହା ଶୁଣି ଜଟିଲା ଯେ କୁହେ ଧୀର ବାଣୀ।

 

ଶୁଣ ଝିଅ କ୍ରୋଧ ଶାନ୍ତ କର ତୁହି ପୁଣି॥

।୬୮।

 

 

ତୋତେ ନେଇ ନିଜେ ମୁହିଂ ଯିବି ବଧୂ ପାଶ।

 

ମିଳାଇଣ ଦେବି ନିଶ୍ଚେ କହୁଛି ଅବଶ୍ୟ॥

।୬୯।

ଜଟିଲା କଳାବତୀଙ୍କୁ ନେଲା ସେହି କ୍ଷଣ।

 

ଅତି ଶୀଘ୍ର ମିଳିଲାକ ସେ ମଧୁ ଭୁବନ॥

।୭୦।

 

 

 

 

ଲଳିତାକୁ କହେ ବୁଢ଼ୀ ତୁମ୍ଭେମାନେ ଶୁଣ।

 

ମୋ ବୋହୂର ଭଗ୍ନୀ ଏହୁ ତୁମ୍ଭେ କି ନ ଜାଣ॥

।୭୧।

କେତେ ଆଶାକରି ଆସିଥିଲା ଏହୁ ମନେ।

 

ଦେଖିବ ବୋଲି ଭଗ୍ନୀକୁ ଆନନ୍ଦିତ ମନେ॥

।୭୨।

 

 

କି କାରଣେ ସ୍ନେହ ଆଲିଙ୍ଗନ ନ କରିଲା।

 

କଥା ପଦେ କହିବାକୁ ତୁଣ୍ଡ ନ ଫିଟିଲା॥

।୭୩।

ଶୁଣ ବଧୁ ଆମ୍ଭର ବିନୟ ସୁଚିତ୍ତରେ।

 

ବ୍ରଜପୁରେ ପୂର୍ଣ୍ଣ ତୁମ୍ଭେ ସକଳ ଗୁଣରେ॥

।୭୪।

 

 

ମୋହୋ ରାଣ କହୁଅଛି ତୁମ୍ଭର ଭଗ୍ନୀକୁ।

 

କର ଧରି ଘେନି ନିଅ ତୁମ୍ଭ ନିକଟକୁ॥

।୭୫।

ସମ୍ପଦ ହୋଅଇ ସିନା ବନ୍ଧୁସେବା କଲେ।

 

ବିପଦ ଘଟଇ ବନ୍ଧୁସେବା ନ କରିଲେ॥

।୭୬।

 

 

ଏହା ଶୁଣି ରାଈ ଜାଣି ମଉନେ ରହିଲେ।

 

କିଛିକ୍ଷଣ ପରେ ଧିରେ ବଚନ ବୋଇଲେ॥

।୭୭।

ଶୁଣ ମାତା ମାନୁଅଛି ଗୃହେ ଯାଅ ତୁମ୍ଭେ।

 

ଯେ ଆଜ୍ଞା କରିଲେ ନିଶ୍ଚେ ପାଳିବୁ ଯେ ଆମ୍ଭେ॥

।୭୮।

 

 

 

 

ବାଳିକାଙ୍କ ବିବାଦେ ଗୋ କି କର ନିଷ୍ପତ୍ତି।

 

କ୍ଷଣେ ପ୍ରସନ୍ନତା କ୍ଷଣେ କ୍ରୋଧଯୁକ୍ତ ଅତି॥

।୭୯।

ଜଟଳା ବୁଝାଇ କହେ ରାଧାଙ୍କୁ ସତ୍ୱରେ।

 

ତୁମ୍ଭେ ଦୁହେଂ ମିଳିଗଲେ ଯିବି ମୁହିଂ ପୁରେ॥

।୮୦।

 

 

ଶ୍ରୀମତୀ କହଇ ମାତା ଶୁଣ ବାଣୀ ମୋର।

 

କୁନ୍ଦଲତା ସଙ୍ଗେ କଳି ହୋଇଛି ଏହାର॥

।୮୧।

ସେ ଯେବେ ମିଳିବ ମୁହିଂ ମିଶିବି ୟା ସଙ୍ଗେ।

 

ଏହାଙ୍କର ବହୁ ଗୁଣ ଜାଣିନାହଂ ରଙ୍ଗେ॥

।୮୨।

 

 

ମାୟା କଳାବତୀ କହେ କିଛି କଳି ନାହିଂ।

 

କୁନ୍ଦଲତାକୁ ପଚାର ରାଣ ଯେ ପକାଇ॥

।୮୩।

ଜଟିଲା କହଇ ଝିଅ ଛାଡ଼ ସବୁ କଥା।

 

ମନରୁ ଛାଡ଼ ଗୋ ଏବେ ସକଳ ଯେ ବ୍ୟଥା॥

।୮୪।

 

 

କଳାବତୀ ସଙ୍ଗେ ରାଧା ମିଳନ କରିଲେ।

 

ଦୁହେଂଯାକ ମାୟା ଅଶ୍ରୁ ଲୋତକ ଢାଳିଲେ॥

।୮୫।

ଜଟିଳା କହେ ଭୋଜନ କରିଲେ ଗୋ ତୁମ୍ଭେ।

 

ସନ୍ତୋଷ ହୋଇବୁଂ ଦେଖି ନୟନେ ଯେ ଆମ୍ଭେ॥

।୮୬।

 

 

 

 

ପୁଣି ଜଟିଳାକୁ କହେ ଲଳିତା ଇଙ୍ଗିତେ।

 

ତୁମ୍ଭେ ଅଛ ଆମ୍ଭେ ଯାଉଅଛୁ ଗୋ ତୁରିତେ॥

।୮୭।

ଦୁହିଂଙ୍କୁ ଶୟନ କରାଇବ ଏକ ସଙ୍ଗେ।

 

ଦୁହିଂଙ୍କର କଳି ଆଉ ନ ଶୁଣିବୁ କେଭେଂ॥

।୮୮।

 

 

ଏହିପରି ଯାହା ଜଣା କହିଲିରେ ଭାଇ।

 

ସର୍ବ ସଖୀ ମିଳି ଆନନ୍ଦରେ ତାଳି ଦେଇ॥

।୮୯।

ଶ୍ରୀକୃଷ୍ଣ କହନ୍ତି ଦେଖ ବିଦ୍ୟା ବିକା ମୋର।

 

ଅସନ୍ତୁଷ୍ଟ ଥାଏ ଯେହୁ ମୋହର ଉପର॥

।୯୦।

 

 

ସେ କେମନ୍ତେ ପ୍ରାଣ ପଣେ ମିଳାଇଲେ ନେଇ।

 

କୁନ୍ଦଲତା ବିଦ୍ୟାବୁଦ୍ଧି ଜାଣିଲ ଗୋ ସହୀ॥

।୯୧।

ରାଧାକୃଷ୍ଣ ସୁବେଶରେ ପଲଙ୍କେ ବସିଲେ।

 

ପରିହାସ କରି ସର୍ବେ ସୁଖେ ଚଳିଗଲେ॥

।୯୨।

 

 

ଜଟିଳା ନିବାସେ କୃଷ୍ଣ ରାଧା ରଙ୍ଗେ ମାତି।

 

ଅତି ଆନନ୍ଦରେ ତହିଂ ପୁହାଇଲେ ରାତି॥

।୯୩।

ପ୍ରଭାତ ହୁଅନ୍ତେ କୃଷ୍ଣ ନିଦ୍ରା ଭଙ୍ଗ କଲେ।

 

ଜଟିଳାକୁ କହି ନିଜ ଗୃହକୁ ଚଳିଲେ॥

।୯୪।

 

 

 

 

ମାୟା କଳାବତୀ କୃଷ୍ଣ ଦେହେ ଲୀନ ହେଲେ।

 

ରାଧାକୃଷ୍ଣ କେଳିରସ ଅଚ୍ୟୁତ ବୋଇଲେ॥

।୯୫।

ଯାହା ପଚାରିଲ ଭାଇ କହିଲି ବୁଝାଇ।

 

ହେଲା ନ ହେଲାକୁ ଦୋଷ ନ ଧରିବ କେହି॥

।୯୬।

 

ଓଗାଳ – ୮

ରାଧାଙ୍କ ଜନ୍ମ

ଶୁଣ ହୋ ଗୋପାଳ ଭାଇ ମନ କରି ସ୍ଥିର।

 

ପଚାରୁଛି ମୁହିଂ କିଛ ଗୋପ ସମାଚାର॥

।୧।

କୃଷ୍ଣ ଜନ୍ମ କେତେ ଦିନେ ରାଧା ଜନ୍ମ ହେଲେ।

 

କାହା ଗର୍ଭେ ଜନ୍ମ ହେଲେ କହିବଟି ଭଲେ॥

।୨।

 

 

ଜନ୍ମ କାଳେ ରାଈଙ୍କର ଚକ୍ଷୁ ନ ଫିଟିଲା।

 

କ୍ଷୀର ନ ଖାଇଲା ପୁଣି ଦେହ ନ ଚଳିଲା॥

।୩।

କେମନ୍ତେ ଫିଟିଲା ଚକ୍ଷୁ କହିବ ଫେଇଣ।

 

କାହାଠାରୁ ପ୍ରଥମେ ଖାଇଲେ ପୁଣ କ୍ଷୀର॥

।୪।

 

 

କିଏ ତାଙ୍କ ମାତା ମୋତେ କହିବ ସଭାର।

 

ମନ ମଧ୍ୟୁଂ ସଂଶୟେ ଯେ ହୋଇଯିବ ଦୂର॥

।୫।

ରାଧାଙ୍କର ଜନ୍ମ ମୋତେ କହିବାକ ବାଛି।

 

ଅଚ୍ୟୁତ ବୋଲନ୍ତି ବେଳ ଉଛୁର ହେଉଛି॥

।୬।

 

 

ଉତ୍ତାର

ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା।

 

ପଦ ପଦ କରି ଏବେ କହୁଛି ମୁଂ ତାହା॥

।୧।

ଅଜ୍ଞାନ ବାଳୁତ ମୁହିଂ କିଛି ନ ଜାଣଇ।

 

ଯାହା ଅଳ୍ପ ଜାଣେ ମୁହିଂ କହୁଛି ରେ ଭାଇ॥

।୨।

 

 

ଗୋପେ ଯଶୋଦା କୋଳରେ କୃଷ୍ଣ ଯେ ବଢିଲେ।

 

ବରଷ ପନ୍ଦର ଦିନେ ରାଧା ଜନ୍ମ ହେଲେ॥

।୩।

ବୃଷଭାନୁ ପତ୍ନୀ ଅଟେ କୀର୍ତ୍ତିଦା ସୁନ୍ଦରୀ।

 

ତାଙ୍କ ଗର୍ଭେ ଜନ୍ମ ହେଲେ ରାଧା ବିମ୍ବାଧାରୀ॥

।୪।

 

 

ଜନ୍ମ ହୋଇ ଚକ୍ଷୁ ନ ଫିଟିଲା ରାଧାଙ୍କର।

 

ମୁଖ ନ ଫିଟଇ ପୁଣି ନ ଖାଆନ୍ତି କ୍ଷୀର॥

।୫।

ଏହା ଦେଖି କୀର୍ତ୍ତିଦା ଯେ ହୋଅନ୍ତି ବିକଳ।

 

ମନର କଥା ଜାଣିଲେ ବ୍ରହ୍ମାଙ୍କର ବାଳ॥

।୬।

 

 

ମନ ପବନ ଯାନରେ ଚଢିକରି ଆସି।

 

ପ୍ରବେଶିଲେ ସତ୍ୱର ସେ ଗୋପପୁରେ ଋଷି॥

।୭।

ନାରଦଙ୍କୁ ଦେଖିଣ କୀର୍ତ୍ତିଦା ଉଠିଲେ।

 

ଆସନ ପକାଇଦେଇ ବସନ୍ତୁ ବୋଇଲେ॥

।୮।

 

 

ପଚାରନ୍ତି କି କରିବି ଆହେ ମୁନିବର।

 

ଦେଖ କନ୍ୟା ଗୋଟି ଜନ୍ମ ହୋଇଛି ମୋହର॥

।୯।

ଚକ୍ଷୁ ନ ଫିଟିଲା ପୁଣି ମୁଖ ନ ଫିଟଇ।

 

କେମନ୍ତେ ବଞ୍ଚିବ ମୋତେ କୁହ ମନଦେଇ॥

।୧୦।

 

 

ନାରଦ ବୋଲନ୍ତି କିଛି ନ ଭାଳ ଗୋ ସତୀ।

 

ଜାଣିଲି ଆଜ ଦିନ ହିଂ ଫେଡ଼ିବ ଦୁର୍ଗତି॥

।୧୧।

ଏତେ କହି ନାରଦ ଯେ ବେଗ ହୋଇ ଗଲେ।

 

ନନ୍ଦର ମନ୍ଦିରେ ଯାଇ ପ୍ରବେଶ ହୋଇଲେ॥

।୧୨।

 

 

ଦେଖି ନନ୍ଦ ଯଶୋଦା ଯେ ବୋଲନ୍ତି ବଚନ।

 

କି କାରଣେ ମହାମୁନି କଲ ଆଗମନ॥

।୧୩।

ନାରଦ ବୋଲନ୍ତି ଶୁଣ ଗୋପରାଜା ତୁହି।

 

ବୃଷଭାନୁ ଗୋପ ସଙ୍ଗେ ପ୍ରୀତି ତୋ ଅଛଇ॥

।୧୪।

 

 

ତାହାଙ୍କ କନ୍ୟାଟି ଜନ୍ମ ହୋଇଛି ନିକର।

 

ଯଶୋଦାଙ୍କୁ ଯିବା ପାଇଂ ଆଦେଶ ଯେ କର॥

।୧୫।

ନନ୍ଦରାଣୀ ପ୍ରଭୁଙ୍କୁ କୋଳରେ ଧରି ଧୀରେ।

 

ପ୍ରବେଶ ହୋଇଲେ ଯାଇ ବୃଷଭାନୁ ପୁରେ॥

।୧୬।

 

 

 

 

କୀର୍ତ୍ତିଦା ଦେଖିଣ ବହୁ ସନମାନ କଲା।

 

କନ୍ୟା କଥାକୁ ଯଶୋଦା ଆଗରେ କହିଲା॥

।୧୭।

ଦେଖ ଗୋ ଭଉଣୀ ଏ କନ୍ୟାର ଚକ୍ଷୁ ମୁଖ।

 

ନ ଫିଟଇ କି କରିବି ମନ ବଡ଼ ଦୁଃଖ॥

।୧୮।

 

 

ଏହା କହୁ କହୁ ନୟନରୁ ଅଶ୍ରୁ ଢାଳି।

 

ଯଶୋଦାଙ୍କ କୋଳେ କନ୍ୟା ଦେଲେ ନେଇ ବାଳୀ॥

।୧୯।

ଶୁଣି ଯଶୋଦା କନ୍ୟାକୁ କୋଳକରି ନେଲେ।

 

କୃଷ୍ଣ କର ବାଜି କନ୍ୟା ଉଲ୍ଲାସ ହୋଇଲେ॥

।୨୦।

 

 

ନନ୍ଦରାଣୀ କ୍ଷୀର କନ୍ୟା ମୁଖେ ଦେଲେ ନେଇ।

 

ସେ କ୍ଷୀର ଖାଇଣ କନ୍ୟା ଚମକି ଉଠଇ॥

।୨୧।

ତାହା ଦେଖି କୃଷ୍ଣ ମୁଖ ଛଡ଼ାଇ ଦିଅନ୍ତି।

 

ନିଜ ମୁଖ ନେଇ ମାତା ସ୍ତନରେ ଭରନ୍ତି॥

।୨୨।

 

 

କୃଷ୍ଣଙ୍କର କର ବାଜିବାରୁ କନ୍ୟା ଦେହେ।

 

ଉଲୁସି ଉଠିଣ ଚକ୍ଷୁ ଫେଡ଼ିକରି ଚାହେଂ॥

।୨୩।

ସର୍ବେ ଦେଖି ଆନନ୍ଦରେ ବହୁ ପ୍ରଶଂସିଲେ।

 

ଧନ୍ୟ ଯଶୋମତୀ ରାଣୀ ବୋଲିଣ ବୋଇଲେ॥

।୨୪।

 

 

 

 

ଏହିପରି କହୁଥିଲେ କହୁଥିବି ଭାଇ।

 

ସଂକ୍ଷେପରେ ଏହାକୁ ମୁଂ କହିଲି ବୁଝାଇ॥

।୨୫।

ପ୍ରଥମରେ ଯଶୋଦାଙ୍କ କ୍ଷୀର ଖାଇକରି।

 

ବଢନ୍ତି କୀର୍ତ୍ତିଦା ଘରେ ରାଧିକା ସୁନ୍ଦରୀ॥

।୨୬।

 

 

ରାଧାଙ୍କ ଜନ୍ମ ଚରିତ କହିଲିରେ ଭାଇ।

 

ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି॥

।୨୭।

 

ଓଗାଳ – ୯

ପେଟିକା କଥା

ଶୁଣ ହେ ଗୋପାଳ ଭାଇ ଦେଇ ମନକର୍ଣ୍ଣ।

 

ଭଲା ସନ୍ଧି କଥା ଏକ ପଡ଼ିଗଲା ମନ॥

।୧।

ତୁମ୍ଭଙ୍କୁ ଦେଖିଣ ବଡ଼ ସାହାସ କରିଛି।

 

ବହୁଦିନ ସନ୍ଧି କଥା ମନେ ମୋ ପଡ଼ିଛି॥

।୨।

 

 

ତୁମ୍ଭଠାରୁ ଶୁଣି ଭାଇ ହୋଇବି ସନ୍ତୋଷ।

 

ଦେବ ଯେ ଫିଟାଇ ମୋର ମନର ସନ୍ଦେଶ॥

।୩।

ଏକଦିନେ ପ୍ରଭାତୁଂ ଉଠିଣ ନନ୍ଦରାଣୀ।

 

ରାଧିକାଙ୍କ ଲାଗି ବହୁ ଭୂଷଣାଦି ଆଣି॥

।୪।

 

 

ପେଟିକାରେ ରଖୁଛନ୍ତି ହୋଇ ଆନନ୍ଦିତ।

 

ଏ ସମୟେ କୃଷ୍ଣଚନ୍ଦ୍ର ହେଲେ ଉପସ୍ଥିତ॥

।୫।

କି କରୁଛ ବୋଲି ମାତା ବୋଲନ୍ତି ଶ୍ରୀ ହରି।

 

କଥା ନ କହିଣ ମାତା ରହେ ତୁନି କରି॥

।୬।

 

 

ପୁଣି କୃଷ୍ଣ ପୁଛା କଲେ ପେଟିକା ଭିତରେ।

 

ଯତ୍ନକରି କିବା ରଖ କୁହ ମୋ ଆଗରେ॥

।୭।

ଯଶୋଦା ବୋଲନ୍ତି ବାବୁ ଏଥେ କିଛି ନାହିଂ।

 

ବାଳକଙ୍କ ସଙ୍ଗେ ଯାଇ ଖେଳରେ କହ୍ନାଇ॥

।୮।

ଶ୍ରୀକୃଷ୍ଣ ବୋଲନ୍ତି ମାତ ନ କହିବ ଯେବେ।

 

ନ ଶୁଣିବା ଯାଏ ଏଥୁଂ ନ ଯିବି ମୁଂ କେବେ॥

।୯।

ଶୁଣିଣ ଏସନ ବାଣୀ ଯଶୋଦା କହନ୍ତି।

 

ପେଟିକାର ବିବରଣୀ ଶୁଣରେ ଶ୍ରୀପତି॥

।୧୦।

ଚନ୍ଦନ କର୍ପୁର ଆଉ କୁଙ୍କୁମ କସ୍ତୁରୀ।

 

ଅଙ୍ଗ ଲେପନାଦି ସର୍ବ ରଖିଅଛି ଭରି॥

।୧୧।

ଭୂଷଣର ପାଇଂ କାଞ୍ଚି କୁଣ୍ଡଳ କଙ୍କଣ।

 

ଅମୂଲ୍ୟ ବୈଦୁର୍ଯ୍ୟ ରତ୍ନ ମୁକ୍ତାହାରମାନ॥

।୧୨।

ଏସବୁ ପଦାର୍ଥମାନ ପେଟିକାରେ ଅଛି।

 

ଫେଡ଼ି କହିଲାଇଂ ତୋତେ ଶୁଣରେ ଶ୍ରୀବତ୍ସି॥

।୧୩।

ଶ୍ରୀକୃଷ୍ଣ କହନ୍ତି ମାତ କାହା ପାଇଂ ଏହା।

 

ସଜାଡ଼ି ରଖୁଛି ମୋତେ କୁହ କିନା ତାହା॥

।୧୪।

ନନ୍ଦରାଣୀ କହେ ପେଟିକା ତୁମର ନୁହଂଇ।

 

ଅମୁଲ୍ୟ ରତନ ଏଥି ବହୁତ ଅଛଇ॥

।୧୫।

କୃଷ୍ଣ କହେ ମାତା ତେବେ କାହା ପାଇଂ ରଖ।

 

ଆମ୍ଭଠାରୁ ବଳି ସ୍ନେହ କାହାକୁ ଯେ ଦେଖ॥

।୧୬।

 

 

ଯଶୋଦା କହନ୍ତି ଶୁଣ କହୁଛି ତୋହରେ।

 

ପାଇଛି ତୋତେ ମୁଂ ବାବୁ କେତେ ପୁଣ୍ୟ ଫଳେ॥

।୧୭।

ତୋହ ପରି ପ୍ରାଣ ସମ ବ୍ରଜର ଭୂଷଣ।

 

ଅଛି ଏକ କନ୍ୟା ମୋର ନୟନ ରଞ୍ଜନ॥

।୧୮।

 

 

ତାହାର ନିମିତ୍ତ ବସ୍ତ୍ର ଅଳଙ୍କାର ମାନ।

 

ପେଟିକାରେ ରଖିଅଛି ଶୁଣ ବାପଧନ॥

।୧୯।

କେଶବ କହନ୍ତି ସେହୁ ଅଛି କେଉଂ ସ୍ଥାନେ।

 

ଏତେ ସ୍ନେହ ତାକୁ ମାତ କର କି କାରଣେ॥

।୨୦।

 

 

ଯଶୋଦା କହନ୍ତି ଭଗ୍ନୀ କୀର୍ତ୍ତିଦା ମୋହର।

 

ତାହାର ଗର୍ଭରୁ ଜନ୍ମ ହୋଇଛି ଯାହାର॥

।୨୧।

ସୁନ୍ଦରୀ ସୁଶୀଳା ଚାରୁଶୀଳା ଇଚ୍ଛାବତୀ।

 

ସରଳ ବିନୟଯୁକ୍ତ ଅଟେ ଯା’ର ମତି॥

।୨୨।

 

 

ବ୍ରହ୍ମାଙ୍କର ସୃଷ୍ଟି ଗୁଣ ତାହାଠାରୁ ପର।

 

ସେହି ରାଧା ପ୍ରତି ସ୍ୱାଭାବିକ ସ୍ନେହ ମୋର॥

।୨୩।

ରାଧା ନାମ ଶୁଣି କୃଷ୍ଣ ହେଲେ ପୁଲକିତ।

 

କିପରି ପାଇବି ସେହି ରାଧାଙ୍କୁ ତୁରିତ॥

।୨୪।

 

 

 

 

ଯଶୋମତୀ ନିଜ ପୁତ୍ର ପ୍ରତି ସ୍ନେହ କହେ।

 

ସେହି ସତୀ ଅଛି ତାର ନିଜ ପ୍ରତି ଗୃହେ॥

।୨୫।

ତାର ପତି ଚନ୍ଦ୍ରସେଣା ଆସିଛି ଏଠାକୁ।

 

ବ୍ରଜେନ୍ଦ୍ର ସହିତ ବାବୁ ଦେଖା କରିବାକୁ॥

।୨୬।

 

 

ଏ ସମୟେ ଲବଙ୍ଗ ନାମରେ ଏକ ଦାସୀ।

 

ରାଣୀ ପ୍ରତି କହେ ଆସି ବଚନ ଯେ ଭାଷି॥

।୨୭।

ଶୁଣ ଗୋପରାଣୀ ପୂର୍ବେ ଡ଼ାକିଲ ଯାହାଙ୍କୁ।

 

କଙ୍କଣ ଟଙ୍କଣ ଦୁଇ ସେ ସ୍ୱର୍ଣ୍ଣକାରଙ୍କୁ॥

।୨୮।

 

 

ବାହାରେ ଅଛନ୍ତି ତୋରେ ଅପେକ୍ଷା କରିଣ।

 

କି ଆଜ୍ଞା କରିବ ତାକୁ କର ଗୋ ବହନ॥

।୨୯।

ଏ ବାର୍ତ୍ତା ଶୁଣିଣ ହରଷିତ ହେଲେ ରାଣୀ।

 

ଧନିଷ୍ଠାକୁ ଡାକିଣ କହନ୍ତି ଧୀର ବାଣୀ॥

।୩୦।

 

 

ଶୁଣ ଗୋ ଧନିଷ୍ଠା ଧୀରେ ଅତି ଯତନରେ।

 

ଏ ପେଟିକା ନେଇ ରଖ ଗୃହର ମଧ୍ୟରେ॥

।୩୧।

କୃଷ୍ଣ ଲାଗି କିରୀଟ କୁଣ୍ଡଳ ଆଭରଣ।

 

ଗଢାଇବା ନିମନ୍ତେ ଗୋ କରୁଛି ଗମନ॥

।୩୨।

 

 

 

 

ଏହା କହି ନନ୍ଦରାଣୀ ବାହାରେ ଚଳିଲେ।

 

ସୁବଳାଦି ସଙ୍ଗେ କୃଷ୍ଣ ମନ୍ତ୍ରଣା ଯେ କଲେ॥

।୩୩।

ଏକାନ୍ତେ ବସିଣ ସେହୁ ପେଟିକା ଖୋଳିଲେ।

 

ବସ୍ତ୍ର ଅଳଙ୍କାର ସବୁ ବାହାର କରିଲେ॥

।୩୪।

 

 

ଧନିଷ୍ଠାର ହସ୍ତେ ତାହା ସବୁ ସମର୍ପିଲେ।

 

କୃଷ୍ଣଚନ୍ଦ୍ର ପେଟିକାର ମଧ୍ୟେ ପ୍ରବେଶିଲେ॥

।୩୫।

ସୁବଳାଦି ଯେତେ ସଖା କୃଷ୍ଣଙ୍କ ବଚନେ।

 

ପୂର୍ବପରି ପେଟକାକୁ ବାନ୍ଧିଲେ ତକ୍ଷଣେ॥

।୩୬।

 

 

ଅଳ୍ପ କ୍ଷଣେ ଚନ୍ଦ୍ରସେଣା ସେଠାରେ ମିଳିଲେ।

 

ଭକ୍ତିଭରେ ଯଶୋଦାଙ୍କୁ ପ୍ରଣାମ ଯେ କଲେ॥

।୩୭।

ତାଙ୍କୁ ନନ୍ଦରାଣୀ ବୋଲୁ ଅଛନ୍ତି ବଚନ।

 

ପେଟିକାରେ ରହିଅଛି ରତନ ଭୂଷଣ॥

।୩୮।

 

 

ଅମୂଲ୍ୟ କାଞ୍ଚନ ଯେ ବସନ ମନୋହର।

 

କସ୍ତୁରୀ କୁଙ୍କୁମ ଅଙ୍ଗେ ବିଲେପନ କର॥

।୩୯।

ଅନ୍ୟ ହସ୍ତେ ଦେବାକୁ ମୋ ବିଶ୍ୱାସ ଯେ ନାହିଂ।

 

ପେଟିକା ନେଇଣ ନିଜେ ଯାଆ ଏବେ ତୁହି॥

।୪୦।

 

 

 

 

ତୋହର ଘରଣୀ ଅଛି ଯେଉଂ ଅନ୍ତଃପୁରେ।

 

ଗୋପନେ ନେଇଣ ଦେବୁ ତାହାରି ହସ୍ତରେ॥

।୪୧।

ଏହି ଆଶିର୍ବାଦ କହ ତାହାକୁ ଯେ ମୋର।

 

ତାର ଅଙ୍ଗ ଯୋଗେ ଦେଲି ଏହ ଅଳଙ୍କାର॥

।୪୨।

 

 

ଏହା ନେଇ ନିଜ ଅଙ୍ଗେ କରୁ ସେ ଭୂଷଣ।

 

ହେବ ପତି କୁଳେ ଏ ଦୁର୍ଲ୍ଲଭ ସର୍ବ କ୍ଷଣ॥

।୪୩।

କୀର୍ତ୍ତିଦାର କୀର୍ତ୍ତିଦାତା ଅଟେ ସେ ରାଧିକା।

 

ମୋର ନେତ୍ର ସୁଖଦାୟୀ ଅତ୍ୟନ୍ତ ଅଧିକା॥

।୪୪।

 

 

ଉଜ୍ଜଳ ଭୂଷଣ ଯେତେ ନିଜ ଅଙ୍ଗେ ଭରି।

 

ଚିରଞ୍ଜିବୀ ହୋଇ ରହୁ ସୈାଭାଗ୍ୟରେ ଦୁରି॥

।୪୫।

ଏହି କଥା ଶୁଣିଣ ସେ ଯଶୋଦା ମୁଖରୁ।

 

ଚନ୍ଦ୍ରସେଣା ଗଲେ ତାଙ୍କ ଭଗ୍ନୀ ନିକଟରୁ॥

।୪୬।

 

 

ଯାଇ ପହଞ୍ଚିଲେ ସେହି ଧନିଷ୍ଠା ନିକଟେ।

 

ଦିଅ ଗୋ ଧନିଷ୍ଠା ମୋର ପେଟିକା ସନ୍ତୁଷ୍ଟେ॥

।୪୭।

ଯଥା ଆଜ୍ଞା ବୋଲି ଶିରେ ପେଟିକା ଘେନିଣ।

 

ନିଜ ଗୃହେ ବାହାର ହୋଇଲା ତତକ୍ଷଣ॥

।୪୮।

 

 

 

 

ପେଟିକା ମଧ୍ୟରେ କୃଷ୍ଣ ଗୁପ୍ତରେ ରହିଲେ।

 

ଏହାପରେ କିସ ହେଲା କହ ତୁମ୍ଭେ ଭଲେ॥

।୪୯।

ସଦଗୁରୁ ସେବିଥିଲେ କହିବ ସତ୍ୱରେ।

 

ଅଚ୍ୟୁତ କହନ୍ତି ଏହା ଗୋପାଳ ହିତରେ॥

।୫୦।

ଉତ୍ତାର

ଶୁଣ ଆହେ ଭାଇମାନେ ପଚାରିଲ ଯାହା।

 

ପଦ ପଦ କରି ଏବେ କହୁଅଛି ତାହା॥

।୧।

ମନକୁ ଆସିଲେ ଭାଇ ସନ୍ତୋଷ ହୋଇବ।

 

ନ ହେଲେ ଆମ୍ଭଙ୍କୁ ତୁମ୍ଭେ ବୁଝାଇଣ ଦେବ॥

।୨।

ପେଟିକାର କଥା ଭାଇ ଅତି ଯେ ବିସ୍ମୟ।

 

ଯେଉଁ ପେଟିକାରେ ରହିଥିଲେ ଦେବରାୟ।।

।୩।

ପେଟିକାରେ ମଧ୍ୟେ କୃଷ୍ଣ କରନ୍ତି ବିଚାର।

 

ଆଜ ବଡ଼ ଭାଗ୍ୟ ମୋର କରିବି ବେହାର॥

।୪।

କୈାତୁକ ସମୁଦ୍ରେ କୃଷ୍ଣ ହୋଇଣ ନିଗମ୍ନ।

 

ହସି ହସି ଯାନ୍ତି କୃଷ୍ଣ ମସ୍ତକେ ବସିଣ॥

।୫।

ନିଜ ମନେ ଚନ୍ଦ୍ରସେଣା ଆନନ୍ଦ ଯେ ହୋଇ।

 

ବୋଇଲା ବଡ଼ ସୈାଭାଗ୍ୟ ଆଜି ମୋ ଅଟଇ॥

।୬।

 

 

ପେଟିକା ଭାରରୁ ଅନୁମାନ କରେ ମନେ।

 

ପୂର୍ଣ୍ଣ ଅଛି ଏ ପେଟିକା ବହୁ ଧନ ରତ୍ନେ॥

।୭।

ଏ ଦ୍ରବ୍ୟ ଦେଇଣ ଲକ୍ଷେ ଗାଈ କିଣିବଇଂ।

 

ଗୋବର୍ଦ୍ଧନ ମଲ୍ଲର ଅଛଇ ଯେତେ ଗାଈ॥

।୮।

 

 

ସେହିପରି ମୋ ସମ୍ପଦ ହୋଇବ ଏଥର।

 

ଏହା ଭାବି ଗମନ କରନ୍ତି ଧୀର ଧୀର॥

।୯।

ବ୍ରଜରାଜ ପୁରରୁ ସେ ଆପଣା ଭୁବନ।

 

ଅତି ବ୍ୟଗ୍ରେ ଚନ୍ଦ୍ରସେଣା କଲାକ ଗମନ॥

।୧୦।

 

 

ତନୁ ପୁଲକିତ ହୃଦ ପ୍ରଫୁଲ୍ଲ ହୋଇଲା।

 

ବୋଝ ବୋହି ତଥାପି ସେ ଶ୍ରମ ନ ମଣିଲା॥

।୧୧।

ଗୃହେ ଯାଇ ଜଟିଳାକୁ ଡ଼କାଇ ବହନ।

 

ଆସ ଆସ ମାତ ଆଜି ବଡ଼ ଶୁଭ ଦିନ॥

।୧୨।

 

 

ଉତ୍ତମ ବସନ ସ୍ୱର୍ଣ୍ଣ ମଣି ଅଳଙ୍କାର।

 

ବଡ଼ ଭାଗ୍ୟେ ଲାଭ ଆଜ ହୋଇଛି ଆମ୍ଭର॥

।୧୩।

ଶ୍ରୀଘ୍ର ଆସି ଦେଖ ମାତା ଏହି ଯେ ପେଟରା।

 

କେତେ ଧନ ରତ୍ନେ ଏହୁ ହୋଇଅଛି ଭରା॥

।୧୪।

 

 

 

 

ପ୍ରସନ୍ନ ହୋଇଣ ରାଣୀ ରତନ ଭୂଷଣ।

 

ଯତ୍ନ କରି ଦେଇଛନ୍ତି ବଧୂ ନିମନ୍ତେଣ॥

।୧୫।

ଏତେ କହି ଚନ୍ଦ୍ରସେଣା କହେ ମାତା ପ୍ରତି।

 

ଶୁଣ ମାତା ଆଶୀର୍ବାଦ କରେ ଯଶୋମତୀ॥

।୧୬।

 

 

ଏହି ଆଶୀର୍ବାଦ ମାତା କୁହ ଗୋ ବଧୂକୁ।

 

ରତ୍ନ ଅଳଙ୍କାର ସବୁ ଦିଅ ରାଧିକାକୁ॥

।୧୭।

ଏହା ନେଇ ନିଜ ଅଙ୍ଗେ କରୁ ସେ ଭୂଷଣ।

 

ହେବ ପତିକୁଳେ ଏ ଦୁର୍ଲ୍ଲଭ ସର୍ବ କ୍ଷଣ॥

।୧୮।

 

 

ଜଟିଳା ସନ୍ତୋଷ ହୋଇ ମନେ ମନେ କହେ।

 

ମୋର ବଧୂ ଲାଗି ଯଶୋବନ୍ତୀ ଭଲ ଦିଏ॥

।୧୯।

ଅଳଙ୍କାର ପାଇ ବଧୁ ମୋର ପୁତ୍ର ପ୍ରତି।

 

ଜାଣିଲି ଏଥର ସେ ପ୍ରସନ୍ନ ହେବ ଅତି॥

।୨୦।

 

 

ହସିଣ ଜଟିଳା ବୁଢ଼ୀ ପୁତ୍ରକୁ ଯେ କହେ।

 

ଶୁଣ ପୁତ୍ର ଏ ପେଟିକା ବଡ଼ ଭାରି ହୋଏ॥

।୨୧।

ତୋହର ଭଗିନୀ କୁଟିଳା ଯେ ଶିଶୁ ସମ।

 

ମୁହିଂ ଅତି ଜରା ଭାର ବହନେ ଅକ୍ଷମ॥

।୨୨।

 

 

 

 

ଗୃହ ମଧ୍ୟେ ବଧୁ ମୋର ଅଛି ଯେଉଂ ଠାରେ।

 

ପେଟିକାକୁ ଦିଅ ନେଇ ତାଙ୍କ ସମ୍ମୁଖରେ॥

।୨୩।

ଏହା ଶୁଣି ଚନ୍ଦ୍ରସେଣା ପେଟରା ନେଇଣ।

 

ରାଧା ଆଗେ ରଖିଦେଲେ ହରଷ ମନେଣ॥

।୨୪।

 

 

ତାହା ଦେଖି ସଖୀଗଣ ଅତି ହର୍ଷ ମନ।

 

ଲଳିତାକୁ ରାଧାଦେବୀ ବୋଲନ୍ତି ବଚନ॥

।୨୫।

ଶୁଣ ସଖୀ ଆଜ ମୋର ବାମ ପଟ ନେତ୍ର।

 

ନାଚୁଅଛି କି କାରଣେ ଏ ବଡ଼ ବିଚିତ୍ର॥

।୨୬।

 

 

ଶୁଣିଣ ଲଳିତା ତାଙ୍କୁ କହନ୍ତି ଉତ୍ତର।

 

ପେଟିକାରେ ଅଛି ସଖୀ ବସ୍ତୁ ମନୋହର॥

।୨୭।

ମଣିନ୍ଦ୍ର ଭୂଷଣ ନନ୍ଦରାଣୀ ଦେଇଛନ୍ତି।

 

ତାହା ପ୍ରାପ୍ତ ଲାଗି ତୁମ୍ଭ ନେତ୍ର ନାଚୁଛନ୍ତି॥

।୨୮।

 

 

ପୁନର୍ବାର ହସି ରାଧା କହନ୍ତି ସଖୀରେ।

 

ସୈାଭାଗ୍ୟ ସଂପଦ ଅଛି ପେଟିକା ମଧ୍ୟରେ॥

।୨୯।

ପେଟିକା ଦେଖିଣ ମୋର ମନ ଅତିଶୟ।

 

ଚଞ୍ଚଳ ହେଉଛି ସଖୀ ଜାଣିଲି ନିଶ୍ଚୟ॥

।୩୦।

 

 

 

 

ଆସ ଗୋ ପେଟିକା ସଖୀ ଦେଖିବା ଖୋଲିଣ।

 

ଏହାର ମଧ୍ୟରେ ଅଛି କି କି ଆଭରଣ॥

।୩୧।

ଏହିପରି ସର୍ବ ସଖୀ ହୋଇଣ ହରଷ।

 

ଘେରିଣ ବସିଲେ ପେଟିକାର ଚାରି ପାଶ॥

।୩୨।

 

 

ତହୁଂ ଶ୍ରୀରାଧିକା ଆସି ଆପଣାର ହାଥେ।

 

ପେଟିକା ଖୋଲିଲେ ଅତି ଆନନ୍ଦିତ ଚିତ୍ତେ॥

।୩୩।

ପେଟିକା ମଧ୍ୟରୁ କୃଷ୍ଣ ହୋଇଲେ ବାହାର।

 

ସଖୀଗଣ ତାହା ଦେଖି ହେଲେ ଚମତ୍କାର॥

।୩୪।

 

 

ହସି ହସି କରତାଳି ଦିଅନ୍ତି ସମସ୍ତେ।

 

ଏ କି ଅଦଭୁତ ସଖୀ ଦେଖ ଗୋ ସାକ୍ଷାତେ॥

।୩୫।

ଅନ୍ତପୁରେ ବସିଛନ୍ତି ସର୍ବ ସଖୀଗଣ।

 

ଅଙ୍ଗରେ ଯେ କାହାରଟି ନାହିଂନା ବସନ॥

।୩୬।

 

 

ଏକାବେଳେ ସବୁରି ବଦନ ଦେଖି କୃଷ୍ଣ।

 

ଆନନ୍ଦ ଚିତ୍ତରେ ମାତି ହୋଇଲେ ସନ୍ତୁଷ୍ଟ॥

।୩୭।

ହସିଣ ଲଳିତା ତହିଂ କହେ ରାଧା ପ୍ରତି।

 

ଧନ୍ୟ ଏ ଭୁଷଣ ବସ୍ତୁ ଧନ୍ୟ ଗୃହପତି॥

।୩୮।

 

 

 

 

ଯେ ଆଣିଲା ଆପଣାର ମସ୍ତକରେ ବୋହି।

 

ଧନ୍ୟ ଗୋପେଶ୍ୱରୀ ଏହା ଦେଲା ଗୋ ପଠାଇ॥

।୩୯।

ଯଶୋଦା ଜଟିଳା ପୁଣି ପତି ଚନ୍ଦ୍ରସେଣ।

 

ଏହି ତିନିଜଣ ତୋର ଗୁରୁବର୍ଗ ମାନ॥

।୪୦।

 

 

ଏ ତିନିଙ୍କ ବାକ୍ୟ ତୁହି ପାଳନ ଗୋ କର।

 

ଏ ଭୂଷଣ ନେଇ ଶ୍ରୀଘ୍ର ନିଜ ଅଙ୍ଗେ ଭର॥

।୪୧।

ଲଳିତାର ଏହି ବାକ୍ୟ ରାଧିକା ଶୁଣିଣ।

 

ଲଜ୍ଜାରେ ରହିଲେ ସେହୁ ମଉନ ହୋଇଣ॥

।୪୨।

 

 

ରାଧିକାର ପ୍ରତି ଏହା କହିଣ ଲଳିତା।

 

କୃଷ୍ଣ ପ୍ରତି କହେ ତହୁଂ ହୋଇଣ ଗର୍ବିତା॥

।୪୩।

ଶୁଣ କାହ୍ନୁ ବହୁ ରତ୍ନ ପେଟିକାରେ ଭରି।

 

ମୋହର ସଖୀ ନିମନ୍ତେ ଦେଲେ ବ୍ରଜେଶ୍ୱରୀ॥

।୪୪।

 

 

ତାହା ତୁମ୍ଭେ ଚୋରିକରି ରଖି କେଉଂଠାରେ।

 

ପ୍ରବେଶ ହୋଇଲ ନିଜେ ପେଟିକା ମଧ୍ୟରେ॥

।୪୫।

ସବୁ ଅଳଙ୍କାର ତୁମ୍ଭେ ଆଣ ହୋ ଝଟତି।

 

ନହେଲେ କହିଣ ଦେବି ଜଟିଳାର କତି॥

।୪୬।

 

 

 

 

ଚନ୍ଦ୍ରସେଣା ପ୍ରତି ତୁମ୍ଭେ କଲ ଅବିଚାର॥

 

ପୃଥିବୀକୁ ସତୀ ଶୂନ୍ୟ କରିବାକୁ ଚାହଂ।

।୪୭।

ନିଶ୍ଚୟ ହେ କୃଷ୍ଣ ତୁ୍ମ୍ଭେ ରତ୍ନ ଆଣିଦିଅ॥

 

କୃଷ୍ଣ କହନ୍ତି ଲଳିତା କହୁଅଛି ତୋତେ।

।୪୮।

 

 

ତୁମ୍ଭ ସଖୀ ଧୂର୍ତ୍ତ ଅଟେ ମିଛେ ଭଣ୍ଡେ ମୋତେ॥

 

ପେଟିକା ମଧ୍ୟେ ସୁଗନ୍ଧ ଦ୍ରବ୍ୟମାନ ଦେଖି।

।୪୯।

ସେ ସମସ୍ତ ସମର୍ପିଲେ ଧନିଷ୍ଠା ଯେ ସଖୀ॥

 

ଶ୍ରୀଅଙ୍ଗକୁ ସୁବାସିତ କରିବାକୁ ମନ।

।୫୦।

 

 

ବଳିବାରୁ ପଶିଲି ମୁଂ ପେଟିକା ମଧ୍ୟେଣ॥

 

ତୁମ୍ଭ ସଖୀ ପଠାଇଣ ଅତି ଆପଣାର।

 

ମୋତେ ଗୋ ଆଣିଲା ସେହି କରି ବଳାତ୍କାର॥

।୫୧।

ମନଦେଇ ଶୁଣ ଆଗୋ ଲଳିତା ସୁନ୍ଦରୀ।

 

ଆମ୍ଭ ଦୁହିଂଙ୍କର ଦୋଷାଦୋଷ ନ୍ୟାୟ କରି॥

।୫୨।

 

 

ଯଦି ଦୋଷ ଥାଏ ତେବେ ଦଣ୍ଡ ଦିଅ ମୋତେ।

 

ତୁମ୍ଭ ଭୁଜ ପାଶେ ବାନ୍ଧି ମୋତେ ହୃଷ୍ଟ ଚିତ୍ତେ॥

।୫୩।

ଦିବା ରାତ୍ରି ବନ୍ଦୀ ହୋଇ ରହିବି ଯେ ମୁହିଂ।

 

ଏହି ଦଣ୍ଡ ଅଙ୍ଗୀକାର କରୁଅଛି ସହୀ॥

।୫୪।

 

 

 

 

ଲଳିତା ବୋଲନ୍ତି ଆଗୋ ରାଧିକା ସୁନ୍ଦରୀ।

 

ନିଅ ଅଳଙ୍କାର ପିନ୍ଧ ଅତି ଯତ୍ନ କରି।

।୫୫।

ଏହା କହି ଲଳିତା ଯେ ରାଧା କର ଧରି।

 

କୃଷ୍ଣଙ୍କ ପାଖକୁ ନେଲେ ଧୀର ଧୀର କରି॥

।୫୬।

 

 

ଚାରିପାଖେ ସଖୀଗଣ ମଧ୍ୟେ ରାଧା କୃଷ୍ଣ।

 

ମଙ୍ଗଳ ଗୀତ ଗାଆନ୍ତି ହୋଇଣ ସନ୍ତୁଷ୍ଟ॥

।୫୭।

କହୁ କହୁ ରାଧା କୃଷ୍ଣ ପ୍ରେମ ଯେ ବଢିଲା॥

 

ଏଣେ ଘର କଥା ସବୁ ମନରେ ପଡ଼ିଲା।

।୫୮।

 

 

ଜନନୀ ମୋହର ଅତି ଆକୁଳ ହୋଇଣ।

 

ଖୋଜୁଥିବେ ମୋତେ ପରା ହୋଇଣ ଉଚ୍ଛନ୍ନ॥

।୫୯।

ସବୁ ସଖୀମାନଙ୍କୁ ଯେ କହିଣ ଆସିଲେ।

 

ଆପଣା ନଗ୍ରରେ ଆସି ପ୍ରବେଶ ହୋଇଲେ॥

।୬୦।

 

 

ଏ ସମୟେ ଯଶୋଦା ଖୋଜନ୍ତି କୃଷ୍ଣ କାହିଂ।

 

ସମ୍ମୁଖେ ପ୍ରବେଶ ହେଲେ ନନ୍ଦର କହ୍ନାଇ॥

।୬୧।

କୃଷ୍ଣଙ୍କୁ ଦେଖିଣ ରାଣୀ ଆନନ୍ଦ ହୋଇଣ।

 

କେଣେ ବୁଲି ଯାଇଥିଲୁ ଆରେ ବାପଧନ॥

।୬୨।

 

 

 

 

ସର ଲବଣୀ ଗୋଟିକା ଅଧାମ ଭୁଞ୍ଜାଇ।

 

ଗୃହରେ ରଖିଲେ ଅତି ଆନନ୍ଦିତ ହୋଇ॥

।୬୩।

ଯାହା ଅଳ୍ପ ଜାଣିଥିଲି କହିଲି ବୁଝାଇ।

 

ଅଚ୍ୟୁତାନନ୍ଦ ବୋଲନ୍ତି ଦୋଷ ଦେବ ନାହିଂ॥

।୬୪।

 

ଓଗାଳ – ୧୦

ଗୋଭେଦ ଚିତ୍ରଣ

ସର୍ବ ଗୋପାଳ ଭାଇଙ୍କୁ ଯୋଡ଼ୁଛି ମୁଂ କର।

 

ମୋ ବିନୟ କଥା ଭାଇ ଶୁଣିବି କର୍ଣ୍ଣର॥

।୧।

ଅଜ୍ଞାନ ପରାଏ ଭାଇ ନ କହିବ କିଛି।

 

ସମସ୍ତ କହିବ ମୋତେ ପାଦରେ ପଡ଼ୁଛି॥

।୨।

 

 

ପ୍ରଶ୍ନ ଏକ ପଚାରୁଛି ମନ ଦେଇ ଶୁଣ।

 

ଉତ୍ତର କହିବ ଭାଇ ମନରେ ଚିନ୍ତିଣ॥

।୩।

ଗାଈମାନେ କେତେ ବର୍ଣ୍ଣ କହିବ ହେ ଭାଇ।

 

କେତେ ବର୍ଣ୍ଣ ହେଲେ ଗାଈ ପୂରଣ ହୁଅଇ॥

।୪।

 

 

ଆଦ୍ୟରେ ଯେ କେଉଂ ଗାଈ ଜନମ ହୋଇଲା।

 

କାହାଠାରୁ କିଏ ପୁଣି ଉତପତି ହେଲା॥

।୫।

ଏହିପରି ଗୋଟି ଗୋଟି କହବି ବୁଝାଇ।

 

ତୁମ୍ଭେ ଆମ୍ଭେ ଏକା ସିନା ଭିନ୍ନାଭିନ୍ନ ନାହିଂ॥

।୬।

 

 

ରାଧା କୃଷ୍ଣ କଥା ଭାଇ ଯେତେ ପଡ଼ୁଥିବ।

 

ଏ ଜୀବ ଆତ୍ମା ଶୁଣିଣ ଉଦ୍ଧାର ହୋଇବ॥

।୭।

କୃଷ୍ଣ ବିନା ପରିତ୍ରାଣ ଜାଣ ଆଉ ନାହିଂ।

 

ସେ ନାମକୁ ଛାଡ଼ିଦେଲେ କୁଳ ବୁଡ଼େ ଭାଇ॥

।୮।

ସେ ନାମକୁ କ୍ରମେ କ୍ରମେ ଚରଚା କରିବ।

 

ଅଚ୍ୟୁତାନନ୍ଦ କୁହନ୍ତି ସଂସାରୁ ତରିବ॥

।୯।

ଉତ୍ତାର

ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା।

 

ଗୋଟି ଗୋଟି କରି ଏବେ କହିଦେବା ତାହା॥

।୧।

ମନଦେଇ ଶୁଣୁଥିବ ହୃଷ୍ଟ କରି ଚିତ୍ତ।

 

ଏବେ କହୁଅଛି ମୁହିଂ ଗୋମାତା ଚରିତ॥

।୨।

ଗୋରୁଙ୍କର ବର୍ଣ୍ଣ ଯାହା ଜାଣିଅଛି ଭାଇ।

 

ମନ ଦେଇ ଶୁଣ ଏବେ କହୁଅଛି ମୁହିଂ॥

।୩।

କପିଳା, ବଉଳା, କଇଂଫୁଲିଆ, ଶ୍ୟାମଳୀ।

 

କାଇଂଶିଆ, କଜଳିଆ, ଧବଳୀ ଯେ କାଳୀ।।

।୪।

କଷରୀ, ଚାନ୍ଦିଆ, ଶଙ୍ଖବର୍ଣ୍ଣ, ପାଉଂଶିଆ।

 

ପାଟଳି ଜାତି, କଅଂରୀ, ଖଇରୀ, ଛଉଆ॥

।୫।

ଏହି ଷୋଳ ବର୍ଣ୍ଣ ଗାଈ ଅଟଇ ପ୍ରମାଣ।

 

ବୁଝାଇ କହିଲି ଏହା ହେତୁ ଚିତ୍ତେ ଘେନ॥

।୬।

 

 

ଗାଈଙ୍କର ବର୍ଣ୍ଣ ଯାହା ଶୁଣିଲ ତ ଭାଇ।

 

ଏବେ ତାଙ୍କ ଜନ୍ମ କଥା ଶୁଣ ମନ ଦେଇ॥

।୭।

ବସୁମାତା ବୋଲି ତାକୁ ବେଦ ଯେ ବଖାଣି।

 

ପୃଥ୍ୱୀ ଧରିବାକୁ ତାର ନାମ ଯେ ଧରଣୀ॥

।୮।

 

 

ଧେନୁ ରୂପରେ କପିଳା ହୋଇଲା ଜନମ।

 

ତାଙ୍କଠାରୁ ଜନମିଲା ବଉଳା ଯେ ପୁଣ॥

।୯।

ବଉଳାଠାରୁ ବିମଳା ଜନମ ହୋଇଲା।

 

ବିମଳାର ଝିଅ ତଇତିଳା ଯେ ହୋଇଲା॥

।୧୦।

 

 

ତଇତିଲା ଠାରୁ ହେଲା ସୁରଭୀ ଯେ ଜାତ

 

ସୁରଭୀ ଝିଅ ନନ୍ଦିନୀ ନାମରେ ବିଖ୍ୟାତ॥

।୧୧।

ନନ୍ଦିନୀ ଗର୍ଭରୁ ରସା ଜନମ ହୋଇଲା।

 

ରସାଠାରୁ ସତ୍ୟମୟୀ ପୁଣି ଜନମିଲା॥

।୧୨।

 

 

ସତ୍ୟମୟୀଠାରୁ ଚିଳୋତ୍ତମା ଜନ୍ମ ହେଲା।

 

ପୃଥୁନା ଯେ ତା ଗର୍ଭରୁ ପୁଣି ଜାତ ହେଲା॥

।୧୩।

ଏହି ଯାଏ ଧେନୁ ହେଲା ଦଶଟି ପୁରୁଷ।

 

ଯାହା ପଚାରିଲୁ ଶୁଣ ଆହେ ଗୋପଶିଷ୍ୟ॥

।୧୪।

 

 

 

 

ପୃଥୁନାଠାରୁ ବଂଶ ଯେ ହୋଇଲା ଅସଂଖ୍ୟ।

 

ମାଈ ବତ୍ସା ଜନମିଲେ ପଞ୍ଚାଶ ଯେ ଲକ୍ଷ॥

।୧୫।

ପଚିଶ ସହସ୍ର ଜାତ ହେଲେ ଯେ ଅଣ୍ଡିର।

 

କ୍ରମେ କ୍ରମେ ବ୍ୟାପିଲେ ଯେ ବିଶ୍ୱ ଚରାଚର॥

।୧୬।

 

 

ଯାହା ପଚାରିଲୁ ଭାଇ ଗୋମାତାର ଜନ୍ମ।

 

ବୁଝାଇ କହିଲି ଭାଇ ରଖ ଏହା ମନ॥

।୧୭।

ଠିକେ ଠିକେ ଏହାକୁ ଯେ କହିଲି ବୁଝାଇ।

 

ଅଚ୍ୟୁତ କହନ୍ତି ଏହା କୃଷ୍ଣ ପାଦ ଧ୍ୟାୟି॥

।୧୮।

 

ଓଗାଳ– ୧୧

ଶୁଣ ହେ ଗୋପାଳ ଭାଇ ଅପୂର୍ବ ରହସ୍ୟ।

 

ଯାହା ଶୁଣି ଭାଇମାନେ ହୋଇବେ ସନ୍ତୋଷ॥

।୧।

ଜଟିଳା ବୁଢ଼ୀକୁ କେଉଂଦିନ ବାଘ ଧରି।

 

ନେଉଥିଲା ମୋତେ ଏହା କହିବ ବିସ୍ତାରି॥

।୨।

 

 

କେଉଂଠାରେ ଥିଲା ବାଘ ଅଇଲା କେମନ୍ତେ।

 

ପିଠିରେ ପକାଇ ବାଘ ନେଲା କେଉଂ ବାଟେ॥

।୩।

କିଂପାଇଂ ପୁଣ ସେ ବାଘ ଛାଡ଼ିଲା ତାହାକୁ।

 

ଏ କଥା ବିଚାରି ଭାଇ କହିବ ଆମ୍ଭଙ୍କୁ॥

।୪।

 

 

ତୁମ୍ଭ ଠାରୁ ଶୁଣି ମୁହିଂ ଲଭିବି ସନ୍ତୋଷ।

 

ଅଚ୍ୟୁତ ବୋଲନ୍ତି ମୋର ନ ଧରିବ ଦୋଷ॥

।୫।

ଉତ୍ତାର

ସୁବଳ ଗୋପାଳ ଶୁଣି ହୋଇଲେ ଆନନ୍ଦ।

 

ଯାହା ପଚାରିଲ ଏବେ ଶୁଣ ତାର ଭେଦ॥

।୧।

ଏକଦିନେ ରାଧିକାକୁ ଜଟିଳା ହକାରି।

 

ବୋଲେ ଆଜିଠାରୁ କାହିଂ ନ ଯିବୁ ସୁନ୍ଦରୀ॥

।୨।

 

 

ଯେଣେ ଯାଉଅଛି ମୁହିଂ ତୋର ଅପବାଦ।

 

ଶୁଣିବାରୁ କର୍ଣ୍ଣକୁ ମୋ ଲାଗୁଅଛି ଖେଦ॥

।୩।

ବାଘ ନ ଖାଇଣ ତୋତେ ରଖିଲା କିପରି।

 

ଆଉ କେଣେ ଯିବୁ ନାହିଂ ଶୁଣ ସୁକୁମାରୀ॥

।୪।

 

 

ଏହା ଶୁଣି ମନେ ରାଈ ଡ଼ାକେ ହରି ହରି।

 

ଏ ବିପଦୁଂ ରକ୍ଷାକର ଆହେ ବଂଶୀଧାରୀ॥

।୫।

ଏ କଥା ଜାଣି ଲଳିତା ବେଗହୋଇ ଗଲା।

 

କୃଷ୍ଣଙ୍କ ଆଗରେ ଯାଇ ସମସ୍ତ କହିଲା॥

।୬।

 

 

ଶୁଣିକରି କୃଷ୍ଣ ତହୁଂ ବାଘ ରୂପ ହେଲେ।

 

ସୁଘଞ୍ଚ ବୁଦାରେ ଯାଇ ଲୁଚିଣ ବସିଲେ॥

।୭।

ଏଣେ ବୁଢ଼ୀ ଜଟିଳା ଯେ ଖାଇସାରି କରି।

 

ହାତ ଧୁଅନ୍ତେଣ ବାଘ ନେଲା ଯେ ଓଟାରି॥

।୮।

 

 

ପିଠିରେ ପକାଇ ବାଘ ଖଣ୍ଡେ ଦୂର ଯାଇ।

 

ବାଟରେ ପକାଇ ଦୂରେ ବସେ ରାଗ ହୋଇ॥

।୯।

ଦେଖିକରି ରାଧାରାଣୀ ମୂର୍ଚ୍ଛାଗତ ହେଲେ।

 

ବାଘ ବାଘ ବୋଲି ସର୍ବେ ଡାକ ତହୁଂ ଦେଲେ॥

।୧୦।

 

 

ସମସ୍ତ ଗୋପାଳମାନେ ଆକୁଳ ହୁଅନ୍ତି।

 

କି କରିବା ଭାଇ ଏବେ ସରିଲା ସମ୍ପତ୍ତି॥

।୧୧।

ଶୁଣି ବୋଲନ୍ତି ନନ୍ଦ ଯେ ସାବଧାନେ ରୁହ।

 

ଗୋବତ୍ସା ଖାଇବ ଆଉ ନାହିଂଟି ସନ୍ଦେହ॥

।୧୨।

 

 

ଏହା କହି ନନ୍ଦ ଯଶୋଦା ଯେ ବାହାରିଲେ।

 

ଜଟିଳା ପଡ଼ିଅଛି ଯେ ଦେଖିବାକୁ ଗଲେ॥

।୧୩।

କୃଷ୍ଣ ଗୋଡ଼ାଇ ବୋଲନ୍ତି ଯିବି ମୁଂ ସଙ୍ଗର।

 

ଦେଖିବି ଜୀବିତ ବାଘ କେଉଂ ପରକାର॥

।୧୪।

 

 

ନନ୍ଦ ବୋଲନ୍ତି ଯେ ଘରେ କାଠ ବାଘ ଅଛି।

 

ଦେଖିବୁ ଯା ଆନନ୍ଦରେ ଆରେ ଶିରୀବତ୍ସି॥

।୧୫।

ନାହିଂ ବାପା ଯିବି ମୁହିଂ ତୁମ୍ଭରି ସଙ୍ଗର।

 

ଦେଖିବି ଜୀବିତ ବାଘ କେମନ୍ତ ପ୍ରକାର॥

।୧୬।

 

 

ସମସ୍ତ ଗୋପାଳମାନେ ଚାଳନ୍ତି ଝସାଇ।

 

କେମନ୍ତେ ରକ୍ଷା ହୋଇବା ଆମ୍ଭେ ଆରେ ଭାଇ॥

।୧୭।

କହ୍ନାଇ ବୋଲନ୍ତି କିଛି ଭୟ ନାହିଂ ଭାଇ।

 

ବାଘ ବାରିଣି ମନ୍ତ୍ର ଯେ ମୁଂ ଜାଣି ଅଛଇ॥

।୧୮।

 

 

 

 

ତୁମ୍ଭ ଦେହକୁ ମନ୍ତ୍ରରେ ଦେଉଛି ମୁଂ ଝାଡ଼ି।

 

ବାଘ ପଳାଇବ ତୁ୍ମ୍ଭେ ଦେଲେ ଯେ ଘଉଡ଼ି॥

।୧୯।

ମନ୍ତ୍ରରେ ଝାଡ଼ିଲେ ଯହୁଂ ନନ୍ଦର କୁମର।

 

ଠେଙ୍ଗା ବାଡ଼ି ଧରି ବାହାରନ୍ତି ଗୋପ ନର॥

।୨୦।

 

 

ଦେଖିଲେ ଯେ ବୁଢ଼ୀ ପଡ଼ିଅଛି ଖଣ୍ଡେ ଦୂର।

 

ବାଘ ଚାହିଂ ବସିଅଛି ତାହା ନିକଟର॥

।୨୧।

ତାହା ଦେଖି ଗୋପାଳେ ଯେ ଭୟରେ ନ ଗଲେ।

 

ପଚଘୁଞ୍ଚା ଦେଇଣ ଯେ ସମସ୍ତେ ରହିଲେ॥

।୨୨।

 

 

ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଆସ ପଛ ହୋଇ।

 

ମୁଂ ଯାଉଛି ବାଘକୁ ଯେ ଦେବି ଘଉଡ଼ାଇ॥

।୨୩।

ଏତେ କହି ନନ୍ଦସୂତ ବେଗହୋଇ ଗଲେ।

 

ବୁଢ଼ୀର ନିକଟେ ଯାଇ ପ୍ରବେଶ ହୋଇଲେ॥

।୨୪।

 

 

କୃଷ୍ଣଙ୍କୁ ଦେଖିଣ ମାୟା ବାଘ ପଳାଇଲା।

 

ବନସ୍ତରେ ଯାଇ ବାଘ ଲୁଚିଣ ବସିଲା॥

।୨୫।

ବୁଢ଼ୀକୁ ଉଠାଇ ବେଗେ ଧଇଲେ ଶ୍ରୀହରି।

 

ପାଣି ଆଣ ବୋଲି ଡାକ ଦିଅନ୍ତି ମୁରାରି॥

।୨୬।

 

 

 

 

ଡାକ ଶୁଣି ସର୍ବେ ଜଳ ଘଟି କରେ ଧରି।

 

ପ୍ରବେଶ ହୋଇଲେ ଯହିଂ ଛନ୍ତି ବଂଶୀଧାରୀ॥

।୨୭।

ବୁଢ଼ୀ ମୁଖେ ଜଳ ସିଞ୍ଚି ସଚେତ କରିଲେ।

 

ବାଘ ଭୟ ଗଲା ଯହୁଂ ସର୍ବେ ସୁସ୍ଥ ହେଲେ॥

।୨୮।

 

 

ଜଟିଳାକୁ ଘେନିଣ ସକଳ ଗୋପ ଗୋଈ।

 

କେମନ୍ତେ ଗୋ ବାଘ ନେଲା କହ ମାତା ତୁହି॥

।୨୯।

ଶୁଣି ଜଟିଳା କହନ୍ତି ମନ୍ଦ ବୁଦ୍ଧି କଲି।

 

ସୂର୍ଯ୍ୟପୂଜା ବନ୍ଦ କରି ବୋହୂକୁ ରଖିଲି॥

।୩୦।

 

 

ତେଣୁ ଏ ଦଶାକୁ ମୁହିଂ ଅର୍ଜିଲି ଗୋ ଝିଅ।

 

ସୂର୍ଯ୍ୟପୂଜା କରୁ ଏବେ ବଧୂକୁ ମୋ କୁହ॥

।୩୧।

ଯାହା ପଚାରିଲ ଭାଇ ଶୁଣିଲ ଉତ୍ତର।

 

ଅଚ୍ୟୁତ ଦାସ ବୋଲନ୍ତି ଗୋପାଳ ହିତର॥

।୩୨।

 

Unknown

ଓଗାଳ – ୧୨

ବାଡ଼ି ମାପ

ଶୁଣ ହେ ଗୋପାଳ ଭାଇ ଡ଼େରି ଶ୍ରୁତିପଥ।

 

ଯାହା କହୁଅଛି ମୁହିଂ ଜାଣିବା ବୃତ୍ତାନ୍ତ॥

।୧।

ଗାଈକି ଚରାଇ ତୁମ୍ଭେ ଯାଅ ବନସ୍ତର।

 

ବାଡ଼ିଖଣ୍ଡ ଧରିଥାଅ କିମ୍ପାଇ ଯେ କର॥

।୨।

 

 

ସେ ବାଡ଼ି କେତେ ଆଙ୍ଗୁଳ କହିବୁରେ ଭାଇ।

 

ଅମାପେ ବାଡ଼ି ଧରିଲେ ଗୋରୁ ବଢେ ନାହିଂ॥

।୩।

ମାପକରି ଯେବେ ବାଡ଼ି ଧରିବଟି କର।

 

ନିଶ୍ଚୟ ଗୋରୁ ଉନ୍ନତ ହୋଇବେ ତୁମ୍ଭର॥

।୪।

 

 

ଏ ଆମ୍ଭର ଇଷ୍ଟବାକ୍ୟ ଶୁଣିଥାଅ ଭାଇ।

 

ଅମାପରେ ବାଡ଼ି କେବେ ଧରିବ ଯେ ନାହିଂ॥

।୫।

ମାପ ଥିବା ବାଡ଼ି ଯେବେ ଧରିଥିବ କର।

 

ଶତ୍ରୁ ସଙ୍ଗେ ଯୁଦ୍ଧ କଲେ ଜୟ ଯେ ତୁମ୍ଭର॥

।୬।

 

 

ଗାଈ ମଇଂଷିମାନଙ୍କୁ ଯେବେ ରୋଗ ହୋଇ।

 

ଏ ବାଡ଼ି ବୁଲାଇଦେଲେ ଭଲ ଯେ ହୋଅଇ॥

।୭।

କୃଷ୍ଣ କୃଷ୍ଣ କହି ତିନିବାର ମନ୍ତ୍ର ପଢି।

 

ବାଟି ଘୋରି ପିଆଇଲେ ଯିବ ରୋଗ ଛାଡ଼ି॥

।୮।

 

 

କୃଷ୍ଣ କୃଷ୍ଣ କରି ବାଡି ଧରି ବୁଲାଇଲେ।

 

ହଜିଲା ଗୋରୁ ମଇଂଷି ମିଳିଯିବେ ଭଲେ॥

।୯।

ବାଡ଼ି ଧରିକରି ଭାଇ ବୁଲିଲେ ବନର।

 

ଭୂତପ୍ରେତ ଆଦି କେହି ନ ଆସେ ପାଶର॥

।୧୦।

 

 

କେତେ ଆଙ୍ଗୁଳି ବାଡ଼ି ବହିଛ ହୋ ଭାଇ।

 

ପ୍ରଥମରେ ବାଡ଼ି କାହା ପାଖେ ଥିଲା ରହି॥

।୧୧।

କିଏ ତୁମ୍ଭ ଇଷ୍ଟ ଆଉ କାହା ଶିଷ୍ୟ ଭାଇ।

 

ଅଚ୍ୟୁତ କହନ୍ତି ମୋତେ ଦିଅ ଯେ ବୁଝାଇ॥

।୧୨।

ଉତ୍ତାର

ଶୁଣ ହେ ସିହାଣ ଭାଇ ପଚାରିଲ ଯାହା।

 

ମନକର୍ଣ୍ଣ ଦେଇ ଶୁଣ କହୁଅଛି ତାହା॥

।୧।

ଯଶୋଦା କୋଳେ ବଢିଲେ ନନ୍ଦର କହ୍ନାଇ।

 

ଗୋବତ୍ସା ସଙ୍ଗରେ ଯାନ୍ତି ଗୋଡ଼ାଇ ଗୋଡ଼ାଇ॥

।୨।

 

 

 

 

ଯଶୋଦା ବୋଲନ୍ତି ବାବୁ ଶୁଣରେ କୁମର।

 

କାହିଂକି ଯାଉଛୁ ବାବୁ ଗୋବତ୍ସା ସଙ୍ଗର॥

।୩।

ଖାଇଲେ ଯାହାକୁ ହାତ ଧୋଇ ଆସେ ନାହିଂ।

 

ସେ ପୁଣି ଖରାରେ ବତ୍ସା ସଙ୍ଗରେ ବୁଲଇ॥

।୪।

 

 

ଆଉ ବାବୁ ନ ଯିବୁ ତୁ ବତ୍ସା ଚରାଇଣ।

 

ବାନ୍ଧି ରଖିବି ମୁଂ ଘରେ ଜାଣିଥାଅ ପୁଣ॥

।୫।

କୃଷ୍ଣ ବୋଲନ୍ତି ଗୋ ମାତା ଶୁଣ ମନ ଦେଇ।

 

ଗୋରୁ ଚରାଇବା ଆମ୍ଭ ବିହିତ ଅଟଇ॥

।୬।

 

 

ବୃତ୍ତି ଶିଖିଥିଲେ ସିନା ରାଜା ବୋଲାଇବା।

 

ଅଧର୍ମୀ ପରାଏ କିମ୍ପା ଘରେ ରହିଥିବା॥

।୭।

ଏ ସମୟେ ପୈାର୍ଣ୍ଣମାସୀ ପ୍ରବେଶ ହୋଇଲେ।

 

କିସ କରୁଅଛ ଯଶୋବନ୍ତୀକୁ କହିଲେ।

।୮।

 

 

ଯଶୋବନ୍ତୀ ବୋଲନ୍ତି ଗୋ ଶୁଣ ପୈାର୍ଣ୍ଣମାସୀ।

 

କି କହିବି କାହ୍ନୁ ମୋର ମାନୁନାହିଂ କିଛି॥

।୯।

ବତ୍ସା ଚରାଇବା ଏକ ଝୁଙ୍କ ଧରି କରି

 

ବନରେ ବୁଲଇ ପ୍ରେତ ପିଶାଚ ନ ଡ଼ରି॥

।୧୦।

 

 

 

 

ଶୁଣି ପୈାର୍ଣ୍ଣମାସୀ ବୋଲେ ଶୁଣ ଯଶୋବନ୍ତୀ।

 

କାହ୍ନୁକୁ ଘେନି ଯାଉଛି ଗୋବର୍ଦ୍ଧନ କତି॥

।୧୧।

ସେସବୁ ଜାଣଇ ବିଦ୍ୟା କିଛି ଭୟ ନାହିଂ।

 

ନନ୍ଦ ଯଶୋଦାଙ୍କୁ କହି ବେଗେ ନେଲେ ତହିଂ॥

।୧୨।

 

 

ଦୁରୁ ଦେଖି ଗୋବର୍ଦ୍ଧନ ଆନନ୍ଦ ହୋଇଲେ।

 

କେଣେ ଆସିଅଛ ପୈାର୍ଣ୍ଣମାସୀକି କହିଲେ॥

।୧୩।

ବୁଢ଼ାକାଳେ ନନ୍ଦର ଏ ହୋଇଛି କୁମର।

 

ଗାଈ ଚରାଇବା ଶ୍ରଦ୍ଧା ଅଟଇ ଏହାର॥

।୧୪।

 

 

ତୋହଠାରୁ ତନ୍ତ୍ର ମନ୍ତ୍ର ଯେ ଶିଖିବା ପାଇଂ।

 

ଆସିଅଛି ମୋର ସଙ୍ଗେ ଗୋଡ଼ାଇ ଗୋଡ଼ାଇ॥

।୧୫।

ଏ ତୋହର ପିଲା ଭାଇ ନ ଜାଣଇ କିଛି।

 

ଗୋଶାସ୍ତ୍ର ବିଦ୍ୟା ବତାଅ ତୋତେ କହୁଅଛି॥

।୧୬।

 

 

ଶୁଣିକରି ଗୋବର୍ଦ୍ଧନ ଆନନ୍ଦ ହୋଇଲେ।

 

ଗୋବର୍ଦ୍ଧନ ମଲ୍ଲ ତହୁଂ ବିଦ୍ୟା ଶିକ୍ଷା ଦେଲେ॥

।୧୭।

ପାଞ୍ଚଗୋଟି ବିଦ୍ୟା କହି ଦେଇଛନ୍ତି ଭାଇ।

 

ଗୋଟିକର କଥା ପଚାରିଲୁ ମୋତେ ତୁହି॥

।୧୮।

 

 

 

 

ବାଡ଼ି ନବେ ଆଙ୍ଗୁଳ ଯେ ଅଟଇ ପ୍ରମାଣ।

 

ଗୋପେଶ୍ୱରଠାରୁ ପାଇଥିଲେ ଗୋବର୍ଦ୍ଧନ ॥

।୧୯।

ମହାଦେବ କହିଥିଲେ ଗୋବର୍ଦ୍ଧନକୁ ହିଂ।

 

ଏ ପାଞ୍ଚ ପଦାର୍ଥ ରଖିଥିବୁ ଏବେ ତୁହି॥

।୨୦।

 

 

ନନ୍ଦଘରେ କୃଷ୍ଣ ଯେବେ ଜନମ ହୋଇବ।

 

ତୁମ୍ଭ ପାଖକୁ ଆସିଲେ ତୁମ୍ଭେ ଯାଚି ଦେବ॥

।୨୧।

ଯାହା ଅଳ୍ପ ଜାଣିଥିଲି କହିଲି ରେ ଭାଇ।

 

ଅଚ୍ୟୁତ ବୋଲନ୍ତି ଦୋଷ ନଦେବ ହେ କେହି॥

।୨୨।

 

ସପ୍ତମ ଭାଗ

ରାଧା କଳଙ୍କ ଭଂଜନ

ଗୀତ– ୧

ଦିନେ କଳାକାହ୍ନୁ କପଟ କରି।

 

ଶୋଇଲେ ମିଛେ ଜରୁଆଙ୍କ ପରି॥

।୧।

ଦେହରେ ତାତି ଖଇ ଫୁଟୁଥାଏ।

 

କୃଷ୍ଣ ହୋଇଲେ ବାତୁଳ ପରାଏ॥

।୨।

ଶୋଷେ ଘନ ଘନ ଖୋଜନ୍ତି ପାଣି।

 

ଦେଖି ମାତାଙ୍କ ହୃଦ ହେଲା ହାଣି॥

।୩।

ଡ଼ରିଯାଇଛି ମୋ ଗଳାର ହାର।

 

କୋଳେ ଧରି ମାତା ହେଲେ ଅଧିର॥

।୪।

ଗୀତ – ୨

ଦୁଃଖେ ଯଶୋବନ୍ତୀ       ବୈଦ୍ୟକୁ ପୁଚ୍ଛନ୍ତି

ଜାଣିଛ କି କବିରାଜି।

କି କାରଣେ ପୁତ୍ର      ଖୋଲୁ ନାହିଂ ନେତ୍ର

ଜ୍ୱରରେ ଯାଏ ଆଉଜି॥

ନୀଡ଼ୀ ଦେଖି ବୁଢ଼ା      ଦଣ୍ଡେ ହେଲା ଛିଡ଼ା

କହିଲା ରୋଗ ବିଧାନ॥

ଏ ବିଷମ ଜ୍ୱର      ଅଢ଼େଇ ପ୍ରହର

ନେଇପାରେ ରୋଗୀ ପ୍ରାଣ॥

ଅଛି ଏକ ବିଧି      କରିପାର ଯଦି

ଶାସ୍ତ୍ରରେ ପ୍ରମାଣ ଏହି।

ଶତ ଛିଦ୍ର କୁମ୍ଭେ      କଳ ଆଣି ତୁମ୍ଭେ

ରୋଗୀକୁ ଦିଅ ଗୋଧୋଇ॥

ଜନ୍ମଦାତ୍ରୀ ଛଡ଼ା      ଅନ୍ୟ କେହି ନାରୀ

ପାଳିଥିଲେ ସତ୍ୟବ୍ରତ।

ଛିଦ୍ର କୁମ୍ଭେ ଜଳ      ଆଣିବେ ଚଞ୍ଚଳ

ଆନେ ହେବ ବିପରିତ॥

 

ଶୁଣି ସର୍ବ ଗୋଈ      ଏକୁ ଆର ହୋଇ

ସର୍ବେ ହେଲେ ଠରାଠରି।

ଏ ବୁଢ଼ା ବଇଦ      ଯୋଗୁଂ କର୍ମ ମନ୍ଦ

ହେଲା ଆମ୍ଭର ଭଗାରି॥

 

ଶୁଣି ବୈଦ୍ୟ ବାଣୀ      ଯଶୋବନ୍ତୀ ରାଣୀ

ଛିଦ୍ର କୁମ୍ଭ ଅଣାଇଲେ।

ଜଳ ଆଣିବାକୁ       ଯମୁନା ନଦୀକୁ

ସଭିଂଙ୍କୁ ଆଦେଶ ଦେଲେ॥

ମନେ ଲାଜ ପାଇ      କେହି ଗଲେ ନାହିଂ

ମଉନେ ହୋଇଲେ ଛିଡ଼ା।

ଦେଖି ନନ୍ଦ ରାଜା      ଡ଼କାଇ ପରଜା

ବୋଇଲେ ମୋ କର୍ମ ପୋଡ଼ା॥

ଜଟିଳା କୁଟିଳା      ଆଦି ଯେତେ ବାଳା

ସର୍ବେ ହୋଇଲେ ମଉନେ।

ବୋଲେ ଯଶୋମାତା      ବୃଷଭାନୁ ସୁତା

ରାଧାଙ୍କୁ ଡ଼କା ବହନ॥

ଗୀତ – ୩

ମନେ ଖୁସିହୋଇ କୁଟିଳା ଶ୍ରୀରାଧାଙ୍କୁ ଡ଼କାଇ।

 

ମୁରୁକି ମୁରୁକି ହସିଲେ ତାଚ୍ଛଲ୍ୟ କଥା କହି॥

।୧।

ଆସ ସତୀ ଶିରୋମଣି ଗୋ ହେବ ସତୀ ପରୀକ୍ଷା।

 

ଶୁଣି ରାଧା ଆସି କରିଣ କଲେ କରୁଣା ଭିକ୍ଷା॥

।୨।

 

 

ସମର୍ପିଲେ ନିଜ ଜୀବନ କୃଷ୍ଣ ପାଦ ପୟରେ।

 

ଡ଼ାକିଲେ ରଖ ବଂଶୀଧର କୃପାକରି ମୋଠାରେ॥

।୩।

ରଖ ଘନଶ୍ୟାମ ପ୍ରଭୁ ହେ ରଖ କୁଞ୍ଜବିହାରୀ।

 

ଏ ଦାସୀ ଶ୍ରୀପଦ ସେବୁଛି ନ ହସାଅ ମୁରାରି॥

।୪।

 

 

ଦୟାମୟ ଦୟା ବହିଣ କଳଙ୍କ ଦୁର କର।

 

ଯୁଗେ ଯୁଗେ ରହୁ କୀରତି ଏ ମାଗୁଣି ମୋର॥

।୫।

ଶ୍ରୀକୃଷ୍ଣ ସୁମରି ଶ୍ରୀରାଧା ଛିଦ୍ର କଳସ ଧରି।

 

ଯମୁନା ନଦୀକୁ ଯାଆନ୍ତି ନୀର ଆଣିବେ ଭରି॥

।୬।

 

 

କୁମ୍ଭ ଭର୍ତ୍ତିକରି ଆଣିଲେ ଜଳ ଆନନ୍ଦ ହୋଇ।

 

ନିରେଖି ଚାହାଂନ୍ତି ସରବେ ଜଳ ଅଛି କି ନାହିଂ॥

।୭।

ନନ୍ଦ ଘରେ ହେଲେ ପ୍ରବେଶ ଜଳ ହୋଇଛି ପୂର୍ଣ୍ଣ।

 

ସେହି ଜଳ ନେଇ କୃଷ୍ଣଙ୍କୁ କରାଇଲେ ସ୍ନାହାନ॥

।୮।

 

 

ଜ୍ୱର ଦୂରହେଲା କାହ୍ନୁର ବେଗେ ହେଲେ ଆରୋଗ୍ୟ।

 

କଳଙ୍କ ତୁଟିଲା ମନରୁ ଖୋଲିଲା ରାଧା ଭାଗ୍ୟ॥

।୯।

ରାଧା କୃଷ୍ଣଙ୍କର ରହସ୍ୟ ଅତି ଆଶ୍ଚର୍ଯ୍ୟ ଜାଣ।

 

ଗୀତରେ ଭଣିଲେ ଅଚ୍ୟୁତ ଏ କଳଙ୍କ ଭଜନ॥

।୧୦।

 

କୃଷ୍ଣଙ୍କ କାଚରା ବେଶ

ଦିନେ ବଂଶୀଧାରୀ ମନରେ ବିଚାରି

ହୋଇଲେ କାଚରା ବେଶ।

ଗୋପଦାଣ୍ଡେ ଯାଇ ଡାକୁଛନ୍ତି ରହି

କାଚ କେ କିଣିବ ଆସ॥

 

ନାନା ଜାତି କାଚ      ଆଣିଅଛି ମୁହିଂ

ନେଇ ଯାଅ ବାଛି ବାଛି।

ପସରାରେ ମୋର      ଅନେକ ପ୍ରକାର

କାଚମାନ ରଖିଅଛି॥

 

ଯା ହାତକୁ ଯେଉଂ      କାଚ ଗୋ ମାନିବ

ଦେବି ଯତନେ ପିନ୍ଧାଇ।

କାଚରାର ଡାକ      ଶୁଣି ଗୋପୀ ଯାକ

ମନରେ ଆନନ୍ଦ ପାଇ॥

 

କେଉଂଭଳି କାଚ      ତୁମ୍ଭେ ଆଣିଅଛ

ଦେଖାଅ କାଚରା ଭାଇ।

ନ ଦେଖିଲେ କାଚ      କି ମୂଳ କରିବୁ

ଏହା ଉଚିତ ନୋହଇଂ॥

 

ଡ଼କାଡ଼କି ହୋଇ      ଏକୁ ଆରେ ଚାହିଂ

ବେଢିଲେ କାଚରା ପାଶେ।

ବୋଲନ୍ତି କାଚରା       ଶୁଣ ନାରୀ-ହୀରା

କାଚ ଦେଖି ଯା ହରଷେ॥

 

ନୀଳମେଘୀ କଳା      ବତୀ କାଚ ଅଛି

ଦିଶୁଛି କି ମନୋହର।

ଅସୁନ୍ଦର ନାରୀ      ହୋଇଥିଲେ ଭରି

ଦିଶିବ କେଡ଼େ ସୁନ୍ଦର॥

 

ଯାର ଶ୍ରଦ୍ଧା ଅଛି      ନେଇଯାଅ ବାଛି

ଦେଇଣ ଉଚିତ ମୂଲ।

ଭଳି ଭଳି ଯେତେ      କାଚ ଅଛି ସେତେ

ପିନ୍ଧିଲେ ଲାଗିବ ଭଲ॥

 

 

ଦେଖ ବ୍ରଜ ବାଳୀ      ସୁନେଲୀ ରୂପେଲୀ

କାଚର କିପରି ଖଣି।

ମୋ ପାଖକୁ କିଣି       ନିଅ ଗୋ ତରୁଣୀ

ସତ୍ୟ ଅଟେ ମୋର ବାଣୀ॥

ପଞ୍ଚୁରଙ୍ଗ ବର୍ଣ୍ଣି      ନୀଳ ବାଇଗଣି

ପିନ୍ଧିଲେ ଶୋଭା ଦିଶେଟି।

ନ ଥିଲେଟି ଧନ      କରଜ କରିଣ

ଅବଶ୍ୟ ଆଣ ଝଟତି॥

କାଚ ଅଛି ଦେଖ      ମନ ଥିଲେ ରଖ

ଫୁଟି ଦିଶୁଛି ମାଣିକ୍ୟ।

ହୀରା ମଣି ଏହା      ସୁନା ପାଣିଦିଆ

ସବୁଠାରୁ ଏ ଅଧିକ॥

ରହିଅଛି ଚୁଡ଼ି      ବାଛି ନିଅ କାଢ଼ି

ନୀଳ ଦାଗ ଅଛି ପଡ଼ି।

ଏହାର ମୂଲଟି       ଅଧିକ ହୋଇଛି

ଆଣିଛି ମୁହିଂ ସଜାଡ଼ି॥

 

ଯେତେ ପରକାର      କାଚ ଥିଲା ମୋର

ଦେଖାଇଲି ନିଅ ହସି।

ଶୁଣି ଗୋପୀଗଣ      ବୋଲନ୍ତି ବଚନ

କେଉଂ ଦେଶୁ ଅଛ ଆସି॥

 

ଟୋକା ବୟସକୁ      କାହିଂକି ତୁମ୍ଭକୁ

ଲାଗିଲା ଗୃହ ଜଞ୍ଜାଳ।

କାଚରା ବୋଲନ୍ତି      ଶୁଣ ଗୋ ଯୁବତୀ

ଅତି ମନ୍ଦ ମୋ କପାଳ॥

 

ଅତି ଅଲିଅଳେ      ମୋର ସାଥି ପିଲେ

ଖେଳୁଛନ୍ତି ଗେହ୍ଳା ହୋଇ।

ଦ୍ୱାର ଦ୍ୱାର ବୁଲି      କାଚ ମୁଂ ବିକିଲି

ଲିହିଅଛି କର୍ମେ ବିହି॥

 

ବିଶାଖା ବୋଲନ୍ତି      କୃଷ୍ଣଚନ୍ଦ୍ର କାନ୍ତି

ପରି ଦିଶୁଛି ବଦନ।

କାଚରା କହଇ      କେଉଂ କୃଷ୍ଣ ମୁହିଂ

ଦେଖିନି ତିନି ଭୁବନ॥

 

କାଚରାର କଥା      ଶୁଣିଣ ଲଳିତା

ରାଧାଙ୍କୁ ସଙ୍ଗତେ ଧରି।

ଦୁହେଂ ପରବେଶ      ଦେଖି ପୀତବାସ

କଳା କାଚ ଦେଲେ ଭରି॥

 

କାଚ ପିନ୍ଧିକରି      ରାଧିକା ସୁନ୍ଦରୀ

ମନେ ସନ୍ତୋଷ ଲଭିଲେ।

ସର୍ବ ଗୋପୀ ମିଳି      ଦେଲେ ହୁଳହୁଳି

କୃଷ୍ଣଙ୍କୁ ରାଧା ଚିହ୍ନିଲେ॥

 

ରାଧାକୃଷ୍ଣ ରସ      ଅମୃତ ପରାଏ

ପାପ ଯାଏ ଶୁଣିଦେଲେ।

ଏହି ଦିବ୍ୟ ରସ      ପୁରାଣ ସାର ଯେ

ଗୀତେ ଅଚ୍ୟୁତ ଭଣିଲେ॥

 

ଓଗାଳ – ୧

ଶୁଣ ହେ ଗୋପାଳ ଭାଇ ଦେଇ ମନକର୍ଣ୍ଣ।

 

ପଚାରିବା କଥା ପ୍ରତି ଦିଅ ହୋ ଧିଆନ॥

।୧।

ରାତ୍ର ଥାଉଂ ଗୋପୀମାନେ ତରତରେ ଉଠି।

 

ଗୋମୟ ଆଣିଣ ଦ୍ୱାରେ ଦେଲେ ସେହୁ ଝୋଟି॥

।୨।

ଅଙ୍ଗମାନ ପଖାଳିଲେ ସୁବାସିତ ଜଳେ।

 

ପାଟ ନେତ ପତନୀ ଯେ ପିନ୍ଧିଲେ ସକଳେ॥

।୩।

ମାଣିକର ଦିପାବଳୀ ଜଳାଇଣ ଗୋଈ।

 

କନକ ମଣାଇଲେ ଯେ ସଜାଡ଼ିଲେ ଦହି॥

।୪।

ସ୍ଫଟିକର ଖମ୍ବ ଯେ ଖଡ଼ୁଟି ରୂପା ଜାଲି।

 

ମର୍କତର ହାରକୁ ମାଣିକ ଖୁଆ ଫୁଲି॥

।୫।

ପାଟ ଡୋର ସେଥିକି ଯେ ହୀରାଲଗା ଫୁଲେ।

 

ଉଚ୍ଚାରିଲେ ଗୋପାଳୁଣୀ ହରି ହରି ବୋଲେ॥

।୬।

ନମସ୍ତେ ନମସ୍ତେ ତୁ କପିଳା ଦେବୀ ମାତ।

 

ଅନାଦି ପୁରୁଷ ତୋତେ ଅଙ୍ଗୁ କଲେ ଜାତ॥

।୭।

ସୁମରନ୍ତି ରାମକୃଷ୍ଣ କେଶବ ମୁରାରି।

 

ନମସ୍ତେ ଦଧିବାମନ ଗୋକୁଳ ବିହାରୀ॥

।୮।

 

 

ଗୋଲୋକ ଗୋପାଳ ନିତ୍ୟେ ସେବନ୍ତି ଯାହାଙ୍କୁ।

 

ଅନାଦିଙ୍କ ଆଜ୍ଞାରେ ନିଯୋଗୀ ଖଟିବାକୁ॥

।୯।

କୃଷ୍ଣ ନାମ ଗାୟନ ମଙ୍ଗଳ ହୁଳହୁଳି।

 

ଖୁଆର ଶବଦରେ ଯେ ସମୁଦ୍ର ଉଛୁଳି॥

।୧୦।

 

 

ସରିଲା ଦଧି ମନ୍ଥନ ତୋଳିଲେ ଲବଣୀ।

 

ଦଧିଭାଣ୍ଡ ପସରା ସାଜିଲେ ଗୋପାଳୁଣୀ॥

।୧୧।

ରୂପାର ପସରା ଯେ ସୁବର୍ଣ୍ଣ ଭାଣ୍ଡେ ଦହି।

 

ମାଣିକ୍ୟର କୁଞ୍ଚା ଗୋଟି ତଥି ପାଖେ ଥୋଇ॥

।୧୨।

 

 

ସୁବର୍ଣ୍ଣ ଚାଙ୍ଗୁଡ଼ି ଢାଙ୍କି ପାଟର ମୁଚୁଳି।

 

ଚନ୍ଦ୍ରସେଣା ନବରକୁ ବେଗେ ଗଳେ ଚଳି॥

।୧୩।

ଅର୍ଦ୍ଧକୋଶ ମାଡ଼ି ତାର ମୁଗୁନି ଗୁହାଳି।

 

ସେଠାବରେ ବିଜେହେଲେ ସେ ସମସ୍ତ ବାଳି॥

।୧୪।

 

 

ମେଳହୋଇ ଗୋଈ ଯେ ଡାକ ଦେଲେ ପୁଣି।

 

ରାଧିକା ଯେ ବିଜେହେଲେ ଗୃହରୁ ସେକ୍ଷଣି॥

।୧୫।

ଧୀରେ ଧୀରେ ବିଜେହେଲେ ମୁଗୁନି ପୀଠରେ।

 

ଗୋପୀମାନେ ପ୍ରଣମିଲେ ରାଧିକା ପୟରେ॥

।୧୬।

 

 

 

 

ଯେ ଯାହାର ମାନ୍ୟ ଘେନି ସମ୍ଭାଳିଣ ବାଳୀ।

 

ବୋଇଲେ ସୁବେଶ ହୁଅ ଯିବା ଗୋ ଗୁଆଳି॥

।୧୭।

ସର୍ବ ଗୋପାଙ୍ଗନାମାନେ ଦିବ୍ୟ ବେଶ ହୋଇ।

 

ହୁଳହୁଳି ଦେଇଣ ମଙ୍ଗଳ ଗୀତ ଗାଇ॥

।୧୮।

 

 

କସ୍ତୁରୀ କର୍ପୁର ଗନ୍ଧ ଚନ୍ଦନ ଲେପନ।

 

ମଙ୍ଗଳର ଶବଦ ଶୁଭଇ ଘନଘନ॥

।୧୯।

ପୂର୍ଣ୍ଣକୁମ୍ଭ ଥାପିଣ ଯେ ଚୁତ ଡ଼ାଳ ଦେଇ।

 

ଗୁଆ ଯେ ଶ୍ରୀଫଳ ଦୁର୍ବାକ୍ଷତ ତହିଂ ଥୋଇ॥

।୨୦।

 

 

ନାରିକେଳ ଯେ କଦଳୀ ଆଦି ନାନା ଫଳ।

 

ଛେନା ଯେ ଶାକର ପଣା ବାଢିଲେ ଶୀତଳ॥

।୨୧।

ଦିପାବଳୀ ମାନ ଜାଳୀ ମଙ୍ଗଳ ଆଳତି।

 

ଆଗ କରି ବନ୍ଦାଇଲେ ରାମକୃଷ୍ଣ ମୂର୍ତ୍ତି॥

।୨୨।

 

 

ନିରଞ୍ଜନ ଅର୍ଘ୍ୟ ଦେଇ କପିଳାଙ୍କୁ ସ୍ତୁତି।

 

ତୁମ୍ଭଙ୍କୁ ସେବିଣ ଯେ ଗୋପାଳ ବୃନ୍ଦ ସୁସ୍ଥି॥

।୨୩।

ଅମୃତଭାଣ୍ଡର ରସ କ୍ଷୀରର ପସରା।

 

ଛପନ କୋଟି ଜୀବଙ୍କ ଅଟେ ଜୀବଧାରା॥

।୨୪।

 

 

 

 

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦଶ ଦିଗପାଳ।

 

ଏମନ୍ତେ ଯେ ଗୋପୀମାନେ ବନ୍ଦାନ୍ତି ସକଳ॥

।୨୫।

ଏତେ ବୋଲି ପସରାକୁ ସ୍ତୁତିକରି ବାଳୀ।

 

ଦଧିଭାଣ୍ଡ ମୁଣ୍ଡେ ଘେନି ପଥେ ଗଲେ ଚଳି॥

।୨୬।

 

 

ଷୋଳ ସହସ୍ର ଗୋପିକା ଢଗ ଯେ ଢମାଳି।

 

ଯମୁନା କୂଳରେ ଯେ ଦେଖିଲେ ବନମାଳୀ॥

।୨୭।

ମନେ ବିଚାରନ୍ତି କୃଷ୍ଣ ଜାତି ଗୋପାଳୁଣୀ।

 

ଏମାନଙ୍କୁ ସରି ନୁହେଂ ଇନ୍ଦ୍ରର ଘରଣୀ॥

।୨୮।

 

 

କନକ ପୁଷ୍ପ ପରାଏ ଦିଶନ୍ତି ଯୁବତୀ।

 

ଏକୁ ଆରେକ ସମସ୍ତେ ବୟେସ ସୁମୂରତି॥

।୨୯।

ଦିବ୍ୟ ଅଳଙ୍କାର ଶୋଭା ଦେବଙ୍କୁ ଦୁର୍ଲ୍ଲଭ।

 

ଦେଖିଣ ଏହାଙ୍କୁ ବ୍ରହ୍ମା କରିବେଟି ଲୋଭ॥

।୩୦।

 

 

ଏତେ ଭାବି ଗୋପୀନାଥ ଓଗାଳିଲେ ଯାଇଂ।

 

କେଣିକି ଯାଉଛ ଗୋପୀ ଘାଟ ତ ନ ଦେଇ॥

।୩୧।

ଦଧି ଦୁଧ ଛେନା ବିକି ଗୋପପୁରେ ଥାଅ।

 

ରାଜାକୁ କର ନ ଦେଇ ଚାତୁରୀ ଦେଖାଅ॥

।୩୨।

 

 

 

 

ପ୍ରତାପୀ କଂସର ତେଜ ନ ଲାଗେ ତୁମ୍ଭଙ୍କୁ।

 

ଗୋପେ କଂସ ନୃପତି ଯେ କରିଛି ଆମ୍ଭଙ୍କୁ॥

।୩୩।

ଆୟ ବ୍ୟୟ ମୂଳ ଜମା ଆମ୍ଭଠାରୁ ନେବ।

 

ଗୋପ ଗୋପାଳୁଣୀ ତୁମ୍ଭେ ଏହା ନ ଜାଣିବ॥

।୩୪।

 

 

ଘାଟପେଣ୍ଠ କଂସ ରାଜା କଳା ଆମ୍ଭ ମୂଳେ।

 

ଜମା ନ ଦେଇଣ ଗୋପୀ ଯାଉଅଛ ବଳେ॥

।୩୫।

ଏତେ ଦିନେ ତୁମ୍ଭେ ଆମ୍ଭ ପଡ଼ିଅଛ ଭେଟ।

 

ପସରାମାନ ଗଣାଇ ଦେଇଯାଅ ଘାଟ॥

।୩୬।

 

 

ଶ୍ରୀକୃଷ୍ଣ ବଚନ ତହୁଂ ଶୁଣ ସର୍ବ ଗୋପୀ।

 

ଏକକୁ ଆରେକ ଭାଷା କହନ୍ତି ସଂଛେପି॥

।୩୭।

କେ ବୋଲଇ ନନ୍ଦସୁତ କରିଛି ମୁରାଟ।

 

ଘୋଳଦହି ପସରାକୁ ମାଗୁଅଛି ଘାଟ॥

।୩୮।

 

 

ନନ୍ଦ ସମ୍ପଦ ଯେବେ ବା ବହୁତ ନୋହିବ

 

ଆମ୍ଭେ ସଞ୍ଚିଥିବା ଧନ କଂସ ବହି ନେବ॥

।୩୯।

ରାଧିକା ବୋଇଲେ ତୁମ୍ଭେ ନକର ଗହଳ।

 

ଖେଳୁଆଡ଼ ପୁଅ ସେ ତ କରୁଛି ଜଞ୍ଜାଳ॥

।୪୦।

 

 

 

 

ପ୍ରବୋଧ କରିଣ ଆମ୍ଭେ ଦଧି ବିକି ଯିବା।

 

ଲେଉଟି ଅଇଲେ ତାଙ୍କ ମାତାଙ୍କୁ କହିବା॥

।୪୧।

ରାଧିକା ବଚନ ଯହୁଂ ଶୁଣିଲେ କହ୍ନାଇ।

 

ହସି ଉଠିଲେକ ପ୍ରଭୁ ଟହ ଟହ ହୋଇ॥

।୪୨।

 

 

ବୋଇଲେ ବାଳୁତ ପୁଅ କହିଲ ଗୋ ମାଇଂ।

 

ବାର ବରଷର ଘାଟ ନେବି ଏଇଠାଇଂ॥

।୪୩।

ମାଇଂର ଗୈାରବ ବୋଲି କାହାକୁ ନମାନ।

 

ଏଠାରେ ସରିବ ଯେ ତୁମ୍ଭର ବଡ଼ପଣ॥

।୪୪।

 

 

ଏତେ ବୋଲି ପ୍ରକାଶିଲେ ପରଂବ୍ରହ୍ମ ମୂର୍ତ୍ତି।

 

ଆବର ସିଂହ ଠାଣିରେ ହେଲେ ସୁମୂରତି॥

।୪୫।

ଦିବ୍ୟ ରୂପ ଦେଖି ଗୋପୀ ହୋଇଲେ କାତର।

 

ପାଶୋରିଲେ ଦଧିବିକା କାମେ ଜର ଜର॥

।୪୬।

 

 

ଦଧି ତଳେ ଓହ୍ଳାଇଲେ ସକଳ ଗୁଆଳୀ।

 

ବୋଇଲେ ଶ୍ରୀକୃଷ୍ଣ ସଙ୍ଗେ କରିବା ଗୋ କେଳି॥

।୪୭।

ଆଜିଠାରୁ ଦଧି ଆମ୍ଭେ ନ ନେବୁଂ ଗୋପରୁ।

 

ସମସ୍ତେ ଖାଇବା ଯାଇ ନନ୍ଦରାଜା ଘରୁ॥

।୪୮।

 

 

 

 

ଶ୍ରୀକୃଷ୍ଣ ବୋଇଲେ କେତେ କରୁଛ ଚାତୁରୀ।

 

କୁବେର ସମ୍ପତ୍ତି ଯେ ତୁମ୍ଭଙ୍କୁ ନୁହେଂ ସରି

।୪୯।

ଗୋପୀଏ ବୋଇଲେ ତୁମ୍ଭେ ଶୁଣ ଚକ୍ରଧର।

 

ତୁମ୍ଭ ଜନ୍ମ କାଳୁଂ ଆମ୍ଭେ ନ ଜାଣୁ ଯେ କର॥

।୫୦।

 

 

ଏହି ଗୋପପୁରେ କଷ୍ଟ ପାଇଥିଲା ନନ୍ଦ।

 

ଗୋପେ ବଢାଇଲା ଏବେ ଗୋକୁଳର ଚାନ୍ଦ॥

।୫୧।

କହୁ କହୁ ବଢିଲା ଯେ ଗୋପୀଙ୍କର ସ୍ନେହ।

 

ମୋହନ ମୂରତି ଚାହିଂ ଶାନ୍ତି କଲେ କୋହ॥

।୫୨।

 

 

ଗୋପୀଏ ବୋଇଲେ ତୁମ୍ଭେ ଶୁଣ ବନମାଳୀ।

 

ଏକା ତୁମ୍ଭେ ବନ୍ଦୀ କଲ ଷୋଳ ସସ୍ର ବାଳୀ॥

।୫୩।

ଶାଶୁ ନଣନ୍ଦ ଆମ୍ଭର ଦେଉଥିବେ ଗାଳି।

 

ଗ୍ରାହକ ନ ନେବେ ଦଧି ହୋଇଲେ ଆମ୍ବିଳି॥

।୫୪।

 

 

ବିକିକରି ଆସୁ ଆମ୍ଭେ ଯିବୁ ନିଜ ପୁର।

 

ଲେଖା ଯେ କରିବା ତହିଂ ଘାଟର ବେଭାର॥

।୫୫।

ଶ୍ରୀକୃଷ୍ଣ ବୋଇଲେ ଗୋପୀ ହୋଇଲ କି ବାଇ।

 

ସମ୍ମୁଖେ ପଡ଼ିଛ ଆଜ ଛାଡ଼ିବି ମୁଂ ନାହିଂ॥

।୫୬।

 

 

 

 

ଶ୍ରୀକୃଷ୍ଣ ବଚନ ଶୁଣି ହସିଲେ ରାଧିକା।

 

ନୟନେ ପଡ଼ିଛି ଆଜ କରି ଲେଖାଯୋଖା॥

।୫୭।

ତୁମ୍ଭେ ତ ବାଳୁତ ପୁଅ ଆମ୍ଭେ ସ୍ତିରୀଜନ।

 

ଲେଖା ଯଦି ଲେଖିବ କରଣ ଜଣେ ଆଣ॥

।୫୮।

 

 

ଶ୍ରୀକୃଷ୍ଣ ବୋଇଲେ ଗୋପୀ କରଣଟି ଆମ୍ଭେ।

 

ଅମୂଲ୍ୟ ପସରା ଘେନି ବିକି ଯାଅ ତୁମ୍ଭେ॥

।୫୯।

ଦେଇ ଅଳଙ୍କାର ତୁମ୍ଭ ପସରା ସହିତେ।

 

ଘଟ ଧନ ବିଧି ଆଗୋ ଲେଖିବା ଗୋ କେତେ॥

।୬୦।

 

 

ଗୋପରେ ହୋଇବ ତୁମ୍ଭେ ନବଲକ୍ଷ ଘର।

 

ନିତ୍ୟ ନବଲକ୍ଷ ସୁନିଆଂ ହୋଇବ ଆମ୍ଭର॥

।୬୧।

ଶ୍ରୀକୃଷ୍ଣ ବୋଇଲେ କିଛି ଅଣ୍ଟିବ ତ ନାହିଂ।

 

ଏ ଧନ ଶ୍ରୀହରି ନେଇ ସାଇତିବୁ କାହିଂ॥

।୬୨।

 

 

ଜାଣିଲଇଂ ଶ୍ରୀହରି ଜନମ ଆମ୍ଭ ଦୁଃଖୀ।

 

ଦେହ ଅଳଙ୍କାରକୁ ଯେ ଦେଉଅଛ ଆଖି॥

।୬୩।

ଜାତିରେ ଗୋପାଳ ଆମେ ଗାଈ ଆମ ଧନ।

 

ଦଧି ଦୁଧ ଛେନା ବିକି ପୋଷୁ ଏ ଜୀବନ॥

।୬୪।

 

 

 

 

ଶ୍ରୀକୃଷ୍ଣ ବୋଇଲେ ଗୋପୀ ସବୁକଥା ଛାଡ଼।

 

କେ ତୁମ୍ଭଙ୍କୁ ଗାଈ ଦେଲା କାହିଂର ଗଉଡ॥

।୬୫।

ପସରାର ଆଦ୍ୟସ୍ଥାନ କହିବ ଆମ୍ଭଙ୍କୁ।

 

ଯେତେକ ହୋଇବ ଧନ ଛାଡ଼ିବି ତୁମ୍ଭଙ୍କୁ॥

।୬୬।

 

 

ରାଧିକା ବୋଲନ୍ତି ତୁମ୍ଭେ ଶୁଣ ଭଗବାନ।

 

ତୁମ୍ଭଙ୍କୁ କିସ ଅଜଣା ଅଟ ନାରାୟଣ॥

।୬୭।

ଶ୍ରୀକୃଷ୍ଣ ବୋଇଲେ ଗୋପୀ ସ୍ଥିରହୋଇ ବସ।

 

ଗୁପ୍ତକଥା ଶୁଣି ମୁଂ ଯେ ହୋଇବି ସନ୍ତୋଷ॥

।୬୮।

 

 

ନିଗମ କଦମ୍ବ ମୂଳେ ସମସ୍ତେ ବସିଲେ।

 

ରାଧିକାଙ୍କୁ ଶ୍ରୀକୃଷ୍ଣ ଯେ ପୁଣି ପଚାରିଲେ॥

।୬୯।

କହ ସଖୀ ଗୋପାଳଙ୍କ ଆଦି ବିଧିମାନ।

 

ଦଧି ଦୁଧ ଖୁଆ ପାଞ୍ଚ ପସରା ବିଧାନ॥

।୭୦।

 

 

ଶ୍ରୀକୃଷ୍ଣଙ୍କ ପ୍ରଶ୍ନର ଉତ୍ତର ଦେବେ ରାଧା।

 

ଏହା ଶୁଣିବାକୁ ଅଚ୍ୟୁତାନନ୍ଦର ଶରଧା॥

।୭୧।

 

ଉତ୍ତାର

ରାଧିକା କହନ୍ତି ଯାହା ପଚାରନ୍ତି ହରି।

 

କେ କହିପାରିବ ତାହା ଆଦି ଅନ୍ତ କରି॥

।୧।

ଅପାର ଦିନର କଥା ଶୁଣିଥିଲି ପୂର୍ବେ।

 

ପିତାମୋର କହୁଥିଲେ ମାତାଙ୍କର ଆଗେ॥

।୨।

ତୁମ୍ଭେ ତ ଅନାଦି ନାଥ ପଚାରିଲ ମୋତେ।

 

ତୁମ୍ଭରି ଆଜ୍ଞାରେ ମୁହିଂ କହୁଅଛି ୟେତେ॥

।୩।

ଯେତେବେଳେ ନଥିଲା ପୃଥିବୀ ଆପ ବାଇ।

 

ଶୂନ୍ୟରେ ଅନାଦି ଥିଲେ ଡ଼ିମ୍ବକୋଷ ହୋଇ॥

।୪।

ଅନାଦିଙ୍କ ମନରୁ ଯେ ଆଦି ଜାତ କଲେ।

 

ଆଦିଙ୍କ ଠାବରୁ ବ୍ରହ୍ମା ବିଷ୍ଣୁ ଜନମିଲେ॥

।୫।

ଓଂକାର ତ୍ରିଗୁଣ ରୂପେ ହୋଇଲେ କୁମର।

 

ନିରୋପି ଚାହିଂଲେ ପିତା କାହୁଂ ନାହିଂ କ୍ଷୀର॥

।୬।

ଅଧୋମୁଖେ ରହିଣ ଅନାଦି ସ୍ତୁତି କଲେ।

 

କଳ୍ପନାରୁ କପିଳା ଯେ ବାହାର ହୋଇଲେ॥

।୭।

କପିଳାଂଠୁ ଜନମିଲେ ପୁଣି ଚାରି ବତ୍ସ।

 

କପିଳାର କ୍ଷୀର ଯହୁଂ ହୋଇଲା ପ୍ରତ୍ୟକ୍ଷ॥

।୮।

 

 

 

 

କ୍ଷୀର ଲାଗି ହୁଅନ୍ତେ ଯେ ଅନାଦି ଜାଣିଲେ।

 

ସାତଭାଗ କରି ଡ଼ିମ୍ବକୋଷ ଫୁଟାଇଲେ

।୯।

ଅଙ୍ଗୁ ଜାତ କଲେ ପ୍ରଭୁ ନନ୍ଦ ଗୋପାଳଙ୍କୁ।

 

ଶ୍ରୀମୁଖରେ ଆଜ୍ଞା ଦେଲେ ସେବ କପିଳାକୁ॥

।୧୦।

 

 

ଶ୍ରୀମୁଖ ବଚନ ଶୁଣି ନନ୍ଦ ଚଳିଗଲେ।

 

କପିଳ ସେବା କରନ୍ତେ କ୍ଷୀର ଯେ ପାଇଲେ॥

।୧୧।

କପିଳାକୁ ବୋଇଲେ ସେବଇଂ ମୁହିଂ ତୋତେ।

 

ସେବା ଛାଡ଼ି ଅମୃତ ମୁଂ ରାନ୍ଧିବି କେମନ୍ତେ॥

।୧୨।

 

 

ଏସନେକ କହନ୍ତେ କପିଳା ସୁମରିଲେ।

 

କପିଳାଙ୍କ ସ୍ତୁତି ଜାଣି ଅନାଦି ଆସିଲେ॥

।୧୩।

କପିଳା କହନ୍ତେ ଅନାଦି ବ୍ରହ୍ମା ସୁମରିଲେ।

 

ବ୍ରହ୍ମା ଆସନ୍ତେ ତାହାଙ୍କୁ ସକଳ କହିଲେ॥

।୧୪।

 

 

ଆମ୍ଭ ପୁତ୍ରକୁ ତୋହର ଦୁହିତା ଆଣି ଦିଅ।

 

ଆମ୍ଭର ବାକ୍ୟ ଏବେ ହୋ ପାଳନ କରାଅ॥

।୧୫।

ବ୍ରହ୍ମା ବୋଇଲେ ମୋର ପରଂବ୍ରହ୍ମ ଗୋତ୍ର।

 

ଗୋପାଳଙ୍କୁ କେହ୍ନେ ଦେବୁ ଆମ୍ଭର ଦୁହିତ॥

।୧୬।

 

 

 

 

ଅନାଦି ବୋଇଲେ ଆମ୍ଭେ ରଚିଲୁ ସର୍ବ ଜାତି।

 

ଆମ୍ଭ ଆଗେ ବର୍ଣ୍ଣଭେଦ କହୁ ବେଦପତି॥

।୧୭।

ଶ୍ରୀକୃଷ୍ଣ ବଚନ ଶୁଣି ବ୍ରହ୍ମା ଚଳିଗଲେ।

 

ଶୁଭରେ ନନ୍ଦକୁ ଶ୍ରଦ୍ଧା ବିଭା କରାଇଲେ॥

।୧୮।

 

 

ବିଭା ବେଳେ ଶ୍ରଦ୍ଧା ଦେଇ ବୋଲଇ ବଚନ।

 

ପିତା ମୋତେ ଆଜ୍ଞାକର ପସରା ବିଧାନ॥

।୧୯।

ସମସ୍ତ ଦେବତାମାନ ମେଳି ହୋଇଥିଲେ।

 

ମହଣ କୁଣ୍ଡାଇ ଆଦିମାତାଙ୍କୁ ଯେ ଦେଲେ॥

।୨୦।

 

 

ଦୁହୁଣି ଗୋରସ ଦହି ପତୁଳି ଦଧି ମତେ।

 

ମାତା ଦେଲେ ଅମୃତ ରଖିବା ଜାଗା ଯେତେ॥

।୨୧।

ଗିରିବର ରାଜା ଦଧି ମନ୍ଥା ଖୁମ୍ବ ଦେଲେ।

 

ଖୁଆ ଫୁଲି କଞ୍ଚି ଯେ ବରୁଣ ରାଜା ଦେଲେ॥

।୨୨।

 

 

ପବନ ଦେଲେ ଚାଙ୍ଗୁଡ଼ି ଶିବ ଦେଲେ ମହି।

 

ଚନ୍ଦ୍ର ସୂର୍ଯ୍ୟ ମିଶି ବସାଇଲେ ମନ୍ଥା ହୋଇ॥

।୨୩।

ମନ୍ଥିଲେ ଲବଣୀ ଯେ ହୋଇଲା ତହୁଂ ଜାତ।

 

ଅନାଦି ଭିଆଣ କଲେ ଅମୃତ ସମସ୍ତ॥

।୨୪।

 

 

 

 

ଗୋଲୋକ ଗୋପାଳ ଜାତି ପାଳନ୍ତି ଯେ ଗାଈ।

 

ଗାଈ ଯେ ପାଳିବା ଲୋକ ଗୋପାଳ ବୋଲାଇ॥

।୨୫।

ଗୋପାଳ ନାମଟି ଯେଣୁ ଗୋଲୋକରୁ ଜାତ।

 

ଯୁଗେ ଯୁଗେ ଏସନେକ ହୋଇଛି ଅମୃତ॥

।୨୬।

 

 

ବ୍ରହ୍ମା ଝିଅ ଶ୍ରଦ୍ଧା ହେଲେ ଆମ ନିଜ ମାତ।

 

ପିତା ଆମ୍ଭର ଗୋପାଳ ଅନାଦିଙ୍କ ସୁତ॥

।୨୭।

ଚାରିବେଦ ଚଉରାଶି ଯୁଗେଟି କପିଳା।

 

ସଂସାରକୁ ହୋଇଅଛି ସତ୍ୟ-ସିନ୍ଧୁ ଭେଳା॥

।୨୮।

 

 

ଶିଙ୍ଗ ତାର ସିଷୁ ବେଦ ପିଠି ବସୁନ୍ଧରୀ।

 

ଲାଞ୍ଜ ତା ଅନନ୍ତ ବେଦ ଆଉ ପଦ ଚାରି॥

।୨୯।

ଥନ ତା ଛପନ ଜୀବ ଗର୍ଭ ତାର ସିନ୍ଧୁ।

 

ମନ ତା ପର୍ବତ ଅଟେ ଦେବତାଙ୍କ ବନ୍ଧୁ॥

।୩୦।

 

 

ନଖ ମୁଖ ନାସିକା ସକଳ ବ୍ରହ୍ମାମୟ।

 

ରୋମେ ବସନ୍ତି ତେଜିଣ କୋଟି ଦେବରାୟ॥

।୩୧।

ଗୋଲୋକ ଗୋପାଳ ଜାତ ଜନ୍ମେ ଜନ୍ମେ ସେବା।

 

କପିଳା ମହିମା କେତେ ସଂକ୍ଷେପି କହିବା॥

।୩୨।

 

 

 

 

ତୁମ୍ଭେ ଦେବ ନାରାୟଣ ଆମ୍ଭେ ସ୍ତିରୀଜନ।

 

କି ଅବା ନ ଜାଣ ତୁମ୍ଭେ ପ୍ରଭୁ ଭଗବାନ॥

।୩୩।

ଶ୍ରୀକୃଷ୍ଣ ବୋଲନ୍ତି ଯାହା କହିଲ ଗୋ ତୁମ୍ଭେ।

 

ଯେତେ ଲେଖିଅଛି ଧନ ଛାଡ଼ିଦେଲୁ ଆମ୍ଭେ॥

।୩୪।

 

 

ଗୋପୀଏ ବୋଲନ୍ତି ଆମ୍ଭ ନାଶ କଲ ଦହି।

 

ଘରକୁ କି ରୂପେ ଯିବୁ କହ ହେ ମାଧୋଇ॥

।୩୫।

ସବୁ ଦଧି ଥୋଇଣ ଶ୍ରୀକୃଷ୍ଣ ଦେଲେ ଇଡ଼ି।

 

ଦେଖିଣ ସକଳ ବାଳୀ ହେଉଛନ୍ତି କୋଡ଼ି॥

।୩୬।

 

 

ଗୋପୀଏ ବୋଇଲେ କିସ କଲ ହେ କହ୍ନାଇ।

 

ଶାଶୁ ନଣନ୍ଦଙ୍କ ଆଗେ କି କହିବୁ ଯାଇଂ॥

।୩୭।

ଏତେ ବେଳ ଯାଏ ହରି ତୁମ୍ଭେ ବନ୍ଦୀ କଲ।

 

ବିକଳ ନ ପାଇ ପୁଣି ଦଧି ଇଡ଼ିଦେଲ॥

।୩୮।

 

 

ଶ୍ରୀକୃଷ୍ଣ ବୋଇଲେ ଦୁଃଖ ନକର ଗୋ ମନ।

 

ଦେଖ ଯାଇ ପସରାରେ ପୂରିଅଛି ଧନ॥

।୩୯।

ଧାଇଂଣ ସକଳ ଗୋପୀ ପସରା ଦେଖିଲେ।

 

ପସରାରେ ଧନ ଦେଖି ସନ୍ତୋଷ ହୋଇଲେ॥

।୪୦।

 

 

 

 

ଶ୍ରୀକୃଷ୍ଣଙ୍କ ପଦତଳେ ପ୍ରଣମିଲେ ବାଳୀ।

 

ଉଛୁର ହୋଇଲା ପ୍ରଭୁ ଏବେ ଯିବୁ ଚଳି॥

।୪୧।

ତକ୍ଷଣି ଗୋପୀଙ୍କୁ କୁଷ୍ଣ ମେଲାଣି କରିଲେ।

 

କରେ ଧରି ବେଣୁ ଗୋ-ଗୋଷ୍ଠକୁ ବିଜେ କଲେ॥

।୪୨।

 

 

ହରଷ ହୋଇଣ ଗୋପୀ ଗଲେ ନିଜ ପୁର।

 

ଶ୍ରୀକୃଷ୍ଣଙ୍କ ନାମ ଗୋଟି ଜପନ୍ତି ହୃଦର॥

।୪୩।

ସାଧୁଜନମାନେ ଏଥେ ନ ଘେନ ମୋ ଦୋଷ।

 

ତୁମ୍ଭମାନଙ୍କ ଆଜ୍ଞାରେ କଲି ଗୀତ ରସ॥

।୪୪।

 

 

ମୁହିଂ ଚିର ପାମର ଯେ ନ ଜାଣଇ କିଛି।

 

ପ୍ରଭୁ ପାଦରେଣୁ ଯେ ଭରସା କରିଛି॥

।୪୫।

ପସରା ବିଧାନ ଗୀତେ କହିଲିରେ ଭାଇ।

 

ଅଚ୍ୟୁତଦାସ କହଇ ଦୋଷ ଦେବ ନାହିଂ॥

।୪୬।

 

ଓଗାଳ – ୨

ଯଶୋଦାଙ୍କ କୃଷ୍ଣପ୍ରାପ୍ତି

ସୁଦାମ ଗୋପାଳେ ଦେଖି ଦାମ ଯେ ଗୋପାଳ।

 

ଭଲା ଯୋଗେ ତୁମ୍ଭ ଆମ୍ଭ ହେଲା ଏକ ମେଳ॥

।୧।

ବରଷକେ ଥରେ ସିନା ତୁମ୍ଭ ଆମ୍ଭ ଭେଟ।

 

ଯାହା ପୂର୍ବେ କରିଛନ୍ତି ସେହି ନନ୍ଦଚାଟ॥

।୨।

 

 

ଏବେ ପଚାରୁଛି ପୂର୍ବ ଭାବକୁ ମିଶାଇ।

 

ଭଲା ଗଣ୍ଠି କଥା ମନେ ପଡ଼ିଛିରେ ଭାଇ॥

।୩।

ଅଧା ଗୋପାଳ କିମ୍ବା କହନ୍ତି କୃଷ୍ଣଙ୍କୁ ।

 

ଏ କଥା କହି ସନ୍ତୋଷ କର ମୋ ମନକୁ॥

।୪।

 

 

ଦେବକୀ ଗର୍ଭେ ଜନ୍ମିଣ ଯଶୋଦା କୋଳରେ।

 

କାହିଂକି ବଢ଼ିଲେ ଗୋପେ ଆନନ୍ଦ ମନରେ॥

।୫।

ଦଶ ମାସ ଗର୍ଭେ ଧରି ଦେବକୀ ବିଚାରୀ।

 

ବିନା କ୍ଳେଶେ କୃଷ୍ଣଙ୍କୁ ପାଇଲେ ନନ୍ଦନାରୀ॥

।୬।

 

 

ପୂର୍ବେ କେଉଂ ତପ କରିଥିଲା ଯଶୋବନ୍ତୀ।

 

କୃଷ୍ଣ ପରା ପୁତ୍ର ପାଇ କୋଳରେ ଖେଳାନ୍ତି॥

।୭।

ନନ୍ଦରାଜା ପୂର୍ବେ କେଉଂ ତପ କରିଥିଲା।

 

ବଳରାମ କୃଷ୍ଣ ପରା କୁମର ପାଇଲା॥

।୮।

 

 

ଦେବକୀର କେଉଂ ଅପରାଧ ଥିଲା ଭାଇ।

 

ଜନ୍ମକଲା ପୁତ୍ର ପୁଣି କୋଳେ ନ ଧରଇ॥

।୯।

ପଚାରିବା କଥା କହିଦେବୁ ଯେବେ ତୁହି।

 

ଅଚ୍ୟୁତ ବୋଲନ୍ତି ଜାଣ ଦୋଷ ହେବ ନାହିଂ॥

।୧୦।

ଉତ୍ତାର

ସୁଦାମ ଗୋପାଳ କହେ ଶୁଣ ଦାମ ଭାଇ।

 

ପଚାରିବା କଥା ଗୋଟି କହୁଅଛି ମୁହିଂ॥

।୧।

ତ୍ରତୟା ଯୁଗରେ ଦଶରଥଙ୍କ ନନ୍ଦନ।

 

ଭରତ ଶତୁଘ୍ନ ଆଉ ରାମ ଯେ ଲକ୍ଷଣ॥

।୨।

 

 

କୈକେୟୀ ବଚନେ ରାମ ବନବାସ କଲେ।

 

ଲକ୍ଷ୍ମଣ ସୀତା ଯେ ତାଙ୍କ ସଙ୍ଗତରେ ଗଲେ॥

।୩।

ପଞ୍ଚୁବଟି ବନସ୍ତରେ କୁଟୀର ଯେ କଲେ।

 

ସୂର୍ପଣଖା ଆସି ରାମଚନ୍ଦ୍ରଙ୍କୁ ଭେଟିଲେ॥

।୪।

 

 

ସୂର୍ପଣଖା ନାସା କର୍ଣ୍ଣ କାଟିଲେ ଲକ୍ଷଣ।

 

ଭୟ ପାଇ ପଳାଇଲା ସେ ଲଙ୍କା ଭୁବନ॥

।୫।

ଏହା ଜାଣି ରାବଣ ଯେ କୋପଭର ହେଲା।

 

ମୃଗ ରୂପେ ମାରୀଚକୁ ବନେ ପଠାଇଲା॥

।୬।

ମୃଗକୁ ଦେଖିଣ ସତୀ ସୀତା ଲୋଭ କଲେ।

 

ମୃଗକୁ ଧରିଣ ଦିଅ ସ୍ୱାମୀକୁ କହିଲେ॥

।୭।

ସୀତାଙ୍କ ବଚନେ ରାମ ମୃଗକୁ ଗୋଡ଼ାଇ।

 

ଧାମନ୍ତେ ସେ ପଳାଇଲା ବେଗ ବେଗ ହୋଇ॥

।୮।

ଏକାଳେ ବାଣ ବସାଇ ମାରନ୍ତି ଶୀରାମ।

 

ଭୟରେ ମୃଗ ଡ଼ାକିଲା ରଖ ରେ ଲକ୍ଷ୍ମଣ॥

।୯।

ସେ ଡାକ ଶୁଣିଣ ସୀତା ଲକ୍ଷ୍ମଣେ ପଠାଇ।

 

ଯାଅ ବାବୁ ସ୍ୱାମୀଙ୍କୁ ମୋ ରକ୍ଷା କର ତୁହି।।

।୧୦।

ସୀତାଙ୍କ ଆଜ୍ଞାରେ ଯେ ଲକ୍ଷ୍ମଣ ଚଳିଗଲେ।

 

ମାୟା ବେଶେ ସୀତା ପାଶେ ରାବଣ ମିଳିଲେ॥

।୧୧।

ଭିକ୍ଷା ମାଗନ୍ତେଣ ତପୀ ସୀତାଙ୍କୁ ଚୋରାଇ।

 

ପ୍ରବେଶେ ହୋଇଲା ପୁଣି ଲଙ୍କାଗଡ଼େ ଯାଇ॥

।୧୨।

ଏଣେ ରାମ ଲକ୍ଷ୍ମଣଙ୍କୁ ଦେଖିଣ ଚକିତ।

 

ସୀତାଙ୍କୁ ଛାଡ଼ିଣ କେଣେ ଅଇଲୁ ରେ ଭ୍ରାତ॥

।୧୩।

ଲକ୍ଷ୍ମଣ ବୋଲନ୍ତି ରଖ ଲକ୍ଷ୍ମଣ ଡାକରେ।

 

ସୀତୟା କଟାଳ କରି ମୋତେ ପଠାଇଲେ॥

।୧୪।

 

 

ଶୁଣିକରି ରାମଚନ୍ଦ୍ର ଛନ୍ନ ଛନ୍ନ ହୋଇ।

 

ମୃଗଭାର ଘେନି ପହଞ୍ଚିଲେ ବେଗେ ଯାଇ॥

।୧୫।

ସୀତାଙ୍କୁ ନ ଦେଖି ରାମ ମୁର୍ଚ୍ଛାଗତ ହେଲେ।

 

ଲକ୍ଷ୍ମଣ ପ୍ରବୋଧକରି ତୋଳିଣ ଧରିଲେ॥

।୧୬।

 

 

ଜଟାୟୁଠାରୁ ବାରତା ପାଇ ରଘୁନାଥ ।

 

ଋଷ୍ୟଶୃଙ୍ଗେ ହେଲେ ଯାଇ ସୁଗ୍ରୀ ସଙ୍ଗେ ଭେଟ॥

।୧୭।

ମିତ୍ରଛଳେ ରାମଚନ୍ଦ୍ର ବାଳିକୁ ବଧିଲେ।

 

କପିବଳ ଘେନି ମାଲ୍ୟବନ୍ତେ ବିଜେ ହେଲେ॥

।୧୮।

 

 

ଚାରିଦିଗ ଦୂତମାନ ପଠାଇଲେ ରାମ।

 

ହନୁମନ୍ତ ସୀତା ଠାବ କରିଲେ ଯେ ପୁଣ॥

।୧୯।

ଏହି ବାର୍ତ୍ତା ଶୁଣି ରାମ ଆନନ୍ଦ ହୋଇଲେ।

 

ସେତୁବନ୍ଧ ବାନ୍ଧି ରାମ ସୁବଳୟା ଗଲେ॥

।୨୦।

 

 

ଲଙ୍କାଗଡ଼େ ପ୍ରବେଶିଣ ରାକ୍ଷସ ବଧିଲେ।

 

ରାବଣାଦି କୁମ୍ଭକର୍ଣ୍ଣ ନିପାତ ହୋଇଲେ॥

।୨୧।

ସୀତୟା ଉଦ୍ଧାରିଣ ଅଇଲେକ ଫେରି।

 

ପୁଷ୍ପକେ ବସି ମିଳିଲେ ସେ ଅଯୋଧ୍ୟା ପୁରୀ॥

।୨୨।

 

 

 

 

ମାତାମାନେ ଦେଖି ବଡ଼ ବିକଳ ହୋଇଲେ।

 

କଉଶଲ୍ୟା କଇକେୟୀ କାରୁଣ୍ୟ ଯେ କଲେ॥

।୨୩।

କଇକେୟୀ ମାତାଙ୍କୁ ରାମ ସନମାନ କରି।

 

ବୋଇଲେ ଜନନୀ ମୁହିଂ କୁମର ତୋହୋରି॥

।୨୪।

 

 

ଏହି ସ୍ନେହ ଯଦି ମୋହଠାରେ ଥିଲା ତୋର।

 

ମୋ ଗର୍ଭରେ ଜନ୍ମ କିମ୍ପା ନୋହିଲୁ କୁମର॥

।୨୫।

ତେବେ କିମ୍ପା ବନବାସେ ତୋତେ ମୁଂ ପଠାନ୍ତି।

 

ଏହା ଶୁଣି ସନ୍ତୋଷ ଲଭିଲେ ସୀତାପତି॥

।୨୬।

 

 

ନିଶ୍ଚେ ମାତା ତୋ ଗର୍ଭରେ ଜନମ ହୋଇବି।

 

ଯଶୋଦା କୋଳରେ ମାତ ଯାଇଣ ବଢିବି॥

।୨୭।

ଦ୍ୱାପର ଯୁଗରେ ତୁମେ ଦେବକୀ ହୋଇବ।

 

ବସୁଦେବ ପତ୍ନୀ ହୋଇ ମଥୁରାରେ ଥିବ॥

।୨୮।

 

 

କୈାଶଲ୍ୟା ମାତା ମୋହର ନନ୍ଦରାଣୀ ହୋଇ।

 

ବୃଦ୍ଧାକାଳେ ଚିନ୍ତା କରୁଥିବେ ପୁତ୍ର ପାଇଂ॥

।୨୯।

ସେ ସମୟେ ତୋ କୋଳରେ ଜନମ ଲଭିବି।

 

ଯଶୋଦା କୋଳରେ ମୁହିଂ ଯାଇଣ ବଢ଼ିବି॥

।୩୦।

 

 

 

 

କ୍ଷତ୍ରିୟ ବଂଶରେ ଜାତ ଦେବକୀ ଅଟଇ।

 

ତା କୋଳରେ କୃଷ୍ଣଚନ୍ଦ୍ର ଜନ୍ମ ହେଲେ ଯାଇ॥

।୩୧।

ଯଶୋଦା କୋଳରେ ଆସି ବଢିଲେ କହ୍ନାଇ।

 

ଏଣୁ ଅଧା ଗୋପାଳ ଯେ ଶ୍ରୀକୃଷ୍ଣଙ୍କୁ କହି॥

।୩୨।

 

 

କ୍ଷତ୍ରିୟ ଗୋପାଳ ସେହି ଏଣୁକରି ଜାଣ।

 

ଅଧା ଗୋପାଳ କହିଲି ବୁଝିବ ପ୍ରମାଣ॥

।୩୩।

ଆଉ ଏକ କଥା ତୁମ୍ଭେ ଶୁଣ ମନ ଦେଇ।

 

ଯେତେବେଳେ ରାମ ଲଇକ୍ଷଣ ଦୁଇଭାଇ॥

।୩୪।

 

 

ସୀତାଙ୍କ ବିଚ୍ଛେଦେ ବୁଲୁଥିଲେ ବନସ୍ତର।

 

ଲକ୍ଷ୍ମଣକୁ କ୍ଷୁଧା ହୋଇଲାକ ଘୋରତର॥

।୩୫।

ଏ ସମୟେ ଗୋପାଳେ ଯେ ଗୋଧନ ଚରାଇ।

 

ଯାଉଥିଲେ ଭେଟ ଯେ ପାଇଲେ ରଘୁସାଇଂ॥

।୩୬।

 

 

ତାଙ୍କଠାରୁ କ୍ଷୀର ଖାଇ ସନ୍ତୋଷ ହୋଇଲେ।

 

ସୁବାହୁ ଗୋପାଳ ତହିଂ ମନେ ବିଚାରିଲେ॥

।୩୭।

ଯଦି ଏହୁ ମୋର କୋଳେ ହୋଇଥାନ୍ତେ ଜନ୍ମ।

 

ବନସ୍ତେ ବୁଲିବା କଷ୍ଟ ହୁଅନ୍ତା ମୋଚନ॥

।୩୮।

 

 

 

 

ଅନ୍ତର ବେଦନା ରାମଚନ୍ଦ୍ର ଯେ ଜାଣିଲେ।

 

ତୋ କୋଳେ ଜନମ ହେବୁଂ ବୋଲିଣ କହିଲେ॥

।୩୯।

ଦ୍ୱାପରରେ ନନ୍ଦ ରାଜା ହୋଇ ତୁ ଜନ୍ମିବୁ।

 

କାହ୍ନୁ ଶଙ୍କର୍ଷଣ ହୋଇ ତୋ ଘରେ ବଢିବୁ॥

।୪୦।

 

 

ପଚାରିବା କଥାମାନ କହିଲି ଫିଟାଇ।

 

ଅଚ୍ୟୁତ ବୋଲନ୍ତି ଦୋଷ ନ ଦେବ ହେ ଭାଇ॥

।୪୧।

 

ଓଗାଳ – ୩

ରାଧାଙ୍କ ମୋହନ ବେଶ

ଶୁଣ ହେ ଗୋପାଳ ଭାଇ ମୋ କଥା।

 

କହିବ ସଭାରେ ନିଶ୍ଚେ ଜାଣିଥା॥

।୧।

ରାଧାକୃଷ୍ଣ ଲୀଳା ଅପୂର୍ବ ରସ।

 

ଶୁଣିଲେ ପରାଣ ହୋଏ ସନ୍ତୋଷ॥

।୨।

କଥା ଏକ ମୋର ପଡ଼ିଲା ମନ।

 

ଯାହା କରିଛନ୍ତି ଜଗୁଜୀବନ॥

।୩।

କୃଷ୍ଣପ୍ରେମେ ରାଧା ସର୍ବଦା ବାଇ।

 

ହଟ କରୁଥାନ୍ତି କଳା କହ୍ନାଇ॥

।୪।

କୃଷ୍ଣେ ସୁମରିଣ ରାଧିକା ରାଣୀ।

 

ଏକ ଦିନକରେ କଲେ ଭାଳେଣି॥

।୫।

ପୂର୍ଣ୍ଣମାସୀଙ୍କୁ ଉପାୟ ପୁଚ୍ଛିଲେ।

 

କୃଷ୍ଣ ରୂପ ଦେଖିବାକୁ ଇଚ୍ଛିଲେ॥

।୬।

କିଭଳି ମୋହନ ବେଶ ଦର୍ଶନ।

 

କରିବାକୁ ମନ ହୋଏ ଉଚ୍ଛନ୍ନ॥

।୭।

ଜାଣିଥିଲେ ଭାଇ କହିବୁ ତାହା।

 

ଅଚ୍ୟୁତ କହନ୍ତି ରହସ୍ୟ ଏହା॥

।୮।

ଉତ୍ତାର

ଶୁଣ ଭାଇ ତୁମେ ପଚାର ଯାହା।

 

ଅଳପେ ଏଠାରେ କହିବି ତାହା॥

।୧।

ଦିନେ ରାଧିକା ମନେ ବିଚାରିଲେ।

 

ମୋହନ ବେଶ ହୋଇବି ବୋଇଲେ॥

।୨।

 

 

ବସ୍ତ୍ର ଅଳଙ୍କାରମାନ ନେଇଣ।

 

ବୃନ୍ଦାବନେ ପହଞ୍ଚିଲେ ଯାଇଣ॥

।୩।

କୃଷ୍ଣ ପାଇଂ ଶୋହେ ଯେଉଂ ଭୂଷଣ।

 

ରାଈ ପିନ୍ଧନ୍ତି କରି ଅନୁକ୍ଷଣ॥

।୪।

 

 

ଝୀନ ପୀତାମ୍ବର ପାଟ ପିନ୍ଧିଣ।

 

ଫୁଲ ମାଳାକୁ ଗଳେ ଲମ୍ବାଇଣ॥

।୫।

ପାଦେ ନୂପୁର ରୁଣୁଝୁଣୁ ବାଜେ।

 

ଦିବ୍ୟ କେଶ ମସ୍ତକରେ ବିରାଜେ॥

।୬।

 

 

ବାହୁରେ ପିନ୍ଧିଲେ ସେହୁ ବାହୁଟି।

 

ମୁଣ୍ଡେ ଗୋରଚନା ତିଳକ ପାଟୀ॥

।୭।

ଶୋଭା ଦିଶନ୍ତି ରାଧା ଠାକୁରାଣୀ।

 

ଅବିକଳ କୃଷ୍ଣଙ୍କ ରୂପଠାଣି॥

।୮।

ବଙ୍କିମା ଅଧରେ ମୁରଲୀ ବାଇ।

 

ନୀପମୂଳେ ବଜାନ୍ତି ସ୍ଥିର ହୋଇ॥

।୯।

କୃଷ୍ଣ ଗୁଣମାନ ମନେ ସୁମରି।

 

ବଂଶୀ ବଜାଉଥାନ୍ତି ବିମ୍ବାଧରୀ॥

।୧୦।

ଆସ ଆସ କୃଷ୍ଣ କରିବା ରାସ।

 

ବଂଶୀ ଡ଼ାକେ ଅଦଭୁତେ ସୁରସ॥

।୧୧।

ଦ୍ୱିତୀୟ ରନ୍ଧ୍ରେ ବାଆନ୍ତି ଶ୍ରୀମତୀ।

 

ଆସ କାହ୍ନୁ ହେ କରିବା ସୁରତି॥

।୧୨।

ପୁଣି ପ୍ରବୋଧିଣ ଦ୍ୟନ୍ତି ଆଦେଶ।

 

ବିହ୍ବଳିତ କରି କୃଷ୍ଣ ମାନସ॥

।୧୩।

ପୂର୍ଣ୍ଣମାସୀ ହୋଇଣ ହସ ହସ।

 

ବଂଶୀ ନ ବାଜଇ କିବା ରହସ୍ୟ॥

।୧୪।

କୃଷ୍ଣ ନାମେ ସେ ବଂଶୀ ନ ବାଜଇ।

 

ରାଧା ନାମେ ବାରମ୍ବାର ବାଜଇ।

।୧୫।

ରାଧା ନାମେ ବାରମ୍ବାର ବାଜଇ॥

 

ଜାଣି ଆଶ୍ଚର୍ଯ୍ୟ ହେଲେ ଭଗବତୀ।

।୧୬।

 

 

ନିଶ୍ଚେ ଅଛି କାର ଏଥେ ଶକତି॥

 

ଏହି ବଂଶୀ ଯୋଗୁଂ ମାନ ମହତ।

।୧୭।

ସବୁ ହୋଇଅଛି ମୋର ବିଚ୍ୟୁତ॥

 

ଆଜ ଦେଖିବି ତାଙ୍କୁ ମୁଂ ନୟନେ।

।୧୮।

 

 

ନ ଦେଖିଲେ ତେଜିବି ଏ ଜୀବନେ॥

 

ମୋହନ ବେଶ ନ ଦେଖିଲେ ସହୀ।

।୧୯।

ବୃଥାରେ ଗୋପେ ମୁଂ ଫେରିବି ନାହିଂ॥

 

ନାନା କଥାକୁ ମନେ ବିଚାରିଲେ।

।୨୦।

 

 

ନୀପ ମୂଳୁ ବଂଶୀକୁ ଉଠାଇଲେ॥

 

କୃଷ୍ଣ କୃଷ୍ଣ ବୋଲି ମନେ ସୁମରି।

।୨୧।

ବଂଶୀ ବଜାନ୍ତି ଅତି ଯତ୍ନ କରି॥

 

କୃଷ୍ଣ ନାମ ଯହୁଂ ବଂଶୀ ଶୁଣିଲା।

।୨୨।

 

 

ଚଉଦିଗକୁ ସେ ସ୍ୱର ଶୁଭିଲା॥

 

ଶୁଣି ଆନନ୍ଦ ହେଲେ ପୂର୍ଣ୍ଣମାସୀ।

।୨୩।

ମନରେ ବଂଶୀକୁ ବହୁ ପ୍ରଶଂସି॥

 

ଅନ୍ତର୍ଯ୍ୟାମୀ ସବୁ କଥା ଜାଣିଲେ॥

।୨୪।

 

 

 

 

ରାଈ ସମ୍ମୁଖରେ ନିଗୁଢ ରହସ୍ୟ।

 

କହିବାକୁ ଅଛି କାହା ସାହସ॥

।୨୫।

ମୋହନ ବେଶ ତେଜି ପୂର୍ଣ୍ଣ ଶଶୀ।

 

ଗୃହେ ଚଳିଲେ ମନେ ହୋଇ ଖୁସି॥

।୨୬।

 

 

ମୋହନ ବେଶ ଗୀତେ ହେଲା ଶେଷ।

 

ଭାବରେ ଭଣିଲେ ଅଚ୍ୟୁତ ଦାସ॥

।୨୭।

 

Unknown

ଓଗାଳ– ୪

ମୁରଲୀ ଚରିତ

ଶୁଣ ସର୍ବ ଦେଶ ଭାଇ ଡ଼େରି ଶ୍ରୁତିପଥ।

 

ଯାହା ପଚାରିବି ତାହା ମୁରଲୀ ଚରିତ॥

।୧।

କିପରି ଏ ସୃଷ୍ଟି ପୁଣି କିପରି ବାଦନ।

 

ଭାଇମାନେ କହିଦେବ ତହିଂର ବିଧାନ॥

।୨।

ଛାଟକୁ ମାରିଣ ମୁଂ ଯେ ଦେଉଛି ଚେତାଇ।

 

ଛାଟ ନ ବାଜିଲେ ପାଠ ମନେପଡେ ନାହିଂ॥

।୩।

ଏ କଥା କହିଲି ବୋଲି ନ ଧରିବ ରୋଷ।

 

ଅଚ୍ୟୁତ କହନ୍ତି ଏ ଯେ ରାଧାକୃଷ୍ଣ ରସ॥

।୪।

ଉତ୍ତାର

ଶୁଣ ଶୁଣ ଭାଇମାନେ କହୁଅଛି ମୁହିଂ।

 

ସଦଗୁରୁ ସେବି କିଛି ଜାଣି ମୁଂ ଅଛଇ॥

।୧।

ଛାଟେକ ମାରିଣ ଯେବେ ପଚାରିଲ ଭାଇ।

 

ସେ କଥା ଶୁଣି ମୋ ଜ୍ଞାନ ଉପୁଜି ଉଠଇ॥

।୨।

 

 

 

 

ବହୁ ଗଣ୍ଠି କଥାମାନ ପଡ଼େ ଯେ ସଭାର।

 

ଅଳ୍ପ ଅଳ୍ପ କରି ମୁହିଂ କରିଲି ପ୍ରଚାର॥

।୩।

ପୃଥ୍ୱୀ ଆପ ତେଜ ବାଇ ଆକାଶ ଯେ ଜାଣ।

 

ପଞ୍ଚଭୂତେ ଏକଦଳ କରେ ଯେ ଘଟଣ॥

।୪।

 

 

ଜୀବ ପରମଙ୍କ ତହିଂ ଲୀଳା ଯେ ବିହାର।

 

ପାଞ୍ଚମନ ପଚିଶ ଯେ ପ୍ରକୃତି ବାହାର॥

।୫।

ଏକାଦଶ ଇନ୍ଦ୍ରି ଆଦି ସତତ ଅଇରି।

 

ଯେ ଯେଉଂ ଭାବରେ ରହିଅଛନ୍ତି ଯେପରି॥

।୬।

 

 

ଏକ ସ୍ଥାନରୁ ସମ୍ଭବ ଅନେକ ଯେ ନାମ।

 

ତାହା କହିବାକୁ ଅଟେ କେହୁ ହେବ କ୍ଷେମ॥

।୭।

ଏହିପରି କହୁଥିଲେ କହୁଥିବି ମୁହିଂ।

 

ମୁରଲୀ ଚରିତ ଏବେ ଶୁଣ ମନଦେଇ॥

।୮।

 

 

ମୁରଲୀ ବେଣୁ ବଇଂଶୀ ଏହି ତିନି ନାମ।

 

ଅଳାବେଣୀ ମୁରଲୀ ଯେ ମିଶିଣ ପଞ୍ଚମ॥

।୯।

ଶୁଣ ହୋ ଗୋପାଳ ଭାଇ ଦେଇ ମନକର୍ଣ୍ଣ।

 

ଯେତେ ଆଙ୍ଗୁଳ ପ୍ରମାଣ ଯେତେ ରନ୍ଧ୍ର ଜାଣ॥

।୧୦।

 

 

 

 

ବତ୍ରିଶ ଆଙ୍ଗୁଳ ଷଡ଼ରନ୍ଧ୍ର ଯେ ଯହିଂରେ।

 

ଜମ୍ବୁ ନବରତ୍ନ ଯତ୍ନ ବନ୍ଧା ତା ତହିଂରେ॥

।୧୧।

ଏ ମୁରଲୀ ରାସେ ବଜାଇଲେ ଯେ ଗୋବିନ୍ଦ।

 

ମନାଇଲେ ଷୋଳ ସହସ୍ର ଯୁବତୀ ବୃନ୍ଦ॥

।୧୨।

 

 

ମୁରଲୀ ବୋଲିଣ ନିଜ ନାମ ହୋ ଯାହାର।

 

ବତିଶ ଅଙ୍ଗୁଳି ପଞ୍ଚରନ୍ଧ୍ର ଯେ ତାହାର॥

।୧୩।

ଦୁଇ ରନ୍ଧ୍ର ଯନ୍ତ୍ରବନ୍ଧ ଅତି ସେ ସୁନ୍ଦର।

 

ଜଳଘାଟେ ବଜାଇଣ କରନ୍ତି ହୁନ୍ଦର॥

।୧୪।

 

 

ବଂଶୀଟି ଷୋଳ ଆଙ୍ଗୁଳ ସପତ ଯେ ରନ୍ଧ୍ର।

 

ତିନି ରନ୍ଧ୍ରରେ କଳଙ୍କ ନଳୀ ଯେ ପ୍ରବନ୍ଧ॥

।୧୫।

ତିନି ସ୍ୱରେ ଏକାବେଳେ କଲେକ ବାଦନ।

 

ତ୍ରିଭୁବନ କମ୍ପେ ଅଙ୍ଗେ ଭରେ ଯେ ମଦନ॥

।୧୬।

 

 

ବଶ କରିବାରୁ ବଂଶୀ ନାମ ଯେ ତାହାର।

 

ଏବେ ଶୁଣ ଅଳାବେଣୀର ଲୀଳା ବେହାର॥

।୧୭।

ଷୋଳ ଅଙ୍ଗୁଳ ନୀଳାରତ୍ନ ପ୍ରାୟେ ଆଭା।

 

ପଞ୍ଚରନ୍ଧ୍ର ବେନି ଯନ୍ତ୍ରେ ଅତ୍ୟନ୍ତ ଯେ ଶୋଭା॥

।୧୮।

 

 

 

 

ବେନି ରନ୍ଧ୍ରେ ନାଟ କଉତୁକେ ସେ ବଜାନ୍ତି।

 

ସର୍ବ ଗୋପାଳ ବାଳକ ମନକୁ ମଜ୍ଜାନ୍ତି॥

।୧୯।

ମୁରଲୀ ଅଷ୍ଟ ଆଙ୍ଗୁଳ ପ୍ରମାଣ ତାହାର।

 

ମଧ୍ୟେ ଦଶ ଗୋଟିକ ଯେ ମଣ୍ଡଳ ଆକାର॥

।୨୦।

 

 

ଯେତେବେଳେ ଧେନୁ ଘେନି ବନକୁ ଯାଆନ୍ତି।

 

ସେହି କାଳରେ ମୁରଲୀ ବାଦ୍ୟକୁ ବାଆନ୍ତି॥

।୨୧।

ଯାହା ପଚାରିଲୁ ଭାଇ ମୁରଲୀ ଚରିତ।

 

ବୁଝାଇ କହିଲେ ତାହା ଦୀନ ଯେ ଅଚ୍ୟୁତ॥

।୨୨।

 

ଓଗାଳ – ୫

ଶୁଣ ହେ ଗୋପାଳ ଭାଇ ହୋଇ ଏକ ମନ।

 

ପଚାରୁଛି କିଛି ରାଧାକୃଷ୍ଣଙ୍କ ବିଧାନ॥

।୧।

ଏକଦିନେ ରାଧିକା ମନ୍ଦିରେ ବନମାଳୀ।

 

ରାଧାଙ୍କୁ ଘେନି ପଲଙ୍କେ କରୁଥିଲେ କେଳି॥

।୨।

ଏହି ସମୟରେ ଚନ୍ଦ୍ରସେଣା ଯେ ଅଇଲା।

 

କବାଟରେ ହାତ ମାରି ଉଚ୍ଚରେ ଡ଼ାକିଲା॥

।୩।

ଚନ୍ଦ୍ରସେଣା ଡାକ ଶୁଣି ରାଧା ଯେ ଚକିତ।

 

କି ବୁଦ୍ଧି କରିବି ବୋଲି ବିଚାରନ୍ତି ଚିତ୍ତ॥

।୪।

ତହୁଂ ପେଟାରୀରେ କଞ୍ଚି ଦେଇ ଚଳିଗଲେ।

 

ଚନ୍ଦ୍ରସେଣା ପାଶେ ଯାଇ କବାଟ ଫେଇଲେ॥

।୫।

ତହୁଂ ଭାଇ ଚନ୍ଦ୍ରସେଣା ରହିଲେ ଗୃହରେ।

 

ରାଧିକା ଯେ ଗଲେ ତହୁଂ ସ୍ନାନ କରିବାରେ॥

।୬।

ପାବଚ୍ଛ ଉପରେ କଞ୍ଚି କାଠିକୁ ରଖିଣ।

 

ସ୍ନାନ କରୁଥିଲେ ରାଈ ଜଳରେ ପଶିଣ॥

।୭।

ଏ ସମୟେ କଞ୍ଚିକାଠି ଚିଲ ଘେନିଗଲା।

 

ପଦ୍ମବନେ ଯାଇଣ ସେ ପକାଇଣ ଦେଲା॥

।୮।

ସେ ସମୟେ ସୂର୍ଯ୍ୟଦେବ ଉଦେ ହେଉଥିଲେ।

 

ଆନନ୍ଦେ କମଳ ବନ ସର୍ବ ବିକଶିଲେ॥

।୯।

ପଦ୍ମପରେ କଞ୍ଚିକାଠି ପଡ଼ିଲା ସେ ପୁଣ।

 

ତେଣେ ପେଟାରୀରେ ବନ୍ଦୀ ଜଗତ ଜୀବନ॥

।୧୦।

ଆହେ ଭାଇମାନେ ଶୁଣିଲଟି ଶ୍ରୁତି ପଥେ।

 

କିପରି ବନ୍ଧନୁଂ ମୁକ୍ତ ହେଲେ ନନ୍ଦ ସୁତେ॥

।୧୧।

ବୁଝାଇ ଏ କଥା ତୁମ୍ଭେ ଅବଶ୍ୟ କହିବ।

 

ନୋହିଲେ ଗୁରୁଙ୍କ ପାଦେ ଦୋରେହା ହୋଇବ॥

।୧୨।

ଉତ୍ତାର

ଆହେ ଭାଇମାନେ ସର୍ବେ ଶୁଣ ମନ ଦେଇ।

 

ଭଲା ସନ୍ଧି ଓଗାଳ ତ ପଚାରିଲୁ ତୁହି॥

।୧।

ଉପାୟ ନ ଦେଖି ରାଈ ଗୃହେ ଚଳିଗଲେ।

 

ଲଳିତା ଆଗରେ ସବୁ ବୁଝାଇ କହିଲେ॥

।୨।

 

 

ଲଳିତା ବୋଇଲେ ଯୋଗମାୟାକୁ ସୁମର।

 

ସେ ଅଇଲେ କହିଦେବେ ଏଥି ସୁବିଚାର॥

।୩।

ଚିଲ ଘେନି ଯିବା ଆଦି ସର୍ବ ସମାଚାର।

 

ଯୋଗମାୟା ଯୋଗବଳେ ଜାଣିଲେ ବେଭାର॥

।୪।

 

 

ପଦ୍ମ ମଧ୍ୟେ କଞ୍ଚିକାଠି ପଡ଼ିଅଛି ଜାଣ।

 

ଏଥକୁ ଉପାୟ ଏବେ କରିବା ବିଧାନ॥

।୫।

ରାଧାଙ୍କୁ ବୋଇଲେ ତୁମ୍ଭେ ସୁର୍ଯ୍ୟପୂଜା କର।

 

ସନ୍ତୋଷ ହେଲେ ଅଣାଇ ଦେବେ ଯେ ଭାସ୍କର॥

।୬।

 

 

ଯୋଗମାୟା ବଚନେ ରାଧିକା ବେଗେ ଯାଇ।

 

ପୂଜା ଅର୍ଘ୍ୟ ଦେଇଣ କହିଲେ ବିନୟୀ॥

।୭।

ପୂଜାରେ ସନ୍ତୁଷ୍ଟ ହୋଇ ଦେବ ଛାୟାକାନ୍ତ।

 

ଚାବି ପଡ଼ିଥିବା ପଦ୍ମ ଭସାଇ ତୁରିତ॥

।୮।

 

 

ବୃଷଭାନୁ ସୁତା ପାଶେ ନେଇଣ ଯେ ଦେଲେ।

 

ପଦ୍ମେ ଚାବି ଦେଖି ରାଧା ଆନନ୍ଦେ ଘେନିଲେ॥

।୯।

ତରତର ହୋଇ ରାଈ ବେଗେ ଚଳିଯାଇ।

 

ରନ୍ଧନାଦି କାର୍ଯ୍ୟମାନ ତକ୍ଷଣ ସାରଇ॥

।୧୦।

 

 

ଚନ୍ଦ୍ରସେଣା ଗୋଷ୍ଠେ ଗଲା ଭୋଜନ ସାରିଣ।

 

କୃଷ୍ଣଙ୍କୁ ପେଡ଼ିରୁ ରାଈ କାଢ଼ିଲେ ବହନ॥

।୧୧।

ସବୁ ସମାଚାରମାନ କହିଣ କୃଷ୍ଣଙ୍କୁ।

 

ମୁଖେ ଚୁମ୍ବେ ଦେଇ କୃଷ୍ଣ ଚଳିଲେ ଗୃହକୁ॥

।୧୨।

ପେଟାରୀରେ ତୁମ୍ଭେ କୃଷ୍ଣେ ରଖିଥିଲ ଭାଇ।

 

ଅଚ୍ୟୁତ ବୋଲନ୍ତି ଏବେ ଦେଲୁ ମୁକୁଳାଇ॥

।୧୩।

 

ଓଗାଳ – ୬

ଶୁଣ ଶୁଣ ଭାଇ ମୋର ଓଗାଳ ବିଧାନ।

 

ପଚାରିବା ପାଇଂ କଥା ପଡ଼ିଗଲା ମନ॥

।୧।

ଲୀଳାମୟଙ୍କର ଲୀଳା ତ୍ରେତୟା ଯୁଗର।

 

ସେହି କଥା ଗୋଟି ହେଜି କୁହ ତତପର॥

।୨।

ଗରୁଡ଼ଙ୍କୁ ଚାହିଂ ପଚାରନ୍ତି ରଘୁବୀର।

 

କି ବର ମାଗୁଛ ମାଗ ଆହେ ପକ୍ଷୀବର॥

।୩।

କି ବର ମାଗିବି ପ୍ରଭୁ ବରେ କାର୍ଯ୍ୟ ନାହିଂ।

 

ଯେବେ ଇଚ୍ଛାକଲ ମୋରେ ବ୍ରହ୍ମାଣ୍ଡ ଗୋସାଇଂ॥

।୪।

ଦ୍ୱାପର ଯୁଗରେ ହେବ କୃଷ୍ଣ ଅବତାର।

 

ସେହି ରୂପ ଦେଖିବାକୁ ଇଚ୍ଛା ଯେ ମୋହର॥

।୫।

ଶ୍ରୀରାମ ବୋଇଲେ କପି ସୈନ୍ୟ ଛନ୍ତି ଘେରି।

 

କେମନ୍ତେ ଧନୁ ଛାଡ଼ିଣ ହେବି ବଂଶୀଧାରୀ॥

।୬।

ଗରୁଡ଼ ବୋଇଲେ ପକ୍ଷେ ଘର ମୁଂ କରିବି।

 

କେହି ନ ଦେଖିବେ ଏକା ମୁହିଂ ଦେଖୁଥିବି॥

।୭।

ଏହା ଶୁଣି ଶ୍ରୀରାମ ଯେ ମଉନ ହୋଇଲେ।

 

ପକ୍ଷୀବର ତହୁଂ ପକ୍ଷପୁର ବିରଚିଲେ॥

।୮।

ମଧ୍ୟେ ରାମ ଧନୁ ଛାଡ଼ି ବଂଶୀକୁ ଧଇଲେ।

 

ଗରୁଡ଼ ଦେଖିଣ ବହୁ ସ୍ତୁତି ଆରମ୍ଭିଲେ॥

।୯।

ରାମଙ୍କୁ ନଦେଖି ହନୁମନ୍ତ କୋପ କରି।

 

କରୁଡ଼ ଡେଣାକୁ ବେଗେ ପକାଇଲା ଚିରି॥

।୧୦।

 

 

ଦେଖିଲା ଶ୍ରୀରାମ ବଂଶୀ ଧରିଛନ୍ତି କରେ।

 

ହନୁମନ୍ତ କୋପ କଲା ଗରୁଡ଼ ଉପରେ॥

।୧୧।

ବେନି ଜନଙ୍କର ବହୁ ଯୁଦ୍ଧ ହେଲା ତହିଂ।

 

କେ କାହାକୁ ଯୁଦ୍ଧ ମଧ୍ୟେ ନ ଛାଡ଼ନ୍ତି ସେହି॥

।୧୨।

 

 

ଏହା ଦେଖି ଶ୍ରୀରାମ ଯେ ବଂଶୀକୁ ଛାଡ଼ିଲେ।

 

ଧନୁ ଧରି ହନୁମନ୍ତକୁ ସେ କୋଳ କଲେ॥

।୧୩।

ଆଉ ଯୁଦ୍ଧ ନ କର ହେ ଅଞ୍ଜନାର ସୁତ।

 

ତୋହ ପରି ଗରୁଡ଼ ଯେ ଅଟେ ମୋର ଭକ୍ତ॥

।୧୪।

 

 

ଏ ଯୁଗରେ ତୋ ଗର୍ବକୁ ଚୂନା କଲା ସେହି।

 

ଦ୍ୱାପର ଯୁଗରେ ହେବି ନନ୍ଦର କହ୍ନାଇ॥

।୧୫।

ସେ ସମୟେ ଗରୁଡ଼ ଯେ ହେବ ମୋର ଦାସ।

 

ତା ଗର୍ବ ଚୂନା କରିବୁରେ ଅଞ୍ଜନା ଶିଷ୍ୟ॥

।୧୬।

 

 

ଗରୁଡ଼କୁ ଆଜ୍ଞା ଦେଲେ ଯାଅ ପକ୍ଷୀବର।

 

ନିଶ୍ଚିନ୍ତ ମନରେ ତୁହି ଥାଅ ନିଜ ପୁର॥

।୧୭।

ଶ୍ରୀରାମଙ୍କ ଆଜ୍ଞା ମାତ୍ରେ ଗରୁଡ଼ ଯେ ଗଲେ।

 

କପି ସୈନ୍ୟ ଘେନିଣ ଶ୍ରୀରାମ ସଜ ହେଲେ॥

।୧୮।

 

 

ବହୁ ଯୁଦ୍ଧ କରି ରାବଣକୁ ବଧ କରି।

 

ଅଯୋଧ୍ୟାକୁ ଫେରି ଆସି ହେଲେ ଦଣ୍ଡଧାରୀ॥

।୧୯।

ଜାଣିଥିଲେ କହିବ ହୋ ଆମ୍ଭଙ୍କୁ ବୁଝାଇ।

 

ଏହାପରେ କିସ ହେଲା ହେ ଗୋପାଳ ଭାଇ॥

।୨୦।

ଉତ୍ତାର

ଯାହା ପଚାରିଲୁ ଏବେ ହେ ଗୋପାଳ ଭାଇ।

 

ଗୋଟି ଗୋଟି କରି ତୋତେ ଦେଉଛି ବୁଝାଇ॥

।୧।

ତ୍ରେତା ଯୁଗ ଯାଇ ପୁଣି ଦ୍ୱାପର ହୋଇଲା।

 

ଗୋପପୁରେ ଜନ୍ମି ପ୍ରଭୁ ହେଲେ ନନ୍ଦବଳା॥

।୨।

 

 

ଏହିପରି କହୁଥିଲେ କହୁଥିବି ଭାଇ।

 

ଠିକ ଠିକ କରି ଏବେ ଦେଉଛି ବୁଝାଇ

।୩।

ଦିନେ ପ୍ରଭୁ କୃଷ୍ଣଚନ୍ଦ୍ର ରୁକ୍ମିଣୀ ସଙ୍ଗରେ।

 

ପଶା ଖେଳୁଥଲେ ବସି କୁଣ୍ଡି କଟକରେ॥

।୪।

 

 

ରୁକ୍ମିଣୀ ବୋଇଲେ ଶୁଣ ଆହେ ପ୍ରାଣେଶ୍ୱର।

 

ଗରୁଡ଼ଠାରୁ ବଳିଷ୍ଠ ନାହିଂ ଆଉ ବୀର॥

।୫।

ଏହା ଶୁଣି ଶ୍ରୀକୃଷ୍ଣ ଯେ ହସ ହସ ହେଲେ।

 

ପରିହାସ ଦେଖି ଦେବୀ ତାଙ୍କୁ ପଚାରିଲେ॥

।୬।

 

 

କାହିଂକି ହସିଲ ତୁମ୍ଭେ ନ କହିଲେ ନାଥ।

 

ନିଶ୍ଚୟ ପ୍ରାଣ ତେଜିବି ଆହେ ନନ୍ଦସୁତ॥

।୭।

ଏହା ଶୁଣି ଶ୍ରୀକୃଷ୍ଣ ଯେ ବୋଲନ୍ତି ବଚନ।

 

ଗରୁଡ଼ଠାରୁ ବଳିଷ୍ଠ ସିନା ହନୁମାନ॥

।୮।

 

 

ଶୁଣି ଏହା ରୁକ୍ମିଣୀ ଯେ ବୋଲନ୍ତି ତାହାଙ୍କୁ।

 

କେମନ୍ତ ସେ ହନୁମାନ ଅଣାଅ ଏଠାକୁ॥

।୯।

ଶ୍ରୀକୃଷ୍ଣ ବୋଇଲେ ଶୁଣ ଆଗୋ ପ୍ରାଣେଶ୍ୱରୀ।

 

ବଂଶୀ ଛାଡ଼ି ଯେବେ ମୁହିଂ ହେବି ଚାପଧାରୀ॥

।୧୦।

 

 

ତୁମ୍ଭେ ସୀତୟା ରୂପକୁ କରିବ ଧାରଣ।

 

ତେବେ ହନୁମନ୍ତ ଆସି କରିବ ଦର୍ଶନ॥

।୧୧।

ଏହା ଶୁଣି ରୁକ୍ମିଣୀ ଯେ ସନମତ ହେଲେ।

 

କେମନ୍ତେ ହନୁମନ୍ତକୁ ଅଣାଅ ବୋଇଲେ॥

।୧୨।

 

 

 

 

ଶୁଣି କୃଷ୍ଣ ଗରୁଡ଼ଙ୍କୁ ବୋଇଲେ ବଚନ।

 

ଯାଅ ବେଗେ ଆଣ ଯାଇ ପବନ ନନ୍ଦନ॥

।୧୩।

କଦଳୀ ବନରେ ହନୁମନ୍ତ ରହିଥିବ।

 

ରାମଚନ୍ଦ୍ର ଡ଼ାକୁଛନ୍ତି ବୋଲିଣ କହିବ॥

।୧୪।

 

 

ଏହା ଶୁଣି ଗରୁଡ଼ ଯେ ବେଗେ ଚଳିଗଲା।

 

ବାଟରେ ଯାଇଣ ହନୁମନ୍ତକୁ ଭେଟିଲା॥

।୧୫।

ଜୀର୍ଣ୍ଣଶୀର୍ଣ୍ଣ ହୋଇଣ ପଡ଼ିଛି ବାୟୁ ବଳା।

 

ତାକୁ ଦେଖି ଗରୁଡ଼ ଯେ ବଚନ ବୋଇଲା॥

।୧୬।

 

 

ବେଗ ହୋଇ ଆସ କନ୍ଧେ ବସ ହନୁବୀର।

 

ରାମଚନ୍ଦ୍ର ଡାକୁଅଛି କୁଣ୍ଡି କଟକର॥

।୧୭।

ରାମଚନ୍ଦ୍ର ନାମ ଶୁଣି ବଳିଷ୍ଠ ହୋଇଲା।

 

ଜୀର୍ଣ୍ଣଶୀର୍ଣ୍ଣ ଦେହ ଛାଡ଼ି ପରାକ୍ରମୀ ହେଲା॥

।୧୮।

 

 

ରାମ ଶବ୍ଦ ନ ଶୁଣି ସେ ହୋଇଥିଲା କ୍ଳାନ୍ତ।

 

ରାମ ନାମ ଶୁଣିକରି ଉଠେ କପିନାଥ॥

।୧୯।

ଛାର ପକ୍ଷୀ ନେବ ମୋତେ କାନ୍ଧରେ ବସାଇ।

 

ଏହା କହି କାଖେ ତାକୁ ଜାକିଲାକ ନେଇ॥

।୨୦।

 

 

 

 

ଭୀଷଣ ମୂରତି ଧରି ବାହାର ହୋଇଲା।

 

କୁଣ୍ଡି କଟକରେ ଯାଇ ପରବେଶ ହେଲା॥

।୨୧।

ହନୁ ଯେ ଆସନ୍ତେ ତାହା ଜାଣି ଦେବ ହରି।

 

ରୁକ୍ମିଣୀକି ପଚାରନ୍ତି ଶୁଣ ପ୍ରାଣେଶ୍ୱରୀ॥

।୨୨।

 

 

ସୁଦର୍ଶନ ଚକ୍ର ଦ୍ୱାରେ ରଖାଇବା ନେଇ।

 

କେମନ୍ତ ବଳିଷ୍ଠ ତାକୁ ଆସିବ ସେ ଡ଼େଇଂ॥

।୨୩।

ଏଣେ ହନୁମନ୍ତ ଖୋଜି ଖୋଜି ସର୍ବ ସ୍ଥାନ।

 

ପ୍ରବେଶିଲା ଯହିଂ ଛନ୍ତି ପ୍ରଭୁ ରଘୁନାନ॥

।୨୪।

 

 

ଦେଖିଲା ଦ୍ୱାରେ ବୁଲୁଛି ଚକ୍ର ସୁଦର୍ଶନ।

 

ହସ୍ତ ପୂରାଇ ଦିଅନ୍ତେ ରହିଲା କରେଣ॥

।୨୫।

ରାମ ସୀତା ନିକଟରେ ପ୍ରବେଶ ହୋଇଲା।

 

ବେନି କର ଯୋଡ଼ି ରାମ ପାଦରେ ପଡ଼ିଲା॥

।୨୬।

 

 

ଶ୍ରୀରାମ ବୋଇଲେ ଶୁଣ ବାବୁ ହନୁ ବୀର।

 

ସୁଦର୍ଶନ ଚକ୍ର ବୁଲୁଥିଲା ସିଂହଦ୍ୱାର॥

।୨୭।

ହନୁମନ୍ତ ବୋଲେ କରେ ଗଦା ଅଛି ମୋର।

 

ଦ୍ୱାର ନ ଛାଡ଼ନ୍ତେ ତାକୁ କଲି ଯେ ପ୍ରକାର॥

।୨୮।

 

 

 

 

ଏ ବଚନ ଶୁଣି କୃଷ୍ଣ ଆଚମ୍ବିତ ହେଲେ।

 

ସୂର୍ଯ୍ୟବଂଶୀ ବୋଲି ତାକୁ ବହୁ ପ୍ରଶଂସିଲେ॥

।୨୯।

ପୁଣି ପଚାରନ୍ତି ରାମ ଗରୁଡ଼ ଯେ କାହିଂ।

 

ଶୁଣି ହନୁମନ୍ତ କର ଉଠାଇ ଦିଅଇ॥

।୩୦।

 

 

ଦେଖ ଗରୁଡ଼ ଯେ ମୋର କାଖତଳେ ଅଛି।

 

ନିଅ ଗରୁଡ଼କୁ ବୋଲେ ପବନର ବତ୍ସି॥

।୩୧।

ଏହା ଦେଖି ରୁକ୍ମିଣୀ ଯେ ଆଶ୍ଚର୍ଯ୍ୟ ହୋଇଲେ।

 

ଧନ୍ୟ ତୁମ୍ଭ ମାୟା ବୋଲି କୃଷ୍ଣଙ୍କୁ ବୋଇଲେ॥

।୩୨।

ହନୁକୁ ଚାହିଂଣ ବୋଇଲେକ ରଘୁବୀର।

 

ତୋ ପାଇଂ ଧନୁ ଧଇଲି ପବନ କୁମ୍ଭର॥

।୩୩।

ତ୍ରେତା ଯୁଗେ ଧନୁ ଛାଡ଼ି ବଂଶୀ ଧରି କରେ।

 

ତେଣୁ କୋପ କରିଥିଲୁ ଗରୁଡ଼ ଉପରେ॥

।୩୪।

ଏବେ ତୋ କାମନା ବାବୁ ହୋଇଲା ପୂରଣ।

 

ଯାଅ ବାବୁ ସୁଖେ ରହ କଦଳୀର ବଣ॥

।୩୫।

ଯାହା ପଚାରିଣ ଥିଲା ହେ ଗୋପାଳ ଭାଇ।

 

ବହୁ କଷ୍ଟେ ଛାନ୍ଦବନ୍ଧେ ଦେଲି ତା ବୁଝାଇ॥

।୩୬।

ହେଲା ନ ହେଲାକୁ ଦୋଷ ନ ଧରିବ ମୋର।

 

ଦୀନ ଅଚ୍ୟୁତି କହିଲା ଗୋପାଳ ହିତର॥

।୩୭।

 

ଓଗାଳ – ୭

ସଭାଜନେ ଶ୍ରଦ୍ଧା ମନେ କଉତୁକ ରସ।

 

ଶ୍ରୀକୃଷ୍ଣଙ୍କ ଲୀଳା କଥା ଅପୂର୍ବ ରହସ୍ୟ॥

।୧।

ସମସ୍ତ ଗୋପାଳ ଭାଇ ହୋଇଅଛ ପୂର୍ଣ୍ଣ।

 

କରଯୋଡ଼ି ଜଣାଉଛି ବାଳକ ଅଜ୍ଞାନ॥

।୨।

ଗୋପପୁରେ କୃଷ୍ଣଚନ୍ଦ୍ର ଯେତେ ଲୀଳା କଲେ।

 

ଆଉ ଏକ ଲୀଳା କଥା କହିବଟି ଭଲେ॥

।୩।

କେଉଂଠାରେ କୃଷ୍ଣ କଳା ମଞ୍ଜରୀ ହୋଇଲେ।

 

ଗୋପିକାକୁ କେଉଂଠାରେ ମୂଷା କରାଇଲେ॥

।୪।

ମଞ୍ଜାରୀ ମୂଷିକ କଥା କହିବ ବୁଝାଇ।

 

ମନର ସଂଶୟ ମୋର ଯିବ ଦୂର ହୋଇ॥

।୫।

ଏହାର ବୃତ୍ତାନ୍ତ ଯଦି କହି ନ ପାରିବ।

 

ସଭା ମଞ୍ଚ ସ୍ଥାନକୁ ଯେ କେଭେଂ ନ ଆସିବ॥

।୬।

ମାତା ପିତା ଇଷ୍ଟଗୁରୁ ଦ୍ୱାହି ଯେ ତୁମ୍ଭକୁ।

 

ଅଚ୍ୟୁତ ବୋଲନ୍ତି ଆଉ ନ ଆସ ସଭାକୁ॥

।୭।

 

 

ଉତ୍ତାର

ସୁଜ୍ଞାନୀ ଗୋପଳମାନେ ଶୁଣ ଦେଇ ମନ।

 

ଯାହା ପଚାରିଲ ତାହା କରିବି ବର୍ଣ୍ଣନ

।୧।

ଇଷ୍ଟଗୁରୁ କଲ୍ୟାଣରୁ ଯାହା ମୁଂ ଜାଣିଛି।

 

କୃଷ୍ଣଙ୍କର ଲୀଳା ଗୀତେ ପ୍ରକାଶ କରୁଛି॥

।୨।

ଏକଦିନେ କୃଷ୍ଣଚନ୍ଦ୍ର ଲବଣୀ ଖାଇଣ।

 

କେତେକ ଲବଣୀ ତଳେ ପକାନ୍ତି ଖେଳିଣ॥

।୩।

ଏ ସମୟେ ଯଶୋଦା ଯେ ପ୍ରବେଶ ହୋଇଲେ।

 

ଲବଣୀ ଫିଙ୍ଗିବା ଦେଖି କୋପଭର ହେଲେ॥

।୪।

ଛାଟ ଧରି ଗୋଡ଼ାନ୍ତେଣ ଯଶୋମତୀ ରାଣୀ।

 

ଭୟେ ଲୁଚି ପଳାଇଲେ ଆପେ ବେଣୁପାଣି॥

।୫।

ପଛରେ ଗୋଡ଼ାଇଥାନ୍ତି ମାତା ନନ୍ଦରାଣୀ।

 

କାହିଂ ତୁ ଲୁଚିବୁ ଆଜ ଆରେ ନୀଳମଣି॥

।୬।

ପୁତ୍ରଙ୍କୁ ନ ପାଇ ରାଣୀ ଗୃହେ ଚଳିଗଲେ।

 

ମାୟାଧର ସେହି ଠାରେ ଅନ୍ତର୍ଦ୍ଧାନ ହେଲେ॥

।୭।

ଏକ ଗୋପିକା ଗୃହରେ ଯାଇ ପ୍ରବେଶିଣ।

 

ଗୋପୀଙ୍କୁ ବୋଲନ୍ତି କୃଷ୍ଣ ମୋର କଥା ଶୁଣ

।୮।

 

 

 

 

କେଉଂଠାରେ ମୋତେ ତୁହି ଦିଅ ଗୋ ଲୁଚାଇ।

 

କୋପେ ମାତା ଧାଇଂଛନ୍ତି ମାରିବାର ପାଇଂ॥

।୯।

ଏହା ଶୁଣି ଗୋପିକା ଯେ ବୋଲନ୍ତି ବଚନ।

 

ଆମ୍ଭର ଗମ୍ଭୀରା ଘରେ ଲୁଚ ହେ ମୋହନ॥

।୧୦।

 

 

ଗୋପୀଠାରୁ ଶୁଣି କୃଷ୍ଣ ବିନୟେ କହଇ।

 

ଅନ୍ଧାର ଗମ୍ଭୀରା ଘର ଡ଼ର ଯେ ମାଡ଼ଇ॥

।୧୧।

କୃଷ୍ଣଙ୍କ ବିନୟ ବାଣୀ ଶୁଣିଣ ଗୋପୀକା।

 

ବୋଲନ୍ତି ଯାହା କହିବ କରିବି ମୁଂ ଏକା॥

।୧୨।

 

 

ଶ୍ରୀକୃଷ୍ଣ ବୋଲନ୍ତି ମୋତେ ଘେନିକରି ଶୁଅ।

 

ନିଶ୍ଚିନ୍ତ ହୋଇଣ ମୋତେ ପଣତେ ଘୋଡ଼ାଅ॥

।୧୩।

ଏହା ଶୁଣି ଗୋପିକା ଯେ ବହନ ଚଳିଲା।

 

ଗମ୍ଭୀରା ଘର ପଲଙ୍କେ ଶେଯ ସେ ପାତିଲା॥

।୧୪।

 

 

ଶୁଅ ବାବୁ ବୋଲି ଯେଣୁ କହଇ ରମଣୀ।

 

ବେନି କରେ ତାହାକୁ ଧରନ୍ତି ବେଣୁପାଣି॥

।୧୫।

ଏକାହୋଇ ନିଦ୍ରା ମୋତେ ନ ଆସଇ କେବେ।

 

ଶୁଅ ତୁମ୍ଭେ ମୋର ପାଶେ କହୁଅଛୁ ଆମ୍ଭେ॥

।୧୬।

 

 

 

 

ଗୋପିକା ଶୁଣିଣ ତହୁଂ ଲଜ୍ଜାଭର ହୋଇ।

 

କୃଷ୍ଣଙ୍କ ପାଶେ ପଲଙ୍କେ ଶୟନ କରଇ॥

।୧୭।

ଗୋପୀ ଭାବେ ଏହୁ ସିନା ବାଳୁତ ନନ୍ଦନ।

 

ପ୍ରେମ ଆଲିଙ୍ଗନ କାହୁଂ ଶିଖିଲା ଏ ମାନ॥

।୧୮।

 

 

ଯେବେ ଯୁବା ହୋଇଥାନ୍ତା ଯଶୋଦା କୁମର।

 

କେଡ଼େ ଭାଗ୍ୟରେ ଧରନ୍ତି ହୁଅନ୍ତି କୋୟର॥

।୧୯।

ଅନ୍ତର୍ଯ୍ୟାମୀ ଗୋପୀର ଅନ୍ତର କଥା ଜାଣି।

 

ବୋଲନ୍ତି ତୁ ଭାବୁ ଯାହା ହେବି ବାଳାମଣି॥

।୨୦।

 

 

ବେନି ଚକ୍ଷୁ ବୁଜ ମୁହିଂ ହେବି ନବ ଯୁବା।

 

ତକ୍ଷଣେ ଗୋପୀ ନୟନ ବୁଜି ହେଲେ କାବା॥

।୨୧।

ତହୁଂ କୃଷ୍ଣ ହେଲେ କୋଟି କନ୍ଦର୍ପ ମୂରତି।

 

ଗୋପିକା ସଙ୍ଗେ ପ୍ରେମରେ କଲେ ଯେ ସୁରତି॥

।୨୨।

 

 

ଚଉଷଠି ବନ୍ଧ ଆଉ ବତିଶ ଲକ୍ଷଣେ।

 

ସୁରତି କରନ୍ତି କାହ୍ନୁ ଆନନ୍ଦିତ ମନେ॥

।୨୩।

ରତି ଶେଷେ ଦୁହେଂଯାକ ଶୋଇ ଯେ ପଡ଼ିଲେ।

 

ଦୀନମଣି ଅସ୍ତାଚଳେ ଗମନ କରିଲେ॥

।୨୪।

 

 

 

 

ରାତ୍ର ଦୁଇଘଡ଼ି କାଳ ହୁଅନ୍ତେଣ ଆସି।

 

ଗୋପିକାର ଶାଶୁ ତହିଂ ଆସିଲାକ ପଶି॥

।୨୫।

ଦେଖିଲାକ ଦୁଇ ଦ୍ୱାର ମେଲା ହୋଇଅଛି।

 

ବୋହୂ କେଣେ ଗଲା ବୋଲି ମନରେ ଭାବୁଛି॥

।୨୬।

 

 

ଘର ସବୁ ମେଲାଅଛି ବୋହୂ କାହିଂଗଲା।

 

ଏହା ଦେଖି ବୁଢ଼ୀ ମନେ ସନ୍ଦେହ ଲାଗିଲା॥

।୨୭।

ଘର ଭିତରେ ନିରେଖି ଚାହେଂ ସେହୁ ପୁଣି।

 

ଗମ୍ଭୀରା ଘରେ ଦେଖିଲା ବୋହୂ ଚକ୍ରପାଣି॥

।୨୮।

 

 

ବାରମ୍ବାର ତାହାକୁ ଯେ ସନ୍ଦେହ ଲାଗିଲା।

 

ପୁଣି ଦିହୁଡ଼ି ଲଗାଇ ନିରେଖି ଚାହିଂଲା॥

।୨୯।

ପୁଅ ମୋର ଘରେ ନାହିଂ ଏ କେଉଂ ଭବିଷ୍ୟ।

 

କହିଲେ କେହି ତ କେବେ ନ ଯିବେ ବିଶ୍ୱାସ॥

।୩୦।

 

 

ବାଳୁତ କୁମର ସିନା ନନ୍ଦର ନନ୍ଦନ।

 

କୋଟି କନ୍ଦର୍ପ ମୂରତି ହୋଇଲା କେସନ॥

।୩୧।

ଯାଉଛି ମୁଂ ଯଶୋଦାଙ୍କୁ ଡ଼ାକିଣ ଆଣିବି।

 

ଦେଖାଇ ଦୁହିଂଙ୍କ ଗର୍ବ ଚୁନା କରାଇବି॥

।୩୨।

 

 

 

 

ଏହା ଭାବି ବୁଢ଼ୀ ଖରତରେ ଚଳିଗଲା।

 

ନନ୍ଦର ମନ୍ଦିରେ ଯାଇ ପ୍ରବେଶ ହୋଇଲା॥

।୩୩।

ବୋଲନ୍ତି ଶୁଣ ଶୁଣ ଗୋ ଯଶୋବନ୍ତୀ ମାଏ।

 

ଶୁଣିବ ଆସ ଏଠାକୁ ଅପୂର୍ବ କଥାଏ॥

।୩୪।

 

 

ଯଶୋଦା ବୋଲନ୍ତି କି ଅପୂର୍ବ କଥା କହ।

 

ଏହା କହି ମନରୁ ମୋ ସଂଶୟ ଫିଟାଅ॥

।୩୫।

ଯଶୋଦାଙ୍କୁ ଚାହିଂ ବୁଢ଼ୀ ବୋଲଇ ବଚନ।

 

ଦେଖିବ ଆସ ଗୋ ପୁଣି ଆଶ୍ଚର୍ଯ୍ୟ ଘଟଣ॥

।୩୬।

 

 

ମାର୍ଜାର ମୂଷିକ କେଉଂଠାରେ ପ୍ରୀତି ହୁଏ।

 

ଦେଖିବ ଆସ ଗୋ ମାତା ଆମ୍ଭ ଗୃହ ଯାଏ॥

।୩୭।

ଏହା ଶୁଣି ଯଶୋବନ୍ତୀ ବେଗ ହୋଇ ଗଲେ।

 

ଗୋପୀର ଗୃହରେ ଯାଇ ପ୍ରବେଶ ହୋଇଲେ॥

।୩୮।

 

 

ମାୟାଧର ତାହା ଜାଣି ମାୟା ଆରମ୍ଭିଲେ।

 

ଗୋପିକାକୁ ମୂଷା କରି ମାର୍ଜାର ସେ ହେଲେ॥

।୩୯।

ଯଶୋଦା ଯେ ଗମ୍ଭୀରା ଦୁଆର ପାଶେ ଚାହେଂ।

 

ଶ୍ୱେତ ମୂଷା କଳା ମାର୍ଜାରର ପ୍ରୀତି ହୋଏ॥

।୪୦।

 

 

 

 

ରାଣୀ ଯଶୋବନ୍ତୀ ଦେଖି ଆଶ୍ଚର୍ଯ୍ୟ ଘଟଣ।

 

ଗୋପିକାକୁ ଡାକି ପୁଣି ବୋଲନ୍ତି ବଚନ॥

।୪୧।

ଆଉ ଗୋପୀ – ଗୋପାଳଙ୍କୁ ଡାକିଣ ଯେ ଆଣ।

 

ଦେଖନ୍ତୁ ଅଦ୍ଭୁତ କେବେ ଦେଖିନି ନୟେନ॥

।୪୨।

 

 

ତହୁଂ ବୁଢ଼ୀ ଖରତରେ ଗ୍ରାମରେ ପ୍ରବେଶ।

 

ଡାକଇ ଦେଖିବ ଯେବେ ବେଗହୋଇ ଆସ॥

।୪୩।

ତହୁଂ ଗୋପୀ ଗୋପାଳ ଯେ ବେଗହୋଇ ଆସି।

 

ଯଶୋଦାଙ୍କୁ ଚାହିଂ ପୁଣି ବଚନ ଯେ ଭାଷି॥

।୪୪।

 

 

ଯଶୋଦା ବୋଲନ୍ତି କେବେ ଶୁଣିନାହିଂ କାନ।

 

ମୂଷିକ ମାର୍ଜାର କେବେ ନଥିଲା ମିଳନ॥

।୪୫।

ଏହା ଶୁଣି ଗୋପୀ ଗୋପାଳ ଯେ ରୁଣ୍ଡହୋଇ।

 

ଦେଖୁଛନ୍ତି ଶ୍ୱେତ ମୂଷା କଳା ଯେ ବିଲାଇ॥

।୪୬।

 

 

ଗଡାଗଡି ପ୍ରେମ ଆଲିଙ୍ଗନ ବାରମ୍ବାର।

 

ଦେଖୁଛନ୍ତି ନରନାରୀ ହୋଇକରି ସ୍ଥିର॥

।୪୭।

କେତେକ ବେଳ ପର୍ଯ୍ୟନ୍ତ କୈାତୁକ ଲଗାଇ।

 

ମୂଷା ତା ଗର୍ତ୍ତରେ ପଶେ ମାର୍ଜାର ପଳାଇ॥

।୪୮।

 

 

 

 

ବୁଢ଼ୀ ଯାହା ଦେଖିଥିଲା ହେଲା ବିପରୀତ।

 

ରାଣୀଙ୍କୁ କହିବା କଥା ହୋଇଗଲା ସତ॥

।୪୯।

ଆଉ ବୁଢ଼ୀ ନ ସମ୍ଭାଳି କହେ ସେ ଚଳିଣ।

 

ଶୁଣ ଗୋ ଯଶୋଦା ରାଣୀ କହୁଛି ବଚନ॥

।୫୦।

 

 

ତୁମ୍ଭ ପୁତ୍ର ମୋର ବୋହୂ ଏକତ୍ର ଶୟନ।

 

ଦେଖି ତୁମ୍ଭ ନିକଟକୁ ଧାଇଂଲି ଯେ ପୁଣ॥

।୫୧।

ତୁମ୍ଭଙ୍କୁ କହିଲି ମୁହିଂ ବିପରୀତ କରି।

 

ଦେଖାଇବ ବୋଲି ଡାକି ଆଣିଲି ବିଚାରି॥

।୫୨।

 

 

ଏହି ସମୟରେ ରୋହିଣୀ ମାତାଙ୍କ ସଙ୍ଗତେ।

 

କୃଷ୍ଣ ବଳରାମ ଦୁହେଂ ଆସିଲେ ତୁରିତେ॥

।୫୩।

ଏଣେ ଗୋପିକାର ବୋହୂ ଜଳଧରି କରେ।

 

ଡାକଇ ଶାଶୁକୁ ଶ୍ରୀଘ୍ର ଜଳ ନିଅ ମୋରେ॥

।୫୪।

 

 

ଯଶୋଦା ବୋଲନ୍ତି ସର୍ବ ଗୋପୀ ଗୋପାଳଙ୍କୁ।

 

ଦେଖିଲଟି ସ୍ୱ- ଚକ୍ଷୁରେ ମୂଷା ବିରାଡିଙ୍କୁ॥

।୫୫।

ଏ ବୁଢ଼ୀ ଯେ ଚଳିହୋଇ କହୁଛି କିପରି।

 

ପୁତ୍ର ମୋର ଆସେ ରୋହିଣୀଙ୍କ କର ଧରି॥

।୫୬।

 

 

 

 

ବୋହୂ ତାର ଜଳ ଘେନି ଏହିଠାରେ ଅଛି।

 

କେମନ୍ତେ ଏ ଦୁହେଂ ମେଳ ହେଲେ କହ ବାଛି॥

।୫୭।

ତୁମ୍ଭେ ସର୍ବେ ନିଜେ ଆସି ଦେଖିଲ ଯେ ପୁଣ।

 

ଏ ବୁଢ଼ୀ କହୁଛି ମୋତେ କେମନ୍ତ ବଚନ॥

।୫୮।

 

 

ସମସ୍ତ ଗୋପୀ ଗୋପାଳ ମିଳିକରି ପୁଣି।

 

ବୁଢ଼ୀକୁ ଭର୍ତ୍ସନା କରି କହନ୍ତି ଯେ ବାଣୀ॥

।୫୯।

ବାଳୁତ ପୁତ୍ର ନାମରେ କହିଲୁ କେମନ୍ତ।

 

ଏହା କହିବାଟି ତୋର ନୁହଂଇ ଉଚିତ॥

।୬୦।

 

 

ଏପରି ତୁ ଅପବାଦ କେଭେଂ ଦେବୁ ନାହିଂ।

 

ଯଶୋଦାଙ୍କୁ ବୁଝାଇଣ କହନ୍ତି ସେ ଗୋଈ॥

।୬୧।

ଚାଲ ମାତ ନିଜ ଗୃହେ ଯିବା ଗୋ ବହନ।

 

ବୁଢ଼ୀର ହୋଇଅଛି ଯେ ମସ୍ତିଷ୍କ ବିଭ୍ରମ॥

।୬୨।

 

 

ଏହା କହି ସର୍ବ ଗୋପୀ ଗୋପାଳ ଯେ ଗଲେ।

 

ଯଶୋଦା ରୋହିଣୀ ପୁଏ କାଖ ହୋଇ ଚାଲେ॥

।୬୩।

ନିଜ ଗୃହେ ଚଳିଲେ ସେ ନନ୍ଦର ଘରଣୀ।

 

ପୁଅକୁ କି ପଡ଼ିଥିଲା ପ୍ରମାଦ ଯେ ପୁଣି॥

।୬୪।

 

 

 

 

ସର୍ବ ଗୋପୀ ଗୋପାଳ ଯେ ହରଷେ ଚଳିଲେ।

 

ରାଧାକୃଷ୍ଣ ରସ ଗୀତେ ଅଚ୍ୟୁତ ଭଣିଲେ॥

।୬୫।

ଶୁଣିଲ ତ ସଭାଜନେ ପଚାରିବା କଥା।

 

ମୂଷିକ ମାର୍ଜାର ରୂପେ ବିଚିତ୍ର ବାରତା॥

।୬୬।

 

 

ଗୋପାଳଙ୍କ ହିତେ ଗୀତେ କହିଲି ମୁଂ ଯାହା।

 

ଜଗତ ଜନଙ୍କ ପାଇଂ ଅମୃତଟି ଏହା॥

।୬୭।

 

ଓଗାଳ – ୮

ଅଗ୍ନି ଉତ୍ସବ

ସମସ୍ତ ଗୋପାଳଙ୍କୁ ମୋହର ନମସ୍କାର।

 

ସଭା ମଞ୍ଚ ସ୍ଥାନ ଦେଖି ପୁରୁଛି ଅନ୍ତର॥

।୧।

ବହୁଦିନ କଥା ମନେ ପଡ଼ିଲାରେ ଭାଇ।

 

ପଥ ପରିଶ୍ରମ କରି ଆସିଅଛୁ ତୁହି॥

।୨।

ବହୁଦିନ କଥା ନୁହେଂ ମାସେ ପୂର୍ବ ହୁଏ।

 

ନ ବୁଝିଲା ଲୋକଙ୍କୁ ସେ ଲାଗେ ଦୂର ପ୍ରାୟେ॥

।୩।

ଆମ୍ଭେମାନେ ମାଘ ପୂର୍ଣ୍ଣିମାରେ ଏକ ହୋଇ।

 

ଅଗ୍ନି ପୂଜା କରୁ ସର୍ବେ ଆନନ୍ଦିତ ହୋଇ॥

।୪।

 

 

କାହିଂକି ଅଗ୍ନି ଉତ୍ସବ କରନ୍ତି ହେ ଭାଇ।

 

ଆମ୍ଭେ ଆଦ୍ୟ ପୂଜା ବୋଲି କହୁ ସର୍ବ ଠାଇଂ॥

।୫।

ସମସ୍ତ ଯାଗାରେ ନର ନାରୀମାନେ ମିଳି।

 

ଅଗ୍ନି ପୂଜା କରୁଥାନ୍ତି ଦେଇ କରତାଳି॥

।୬।

 

 

କେ ମୃଦଙ୍ଗ ବଜାଇଣ ଅଗ୍ନି ଚାରିପାଖେ।

 

ହରିବୋଲ ହୁଳହୁଳି ଦିଅନ୍ତି ଯେ ମୁଖେ॥

।୭।

କେ ଅଗ୍ନିରେ କ୍ଷୀର ଦେଇ କରୁଥାନ୍ତି ଶାନ୍ତି।

 

କେହୁ ଅବା ଦଧି ଘୃତ ମିଶାଇ ଦିଅନ୍ତି॥

।୮।

କେଉଂ ସ୍ଥାନେ ନାରିକେଳ ପୋଡ଼ନ୍ତି କେ ଭାଇ।

 

କେଉଂ ସ୍ଥାନେ ଭୋଗମାନ ଦିଅନ୍ତି ସେ ନେଇ॥

।୯।

ଏହିପରି ଯିଏ ଯେଉଂ ସ୍ଥାନରେ କରନ୍ତି।

 

ଶାନ୍ତ ହୁଅ ବୋଲି ଅଗ୍ନିଦେବଙ୍କୁ ଜଣାନ୍ତି॥

।୧୦।

ପୁଣି କିମ୍ପା ଦୋଳ ପୂର୍ଣ୍ଣମୀରେ ସେହିପରି।

 

ମେଣ୍ଡା କୁଡ଼ିଆ କରିଣ ଅଗ୍ନି ଦ୍ୟନ୍ତି ଭରି

।୧୧।

ଅଗ୍ନି ଲାଗିକରି ଯହୁଂ ଜଳେ ଉଂଚା ହୋଇ।

 

ତହିଂପରି ଗୁଆ ଘୃତ ଢାଳନ୍ତି ଯେ ନେଇ॥

।୧୨।

ଆଜିଠାରୁ ଶାନ୍ତ ହୁଅ ଅଗ୍ନିଦେବ କହି।

 

କେତେ ଭକ୍ତି ସ୍ତୁତି ଲୋକେ କରନ୍ତି ଯେ ଯାଇ॥

।୧୩।

ଅଗ୍ନିଦେବ ଶାନ୍ତ ଯହୁଂ ହୁଅନ୍ତି ରେ ଭାଇ।

 

ତେବେ ରାଧା କୃଷ୍ଣ ଦୋଳ ମଣ୍ଡପେ ଝୁଲାଇ॥

।୧୪।

ମେଣ୍ଡା କୁଡ଼ିଆ ପୋଡ଼ିଣ କାହିଂକି ଏଠାଇଂ।

 

ଝୁଲଣକୁ ନ ଯାଆନ୍ତି ନନ୍ଦର କହ୍ନାଇ॥

।୧୫।

ଏତକ ବିଚାରି ମୋତେ କୁହ ଫେଡ଼ିକରି ।

 

ଅଚ୍ୟୁତ ବୋଲନ୍ତି ବେଳ ହେଉଅଛି ଡେରି॥

।୧୬।

ଉତ୍ତାର

ଶୁଣ ହେ ପାଗଳ ଭାଇ ପଚାରିଲ ଯାହା।

 

ଇଷ୍ଟଗୁରୁ ସୁମରିଣ କହୁଅଛି ତାହା॥

।୧।

ଏକଦିନେ କୃଷ୍ଣଚନ୍ଦ୍ର ଚନ୍ଦ୍ରାବଳୀ ସଙ୍ଗେ।

 

ସଙ୍କେତ ଦେଇଣ କହିଥିଲେ ନାନା ରଙ୍ଗେ॥

।୨।

 

 

କଣ୍ଟ ଦେଇ କୃଷ୍ଣଚନ୍ଦ୍ର ଅଇଲେ ବାହାରି।

 

ବନେ ବନେ ଭ୍ରମଣ କରନ୍ତି ବଂଶିଧାରୀ॥

।୩।

ସୂର୍ଯ୍ୟ ପୂଜାକରି ବସିଥିଲା ଚାରୁବାଳା।

 

ରୈାଦ୍ରରେ ଚାଲି ନପାରି ଆକୁଳ ହୋଇଲା॥

।୪।

 

 

କୃଷ୍ଣ କୃଷ୍ଣ ଭାବି ଭାବି ରାଈ ବିନୋଦିନୀ।

 

ଅସ୍ତବ୍ୟସ୍ତ ହୁଅନ୍ତି ଯେ କୀର୍ତ୍ତିଦା ନନ୍ଦିନୀ॥

।୫।

ସଖୀମାନଙ୍କୁ ଛାଡ଼ିଣ ପାଗଳ ପରାଏ।

 

ଦାସ କବରୀ ଫିଟିଣ ତଳେ ଲୋଟିଯାଏ॥

।୬।

 

 

ରାଧାଙ୍କ ଉତ୍କଣ୍ଠା ଦେଖି ତହିଂ ସଖୀଗଣ।

 

ତୁଳସୀଙ୍କ ନିକଟକୁ ଚଳିଲେ ବହନ॥

।୭।

ତୁଳସୀ ଆଗରେ ଯାଇଂ ସମସ୍ତ କହିଲେ।

 

ଶୁଣିକରି ତୁଳସୀ ଯେ କୃଷ୍ଣ ପାଶେ ଗଲେ॥

।୮।

 

 

କେଳି କଦମ୍ବ ମୂଳରେ କୃଷ୍ଣଙ୍କୁ ଦେଖିଣ।

 

କହୁଛନ୍ତି ରାଧା ତୁମ୍ଭ ଲାଗି ହେ ମୋହନ॥

।୯।

ବାତୁଳ ପରାଏ ହୋଇ ଖୋଜନ୍ତି ତୁମ୍ଭଙ୍କୁ।

 

କି କରିବା କହ ଶ୍ୟାମବନ୍ଧୁ ହେ ଆମ୍ଭକୁ ॥

।୧୦।

 

 

ଶୁଣି କହନ୍ତି ଶ୍ରୀହରି ତୁଳସୀଙ୍କୁ ଭାବି।

 

ନିଭୃତ କୁଞ୍ଜରେ ସଖୀ ଜାଣ ମୁହିଂ ଥିବି॥

।୧୧।

ଯାଅ ବେଗେ ଧନୀକି ମୋ ଆଣିବ ସେଠାକୁ।

 

ନିଶ୍ଚୟ ଭେଟ ହୋଇବ କହିବ ରାଧାଙ୍କୁ॥

।୧୨।

 

 

ଶୁଣିକରି ତୁଳସୀ ଯେ ବେଗହୋଇ ଗଲେ।

 

ଗୋପୀଙ୍କର ପାଶେ ସର୍ବ ବୃତ୍ତାନ୍ତ କହିଲେ॥

।୧୩।

ସର୍ବ ସଖୀ ମିଳି ଯାଇ ରାଧାଙ୍କ ନିକଟେ।

 

ବୋଲନ୍ତି ଆସ ଗୋ ରାଧେ ନିଭୃତ କଟକେ॥

।୧୪।

 

 

ଶ୍ୟାମବନ୍ଧୁ ଚାହିଂ ବସିଅଛନ୍ତି ଯେ ବାଟ।

 

ତାଙ୍କ ସଙ୍ଗେ ତୁମ୍ଭଙ୍କୁ ଗୋ କରାଇବୁ ଭେଟ॥

।୧୫।

ଚିତ୍ରା କୁଞ୍ଜେ ସମସ୍ତେ ଯେ ହୋଇଲେ ମିଳନ।

 

ହାସ ପରିହାସ କରି ତୃପ୍ତ କଲେ ମନ॥

।୧୬।

 

 

ପଶା ଖେଳ ଆରମ୍ଭ କରିଣ ସର୍ବେ ମିଳି।

 

ପଶା ପକାଇଲେ ସର୍ବେ ହୋଇ ଏକ ମେଳି॥

।୧୭।

ଏଣେ ଚନ୍ଦ୍ରାବଳୀ ବେଶ ହୋଇ ପଦ୍ମ କୁଞ୍ଜେ।

 

ଆସିବେ ବୋଲିଣ କୃଷ୍ଣ ମନେ ମନେ ସାଜେ॥

।୧୮।

 

 

କଣ୍ଟ ଦେଇ ନ ଆସିଲେ ଭଣ୍ଡ ନଟବର।

 

ମାତ୍ର ରହିଲେ କି ଆଉ ରାଧିକା ସଙ୍ଗର॥

।୧୯।

ଚାଲ ସଖୀ ଦେଖିବା ଗୋ କୁଞ୍ଜବନେ ଯାଇ।

 

ବେଶଭୂଷା ଓହ୍ଳାଇଣ ଦେଲେ ବେଗେ ଫେଇ॥

।୨୦।

 

 

ବେଶଭୂଷା ଫିଙ୍ଗିଦେଇ କ୍ରୋଧରେ ଅଇଲେ।

 

ଚିତ୍ରା କୁଞ୍ଜ ନିକଟରେ ଯାଇଣ ମିଳିଲେ॥

।୨୧।

ପଶା ଖେଳୁଛନ୍ତି ବସି ରାଈ ନଟବର।

 

ନିଶ୍ଚୟ ରାଧାଙ୍କ ଗର୍ବ ଭାଙ୍ଗିବି ନିକର॥

।୨୨।

 

 

ପଦ୍ମାକୁ ଡ଼ାକିଣ କହେ ଶୁଣ ସହଚରୀ।

 

ଜଟିଳା କୁଟିଳାକୁ ଗୋ ଆଣ ବେଗକରି॥

।୨୩।

ଶୁଣିକରି ସଖୀ ତହୁଂ ବେଗହୋଇ ଗଲେ।

 

ଜଟିଳ ନିକଟେ ଯାଇଂ ପ୍ରବେଶ ହୋଇଲେ॥

।୨୪।

 

 

 

 

ଜଟିଳା ବୋଲନ୍ତି କେଣେ ଅଇଲୁ ଗୁଆଳୀ।

 

ମନରୁ ସଂଶୟ ମୋର ତୁଟାଅ ଗୋ ବାଳୀ॥

।୨୫।

ପଦ୍ମା କହେ ଶୁଣ ମାତା ବଧୂ ଯେ ତୁମ୍ଭର।

 

ଚିତ୍ରା କୁଞ୍ଜେ ପଶା ଖେଳେ କୃଷ୍ଣ ସଙ୍ଗତର॥

।୨୬।

 

 

ଦେଖି ଧାଇଂ ଆସିଅଛି ତୁମ୍ଭ ନିକଟକୁ।

 

ତୁମ୍ଭ ବଧୁ ସତୀ ବୋଲି କୁହ ଯେ ଆମ୍ଭଙ୍କୁ॥

।୨୭।

ସତୀପଣ ଦେଖ ଯାଇଂ ଚିତ୍ରାଙ୍କ କୁଞ୍ଜରେ ।

 

ଏହା ଶୁଣି ଜଟିଳା ଯେ କୁହଇ ପଦ୍ମାରେ॥

।୨୮।

 

 

ବଧୂ ମୋର ସୂର୍ଯ୍ୟପୁଜା କରିବାର ପାଇଂ।

 

ସଖୀମାନଙ୍କର ସଙ୍ଗେ ଗଲେ ବେଗ ହୋଇ॥

।୨୯।

ପଦ୍ମା କହେ ସୂର୍ଯ୍ୟ ପୂଜା ସାରି ନବବାଳୀ।

 

କ୍ରୀଡ଼ା କରୁଛନ୍ତି କୃଷ୍ଣ ହୋଇ ଏକମେଳି॥

।୩୦।

 

 

ଦେଖିବ ଯେବେ ଗୋ ତୁମ୍ଭେ ଆସ ସଙ୍ଗେ ମୋର।

 

ଦେଖିଲେ ମନୁ ସଂଶୟ ତୁଟିବ ତୁମ୍ଭର॥

।୩୧।

ଏହା ଶୁଣି ବୁଢ଼ୀ ତହୁଂ ହୋଇ ତରତର।

 

ବାଡ଼ି ଧରି ପଦ୍ମା ସଙ୍ଗେ ଗଲେ ଖରତର

।୩୨।

 

 

 

 

ଯାଇ ପହଞ୍ଚିଲେ କୁଞ୍ଜ ଅଳ୍ପ ଦୂର ଅଛି।

 

ସେହି ସ୍ଥାନେ ନାନ୍ଦିମୁଖୀ ସଖୀ ଜଗିଅଛି॥

।୩୩।

ନାନ୍ଦିମୁଖୀ ଜାଣିପାରି ସୁମରେ କୃଷ୍ଣଙ୍କୁ।

 

ବିପଦ ପଡ଼ିଲା ଆଜି ନିଶ୍ଚୟ ରାଧାଙ୍କୁ॥

।୩୪।

 

 

ବୋଲେ ନାନ୍ଦିମୁଖୀ ପ୍ରଭୁ ରକ୍ଷାକର ଏଥି।

 

ନୋହିଲେ ଜଟିଳା ନିଶ୍ଚେ କରିବ ଅନୀତି॥

।୩୫।

ଜଟିଳାଙ୍କୁ ଦେଖି ବନ ପଶୁ ପକ୍ଷୀ ବୃନ୍ଦ।

 

ରାବ ଦେଲେ ଉଚ୍ଚସ୍ୱରେ ହେଲା ପରମାଦ॥

।୩୬।

 

 

ଉଚ୍ଚେ ଡାକ ଦେଲେ ଆସି ଚନ୍ଦ୍ରସେଣା ମାତା।

 

ଶୁଣି ବୃନ୍ଦାବତୀ କହେ ଶୁଣ ଗୋ ଲଳିତା॥

।୩୭।

ଜଟିଳା ଆସୁଛି ଆମ୍ଭ ରାଈ ଅନ୍ବେଷଣେ।

 

କି ଉପାୟେ ଏଥୁଂ ରକ୍ଷା ହେବା ଆମ୍ଭେମାନେ॥

।୩୮।

 

 

ଏତେ ଭାଳି ଅଗ୍ନି ଦେବତାଙ୍କୁ ସୁମରିଣ।

 

ଏହି ବନ ଅତି ଶୀଘ୍ର କର ହେ ଦହନ॥

।୩୯।

ଚାହୁଂ ଚାହୁଂ ଅଗ୍ନି ବେଗେ ଜଳି ଯେ ଉଠିଲା।

 

ବୁଢ଼ୀ ଦେଖିକରି ପୁଣି ଚମକି ପଡ଼ିଲା॥

।୪୦।

 

 

 

 

ଚାହୁଂ ଚାହୁଂ ଅଗ୍ନି ଚାରି ପାଖେ ଲାଗିଗଲା।

 

ଜଟିଳା ଭାଳଇ ମନେ କି ଦଣ୍ଡ ପଡ଼ିଲା॥

।୪୧।

ମିଛରେ ମୋତେ ଏଠାକୁ ଆଣିଲା କିମ୍ପାଇଂ।

 

ଏତେ କହି ବାଡ଼ି ଧରି ଏଣେତେଣେ ଚାହିଂ॥

।୪୨।

 

 

ନାନ୍ଦିମୁଖୀ କହେ ମାତା ମୋ କଥା ନ ମାନି।

 

ଆସିଅଛ ଯେ କାରଣୁଂ ଭୋଗିବ ଏକ୍ଷଣି॥

।୪୩।

ଯେଉଂଆଡ଼େ ଚାଲେ ବୁଢ଼ୀ ଦେଖେ ଦାବାନଳ।

 

ହୁତାଶନ ଜଳିଉଠେ ହୋଇ କୋପାନଳ॥

।୪୪।

 

 

ଚାହୁଂ ଚାହୁଂ ଅଗ୍ନି ବୁଢ଼ୀ ଚାରିପାଶେ ଯାଇ।

 

ଉପାୟ ନ ଦେଖି ବୁଢ଼ୀ ରୋଦନ କରଇ॥

।୪୫।

ଏ ସମୟେ ନାନ୍ଦମୁଖୀ କହେ ଆଗୋ ଆଈ।

 

ଅସତୀ ବୋଲି ତୋ ବଧୂ ଆସିଥିଲ ଧାଇଂ॥

।୪୬।

 

 

ଯେବେ ତ୍ରିଭୁବନେ ତୋର ବଧୂ ଥିବ ସତୀ।

 

ଏହିକ୍ଷଣି ଦାବାନଳ ହୋଇଯିବ ଶାନ୍ତି॥

।୪୭।

ଏହା ଶୁଣି ବୁଢ଼ୀ ତାର ବଧୂକୁ ପ୍ରଶଂସେ।

 

ଦେଖେ ଅଗ୍ନି ବ୍ରଜେ ଶାନ୍ତହୋଇ ଆସେ॥

।୪୮।

 

 

 

 

ଏଣେ ଛାଡ଼ି ତେଣେ ଅଗ୍ନି ଜଳେ ପରଖରେ।

 

ଧେନୁ ବତ୍ସା ସଖା ସର୍ବ ଥିଲେ ବନସ୍ତରେ॥

।୪୯।

ସୁଦାମ ସୁବଳ ଆଦି ସର୍ବେ ମିଳିକରି।

 

ବତ୍ସା ରଖି ଖେଳୁଥିଲେ ହୋଇ କୈାତୁହଳୀ॥

।୫୦।

 

 

ଅଗ୍ନି ତେଜ ଦେଖି ସର୍ବେ ମନେ ଭୟ କଲେ।

 

ନିଶ୍ଚୟ ମରିବୁଂ ଭାବି କୃଷ୍ଣଙ୍କୁ ଡ଼ାକିଲେ॥

।୫୧।

ଆମ୍ଭ ପ୍ରାଣ ଗଲା ରଖ ହେ କଳା କହ୍ନାଇ।

 

ପଶା ଖେଳ ଛାଡ଼ି ପ୍ରଭୁ ଦେଲେ ପଛେ ଚାହିଂ॥

।୫୨।

 

 

ଅଗ୍ନି ପ୍ରବଳ ହୋଇଲା ରଖିବା ତ ନାହିଂ।

 

କେମନ୍ତେ ଏ ଅଗ୍ନିରୁ ମୁଂ ଉଦ୍ଧାର କରଇ॥

।୫୩।

ଏହା ଭାବି ଧାଇଂଗଲେ ବନସ୍ତ ଭିତରେ।

 

ଧେନୁବତ୍ସା ସହ ସଖା ଥିଲେ ଯେଉଂ ଠାରେ॥

।୫୪।

 

 

ଏଣେ ରାଧା ସଖୀ ସହ ଗୃହେ ଗଲେ ଚଳି।

 

ଜଟିଳା ସେ ବନେ ଥାଇ ହେଉଅଛି ଭାଳି॥

।୫୫।

କୃଷ୍ଣଙ୍କୁ ଦେଖନ୍ତେ ସଖାମାନେ ଆନନ୍ଦିତ।

 

ରକ୍ଷା କର ରକ୍ଷା କର ଡାକନ୍ତି ସମସ୍ତ॥

।୫୬।

 

 

 

 

ଶ୍ରୀକୃଷ୍ଣ କହନ୍ତି ଅଗ୍ନି ଦେବ ଶାନ୍ତ ହୁଅ।

 

ତୋ ଗର୍ଭ ପୂର୍ଣ୍ଣ କରିବି କହୁଛି ନିଶ୍ଚୟ॥

।୫୭।

ଶୁଣିକରି ବୈଶ୍ୱାନର ସାନ୍ତ୍ବନା ଧଇଲେ।

 

କୃଷ୍ଣଚନ୍ଦ୍ର ସେହିଠାରେ ତାଙ୍କୁ ବର ଦେଲେ॥

।୫୮।

 

 

ଏ ବୈଶାଖ ମାସ ପୂର୍ବେ କିଛି ମାସ ଥିବ।

 

ମାଘ ପୂର୍ଣ୍ଣମୀ ଜାଣିଥା ସତ୍ୱରେ ହୋଇବ॥

।୫୯।

ଯେତେ ନର ନାରୀ ଛନ୍ତି ପୂଜିବେ ସେଦିନ।

 

ଅଗ୍ନି ଉତ୍ସବ କରିବେ ହୋଇ ଖୁସି ମନ॥

।୬୦।

 

 

ସେହିଦିନ ପରେ ଜାଣ ଦୋଳ ପୂର୍ଣ୍ଣିମୀରେ।

 

ମେଣ୍ଢା କୁଡ଼ିଆ କରିଣ ଜାଳି ଆନନ୍ଦରେ॥

।୬୧।

ଖାଦ୍ୟ ସାମଗ୍ରୀ ସମସ୍ତ ମଗାଇ ତାହାର।

 

ସନ୍ତୋଷ କରି ପୂଜିବେ ସର୍ବ ନାରୀ ନର॥

।୬୨।

 

 

ଶାନ୍ତ ହୋଇଯିବ ତୁମ୍ଭେ ତୁମ୍ଭର ପୁରକୁ।

 

ତେବେ ନିଶ୍ଚେ ଯିବି ଜାଣ ଦୋଳ ମଣ୍ଡପକୁ॥

।୬୩।

ଜାଣିଥିବ ଭାଇ ମେଣ୍ଢା କୁଡ଼ିଆ ପୋଡ଼ିଲେ।

 

ରାଧାକୃଷ୍ଣଙ୍କୁ ବସାନ୍ତି ଦୋଳ ମଣ୍ଡପରେ॥

।୬୪।

 

 

 

 

କୃଷ୍ଣଠାରୁ ଶୁଣି ଅଗ୍ନିଦେବ ଶାନ୍ତ ହେଲେ।

 

ସର୍ବ ସଖାବୃନ୍ଦ ତହୁଂ ରକ୍ଷା ଯେ ପାଇଲେ॥

।୬୫।

ଜଟିଳା ବୁଢ଼ୀ ଦେଖିଣ ସାହସ ଧଇଲା।

 

ପ୍ରଣାମ କରିଣ ବୁଢ଼ୀ ଚଳିଣ ଅଇଲା॥

।୬୬।

 

 

ସେହିଦିନୁଂ ଗୋପବାଳ ସର୍ବେ ଶାନ୍ତ ହେଲେ।

 

ନିଜ ନିଜ ଗୃହେ ମିଳି ସୁଖରେ ରହିଲେ॥

।୬୭।

ଏହିପରି କହିଥିଲେ କହୁଥିବି ଭାଇ।

 

ରାଧାକୃଷ୍ଣ ପ୍ରେମ ଗୀତେ ଅଚ୍ୟୁତ ଲେଖଇ॥

।୬୮।

 

ଓଗାଳ – ୯

ପଞ୍ଜସଖା ଜନ୍ମ

ଶୁଣ ଶୁଣ ଆହେ ଭାଇ ମନ କରି ସ୍ଥିର।

 

ଆଉ ଏକ କଥା ଗୋଟି ପଡିଲା ମନର॥

।୧।

ପଞ୍ଚସଖା ଜନ୍ମ କାହୁଂ ହୋଇଲା ହେ ଭାଇ।

 

ଏହାର ଚରିତ ମୋତେ ଦେବଟି ବୁଝାଇ।

।୨।

କେଉଂ ଯୁଗେ କେଉଂ ଅବତାର ହେଲେ ସେହି।

 

ଗୋଟି ଗୋଟି କରି ତାହା କହିବରେ ଭାଇ॥

।୩।

ସତ୍ୟ ତ୍ରେତା ଅନ୍ତେ ପୁଣି ଦ୍ୱାପର ଯେ କଳି।

 

ପଞ୍ଚସଖାଙ୍କର ଜନ୍ମ କହିବ ଯେ ଭାଳି॥

।୪।

ସଭାଜନମାନେ ଏହା ଶୁଣି ହେବ ତୋଷ।

 

ଗୀତରେ ଭଣିଲେ ଏହା ଯେ ଅଚ୍ୟୁତ ଦାସ॥

।୫।

ଉତ୍ତାର

ଗୋପାଳ ଭାଇଏ ଶୁଣ ଦେଇ ମନକର୍ଣ୍ଣ।

 

ପଞ୍ଚସଖା ଜନ୍ମକଥା କରିବି ଗାୟନ॥

।୧।

ସଦ୍‌ଗୁରୁ ସୁଦୟାରୁ ଯାହା ଜାଣେ ମୁହିଂ

 

ସ୍ଥିରହୋଇ ଶୁଣ ସର୍ବେ ଦେଉଛି ବୁଝାଇ।।

।୨।

 

 

ଅନନ୍ତ ଯୁଗ ଯେ ଭାଇ ଆଦ୍ୟରେ ହୋଇଲା।

 

କୃଷ୍ଣ କଳ୍ପନାରୁ ପଞ୍ଚସଖା ଜନ୍ମ ହେଲା।।

।୩।

ରାଧାକୃଷ୍ଣ ଲୀଳା କଥା ପ୍ରକାଶିବା ପାଇଂ।

 

ଜନମ ହୋଇଲେ ପଞ୍ଚସଖା ରୂପେ ତହିଂ।।

।୪।

 

 

ଶୀଦାମ ସୁଦାମ ବସୁଦାମ ଆଉ ନନ୍ଦ।

 

ନିତ୍ୟ ଗୋଲୋକରେ ଜନ୍ମ ହେଲେ ଯେ ସୁନନ୍ଦ।।

।୫।

ଏହିପରି କୃଷ୍ଣ ସଙ୍ଗେ ଆନନ୍ଦେ ରହିଲେ।

 

ସତ୍ୟଯୁଗ ପ୍ରବେଶନ୍ତେ ପୁଣି ଜନ୍ମ ହେଲେ।।

।୬।

 

 

ଆଦି ଅନନ୍ତ ଲୀଳା ଏ ଶୁଣ ଆହେ ବାବୁ।

 

ଗୁପ୍ତ ଲୀଳାମାନ ଏବେ କହିଦେଲି ସବୁ।।

।୭।

ଅନନ୍ତ ଯୁଗେଟି ଜାଣ ଭାଇ ଯେ ଗୋପାଳ।

 

ପଞ୍ଚସଖା ତହିଂ ପୁଣ ଗୋଲୋକରେ ମେଳ।।

।୮।

 

 

ସତ୍ୟଯୁଗେ ଜାଣ ଭାଇ ବ୍ରାହ୍ମଣ ଅଟଇ।

 

କ୍ଷତ୍ରିୟ ଜନମ ତ୍ରେତା ଯୁଗକୁ ଯେ କହି।।

।୯।

କଳିଯୁଗ ଗୋଟି ଜାଣ ଶୁଦ୍ର ଜନ୍ମ ହୋଇ।

 

ଆଦି ଅନନ୍ତଙ୍କ ଯୁଗ ଶେଷରେଟି ଭାଇ।।

।୧୦।

 

 

ସତ୍ୟ ପ୍ରବେଶ ଯେ ହେଲା ଶୁଣ ମନ ଦେଇ।

 

ପ୍ରଭୁ ଜନମ ହୋଇଲେ ବ୍ରାହ୍ମଣ ଯେ ହୋଇ।।

।୧୧।

ପଞ୍ଚସଖାମାନେ ଋଷି ତନୁକୁ ବହିଲେ।

 

ମାରକଣ୍ଡ କୃପାଜଳ ଗାର୍ଗବ ଯେ ହେଲେ।।

।୧୨।

 

 

ସ୍ୱୟମ୍ଭୁ ନାରଦ ମିଶି ପଞ୍ଚଋଷି ହୋଇ।

 

ଏହି ପଞ୍ଚସଖା ସତ୍ୟ ଯୁଗରେଟି ଭାଇ।।

।୧୩।

ଶ୍ରୀରାମଙ୍କ ଜନ୍ମ ତ୍ରେତା ଯୁଗରେ ଯେ ଜାଣ।

 

ପଞ୍ଚସଖା ହେଲେ ଜନ୍ମ କହୁଅଛି ଶୁଣ।।

।୧୪।

 

 

ନଳ ନୀଳ ସୁଷେଣ ଯେ ଜନମ ହୋଇଲେ।

 

କାମ୍ୱବ ହନୁକୁ ଘେନି ପାଞ୍ଚଜଣ ହେଲେ।।

।୧୫।

ଦ୍ୱାପର ଲୀଳାର କଥା ଶୁଣ ମନ ଦେଇ।

 

ସୁବଳ ସୁବାହୁ ଦାମ ସୁଦାମ ବୋଲାଇ।।

।୧୬।

 

 

ଶ୍ରୀବତ୍ସକୁ ଘେନି ଆମ୍ଭେ ପଞ୍ଚସଖା ଜନ୍ମ।

 

ଦ୍ୱାପର ଲୀଳାର ଏହା କରିଲି ପ୍ରମାଣ।।

।୧୭।

ଦ୍ୱାପର ଯାଇଣ ପୁଣି କଳି ଯେ ହୋଇଲା।

 

ତେଣୁ ପଞ୍ଚସଖାଙ୍କର ରୂପ ବଦଳିଲା।।

।୧୮।

 

 

 

 

ଅନନ୍ତ ଅଚ୍ୟୁତ ନାମ ବହିଲୁ ଯେ ପୁଣି।

 

ଜଗନ୍ନାଥ ଯଶୋବନ୍ତ ବଳରାମ ଘେନି।।

।୧୯।

ପଞ୍ଚସଖା କଥା ଗୋଟି ଦେଲିଟି ବୁଝାଇ।

 

ହେଲା ନ ହେଲାକୁ ଦୋଷ ଦେବନି ହେ ଭାଇ।।

।୨୦।

 

 

ପାମର ଅଚ୍ୟୁତ ହେଜି କହିଲା ଏ କଥା।

 

ଜଗନ୍ନାଥ ତତ୍ତ୍ୱ କହି କିଏ ସମରଥା।।

।୨୧।

 

ଓଗାଳ –୧୦

ଶୁଣ ଣୁଣ ଭାଇମାନେ କୃଷ୍ଣ ରସ ଗୀତ।

 

ଜାଣିବାକୁ ମନ ମୋର ହେଉଛି ଆରତ।।

।୧।

ସଦଗୁରୁ ସେବିଥିଲେ ଓଗାଳ ଫେଇବୁ।

 

ନ ହେଲେ ଭାଇରେ ଏହି ସଭା ଛାଡ଼ିଯିବୁ।।

।୨।

ଏକଦିନେ ଗୋପୀନାଥ ନିର୍ଜନରେ ବସି।

 

ଗୋପପୁର କଥାକୁ ଯେ ମନରେ ପ୍ରକାଶି।।

।୩।

କି କୁହୁକ ବଳେ ମୁହିଂ ରହିଲି ଦ୍ୱାରିକା।

 

ସଖା ଗୋପୀ କଥା ମନେ ପଡ଼ୁଅଛି ଏକା।।

।୪।

ସୁଦାମା ସୁବଳ ମଧୁମଙ୍ଗଳ ଯେ ସଖା।

 

ସର୍ବ ଗୋପୀ ଗୋପାଳ ଯେ ଖେଳୁଥିବେ ଏକା॥

।୫।

ସେ ସମୟେ ନାରଦ ଯେ ବୀଣାବାଦ୍ୟ କରି।

 

ପ୍ରବେଶ ହୋଇଲେ ଯାଇ ଦ୍ୱାରିକା ନଗରୀ॥

।୬।

ନାରଦକୁ ଦେଖି କୃଷ୍ଣ ବୋଲନ୍ତି ବଚନ।

 

କି କାରଣେ ମହାମୁନି ହେଲା ଆଗମନ॥

।୭।

ଶ୍ରୀକୃଷ୍ଣଙ୍କ ବାଣୀ ଶୁଣି ବ୍ରହ୍ମାଙ୍କ ସନ୍ତତି।

 

କହନ୍ତି ଦୁଃଖ ନକର ଆହେ ଯଦୁପତି॥

।୮।

ପଡ଼ୁଅଛି ମନେ ତୁମ ଆଜି ଯେ ସକଳ।

 

କେମନ୍ତ ଭେଟ ହୋଇବ ମୋର ସଖାକୁଳ॥

।୯।

ବହୁଦିନୁଂ ହେବ ଗୋପ ଛାଡ଼ି ଆସିଲିଣି।

 

ଗୋପୀମାନେ ସେହିଦିନୁଂ କାନ୍ଦୁଥିବେ ପୁଣି॥

।୧୦।

 

 

ନାଚି ନାଚି କହୁଛନ୍ତି ବ୍ରହ୍ମାଙ୍କ ନନ୍ଦନ।

 

ପ୍ରଭାସ ଯଜ୍ଞ ପ୍ରଭୁ ହେ କର ଆୟୋଜନ॥

।୧୧।

ତ୍ରିଭୁବନ ନିମନ୍ତ୍ରଣ କରିବା ଏଥିରେ।

 

କୁମାର ଶାମ୍ବ ଯାଆନ୍ତୁ ଦେବଲୋକ ପୁରେ॥

।୧୨।

 

 

ଆଉ ଏକ କଥା ଗୋଟି ବାସୁଦେବ ଶୁଣ।

 

ନାଗଲୋକଙ୍କୁ ଯାଆନ୍ତୁ ସାତ୍ୟକି ଯେ ପୁଣ॥

।୧୩।

ଅବଶିଷ୍ଟ ମର୍ତ୍ତ୍ୟ କାର୍ଯ୍ୟ କିଏ ସେ କରିବ।

 

ଶ୍ରୀକୃଷ୍ଣ ବୋଲନ୍ତି ମୁନି ତୁମ୍ଭେ ଚଳାଇବ॥

।୧୪।

 

 

ବଳଦେବ ଭୃତ୍ୟଙ୍କୁ ଯେ ସଙ୍ଗତରେ ନେଇ।

 

ପୂଜା ଦ୍ରବ୍ୟମାନ ସବୁ ଆଣିଲେକ ଯାଇ॥

।୧୫।

ଦେଖି ନାରଦ ଯେ ତାହା ଆନନ୍ଦ ହୋଇଲେ।

 

ଯେ ଯାହା ଭାର ଆଣିଲେ ସବୁ ଠୁଳ କଲେ॥

।୧୬।

 

 

ତାପରେ ନାରଦ ଗୋପେ ପ୍ରବେଶିଲେ ଯାଇଂ।

 

ବୀଣା ବଜାନ୍ତି ସେ କୃଷ୍ଣ ନାମ ଗାଇ ଗାଇ॥

।୧୭।

ବୀଣାବାଦ୍ୟ ଶୁଣି ଗୋପେ ଆଶ୍ଚର୍ଯ୍ୟ ହୋଇଲେ।

 

କାହିଂପାଇଂ ମହାଋଷି ଆସିଛ ବୋଇଲେ॥

।୧୮।

 

 

ନାରଦ ବୋଇଲେ ଏବ ଶୁଣ ଗୋପସୁତ।

 

ତୁମ୍ଭଙ୍କୁ ନେବାକୁ କହିଛନ୍ତି ଗୋପୀନାଥ॥

।୧୯।

ନନ୍ଦ ଯେ ଯଶୋଦା ଆଉ ଯେତେକ ଗୋପାଳ।

 

ପ୍ରଭାସ ଯଜ୍ଞରେ ଯାଇଂ ହୁଅ ସର୍ବେ ଠୁଳ॥

।୨୦।

 

 

ଶୁଣି ଗୋପବାସୀଙ୍କର ଆନନ୍ଦ ବଢିଲା।

 

ମଲା ମଣିଷ କି ସତେ ଜୀବନ ପାଇଲା॥

।୨୧।

ଚନ୍ଦ୍ରସେଣା ଶୁଣିଲା ଯେ ଗୋପରେ ଚହଳ।

 

ସମସ୍ତ ଗୋପାଳ ଯିବେ ଦ୍ୱାରିକା ନଗର॥

।୨୨।

 

 

ସେ ସମୟେ ଜଟିଳା ଯେ ପ୍ରବେଶ ହୋଇଲା।

 

କି କରୁଛ ବସି ତୁହି ବଚନ କହିଲା॥

।୨୩।

ତୋହୋର ଭାରିଯା ସେହି ରାଧିକା ସୁନ୍ଦରୀ।

 

ଘରୁ ବାହାରି ଗଲାଣି ଦ୍ୱାରିକା ନଗରୀ॥

।୨୪।

 

 

 

 

ଚନ୍ଦ୍ରସେଣା ବୋଲୁଛନ୍ତି ମିଛ କଥା ପୁଣି।

 

ମୋତେ ନ ପଚାରି ଯିବ ନାହିଂ ରାଧାରାଣୀ॥

।୨୫।

ଜଟିଳା କହନ୍ତି ତୋର ମୁଖେ ଲାଜ ନାହିଂ।

 

କେଉଂଦିନ ତୋତେ ମାନି ଚଳୁଥିଲା ସେହି॥

।୨୬।

 

 

ଏହା ଶୁଣି ଚନ୍ଦ୍ରସେଣା କ୍ରୋଧାନ୍ୱିତ ହେଲା।

 

ଯଜ୍ଞକୁ ଯାଉଛି ଯେବେ ଦେଖିବି ବୋଇଲା॥

।୨୭।

ବେନି ଖଣ୍ଡ କରି ତାକୁ କାଟିଣ ଯେ ଦେବି।

 

ଶ୍ୱାନ ଶୃଗାଳଙ୍କ ମୁଖେ ନେଇ ପକାଇବି॥

।୨୮।

 

 

ଏହିଠାରେ ଗୀତରେ ହୋ ପଡ଼ିଲାକ ଗଣ୍ଠି।

 

ସିହାଣ ଗାୟକ ହେଲେ ଆପେ ଯିବ ଫିଟି॥

।୨୯।

ଶ୍ରୀକୃଷ୍ଣ ଚରିତ ଏହା ଦେବଙ୍କୁ ଦୁର୍ଲ୍ଲଭ ।

 

ଜାଣିଥିଲେ ଭାଇ ମୋତେ ଫିଟାଇ କହିବ॥

।୩୦।

ଉତ୍ତାର

ଅତି ଏ ଗହନ କଥା ପଚାରିଲ ଭାଇ ଯାହା।

 

ଜାଣିଛି ଯେତିକି କହୁଛି ଫିଟାଇଣ ତାହା॥

।୧।

କାହ୍ନୁ ସଙ୍ଗେ ଭେଟ ପାଇଂକି ରାଧା ମନେ ବିଚାରି।

 

ଯଜ୍ଞ ଦେଖିବାକୁ ଯାଆନ୍ତି ସେହୁ ଦ୍ୱାରିକା ପୁରୀ॥

।୨।

 

 

ଧୀରେ ଧୀରେ ରାଈ ଚଳନ୍ତି ଚତୁର୍ଦ୍ଦିଗକୁ ଚାହିଂ।

 

ଦେଖନ୍ତି ଜଟିଳା ସହିତେ ଚନ୍ଦ୍ରସେଣା ଆସଇ॥

।୩।

ସଖୀଙ୍କୁ ଡକାଇ ଶ୍ରୀମତୀ ବୋଇଲେ ଯେ ବଚନ।

 

ଆଜି ଯଦି ବାଧା ଦିଅନ୍ତି ଏଥେ ସେ ବେନିଜନ॥

।୪।

 

 

ଧରିବି ପ୍ରଚଣ୍ଡ ମୂରତି ହେବି ମୁଂ ଆଦିଶକ୍ତି।

 

ପ୍ରମାଦ ଗଣିବେଟି ଜାଣ ପଡ଼ିଲେ ଯେ ବିପତ୍ତି॥

।୫।

ଏତେକ ପାଞ୍ଚିଣ ଶ୍ରୀରାଧା ହସ୍ତେ ଖଡ଼୍ଗ ଧରିଲେ।

 

କ୍ରୋଧାନ୍ୱିତ ହୋଇ କରାଳ ରୂପ ଧାରଣ କଲେ॥

।୬।

 

 

ଜ୍ଞାନଶୂନ୍ୟ ହୋଇ ପଡ଼ିଲା ଚନ୍ଦ୍ରସେଣା ଭୁମିରେ।

 

ଶ୍ରୀରାଧା ଚଳିଲେ ଯଜ୍ଞକୁ ସଖୀଙ୍କ ସଙ୍ଗତରେ॥

।୭।

ଯଜ୍ଞର ସାମଗ୍ରୀ ଯେତେକ ସବୁ ହୁଅଇ ଠୁଳ।

 

ଯାହାକୁ ଯେପରି ଆଜ୍ଞାଟି ଦେଲେ ବ୍ରହ୍ମାଙ୍କ ବାଳ॥

।୮।

 

 

ବ୍ରାହ୍ମଣଙ୍କ ସେବା ଦକ୍ଷିଣା ଯୁଧିଷ୍ଠିର କରନ୍ତି।

 

ଭଣ୍ଡାର ଘରର ଦାୟିତ୍ୱ ଅର୍ଜୁନ ରଖୁଛନ୍ତି॥

।୯।

ଭୀମ ନକୂଳ ସହଦେବ କୁମାର ଶାମ୍ବ ପୁଣ।

 

ଯଜ୍ଞ ସ୍ଥାନମାନ ଜଗନ୍ତି ଚତୁର୍ଦ୍ଦିଗେ ରହିଣ॥

।୧୦।

 

 

 

 

ପାକଶାଳା କାର୍ଯ୍ୟ ସମସ୍ତ ଦୈାପଦୀ ଯେ କରିବ।

 

ଏମନ୍ତ ଶୁଣିଣ ସନ୍ତୋଷ ହେଲେ ଶ୍ରୀ ବାସୁଦେବ॥

।୧୧।

ଏହାପରେ ଯଜ୍ଞସ୍ଥାନରେ ରାଧିକା ଯେ ମିଳିଲେ।

 

ବାରେ ଦ୍ୱାର ଛାଡ଼ ଦୁଆରୀ ବିନୟରେ କହିଲେ॥

।୧୨।

 

 

କୋପେ ପ୍ରଜ୍ୱଳିତ ହୋଇଣ ଦ୍ୱାରପାଳ ବୋଲଇ।

 

ଦ୍ୱାର ଭିତରକୁ କାହାକୁ ଛାଡ଼ି ଦେବଟି ନାହିଂ॥

।୧୩।

ତହୁଂ ସର୍ବ ଗୋପୀ ଗୋପାଳ ଯଜ୍ଞ ସ୍ଥାନେ ମିଳିଲେ॥

 

ଦ୍ୱାର ଭିତରକୁ ଯିବାକୁ ସବୁ ଅକ୍ଷମ ହେଲେ॥

।୧୪।

 

 

ଶେଷେ ଯଶୋମତୀ କହନ୍ତି ବହୁ ବ୍ୟାକୁଳ ହୋଇ।

 

ବାଟ ଛାଡ଼ ଦ୍ୱାରୀ ମୋତେଟି ଯଜ୍ଞ ଦେଖିବି ମୁହିଂ॥

।୧୫।

କିଛିକ୍ଷଣ ପରେ ଦେବକୀ ଯଜ୍ଞସ୍ଥାନେ ମିଳିଲେ।

 

କାହିଂପାଇଂ ଗୋଳ ହେଉଛି ବୋଲି ସେ ପଚାରିଲେ॥

।୧୬।

 

 

ଦେବକୀ ରାଣୀଙ୍କୁ ଦେଖିଣ ଯଶୋମତୀ କହନ୍ତି।

 

ବହୁ ଆଶା ନେଇ ଆସିଛି ପୁତ୍ର ମୁଖ ଦେଖନ୍ତି॥

।୧୭।

ଉଭୟେ ମର୍ମ ଖୋଳାଖୋଳି ହୋଇ ପୁତ୍ରେ ଚିନ୍ତିଲେ।

 

କିଛିକ୍ଷଣ ପରେ ନାରଦ ଆସି ପ୍ରବେଶ ହେଲେ॥

।୧୮।

 

 

 

 

ବୋଲନ୍ତି ଦେବର୍ଷି ନାରଦ ଆଉ କଳି ନ କର।

 

ଯାହା ପୁତ୍ର ସେ ହୋଇଥିବେ ନିଶ୍ଚେ ହେବେ ବାହାର॥

।୧୯।

ଯାର ଡାକ ଶୁଣି ଶ୍ରୀକୃଷ୍ଣ ଆସିବେଟି ବାହାରି।

 

ତାର ପୁତ୍ର ନିଶ୍ଚେ ସେ ହେବେ ଦେଖିବେ ନରନାରୀ॥

।୨୦।

 

 

ଦେବକୀ ଆନନ୍ଦ ହୋଇଣ କୃଷ୍ଣ କୃଷ୍ଣ ଡାକିଲେ।

 

ସେ ଡାକ ଶୁଣିଣ କାହ୍ନୁ ଯେ କେଭେଂ ନ ବାହାରିଲେ॥

।୨୧।

ନାରଦ ବୋଇଲେ ଶୁଣନ୍ତୁ ମାଏ ଗୋ ଯଶୋବନ୍ତୀ।

 

ତୁମ୍ଭେ ଡାକ ତୁମ୍ଭ ପୁତ୍ରକୁ ଆସନ୍ତୁ ସେ ଶ୍ରୀପତି॥

।୨୨।

 

 

ଶୁଣିକରି ଯଶୋମନ୍ତୀ ସେ ଅତି ଆକୁଳ ହୋଇ।

 

ଡାକନ୍ତି ସେ ନୀଳମଣି ରେ ବହୁଦିନୁଂ ଦେଖି ନାହିଂ॥

।୨୩।

ଯଶୋଦାଙ୍କ ଡାକ ଶୁଣିଣ କାହ୍ନୁ ହରଷ ହୋଇ।

 

ଢଳି ଢଳି ଆସି ମିଳିଲେ ମାତା ପାଶରେ ଯାଇ॥

।୨୪।

 

 

ଏହା ଦେଖି ଗୋପୀ ଗୋପାଳ ବହୁ ଆଶ୍ଚର୍ଯ୍ୟ ହେଲେ।

 

ଧନ୍ୟ ଧନ୍ୟ ଯଶୋମତୀ ଗୋ ବୋଲି ସର୍ବେ ବୋଇଲେ॥

।୨୫।

କୃଷ୍ଣଙ୍କୁ ଦେଖିଣ ଯଶୋଦା ମୁଖେ ଦ୍ୟନ୍ତ ଚୁମ୍ବନ।

 

ବୋଲନ୍ତି ତୋ ଯଜ୍ଞ ଦେଖିବାପାଇଂ ହେଲା ମୋ ମନ॥

।୨୬।

 

 

 

 

ଚାଲ ଚାଲ ବାବୁ ମୋହର ଦେଖିବି ଯଜ୍ଞ ସ୍ଥାନ।

 

ଯେତେ ଦୁଃଖ ଥିଲା ମନରେ ସବୁ ହେଲା ମୋଚନ॥

।୨୭।

ଦେବକୀ ବୋଲନ୍ତି ତହିଂ ତୁମେ ଧନ୍ୟ ନନ୍ଦରାଣୀ।

 

କୃଷ୍ଣ ପରାଏ ପୁତ୍ର ତୋହର ହୋଇଲାଟି ପୁଣି॥

।୨୮।

 

 

ମୁଂ ହତଭାଗିନୀ ଯେତେକ ଦୋଷ କରିଛି ଜାଣ।

 

କ୍ଷମାଦେବ ବାରେ କହୁଛି ଘେନ ମୋ ନିବେଦନ॥

।୨୯।

ଏଣେ କୃଷ୍ଣଙ୍କର ଦର୍ଶନ ନ ପାଇ ରାଧାରାଣୀ।

 

କ୍ରୋଧାନ୍ୱିତ ହୋଇ ବୋଲନ୍ତି ଶୁଣ ଶୁଣ ଭଗିନୀ॥

।୩୦।

 

 

ଯଦି ମୋର ସତୀପଣଟି ଥିବ ନିଶ୍ଚନ୍ତେ ରହି।

 

ଚତୁର୍ଦ୍ଦିଗେ ଅଗ୍ନି ଜଳିବ ଝାସ ଦେବିଟି ମୁହିଂ॥

।୩୧।

ରାଧିକାଙ୍କ କ୍ରୋଧୁଂ ଅଗ୍ନି ଯେ ଚାହୁଂ ଚାହୁଂ ଜଳିଲା।

 

ଝାସ ଦେବାପାଇଂ ଅନଳେ ରାଧାଙ୍କ ମନ ହେଲା॥

।୩୨।

 

 

ମାୟାଧର ତହୁଂ ମିଳିଲେ ଜାଣି ସବୁରି ମନ।

 

ଯଜ୍ଞସ୍ଥାନେ ନେଲେ ସଭିଙ୍କୁ ନେଦେଇ ଯେ କଷଣ॥

।୩୩।

ଯଜ୍ଞ କାର୍ଯ୍ୟମାନ ହୋଇଲା ସର୍ବେ ହୋଇଲେ ସ୍ଥିର।

 

ସଖୀଙ୍କ ସହିତେ ଶ୍ରୀରାଧା ଚଳିଲେ ନିଜ ପୁର॥

।୩୪।

 

 

 

 

ଯେଝା ଗୃହେ ତହୁଂ ଫେରିଲେ ହୋଇ ହରଷ ମନେ।

 

ପ୍ରଭାସ ଯଜ୍ଞରେ ସମାପ୍ତ ହେଲା ସବୁ ଯତନେ॥

।୩୫।

ଯାହା ପଚାରଲ ଭାଇ ହେ ରାଧାକୃଷ୍ଣ ରହସ୍ୟ।

 

ଅଚ୍ୟୁତ ବୋଲନ୍ତି ମନରେ କେବେ ନ ଧର ଦୋଷ॥

୩୬।